ବୈଷ୍ଣବ ଜେନା ସତୁରୀ ଦଶକର କଥାଏଟିଏ। ଆମର ଜଣେ ଭାଇ ରେଭେନ୍ସା କଲେଜରୁ ବିଏସ୍ସି ପାସ୍ କଲାପରେ ରାଧାନାଥ ଟ୍ରେନିଂ କଲେଜରୁ ବିଇଡି ଡିଗ୍ରୀ ହାସଲ କରିଥିଲେ। ଗାଁ ପାଖରେ ଗୋଟିଏ ହାଇସ୍କୁଲ୍ରେ ତୁରନ୍ତ ଚାକିରୀ ମଧ୍ୟ କରିଥିଲେ। ସେ ଟିକେ ଷ୍ଟାଇଲିଷ୍ଟ। ସିନେମା ଦେଖିବା ତାଙ୍କର ବେଶ୍ ସଉକି ଥିଲା। ଚାକିରୀ କରିବା ପରେ ତାଙ୍କର ବିବାହ ହୋଇଗଲା। ଆମର ସେହି ଭାଉଜ ଜଣକ ହେଉଛନ୍ତି ଅନିନ୍ଦ୍ୟ ସୁନ୍ଦରୀ। ମାତ୍ର ମେଟ୍ରିକ୍ ଫେଲ୍। ପ୍ରଭାବଶାଳୀ ଚାଷୀ ପରିବାରର ଝିଅ। ଗାଁ ପରିବେଶରେ ବଢିଥିଲେ। ସହର ସଭ୍ୟତାଠାରୁ ଦୂରରେ ଏପରିକି ସେ ଟ୍ରେନ ଦେଖିନଥିଲେ - ବସ୍ରେ ଥରେ ମାତ୍ର ବସିଥିଲେ। ରେଡିଓ ଶୁଣିବା ତାଙ୍କର ଏକ ଅଭ୍ୟାସ ଥିଲା। ତାଙ୍କର ଏକ କ୍ଷୁଦ୍ର ରେଡିଓ ସେଟ୍ ଥିଲା। ଦିନକୁ ୧୬ ଘଣ୍ଟା ଅନ୍ୟୁନ ବାଜେ। ସେହି ନବ ବିବାହିତ ଦମ୍ପତ୍ତିଙ୍କ ମଧ୍ୟରେ ଉତ୍ତମ ସଂପର୍କ ଥିଲା। ସେମାନଙ୍କ ବାହାଘରର ପ୍ରାୟ ୬ ମାସ ପରର ଘଟଣାଟିଏ। ହଠାତ୍ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଗଲା। ପ୍ରଥମେ ହସରେ ହସରେ କଥାବାର୍ତ୍ତା ହେଲେ, ପରେ ଉଭୟ ରାଗି ଗଲେ। ଉଭୟ ନିଜ ନିଜ କଥାରେ ଅଟଳ ରହିଲେ। ପ୍ରସଙ୍ଗଟି ଥିଲା ମଜାଦାର। ‘ରେ... ଆତ୍ମନ, ନିଦ୍ରା ପରିହରି - ଫେଡି ଚିନ୍ତାର ଲୋଚନ-କର କର ନିରୀକ୍ଷଣ’ ଗୀତଟିକୁ କିଏ ଗାଇଛନ୍ତି ? ଭାଉଜ କହିଲେ ସେହି ଗୀତଟିକୁ ଗାଇଛନ୍ତି ପ୍ରଫୁଲ୍ଲ କର। ଭାଉଜଙ୍କର ଏହି ଯୁକ୍ତିକୁ ହସରେ ଉଡାଇଲେ ଆମର ସେହି ବଡ଼ଭାଇ। ସେ କହିଲେ, ଏହି ଗୀତଟିକୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ। ଏହାଛଡ଼ା ସେ କହିଥିଲେ - ତୁମେ ଜଣେ ମଫସଲି - ସିନେମା ଦେଖିନାହଁ - ସିନେମା ଗୀତ ବିଷୟରେ ଜାଣିବ କେଉଁଠୁ? ଏକଥାରେ ଭାଉଜ ଆମର ରାଗିଗଲେ। ତାଙ୍କର ଆଖି ଅଗ୍ନି ବର୍ତ୍ତୁଳା ପରି ହୋଇଗଲା। ଗୋରାତକ ତକ ଦେହଟି ତାଙ୍କର ରକ୍ତବର୍ଣ୍ଣ ହୋଇଗଲା। ସେ ଖାଲି ରାଗିକରି ଫଁ ଫଁ ହେଲେ। ସେ କଥାରେ ଅଟଳ ରହିଲେ। ପାଟିତୁଣ୍ଡ ଜୋର୍ରେ କଲେ। ବିଶେଷ କରି ତାଙ୍କୁ କାହିଁକି ମଫସଲି ବୋଲି ତାଙ୍କ ସ୍ୱାମୀ କହିଲେ ତାହା ସେ ଜାଣିବାକୁ ଚାହିଁଲେ। ଅପର ପକ୍ଷରେ ସ୍ତ୍ରୀଙ୍କର ଔଦ୍ଧତ୍ୟ ଦେଖି ଭାଇ ଆମର ନୀରବ ରହିଲେ ନାହିଁ। ଉଚ୍ଚ ସ୍ୱରରେ ପାଟିତୁଣ୍ଡ ହେଲା। ସେ କହିଲେ ପ୍ରଣବ ପଟ୍ଟନାୟକଙ୍କ କଣ୍ଠସ୍ୱର ମଁୁ ଭଲଭାବରେ ଜାଣିଛି- ଏହାଛଡା ସେହି ଗୀତଟି ଏକ ଚଳଚ୍ଚିତ୍ରର ଗୀତ ହୋଇଥିବାରୁ ତାହାର ଗାୟକଙ୍କୁ ଓଡ଼ିଶାବାସୀ ସମସ୍ତେ ଜାଣନ୍ତି। ଭାଉଜ ମଧ୍ୟ ନଛୋଡ ବନ୍ଧା। ସେମାନଙ୍କର କଳି ଦେଖି ପରିବାର ଓ ସାହି ପଡ଼ିଶା ଆଶ୍ଚର୍ଯ୍ୟ ହେଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଅପଡ଼ ହୋଇଗଲା। ଦୁହେଁ ଗୋଟିଏ ଘରେ ରହିଲେ କି କଥାବାର୍ତ୍ତା ହେଲେ ନାହିଁ। ଭାଇଙ୍କୁ ଭାଉଜ ଖାଇବା ପରଶିଲେ ନାହିଁ। ପରିବାର ମଧ୍ୟରେ ଅସନ୍ତୋଷ ଲାଗି ରହିଲା। ଭାଉଜ ନିଜ ଘରକୁ ଚାଲିଯିବାକୁ କାନ୍ଦି କାନ୍ଦି ତାଙ୍କ ଶାଶୁଙ୍କୁ ନିବେଦନ କଲେ। ଏକଥା ଆମ ଗାଁରୁ ଯାଇ ଭାଉଜଙ୍କ ଗାଁରେ ଚହଳ ସୃଷ୍ଟି କଲା। ଦିନକର ସକାଳର କଥାଟିଏ। ହଠାତ୍ ସେହି ଭାଉଜଙ୍କ ଚିତ୍କାର ଶୁଣାଗଲା। ସେ ଶୁଣୁଥିବା ରେଡିଓର ସାଉଣ୍ଡ ବଢାଇଦେଲେ। ମାସେ ହେବ ଅପଡ଼ରେ ଥିବା ସ୍ୱାମୀଙ୍କୁ ଯାଇ ବିଛଣାରୁ ଉଠାଇଲେ ଏବଂ ଲୁହ ଛଳ ଛଳ ଆଖିରେ କହିଲେ - ଶୁଣିବ ଆସ ସେହି ଗୀତ - କିଏ ଗାଇଛି ଶୁଣିବ ଆସ। ଭାଉଜଙ୍କ ସେହି ଚିତ୍କାର ଶୁଣି ଆମ୍ଭେମାନେ ମଧ୍ୟ ଉଠି ରେଡିଓ ଲଗାଇଦେଲୁ। ନିମିଷକ ମଧ୍ୟରେ ଆମର ସେହି ଛୋଟ ସାହିଟିରେ ସବୁ ରେଡିଓ ବାଜି ଉଠିଲା। ସମସ୍ତେ ଶୁଣିଲେ ଆକାଶବାଣୀ କଟକ ଦ୍ୱାରା ପ୍ରସାରିତ ସେହି ଗୀତଟିକୁ। ଗାୟକଙ୍କ ନାମ ମଧ୍ୟ ଶୁଣିଲେ। କହିବା ବାହୁଲ୍ୟ ଯେ ତାହାର ଗାୟକ ଥିଲେ ପ୍ରଫୁଲ୍ଲ କର। ଏହା ଶୁଣିବା ପରେ ଭାଇ ସ୍ତବ୍ଧ ହୋଇଗଲେ। ନିର୍ବାକରେ ତାଙ୍କର ସେହି ପ୍ରାଣପ୍ରିୟା ପତ୍ନୀଙ୍କୁ ଚାହିଁ ରହିଲେ। ପତ୍ନୀଙ୍କ ଛଳ ଛଳ ଆଖି ଏବଂ କୋହଭରା କଣ୍ଠ ସହିତ ତାଙ୍କର ଛଳ ଛଳ ଆଖି ମିଶିଗଲା। ଭାଇ ତାଙ୍କର ଭୁଲ୍ ବୁଝିଗଲେ। ଏହା ସେ ଦୁହିଁଙ୍କ ମଧ୍ୟରେ ସଂପର୍କ ସ୍ୱାଭାବିକ ହୋଇଗଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆଜି ପର୍ଯ୍ୟନ୍ତ ଆମର ସେହି ଭାଇ ତାଙ୍କର ପତ୍ନୀଙ୍କ ସହିତ ଆଉ ଯୁକ୍ତିତର୍କ କରିନାହାଁନ୍ତି। ସବୁ କଥାରେ ସାଲିସ୍। ଏବେ ଯୋଡା ଯୋଡା ପୁଅବୋହୂ, ନାତିନାତୁଣୀଙ୍କ ସହିତ ବେଶ୍ ଭଲରେ ଅଛନ୍ତି। ଏଭଳି ଏକ ବିରଳ ତଥା ମଜାଦାର ଘଟଣାର ଅବତାରଣା କରିବାର ଏକ କାରଣ ରହିଛି। ଯେଉଁ ଗୀତଟି ଆମେ ଉଲ୍ଲେଖ କରିଛୁ, ତାହା ଏକ ସାଧାରଣ ବା ଚାଲୁ ଗୀତ ନୁହେଁ। ତାହା ଭକ୍ତକବି ମଧୁସୂଦନ ରାଓଙ୍କ କାଳଜୟୀ କବିତା - ଜୀବନ ଦର୍ଶନର ଗାଥା। ପ୍ରଫୁଲ୍ଲ ଭାଇନା ସେହି ଗୀତଟି ଚିହ୍ନଟ କରି ସ୍ୱର ସଂଯୋଜନା କଲା ପରେ କଣ୍ଠଦାନ କରିଥିଲେ। ଭକ୍ତି ସଂଗୀତ କାର୍ଯ୍ୟକ୍ରମରେ ତାହା ରେଡିଓରେ ବହୁବାର ପ୍ରସାରିତ ହୋଇଥିଲା। ମାତ୍ର ‘ମମତା’ ଚଳଚ୍ଚିତ୍ର ପାଇଁ ପ୍ରଫୁଲ୍ଲ ଭାଇନା ଯେତେବେଳେ ସଂଗୀତ ନିର୍ଦ୍ଦେଶକ ଭାବେ ଚୁକ୍ତିବଦ୍ଧ ହେଲେ ସେତେବେଳେ ସେହି ଗୀତଟିକୁ ସେଥିରେ ସାମିଲ୍ କରିଥିଲେ। ଏହି ଗୀତଟିକୁ ଗାଇବା ନିମନ୍ତେ ନିଜେ ପ୍ରଫୁଲ୍ଲ ଭାଇନା ପ୍ରଣବ ପଟ୍ଟନାୟକଙ୍କୁ ବାଛିଥିଲେ। ପ୍ରଣବ ବାବୁ ବଜ୍ର ଗମ୍ଭୀର କଣ୍ଠରେ ତାହାକୁ ଗାଇ ଶ୍ରୋତାଙ୍କୁ ବି ମୁଗ୍ଧ କରିଥିଲେ। ଯାହାକି ଏକ ନୂତନ ଇତିହାସ ସୃଷ୍ଟି କରିଥିଲା। ପ୍ରଣବ ବାବୁଙ୍କର ଶ୍ରେଷ୍ଠ ଦୁଇଟି ଗାୟନ ମଧ୍ୟରୁ ଏହା ଅନ୍ୟତମ ଅଟେ। ଅନ୍ୟଟି ହେଉଛି ‘ଏଇ ଜୀବନଟା ଏକ ନାଟକ...’। ଏକଥା ସମସ୍ତେ ଜାଣନ୍ତି ଓ କୁହନ୍ତି। ଯେତେ ଶୁଣିଲେ ବି ଏହି ଗୀତଟିକୁ ପୁନର୍ବାର ଶୁଣିବାକୁ ଇଚ୍ଛା ହୁଏ। ଏହି ଗୀତଟି ସମ୍ପର୍କରେ ଆମ୍ଭେ ଥରେ ନିକଟରେ ପଦ୍ମଶ୍ରୀ ସମ୍ମାନ ପାଇଥିବା ପ୍ରଫୁଲ୍ଲ ଭାଇନାକୁ ପଚାରିଥିଲୁ। ପ୍ରଫୁଲ୍ଲ ଭାଇନା ଓଡ଼ିଶା ରାଜ୍ୟରେ କମଳଦେଶର ରାଜକୁମାର ନାମରେ ପରିଚିତ। ବିଶେଷକରି ତାହା ରେକର୍ଡ ବା କ୍ୟାସେଟ୍ ହୋଇଛି କି ବୋଲି ଜାଣିବାକୁ ଚାହିଁଥିଲି। ଭାଇନା ଟିକେ ହସି ଥିଲେ। ତାହା ପରେ କହିଥିଲେ - ପ୍ରଣବ ବାବୁଙ୍କ କଣ୍ଠରୁ ସେହି ଗୀତକୁ କୋଟି କୋଟି ଓଡ଼ିଶାବାସୀ ଶୁଣିଲା ପରେ ଆଉ ପ୍ରଫୁଲ୍ଲ କରଙ୍କୁ କ’ଣ ଶୁଣିବେ? ଏ କ୍ଷେତ୍ରରେ ମଧ୍ୟ ଭାବନା ତାଙ୍କର ମହାନତା ପ୍ରଦର୍ଶନ କରିଥିଲେ। ସେହିପରି ଭାବେ ଅକ୍ଷୟ ମହାନ୍ତି ଓରଫ୍ ଖୋକା ଭାଇଙ୍କ ପ୍ରସଙ୍ଗରେ ମଧ୍ୟ ଏକ ଜମାଣିଆ ଘଟଣାଟିଏ ଅଛି। ଖୋକାଭାଇ କଟକ ପ୍ରେମୀ। କଟକ ସହରର ପୂଜା ପର୍ବ, ଚାଲିଚଳଣ ଓ କଥିତ ଭାଷାକୁ ନେଇ ସେ ବହୁ ଗୀତ ରଚନା କରିଛନ୍ତି। କଟକରେ ଭିନ୍ନ ଭିନ୍ନ ସମୟରେ ସୃଷ୍ଟି ହୋଇଥିବା ବୋଲିବାଣୀ (କମେଣ୍ଟ) ତାଙ୍କୁ ଆମୋଦିତ କରିଥାଏ। କଟକରେ ୬୦ ଏବଂ ୭୦ ଦଶକରେ ‘କେଡେ଼ ନାଲିକି’, ‘କୋଉଠି ଥୋଇବି’, ‘ନାଲି ଚୁଡ଼ା’, ‘ପଡିଯିବକି’, ‘ଦେଖେ ତାକୁ’, ‘ଢୀରା ଦେବକି’ ଆଦି ବୋଲିବାଣୀ ସୃଷ୍ଟି ହୋଇଗଲା। ଏହାକୁ ନେଇ ଖୋକା ଭାଇ କେତେକ ଚାଲୁଗୀତ ଲେଖିଥିଲେ। ତେବେ ଖୋକାଭାଇ ଏବଂ ତୃପ୍ତିଦାସଙ୍କ ଦ୍ବୈତ ସଂଗୀତ ‘ଏ ସତେ ମଁୁ ପଡି ଯିବିକି’ ବେଶ୍ ଲୋକପ୍ରିୟ ହୋଇଥିଲା। ମାତ୍ର ଖୋକାଭାଇଙ୍କ ବହୁଳ ସଫଳତା ପ୍ରଫୁଲ୍ଲ ଭାଇନାଙ୍କ ପ୍ରଶଂସକଙ୍କ (ଫ୍ୟାନ) ଦ୍ୱାରା ଗ୍ରହଣୀୟ ହେଲାନାହିଁ। ଏ ସମ୍ପର୍କରେ କଟକରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚାଲିଥିବା ସନ୍ଧ୍ୟାକାଳୀନ ଆସରରେ ଆଲୋଚନା ଚାଲିଥିଲା। ଆସରରେ ପ୍ରଫୁଲ୍ଲ ଭାଇନା ମୁଖ୍ୟ ଥିଲେ। ହଠାତ୍ ଭାଇନା କହିଉଠିଲେ - କଟକୀ ବୋଲିବାଣୀକୁ ନେଇ ଚାଲୁ ଗୀତ ଲେଖାଯିବା କିଛି ବଡ଼ କଥା ନୁହେଁ। ବୋଲିବାଣୀକୁ ନେଇ ଭକ୍ତିସଂଗୀତ ମଧ୍ୟ ଲେଖାଯାଇପାରିବ। କଥାଟା ସେତିକିରେ ରହିଯିବ ବୋଲି ଅନ୍ୟମାନେ ଧରି ନେଇଥିଲେ। ଖୁବ୍ଶୀଘ୍ର ଭାଇନା ଅନ୍ୟତମ ବୋଲିବାଣୀ ‘କୋଉଠି ଥୋଇବି’କୁ ନେଇ ଏକ ଗୀତ ରଚନା କଲେ। ‘କୋଉଠି ଥୋଇବି ଭାବୁ ମୁଢମତି, ସେ ତ କାଳିଆର ପାଶେ ଥୋଇଦେ ରେ.... ସବୁ ଲୁହ ଯାକ ଢାଳି ଦେଇ ତୁ ରେ.... ତା ପାଦ ଯେତିକି ଧୋଇ ଦେ’ରେ...’ ଏହାକୁ ରଚନା କରିବା ସହିତ ସ୍ୱର ସଂଯୋଜନା ମଧ୍ୟ ସେ କରିଥିଲେ ଓ ଗାଇଥିଲେ। ଏହି ଗୀତଟିକୁ ସେତେବେଳେ ସକାଳୁ ସକାଳୁ ଯିଏ ଶୁଣିଛି, ସେ ତାହାର ମଧୁରତା ଜାଣିଛି। ଏହି ଗୀତଟି କ୍ୟାସେଟ୍ ହୋଇଛି କି ନାହିଁ ତାହା ମଧ୍ୟ ଆମ୍ଭେ ଭାଇନାଙ୍କୁ ଦିନେ ପଚାରିଥିଲୁ। ଆମକୁ ଏଥର ମଧ୍ୟ ସେ ନିରାଶ କରିଥିଲେ। କିଛି କାରଣ ନଥାଇ ସେହି ଲୋକପ୍ରିୟ ଜଣାଣଟି କ୍ୟାସେଟ୍ ନହୋଇ ରହିଗଲା ବୋଲି କହିଥିଲେ। ସାମ୍ୱାଦିକ , ମୋ-୯୪୩୭୦୦୭୨୦୦