ଓଡ଼ିଶା ଏବେ ଦେବାଳିଆ!

ଓଡ଼ିଶା ଏବେ ଦେବାଳିଆ!

Share :

ବଜେଟ ଆଣିବାକୁ ଡରୁଛନ୍ତି ସରକାର ଯତୀଶ ମହାନ୍ତି କାମଚଳା ବଜେଟ୍ ଆଗତ କରିବା ନିମନ୍ତେ ଦଳୀୟ ସହମତି ହାସଲ ପାଇଁ ବାଚସ୍ପତି ପ୍ରଦୀପ ଅମାତ ଫବୃଆରୀ ପହିଲାରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି | ସ୍ବାଭାବିକ ଭାବେ ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଫେବୃଆରୀ ପ୍ରଥମ ସପ୍ତାହରେ ଆରମ୍ଭ ହେବା କଥା | ତା ବଦଳରେ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ବିଧାନସଭା ଅଧିବେଶନ ଡକାଯିବା ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ | ଏହା ଏକ ଅସ୍ବାଭାବିକ ସ୍ଥିତିର ସଂକେତ ଦିଏ | ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ଆଗରୁ ସରକାର ଜାନୁଆରୀ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୀତିଜ୍ଞ, କୃଷକ ସଂଗଠନ, ବୁଦ୍ଧିଜୀବୀଙ୍କ ସହିତ ଆଗାମୀ ବଜେଟ ଉପସ୍ଥାପନ ପାଇଁ ଆଲୋଚନା କରିଥିଲେ | ଜନ ସାଧାରଣଙ୍କ ଠାରୁ ଦୂରଭାଷ ଓ ଇଣ୍ଟର୍ନେଟ୍ ଜରିଆରେ ମତାମତ ମଧ୍ୟ ହାସଲ କରିଥିଲେ | ଫେବୃଆରୀ ୯ ତାରିଖରେ ବିଧାନସଭାରେ ବଜେଟ ଅଧିବେଶନ ନିମନ୍ତେ ପ୍ରସ୍ତାବ ସରକାରଙ୍କ ନିକଟରେ ପହଂଚିସାରିଛି |  କେଉଁ ପରିସ୍ଥିତିରେ ସରକାରଙ୍କୁ କାମଚଳା ବଜେଟ ଆଗତ କରିବା ନିମନ୍ତେ ହଠାତ୍ ସର୍ବଦଳୀୟ ବୈଠକରେ ସହମତି ଲୋଡ଼ିବା ଦରକାର ପଡିଲା, ତାହା ଅନେକଙ୍କୁ ଆଶ୍ଚର୍ଯ ଚକିତ କରିଛି | ଯେଉଁଠାରେ କାମଚଳା ସରକାର ଥାଆନ୍ତି, ସେଠାରେ ହିଁ କେବଳ କାମଚଳା ବଜେଟ ଉପସ୍ଥାପନା କରି ପ୍ରଥମ  ତିନିମାସ ନିମନ୍ତେ ଖର୍ଚ୍ଚର ସମ୍ମତି ନିଆଯାଏ | କିମ୍ବା ନିର୍ବାଚନ ସମୟରେ ହିଁ କାମଚଳା ବଜେଟ ପ୍ରସ୍ତାବ ଥାଏ ଓ ନିର୍ବାଚନ ପରେ ନନିର୍ବାଚିତ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଥାନ୍ତି | ଏହି ପରିପ୍ରେକ୍ଷୀରେ ବୁଝା ପଡୁନାହିଁ ଯେ ଦୀର୍ଘ ୧୬ ବର୍ଷ ଧରି ନିରଙ୍କୁଶ ଶାସନ କରି ଆସୁଥିବା ଏକ ସଂଖ୍ୟାଗରିଷ୍ଠ ସରକାର ହଠାତ୍ କାମଚଳା ବଜେଟ ଉପସ୍ଥପନା କରିବାକୁ କାହିଁକି ଚାହୁଁଛି ? ଅକଳରେ ପଡ଼ିଛି ନା ରାଜ୍ୟବାସୀଙ୍କୁ ଅକଳରେ ପକାଇଛି? ଏକ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିବା ନିମନ୍ତେ ସରକାରଙ୍କର କେଉଁଠି ଅସୁବିଧା ରହିଲା ତାହା ଜଣାପଡୁନାହିଁ | କେନ୍ଦ୍ର ସରକାରଙ୍କଠାରୁ ଆର୍ଥିକ ଅନୁଦାନ ଓ ସହାୟତା କେତେ ମିଳିବ, ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ ଅନୁଯାୟୀ ରାଜ୍ୟକୁ କେତେ ମିଳିବ, ବିଭିନ୍ନ ଯୋଜନା ଅନୁଯାୟୀ କେତେ ଏବଂ ପ୍ରାକୃତିକ ବିପର୍ଯ୍ୟୟ  ନିମନ୍ତେ କେତେ ଅନୁଦାନ ମିଳିବ, ସେ କଥା ରାଜ୍ୟ ସରକାରଙ୍କୁ ନିଶ୍ଚିତ ଭାବରେ ଜଣା | ରାଜ୍ୟ ରାଜସ୍ବ କେତେ ଆଦାୟ ହେବ ଏବଂ ଖର୍ଚ୍ଚ କେତେ ହେବ ସେ କଥା ସରକାରଙ୍କୁ ମଧ୍ୟ ଜଣାଅଛି | ତା’ହେଲେ ସରକାର ଏକ ପୂର୍ଣ୍ଣାଙ୍ଗ ବଜେଟ ଆଣିବାକୁ ଡ଼ରୁଛନ୍ତି କାହିଁକି? ସରକାର ଦେଇଥିବା ବିଭିନ୍ନ ପ୍ରତିଶୃତି ପାଳନ କରିବା ନିମନ୍ତେ ଯେଉଁ ଆର୍ଥିକ ସମ୍ବଳ ଲୋଡା ତାହା ସରକାରଙ୍କ ନିକଟରେ ବୋଧହୁଏ ନାହିଁ | ସରକାର ଏକ ଦେବାଳିଆ ପରିସ୍ଥିତି ଦେଇ ଗତି କରୁଥିବା ଯୋଗୁଁ ସଂପ୍ରତି ରାଜ୍ୟର ଆର୍ଥିକ ସ୍ଥିତି ସଂପର୍କୀତ ସତ୍ୟ ଲୁଚାଇବା ପାଇଁ ବଜେଟ୍ ଅଧିବେଶନକୁ ଭୟ କରୁଛନ୍ତି ଏବଂ କାମଚଳା ବଜେଟ୍ ଆଣି ବିତର୍କରୁ ଦୂରରେ ରହିବାକୁ ଚାହୁଁଛନ୍ତି କି? ଯେଉଁ ସରକାର ୨୦୦୫-୦୬ ବର୍ଷରୁ ଆଜି ଯାଏଁ ବଳକା ବଜେଟ୍ ଉପସ୍ଥାପିତ କରି ଆସିଛି ସେହି ସରକାର ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବାକୁ ଡରୁଛି କାହିଁକି? ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ୧୯୯୯-୨୦୦୦ ବର୍ଷରୁ ୨୦୦୪-୦୫ ବର୍ଷ ପର୍ଯନ୍ତ ଖର୍ଚ୍ଚର ପରିମାଣ ରାଜସ୍ବ ଆୟଠାରୁ ଅଧିକ ଥିଲା | ୨୦୦୫-୦୬ ବର୍ଷରୁ ଖର୍ଚ୍ଚର ପରିମାଣ ଆୟଠାରୁ ହଠାତ୍ କମିଗଲା ଏବଂ ସରକାର ଗୃହରେ ବଳକା ବଜେଟ ଆଗତ କରିବାକୁ ଲାଗିଲେ | କିନ୍ତୁ  ଏ ସରକାର କ୍ଷମତାକୁ ଆସିବା ଦିନଠାରୁ ୨୦୦୦ ମସିହାରୁ ୨୦୧୫ ପର୍ଯନ୍ତ ସମୁଦାୟ  ୩୮  ହଜାର କୋଟି ଟଙ୍କା ଋଣ କରିଛନ୍ତି | ସେଥିରୁ ୨୦୧୫-୧୬ ଆର୍ଥିକ ବର୍ଷରେ ୧୨,୮୦୦ କୋଟି ଟଙ୍କା ଋଣ କରିବାର ଯୋଜନା ଅଛି | ସବୁ ବର୍ଷ ଋଣର ପରିମାଣ ବଢିବଢ଼ି ଚାଲିଥିବା ବେଳେ ସରକାର ବଳକା ବଜେଟ୍ ଦେଖାଇ ଆସୁଛନ୍ତି | ଏଣେ ରାଜ୍ୟର ବିଭିନ୍ନ ବିଭାଗରେ ୧୬୪,୩୨୮ ପଦବୀ ଖାଲି |  ଅତ୍ୟାବଶ୍ୟକ ପଦବୀ ପୂରଣ ନ କରି ଏ ବାବଦରେ ସରକାର ବର୍ଷକୁ ପ୍ରାୟ ୬୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚକୁ ଚତୁରତାର ସହ ଏଡେଇ ଚାଲିଛନ୍ତି | ଋଣ କରି ଏବଂ ଅତ୍ୟାବଶ୍ୟକ ପଦବୀ ପୂରଣ ନ କରି ବଜେଟକୁ ବଳକା କହିବା କେତେ ଦୂର ଯୁକ୍ତିଯୁକ୍ତ ତାହା ପର୍ଯ୍ୟାଲୋଚନାର ବିଷୟ | ରାଜ୍ୟ ସରକାର ଯୁକ୍ତି ବାଢୁଛନ୍ତି କେନ୍ଦ୍ର ସରକାର ୮ ଟି ଯୋଜନା ବନ୍ଦ କରିଦେଇଥିବାରୁ ଓ ୩୩ଟି ଯୋଜନାରେ ରାଜ୍ୟକୁ ଅଧିକ ଅଂଶଧନ ଦେବାକୁ ପଡୁଥିବାରୁ ନିଅଣ୍ଟ ଭରଣା ଆକଳନ କରିବା ସମୟ ସାପେକ୍ଷ ହେବ | ତେଣୁ ସଂପୂର୍ଣ୍ଣ ବଜେଟ୍ ତିଆରି କରିବା ବିଳମ୍ବିତ ହେବ | କିନ୍ତୁ ଏହା ସତ୍ୟ ଯେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ବଜେଟ୍ ଆଟ୍ ଏ ଗ୍ଲାନ୍ସ ବହିରେ ଉଲ୍ଲେଖ ଅନୁଯାୟୀ ରାଜ୍ୟ ସରକାର ଏ ତଥ୍ୟ ସମ୍ବନ୍ଧରେ ମାର୍ଚ୍ଚ ୨୦୧୫ରୁ ଅବଗତ ଅଛନ୍ତି | ୨୦୧୫-୧୬ ଆର୍ଥତ୍କ ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ୧୧୫୦୯.୧୪ କୋଟି ଟଙ୍କା ମିଳିବ ବୋଲି ଆକଳନ କରା ହୋଇଥିଲା | ପରିବର୍ତ୍ତିତ ନୀତି ଅନୁଯାୟୀ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ୯୪୮୬.୩୮ କୋଟି ଟଙ୍କା ମିଳିବାର ଯୋଜନା ଅଛି | ତେଣୁ ଏ ବାବଦରେ ସରକାର ବାର୍ଷିକ ୨୦୧୨.୭୬ କୋଟି ଟଙ୍କା କମ୍ ପାଇବେ | ଅନ୍ୟପକ୍ଷରେ ଯେଉଁ ୮ଟି ଯୋଜନା ବନ୍ଦ ହେବାକୁ ଯାଉଛି ସେଥିରେ ସରକାର ୧୮୫୪.୫ କୋଟି ଟଙ୍କା ବାର୍ଷିକ ବ୍ୟ ଭାର ମୁଣ୍ଡେଇବେ, ଅର୍ଥାତ୍ ରାଜ୍ୟ ଉପରେ ମୋଟ ବ୍ୟୟ ଭାର ୩୮୬୭.୨୬ କୋଟି ଟଙ୍କା ରହିବ | କିନ୍ତୁ ରାଜ୍ୟ ସରକାରଙ୍କର ନିଜସ୍ବ ରାଜସ୍ବ ଆଦାୟ ପ୍ରାୟ ୩୩ ପ୍ରତିଶତ ବୃଦ୍ଧି ପାଇଛି ଏବଂ ସରକାରଙ୍କ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ କେନ୍ଦ୍ରୀୟ ରାଜସ୍ବରୁ ରାଜ୍ୟ ଅଂଶ ୩୨ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବା ଫଳରେ ରାଜ୍ୟ ପ୍ରାୟ ୫୮୮୮ କୋଟି ଟଙ୍କା ଅଧିକ ପାଇବ ବୋଲି ଆକଳନ କରାଯାଇଛି | ଏଣୁ ସମୁଦାୟ ବ୍ୟୟ ଭାର ୩୮୬୭.୨୬ କୋଟି ଟଙ୍କା ହୋଇଥିବା ବେଳେ କେନ୍ଦ୍ରୀୟ ରାଜସ୍ବର ରାଜ୍ୟ ଅଂଶରୁ ପ୍ରାପ୍ତ ଅର୍ଥ ୫୮୮୮ କୋଟି ଟଙ୍କା ଅଧିକ ବଢିବାରୁ ରାଜ୍ୟରେ ପ୍ରାୟ ୨୦୨୦.୭୪ କୋଟି ଟଙ୍କା ବଳକା ରହୁଛି | ତେଣୁ ସରକାର ଯେଉଁ କେନ୍ଦ୍ର ଅନୁଦାନ ଓ କେନ୍ଦ୍ର ସହାୟତାର ନ ମିଳିବାର ଦ୍ବାହି ଦେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ସେଥିରୁ କ୍ଷାନ୍ତ ରହିବା ଉଚିତ୍ ହେବ | ଅପରନ୍ତୁ କାର୍ଯ୍ୟଦକ୍ଷତା ପ୍ରତିପାଦିତ ନ କରିପାରି ସରକାର ରାଜ୍ୟରେ ଆଗାମୀ ଦିନରେ ଘଟିବାକୁ ଯାଉଥିବା ଆର୍ଥତ୍କ ଦୁଃସ୍ଥିତି ପାଇଁ ଦାୟୀ ରହିବେ | ସରକାର ଆର୍ଥତ୍କ ସ୍ଥିତିକୁ ଆକଳନ ନକରି ଯୋଜନା ପ୍ରଣୟନ କରିବା, ଋଣର ଭାର ବଢାଇ ଚାଲିବା ଯୋଗୁଁ ଆଜି ରାଜ୍ୟ ଏକ ଆର୍ଥତ୍କ ସଂକଟ ଆଡକୁ ଠେଲି ହୋଇଯାଇଛି | ଘୋଷିତ ଜନକଲ୍ୟାଣ ସମ୍ବନ୍ଧିତ ଉନ୍ନୟନ କାଯର୍ଯକ୍ରମ ଚାଲୁ ରଖିବା ପାଇଁ ସରକାର କେଉଁଠୁ ଅର୍ଥ ଆଣିବେ ଏବଂ ସେଥିପାଇଁ ଯୋଜନା କ’ଣ ସେ ସମ୍ବନ୍ଧରେ ଜନ ସାଧାରଣଙ୍କୁ ଜଣାଇବା ଉଚିତ୍ ହେବ | ବୋଧ ହୁଏ ଦେଇଥିବା ପ୍ରତିଶୃତି କାଯର୍ଯକାରୀ କରିବାପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ ଏବଂ ରାଜ୍ୟରେ ସମ୍ପ୍ରତି ରେସନ କାର୍ଡ଼ ଦୁର୍ନୀତି, ଚାଷୀ ଆତ୍ମହତ୍ୟା, ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ବିଫଳତା ପ୍ରଭୃତି ଯୋଗୁଁ ସରକାର ବୋଧେ ବଜେଟ୍ ଅଧିବେଶନକୁ ସାମ୍ନା କରିବାକୁ ଚାହୁଁନାହାନ୍ତି | ଏକକ ସଂଖ୍ୟା ଗରିଷ୍ଠତାର ଔଦ୍ଧତ୍ୟ ହେତୁ ବିଧାନସଭାକୁ ସମ୍ପୁର୍ଣ୍ଣ ସଠିକ ମାର୍ଗରେ ନ ଚଳାଇବା ଏ ସରକାରର ଏକ ପାରମ୍ପାରିକ ଅଭ୍ୟାସରେ ପରିଣତ ହୋଇଛି | ପଂଚାୟତ ନିର୍ବାଚନ ପୂର୍ବରୁ ଜନ ସାଧାରଣଙ୍କ ନିକଟରେ ଏକ ଲୋଭନୀୟ ବଜେଟ ଉପସ୍ଥାପନ କରି ଭୋଟ ହାତେଇବା ଏହାର ଅଭିସନ୍ଧି ହୋଇପାରେ ବୋଲି ସନ୍ଦେହ କରାଯାଉଛି | ତେଣୁ କାମଚଳା ବଜେଟ ଆଗତ ନିମନ୍ତେ ସୁପାରିଶ କରିବା ପ୍ରକାରାନ୍ତରେ ଓଡିଶାବାସୀଙ୍କ ପ୍ରତି ଚରମ ବିଶ୍ବାସ ଘାତକତା ହେବ |

Share :