ଏ ପିଲାର ଦୋଷ କ’ଣ?

ଏ ପିଲାର ଦୋଷ କ’ଣ?

Share :

ଡ଼ଃ ରିନା ରାଉତରାୟ ସତେ ଯେମିତି ଗାନ୍ଧୀଙ୍କ ଇଚ୍ଛା ଥିଲା। ହଠାତ ସ୍ଥିର କଲୁ ଅନୁଗୁଳରେ ପରିବୀକ୍ଷଣ ଛାତ୍ରାବାସ ତଥା ପର୍ଯ୍ୟବେକ୍ଷଣ ଗୃହ ଓ ସ୍ବତନ୍ତ୍ର ଆବାସରେ ପହଞ୍ଚିଥିଲୁ ଗାନ୍ଧୀ ଜ୍ୟୋତିରଥକୁ ନେଇ ଏବଂ ଅଧିକ୍ଷକଙ୍କ ଅନୁମତି ନେଇ ସେଠି ଥିବା ପିଲାମାନଙ୍କ ସହିତ କିଛି ସମୟ କାଟିଥିଲୁ ଶାନ୍ତି, ଅହିଂସା ଓ ସଦ୍ଭାବନାର ବାର୍ତ୍ତା ନେଇ। ପିଲାମାନଙ୍କ ସହିତ କଥା ହେଉ ହେଉ କହିଲି, ତୁମ ମାନଙ୍କ ଭିତରୁ କିଏ ବାପୁଙ୍କୁ କେମିତି ଜାଣିଛ କହିଲ? ୧୪/୧୫ ବର୍ଷର ପିଲାଟିଏ ଆସିଲା। ବାପୁଙ୍କ ବିଷୟରେ ଦୁଇ ତିନି ପଦ ଏତେ ସୁନ୍ଦର ଭାବେ କହିବା ଆରମ୍ଭ କଲା ଯେ ତା ଆଡ଼କୁ ଦୃଷ୍ଟି ଟାଣି ହୋଇଗଲା। ବହୁତ ସ୍ପଷ୍ଟ, ଶୁଦ୍ଧ ଓ ସୁନ୍ଦର ଭାବରେ ବାପୁଙ୍କ ତିନି ମାଙ୍କଡ଼ ଗପଟି କହୁଥିଲା। ଭଦ୍ର ଚେହେରା। ଶିକ୍ଷିତ ଓ ସମ୍ଭ୍ରାନ୍ତ ଘରର ପିଲା ପରି ଲାଗୁଥାଏ। ସେ କହି ସାରିଲା ପରେ ସମସ୍ତେ କାରତାଳି ଦେଲେ। ଟିକେ ଦୂରେଇ କଡ଼କୁ ଠିଆ ହୋଇ ରହିଲା। ଅନ୍ୟ ପିଲାମାନେ ଆସି ଜଣକ ପରେ ଜଣେ କହିଲେ। ସମସ୍ତଙ୍କୁ ଶୁଣୁଥାଏ। କିନ୍ତୁ ମନ ମୋର ସେଇ ପିଲାଟି ଆଡକୁ ଚାଲିଯାଉଥାଏ। ମୋ ପୁଅଠୁ ଟିକେ ଛୋଟ ହେବ। ଗାନ୍ଧୀ ଜ୍ୟୋତି ଯାତ୍ରା ଅବସରରେ ଦୀର୍ଘଦିନ ଘରଠୁ ବହୁତ ଦୂରରେ ରହି ସେହି ପିଲାମାନଙ୍କୁ ଦେଖି ମାଆ ମନ ମୋର ଆଉଟିପାଉଟି ହୋଇ ଯାଉଥାଏ। କି ଅପରାଧରେ ଏ ପିଲାମାନେ ଏଇଠି ଅଛନ୍ତି? ସେମାନଙ୍କର ତାଙ୍କ ଘର କଥା କେତେ ମନେପଡୁଥିବ! ସେମାନଙ୍କ ମା’ ଓ ବାପାମାନେ କେତେ କଷ୍ଟ ପାଉଥିବେ! କଥା ସରିଲା ପରେ ଅଧିକ୍ଷକଙ୍କୁ ପଚାରିଲି ଏ ପିଲାଟିର ନାମ କ’ଣ? କହିଲେ, ସୌମ୍ୟ। ପୁଣି ପଚାରିଲି କଣ ପାଇଁ ଏଠି ଅଛି? କହିଲେ, ମ୍ୟାଡ଼ମ ଭିଡିଓ ଭାଇରାଲ କରିଥିଲା। ପୁଣି ପଚାରିଲି, କେତେଦିନ ହେଲାଣି ଏଠି ଅଛି? କହିଲେ, ଦେଢ଼ବର୍ଷ ହେବ। ଆଉ କେତେ ବର୍ଷ ରହିବ? କହିଲେ, ଆହୁରି ଦେଢ଼ବର୍ଷ। ମନଟା ବହୁତ ବିକଳ ଲାଗୁଥାଏ। ଏତେ ଛୋଟ ପିଲାଟେ। କେତେ ବଡ଼ ବଡ଼ ଶିକ୍ଷିତ ଭଦ୍ରମୁଖା ପିନ୍ଧା ଲୋକମାନେ ଏ କାମ କରୁଛନ୍ତି। ଯିଏ ଏହିପରି ଅଶ୍ଲୀଳ ଭିଡିଓ ତିଆରି କରୁଛନ୍ତି, ସେମାନେ ତ ସହଜରେ ଧରା ପଡୁନାହାନ୍ତି, ତାଙ୍କୁ ତ କିଛି ଦଣ୍ଡ ମିଳୁନାହିଁ। ଏଇ ଛୋଟ ପିଲାଟି ପରିଣାମର ଭୟାବହତା ଜାଣି ନ ପାରି କୌତୁହଳରେ ଯଦି ଏମିତି ଭୁଲ କରିଦେଇଛି, ତାକୁ ଟିକେ ଭୟଭୀତ କରାଇ ଓ ଭଲରେ କାଉନସେଲିଂ କରିଥିଲେ କ’ଣ ହେଇ ନ ଥାନ୍ତା! ତାର ଭବିଷ୍ୟତ ତ ପୂରା ନଷ୍ଟ ହେଇଗଲା। ସିଏ ଏଠୁ ବାହାରି ପୁଣିଥରେ ସମ୍ମାନର ସହିତ ମୁଖ୍ୟସ୍ରୋତରେ ସାମିଲ ହେଇ ପାରିବ ତ? ନା ପୁଣିଥରେ ମୁହଁ ଲୁଚାଇ ଲୁଚାଇ ବଞ୍ଚିବାକୁ ଏଇ ଖରାପ କାମ ପୁଣି କରିବ? ବାପୁଙ୍କ ତିନି ମାଙ୍କଡ଼ ଗପଟିରେ ଖରାପ କଥା କହିବି ନାହିଁ, ଖରାପ କଥା ଶୁଣିବି ନାହିଁ ଓ ଖରାପ କଥା କହିବି ନାହିଁ କହି କହି ସେ ଯେ ପଶ୍ଚାତାପ କରି ନିଜକୁ ସୁଧାରି ନେଇଛି ସେଇ କଥା ବୋଧହୁଏ ସିଏ ମୋତେ କହିବାକୁ ଚାହୁଁଥିଲା! ଆସିଲା ବେଳେ ଶିଶୁ ମଙ୍ଗଳ କମିଟିର ସଦସ୍ୟ ହୃଷିଭାଇ କହୁଥିଲେ, ଅପା ଏ ପିଲାଟିର ଜଲଦି ଦଣ୍ଡ ସରିଯିବ। କାରଣ ଏହାର ଆଚାର ବ୍ୟବହାରରେ ସମସ୍ତେ ବହୁତ ଖୁସି। ତା ପାଇଁ ସୁପାରିଶ କରାଯାଇଛି। କାହିଁକି କେଜାଣି ମାଆ ମନ ମୋର ଜମା ବୁଝୁନଥିଲା....! ମୋ-9438272152

Share :