ଗୋଟିଏ ମୁଖ୍ୟମନ୍ତ୍ରୀ-କୋଟିଏ ବେକାର

ଗୋଟିଏ ମୁଖ୍ୟମନ୍ତ୍ରୀ-କୋଟିଏ ବେକାର

Share :

ସ୍ପତନ୍ତ୍ର ପ୍ରତିନିଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଦଶନ୍ଧିର ଶାସନ କାଳ ମଧ୍ୟରେ ଆବଶ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଇନାହିଁ। ସେଥିପାଇଁ ଓଡ଼ିଶାର ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଉଚ୍ଚଶିକ୍ଷିତମାନେ ସବୁଠାରୁ ଅଧିକ ସଂଖ୍ୟାରେ ବେକାର ହୋଇ ବସିରହିଛନ୍ତି, ଚାକିରୀ ଆଶାୟୀମାନେ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି। ଅର୍ଦ୍ଧଶିକ୍ଷିତ ଓ ଅଶିକ୍ଷିତ ବେକାରଙ୍କ ସଂଖ୍ୟା ହିସାବକୁ ନେଲେ ରାଜ୍ୟର ବେକାରଙ୍କ ସଂଖ୍ୟା ବର୍ତ୍ତମାନ ୧ କୋଟିରୁ ଅଧିକ ହେବ। ଓଡ଼ିଶାର ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବାରେ ରାଜ୍ୟ ସରକାରଙ୍କର ଏହି ବିଫଳତାକୁ ଉଭୟ କଂଗ୍ରେସ ଓ ବିଜେପି ତୀବ୍ର ସମାଲୋଚନା କରିଛନ୍ତି। ନବୀନ ପଟ୍ଟନାୟକ ସରକାରଙ୍କ ଅପାରଗତା ପାଇଁ ଓଡ଼ିଆ ପିଲାମାନେ ବେକାର ଓ ରୋଜଗାରହୀନ ଜୀବନ ବଂଚିବାକୁ ବାଧ୍ୟ ହେଉଛନ୍ତି ବୋଲି ଉଭୟ ଦଳର ନେତାମାନେ ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ନିକଟରେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଓଡ଼ିଶାରେ ନିଯୁକ୍ତିର ସ୍ଥିତି ଅତ୍ୟନ୍ତ ଖରାପ। ଦେଶର ସବୁଠାରୁ ଅଧିକ ବେକାର ଥିବା ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ୭ମ ସ୍ଥାନରେ ରହିଛି। ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ଏବଂ ବମ୍ୱେ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ରାଜ୍ୟରେ ବେକାରୀ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଠିକ ବର୍ଷକ ତଳେ ୨୦୧୮ ଫେବ୍ରୁଆରୀରେ ରାଜ୍ୟରେ ବେକାରୀ ହାର ୭ ପ୍ରତିଶତକୁ ବୃଦ୍ଧିପାଇଥିଲା, ଯାହା ଜାନୁଆରୀରେ ୫.୫ ପ୍ରତିଶତ ଥିଲା। ମାର୍ଚ୍ଚରେ ଏହା ୭.୮ ପ୍ରତିଶତରେ ପହଂଚିଥିଲା। ରିପୋର୍ଟରେ ସ୍ଥାନପାଇଥିବା ସବୁଠାରୁ ଚିନ୍ତାଜନକ କଥାହେଉଛି ଯେ ଓଡ଼ିଶାରେ ସ୍ନାତକ ଏବଂ ତଦୁର୍ଦ୍ଧ୍ୱ ଯୋଗ୍ୟତାଧାରୀଙ୍କ ମଧ୍ୟରେ ବେକାରୀ ହାର ପ୍ରାୟ ୧୩ ପ୍ରତିଶତ ରହିଥିବାବେଳେ ୧୦ମରୁ ଦ୍ୱାଦଶ ଯୋଗ୍ୟତାଧାରୀଙ୍କ ମଧ୍ୟରେ ବେକାରୀ ହାର ପ୍ରାୟ ୯ ପ୍ରତିଶତ ରହିଛି। ରାଜ୍ୟରେ ପାଖାପାଖି ୨୨ ଲକ୍ଷ ଊଚ୍ଚ ଶିକ୍ଷିତ ଏବଂ ୮୦ ଲକ୍ଷ ନିରକ୍ଷର ବା ଅର୍ଦ୍ଧଶିକ୍ଷିତ ବେକାର ରହିଛନ୍ତି। ମୋଟ ଉପରେ ସେମାନଙ୍କ ସଂଖ୍ୟା ପ୍ରାୟ ୧ କୋଟିରୁ ଅଧିକ। ଓଡ଼ିଶାରେ ଦୀର୍ଘ ୧୯ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ କିଛି କରିନାହାନ୍ତି। ରାଜ୍ୟର ବିଭିନ୍ନ ଜିଲାରୁ ଯୁବଗୋଷ୍ଠୀ କାମଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟ ଓ ସହରକୁ ଚାଲିଯାଉଛନ୍ତି। ସେଠାରେ ଉଚ୍ଚଶିକ୍ଷିତ ଓଡ଼ିଶାର ଯୁବଗୋଷ୍ଠୀ ପିଅନ, ସିକ୍ୟୁରିଟି ଗାର୍ଡ, ହୋଟେଲ ବୟ ଭଳି କାମ ମଧ୍ୟ କରୁଛନ୍ତି। ଅନେକ ଅର୍ଦ୍ଧଶିକ୍ଷିତ ଅଥବା ନିରକ୍ଷର ଗୋତି ଶ୍ରମିକ ଭାବେ କାମ କରୁଛନ୍ତି। ଏହି ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କ ନିକଟରେ କୌଣସି ସଠିକ୍ ତଥ୍ୟ ଉପଲବ୍ଧ ନାହିଁ ବୋଲି ନିରଂଜନ କହିଛନ୍ତି। ସେହିପରି ନିକଟରେ ଶେଷ ହୋଇଥିବା ବିଧାନସଭା ଅଧିବେଶନରେ ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ରାଜ୍ୟର ପଂଜୀକୃତ ବେକାର ଓ ନିଯୁକ୍ତି ସୁଯୋଗ ନେଇ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଉଷା ଦେବୀ ଯେଉଁ ଉତ୍ତର ଦେଇଛନ୍ତି ସେଥିରୁ ଜଣାପଡ଼ିଛି ଯେ ଗତ ୧୦ ବର୍ଷ ଭିତରେ ନବୀନ ସରକାର ପଂଜୀକୃତ ବେକାରଙ୍କ ମଧ୍ୟରୁ ୧ ପ୍ରତିଶତଙ୍କୁ ବି ଉପଯୁକ୍ତ ନିଯୁକ୍ତି ସୁଯୋଗ ଯୋଗାଇପାରି ନାହାନ୍ତି। ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୦୯ରୁ ୨୦୧୮ ମଧ୍ୟରେ ରାଜ୍ୟରେ ସମୁଦାୟ ୨୨ ଲକ୍ଷ ୫୭ ହଜାର ୧୮୦ ଜଣ ଶିକ୍ଷିତ ଯୁବକଯୁବତୀ ବିଭିନ୍ନ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଂଜୀକୃତ କରିଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ସେମାନଙ୍କ ମଧ୍ୟରୁ ମାତ୍ର ୨୬,୪୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇପାରିଛନ୍ତି। ନିଯୁକ୍ତି ପାଇଥିବା ସବୁ ପ୍ରାର୍ଥୀ ବି ନିଜ ଶିକ୍ଷା ଓ ଯୋଗ୍ୟତା ଅନୁସାରେ ରୋଜଗାର ପଦପଦବୀ ପାଇନାହାନ୍ତି। ଅନେକ ପ୍ରାର୍ଥୀ ବେକାର ରହିବା ଅପେକ୍ଷା ବାପାମା’ଙ୍କୁ ଆର୍ଥିକ ସହାୟତା ଯୋଗାଇବା ନିମନ୍ତେ ବାଧ୍ୟ ହୋଇ ନିଜ ଶିକ୍ଷାଗତ ଯୋଗ୍ୟତା ତୁଳନାରେ ନିମ୍ନ ପଦପଦବୀରେ ବାହେଲ ହୋଇଛନ୍ତି। ମନ୍ତ୍ରୀ ଉଷା ଦେବୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ରାଜ୍ୟ ସରକାର ୨୦୦୯ ମସିହାରେ ମାତ୍ର ୮୦୪୬ ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଥିବାବେଳେ ୨୦୧୦ରେ ୬୪୯୫, ୨୦୧୧ରେ ୫୭୯୧, ୨୦୧୨ରେ ୫୮୬୮, ୨୦୧୩ରେ ୪୬୬୬, ୨୦୧୪ରେ ୩୧୬୬, ୨୦୧୫ରେ ୩୮୪୮, ୨୦୧୬ରେ ୨୭୯୬, ୨୦୧୬ରେ ୨୭୮୭ ଏବଂ ୨୦୧୮ରେ ୩୧୯୬ ଜଣଙ୍କୁ ନିଯୁକ୍ତି ଯୋଗାଇଛନ୍ତି। ଅନ୍ୟ ଏକ ରିପୋର୍ଟ ଅନୁସାରେ ଓଡ଼ିଶା ସରକାରରେ ଏବେ ୧.୫ ଲକ୍ଷରୁ ଅଧିକ ପଦପଦବୀ ଖାଲି। ୨୦୦୦ ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ସରକାରୀ ପଦପଦବୀରେ ନୂଆ ନିଯୁକ୍ତି ପ୍ରାୟତଃ ନାହିଁ। କେବଳ ଡାକ୍ତରୀ ପଦ ପୂରଣ କରିବାକୁ ସରକାର କିଛିଟା ଉଦ୍ୟମ କରିଛନ୍ତି। ତଥାପି ଏହି ବିଭାଗରେ ୫୦ ପ୍ରତିଶତ ଡାକ୍ତରୀ ପଦ ଖାଲି। ପ୍ରାଥମିକ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବାଧିକ ଶୂନ୍ୟସ୍ଥାନ ରହିଛି। ଦୁଇ ଦଶନ୍ଧି ଭିତରେ ରାଜ୍ୟ ସରକାର ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଆବଶ୍ୟକ ପରିମାଣର ଶିକ୍ଷକ ଓ ଅଧ୍ୟାପକଙ୍କୁ ନିଯୁକ୍ତ କରିନଥିବାରୁ ଶିକ୍ଷାର ମାନ ନିମ୍ନଗାମୀ ହୋଇଛି। ତା’ଫଳରେ ଓଡ଼ିଶାର ପିଲାମାନଙ୍କର ଶିକ୍ଷାର ମାନ କମିଛି ଓ ସେଥିଯୋଗୁଁ ସେମାନେ ନିଯୁକ୍ତି ବଜାରରେ ପ୍ରତିଯୋଗୀ ସଂପନ୍ନ ହୋଇପାରି ନାହାନ୍ତି। ନିଯୁକ୍ତି ସୃଷ୍ଟିର ବାହାନା କରି ରାଜ୍ୟ ସରକାର ଦୁଇ ଦଶନ୍ଧି ଧରି ଚଳାଇଥିବା ଦ୍ରୁତ ଶିଳ୍ପାୟନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ବିଫଳ ହୋଇଛି। ଇତିମଧ୍ୟରେ ସରକାର ଇସ୍ପାତ, ଆଲୁମିନିୟମ, ଶକ୍ତି, ବନ୍ଦର ଆଦି ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶତାଧିକ କମ୍ପାନୀ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ଓ ସବୁ ପର୍ଯ୍ୟାୟରେ ମିଶି ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶର ସମ୍ଭାବନା ସୃଷ୍ଟି କରିଛନ୍ତି ବୋଲି ପ୍ରଚାର କରାଯାଉଛି। ଶିଳ୍ପାୟନ ଜରିଆରେ ଓଡ଼ିଶାର ଶିକ୍ଷିତ ଓ ବୈଷୟିକ ସଂପନ୍ନ ଯୁବକଯୁବତୀଙ୍କ ପାଇଁ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାର ଦାବି କରୁଥିଲେ ମଧ୍ୟ ତାହା ହୋଇନାହିଁ। ଓଡ଼ିଶାର ବିଭିନ୍ନ ଇଂଜିନିଅରିଂ କଲେଜରୁ ଡିଗ୍ରୀ ହାସଲ କରିଥିବା ପିଲାଙ୍କ ମଧ୍ୟରେ ପ୪୦ ପ୍ରତିଶତରୁ ଅଧିକ ନିଯୁକ୍ତି ସୁଯୋଗ ପାଇନାହାନ୍ତି। ସେହିପରି ରାଜ୍ୟର ଅର୍ଦ୍ଧାଧିକ ଡିପ୍ଲୋମା ଓ ଆଇଟିଆଇ ତାଲିମପ୍ରାପ୍ତ ପିଲା ବି ବେକାର ବସିଛନ୍ତି। ରାଜ୍ୟର ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀଧାରୀଙ୍କ ମଧ୍ୟରେ ହାରାହାରି ୨୦ ପ୍ରତିଶତ ବେକାର ବସିଛନ୍ତି। ସବୁ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀଧାରୀ ବି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ବା ନିୟୋଜନ କାର୍ଯ୍ୟାଳୟରେ ନାମ ପଂଜୀକରଣ କରି ନାହାନ୍ତି। ସରକାରୀ କ୍ଷତ୍ରରେ ପଦବୀ ଫାଙ୍କା। ବେସରକାରୀ କ୍ଷେତ୍ରରେ ନିଯୁକ୍ତି ନାହିଁ। ଏଭଳି ସ୍ଥିତିରେ ରାଜ୍ୟ ସରକାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କଲା ଭଳି କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ରାଜ୍ୟ ସରକାରଙ୍କ ଅଧୀନସ୍ତ ସମସ୍ତ ନିଗମ ଓ କମ୍ପାନୀ ବି ନୂଆ ନିଯୁକ୍ତି ଦେଉନାହାନ୍ତି। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଭିତ୍ତିଭୂମି ଅଭାବରୁ ନିଯୁକ୍ତି ସୁଯୋଗ ହ୍ରାସ ପାଇଚାଲିଛି। ଅଶିକ୍ଷିତ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଏମଜିଏନଆରଜିଏସ ଜରିଆରେ ପର୍ଯ୍ୟାପ୍ତ ପରିମାଣରେ ପାଣ୍ଡି ଯୋଗାଉଥିଲେ ହେଁ ଓଡ଼ିଶା ସରକାର ତାହାର ସୁଯୋଗ ନେଉନାହାନ୍ତି। ଏହି ଯୋଜନାରେ ରାଜ୍ୟ ସରକାର ଯେତେ ଟଙ୍କା ଖର୍ଚ୍ଚ କରିପାରିବେ କେନ୍ଦ୍ର ସରକାର ତାହା ଯୋଗାଇଦେବାକୁ ଆଇନ ଅନୁସାରେ ବାଧ୍ୟ। କିନ୍ତୁ ଓଡ଼ିଶା ସରକାର ଏମଜିଏନଜଆରଜିଏସ ଯୋଜନାରେ ନୂଆ ନୂଆ ପ୍ରକଳ୍ପ ପ୍ରସ୍ତାବ ଦେଇପାରୁ ନାହାନ୍ତି କି ଅଧିକ ପାଣ୍ଠି ଆଣିପାରୁ ନାହାନ୍ତି। ତେଣୁ ରାଜ୍ୟର ଗ୍ରାମାଞ୍ଚଳର ଅଧିକ ଲୋକ ଓଡ଼ିଶା ବାହାରକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି। ନିଜ ଗାଁରେ କାମ ନମିଳିଲେ ଲୋକ ବାଧ୍ୟ ହୋଇ ଅନ୍ୟ ଗାଁକୁ ଯାଏ। ସେହିପରି ନିଜ ରାଜ୍ୟରେ କାମ ନମିଳିଲେ ଲୋକେ ଅନ୍ୟ ରାଜ୍ୟକୁ ଚାଲିଯାଆନ୍ତି। ଯଦି ଏଠି ବାହାର ରାଜ୍ୟ ଅପେକ୍ଷା ଅଧିକ ନିଯୁକ୍ତି ସୁଯୋଗ ଓ ରୋଜଗାରର ସମ୍ଭାବନା ଥାଆନ୍ତା ତେବେ ଲୋକମାନେ କେବେ ବି ବାହାର ରାଜ୍ୟକୁ ଯାଇଁ ହାତଗୋଡ଼ ହରେଇ କିମ୍ବା ଆବଶ୍ୟକ ମଜୁରୀ ନପାଇ ଦୁର୍ଦ୍ଦଶା ଭୋଗ କରନ୍ତେ ନାହିଁ।

Share :