ପିଲାଟି ବାପା ପରି!

ପିଲାଟି ବାପା ପରି!

ଡ଼ଃ ରିନା ରାଉତରାୟ ସେଦିନ ସକାଳୁ ମନଟା ବହୁତ ଭାରି ଭାରି ଲାଗୁଥାଏ। ବାପାଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ। ଗାନ୍ଧୀ ଜ୍ୟୋତି ଯାତ୍ରାରେ ମୁଁ ଥାଏ ସୁଦୂର ଗଜପତି ଜିଲ୍ଲାରେ। ଏ ପଟେ ବାପୁ ସେପଟେ ବାପା। ଦୁଇ ଜଣ ଯାକ ମୋର ପ୍ରିୟ ଆଉ ଦୁଇ ଜଣଙ୍କ କାର୍ଯ୍ୟ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ। ତିତିଲିର ପ୍ରଭାବରେ ଅସ୍ତବ୍ୟସ୍ତ ଗଜପତି ଜିଲ୍ଲା। ତେଣୁ ଜିଲ୍ଲା ପ୍ରଶାସନକୁ ବିଶେଷ ବ୍ୟସ୍ତ ନ କରି ଏକ ନିଆରା ଢଙ୍ଗରେ ଜ୍ୟୋତି ଯାତ୍ରାର କାର୍ଯ୍ୟକ୍ରମ କରିବାକୁ ଚାହିଁ ପହଁଚିଲୁ ସହର ଭିତରେ ଥିବା ଏକ ଅନାଥଶ୍ରମରେ। ଏକ ଶହରୁ ଉର୍ଦ୍ଧ୍ବ ପିଲା ଥିଲେ ସେଠି। ଆମେ ପହଂଚିବାର ଖବରପାଇ ଶିଶୁ ସୁରକ୍ଷା ଅଧିକାରୀ ଓ ତାଙ୍କର ଦୁଇଜଣ ସଦସ୍ୟା ମଧ୍ୟ ପହଁଚିଲେ। ସୁନ୍ଦର ସଫା ସୁତୁରା ପରିବେଶ। ପିଲାମାନେ ସ୍କୁଲରୁ ଫେରି ଶୃଙ୍ଖଳିତ ଭାବରେ ଆସି ବସିଲେ ଆମ ପାଖରେ। ସେହି ଅନୁଷ୍ଠାନର ଦାୟିତ୍ବରେ ଥିବା ରମଣ ବାବୁ ଓ ଅନ୍ୟ କର୍ମକର୍ତ୍ତାମାନଙ୍କର ପିଲାମାନଙ୍କ ପ୍ରତି ଯତ୍ନ, ବ୍ୟବହାର ଓ ପିଲାମାନଙ୍କ ମୁହଁରେ ହସ ଦେଖି ସମଗ୍ର ପରିବେଶ ବେଶ ଭଲ ଲାଗୁଥାଏ। ତେଣୁ ଔପଚାରିକ ଭାବରେ କୌଣସି ସଭା ବା ଭାଷଣ ନ କରି ଗପସପ କଲୁ ପିଲାମାନଙ୍କ ସହିତ। ଏ ପଟେ ଆମଘରେ ବାପାଙ୍କ ଶ୍ରାଦ୍ଧକାମ ଚାଲିଥାଏ। ଆମଘରର ହ୍ବାଟ୍ସଆପ ଗ୍ରୁପରେ ଫୋଟୋସବୁ ଆସୁଥାଏ। ମଝିରେ ମଝିରେ ତାକୁ ବି ଦେଖୁଥାଏ। ଗପସପ ଭିତରେ ବି ଅନ୍ୟମନସ୍କ ହୋଇ ବାପାଙ୍କ ଆଡ଼କୁ ଚାଲି ଯାଉଥାଏ। ଏହି ସମୟରେ ଶିଶୁ ସୁରକ୍ଷା କମିଟିର ଜଣେ ସଦସ୍ୟା କହିଲେ, ମ୍ୟାଡ଼ମ ଚାରିଦନ ହେଲା ତିତିଲିରେ ମାଆ ଓ ବାପାଙ୍କୁ ହରେଇଥିବା 5 ଜଣ ଶିଶୁ ଉଦ୍ଧାର ହୋଇ ଏଠାରେ ଅଛନ୍ତି। କାହାନ୍ତି ସେମାନେ ବୋଲି ପଚାରିଲା ବେଳକୁ ରମଣ ବାବୁ ସେମାନଙ୍କୁ ପାଖକୁ ଡାକିଲେ। ଚାରି ଜଣ ପୁଅ ଓ ଗୋଟିଏ ଝିଅ। ସମସ୍ତଙ୍କ ବୟସ 12 ବର୍ଷ ଭିତରେ। ତା’ଭିତରେ ଗୋଟେ ଛୋଟ ପୁଅ, ବୟସ 4/5 ବର୍ଷ। ଚୁପଚାପ ଠିଆହୋଇ ଥାଏ। ତାକୁ ପଚାରିଲି, କୋଉ ଶ୍ରେଣୀରେ ପଢ଼ୁଛୁ? କହିଲା, ପ୍ରଥମ ଶ୍ରେଣୀ। ପାଖରେ ଥିବା ଶିଶୁ ସୁରକ୍ଷା ସଦସ୍ୟା କହି ଚାଲିଲେ, ମ୍ୟାଡ଼ମ! ବାତ୍ୟାରେ ତା’ର ମାଆ ଓ ବାପା ଗୋଟେ ଗୁମ୍ଫାରେ ଆଶ୍ରୟ ନେଇଥିଲେ। ହଠାତ ଗୁମ୍ଫା ଭୁଶୁଡି ପଡ଼ିଲା ଓ ସେମାନେ ଭାସିଗଲେ। ଲକ୍ଷ୍ୟ କଲି ପିଲାଟିର ମୁହଁ ଥମଥମ ଓ ଆଖିରେ ଲୁହ ଭର୍ତ୍ତି ହୋଇଯାଉଛି। ସାଙ୍ଗେ ସାଙ୍ଗେ ସଦସ୍ୟାଙ୍କ କଥାଟାକୁ ଭୁଲେଇ ଦେଇ ତାକୁ ପାଖକୁ ଡାକି କୋଳେଇ ନେଇ ପଚାରିଲି, ତୁ ଭଲ ପାଠ ପଢ଼ୁଛୁ? ଟିକେ ହସିଦେଇ କହିଲା, ହଁ। ତାପରେ ତାକୁ ଗେହ୍ଲା କରୁ କରୁ ପଚାରିଲି, ତୋ ନାଁ କ’ଣ? କହିଲା, ରାମ। ଟିକେ ରହିଗଲି। ତାର ଥମ ଥମ ମୁହଁ ଓ ଲୁହ ସତେକି ସଞ୍ଚାରି ଆସିଲା ମୋ ମୁହଁକୁ। ଆହୁରି ଜୋରରେ ତାକୁ କୋଳେଇ ଆଣି ନିଜ କୋହକୁ ଚାପି ହସି ହସି ତାକୁ କହିଲି, ଆରେ ବାଃ! ତୁ ତ ତା ହେଲେ ମୋ ବାପା ! ମୋ ମୁହଁକୁ ଟିକେ ଅନେଇଲା ପିଲାଟି। ପୁଣି କହିଲି, ତୁ ଜାଣିଛୁ ମୋ ବାପାଙ୍କ ନାମ ବି ରାମ। ଆଜି ତାଙ୍କର ପ୍ରଥମ ବାର୍ଷିକୀ ଶ୍ରାଦ୍ଧ। ମୁଁ ଯାଇପାରିନି ବୋଲି ସିଏ ଆଜି ଏବେ ମୋ ପାଖରେ। ତେଣୁ ମୁଁ ଆଜିଠୁ ତୋର ଝିଅ ଆଉ ତୁ ମୋର ବାପା। ଏତେ ଖୁସିରେ ଠୋ ଠୋ ହୋଇ ପିଲାଟି ହସିଲା ଏବଂ ମୋ ହୃଦୟ ଭିତରର ସେ କରୁଣ ରାଗିଣୀ ତାର ଖୁସି ଓ ସମସ୍ତଙ୍କର ହୋ ହୋ ହସ ମଧ୍ୟରେ କେଉଁଠି ଯେମିତି ମିଳେଇ ଗଲା। ତା’ପରେ ସେ ପିଲାର ସମସ୍ତ ହାବଭାବ ବଦଳିଗଲା। ବହୁତ ସହଜ ହୋଇଗଲା ପିଲାଟି। ସେପଟେ ହ୍ବାଟ୍ସଆପ ଗ୍ରୁପରେ ବ୍ରାହ୍ମଣ ଭୋଜନ, ଗାଁ ଲୋକ ଓ ଘରଲୋକମାନେ ଖାଇବାର ଫୋଟୋ ଆସୁଥାଏ। ବାତ୍ୟା ପ୍ରଭାବିତ ଗଜପତି ଜିଲ୍ଲାର ଅବସ୍ଥା ଦେଖି ଆମେ ସ୍ଥିର କରିଥିଲୁ କାର୍ଯ୍ୟକ୍ରମ ସାରି ଆମେ ବାହାରିଆସିଲା ପରେ ବାଟରେ କେଉଁଠି ଗୋଟେ ସୁବିଧା ଦେଖି ଖାଇଦେବୁ। ସତକଥା କହିବାକୁ ଗଲେ ସେଦିନ ଯେ ଖାଇବାକୁ ମିଳିବ ନାହିଁ ଏହି ମନସ୍ଥିର କରି ଆମେ ଯାଇଥିଲୁ। ତା’ପରେ ରାମ ଓ ଅନ୍ୟପିଲାମାନଙ୍କ ସହିତ ମଜା ମଜା ଗପସପ କରି ଯାଇ ତା’ର ଶୋଇବା ଘର ଦେଖିଲି। ସେହି ଆଶ୍ରମରେ ଏକ ବୃଦ୍ଧାଶ୍ରମ ମଧ୍ୟ ଥିଲା। ସାତ ଜଣ ମାଆ ସେଠି ଥିଲେ। ତାଙ୍କ ସହିତ ଟିକେ ଦୁଃଖସୁଖ ହୋଇ ବାହାରିଲୁ ଆସିବା ପାଇଁ। ରମଣବାବୁ କହିଲେ, ମ୍ୟାଡ଼ମ! ଆପଣ ଆଜି ଆଶ୍ରମରେ ଖାଇକି ଯିବେ। ମୁଁ କହିଲି, ନା ନା ଏ କି କଥା? ଆମେ ବାହାରେ ଖାଇଦେବୁ। ଆପଣ ପିଲାମାନଙ୍କର ଏତେ ସୁନ୍ଦର ଯତ୍ନ ନେଉଛନ୍ତି। ମା ଓ ବାପା ପରି ମନକଥା ବୁଝି ସେମାନଙ୍କ ଲାଳନପାଳନ କରୁଛନ୍ତି ସେଇଟା ମୋ ପାଇଁ ବହୁତ ଖୁସିର କଥା। ସେ କହିଲେ, ନାଇଁ ମ୍ୟାଡ଼ମ! ପିଲାମାନେ ଅନୁରୋଧ କରୁଛନ୍ତି ଆପଣ ନିଶ୍ଚୟ ସେମାନଙ୍କ ସହିତ ବସିକି ଖାଇବେ। ରାମ ପରା ଆପଣଙ୍କ ବାପା? ବାପାଘରୁ ଝିଅ କ’ଣ କେବେ ନ ଖାଇକି ଯାଇଛି? କିଛି ନ କହି ଚୁପ କରି ବସିପଡ଼ିଲି ସେଠି। ଉତ୍ତର ନ ଥିଲା ତାଙ୍କର ଏହି ଭାବପୂର୍ଣ୍ଣ ଅନୁରୋଧର। ସତେକି ନ ଖାଇକି ଚାଲିଗଲେ ବାପାଙ୍କ ମନ କଷ୍ଟ ହେବ ସେମିତି ଲାଗୁଥିଲା। ଖାଇବା ଆରମ୍ଭ ହେବା ପୂର୍ବରୁ ପିଲାମାନେ ସଂସ୍କୃତରେ ଏକ ପ୍ରାର୍ଥନା ଗାଇଲେ, ସମସ୍ତଙ୍କର ମଙ୍ଗଳ ହେଉ, ଦେଶର ମଙ୍ଗଳ ହେଉ, ରାଜ୍ୟର ମଙ୍ଗଳ ହେଉ, ପିତାମାତାଙ୍କର ମଙ୍ଗଳ ହେଉ ଓ ଅନ୍ନଦାତାଙ୍କର ମଙ୍ଗଳ ହେଉ। ହୃଦୟକୁ ଛୁଇଁ ଯାଉଥିଲା ନିଷ୍ପାପ ଶିଶୁଙ୍କର ଦରୋଟି କଣ୍ଠରେ ସେ ପ୍ରାର୍ଥନା। ସେମାନଙ୍କ ସହିତ ବସିକି ଖାଇଲା ବେଳେ ଦେଖିଲି ଭୋଜି ପରି ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟର ଆୟୋଜନ। ପଚାରିଲି ଆଜି କ’ଣ କି? ଏତେ ରକମର ଖାଦ୍ୟ! କହିଲେ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ପୁଅର ଜନ୍ମଦିନ ଥିଲା। ସେ ଭଦ୍ରବ୍ୟକ୍ତି ଆଜିର ଭୋଜନ ତାଙ୍କ ତରଫରୁ ପିଲାମାନଙ୍କ ପାଇଁ ଦେଇଛନ୍ତି। ଦେଖୁଥିଲି ଆମ ଘରେ ବାପାଙ୍କ ଶ୍ରାଦ୍ଧରେ ହୋଇଥିବା ବିଭିନ୍ନ ବ୍ୟଞ୍ଜନଠାରୁ କୌଣସି ଗୁଣରେ କମ ନ ଥିଲା। ଖାଉଥିଲି ପିଲାଙ୍କ ସହିତ ହସି ହସି ଗପି ଗପି। କିନ୍ତୁ କାନରେ ମୋର ଶୁଭୁଥିଲା ବାପାଙ୍କର ସେହି ସ୍ବର। ସବୁଦିନ ପରି ଘରେ ପଶୁ ପଶୁ ଆଗ କହୁଥିଲେ, ଯା ଯା ଖାଇଦେ .. ଶୁଭୁଥିଲା ବାପାଙ୍କର ସ୍ବର ସେଇ କୁନି କୁନି ପିଲାଙ୍କର ଖିଲି ଖିଲି କୋଳାହଳରେ। ଦେଖୁଥିଲି ବାପାଙ୍କର ଖୁସିକୁ ସେଇ କୁନି ଛୁଆ ରାମର ଦରୋଟି ହସରେ। ଫେରିଲାବେଳେ ବାପା ଓ ବୋଉଙ୍କୁ ଛାଡ଼ି ଘରୁ ଆସିଲା ବେଳେ ଯେମିତି ଲାଗେ ଠିକ ସେମିତି ଖାଲି ଖାଲି ଲାଗୁଥିଲା ....। ମୋ- ୯୪୩୮୨୭୨୧୫୨

Share :