ପ୍ରଦୀପ ପ୍ରଧାନ ୨୦୧୪ ମସିହାରେ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ସାଧାରଣ ପ୍ରଶାସନ ବିଭାଗ, ଇଡ୍କୋ, ସିଡିଏ ଏବଂ ବିଡିଏ ଦ୍ୱାରା ଜମି ଆବଣ୍ଟନରେ ହୋଇଥିବା ବ୍ୟାପକ ଜାଲିଆତି ଏବଂ ଅନିୟମିତତା ସହ ଅହେତୁକ ଅନୁକମ୍ପା ଦେଖାଇ ବହୁ ଅନୁଷ୍ଠାନ, ବ୍ୟକ୍ତିବିଶେଷ ଏବଂ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ଏକାଧିକ ଜମି/ପ୍ଲଟ୍/ଫ୍ଲାଟ୍ ଦିଆଯାଇଛି ବୋଲି ସିଏଜି ରିପୋର୍ଟ ପ୍ରକାଶ ପାଇଲା ପରେ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଭିନ୍ନ ନାଗରିକ ସଂଗଠନ ଏବଂ ବିରୋଧୀ ରାଜନୈତିକ ଦଳ ଏହି ଜମି ଆବଣ୍ଟନ ଜାଲିଆତିର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ଏହାପରେ ରାଜ୍ୟ ସରକାର ଅଗଷ୍ଟ ୨, ୨୦୧୪ରେ ବରିଷ୍ଠ ପ୍ରଶାସକ ଡକ୍ଟର ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ କମିଟି ବସାଇ ଇଚ୍ଛାଧୀନ କୋଟା ଏବଂ ମିଥ୍ୟା ସତ୍ୟପାଠ ଦେଇ ଜମି/ପ୍ଲଟ୍ ଆବଣ୍ଟନ, ଅଯୋଗ୍ୟ ହିତାଧିକାରୀମାନଙ୍କ ଦ୍ୱାରା ପ୍ଲଟ୍ ଦଖଲ ସମ୍ପର୍କରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟାସ୍କ ଫୋର୍ସ ତାଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବା ସହ ସାଧାରଣ ପ୍ରଶାସନ ବିଭାଗ, ବିଡିଏ, ସିଡିଏ ଏବଂ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ଜମି/ପ୍ଲଟ୍ ଆବଣ୍ଟନରେ ବ୍ୟାପକ ଜାଲିଆତିକୁ ସ୍ୱୀକାର କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସୁପାରିଶ୍ କରିଥିଲେ। ଏହା ପରେ ରାଜ୍ୟ କ୍ୟାବିନେଟ୍ ଟାସ୍କ ଫୋର୍ସ କରିଥିବା ସମସ୍ତ ସୁପାରିଶ୍କୁ ମାନିନେଇ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଟାସ୍କ ଫୋର୍ସର ସୁପାରିଶଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ତା ୦୬-୦୫-୨୦୧୫ରିଖରେ ଏକ ଖସଡ଼ା ପ୍ରସ୍ତୁତ କରି ବିଡିଏ, ସିଡିଏ, ସାଧାରଣ ପ୍ରଶାସନ ବିଭାଗ ଏବଂ ହାଉସିଂ ବୋର୍ଡ଼କୁ ଏହି ଆଧାରରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଟାସ୍କ ଫୋର୍ସ କରିଥିବା ସୁପାରିଶ ଏବଂ ରାଜ୍ୟ ସରକାର ଗ୍ରହଣ କରିଥିବା ତଦନ୍ତର କାର୍ଯ୍ୟଧାରାଗୁଡ଼ିକ ହେଲା (କ) ୧୯୯୫ ପୂର୍ବବର୍ତ୍ତୀ ସମୟରେ ସାଧାରଣ ପ୍ରଶାସନ ବିଭାଗ ଏବଂ ଅନ୍ୟାନ୍ୟ କତ୍ତୃର୍ପକ୍ଷମାନେ ଜମି/ପ୍ଲଟ୍ ଆବଣ୍ଟନର ତାଲିକା ପ୍ରସ୍ତୁତ କରିବେ। କାରଣ ଟାସ୍କ ଫୋର୍ସକୁ ୧୯୯୫ ମସିହାର ପରବର୍ତ୍ତୀ ଜମି/ପ୍ଲଟ୍ ଆବଣ୍ଟନର ଅନୁଧ୍ୟାନ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ଟାସ୍କଫୋର୍ସ ତାଙ୍କ ସୁପାରିଶ୍ରେ ୧୯୯୫ର ପୂର୍ବବର୍ତ୍ତୀ ପ୍ଲଟ୍ ଆବଣ୍ଟନର ତଥ୍ୟ ପ୍ରସ୍ତୁତ ନ ହେଲେ କେଉଁ ବ୍ୟକ୍ତିମାନେ ଏକାଧିକ ପ୍ଲଟ୍ ନେଇଛନ୍ତି ଜାଣିବା ସମ୍ଭବ ନୁହେଁ ଦର୍ଶାଇଥିଲେ ଏବଂ ଟାସ୍କଫୋର୍ସକୁ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀମାନେ ଚଞ୍ଚକତା କରି ୧୯୯୦ ଓ ୧୯୯୧ ମସିହାରେ ଆବଣ୍ଟନ ହୋଇଥିବା ୩୦୦୦ ପ୍ଲଟ୍ର ତାଲିକା ଦେଇନଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ସମୟରେ ବହୁ ଉଚ୍ଚପଦସ୍ଥ ସରକାରୀ ଅଧିକାରୀମାନେ ଏକାଧିକ ପ୍ଲଟ୍ ନେଇଥିଲେ। (ଖ) ଅର୍ଥ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ଦ୍ୱାରା ଜମି/ପ୍ଲଟ୍ ଆବଣ୍ଟନର ସ୍ୱତନ୍ତ୍ର ଅଡ଼ିଟ୍ କରି ରାଜ୍ୟ ସରକାରଙ୍କୁ ୬ ମାସ ମଧ୍ୟରେ ତାଙ୍କର ରିପୋର୍ଟ ପ୍ରଦାନ କରିବେ। (ଗ) ସାଧାରଣ ପ୍ରଶାସନ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥା (ବିଡିଏ, ସିଡିଏ, ହାଉସିଂ ବୋର୍ଡ଼) ଗୁଡ଼ିକ ମିଥ୍ୟା ସତ୍ୟପାଠ ବା ମିଥ୍ୟା ତଥ୍ୟ ଦେଇ ଏକାଧିକ ପ୍ଳଟ୍ ନେଇଥିବା ବ୍ୟକ୍ତିମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବେ। (ଘ) ଉକ୍ତ ସଂସ୍ଥାମାନେ ଇଚ୍ଛାଧୀନ କୋଟାରେ ଜମି/ପ୍ଲଟ୍ ନେଇଥିବା ବ୍ୟକ୍ତିମାନଙ୍କୁ ଜମି/ପ୍ଲଟ୍ ଗୁଡ଼ିକର ଖାରଜ ପାଇଁ ନୋଟିସ୍ ଦେବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜବାବ ଦାଖଲ ପାଇଁ ଜଣାଇବେ। (ଙ) ରାଜ୍ୟ ଭିଜିଲାନ୍ସ ମିଥ୍ୟା ସତ୍ୟପାଠ କରି ବା ମିଥ୍ୟା ତଥ୍ୟ ଦେଇ ଏକାଧିକ ଜମି/ପ୍ଲଟ୍ ନେଇଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଦୀର୍ଘ ତିନି ବର୍ଷ ମଧ୍ୟରେ ରାଜ୍ୟ ସରକାର ଏହି ଜମି ଜାଲିଆତିର ତଦନ୍ତ କରି କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଏ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ସମସ୍ତ କତ୍ତୃର୍ପକ୍ଷ, ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଅର୍ଥ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗକୁ ତଥ୍ୟ ମଗାଯାଇଥିଲା। ଉକ୍ତ କାର୍ଯ୍ୟାଳୟଗୁଡ଼ିକ ଏପ୍ରିଲରୁ ଜୁଲାଇ ମାସ, ୨୦୧୮ ମଧ୍ୟରେ ତଥ୍ୟ ପ୍ରଦାନ କରିଥିଲେ। ଗତ ତିନି ବର୍ଷ ମଧ୍ୟରେ ବିଡିଏ ଇଚ୍ଛାଧୀନ କୋଟା ଏବଂ ଏକାଧିକ ପ୍ଳଟ୍ ନେଇଥିବା ୮୮୦ ବ୍ୟକ୍ତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ମଧ୍ୟ ସରକାର ଶୁଣାଣୀ ପାଇଁ କୌଣସି କର୍ତ୍ତୃପକ୍ଷ ନିଯୁକ୍ତି କରି ନଥିବାରୁ ନୋଟିସ୍ର ଶୁଣାଣୀ ହୋଇପାରିନାହିଁ ବୋଲି ଦର୍ଶାଯାଇଥିଲା। ବିଡିଏ ମାତ୍ର ୧୧ ଜଣଙ୍କର ପ୍ଳଟ୍ ନାକଚ କରିଥିଲା ବେଳେ ମାତ୍ର ୬ ଜଣଙ୍କର ପ୍ଲଟ୍ ସରକାରୀ ଖାତାକୁ ଫେରାଇ ଆଣିପାରିଛି। ବିଡିଏର ବେଆଇନ୍ ଭାବେ ବଣ୍ଟନ ହୋଇଥିବା ୩୩୨ ପ୍ଲଟ୍ର ସମସ୍ତ ଡକ୍ୟୁମେଣ୍ଟ୍ ରାଜ୍ୟ ଭିଜିଲାନ୍ସକୁ ଦିଆଯାଇଥିଲେ ମଧ୍ୟ, ଭିଜିଲାନ୍ସ ବିଭାଗ କୌଣସି ତଦନ୍ତ କରିନାହିଁ। ସେହିପରି ସିଡିଏର ମିଥ୍ୟା ସତ୍ୟପାଠ ବା ମିଥ୍ୟା ତଥ୍ୟ ଦେଇ ଜମି ହାତେଇଥିବା ୧୦୯୧ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଥିଲେ ମଧ୍ୟ ଦୀର୍ଘ ୩ ବର୍ଷ ମଧ୍ୟରେ ଗୋଟିଏ କେସ୍ର ଶୁଣାଣୀ ହୋଇନାହିଁ। କିନ୍ତୁ ଏକାଧିକ ପ୍ଲଟ୍ ନେଇଥିବା ୧୨ ଜଣଙ୍କର ପ୍ଲଟ୍ ଖାରଜ କରିଥିଲେ ମଧ୍ୟ ଉକ୍ତ ପ୍ଲଟ୍ଗୁଡ଼ିକ ସରକାରୀ ଖାତାକୁ ଫେରିପାରି ନାହିଁ। ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଇଚ୍ଛାଧୀନ କୋଟା ଏବଂ ଏକାଧିକ ପ୍ଳଟ୍ ନେଇଥିବା ମାମଲାରେ ୯୨ ଜଣଙ୍କୁ ନୋଟିସ୍ କରିଥିଲେ ମଧ୍ୟ କାହାର ନାକଚ କରାଯାଇ ନାହିଁ। ୧୫ଟି ମାମଲା ରାଜ୍ୟ ଭିଜିଲାନ୍ସକୁ ଦିଆଯାଇଛି। ଭିଜିଲାନ୍ସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ତିନିଜଣ ବ୍ୟକ୍ତି ସେମାନଙ୍କ ପ୍ଲଟ୍ ଫେରାଇ ଦେବାପାଇଁ ଲେଖିଥିଲେ ମଧ୍ୟ ହାଉସିଂ ବୋର୍ଡ଼ ଉକ୍ତ ପ୍ଲଟ୍କୁ ନିଜ ଅକ୍ତିଆରକୁ ଆଣିନାହିଁ। ତଦନ୍ତକୁ ଘଣ୍ଟ ଘୋଡ଼ାଇବା ପାଇଁ ସବୁଠାରୁ ବେଶି ପ୍ରୟାସ କରିଛି ସାଧାରଣ ପ୍ରଶାସନ ବିଭାଗ। ଟାସ୍କ ଫୋର୍ସ ସୁପାରିଶ୍ ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ଏପର୍ଯ୍ୟନ୍ତ ୧୯୯୫ ପୂର୍ବବର୍ତ୍ତୀ ଜମି/ପ୍ଲଟ୍ ଆବଣ୍ଟନର ତାଲିକା ଏପର୍ଯ୍ୟନ୍ତ ପ୍ରସ୍ତୁତ କରିନାହିଁ। ଜମି ହଡ଼ପକାରୀଙ୍କୁ ସୁରକ୍ଷା ଦେବାପାଇଁ ସାଧାରଣ ପ୍ରଶାସନ ବିଭାଗ ଏହି ପଦକ୍ଷେପ ନେଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ସୂଚନା ଅଧିକାର ଆଇନ ବଳରେ ଏହି ବିଭାଗ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ୧୯୯୧-୯୨ରେ ଆବଣ୍ଟନ ହୋଇଥିବା ୩୦୦୦ ପ୍ଲଟ୍ର ତଥ୍ୟ ମଧ୍ୟ ଦେଉନାହିଁ। ତେଣୁ ଜମି ଦୁର୍ନୀତି ତଦନ୍ତକୁ ଯେତେ ପ୍ରକାରର ରଫାଦଫା କରାଯାଇପାରିବ ଏହାର ସମସ୍ତ ଷଡ଼ଯନ୍ତ୍ର ଏହି ବିଭାଗ କରିଚାଲିଛି। ଏହି ବିଭାଗ ଅଧୀନରେ ଥିବା ରାଜ୍ୟ ଭିଜିଲାନ୍ସ ମଧ୍ୟ କୌଣସି ଜମି ଦୁର୍ନୀତିର ତଦନ୍ତ ନ କରି ସମସ୍ତ ଫାଇଲ୍କୁ ଚାପି ଦେଇଛି। ସେହିପରି ଅର୍ଥ ବିଭାଗ ସମସ୍ତ ଜମି/ପ୍ଲଟ୍ ଆବଣ୍ଟନର ସ୍ୱତନ୍ତ୍ର ଅଡ଼ିଟ୍ କରି ୨୦୧୬ ମସିହାରେ ଦେଇଥିବା ରିପୋର୍ଟକୁ ସାଧାରଣ ପ୍ରଶାସନ ବିଭାଗ ଅଦ୍ୟାବଧି ପକାଇ ରଖିଛି। କିନ୍ତୁ ସର୍ବସାଧାରଣରେ ଲୋକଙ୍କୁ ଠକିବା ଏବଂ ରାଜ୍ୟ ସରକାରଙ୍କର ତପିରତା ଦେଖାଇବା ପାଇଁ ମଝିରେ ମଝିରେ ମୁଖ୍ୟ ଶାସନ ସଚିବ ବୈଠକ କରି ତଦନ୍ତର ଅଗ୍ରଗତିର ସମୀକ୍ଷା କରୁଛନ୍ତି। ସରକାରୀ ଷଡ଼ଯନ୍ତ୍ର ମଧ୍ୟରେ ଜମି ଦୁର୍ନୀତି ତଦନ୍ତକୁ ଚାପି ଦିଆଯାଇଛି। କାରଣ ଭୁବନେଶ୍ୱର ଏବଂ କଟକରେ ଜମି/ପ୍ଲଟ୍ ଆବଣ୍ଟନରେ ହୋଇଥିବା ଦୁର୍ନୀତି ସରକାରୀ ପ୍ରାୟୋଜିତ ଏବଂ ସରକାରୀ ପ୍ରୋତ୍ସାହନରେ ହୋଇଛି। ଶାସକ ଶ୍ରେଣୀର ମନ୍ତ୍ରୀ, ବିଧାୟକ, ଅଫିସର, ଉଚ୍ଚପଦସ୍ଥ ସରକାରୀ ଅଧିକାରୀ, ପ୍ରଭାବଶାଳୀ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରମୁଖ ଚଞ୍ଚକତା କରି ମିଥ୍ୟା ତଥ୍ୟ ଦେଇ ମୂଲ୍ୟବାନ ଜମି ଓ ଏକାଧିକ ପ୍ଲଟ୍ ହଡ଼ପ କରିଛନ୍ତି। ତେଣୁ ରାଜ୍ୟ ସରକାର ଏହି ହଡ଼ପକାରୀମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ନ କରିବା ପାଇଁ ପ୍ରକାରନ୍ତରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ଅଭିଯୋଗ ମଧ୍ୟ ହୋଇଛି। ତେଣୁ ରାଜ୍ୟର ଜମି ଦୁର୍ନୀତି ତଦନ୍ତ ପ୍ରହସନରେ ପରିଣତ ହୋଇଛି, ଏଥିରେ ସନ୍ଦେହ ନାହିଁ। ସେଥିପାଇଁ ସିଭିଲ୍ ସୋସାଇଟି ତରଫରୁ ଏହି ଜମି ଦୁର୍ନୀତିର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି ହୋଇଛି। ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ, ମୋ : ୯୯୩୭୮୪୩୪୮୨