ଡଲଫିନ ସଂଖ୍ୟା କମିଲା କାହିଁକି?

ଡଲଫିନ ସଂଖ୍ୟା କମିଲା କାହିଁକି?

Share :

ସ୍ବତନ୍ତ୍ର ପ୍ରତିନିଧି ବର୍ଷକ ଭିତରେ ଓଡ଼ିଶା ଉପକୂଳରେ କମିଛନ୍ତି ୨୦୦ରୁ ଅଧିକ ଡଲ୍‌ଫିନ୍‌। ଅବାଧ ଓ ଅବୈଧ ଚିଙ୍ଗୁଡ଼ି ଘେରି, ମାଛଧରା ଟ୍ରଲରଙ୍କ ଆକ୍ରମଣ ତଥା ସାମୁଦ୍ରିକ ପ୍ରଦୂଷଣ ଯୋଗୁଁ ଓଡ଼ିଶା ଉପକୂଳରେ ଡଲ୍‌ଫିନ୍‌ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଥିବା ନଜରକୁ ଆସିଛି। ୨୦୧୮ ମସିହାରେ ଓଡ଼ିଶାରେ ୪୬୯ ଡଲ୍‌ଫିନ୍‌ ଥିବା ଗଣନା କରାଯାଇଥିବାବେଳେ ୨୦୧୯ ଗଣନାରୁ ଏହି ସଂଖ୍ୟା ୨୫୯କୁ ଖସି ଆସିଥିବା ଜଣାପଡ଼ିଛି। ୨୦୧୯ ଜାନୁଆରୀ ୧୯ ତାରିଖରେ ଓଡ଼ିଶା ଉପକୂଳରେ ଡଲ୍‌ଫିନ୍‌ ଗଣନା କରାଯାଇଥିଲା। ଗଣନାର ରିପୋର୍ଟ ଫେବୃଆରୀ ୧୪ ତାରିଖରେ ସାର୍ବଜନୀନ ହୋଇଛି। ଓଡ଼ିଶାରେ ସାଧାରଣତଃ ପୁରୀ, ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାରେ ବ୍ୟାପୀଥିବା ଭାରତର ସର୍ବବୃହତ କ୍ଷାରଜଳ ହ୍ରଦ ଚିଲିକା, କେନ୍ଦ୍ରାପଡ଼ାର ଗହୀରମଥା ସାମୁଦ୍ରିକ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ଏହା ସନ୍ନିକଟ ଭିତରକନିକା ଜାତୀୟ ଉଦ୍ୟାନ, ବାଲେଶ୍ବର ଉପକୂଳ ଏବଂ ଗଂଜାମର ଋଷିକୂଲ୍ୟା ମୁହାଁଣରେ ଡଲ୍‌ଫିନ୍‌ ଦେଖାଯାଇଥାନ୍ତି। ଚିଲିକା ଇରାବଦି ଡଲ୍‌ଫିନ୍‌ଙ୍କ ଘର ହୋଇଥିବାବେଳେ ରାଜ୍ୟର ଅନ୍ୟସ୍ଥାନଗୁଡ଼ିକରେ ବଟ୍‌ଲ ନୋଜ୍‌ ଏବଂ ହମ୍ପବ୍ୟାକ୍‌ ପ୍ରଜାତିର ଡଲ୍‌ଫିନ୍‌ ଦେଖାଯାଇଥାନ୍ତି। ଭିତରକନିକା ଜାତୀୟ ଉଦ୍ୟାନର ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ୨୦୧୯ ଗଣନାରେ ଗହୀରମଥା ଅଞ୍ଚଳରେ ୧୨୬ ଡଲ୍‌ଫିନ୍‌ ଦେଖାଯାଇଛନ୍ତି। ୨୦୧୮ ମସିହାରେ ସେଠାରେ ୩୦୭ ଡଲ୍‌ଫିନ୍‌ ଠାବ ହୋଇଥିଲେ। ଏହାର ଅର୍ଥ ଏଇ ବର୍ଷକ ଭିତରେ ଗହୀରମଥାରେ ଡଲ୍‌ଫିନ୍‌ ସଂଖ୍ୟା ୧୮୧ ହ୍ରାସ ପାଇଛି। ସେହିପରି ଚିଲିକାରେ ଚଳିତ ବର୍ଷ ୧୧୩ ଡଲ୍‌ଫିନ୍‌ ଗଣନା କରାଯାଇଛି। ପୂର୍ବ ଗଣନାରେ ଚିଲିକା ଡଲ୍‌ଫିନ୍‌ଙ୍କ ସଂଖ୍ୟା ଥିଲା ୧୬୨। ୨୦୧୭ ମସିହାରେ ଚିଲିକାର ଡଲ୍‌ଫିନ୍‌ ସଂଖ୍ୟା ୧୨୩ ଥିବାର ଗଣନା କରାଯାଇଥିଲା। ଚଳିତ ବର୍ଷ ଓଡ଼ିଶାରେ ମୋଟ ୧୩୦ ଇରାବଦି ଡଲ୍‌ଫିନ୍‌ ଦେଖାଯାଇଛନ୍ତି। ଚିଲିକାରେ ୧୧୩ ଏବଂ ଗହୀରମଥାରେ ୧୪ଟି ଇରାବଦି ଦେଖାଯାଇଥିବା ବନ ବିଭାଗର ପ୍ରକାଶ କରିଛି। ବାଲେଶ୍ବର ଉପକୂଳରେ ମଧ୍ୟ ୩ଟି ଇରାବଦି ଡଲ୍‌ଫିନ୍‌ ଗଣନା କରାଯାଇଛି। ଚଳିତ ବର୍ଷ ଗଂଜାମର ଋଷିକୂଲ୍ୟା ମୁହାଁଣରେ ୧୫ଟି ଡଲ୍‌ଫିନ୍‌ ଦେଖାଯାଇଥିବାବେଳେ ବାଲେଶ୍ବରରେ ୩ ଇରାବଦି ଡଲ୍‌ଫିନ୍‌ଙ୍କୁ ମିଶାଇ ୫ଟି ଡଲ୍‌ଫିନ୍‌ ଠାବ କରାଯାଇଛି। ବନ ବିଭାଗର ଗଣନା ରିପୋର୍ଟରୁ ଜଣାପଡ଼ିଛି ଯେ ରାଜ୍ୟରେ ଚଳିତ ବର୍ଷ ମୋଟ ୧୬ଟି ବଟଲ୍‌ ନୋଜ୍‌ ଡଲଫିନ୍‌ ଦେଖାଯାଇଛନ୍ତି। ଏମାନଙ୍କ ମଧ୍ୟରୁ ବାଲେଶ୍ବରରେ ୨ ଓ ଗହୀରମଥାରେ ୧୪ଟି ଦେଖାଯାଇଛନ୍ତି। ଦେଖାଯାଇଥିବା ମୋଟ ୧୧୩ ହମ୍ପବ୍ୟାକ୍ ଡଲ୍‌ଫିନ୍‌ଙ୍କ ମଧ୍ୟରୁ ଗଂଜାମରେ ୧୫ ଓ ଗହୀରମଥାରେ ୯୮ଟି ଠାବ ହୋଇଛନ୍ତି। ଡଲ୍‌ଫିନ୍‌ ଏକ ବିରଳ ସାମୁଦ୍ରିକ ଜନ୍ତୁ। ଭାରତୀୟ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ର ତଫସିଲ ୧ରେ ଡଲ୍‌ଫିନ୍‌ ସ୍ଥାନ ପାଇଥିଲାବେଳେ ବିରଳ ପ୍ରଜାତିର ଅନ୍ତର୍ଜାତୀୟ ବାଣିଜ୍ୟ ରୀତି ବା କନଭେନ୍ସନ ଅନ୍‌ ଇଣ୍ଟର୍ନ୍ୟାସନାଲ ଟ୍ରେଡ ଇନ୍‌ ଏନଡେଞ୍ଜର୍ଡ଼ ସ୍ପେଶିସ (ସାଇଟ୍‌ସ)ର ପରିଶିଷ୍ଟ ୧, ଜନ୍‌ଭେନ୍ସନ ଅନ୍‌ ମାଇଗ୍ରେଟୋରୀ ସ୍ପେଶିସର ପରିଶିଷ୍ଟ ୨ରେ ମଧ୍ୟ ଡଲ୍‌ଫିନ୍‌କୁ ତାଲିକାଭୁକ୍ତ କରାଯାଇଛି। ସେହିପରି ଇଣ୍ଟର୍ନ୍ୟାସନାଲ ୟୁନିଅନ ଫର୍‌ ଦ କନ୍‌ଜରଭେସନ ଅଫ୍ ନେଚର ବା ଆଇୟୁସିଏନ୍‌ର ଲାଲ ତାଲିକାରେ ଏହାକୁ ବିପନ୍ନ ପ୍ରାଣୀ ଭାବେ ତାଲିକାଭୁକ୍ତ କରାଯାଇଛି। ଏହି ଦୃଷ୍ଟିରୁ ଡଲ୍‌ଫିନ୍‌ ସୁରକ୍ଷା ଓଡ଼ିଶା ସରକାରଙ୍କର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହେବା ଉଚିତ। ଡଲ୍‌ଫିନ୍‌ ଏକ ଅହିଂସ୍ର, ବୁଦ୍ଧିମାନ ଓ ସାମାଜିକ ପ୍ରାଣୀ ଭାବେ ଖ୍ୟାତି ଲାଭ କରିଛି। ଓଡ଼ିଶା ଉପକୂଳରେ ଅନେକ ସମୟରେ ଡଲ୍‌ଫିନ୍‌ଙ୍କ ମୃତଦେହ ଠାବ କରାଯାଉଛି। ବିଶେଷକରି ପୁରୀ, ଅସ୍ତରଙ୍ଗ, ବାଲେଶ୍ବର ଓ ଗଂଜାମ ଉପକୂଳରେ ଅନେକ ସମୟରେ ମୃତ ଡଲ୍‌ଫିନ୍‌ଙ୍କୁ ଠାବ କରାଯାଇଛି। ଓଡ଼ିଶା ଉପକୂଳରେ ଟ୍ରଲର ସାହାଯ୍ୟରେ ଅବୈଧ ଓ ଅବାଧ ମାଛଧରା ଅଭିଯାନ ସହିତ ଧାମରା, ପାରଦୀପ ଓ ଗୋପାଳପୁର ବନ୍ଦରରେ ଅଧିକରୁ ଅଧିକ ଜାହାଜ ଚଳାଚଳ, ଉପକୂଳ ସମୁଦ୍ର ପ୍ରଦୂଷଣ, ଚିଲିକା ସମେତ ଅନ୍ୟ ଅଚଂଳର ସମୁଦ୍ର ଉପକୂଳରେ ବେଆଇନ ଚିଙ୍ଗୁଡ଼ି ଘେରି ଆଦି କାରଣରୁ ଓଡ଼ିଶା ଉପକୂଳରେ ଡଲ୍‌ଫିନ୍‌ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଥିବା ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀମାନେ ମତ ଦେଇଛନ୍ତି। ପାଗ ପରିବର୍ତ୍ତନ ଯୋଗୁଁ ମଧ୍ୟ ଓଡ଼ିଶା ଉପକୂଳର ସାମୁଦ୍ରିକ ପରିବେଶ ଏବଂ ଚିଲିକାର ଜଳତତ୍ତ୍ବ ବଦଳି ଯାଇଥିବାରୁ ଅନେକ ଡଲ୍‌ଫିନ୍‌ କୂଳରୁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିବା ସମ୍ଭବ ବୋଲି ବନ ବିଭାଗର ଅଧିକାରୀମାନେ ଅନୁମାନ କରୁଛନ୍ତି। ବନ ବିଭାଗର କର୍ମଚାରୀମାନେ ଉପକୂଳରୁ ସର୍ବାଧିକ ୧୦ କିଲୋମିଟର ଦୂର ସମୁଦ୍ର ଭିତରେ ଡଲ୍‌ଫିନ୍‌ ଗଣନା କରିଥାନ୍ତି। ଡଲ୍‌ଫିନ୍‌ ସବୁ ଯଦି ଆହୁରି ଦୂରକୁ ପଳାଇଥିବେ ତେବେ ସେମାନଙ୍କୁ ଗଣନା କରାଯାଇ ନଥିବ ଓ ସେହି ଦୃଷ୍ଟିରୁ ଓଡ଼ିଶାରେ ଡଲ୍‌ଫିନ୍‌ ସଂଖ୍ୟା ହ୍ରାସ ପାଇଥିବ ବୋଲି ଅନୁମାନ କରାଯାଉଛି।

Share :