ବିଜେଡି ନେତାଙ୍କ ପାଇଁ ଅଟକିଛି ତଟ ରାଜପଥ!

ବିଜେଡି ନେତାଙ୍କ ପାଇଁ ଅଟକିଛି ତଟ ରାଜପଥ!

Share :

ସନ୍ଧାନୀ ସମ୍ବାଦଦାତା ପୁରୀ ଜିଲ୍ଲାର ଦୁଇ ଜଣ ପ୍ରଭାବଶାଳୀ ନେତାଙ୍କ ପାଇଁ ଦୁଇ ଦଶନ୍ଧିର ପରିକଳ୍ପିତ ତଟ ରାଜପଥ କାମ ଅଟକିଥିବା ଏବେ ଜଣାପଡ଼ିଛି। ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ହିଁ ପରୋକ୍ଷରେ ଏହି ସଂକେତ ଦେଇଛନ୍ତି। ସେ ଦେଇଥିବା ସଂକେତ ଉପରେ ଅଧିକ ତଦନ୍ତ କରାଯିବା ପରେ ଏହି ସନ୍ଦେହ ସାମ୍ନାକୁ ଆସିଛି। ରିୟଲ ଇଷ୍ଟେଟ କାରବାର ସହିତ ସଂପୃକ୍ତ ବିଜୁ ଜନତା ଦଳର ଦୁଇ ପୁରୀ ନେତା ନିଜର ଓ ନିଜ ଲୋକଙ୍କ ଜମି ଅଂଚଳ ଦେଇ ତଟ ରାଜପଥକୁ ବୁଲାଇ ନେବାକୁ ଚାହୁଁଥିବାରୁ ପୂର୍ବରୁ କେନ୍ଦ୍ର ସରକାର ମଂଜୁର କରିଥିବା ଆଲାଇନମେଣ୍ଟକୁ ବିରୋଧ କରୁଛନ୍ତି। ସେମାନଙ୍କ କଥାରେ ଓଡ଼ିଶାର ପୂର୍ତ୍ତ ବିଭାଗ ମଧ୍ୟ ହଁ’ରେ ହଁ ମାରିଛି। କାରଣ ଅବସର ପରେ ଦୁଇ ଦୁଇ ଥର କାର୍ଯ୍ୟକାଳ ବୃଦ୍ଧିର ବରଦାନ ପାଇଥିବା ବର୍ତ୍ତମାନର ପୂର୍ତ୍ତ ସଚିବ ଆସନ୍ତା ନିର୍ବାଚନରେ ବିଜେଡି ଟିକେଟରେ ଆଠମଲ୍ଲିକରୁ ପ୍ରାର୍ଥୀ ହେବାକୁ ଆଶାବାନ୍ଧି ବସିଛନ୍ତି। ୨୦୧୯ ଫେବୃଆରୀ ୧୩ ତାରିଖରେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରସ୍ତାବିତ ତଟ ରାଜପଥ ପ୍ରକଳ୍ପର ପୁରୀ-ସାତପଡ଼ା ଏବଂ କୋଣାର୍କ-ଅସ୍ତରଙ୍ଗ ରାସ୍ତାର ଆଲାଇନମେଣ୍ଟ ସହିତ ରାଜ୍ୟ ସରକାର ସହମତ ହୋଇନାହାନ୍ତି। କୋଣାର୍କ-ଅସ୍ତରଙ୍ଗର ଅଂଚଳରେ ପ୍ରସ୍ତାବିତ ସଡ଼କକୁ ସମୁଦ୍ର ନିକଟ ଦେଇ ନେବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ଗଣମାଧ୍ୟମକୁ ଦେଇଥିବା ତାଙ୍କର ବୟାନ ଅନୁସାରେ ଏହି ସେକ୍ସନରେ ତଟ ରାଜପଥ ସମୁଦ୍ର ପାଖ ଦେଇ ଗଲେ ଲୋକମାନେ ରାସ୍ତା ଉପରୁ ସମୁଦ୍ରର ଦୃଶ୍ୟ ଉପଭୋଗ କରିପାରିବେ। ସେହିପରି ଚିଲିକା ଉପରେ ଦୁଇଟି ସୁଦୃଶ୍ୟ ସେତୁ ନିର୍ମାଣ ପାଇଁ ମଧ୍ୟ ସେ ମତ ଦେଇଛନ୍ତି। ଏ ଦୁଇଟି ଯେପରି ସିଗ୍‌ନେଚର ସେତୁ ବା ସୁଦୃଶ୍ୟ ଓ ଉଦାହରଣଯୋଗ୍ୟ ହୁଏ ତାହା ଦେଖିବା କେନ୍ଦ୍ର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ କାମ ବୋଲି ସେ କହିଛନ୍ତି। ସାତପଡ଼ା-ପୁରୀ ସେକ୍ସନର ଆଲାଇନମେଣ୍ଟ ବଦଳାଇବାକୁ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ବୋଲି ନଳିନୀ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତାଙ୍କ କଥାରୁ ସ୍ପଷ୍ଟ ହୋଇଯାଇଛି ଯେ ପଶ୍ଚିମ ବଙ୍ଗର ଦୀଘାରୁ ଓଡ଼ିଶାର ଗୋପାଳପୁର ଯାଏଁ ପରିକଳ୍ପିତ ୪୧୫ କିଲୋମିଟରର ତଟ ରାଜପଥ ପ୍ରକଳ୍ପ କେବଳ ପୁରୀ ଜିଲ୍ଲା ଅନ୍ତର୍ଗତ ଏହି ଦୁଇଟି ସେକ୍ସନର ରୋଡ୍‌ ଆଲାଇନମେଣ୍ଟ ପାଇଁ ଅଟକି ରହିଛି। ଏହି ଦୁଇ ସେକ୍ସନର ରୋଡ଼ ଆଲାଇନମେଣ୍ଟ ବଦଳାଇବାକୁ ରାଜ୍ୟ ସରକାର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ବା ଏନଏଚଏଆଇକୁ କହିଛନ୍ତି। ଯେକୌଣସି ଅଂଚଳ ଦେଇ ରାଜପଥ ଗଲେ ସେହି ଅଂଚଳର ବହୁବିଧ ଉନ୍ନତି ହୋଇଥାଏ। ପ୍ରସ୍ତାବିତ ତଟ ରାଜପଥ ଭଳି ଏକ ଗୁରୁତ୍ବପୂର୍ଣ୍ଣ ସଡ଼କ ପ୍ରକଳ୍ପ ଯୋଗୁଁ ସଂପୃକ୍ତ ଅଂଚଳରେ ପର୍ଯ୍ୟଟନ ଓ ଗମନାଗମନ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଆର୍ଥ-ସାମାଜିକ ସମୃଦ୍ଧିର ମଧ୍ୟ ବାହକ ହୋଇପାରିବ। ସେହିପରି ଏହି ରାସ୍ତା ଯେଉଁ ଅଂଚଳ ଦେଇ ଗତି କରିବ ସେହି ଅଂଚଳର ରିୟଲ ଇଷ୍ଷେଟ ମୂଲ୍ୟ ମଧ୍ୟ ବହୁ ଗୁଣ ବୃଦ୍ଧି ପାଇବ। ତଟ ରାଜପଥ ନିକଟରେ ହୋଟେଲ, ବଜାର, ବହୁତଳ ଆପାର୍ଟମେଣ୍ଟ ଓ ଭିଲ୍ଲା ଆଦି ଗଢ଼ି ଉଠିବାର ସମ୍ଭାବନା ଅଧିକ। ତେଣୁ ଏହି କ୍ଷେତ୍ରର ବ୍ୟବସାୟୀମାନେ ସବୁବେଳେ ନିଜର ବା ନିଜ ଲୋକମାନଙ୍କର ଜମି ପାଖ ଦେଇ ଏପରି ଏକ ଜାତୀୟ ସଡ଼କ ପ୍ରକଳ୍ପ ଗତି କରୁ ବୋଲି ଚାହିଁବା ସ୍ବାଭାବିକ। ସେହିପରି ଅନେକ ସମୟରେ ଏହିପରି ନ୍ୟସ୍ତସ୍ବାର୍ଥ ଲୋକମାନେ ଏଭଳି ଏକ ପ୍ରସ୍ତାବିତ ସଡ଼କ ପ୍ରକଳ୍ପ ନିକଟରେ ଜମି କିଣି ପରେ ସେଥିରୁ ପ୍ରଚୁର ବ୍ୟାବସାୟିକ ଫାଇଦା ଉଠାଇବାକୁ ଯୋଜନା କରିଥାନ୍ତି। ଶାସକ ବିଜୁ ଜନତା ଦଳର ଦୁଇ ଜଣ ପୁରୀ ଜିଲ୍ଲା ନେତା ସଂପ୍ରତି ରିୟଲ ଇଷ୍ଟେଟ୍‌ ବ୍ୟବସାୟ ସହିତ ସଂପୃକ୍ତ ଅଛନ୍ତି। ଜଣେ ନେତା ନିଜ ପୁଅର ଆପାର୍ଟମେଣ୍ଟର ବ୍ୟାବସାୟିକ ଗୁରୁତ୍ବ ବୃଦ୍ଧି କରିବାକୁ ଗତ ନବ କଳେବର ସମୟରେ ସେହି ବାଟେ ବାଇପାସ୍‌ ଓ ଓଭରବ୍ରିଜ ବୁଲେଇ ନେବାରେ ସଫଳ ହୋଇଥିଲେ। ଠିକ ସେହି ଉଦ୍ଦେଶ୍ୟରେ ଆବଶ୍ୟକତା ନଥାଇ ବି ଭୁବନେଶ୍ବର-ପୁରୀ ରାସ୍ତାର ପୁରୀଠାରୁ ପ୍ରାୟ ୧୦ କିଲୋମିଟର ପୂର୍ବରୁ ଏକ ବସ୍‌ ଷ୍ଟାଣ୍ଡ ନିର୍ମାଣ କରାଗଲା। ସେହି ବସ୍‌ ଷ୍ଟାଣ୍ଡ ନିର୍ମାଣରେ ୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା। ପୁରୀର ଏତେ ଦୂରରେ କୌଣସି ବସ୍‌ ଯାତ୍ରୀ ଓହ୍ଲାଇବେ ନାହିଁ ଓ ଓହ୍ଲେଇଲେ ବି ହଇରାଣ ହେବେ ଏକଥା ଜାଣି ମଧ୍ୟ ନବୀନ ପଟ୍ଟନାୟକଙ୍କ ସରକାର ସେ ବାବଦରେ ଟଙ୍କା ଉଡ଼େଇଥିଲେ। ଏବେ ସେହି ବସ୍‌ ଷ୍ଟାଣ୍ଡ ଅସାମାଜିକଙ୍କ ଆଡ୍ଡାରେ ପରିଣତ ହୋଇଛି। ତେବେ ସେହି ବସ୍‌ ଷ୍ଟାଣ୍ଡ ଓ ବାଇପାସ୍‌ ଯୋଗୁଁ ନେତାଙ୍କ ପୁଅର ପ୍ରାୟ ସବୁ ଆପାର୍ଟମେଣ୍ଟ ବର୍ଦ୍ଧିତ ମୂଲ୍ୟରେ ବିକ୍ରି ହୋଇଗଲା। ଏହି ନେତାଙ୍କର ପୁରୀ ଓ କୋଣାର୍କ ମଧ୍ୟରେ ସମୁଦ୍ର କୂଳରେ ଥିବା ଅନେକ ହୋଟେଲ ମାଲିକଙ୍କ ସହିତ ନିବିଡ଼ ସଂପର୍କ ରହିଛି। ଏଇ ନିକଟରେ ଏହି ନେତାଙ୍କର ଜଣେ ଖାସ୍‌ ଲୋକଙ୍କ ଜମିକୁ ଲାଗି ରହିଥିବା ବଳିଆପଣ୍ଡା ସିପସରୁବାଲି ଅଂଚଳରୁ ବାଲି ଚୋରା ଚାଲାଣ ବେଳେ ପୁଲିସ ୧୦ ଜଣଙ୍କୁ ଗିରଫ କରିଥିଲା। ଏହି ଜମିରେ ନେତା ଜଣକ ଏକ ଭବ୍ୟ ହୋଟେଲ ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି। ପୁରୀ ସହରର ଅନେକ ରିୟଲ ଇଷ୍ଟେଟ୍‌ ବେପାରୀଙ୍କ ସହିତ ମଧ୍ୟ ନେତାଙ୍କର ନିବିଡ଼ ସଂପର୍କ ଥିବା ଜିଲ୍ଲାର ପ୍ରାୟ ସବୁ ନେତାଙ୍କୁ ଜଣା। ଅନ୍ୟ ନେତା ଜଣ ମୂଳରୁ ରିୟଲ ଇଷ୍ଟେଟ୍‌ ବ୍ୟବସାୟ ସହିତ ସଂପୃକ୍ତ ଥିଲେ। ତାଙ୍କର ଘନିଷ୍ଟ ସଂପର୍କୀୟମାନେ ଏବେ ଏହି କାରବାର ଚଳେଇଛନ୍ତି। ରାଜଧାନୀ ଭୁବନେଶ୍ବରରେ ତାଙ୍କର ଏକାଧିକ ଆପାର୍ଟମେଣ୍ଟ ବିକ୍ରି ହୋଇସାରିଛି। ହୋଟେଲ ବା ହସ୍ପିଟାଲିଟି ଶିଳ୍ପରେ ମଧ୍ୟ ତାଙ୍କର ଟଙ୍କା ଲାଗିଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ଅନୁଦାନରେ ଆରମ୍ଭ ହୋଇଥିବା ଶାମୁକା ପ୍ରକଳ୍ପରୁ ଆର୍ଥନୀତିକ ଫାଇଦା ଉଠାଇବାକୁ ଏହି ନେତା ଏମିତି ପେଞ୍ଚପାଞ୍ଚ କଲେ ଯେ ତାହା ଏବେ ଅଧୁରା ରହିଛି। ଚିଲିକାରେ ଅନେକ ବେଆଇନ ଚିଙ୍ଗୁଡ଼ି ଘେରି ସହିତ ବିଭିନ୍ନ ବାଟରେ ଜଡ଼ିତ ଏହି ନେତା ହାଇକୋର୍ଟ ରାୟରେ ଚାଲିଥିବା ଘେରିଭଙ୍ଗା ଅଭିଯାନକୁ ବି ଭଣ୍ଡୁର କରାଇଥିଲେ। ତତ୍କାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପ୍ରଭାବିତ କରି ଏକ ସମୀକ୍ଷା ବୈଠକ ଆୟୋଜନ କରାଇବାରେ ସେ ସଫଳ ହୋଇଥିଲେ। ଏହି ବୈଠକରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିହିତ ବାର୍ତ୍ତା ମିଳି ଯାଇଥିଲା। ଏହା ପରେ ଘେରିଭଙ୍ଗା ବନ୍ଦ ରହିଥିଲା। ପରେ ଘେରଭଙ୍ଗା ଅଭିଯାନର ନେତୃତ୍ବ ନେଇଥିବା ଜଣେ ଅଧିକାରୀଙ୍କୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷରୁ ଅନ୍ୟତ୍ର ବଦଳି କରିଦିଆଯାଇଥିଲା। ଏହି ଦୁଇ ନେତାଙ୍କ ମିଳିତ ଗୋଟି ଚାଳନାରେ କେବଳ ପୁରୀ ଜିଲ୍ଲା ରାଜନୀତି ନିୟନ୍ତ୍ରିତ ହୁଏ ନାହିଁ, ରାଜ୍ୟ ସରକାରଙ୍କର ବହୁ ନୀତି ଓ ନିଷ୍ପତ୍ତି ମଧ୍ୟ ମୋଡ଼ି ହୋଇଯାଏ। ଆଠମଲ୍ଲିକରେ ବିଜେଡି ଟିକେଟ ଆଶାୟୀ ପୂର୍ତ୍ତ ସଚିବ ବହୁ ଭାବେ ଏହି ଦଳ ସହିତ ଜଡ଼ିତ ଥିବାରୁ ସେ ସେମାନଙ୍କ କଥାରେ ପଡ଼ି ତଟ ରାଜପଥ ପ୍ରକଳ୍ପରୁ ଏହି ନେତାମାନଙ୍କ ଫାଇଦା ଉଠାଇବାକୁ ଯୋଜନା କରିଥାଇ ପାରନ୍ତି। ଏହି ସରକାର ସମୟରେ ବହୁ ଯୋଗ୍ୟ ଯନ୍ତ୍ରୀଙ୍କୁ ସୁପରସେଡ୍‌ କରି ସୁପରିଣ୍ଟେଣ୍ଡେଣ୍ଟ ଇଂଜିନିଅର ଓ ଚିଫ୍‌ ଇଂଜିନିଅର ହୋଇଥିବା ଏହି ବ୍ୟକ୍ତିଙ୍କ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଡଜନେ ହେବ ପୋଲ ଭୁଶୁଡ଼ିଛି ଓ ଗୁରୁପ୍ରିୟା ସେତରୁର ଡିଜାଇନ ବଦଳାଇ କୋଟିକୋଟି ଟଙ୍କାର ବ୍ୟୟ ବୃଦ୍ଧି କରାଯାଇଥିବା ଅଭିଯୋଗ ହୋଇଛି। ଏହି କରିତକର୍ମା ଯନ୍ତ୍ରୀଙ୍କ ସମୟରେ କେନ୍ଦୁରର ଏକ ପୋଲ ନିର୍ମାଣର ମାତ୍ର କେଇ ମାସ ଭିତରେ ଭୁଶୁଡ଼ି ପଡ଼ିଥିଲା। ସେଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ ପୁରସ୍କାର ମିଳିଥିଲା। ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପରୁ ସେ ଶାସକ ଦଳ ପାଇଁ ପାଣ୍ଠି ସଂଗ୍ରହ କରନ୍ତି ବୋଲି ବିଭିନ୍ନ ସମୟରେ ବିରୋଧୀ ଦଳ ତରଫରୁ ଅଭିଯୋଗ ରହିଛି। ଏବେ ସେ ତଟ ରାଜପଥ ପ୍ରକଳ୍ପରୁ ମଧ୍ୟ ପ୍ରଚୁର ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥାଇ ପାରନ୍ତି ବୋଲି ରାଜନୀତିକ ମହଲରେ ସନ୍ଦେହ କରାଯାଉଛି। ଏଠାରେ ଉଲ୍ଲେଖଯାଗ୍ୟ ଯେ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର ଯଦି ସତରେ ଅନୈତିକ ସ୍ବାର୍ଥ ପରିବର୍ତ୍ତେ ଖାସ୍‌ ବିକାଶ ପାଇଁ ତଟ ରାଜପଥ ପ୍ରକଳ୍ପ ଉପରେ ଗୁରୁତ୍ବ ଦେଉଥାନ୍ତେ ତେବେ ଏହା ଅନେକ ପୂର୍ବରୁ ହୋଇସାରନ୍ତାଣି। ଏହି ପ୍ରକଳ୍ପ ଚିନ୍ତା ନୂଆ ନୁହେଁ। ୧୯୯୯ ମହାବାତ୍ୟା ପରେ ପରେ ଓଡ଼ିଶା ସରକାରଙ୍କର ତତ୍କାଳୀନ ପୂର୍ତ୍ତ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତି ପ୍ରଥମେ ଏପରି ଏକ ପ୍ରକଳ୍ପ ପ୍ରସ୍ତାବ ଦେଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କର ତତ୍କାଳୀନ କେନ୍ଦ୍ର ସରକାର ମଧ୍ୟ ଏପରି ଏକ ପ୍ରକଳ୍ପ ପ୍ରତି ସହମତି ପ୍ରଦାନ କରିଥିଲେ। କିନ୍ତୁ ସେଥିପାଇଁ ପାଣ୍ଠି ବ୍ୟବସ୍ଥା ହୋଇପାରି ନଥିଲା। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତମାଳା ପରିଯୋଜନାରେ ଏହା ମଂଜୁର ହେଲା। କେନ୍ଦ୍ର ସରକାର ମଂଜୁର କରିଥିବା ପ୍ରକଳ୍ପ ଅନୁସାରେ ଦୀଘାରୁ ଗୋପାଳପୁର ଯାଏଁ ସମୁଦ୍ର ତଟରେ ଏହି ଜାତୀୟ ରାଜପଥର ଲମ୍ବ ହେବ ସମୁଦାୟ ୪୫୧ କିଲୋମିଟର। ଏଥିପାଇଁ ଖର୍ଚ୍ଚ ହେବ ୭୫୦୦ କୋଟି ଟଙ୍କା। ଏଥିରୁ ୬୦୦୦ କୋଟି ଟଙ୍କା ରାସ୍ତା ନିର୍ମାଣ ଓ ୧୫୦୦ କୋଟି ଟଙ୍କା ଜମି ଅଧିଗ୍ରହଣ ବାବଦରେ ଖର୍ଚ୍ଚ ହେବ ବୋଲି ମୂଳ ଅଟକଳ ରହିଛି। ଓଡ଼ିଶାର ୧୭୫ ଗାଁ ଦେଇ ଯିବାକୁ ଥିବା ତଟ ରାଜପଥର ଦକ୍ଷିଣ ୨୫୨ କିଲୋମିଟର ଗଂଜାମର ଗୋପାଳପୁରରୁ ଆରମ୍ଭ ହୋଇ ଛତ୍ରପୁର, ସାତପଡ଼ା, କୋଣାର୍କ, ଅସ୍ତରଙ୍ଗ, ନାଉଗାଁ ଓ ପାରାଦୀପ ଦେଇ ରତନପୁରରେ ଶେଷ ହେବ। ଉତ୍ତରର ୧୬୨ କିଲୋମିଟର ରତନପୁରରୁ ବାସୁଦେବପୁର, ଚାନ୍ଦିପୁର ଓ ଚନ୍ଦନେଶ୍ବର ଦେଇ ଦୀଘାରେ ଶେଷ ହେବ। ଏହା ସହିତ ଅନେକ ନଦୀରେ ଅନେକ ପୋଲ ଓ କିଛି ବାଇପାସ୍‌ ନିର୍ମାଣ ମଧ୍ୟ ଏହି ପ୍ରକଳ୍ପରେ ଯୋଡ଼ିହୋଇ ରହିଛି। ଏହି ରାଜପଥ ଗଂଜାମ ମଧ୍ୟରେ ୨୯ କିମି, ପୁରୀ ମଧ୍ୟରେ ୧୫୩ କିମି, ଜଗତସିଂହପୁରରେ ୫୪ କିମି, କେନ୍ଦ୍ରାପଡ଼ାରେ ୪୯ କିମି, ଭଦ୍ରକରେ ୬୧ କିମି ଓ ବାଲେଶ୍ବରରେ ୯୯ କିମି ଗତି କରିବ। ବାକି ୬ କିମି ପଶ୍ଚିମ ବଙ୍ଗର ପୂର୍ବ ମେଦିନପୁର ଜିଲ୍ଲାରେ ରହିବ। ପୋଲଗୁଡ଼ିକ ଋଷିକୂଲ୍ୟା, ଚିଲିକା ହ୍ରଦ, ଧନିଖିଆ, କୁଶଭଦ୍ରା, କାଦୁଆ, ଦେବୀ, ହଂସୁଆ, ମହାନଦୀ, ଗୋବରୀ, ବ୍ରାହ୍ମଣୀ, ବୈତରଣୀ, ମନ୍ତେଇ ଓ ସୁବର୍ଣ୍ଣରେଖା ଆଦି ନଦୀ ଉପରେ ନିର୍ମିତ ହେବ। ଏହି ପ୍ରକଳ୍ପ ବିଳମ୍ବ ନେଇ ଓଡ଼ିଶାର ଶାସକ ବିଜୁ ଜନତା ଦଳର ନେତାମାନେ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୨୦୧୮ ଡିସେମ୍ବର ୨୬ ତାରିଖରେ ଦଳର ଜନ୍ମଦିନ ସଭାରେ ଏ କଥା ଉଠେଇଥିଲେ। ଏହାର ଜବାବ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପ ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କ ଅସହଯୋଗକୁ ଦାୟୀ କରିଛନ୍ତି। ବାସ୍ତବରେ ଦୁର୍ନୀତିମୂଳକ ଅଭିସନ୍ଧି ଯୋଗୁଁ ପ୍ରକଳ୍ପର ଡିପିଆର ସଂପର୍କରେ ରାଜ୍ୟ ସରକାରଙ୍କ ମତ ମିଳିବା ବିଳମ୍ବିତ ହୋଇଛି। ପୁଣି ସେଥିରେ ସଂଶୋଧନ କଥା ଉଠିଛି। କେନ୍ଦ୍ର ପୁଣି ଥରେ ସର୍ବେକ୍ଷଣ କରି ନକ୍ସା ପରିବର୍ତ୍ତନ କରିବାକୁ ନିର୍ବାଚନ ପରେ ଅତି କମ୍‌ରେ ୬ ମାସ ଲାଗିବ।

Share :