ଓଡ଼ିଆ ଲିପିରେ ବିଶେଷକ ଚିହ୍ନର ଆବଶ୍ୟକତା

ଓଡ଼ିଆ ଲିପିରେ ବିଶେଷକ ଚିହ୍ନର ଆବଶ୍ୟକତା

ଡକ୍ଟର ଦେବାଶିଷ ଜ୍ୟେଷ୍ଠୀ ଓଡ଼ିଆ ଲିପିରେ ଓଡ଼ିଆ ଭାଷା ଲେଖାଯାଏ, ଏହା ଆମେ ସମସ୍ତେ ଜାଣୁ। କିନ୍ତୁ ଏଥି ସହ ଓଡ଼ିଶାରେ ରହୁଥିବା ୬୨ ପ୍ରକାର ଆଦିବାସୀମାନେ ମଧ୍ୟ ପ୍ରାଥମିକ ଶ୍ରେଣୀରୁ ଓଡ଼ିଆ ଲିପିରେ ଲେଖିବା ପଢ଼ିବା ଶିଖନ୍ତି ଓ ନିଜ ନିଜର ମାତୃଭାଷାକୁ ଓଡ଼ିଆ ଲିପିରେ ଲେଖିଥାଆନ୍ତି। ଏହା ନିଶ୍ଚିତ ରୂପେ ଏକ ସୁଖଦ କଥା ଯେ, ଓଡ଼ିଶାରେ ଅନେକ ଭାଷା ଭାଷୀ ଓ ସମ୍ପ୍ରଦାୟ ରହୁଥିଲେ ହେଁ, ଏକ ଲିପିକୁ ବ୍ୟବହାର କରିବା ଦ୍ବାରା ଆମେ ବହୁ ଭାଷା ଭାଷୀ ଅଜାଣତରେ ଏକ ଲିପିର ରଜ୍ଜୁରେ ବନ୍ଧା ହୋଇଛୁ ଓ ଏହା ଆମ ମଧ୍ୟରେ ଐକ୍ୟ ସଂହତି ଆଣିବାରେ ସହାୟକ ହୁଏ। କିନ୍ତୁ ପ୍ରଶ୍ନ ଆସେ ଯେ, ଓଡ଼ିଆ ଭାଷା ସହ ଓଡ଼ିଶାରେ ପ୍ରଚଳିତ ଅନ୍ୟ ଭାଷାଗୁଡ଼ିକୁ ମଧ୍ୟ ଲେଖିବା ପାଇଁ ଓଡ଼ିଆ ଲିପି ସମର୍ଥ କି? ଯଦି ହଁ, ତେବେ ଓଡ଼ିଶାରେ ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପିର ଉଦ୍ଭାବନ ଓ ପ୍ରଚଳନ କରି ଓଡ଼ିଆ ଲିପିଠାରୁ ଦୂରେଇ ଗଲେ କାହିଁକି? ଅନୁରୂପ ପ୍ରଚେଷ୍ଟା କୁଇ, ମୁଣ୍ଡା, ହୋ ଇତ୍ୟାଦି ଆଦିବାସୀ ଭାଷାରେ ମଧ୍ୟ କରାଯାଉଛି କାହିଁକି? କାହିଁକି ଛିଣ୍ଡି ଯାଉଛି ଓଡ଼ିଆ ଲିପିର ସେହି ରଜ୍ଜୁ ଯାହା ଆମ ଓଡ଼ିଶାର ସବୁ ଭାଷାସମୂହକୁ ଦିନେ ବାନ୍ଧି ରଖିଥିଲା? ଦୁଃଖର ବିଷୟ ଯେ ପ୍ରଚଳିତ ଓଡ଼ିଆ ଲିପିରେ କେବଳ ଆଂଶିକ ଭାବେ ଆଦିବାସୀ ଭାଷାକୁ ଲେଖାଯାଇପାରେ। କାରଣ ଇଣ୍ଡିକ ଭାଷା ପରିବାରରେ ଅନ୍ତର୍ଭୂକ୍ତ ଆଦିବାସୀ ଭାଷାଗୁଡ଼ିକୁ ସହଜରେ ଓଡ଼ିଆ ଲିପି ଦ୍ବାରା ଲେଖିବା ସମ୍ଭବ; କିନ୍ତୁ ଅଷ୍ଟ୍ରୋଏସୀୟ ଓ ଦ୍ରାବିଡ଼ ଭାଷା ପରିବାରରେ ଅନ୍ତର୍ଭୁକ୍ତ ଆଦିବାସୀ ଭାଷାରେ ବ୍ୟବହୃତ ଅକ୍ଷର ସହ ଓଡ଼ିଆ ଅକ୍ଷର ସର୍ବୋତତ ଭାବେ ସମାନ ହୋଇ ନଥାଏ। ଆମର ଆଦିବାସୀଙ୍କ ଭାଷା ସାହିତ୍ୟ ଲିଖନ ପାଇଁ ତିନୋଟି ପନ୍ଥା ରହିଥାଏ। ପ୍ରଥମତଃ ପ୍ରତ୍ୟେକ ଆଦିବାସୀ ଭାଷା ପାଇଁ ସ୍ବତନ୍ତ୍ର ଲିପି ନୂଆ କରି ସୃଷ୍ଟି କରାଯାଇପାରେ। ଏହି ନ ଉଦ୍ଭାବିତ ଲିପି ସାହାଯ୍ୟରେ ଆଦିବାସୀ ଭାଷାକୁ ନିଖୁଣ ଭାବେ ଲେଖିହୁଏ ସତ, କିନ୍ତୁ ସମସ୍ତେ ଏହାକୁ ନ ଜାଣୁଥିବାରୁ ସାହିତ୍ୟର ପ୍ରଚାର ପ୍ରସାର ବ୍ୟାହତ ହୁଏ। ଦ୍ବିତୀୟ ପନ୍ଥା ହେଉଛି ପାଠ୍ୟକ୍ରମରେ ଶିଖୁଥିବା ଅତି ପରିଚିତ ଓଡ଼ିଆ ଲିପିରେ ହିଁ ଆଦିବାସୀ ଭାଷାକୁ ଲେଖାଯାଇପାରେ। କିନ୍ତୁ, ଆଦିବାସୀଙ୍କର କିଛି ଅକ୍ଷରକୁ ଓଡ଼ିଆ ଲିପିରେ ଲେଖା ହୋଇପାରେନାହିଁ। ଫଳରେ ଆଦିବାସୀ ଭାଷା ବିକୃତ ଓ ବିଲୁପ୍ତ ହେବାର ସମସ୍ୟା ଉପୁଜେ। ତେଣୁ ଆଦିବାସୀ ଭାଷାର ସୁରକ୍ଷା ତଥା ପ୍ରଚାର ପ୍ରସାର ପାଇଁ ଆମକୁ ତୃତୀୟ ପନ୍ଥା (ବିଶେଷକ ଚିହ୍ନ ପ୍ରୟୋଗ) ଅବଲମ୍ବନ କରିବାକୁ ହୁଏ। ଏହା ଦ୍ବାରା ଯଦି କୌଣସି ଏକ ଆଦିବାସୀ ଅକ୍ଷର ପ୍ରଚଳିତ ଲିପି (ଓଡ଼ିଆ)ରେ ଉପଲବ୍ଧ ନ ଥାଏ, ତେବେ ସାମଞ୍ଜସ୍ୟ ଥିବା ଓଡ଼ିଆ ଅକ୍ଷରରେ ବିଶେଷକ ଚିହ୍ନ (ଯଥା ଅଧୋବିନ୍ଦୁ) ଦେଇ ନିଖୁଣ ଭାବେ ଲେଖିହୁଏ। ଏହା ଦ୍ବାରା ଆଦିବାସୀମାନେ ପ୍ରମୁଖ ଲିପିଠାରୁ ଦୂରେଇଯାଆନ୍ତି ନାହିଁ, ସେହି ଲିପିରେ ରହି ମଧ୍ୟ ନିଜର ଭାଷାକୁ ଯଥାର୍ଥ ପରିପ୍ରକାଶ କରିପାରନ୍ତି। ଓଡ଼ିଶାରେ ରହୁଥିବା ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ନିଜର ମାତୃଭାଷା ଓଡ଼ିଆ ବୋଲି ପରିଚୟ ଦିଅନ୍ତି। ଦୁର୍ଭାଗ୍ୟବଶତ ସେମାନେ ସ୍ଥଳବିଶେଷରେ, ଓଡ଼ିଆ ଲିପିରେ ନିଜର ନାମ ଓ ଧାର୍ମିକ ଶବ୍ଦ ଲେଖିପାରନ୍ତି ନାହିଁ ଯଥା ଫିରୋଜ, ଅଫତାବ, ଆଫ୍ରୋଜ, ଫଜର, ନମାଜ ଇତ୍ୟାଦି ଯାହା ଅଧୋବିନ୍ଦୁ ସାହାଯ୍ୟରେ ଅକ୍ଳେଶରେ ଲେଖାଯାଇପାରନ୍ତା। ବଙ୍ଗାଳୀ ଓ ଦେବନାଗରୀ ଲିପିରେ ଏହି ବ୍ୟବସ୍ଥାକୁ ଗ୍ରହଣ କରାଯାଇଥିବା ବେଳେ ଓଡ଼ିଆ ଲିପିରେ ଏତେଟା ଗୃହିତ ହୋଇନାହିଁ। ତେଣୁ, ଓଡ଼ିଶାରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆରବିକ ଲିପିକୁ ଆପଣେଇବାକୁ ବାଧ୍ୟ ହୁଅନ୍ତି। ମାତୃଭାଷାରେ ନିଜର ନାମକୁ ଠିକ ଭାବରେ ନ ଲେଖିପାରିବା କଷ୍ଟଦାୟକ ନିଶ୍ଚୟ। ଆରବିକ ଓ ପାର୍ସୀ ପରି ବୈଦେଶିକ ଶବ୍ଦକୁ ଓଡ଼ିଆ ଭାଷୀ ଆହରଣ କରିବା ସହ ଆମେ ଆରବିକ ଅକ୍ଷର ୱାଓ ପାଇଁ ଓଡ଼ିଆରେ ୱ ପରି ଏକ ନୂତନ ଅକ୍ଷରକୁ ଗ୍ରହଣ କରିସାରିଛୁ। ତେବେ ସଂଖ୍ୟାଲଘୁଙ୍କର ନାମ ଓ ଧର୍ମ ପାଇଁ କିଛି ଅକ୍ଷରକୁ ବିରୋଧ କାହିଁକି କରାଯିବ? କାହିଁକି ସଂଖ୍ୟାଲଘୁ ବାଧ୍ୟ ହେବେ, ଓଡ଼ିଆ ଲିପିକୁ ଛାଡ଼ି, ଆରବିକକୁ ଆପଣେଇବା ପାଇଁ? ବର୍ତ୍ତମାନ ଆଉ ଏକ ଆହ୍ବାନ ଆସିଛି ଯେ, ଡାକ୍ତରୀ ଓ ଅନ୍ୟ ବୈଷୟିକ ପ୍ରବେଶିକା ପରୀକ୍ଷା ଓଡ଼ିଆ ଭାଷାରେ ଦେବାପାଇଁ ସ୍ବୀକୃତି ମିଳିଛି। ବୈଜ୍ଞାନିକ ଶବ୍ଦ ଓ ବୈଜ୍ଞାନିକଙ୍କର ନାମକୁ ଓଡ଼ିଆ ଅକ୍ଷରରେ ଲେଖିବାକୁ ହେବ ଯାହା ପାଇଁ ପୁନଶ୍ଚ ଅଧୋବିନ୍ଦୁର ଆବଶ୍ୟକତା ରହୁଛି, ଯାହାକୁ ଏଡ଼ାଇ ଦେଇହେବ ନାହିଁ। ପ୍ରାଚୀନ ସାହିତ୍ୟକୁ ସବୁବେଳେ ଉଦାହରଣ ଓ ଆଧାର କଲେ ଅତ୍ୟାଧୁନିକ ବିଜ୍ଞାନର ଭାଷା ଲେଖିବା ପାଇଁ ଆମ ଲିପି ପଙ୍ଗୁ ପାଲଟିଯିବ। ଲିପିରେ ବିଶେଷକ ଚିହ୍ନର ପ୍ରୟୋଗ କୌଣସି ନୂତନ ପଦ୍ଧତି ନୁହେଁ। ଗୋଟିଏ ଲିପି ଦ୍ବାରା ଏକାଧିକ ଭାଷା ଲେଖିବାରେ ସକ୍ଷମ ହେବା ପାଇଁ ଏହାକୁ ବିଶ୍ବର କୋଣ ଅନୁକୋଣରେ ପ୍ରାୟ ସମସ୍ତ ଲିପିରେ ବ୍ୟବହାର କରାଯାଇଛି। ଏପରିକି, ଶହେ ବର୍ଷ ପୂର୍ବରୁ ଆମ ଓଡ଼ିଆ ଲିପିରେ ମଧ୍ୟ ଏହି ବିଶେଷକ ଚିହ୍ନର ପ୍ରଚଳନ ପରିଲକ୍ଷିତ ହୁଏ। ଉଦାହରଣ ସ୍ବରୂପ, ମୂଳ ଓଡ଼ିଆ ଲିପିରେ ଓ ପ୍ରାଚୀନ ଓଡ଼ିଆ ସାହିତ୍ୟ (ସାରଳା ମହାଭାରତ, ଭାଗବତ)ରେ ଏହି ଅଧୋବିନ୍ଦୁଯୁକ୍ତ ଡ଼, ଢ଼ ନଥିଲା କିନ୍ତୁ ଆବଶ୍ୟକ ସ୍ଥଳେ ଗତ ଶହେ ଦେଢ଼ ଶହ ବର୍ଷ ମଧ୍ୟରେ ଆଧୁନିକ ଓଡ଼ିଆ ଭାଷା ପାଇଁ ଏହି ଅଧୋବିନ୍ଦୁର ବହୁଳ ପ୍ରୟୋଗ ହୋଇଛି। କିନ୍ତୁ, ଆଦିବାସୀ ଓ ସଂଖ୍ୟାଲଘୁଙ୍କର ଭାଷାର ଉଚିତ ପରିପ୍ରକାଶ ପାଇଁ ଯଦି କୌଣସି ଓଡ଼ିଆ ଅକ୍ଷରରେ ଅଧୋବିନ୍ଦୁର ଆବଶ୍ୟକତା ହୁଏ, ତେବେ କିଛି ଲୋକେ ବିରୋଧ କରନ୍ତି। କେତୋଟି ଭ୍ରାନ୍ତଧାରଣାକୁ ଆଧାର କରି ଏହି ବିରୋଧାଭାଷ ଆସିଥାଏ। ସେମାନେ ଭାବନ୍ତି ଏହା ଦ୍ବାରା ନୂତନ ଅକ୍ଷର ସୃଷ୍ଟି ହେବ, ଲିପି ଜଟିଳ ହେବ ଏବଂ ଭାଷା ତା’ର ଶାସ୍ତ୍ରୀୟତା ହରାଇବ। କିନ୍ତୁ ବାସ୍ତବରେ ଅଧୋବିନ୍ଦୁ ସମାନ ‘ଅକ୍ଷର’ ବା ‘ସ୍ବନିମ’ର ଅନ୍ୟ ଏକ ରୂପ (ସମସ୍ବନିମ)କୁ ସୂଚାଏ। ତେଣୁ ଅକ୍ଷର ସଂଖ୍ୟା ବଢ଼େ ନାହିଁ। ଇଂରାଜୀ ବା ରୋମାନ ଲିପିରେ ଅସଂଖ୍ୟ ବିିଶେଷକ ଚିହ୍ନ ବ୍ୟବହାର ସତ୍ତ୍ବେ ଅକ୍ଷର ସଂଖ୍ୟା ଛବିଶ ହିଁ ରହିଥାଏ। ଏହା ଦ୍ବାରା ଲିପି ଜଟିଳ ହୁଏନାହିଁ, କାରଣ ସମସ୍ତେ ସବୁେଳେ ଏହାକୁ ବ୍ୟବହାର କରିବାକୁ ବାଧ୍ୟ ନୁହଁନ୍ତି। ପ୍ରୟୋଗ କଲେ ମନା ନାହିଁ, ପ୍ରୟୋଗ ନ କଲେ ବାଧ୍ୟବାଧକତା ବି ନାହିଁ। ଲିପିରେ ବିଶେଷକ ଚିହ୍ନ ଦେଇ ଭିନ୍ନ ଏକ ଭାଷାକୁ ଲେଖିଲେ, ଏହାକୁ ବ୍ୟବହାର କରୁଥିବା ମୂଳ ଭାଷା ତା’ର ଶାସ୍ତ୍ରୀୟତା ହରାଏ ନାହିଁ। ଉଦାହରଣ ସ୍ବରୂପ, ହିନ୍ଦୀ ଓ ଉର୍ଦ୍ଦୁ ଭାଷାକୁ ଲେଖିବା ପାଇଁ ଦେବନାଗରୀ ଓ ଆରବିକ ଲିପିରେ ଅନେକ ବିଶେଷକ ଚିହ୍ନ ପ୍ରୟୋଗ ହୁଏ; କିନ୍ତୁ ଏହା ସତ୍ତ୍ବେ ଏହି ଲିପିଗୁଡ଼ିକୁ ମୂଳରୁ ବ୍ୟବହାର କରିଆସୁଥିବା ସଂସ୍କୃତ ଓ ଆରବିକ ଭାଷା କେେବ ଶାସ୍ତ୍ରୀୟତା ହରାଇନି। ଅତୀତରେ ମୂଳ ଓଡ଼ିଆ ଲିପିରେ କମା, ଉଦ୍ଧୃତ ଚିହ୍ନ, ପ୍ରଶ୍ନବାଚୀ ଚିହ୍ନ ଇତ୍ୟାଦି ନଥିଲା ଯାହାକୁ ଆମେ ଇଂରାଜୀ ଭାଷାରୁ ଆହରଣ କରିନେଲୁ ଏବଂ ଏହା ଦ୍ବାରା ଭାଷାର ଶାସ୍ତ୍ରୀୟତା ହଜିଯାଉନାହିଁ। ତେବେ ଓଡ଼ିଶାର ଅନ୍ୟ ଅଣଓଡ଼ିଆ ଭାଷାରେ ଥିବା ସମସ୍ବନିମକୁ ଲେଖିବା ପାଇଁ ଅଧୋବିନ୍ଦୁ ଆପଣେଇଲେ ଓଡ଼ିଆ ଭାଷା ନିଜର ଶାସ୍ତ୍ରୀୟତା ହରାଇବ କେମିତି? ଓଡ଼ିଆ ଲିପି କେଳ ଓଡ଼ିଆଭାଷା ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ଉପରେ ଓଡ଼ିଶାରେ ପ୍ରଚଳିତ ସବୁ ଭାଷାଙ୍କର ସମାନ ଅଧିକାର ରହିଛି। ଯଦି ଓଡ଼ିଆ ଭାଷା ପାଇଁ ଆମେ ତିନୋଟି ଅକ୍ଷରରେ ଅଧୋବିନ୍ଦୁକୁ ତଥା ବୈଦେଶିକ ଅକ୍ଷର ୱ’କୁ ଗ୍ରହଣ କରିସାରିଛୁ, ତେବେ ଏହି ଓଡ଼ିଆ ଲିପିକୁ ବ୍ୟବହାର କରୁଥିବା ଅନ୍ୟ ଭାଷାଭାଷୀଙ୍କ ପାଇଁ ମଧ୍ୟ ଉଦାରତାର ସହ ଅଧିକ ବିଶେଷକ ଚିହ୍ନକୁ ଗ୍ରହଣ କରିବା ଉଚିତ। ନ ହେଲେ, ଅଣଓଡ଼ିଆ ଭାଷାଭାଷୀ ଭିନ୍ନ ଲିପି ଆପଣାଇ ଓଡ଼ିଆ ଲିପିଠାରୁ ଦୂରେଇଯିବେ ଯାହା କଦାପି ଓଡ଼ିଶାର ଜାତୀୟ ସଂହତି ପାଇଁ ଶୁଭଲକ୍ଷଣ ନୁହେଁ। ଡଗରପଡ଼ା, ଚାନ୍ଦିନୀଚୌକ, କଟକ ଚଳଭାଷ- ୭୭୫୦୯୧୦୫୪୨

Share :