ଓଡ଼ିଶାରେ ବିଜେଡି ବିରୋଧୀ ମେଣ୍ଟ ସମ୍ଭବ କି?

ଓଡ଼ିଶାରେ ବିଜେଡି ବିରୋଧୀ ମେଣ୍ଟ ସମ୍ଭବ କି?

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଶାସକ ବିଜୁ ଜନତା ଦଳକୁ ପରାସ୍ତ କରିବା ପାଇଁ କଂଗ୍ରେସ ଦଳ ଏକ ଅଣବିଜେଡି ଅଣବିଜେପି ରାଜନୀତିକ ମେଣ୍ଟ ଗଠନ କରିବ। ଏଭଳି ଏକ ମେଣ୍ଟ ନେଇ ଆଲୋଚନା ଚାଲିଛି ବୋଲି ସୂଚନା ଦେଇଛନ୍ତି ନିଜେ ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ। ବିଜେଡି ଓ ବିଜେପି ବିରୋଧୀ ମେଣ୍ଟ ନେଇ ସିପିଆଇ, ସିପିଏମ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସମେତ ଆମ ଆଦମୀ ପାର୍ଟି ଓ ଅନ୍ୟ କେତେକ ଛୋଟ ଦଳ ସହିତ ଆଲୋଚନା ଚାଲିଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ଏଭଳି ଏକ ମେଣ୍ଡ ହେଲେ କଂଗ୍ରେସକୁ ଅତିକମରେ ୬ଟି ଲୋକସଭା ଆସନ ଏବଂ ୪୦ ଉପରେ ବିଧାନସଭା ଆସନ ଛାଡ଼ିବାକୁ ଥିବାରୁ ମେଣ୍ଟ ସମ୍ଭାବନା ନେଇ ଅନିଶ୍ଚିତତା ଲାଗି ରହିଛି। ରାଜ୍ୟରେ ଶାସକ ବିଜେଡି ଓ କେନ୍ଦ୍ରରେ ଶାସକ ବିଜେପି ବିରୋଧରେ ଲଢ଼େଇ କରିବାକୁ କଂଗ୍ରେସ ଓଡ଼ିଶାରେ ଏକ ପ୍ରାକ୍‌ ନିର୍ବାଚନୀ ମେଣ୍ଟ କରିବାକୁ ଆଲୋଚନା ଆରମ୍ଭ କରିଛି। ଦୀର୍ଘ ଦୁଇ ଦଶନ୍ଧି ଧରି କଂଗ୍ରେସ ଓଡ଼ିଶାରେ କ୍ଷମତା ବାହାରେ ରହି ସାଙ୍ଗଠନିକ ସ୍ତରରେ ଅନେକଟା ଦୁର୍ବଳ ହୋଇଯାଇଛି। ଗଲା କେତେ ବର୍ଷ ଭିତରେ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା, ଭୂପିନ୍ଦର ସିଂହ, ନବ ଦାସ, ରୋହିତ ପୂଜାରୀ, ଅନୂପ ସାଏ, ସୌମ୍ୟରଂଜନ ପଟ୍ଟନାୟକ ପ୍ରମୁଖ ବହୁ ତୁଙ୍ଗ ନେତା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଛନ୍ତି। ସେମାନଙ୍କ ସହିତ ଦଳର ଅନେକ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସର ତତ୍କାଳନୀ କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭାଇ ଓ ଝିଅ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ପ୍ରମୁଖ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ଏବେ ଓଡ଼ିଶାରେ କଂଗ୍ରେସର ଯାହା ସ୍ଥିତି ସେଥିରେ ଦଳ ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନରେ ଉପଯୁକ୍ତ ପ୍ରାର୍ଥୀ ଦେବା ଅବସ୍ଥାରେ ନାହିଁ। ତେଣୁ ସବୁ ଆସନରେ ଶାସକ ଦଳ ବିରୋଧରେ ଲଢ଼ିବା ପାଇଁ ରାଜନୀତିକ ସାଥୀ ଖୋଜୁଛି ଦଳ। ଏହି ପ୍ରକ୍ରିୟାରେ ସିପିଆଇ, ସିପିଏମ, ଜେଏମଏମ ଏବଂ ଅନ୍ୟ କେତେକ ଛୋଟଛୋଟ ଦଳ ସହିତ କଂଗ୍ରେସ ନେତାମାନେ ଆଲୋଚନା ଆରମ୍ଭ କରିଛନ୍ତି। ଏସବୁ ଦଳ ବ୍ୟତିତ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ସହିତ ମଧ୍ୟ କଂଗ୍ରେସ ଆସନ ବୁଝାମଣା କରିବାର ସମ୍ଭାବନା ରହିଛି। ଏବେ ଓଡ଼ିଶାରେ କଂଗ୍ରେସର ଯାହା ସ୍ଥିତି ସେଥିରେ ଦଳ ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ଓ ୧୪୭ ବିଧାନସଭା ଆସନରେ ଉପଯୁକ୍ତ ପ୍ରାର୍ଥୀ ଦେବା ଅବସ୍ଥାରେ ନାହିଁ। ତେଣୁ ସବୁ ଆସନରେ ଶାସକ ଦଳ ବିରୋଧରେ ଲଢ଼ିବା ପାଇଁ ରାଜନୀତିକ ସାଥୀ ଖୋଜୁଛି ଦଳ। ଏହି ପ୍ରକ୍ରିୟାରେ ସିପିଆଇ, ସିପିଏମ, ଜେଏମଏମ ଏବଂ ଅନ୍ୟ କେତେକ ଛୋଟଛୋଟ ଦଳ ସହିତ କଂଗ୍ରେସ ନେତାମାନେ ଆଲୋଚନା ଆରମ୍ଭ କରିଛନ୍ତି। ଏସବୁ ଦଳ ବ୍ୟତିତ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଆମ୍‌ ଆଦମୀ ପାର୍ଟି ସହିତ ମଧ୍ୟ କଂଗ୍ରେସ ଆସନ ବୁଝାମଣା କରିବାର ସମ୍ଭାବନା ରହିଛି। ଏହି ଦଳଗୁଡ଼ିକର ଦାବି ଆଗରେ ଯଦି କଂଗ୍ରେସର ରାଜ୍ୟ ସ୍ତରୀୟ ନେତୃତ୍ବ ମୁଣ୍ଡ ନୂଆଁନ୍ତି ତେବେ ଅତି କମ୍‌ରେ ୬ ଲୋକସଭା ଓ ୪୦ ବିଧାନସଭା ଆସନ ଛାଡ଼ିବାକୁ ପଡ଼ିବ। ସେ ସ୍ଥଳେ କଂଗ୍ରେସ ୧୫ ଲୋକସଭା ଆସନ ଓ ୧୦୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବ। କିନ୍ତୁ ଯେଉଁ ଆସନଗୁଡ଼ିକ ଦଳ ଛାଡ଼ିବାକୁ ରାଜି ହେବ ସେସବୁ ଆସନରେ ଆଶାୟୀ ଥିବା କଂଗ୍ରେସ ପ୍ରାର୍ଥୀମାନେ କ’ଣ କରିବେ ତା’ ଉପରେ ଅନେକ କଥା ନିର୍ଭର କରେ। ସେମାନେ ଯଦି ଦଳୀୟ ନିଷ୍ପତ୍ତିରେ ସହମତ ନହୁଅନ୍ତି ତେବେ ନିର୍ବାଚନ ପୂର୍ବରୁ ଦଳତ୍ୟାଗ କରି ବିଜେଡି କିମ୍ବା ବିଜେପିରେ ସାମିଲ ହୋଇପାରନ୍ତି ବା ନିର୍ବାଚନ ସମୟରେ ଅନ୍ତର୍ଘାତୀ କାର୍ଯ୍ୟ କରିପାରନ୍ତି। ପ୍ରଦେଶ କଂଗ୍ରେସରେ ଏଭଳି ଏକ ସ୍ଥିତି ସୃଷ୍ଟି କରିବା ପାଇଁ ଶାସକ ବିଜୁ ଜନତା ଦଳର ନେତାମାନେ ସବୁବେଳେ ତୟାର। ସେମାନେ ବଢ଼େଇଥିବା ପ୍ରଲୋଭନର ଥଳି ଆଗରେ ସୌମ୍ୟରଂଜନ ପଟ୍ଟନାୟକ, ନବ କିଶୋର ଦାସ, ଚନ୍ଦ୍ରଶେଖର ସାହୁଙ୍କ ପରି ନେତାମାନେ ଆଣ୍ଠୁମାଡ଼ି ବସି ସାରିଛନ୍ତି। ଦଳୀୟ ଟିକେଟ ନପାଇ ଯେଉଁମାନେ ଅସନ୍ତୁଷ୍ଟ ହେବେ ସେମାନଙ୍କୁ ମଧ୍ୟ ବିଜେଡି ଥଳି ମିଳିବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ ଓଡ଼ିଶାରେ ଶାସକ ବିଜେଡିକୁ ମାତ୍‌ ଦେବା ପାଇଁ ଭାରତୀୟ ଜନତା ପାର୍ଟି ଛୋଟଛୋଟ ଦଳଙ୍କୁ ନେଇ ମେଣ୍ଟ ଗଠନ କରିବାର ସମ୍ଭାବନା କ୍ରମେ ମଉଳି ଯିବାକୁ ବସିଲାଣି। କେଇ ମାସ ତଳେ ଏଭଳି ଏକ ସଂକେତ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ ଯେ ରାଜ୍ୟରୁ ଦୁର୍ନୀତି ଓ ଅପାରଗତାର ଶାସନ ହଟେଇବା ପାଇଁ ଭାରତୀୟ ଜନତା ପାର୍ଟି ଛୋଟଛୋଟ ଦଳଙ୍କ ସହିତ ମିଶି ଲଢ଼େଇ କରିବ। କିନ୍ତୁ ଏ ଦିଗରେ ଏଯାଏଁ ଦଳ ତରଫରୁ କୌଣସି ବିଶ୍ବାସଯୋଗ୍ୟ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଦେଶ ଓ ରାଜ୍ୟର ସାଂପ୍ରତିକ ରାଜନୀତିକ ବାସ୍ତବତା ଯାହା ସେଥିରେ କଂଗ୍ରେସ ସହିତ ମେଣ୍ଟ ବାନ୍ଧିବାକୁ ଉଦ୍ୟମ କରୁଥିବା ଦଳଗୁଡ଼ିକ ବିଜେପି ସହିତ ରହିବେ ନାହିଁ। ଓଡ଼ିଶା ରାଜନୀତିରେ କଂଗ୍ରେସ ସହିତ ଯିବାକୁ ଚାହୁଁଥିବା ଦଳଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ଯେଉଁ କେତେଟା ଦଳ ରହିଲେ ସେମାନଙ୍କର ରାଜନୀତିକ ଓ ସାଙ୍ଗଠନିକ ସ୍ଥିତି ଏତେ ମଜବୁତ ନୁହେଁ। ବିଜେପିର ରାଜ୍ୟ ନେତୃତ୍ବ ଯଦି ଚାହିଁବେ ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀଙ୍କର ସମତା କ୍ରାନ୍ତି ଓ ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ପାର୍ଟିକୁ ନେଇ ଗଠିତ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ସହିତ ଆସନ ବୁଝାମଣା କରିପାରନ୍ତି। ସେହିପରି ବିଜେଡିରୁ ବହିଷ୍କୃତ ବୈଜୟନ୍ତ ପଣ୍ଡା ଏବଂ ଡାକ୍ତର ଦାମୋଦର ରାଉତଙ୍କ ସହିତ ବ୍ୟକ୍ତିଗତ ଭିତ୍ତିରେ ବିଜେପି ବୁଝାମଣା କରିପାରନ୍ତି। ପୁରୀରେ ବ୍ରଜ କିଶୋର ତ୍ରିପାଠୀ, ବାଲେଶ୍ବରରେ ଖାରବେଳ ସ୍ବାଇଁ, ଜଗତସିଂହପୁରରେ ଡାକ୍ତର ଦାମୋଦର ରାଉତ ଓ କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କର ପ୍ରଭାବ ରହିଛି। ଓଡ଼ିଶାରେ ଶାସକ ବିଜୁ ଜନତା ଦଳକୁ ପରାସ୍ତ କରିବାକୁ ହେଲେ ଉପକୂଳ ଓଡ଼ିଶାରେ ଏହାର ଗଡ଼ ଭାଙ୍ଗିବାକୁ ପଡ଼ିବ। କାରଣ ଏହି ଅଂଚଳର ସଂଖ୍ୟାଧିକ ଲୋକସଭା ଓ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀମାନେ କ୍ରମାଗତ ଭାବେ ଜିତି ଆସୁଛନ୍ତି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଭୁବନେଶ୍ବର, ଢେଙ୍କାନାଳ, ବ୍ରହ୍ମପୁର ଓ ଆସ୍କା ଆଦି ୧୧ ଲୋକସଭା ଆସନ ଓ ଏସବୁ ଆସନ ଅନ୍ତର୍ଗତ ୭୭ ବିଧାସଭା ଆସନରେ ହିଁ ବିଜେଡିର ପ୍ରଭାବ ପ୍ରାୟତଃ ଅତୁଟ ରହିଛି। ୨୦୧୪ ନିର୍ବାଚନରେ ଏ ସମସ୍ତ ଲୋକସଭା ଆସନ ବିଜେଡି ଖାତାରେ ପଡ଼ିଥିଲା। ସେହିପରି ଏହି ୭୭ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀମାନେ ୭୦ ଉପରେ ଅକ୍ତିଆର କରିଥିଲେ। ରେମୁଣା ଓ ଚିଲିକା ବିଜେପି ଭାଗରେ ପଡ଼ିଥିବାବେଳେ ଆଳି, ରାଜନଗର, ସାଲେପୁର ଓ ଜଗତସିଂହପୁରରେ କଂଗ୍ରେସ ପ୍ରାର୍ଥୀମାନେ ଜିତିଥିଲେ। ସତ୍ୟବାଦୀରେ ବିଜେଡି ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଲା ପରେ ବିଜେଡିରେ ମିଶିଯାଇଥିଲେ। ତେଣୁ ଏହି ଅଂଚଳରେ ବିଜେଡି ପରାସ୍ତ ନହେଲେ ରାଜ୍ୟର ଏହାର ଶାସନ ଓ ଦୁର୍ଗ ଅତୁଟ ରହିବା ନିଶ୍ଚିତ। ଏହି ଅଂଚଳରେ ଦଳକୁ ପରାଭବ ଦେବାକୁ ହେଲେ ଉଭୟ କଂଗ୍ରେସ ଓ ବିଜେପିକୁ ସେହି ଅନୁସାରେ ରଣକୌଶଳ ସ୍ଥିର କରିବାକୁ ପଡ଼ିବ। ଏହି ଅଂଚଳର ବିଜେଡି ଅସନ୍ତୁଷ୍ଟମାନଙ୍କୁ ନିଜ ଦଳକୁ ଆକର୍ଷିତ କରିପାରିଲେ ଏବଂ ସେମାନଙ୍କ ଜରିଆରେ ବିଜେଡି ଭୋଟ ଭିତ୍ତିକୁ ଭାଗଭାଗ କରାଗଲେ କଂଗ୍ରେସ ଓ ବିଜେପି କିଛି କିଛି ଫାଇଦା ପାଇପାରନ୍ତି। ୨୦୧୪ ନିର୍ବାଚନରେ ରାଜ୍ୟର ଅନ୍ୟ ୧୦ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୭୦ ବିଧାନସଭା ଆସନ ମଧ୍ୟରୁ ପଶ୍ଚିମ ଓଡ଼ିଶାରେ ବିଜେପି ଓ ଦକ୍ଷିଣ ଓଡ଼ିଶାରେ କଂଗ୍ରେସ କିଛିଟା ଭଲ ପରିଣାମ କରିଥିଲେ। ବିଜେପି ସୁନ୍ଦରଗଡ଼ ଲୋକସଭା ଆସନ ସମେତ ରାଉରକେଲା, ବ୍ରଜରାଜନଗର, ପଦ୍ମପୁର ଆଦି କେତେକ ବିଧାନସଭା ଆସନ ଜିତିବାରେ ସକ୍ଷମ ହୋଇଥିଲା। ସେହିପରି କଂଗ୍ରେସ କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ ଗଜପତି ଆଦି ଜିଲ୍ଲାରେ କେତେକ ବିଧାନସଭା ଆସନ ଜିତିଥିଲା। ସଂପ୍ରତି ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଠିତ ହେବା ପରେ ତାହା ପ୍ରଭାବରେ ସୀମାନ୍ତବର୍ତ୍ତୀ ଓଡ଼ିଶା ଜିଲ୍ଲାଗୁଡ଼ିକରେ କଂଗ୍ରେସ କିଛିଟା ଭଲ କରିବ ବୋଲି ଆଶା କରାଯାଉଛି। ତେବେ ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅତୁଟ ରହିଥିବାବେଳେ ଓଡ଼ିଶାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବୃଦ୍ଧି ଦଳକୁ କିଛିଟା ଫାଇଦା ଦେବାର ମଧ୍ୟ ସମ୍ଭାବନା ଅଛି।

Share :