ଓଡ଼ିଶାରେ ମୁକ୍ତ ଓ ଅବାଧ ନିର୍ବାଚନ ସମ୍ଭବ ନୁହେଁ!

ଓଡ଼ିଶାରେ ମୁକ୍ତ ଓ ଅବାଧ ନିର୍ବାଚନ ସମ୍ଭବ ନୁହେଁ!

Share :

ସ୍ବତନ୍ତ୍ର ପ୍ରତିନିଧି ପେଟ୍ରୋଲ ପମ୍ପ ଜରିଆରେ ଭାରତୀୟ ଜନତା ପାର୍ଟି ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବାର ସମ୍ଭାବନା ଅଛି ବୋଲି ଆଶଙ୍କା ପ୍ରକାଶ କରିଛି ଓଡ଼ିଶାର ଶାସକ ବିଜୁ ଜନତା ଦଳ। ବିଜେପୁର ଉପନିର୍ବାଚନ ସମୟରେ ଏପରି ହୋଇଥିଲା ବୋଲି ଦଳ ଅଭିଯୋଗ କରିଛି। ସେହିପରି ବିଜେପୁର ଉପନିର୍ବାଚନ ସମୟରେ ବିଜେପି କର୍ମୀମାନେ ହିଂସାକାଣ୍ଡ ସୃଷ୍ଟି କରିଥିଲେ ଓ ୨୦୧୯ ନିର୍ବାଚନରେ ମଧ୍ୟ ଏପରି ହେବାର ଆଶଙ୍କା ରହିଛି ବୋଲି ବିଜୁ ଜନତା ଦଳର ପ୍ରତିନିଧି ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନିର୍ବାଚନ କମିଶନଙ୍କୁ ସତର୍କ କରାଇ ଦେଇଛନ୍ତି। ଏଭଳି ହେଲେ ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ ସମ୍ଭବ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି। ଅଡିଟରରୁ ନେତା ସାଜିଥିବା ଅମର ପଟ୍ଟନାୟକ ଓ ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର ଯେଉଁ ଆଶଙ୍କା ପ୍ରକାଶ କରିଛନ୍ତି ତାହା ଅମୂଳକ ହୋଇ ନଥାଇପାରେ। ତେବେ ନିର୍ବାଚନ ସମୟରେ କ’ଣ କେବଳ ପେଟ୍ରୋଲ ପମ୍ପରୁ ଟଙ୍କା ବଣ୍ଟାଯାଏ? ଗହଣା ଦୋକାନ, ମଦ ଦୋକାନ, ଲୁଗା ଦୋକାନ, ଡିଲର ଦୋକାନ, ହୋଟେଲ ଓ ଢାବା ଇତ୍ୟାଦିରୁ ଟଙ୍କା ବଣ୍ଟାଯାଏ ନାହିଁ? ୨୦୦୧୪ ନିର୍ବାଚନ ସମୟରେ ଆମ୍ବୁଲାନ୍ସ ଓ ପିସିଆର ଗାଡ଼ି ଜରିଆରେ ଟଙ୍କା ବଣ୍ଟା ଯାଇଥିବା କଥା ଏ ରାଜ୍ୟରେ ଧରା ପଡ଼ିଛି। ତତ୍କାଳୀନ ପୁଲିସ ଡିଜି ପ୍ରକାଶ ମିଶ୍ର ସେଭଳି ଟଙ୍କାବଣ୍ଟନ ଧରିବାରୁ ତାଙ୍କୁ ତୁରନ୍ତ ବଦଳି କରାଯାଇଥିଲା ଓ ପରେ ତାଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ନଦେବା ପାଇଁ ବିନା କୌଣସି ତଥ୍ୟ ପ୍ରମାଣରେ ଭିଜିଲାନ୍ସ ମାମଲା ଦାଏର ହୋଇଥିଲା। ତାଙ୍କ କ୍ଷେତ୍ରରେ ଶାସକ ଦଳର ରାଜନୀତିକ ଉଦ୍ଦେଶ୍ୟ ପୂରଣ କରିବାରେ ସହାୟକ ହୋଇଥିଲେ ପୁଲିସ ବିଭାଗର କେତେ ଜଣ ଉଚ୍ଚ ପଦସ୍ଥ ଅଧିକାରୀ ଯେଉଁମାନେ ପରେ ସରକାରୀ ଅନୁକମ୍ପା ଲାଭ କରି ପଦୋନ୍ନତି ପାଇଥିଲେ। ପଂଚାୟତ ଅଧିକାରୀ, ବ୍ଲକ କର୍ମଚାରୀ, ପୁଲିସ, ରାଜସ୍ବ ବିଭାଗର କର୍ମଚାରୀ, ସାଧାରଣ ବଣ୍ଟନ ବିଭାଗର ଅଧିକାରୀ, ଶିକ୍ଷକ, ଠିକାଦାରଙ୍କ ଜରିଆରେ ନିର୍ବାଚନକୁ ପ୍ରଭାବିତ କରାଯାଏ ନାହିଁ କି? ଏସବୁ ସଂସ୍ଥା ଓ କର୍ମଚାରୀ କାହା ଅଧୀନରେ କାମ କରନ୍ତି? କେନ୍ଦ୍ର ସରକାର ନା ରାଜ୍ୟ ସରକାର? କିଏ ସେମାନଙ୍କୁ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କରିବାକୁ ତାଗିଦ କରିବା କଥା? କାହା ଯୋଗୁଁ ସେମାନ ନୀତିଭ୍ରଷ୍ଟ ହୋଇ ଶାସକ ଦଳର ସେବା କରିଥାନ୍ତି? ଶାସକଦଳ କୁ ଭୋଟ ନଦେଲେ ତୁମ ରାସନ କାର୍ଡ଼ କଟିଯିବ ବୋଲି କିଏ ଧମକ୍‌ ଦେଇପାରେ? ଶାସକ ଦଳକୁ ଭୋଟ ନଦେଲେ ତୁମ ଜମି ପଟ୍ଟା ଦିଆଯିବନି ବୋଲି କିଏ ଧମକ୍‌ ଦେଇପାରେ? ଶାସକ ଦଳକୁ ଭୋଟ ଦେବା ପାଇଁ ଯେଉଁ ଠିକାଦାରମାନେ ଗାଁରେ ଭୋଜିଭାତ ଆୟୋଜନ କରନ୍ତି ସେମାନେ କେଉଁ ସରକାର ଅଧୀନରେ ଠିକା କାମ ପାଇଥାନ୍ତି? ଯେଉଁ ନିର୍ବାଚିତ ପ୍ରତିନିଧିମାନେ ଶାସକ ଦଳ ପାଇଁ ନିର୍ବାଚନ ପ୍ରଚାର ଓ ପରିଚାଳନା ସହ ସଂପୃକ୍ତ ଥାନ୍ତି ସେମାନେ ଯେଉଁ ଟଙ୍କା ଖର୍ଚ୍ଚ କରନ୍ତି ଓ ବାଣ୍ଟନ୍ତି ତାହା କେଉଁ ସୂତ୍ରରୁ ଆସିଥାଏ? ଏସବୁ କ’ଣ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନାରେ ସହାୟକ ହୋଇଥାଏ? ଜିଲ୍ଲାପାଳ ଓ ଏସ୍‌ପିମାନେ ଓଡ଼ିଶାରେ ଶାସକ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରନ୍ତି ବୋଲି ଅନେକ ସମୟରେ ଅଭିଯୋଗ ହୋଇଛି। ଅତୀତରେ ଅନୁଗୁଳ ପୌର ନିର୍ବାଚନ ସମୟରେ ଶାସକ ବିଜେଡି ପ୍ରାର୍ଥୀଙ୍କ ତାଲିକା ତୃତୀୟ ମହଲାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବାର ନଜୀର ରହିଛି। ଜିଲ୍ଲା, ବ୍ଲକ ଓ ପଂଚାୟତ ପ୍ରଶାସନ ଯଦି ଶାସକ ଦଳ ସପକ୍ଷରେ କାମ କରେ ତେବେ ଓଡ଼ିଶାରେ ମୁକ୍ତ ଓ ଅବାଧ ନିର୍ବାଚନ ସମ୍ଭବ କି? ନିକଟରେ ଭାରତୀୟ ନିର୍ବାଚନ କମିଶନର ଅଶୋକ ଲବାସାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆସି ଓଡ଼ିଶାର ନିର୍ବାଚନୀ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ। ଏହି ସମୟରେ ପ୍ରତିନିଧି ଦଳକୁ ଭେଟି ବିଜେଡି, ବିଜେପି ଓ କଂଗ୍ରେସ ନେତାମାନେ ଅନେକ ଆଶଙ୍କା ଓ ଅଭିଯୋଗ ବ୍ୟକ୍ତ କରିଥିଲେ। ଶାସକ ଦଳ ସରକାରୀ ଅଫିସରଙ୍କୁ ବ୍ୟବହାର କରି ନିର୍ବାଚନ ଜିତିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଅଭିଯୋଗ କରିଥିଲେ। ଏହି ଦଳର ଅଭିଯୋଗ ଅନୁସାରେ ବିଜେଡିକୁ ନିର୍ବାଚନ ହାରିଯିବା ଭୟ ଘାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିୟାନ ନିର୍ବାଚନ ଜିତିବା ପାଇଁ ସରକାରୀ ଅଫିସରମାନଙ୍କୁ ଶାସକ ଦଳ ସପକ୍ଷରେ ବ୍ୟବହାର କରୁଛନ୍ତି। ଭିକେ ପାଣ୍ଡିୟାନ ନେତୃତ୍ୱରେ ସରକାରୀ ଦଳ ପାଇଁ କାମ କରୁଥିବା ୧୦ରୁ ଅଧିକ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ବାଚନ ବେଳେ ସରକାରୀ କାମରୁ ଅବ୍ୟାହତି ଦେଇ କଡ଼ା ନଜରରେ ରଖିବାକୁ ଦାବି କରିଛି ଭାରତୀୟ ଜନତା ପାର୍ଟି। ଡିଏସ କୁଟେ, ରୂପା ରୋଶନ ସାହୁ, ଆଶିଷ ସିଂହ, ଗୋପବନ୍ଧୁ ଦାସ, ସାର୍ଥକ ବର୍ମା, ବିଶାଲ ଦେବ, ପ୍ରେମଚନ୍ଦ ଚୌଧୁରି, କିଷନ କୁମାର, ହେମନ୍ତ ଶର୍ମା ଏବଂ ନଳିନି କାନ୍ତ ପ୍ରଧାନଙ୍କ ଭଳି ସର୍ବଭାରତୀୟ ପ୍ରଶାସନିକ ଓ ସର୍ବଭାରତୀୟ ପୋଲିସ ଅଧିକାରୀମାନେ ଶାସକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ମଧ୍ୟ ଅଭିଯୋଗ କରିଛନ୍ତି ଦଳର ମୁଖପାତ୍ର ପିତାମ୍ୱର ଆଚାର୍ଯ୍ୟ। ସେହିପରି ପୂର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନଙ୍କ ଚାକିରି ୨୦୧୮ ମାର୍ଚ୍ଚ ମାସରେ ଶେଷ ହୋଇଥିଲେ ମଧ୍ୟ କେବଳ ଦଳୀୟ ପାଣ୍ଠି ସଂଗ୍ରହ କରିବା ପାଇଁ ତାଙ୍କୁ ଅବସର ଦିଆ ନଯାଇ ତାଙ୍କ ଚାକିରି ଆଉ ଗୋଟିଏ ବର୍ଷ ବଢାଯାଇଛି। ହେମନ୍ତ ଶର୍ମା, ବିଶାଲ ଦେବ ଓ ନଳିନି କାନ୍ତ ପ୍ରଧାନ ବିଜୁ ଜନତା ଦଳ ପାଇଁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ଅଛି। ଭିକେ ପାଣ୍ଡିୟାନଙ୍କର ସମ୍ପୃକ୍ତି ଚିଟ ଫଣ୍ଡ ଦୁର୍ନୀତିରେ ଅଛି। ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରି ସୁରେନ୍ଦ୍ର କୁମାର ମଧ୍ୟ ବିଜେପୁର ଉପନିର୍ବାଚନବେଳେ ଶାସକ ବିଜୁନ ଜନତା ଦଳକୁ ଖୋଲାଖୋଲି ସମର୍ଥନ କରୁଥିଲେ। ସେହିଭଳି ଦୁର୍ନୀତିଖୋର ଅଫିସରମାନେ ରହିଲେ ଅବାଧ ନିର୍ବାଚନ ପରିଚାଳନା ଅସମ୍ଭବ ବୋଲି ବିଜେପି ପ୍ରତିନିଧି ଦଳ ଆଶଙ୍କା ବ୍ୟକ୍ତ କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ବରେ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ସମାନ ପ୍ରକାର ଆଶଙ୍କା ବ୍ୟକ୍ତ କରିଛନ୍ତି। କଂଗ୍ରେସ ଅଭିଯୋଗ ଅନୁସାରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଶାସକ ଦଳ ପାଇଁ ପ୍ରଶାସନ କାର୍ଯ୍ୟ କରୁଛି। ଉଭୟ ଦଳ ଅର୍ଥ ବଳ ଓ ଶାସନ କଳ ପ୍ରୟୋଗ କରି ପରିଣାମ ହଡ଼ପ କରିବାକୁ ଉଦ୍ୟମ କରିବେ ବୋଲି ଆଶଙ୍କା ବ୍ୟକ୍ତି କରିଛି କଂଗ୍ରେସ। ସିପିଆଇ, ସିପିଏମ ଆଦି ଅନ୍ୟ ଛୋଟଛୋଟ ଦଳଗୁଡ଼ିକ ମଧ୍ୟ ଏପରି ଆଶଙ୍କା ପ୍ରକାଶ କରିଛନ୍ତି। ରାଜ୍ୟର ପ୍ରମୁଖ ଦଳଗୁଡ଼ିକ ଏଭଳି ଆଶଙ୍କା କରୁଥିବାରୁ ସ୍ବାଭାବିକ ଭାବେ ଓଡ଼ିଶାରେ ମୁକ୍ତ ଓ ଅବାଧ ନିର୍ବାଚନ ସମ୍ଭବ ନୁହେଁ ବୋଲି କୁହାଯାଇ ପାରେ। କାରଣ ନିର୍ବାଚନ କମିଶନ ନିର୍ବାଚନ ପରିଚାଳନା କରୁଥିଲେ ବି ବାସ୍ତବରେ ନିର୍ବାଚନ କମିଶନଙ୍କର ନିର୍ବାଚନ ପରିଚାଳନା ପାଇଁ କୌଣସି କର୍ମଚାରୀ ନଥାନ୍ତି। ରାଜ୍ୟ ନିର୍ବାଚନ ମୁଖ୍ୟତଃ ରାଜ୍ୟ କର୍ମଚାରୀମାନେ ହିଁ ପରିଚାଳନା କରିଥାନ୍ତି। ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ଆଦେଶ ଓ ନିର୍ଦ୍ଦେଶର ଗୁରୁତ୍ବ ରହିଥାଏ। ମାତ୍ର ନିର୍ବାଚନ ପରେ ସେମାନେ ପୁଣି ରାଜ୍ୟ ସରକାରଙ୍କ କର୍ମଚାରୀ ଭାବେ କାର୍ଯ୍ୟ କରିଥାନ୍ତି। ରାଜ୍ୟ ଶାସକ ଦଳର ଇଚ୍ଛା ମୁତାବକ ଯଦି କୌଣସି ରାଜ୍ୟ କର୍ମଚାରୀ ସହାୟତା ନକରେ ତେବେ ନିର୍ବାଚନ ପରେ ତାଙ୍କୁ ବିଭିନ୍ନ ବାଟରେ ହଇରାଣ ହରକତ ହେବାକୁ ପଡ଼ିଥାଏ। ସରକାର ଏଭଳି ଅମାନିଆ ଅଫିସର ଓ କର୍ମଚାରୀମାନଙ୍କୁ ବଦଳି କରିପାରନ୍ତି, ପ୍ରକାଶ ମିଶ୍ରଙ୍କ ବିରୋଧରେ ଭିଜିଲାନ୍ସ ମାମଲା କଲା ଭଳି ପଦକ୍ଷେପ ନେଇପାରନ୍ତି, ଗୁରୁତ୍ବହୀନ ପଦରେ ବସେଇଦେଇପାରନ୍ତି। କିଛି ନହେଲେ ଗୁଣ୍ଡା ଲଗେଇ ଧମକଚମକ୍ ଦେଇପାରନ୍ତି। ନିର୍ବାଚନ ସମୟରେ ଆଇଏଏସ, ଆଇପିଏସ ଓ ଆଇଏଫଏସ ଅଫିସରଙ୍କ ଭଳି ରାଜ୍ୟ ସରକାରରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ଅଧିକାରୀ ଓ ରାଜ୍ୟ ପ୍ରଶାସନର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଯଦି ଶାସକ ଦଳ ସପକ୍ଷରେ କାର୍ଯ୍ୟ କରନ୍ତି ତେବେ ମୁକ୍ତ ଓ ନିର୍ବାଚନ ଆଦୌ ସମ୍ଭବ ନୁହେଁ। ରାଜ୍ୟ ସରକାର ପୁଲିସ ଲଗାଇ ପେଟ୍ରୋଲ ପମ୍ପର ଟଙ୍କାବଣ୍ଟା ଭଣ୍ଡୁର କରିପାରନ୍ତି। କିନ୍ତୁ ପିସିଆରି ଭ୍ୟାନରେ ଯେଉଁ ଟଙ୍କା ବଣ୍ଟାଯାଏ ତାହାକୁ କିଏ ରୋକିବ? ସେଥିପାଇଁ ନିର୍ବାଚନ କମିଶନଙ୍କୁ କେତେ କେନ୍ଦ୍ରୀୟ ପୁଲିସ ବଳ ବା ସେନା ବାହିନୀକୁ ମୁତୟନ କରିବାକୁ ପଡ଼ିବ? ତାହା ସମ୍ଭବ କି? ପ୍ରତି ଗାଁରେ ଡିଲର। ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକମାନ କ’ଣ ଗାଁ ଗାଁ ବୁଲିବେ? ତାହା ପୁଣି ସବୁଦିନ ଓ ସବୁରାତି? ଓଡ଼ିଶାରେ ଶାସକ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଅକ୍ଟୋବର ମାସରୁ ୫ ମାସ ହେଲାଣି ରାଜ୍ୟରେ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଲେଣି। ତାଙ୍କ ଦଳର ନିର୍ବାଚନ ପ୍ରକ୍ରିୟାରେ ସେ ଅଙ୍ଗନବାଡ଼ି କର୍ମୀ, କନଷ୍ଟେବଳ ହାବିଲଦାର ପ୍ରମୁଖ ପୁଲିସ କର୍ମଚାରୀ, ଅନେକ ବର୍ଗର ଶିକ୍ଷକ ଓ ଅଧ୍ୟାପକ, ଆଶା କର୍ମୀମାନଙ୍କୁ ସାମଲି କରିସାରିଛନ୍ତି। ସରକାରୀ ଅର୍ଥରେ ସବୁଜ ରଙ୍ଗ ଓ ଶଙ୍ଖ ଚିହ୍ନର ପ୍ରଚାର ହୋଇସାରିଛି। ପିଠା ଓ କାଳିଆ ଆଦି କାର୍ଯ୍ୟକ୍ରମ ଜରିଆରେ ନିର୍ବାଚନ ପୂର୍ବରୁ ଆଗୁଆ ଟଙ୍କା ବଣ୍ଟନ ହୋଇସାରିଛି। ମିଶନ ଶକ୍ତି ଜରିଆରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମଧ୍ୟ ଟଙ୍କ ଦିଆସରିଛି। ନିର୍ବାଚନ ପ୍ରକ୍ରିୟାଟି କେବଳ ନିର୍ବାଚନ ଘୋଷଣା ପରଠୁଁ ଆରମ୍ଭ ହୁଏ ନାହିଁ। ଏହି ଘୋଷଣାର ୩-୪ ମାସ ପୂର୍ବରୁ ମଧ୍ୟ ରାଜନେତାମାନେ ତାହା ଜାଣିଥାନ୍ତି ଓ ପ୍ରୟୋଜନ ଅନୁସାରେ ପାଣ୍ଠି ଓ ପ୍ରଶାସନକୁ ନିୟୋଜନ କରିସାରିଥାନ୍ତି। ଓଡ଼ିଶାରେ ଏହା ଏକ ଅଭ୍ୟାସରେ ପରିଣତ ହୋଇସାରିଛି।

Share :