ପ୍ରଦୀପ ପ୍ରଧାନ କିଛିଦିନ ତଳେ ରାଜ୍ୟ ସରକାରଙ୍କର ଏକ ବିଜ୍ଞାପନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇଥିଲା। ଏହି ବିଜ୍ଞାପନରେ ମୁଖ୍ୟମନ୍ତ୍ରୀ ‘ରାଜ୍ୟରେ କାହାରିକୁ କ୍ଷୁଧାରେ ରଖିବାକୁ ଦେବିନାହିଁ’ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ୩୪ ଲକ୍ଷ ହିତାଧିକାରୀଙ୍କୁ ନିଜ ଯୋଜନାରେ ମାସକୁ ୫ କେଜି ଚାଉଳ ଏକ ଟଙ୍କାରେ ପ୍ରଦାନ କରିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣାନାମା କରିଥିଲେ। ମନରେ ସ୍ୱତଃ ପ୍ରଶ୍ନ ଉଠେ ଗୋଟିଏ ଗରିବ ଲୋକକୁ ମାସକୁ ୫ କେଜି ଚାଉଳ ଦେଲେ ତା'ର କ୍ଷୁଧା ଦୂର ହେବ କିପରି? ଆମ ରାଜ୍ୟରେ ଦାରିଦ୍ର୍ୟ ମଧ୍ୟରେ ରହୁଥିବା ଲୋକମାନେ ନିଜ କ୍ରୟ ଶକ୍ତିର ଅଭାବ ଯୋଗୁଁ ସେମାନେ ଭାତ ଉପରେ ନିର୍ଭର କରନ୍ତି। ବଜାରୁ ଡାଲି, ପରିବାପତ୍ର କିଣିପାରନ୍ତି ନାହିଁ। ଜୀବନଧାରଣ ପାଇଁ ସେମାନଙ୍କ ଖାଦ୍ୟରେ ଡାଲି, ତରକାରୀ ଇତ୍ୟାଦି କ୍ୱଚିତ ମିଳେ। ଆଦିବାସୀ ଇଲାକାରେ ଜଣେ ମଜୁରିଆ, ଶ୍ରମିକ ଶ୍ରେଣୀର ଲୋକ ଦିନକୁ ୬୦୦ରୁ ୮୦୦ ଗ୍ରାମ ଚାଉଳ ଖାଉଥିବାର ବେସରକାରୀ ସର୍ଭେରୁ ଜଣାପଡ଼ିଛି। ଉତ୍କଟ ଦାରିଦ୍ର୍ୟ ଯୋଗୁଁ ଗରିବ ଲୋକ ବିପିଏଲ୍ ଚାଉଳ ବା ସରକାରୀ ଚାଉଳ ଉପରେ ନିର୍ଭର କରନ୍ତି। ଏହା ସତ୍ୟ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସରକାରଙ୍କ ତରଫରୁ ଅତ୍ୟନ୍ତ ରିହାତି ଦରରେ (୧ ଟଙ୍କାରେ ଏକ କେଜି) ଚାଉଳ ସେମାନଙ୍କୁ ବଂଚାଇ ରଖିବାରେ ସାହାଯ୍ୟ କରେ। କିନ୍ତୁ କ୍ଷୁଧା ବା ଅନାହାର ଦୂର କରିପାରେ ନାହିଁ। ଉକ୍ତ ଚାଉଳ କିଛି ଦିନ ପାଇଁ କିଛି ପରିମାଣରେ ସେମାନଙ୍କର କ୍ଷୁଧା ଲାଘବ କରିଥାଏ। ପୁଣି ମାସକୁ ୫ କେଜି ଚାଉଳ କିପରି ଭାବେ ଜଣେ ବ୍ୟକ୍ତିକୁ କ୍ଷୁଧାରୁ ମୁକ୍ତି କରିବ? ସାଧାରଣ ଲୋକ ବଞ୍ଚିବା ପାଇଁ ଦିନକୁ ୨୪୦୦ କିଲୋ କ୍ୟାଲୋରିର ଖାଦ୍ୟ ଆବଶ୍ୟକ କରିଥାଏ। ଏହା ଭାତ, ଡାଲି, ପନିପରିବା, ଅଣ୍ଡା, ମାଛ, ମାଂସରୁ ମିଳିଥାଏ। ପୁଷ୍ଟିସାରଯୁକ୍ତ ଖାଦ୍ୟ ନ ଖାଇଲେ ଜଣେ ସୁସ୍ଥ ଭାବରେ ବଞ୍ଚି ପାରିବ ନାହିଁ। କିନ୍ତୁ ମାତ୍ର ୫ କେଜି ଚାଉଳ ଜଣଙ୍କର କ୍ଷୁଧା ଦୂର କରିପାରିବ କିପରି? ଏହା ଡାକ୍ତରୀ ବିଜ୍ଞାନ ଦୃଷ୍ଟି କୋଣରୁ କେବଳ ହାସ୍ୟାସ୍ପଦ ନୁହେଁ, ଭଣ୍ଡାମୀ ମଧ୍ୟ। ସର୍ବସାଧାରଣରେ ଏଭଳି ମିଛ କଥା ବିଜ୍ଞାପନ ମାଧ୍ୟମରେ ପ୍ରଚାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିଏ କରାଇଛି ବା ମୁଖ୍ୟମନ୍ତ୍ରୀ ଏଭଳି ମିଛ ପ୍ରଚାର କିପରି କରାଇଲେ, ଏହାର ତଦନ୍ତ ଜରୁରୀ। ଅନ୍ୟ ଏକ ପ୍ରସଙ୍ଗ ହେଉଛି ଓଡ଼ିଶାରେ ଗରିବଙ୍କ ସଂଖ୍ୟା। ୨୦୧୮ ବର୍ଷ ବଜେଟ୍ ଅଧିିବେଶନରେ ରାଜ୍ୟ ସରକାର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରି ରାଜ୍ୟରେ ଦାରିଦ୍ର୍ୟ ଯଥେଷ୍ଟ ହ୍ରାସ ପାଇଛି, ଅର୍ଥନୈତିକ ଅଭିବୃଦ୍ଧି ହୋଇଛି, କୃଷକମାନଙ୍କର ଆୟ ଦୁଇଗଣ ବଢ଼ିଛି ବୋଲି ଦର୍ଶାଇଥିଲେ। ୨୦୧୮-୧୯ରେ ରାଜ୍ୟରେ ଦାରିଦ୍ର୍ୟ ହାର ୨୫ ଭାଗକୁ ଖସି ଆସିବ ବୋଲି ସରକାର ଆକଳନ କରିଥିଲେ। ଯଦି ରାଜ୍ୟରେ ଦାରିଦ୍ର୍ୟ ହାର କମି କମି ଚାଲିଛି, ତେବେ ସାଧାରଣ ଲୋକେ ବଞ୍ଚିବା ପାଇଁ ସାମାନ୍ୟ ସରକାରୀ ଚାଉଳ ଉପରେ ନିର୍ଭର କରୁଛନ୍ତି କାହିଁକି? ସେମାନେ ମାସକୁ ମାତ୍ର ୫ କେଜି ଚାଉଳ ପାଇବା ପାଇଁ, ଖଣ୍ଡେ ରେସନ୍ କାର୍ଡ଼ପାଇବା ପାଇଁ ଦରଖାସ୍ତ କରି ବର୍ଷ ବର୍ଷ ଧରି ଅପେକ୍ଷା କରୁଛନ୍ତି କାହିଁକି? ରାଜ୍ୟରେ ଲୋକମାନଙ୍କର ‘ଖାଦ୍ୟ ସୁରକ୍ଷା ବିପନ୍ନ’ ଅବସ୍ଥାକୁ ଦେଖି କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୩ କୋଟି ୨୬ ଲକ୍ଷ ଲୋକଙ୍କ ପାଇଁ ଚାଉଳ/ଗହମ ପ୍ରଦାନ ପାଇଁ ଘୋଷଣା କରିଥିଲେ। ନଭେମ୍ୱର ୨୦୧୫ରୁ ଉକ୍ତ ଆଇନ ରାଜ୍ୟରେ କାର୍ଯ୍ୟକାରୀ କରି ରାଜ୍ୟ ସରକାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ସାଧାାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀ ପିଛା ମାସକୁ ୫ କେଜି ଚାଉଳ ଏବଂ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ପରିବାର ପିଛା ମାସକୁ ୩୫ କେଜି ଚାଉଳ/ଗହମ ଦେଉଛନ୍ତି। କେନ୍ଦ୍ର ସରକାର କେଜି ପିଛା ୩ ଟଙ୍କାରେ ଯୋଗାଉଥିବା ଚାଉଳକୁ ରାଜ୍ୟ ସରକାର ଆଉ ୨ ଟଙ୍କା ରିହାତି ଦେଇ ୧ ଟଙ୍କାରେ ଚାଉଳ ଦେଉଛନ୍ତି। ଏହା ବାଦ୍ ରାଜ୍ୟରେ ଆହୁରି ୧୫ ଲକ୍ଷ ଗରିବ ପରିବାର ବ୍ଳକ୍ ଏବଂ ଜିଲ୍ଲା କାର୍ଯ୍ୟାଳୟରେ ଦରଖାସ୍ତ କରି ଏହି ଯୋଜନା ଅଧୀନରେ ମାସକୁ ୫ କେଜି ଚାଉଳ ପାଇବା ପାଇଁ ଦରଖାସ୍ତ କରି ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି। ରାଜ୍ୟ ସରକାର ଜନସଂଖ୍ୟା ବୃଦ୍ଧିର ପରିସଂଖ୍ୟାନ ଦେଇ ରାଜ୍ୟକୁ ଆହୁରି ୩୪ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ ଯୋଗାଇଦେବାକୁ ଦାବି କରିବା ଏବଂ କେନ୍ଦ୍ର ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କଲାପରେ ରାଜ୍ୟ ସରକାର ତାଙ୍କର ତଥାକଥିତ ୨୦୧୪ ନିର୍ବାଚନ ଇସ୍ତାହାର ପ୍ରତିଶ୍ରୁତି ପାଳନର ଆଳ ଦେଖାଇ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ବଜେଟ୍ରୁ ଏହି ୩୪ ଲକ୍ଷ ପରିବାରକୁ ମୁଣ୍ଡ ପିଛା ମାସକୁ ୫ କେଜି ଲେଖାଏଁ ଚାଉଳ ୨୦୧୮ ଅକ୍ଟୋବର ୨ ତାରିଖରୁ ଦେବା ଆରମ୍ଭ କରିଛନ୍ତି। ଏହାକୁ ମିଶାଇଲେ ଏବେ ସୁଦ୍ଧା ରାଜ୍ୟରେ ୩ କୋଟି ୬୦ ଲକ୍ଷ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତଭୁର୍କ୍ତ ହୋଇଛନ୍ତି। ଅର୍ଥାତ୍ ୧୮ ବର୍ଷ ଶାସନରେ ଓଡ଼ିଶାର ଯଥେଷ୍ଟ ପ୍ରଗତିର ନାରା ଦେଉଥିବା ବିଜେଡି ସରକାରରେ ପ୍ରାୟ ୮୦ ଭାଗ ଲୋକ ଗରିବ ଅବସ୍ଥାରେ ଅଛନ୍ତି, ଯେଉଁମାନେ ବଞ୍ଚିବା ପାଇଁ ମାସକୁ ମାତ୍ର ୫ କେଜି ଚାଉଳ ଉପରେ ନିର୍ଭରଶୀଳ। ବାସ୍ତବରେ ରାଜ୍ୟରେ ଦାରିଦ୍ର୍ୟ ହାର କମିଛି ବୋଲି ରାଜ୍ୟ ସରକାର ଯେଉଁ ପରିସଂଖ୍ୟାନ ଦେଇ ଡିଣ୍ଡିମ ପିଟୁଛନ୍ତି, ତାହା ମିଛ ଏବଂ ରାଜ୍ୟବାସୀଙ୍କୁ ଠକିବା ପାଇଁ ଉଦ୍ଦିଷ୍ଟ। ରାଜ୍ୟରେ ପ୍ରାକୃତିକ ସମ୍ପଦର ହରିଲୁଟ୍, ସରକାରୀ ଜନମଙ୍ଗଳ ବା ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ବ୍ୟାପକ ଅର୍ଥ ତୋଷରପାତ ଏବଂ ଦୁର୍ନୀତି ଆଗରୁ ଉକ୍ତ ଯୋଜନାଗୁଡ଼ିକର ସୁଫଳ ଲୋକମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଏନଆରଇଜିଏ କାମରେ ଶ୍ରମିକମାନଙ୍କୁ ମାସ ମାସ ଧରି ମଜୁରୀ ନଦେବା, ମେସିନ୍ ଲଗାଇ କାମ କରି ମିଥ୍ୟା ବିଲ୍ କରି ଅର୍ଥ ହଡ଼ପ ଏକ ସାଧାରଣ ଘଟଣା ହୋଇଯାଇଛି। ସରକାରୀ ଯୋଜନା ଗୁଡ଼ିକରେ ଆସୁଥିବା ଅର୍ଥର ହରିଲୁଟ୍ କରି ଅର୍ଥ ଠୁଳର ପ୍ରତିଯୋଗିତା ଶାସକ ଦଳର ନେତା, କର୍ମୀ ଏବଂ ଅଫିସରମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି। ଇନ୍ଦିରା ଆବାସ ଏବଂ ବିଜ ପକ୍କାଘର ଯୋଜନାରେ ମିଛ ହିତାଧିକାରୀଙ୍କ ନାମରେ ଅର୍ଥ ହରିଲୁଟ୍ ହେଉଛି। ଶିଶୁମାନଙ୍କର ପୁଷ୍ଟିହୀନତା ରୋକିବା ଏବଂ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟକାରୀ ହେଉଥିବା ଦୁଇ ପ୍ରମୁଖ ଯୋଜନା ମଧ୍ୟାହ୍ନ ଭୋଜନ ଯୋଜନା ଏବଂ ଆଇ.ସି.ଡି.ଏସ୍ ଯୋଜନାରେ ଶିଶୁ ଖାଦ୍ୟ ଚୋରୀ, ଅଣ୍ଡା ପାଇଁ ଆସୁଥିବା ଅର୍ଥ ହଡ଼ପ, ଛତୁଆ ବଣ୍ଟନରେ ବ୍ୟାପକ ଅନିୟମିତତା ଏକ ଦୈନନ୍ଦିନ ଘଟଣା ହୋଇଯାଇଛି। ମାଲକାନଗିରି ଜିଲ୍ଲାର ଶିଶୁ ମୃତ୍ୟୁ, ନଗଡ଼ାର ଶିଶୁମୃତ୍ୟୁ ଏହାର ଜ୍ୱଳନ୍ତ ଉଦାହରଣ। ସରକାରୀ ଯୋଜନାଗୁଡ଼ିକୁ ନିଷ୍ଠାର ସହ କାର୍ଯ୍ୟକାରୀ କରେଇବା, ଯୋଜନା କାର୍ଯ୍ୟାନ୍ୱୟନରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ରଖିବା, ଅର୍ଥ ତୋଷରପାତ, ଦୁର୍ନୀତି କରୁଥିବା ବ୍ୟକ୍ତିବିଶେଷ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ଥିଳାବେଳେ ରାଜ୍ୟ ପ୍ରଶାସନ ଏହା କରନ୍ତି ନାହିଁ। ତେଣୁ ଶୋଷଣ ଏବଂ ଦୁର୍ନୀତିର ଶିକାର ହେଉଥିବା ଗରିବ ଲୋକଙ୍କ ହାତକୁ ଅର୍ଥ ଯାଏ ନାହିଁ। ଫଳରେ ଗରିବ ଲୋକଙ୍କର ଖାଦ୍ୟ ସୁରକ୍ଷା ବିପନ୍ନ ହୋଇପଡେ଼। ସେଥିପାଇଁ ଶହଶହ ଲୋକ ଭୋକ ଉପାସରେ ମରନ୍ତି ଏବଂ ହଜାର ହଜାର ଶିଶୁ ପୁଷ୍ଟିହୀନତାର ଶିକାର ହୋଇ ମୃତ୍ୟୁବରଣ କରନ୍ତି। ସରକାର ବାସ୍ତବତାକୁ ନ ବୁଝି ଉକ୍ତ ଘଟଣା ଗୁଡ଼ିକର ଭିନ୍ନ ରୂପ ଦେଇ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରନ୍ତି। ଲୋକଙ୍କୁ ଗରିବ କରି ରଖିବା ଏକ ସରକାରୀ ପ୍ରାୟୋଜିତ ଷଡ଼ଯନ୍ତ୍ର। ଗରିବ ଲୋକ ଜୀବନ ଧାରଣ ପାଇଁ ଅନ୍ୟ ନିକଟରେ ହାତ ପାତିବା ଏବଂ ଅନ୍ୟର ଦାନକୁ ଭରସା କରିବା ଏକ ମାନବିକ ପ୍ରବୃତ୍ତି। ଗରିବ ଲୋକର ଏହି ମାନସିକତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଁ ଖାଇବାକୁ ଦେଉଛି ବୋଲି ପ୍ରଚାର ଚଳାଇଛନ୍ତି। ବାସ୍ତବରେ ସରକାରୀ ଅର୍ଥ ମୁଖ୍ୟମନ୍ତ୍ରୀଙ୍କର ନୁହଁ। ଏହା ଟିକସ୍ଦାତାଙ୍କ ଅର୍ଥ। ଟିକସ୍ଦାତାଙ୍କ ଅର୍ଥରେ ସରକାରୀ ଯୋଜନା ଚାଲେ ଏବଂ ଅର୍ଥ ବ୍ୟୟବରାଦ ହୁଏ। ଏହି ଅର୍ଥରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦରମା ନିଅନ୍ତି ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ହାସଲ କରନ୍ତି। କାରଣ ସେ ମଧ୍ୟ ଜଣେ ସରକାରୀ ଚାକିରିଆ। ‘ମୁଁ ଚାଉଳ ଦେଉଛି ଏବଂ କାହାରିକୁ କ୍ଷୁଧାରେ ରହିବାକୁ ଦେବିନାହିଁ’ ମୁଖ୍ୟମନ୍ତ୍ରୀଙ୍କ ଏହି ବକ୍ତବ୍ୟ ପ୍ରଶାସନର ଅନେକ ଅନାଲୋଚିତ ଦିଗକୁ ଲୋକଲୋଚନକୁ ଆଣିଛି। ୧୮ ବର୍ଷ ଶାସନର ବିଫଳତା, ଲୋକଙ୍କୁ ଭିକାରି କରି ରଖିବା, କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ନିଜର ବୋଲି ପ୍ରଚାର କରି ବାହାବା ନେବା, ସରକାରୀ କୁଶାସନ ଯୋଗୁଁ ଗରିବ ଜନସାଧାରଣଙ୍କ ଅର୍ଥନୈତିକ ଅବସ୍ଥା ଧୂଳିସାତ୍ ହେବା ଇତ୍ୟାଦି ଲୁଚାଇବା ପାଇଁ ଏବଂ ଲୋକଙ୍କୁ ଠକିବା ପାଇଁ ଏହି ଅଭିନବ ପ୍ରୟାସ ଏବଂ ସ୍ଲୋଗାନ୍ ଆରମ୍ଭ ହୋଇଛି। ପ୍ରଚାର ସର୍ବସ୍ୱ ଗଣମାଧ୍ୟମରେ ନବୀନ ପଟ୍ଟନାୟକଙ୍କ କଳାକାରନାମା, ଠକାମୀ, ଦୁର୍ନୀତିପୂର୍ଣ୍ଣ ଶାସନକୁ ଲୁଚାଇବାପାଇଁ ଚାଷୀମାନଙ୍କୁ ସ୍ମାର୍ଟ ଫୋନ୍, ଗରିବମାନଙ୍କୁ ଛତା ବଣ୍ଟନ, ମାସକୁ ବୁଢ଼ାବୁଢ଼ୀଙ୍କୁ ୩୦୦ ଟଙ୍କା ଭତ୍ତା ବଣ୍ଟନ କେତୋଟି ଜ୍ୱଳନ୍ତ ଉଦାହରଣ। ଯଦି ବାସ୍ତବରେ ସରକାର ଲୋକଙ୍କର ଖାଦ୍ୟ ସୁରକ୍ଷା ପାଇଁ ଚେଷ୍ଟିତ, ତେବେ କାହିଁକି ୨୦୧୪ ମସିହା ପରେ ନିର୍ବାଚନ ପ୍ରତିଶ୍ରୁତି ରକ୍ଷାପାଇଁ ରାଜ୍ୟ ନୂତନ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କଲେନାହିଁ। ଖାଦ୍ୟ ସୁରକ୍ଷାର ଅର୍ଥ ନୁହେଁ କେବଳ ଚାଉଳ ଗଣ୍ଡେ ଦେବା। ଛତିଶଗଡ଼ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ତେଲ ମଧ୍ୟ ଦେଉଛନ୍ତି। ରାଜ୍ୟର ବାସ୍ତବ ଗରିବ ଲୋକଙ୍କୁ ଚିହ୍ନଟ କରି ଏବଂ ସେମାନଙ୍କ ଖାଦ୍ୟ ସୁରକ୍ଷା ବିପନ୍ନ ଦିଗକୁ ଅନୁଧ୍ୟାନ କରି ସେମାନଙ୍କ ପାଇଁ ଆବଶ୍ୟକୀୟ ପରିମାଣର ଖାଦ୍ୟ ଶସ୍ୟ ବଣ୍ଟନ ସମ୍ପର୍କରେ ନିର୍ଦ୍ଦିଷ୍ଟ ଖସଡ଼ା ପ୍ରସ୍ତୁତ ହେବା ଉଚିତ। ଗରିବ ଲୋକଙ୍କୁ କେବଳ ନାମମାତ୍ର କିଛି ଚାଉଳ ଦେଲେ କ୍ଷୁଧା ଦୂର ହୁଏନାହିଁ। ସେମାନଙ୍କର ଅନାହାର, କ୍ଷୁଧା ଦୂର କରିବାକୁ ହେଲେ ଆବଶ୍ୟକୀୟ ପୁଷ୍ଟିସାରଯୁକ୍ତ ଖାଦ୍ୟ ଦେବା ସହିତ ସେମାନଙ୍କୁ ବର୍ଷସାରା କାମ ଯୋଗାଇଦେବା ଉଚିତ। ଏହାଦ୍ୱାରା ସେମାନଙ୍କର ଖାଦ୍ୟ ସୁରକ୍ଷା କେବଳ ତ୍ୱରାନ୍ୱିତ ହେବନାହିଁ, ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହେବ। ସରକାର ଯେଉଁ ସାହାଯ୍ୟ ଦେଉଛନ୍ତି ତାହା ଦାନ ନୁହେଁ। ଏହା ସେମାନଙ୍କର ହକ୍ ଅଧିକାର। ଖାଦ୍ୟଶସ୍ୟ ରିହାତି ଦରରେ ଯୋଗାଇଦେବା ସରକାରଙ୍କ ଦାୟିତ୍ୱ ଗରିବ ଲୋକଙ୍କୁ ଦିଆଯାଉଥିବା ଖାଦ୍ୟଶସ୍ୟ ଏବଂ ଯୋଜନାର ଖର୍ଚ୍ଚ ହେଉଥିବା ଅର୍ଥ ଟିକସଦାତାମାନଙ୍କର, ମୁଖ୍ୟମନ୍ତ୍ରୀଙ୍କର ନୁହେଁ। ରାଜ୍ୟ ଆବାହକ, ରାଇଟ୍ ଟୁ ଫୁଡ୍ କ୍ୟାମ୍ପେନ୍, ଓଡ଼ିଶା ମୋ : ୯୯୩୭୮୪୩୪୮୨