ଭଲ ନେତା ଖୋଜିବା ଚାଲ!

ଭଲ ନେତା ଖୋଜିବା ଚାଲ!

Share :

ପ୍ରକାଶ ରଥ ‘ଉତ୍କଳେ ନେତାଙ୍କ ନାହିଁ ପ୍ରୟୋଜନ-ଉତ୍କଳର ନେତା ନିଜେ ନାରାୟଣ’। ଏହି ଉକ୍ତିଟି ଓଡ଼ିଶାରେ କିଛି କଳଙ୍କିତ ଭ୍ରଷ୍ଟାଚାରୀ ଓ ଅନୀତିରେ ଉବୁଟୁବୁ ହେଉଥିବା ନେତୃବର୍ଗଙ୍କୁ ଲକ୍ଷ୍ୟ କରି ଲେଖା ଯାଇଥିବା ମନେ ହୁଏ। ଜଗତର ନାଥ ଜଗନ୍ନାଥଙ୍କୁ ସ୍ୱୟଂ ନାରାୟଣ ବୋଲି ଧରି ନେଇଥିବା, ଓଡ଼ିଆ ଜାତି ଜଗନ୍ନାଥ ଥିଲା ପର୍ଯ୍ୟନ୍ତ ସ୍ୱାର୍ଥପର, ସୁବିଧାବାଦୀ, ବ୍ୟକ୍ତିକୈନ୍ଦ୍ରିକ ଓ ଭ୍ରଷ୍ଟାଚାରୀ ନେତାମାନଙ୍କର ପ୍ରୟୋଜନ ନାହିଁ ବୋଲି ଏହା ମାଧ୍ୟମରେ ଚେତାଇ ଦେଇଛି। କିନ୍ତୁ ନରନାରାୟଣ ସ୍ୱରୂପ କିଛି ନେତୃତ୍ୱ ଓଡ଼ିଶାକୁ ଯଶସ୍ୱୀ କରିଦେଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ମହାତ୍ମା ଗାନ୍ଧୀଙ୍କ ସମୟରେ ଓଡ଼ିଶାରେ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ଉତ୍କଳମଣି ଗୋପବନ୍ଧୁ ଦାସ ଯିଏକି ଦୀନ, ଦୁଖି ଓ ଦରିଦ୍ରଙ୍କ ଦୁଃଖ ସହି ନପାରି ଧୋତି, ଗାମୁଛା ପିନ୍ଧି, ପ୍ରାକୃତିକ ଦୁର୍ବିପାକ ସମୟରେ ଘର ଘର ବୁଲି ଦାନ ଆଣି ପ୍ରପୀଡ଼ିତ ଜନତାଙ୍କୁ ସାହାଯ୍ୟ କରୁଥିଲେ। ଏପରିକି ନିଜ ରୋଗାକ୍ରାନ୍ତ ସନ୍ତାନକୁ ଚିକିତ୍ସା ନଦେଇ ମଧ୍ୟ ଜନତାଙ୍କ ସେବାରେ ନିଜକୁ ଲଗାଇ ଦେଇଥିଲେ ଏହି ମହାନ୍ ଉତ୍କଳୀୟ ନେତା। ତାଙ୍କ ରଚନା ‘ମିଶୁ ମୋର ଦେହ ଏଦେଶ ମାଟିରେ-ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’ ଅର୍ଥକୁ ସେ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ନିଜ ନେତୃତ୍ୱ ମାଧ୍ୟମରେ। ସେହିପରି ଜଣେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ। ତାଙ୍କ ସାଧାସିଧା ଚଳଣିକୁ ନେଇ ସେ ଏତେ ସତର୍କ ଥିଲେ ଯେ, ମୁଖ୍ୟମନ୍ତ୍ରିତ୍ୱ ପରେ ସରକାରୀ ଗାଡ଼ି ଫେରାଇ ଦେଇ ବସ୍ରେ ଆଶ୍ରମକୁ ଫେରି ଯାଇ ଚାଷବାସ କରି ନିଜକୁ ଜଣେ ଉତ୍କଳୀୟ ନେତା ଭାବେ ପରିଚୟ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ କଂଗ୍ରେସ ସନ୍ଦେଶ ପତ୍ରିକାରେ ନବକୃଷ୍ଣ ଚୌଧୁରୀ ଭଳି ନେତା ହେଲେ ଗାଁରେ ଗାଈ ଚରାଇବାକୁ ପଡ଼ିବ ବୋଲି ତାତ୍ସଲ୍ୟ କରି ଲେଖାଯାଇଥିଲା। ଏଥିରୁ ଆଜିକାଲିର ନେତାମାନଙ୍କ ନୀତି କ’ଣ ହୋଇଛି ତାହା ସହଜରେ ଜଣାପଡ଼ିଯାଏ। ନିଜ ଦେଶ, ରାଜ୍ୟ ଓ ଦଳକୁ ପଛରେ ପକାଇ ନିଜ ସ୍ୱାର୍ଥ କିପରି ପୂରଣ ହେବ ଓ ନିଜ ସମ୍ପତ୍ତିକୁ କିପରି କ୍ଷମତା ସମୟରେ ହଜାର ଗୁଣ କରିହେବ ତାହା ହିଁ ଆଜି ନେତାଙ୍କ ନୀତି ପାଲଟିଛି। ଯେଉଁମାନେ ଥରେ ପଞ୍ଚାୟତସ୍ତରରୁ ଆରମ୍ଭ କରି ରାଜ୍ୟ ନେତୃତ୍ୱ ବା କେନ୍ଦ୍ରୀୟ ନେତୃତ୍ୱରେ ନିଜକୁ ପହଞ୍ଚାଇ ପାରୁଛନ୍ତି, ସେମାନଙ୍କ ବ୍ୟାଙ୍କ ବାଲାନ୍ସ ସହସ୍ରାଧିକ ଗୁଣରେ ପହଞ୍ଚୁଥିବା ବେଳେ ସେମାନଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ପଚିଶ ପୁରୁଷ ପାଇଁ ଜମା ହୋଇ ରହୁଛି। ସାଧାରଣ ପଞ୍ଚାୟତ ନିର୍ବାଚନରେ ନିର୍ବାଚନୀ ଖର୍ଚ୍ଚ ଏବେ ୫୦ ଲକ୍ଷ ଟପିଥିବା ବେଳେ ବିଧାୟକ ଓ ସାଂସଦ ନିର୍ବାଚନରେ ଏହା ୭ କୋଟିକୁ ଟପିସାରିଲାଣି। ସ୍ଥାନେ ସ୍ଥାନେ ବିଶେଷକରି ଖଣି ଖାଦାନ ଅଞ୍ଚଳରେ ଦାମିକିଆ ପ୍ରାର୍ଥୀମାନେ ଏହି ଖର୍ଚ୍ଚର ପରିଣାମ ୫୦ କୋଟିରୁ ଉର୍ଦ୍ଧ୍ୱରେ ପହଞ୍ଚାଇ ସାରିଲେଣି। ଏତେଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢୁଥିବା ନେତାମାନେ କ’ଣ ଜନସ୍ୱାର୍ଥ ପାଇଁ ଏହି ନିର୍ବାଚନ ଲଢୁଛନ୍ତି ନା ନିର୍ବାଚନ ପରେ କ୍ଷମତା ହରଣ କରି ଖର୍ଚ୍ଚ କରିଥିବା ଅର୍ଥର ବହୁଗୁଣା ଆଦାୟ କରୁଛନ୍ତି? ନେତା ହେବାକୁ ଏମାନଙ୍କୁ ଠିକା ଦେଇଛି କିଏ? ସେମାନେ ଓ ସେମାନଙ୍କ ପରିବାର କେବଳ ନେତା ବେପାରରେ ସାମିଲ୍ ହୋଇ ଦେଶକୁ ଲୁଟ୍ କରି ଚାଲିବେ। ଆମେ ଭୋଟରମାନେ ମଧ୍ୟ ନିର୍ବାଚନ ଋତୁରେ ଏହି ଗୁଣ୍ଡା, ଟାଉଟର, ଠିକାଦାର ଓ ଭ୍ରଷ୍ଟାଚାରୀମାନଙ୍କ ଠାରୁ ଭୋଜି ଖାଇ ୫୦୦ କି ୧୦୦୦ ଟଙ୍କା ପକେଟ୍ରେ ପୂରାଇ ଏମାନଙ୍କୁ ବହୁ ମୂଲ୍ୟ ଭୋଟଟି ଦେଇଦେଉଛେ ରାଜ୍ୟକୁ ଲୁଟ୍ କରିବା ପାଇଁ। ଯୁବଗୋଷ୍ଠୀ ତ ଏମାନଙ୍କ ମଦ, ମାଉଁସ ଓ ପେଟ୍ରୋଲ ଖର୍ଚ୍ଚ ଦ୍ୱାରା ପ୍ରଭାବିତ ହୋଇ ନିଜର କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି। ଏବେ ତ ସିଧାସଳଖ ଟଙ୍କା ବିନା ଅନ୍ୟ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଯାଉଛି ଭୋଟ ଦେବା ପାଇଁ। ଫଳରେ ରାଜ୍ୟରେ ବେକାର ଯୁବକ ଦାଦନ ଖଟିବାକୁ ପଡ଼ୋଶୀ ରାଜ୍ୟକୁ ଯାଉଥିବା ବେଳେ ସମସ୍ତ ଯୋଜନାରେ ଅର୍ଥ ହଡ଼ପ ହେବା ସହ ସବୁକିଛି ଫେଲ୍ ମାରୁଛି। ଦିନକୁ ଦିନ ଗରୀବଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅରାଜକତା ବ୍ୟାପିରହୁଛି। ଏଥିପାଇଁ କୌଣସି ଏକ ରାଜନୈତିକ ଦଳକୁ ଦୋଷ ଦିଆଯାଇ ପାରିବ ନାହିଁ ବା ସବୁ ନେତାଙ୍କୁ ଦୋଷୀ ବୋଲି ଚିତ୍ରଣ କରାଯାଇ ପାରିବ ନାହିଁ। ଏବେ ବି କିଛି ନେତୃବର୍ଗ ଦେଶବାସୀଙ୍କ ଭରସାଯୋଗ୍ୟ ହୋଇ ରହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱକୁ ସମଗ୍ର ବିଶ୍ୱ ଗ୍ରହଣ କରିଥିବା ବେଳେ ସୁଭାଷ ବୋଷଙ୍କ ଆଜାଦ ହିନ୍ଦ୍ ଫୌଜର ଗାରିମାକୁ ଆଜି ପର୍ଯ୍ୟନ୍ତ ଦେଶବାସୀ ମନେ ରଖିଛନ୍ତି। ସର୍ଦ୍ଦାର ପଟେଲଙ୍କ ଦୂରଦର୍ଶୀ ତଥା ପ୍ରଭାବଶାଳୀ ନୀତି ଯୋଗୁ ଦେଶରେ ଅଖଣ୍ଡ ହୋଇରହିଛି। ଇନ୍ଦିରାଙ୍କ ବଙ୍ଗଳାଦେଶ ନିର୍ମାଣକୁ ଅଣଦେଖା କରାଯାଇ ପାରିବ ନାହିଁ। ଅଟଳ ବିହାରୀ ବାଜପେୟୀଙ୍କ ପରିପକ୍ୱତା, ଶିଷ୍ଟାଚାରକୁ ଦେଶ କେବେ ଭୁଲିପାରି ନଥିବା ବେଳେ ଅବଦୁଲ କାଲାମ ଆଜାଦଙ୍କ ଭଳି ସ୍ୱଚ୍ଛ ନେତା ଅଗାମୀ ଦିନରେ ମିଳିବେ କି ନାହିଁ ତା କଷ୍ଟକର। ଓଡ଼ିଶାର ଲୋକପ୍ରିୟ ନେତାଭାବେ ବିଜୁ ବାବୁ ଆଜି ବି ଓଡ଼ିଆଙ୍କ ହୃଦୟରେ ବାସ କରୁଛନ୍ତି। ନରେନ୍ଦ୍ର ମୋଦିଙ୍କ କର୍ତ୍ତବ୍ୟ ନିଷ୍ଠା, ପରିଶ୍ରମ ଓ ଦେଶପ୍ରେମକୁ ଆଗାମୀ ପୀଢି ମନେ ରଖିବ। ନୀତିଶ କୁମାରଙ୍କ ବ୍ୟକ୍ତିତ୍ୱ ଓ ସରଳତା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ସାଧାରଣ ଜୀବନଶୈଳୀ ଓ ସିଧାସାଦା ଚଳଣି ଆଜିର ଯୁବପୀଢିଙ୍କୁ ଭଲ ନେତୃତ୍ୱର ପରିଚୟ ଦେଉଥିବା ବେଳେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବାମପନ୍ଥୀ ମାଣିକ ସରକାରର ଜୀବନଶୈଳୀକୁ ଯିଏ ଲକ୍ଷ୍ୟ କରିଛି, ସେ ଭ୍ରଷ୍ଟାଚାରୀ ହେବାକୁ ଅନେକଥର ଚିନ୍ତା କରିବ। ଚାରା ଘୋଟାଲାରେ ଜେଲ୍‌ରେ ଥିବା ଲାଲୁ ତାଙ୍କ ପତ୍ନୀ ଓ ସନ୍ତାନ ସନ୍ତତି, ମୁଲାୟମ ସିଂଙ୍କ ଭାଇ, ପୁଅ, ବୋହୂ, ଡ଼ିଏମ୍‌କେର ଷ୍ଟାରଲିନ୍ ଓ ତାଙ୍କ ପରିବାରବର୍ଗ, କାଶ୍ମୀରରେ ଅବଦୁଲ୍ଲା ପରିବାରଙ୍କ ଶାସନକୁ କ’ଣ କୁହାଯିବ? ସେହିପରି କେଜିରୱାଲ ଓ ମମତା ବାନାର୍ଜୀ ତଥା ମାୟାବତୀଙ୍କ ପାଗଳାମୀକୁ ଏ ଦେଶ କ’ଣ ପ୍ରଶ୍ରୟ ଦେବ? ଦେଶକୁ ଭଲ ନେତୃତ୍ୱ ଦରକାର ନା ଜାତି, ଧର୍ମ, ଭାଷା ଓ ବିଭିନ୍ନ ଲୋଭ ମାଧ୍ୟମରେ ଜନତାଙ୍କୁ ଭଣ୍ଡାଉଥିବା ଭ୍ରଷ୍ଟାଚାରୀମାନଙ୍କର ଶସନ ଦରକାର, ତାହା ପୁଣିଥରେ ଚିନ୍ତା କରିବାର ସମୟ ଆସିଯାଇଛି। ଅଧ୍ୟକ୍ଷ, ରାଜ୍ୟ ନାଗରିକ ସମାଜ ଫୋନ-୯୪୩୭୨୮୫୦୯୨

Share :