କୃଷି ଭବନରେ ଫଳିବ ଆଳୁ!

କୃଷି ଭବନରେ ଫଳିବ ଆଳୁ!

Share :

ସ୍ବତନ୍ତ୍ର ପ୍ରତିନିଧି ଅନେକ ସମୟରେ ଅଭ୍ୟାସଗତ ମିଛୁଆଙ୍କ ପରି କଥା କହନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଜାଣିଶୁଣି ମିଛ କହନ୍ତି କି ତାଙ୍କୁ ମୋହରା ବନାଇଥିବା ଅମଲାମାନେ ତାଙ୍କ ମୁହଁରେ ମିଛ କୁହାନ୍ତି ତାହା ମା’ ବିମଳାଙ୍କୁ ଜଣା। ମାତ୍ର, ଏପରି ମିଛ କହି କହି ନିଜ ଭାବମୂର୍ତ୍ତି ନଷ୍ଟ କରିସାରିଲେଣି ନବୀନବାବୁ। ଆଉ ସେ ଆଗର ସରଳ ନିରୀହ ନବୀନ ପଟ୍ଟନାୟକ ହୋଇ ରହିନାହାନ୍ତି। ଏବେ ଦଳମତ ନିର୍ବିଶେଷରେ ରାଜନୀତିଜ୍ଞମାନେ ତାଙ୍କ ଭିତରେ ଜଣେ ପକ୍କା ମିଛୁଆ, ଓସ୍ତାଦ କପଟୀ ଓ ନିର୍ଦ୍ଦୟ କ୍ଷମତାଲୋଭୀଙ୍କୁ ଦର୍ଶନ କରୁଛନ୍ତି। ସେ ନିଜ ମନୋନୟନପତ୍ରରେ ମିଛ ତଥ୍ୟ ଦେଇ ନିର୍ବାଚନ କମିଶନ ଓ ଜନ ସାଧାରଣଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ ହୋଇଛି। ଏହା ଉପରେ ହାଇକୋ଼ର୍ଟ, ସୁପ୍ରିମ କୋର୍ଟ ଓ ନିର୍ବାଚନ କମିଶନରେ ମାମଲା ଚାଲିଛି। ମନୋନୟନପତ୍ରରେ ସେ ନିଜ ସଂପତ୍ତି ପରିମାଣ ଓ ବ୍ୟାଙ୍କ ଜମା ନେଇ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରିଥିଲେ ସୂଚନା ଅଧିକାର କର୍ମୀ ସୁବାସ ମହାପାତ୍ର। ସେହିପରି ସେ ତାଙ୍କ ଘରୋଇ କମ୍ପାନୀରେ ପରିଣତ କରିଥିବା ବିଜୁ ଜନତା ଦଳର ପାଣ୍ଠି ନେଇ ମଧ୍ୟ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ଭଉଣୀ ଗୀତା ମେହେଟ୍ଟାଙ୍କଠାରୁ ସେ ଋଣ କରିଥିବା ନେଇ ମନୋନୟନପତ୍ରରେ ଦେଇଥିବା ତଥ୍ୟ ମଧ୍ୟ ମିଛ ବୋଲି ରାଜନୀତିକ ସ୍ତରରେ ଆଲୋଚିତ ହୁଏ। କାରଣ ନବୀନ ନିଜକୁ କୋଟିପତି ଘୋଷଣା କରିଥିଲେ ବି ଗୀତାଙ୍କର ୧୫ ଲକ୍ଷ ଟଙ୍କା ପରିଶୋଧ କରି ନପାରିବା କାହାକୁ ବିଶ୍ବାସଯୋଗ୍ୟ ହୁଏ ନାହିଁ। ସାଧାରଣ ଆର୍ଥନୀତିକ ଅପରାଧୀମାନେ ଯେପରି ନିଜକୁ ସାଧୁ ଦର୍ଶାଇବା ପାଇଁ ଋଣ ଓ କ୍ଷତି ଆଦି ଦର୍ଶାଇଥାନ୍ତି ନବୀନ ମଧ୍ୟ ଠିକ ସେହିପରି କରିଛନ୍ତି। ମରିସସ, କେମ୍ୟାନ୍‌ ଆଇଲାଣ୍ଡ, ମୁମ୍ବାଇ ଓ ଚେନ୍ନାଇରେ ଥିବା କେତେକ ବ୍ୟାଙ୍କ ଆକାଉଣ୍ଟ ନେଇ ଅନେକ ସମୟରେ ରାଜନୀତିକ ସ୍ତରରେ ତାଙ୍କ ପ୍ରତି ସନ୍ଦେହ ଘନୀଭୂତ ହେଲେ ବି ନବୀନ ନିଜେ କେବେ ଏନେଇ ମୁହଁ ଖୋଲି ନାହାନ୍ତି। ୨୦୦୦ ମସିହାରେ ବିଜୟ ମହାପାତ୍ରଙ୍କ ଟିକଟ ରଦ୍ଦ କରିବା ହେଉ ତ ୨୦୦୯ ମସିହାରେ ରାଜା ସ୍ବାଇଁଙ୍କ ଟିକଟକୁ ବୋଲକରା ବାବୁଙ୍କ ଜରିଆରେ ଖାରଜ କରିବା କଥା ହେଉ, ନବୀନ ସବୁ ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର ହୋଇଥିଲେ ମଧ୍ୟ ସେଥିପାଇଁ ସେ ପ୍ୟାରୀ ପ୍ରମୁଖଙ୍କୁ ସମାଲୋଚନାର ତୀର ସାମ୍ନାରେ ଠିଆ କରେଇ ନିଜେ ପଛରେ ରହି ଆତ୍ମରକ୍ଷା କରିଛନ୍ତି। ଡାକ୍ତର ଦାମୋଦର ରାଉତଙ୍କୁ ପ୍ୟାରୀମୋହନଙ୍କ ବିରୋଧରେ ଲଗେଇବା, ବିଜୟ ପଟ୍ଟନାୟକ ଓ ପ୍ୟାରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା, ପାଣ୍ଡିଆନ୍‌ଙ୍କୁ ଲଗେଇ ବୈଜୟନ୍ତ ପଣ୍ଡାଙ୍କୁ ବାରମ୍ବାର ଅପମାନିତ କରିବା ଆଦି ସବୁ କପଟାଚାର ନବୀନଙ୍କ ମସ୍ତିଷ୍କରରୁ ବାହାରିଥିଲେ ବି ବଦନାମ ହୋଇଛନ୍ତି ଅନ୍ୟମାନେ। ଲକ୍ଷଲକ୍ଷ କୋଟି ଟଙ୍କାର ଖଣିଜ ସଂପଦ ଲୁଟ୍‌ ପାଇଁ ବ୍ୟବସ୍ଥା କୋହଳ କରିବା ଲୋକ ନିଜେ ନବୀନ। କିନ୍ତୁ ସେଥିପାଇଁ ବଦନାମ ହେଲେ ଖଣି ବିଭାଗର ଅଧିକାରୀ। ଖଣି ଲିଜ୍‌ରେ ସବ୍‌ଲିଜ୍‌ ବ୍ୟବସ୍ଥା ବେଆଇନ ହୋଇଥିଲେ ବି ତାଙ୍କରି ଇଙ୍ଗିତ ଓ ଅନୁମୋଦନରେ ରାଜ୍ୟର ଏକାଧିକ ବୃହତ ଖଣିରେ ସବ୍‌ଲିଜ୍‌ ବ୍ୟବସାୟ ଚାଲିଛି। ଲିଜ୍‌ ଜଣକ ନାଁରେ, ଖୋଳୁଛି ଆଉ ଗୋଟେ କମ୍ପାନୀ। ଖଣି ଦୁର୍ନୀତିର ପର୍ଦ୍ଦାଫାସ ପରେ ମଧ୍ୟ ଏ ବ୍ୟବସ୍ଥା ବନ୍ଦ ହୋଇନାହିଁ। ଆଜି ବି ଏକ ଅଣଓଡ଼ିଆ କମ୍ପାନୀ ଓଡ଼ିଶାର ଡଜନେ ହେବ ଖଣିର ଖନନ, ପରିବହନ ଓ ବିପଣନ ଦାୟିତ୍ବ ନେଇ ବେଆଇନ ଭାବେ ହଜାର ହଜାର କୋଟି ଟଙ୍କାର ମୁନାଫା କମାଉଛି। ଏଥିରେ କେଉଁ ନେତା ଓ ବାବୁଙ୍କର କେତେକେତେ ଭାଗ ତାହା ସେଇ ନବୀନ ହିଁ ଜାଣିଥିବେ। ଚିଟ୍‌ ଫଣ୍ଡ ଠକେଇର ପ୍ଲଟ୍‌ ନବୀନ ନିବାସରେ ରଚିତ ହେଲା। କିନ୍ତୁ ଦୋଷ ମୁଣ୍ଡେଇଲେ ମନ୍ତ୍ରୀ, ବିଧାୟକ ଓ ସାଂସଦ। ଏହିପରି ଭାବେ ଅନେକ ଦୁର୍ନୀତି ଓ ଦୁରାଚାରର ପ୍ରମୁଖ ଉପଭୋକ୍ତା ସେ ନିଜେ ହୋଇଥିଲେ ମଧ୍ୟ ଲୋକଙ୍କ ପାଖରେ ବିଭ୍ରାନ୍ତିକର ତଥ୍ୟ ପହଞ୍ଚାଇ ଜନ ଆକ୍ରୋଶରୁ ସେ ନିଜକୁ ଏଯାଏଁ ମୁକ୍ତ ରଖିପାରିଛନ୍ତି। ଦୁଇ ଦଶନ୍ଧିର ମୁଖ୍ୟମନ୍ତ୍ରିତ୍ବ ସମୟରେ ଓଡ଼ିଶାର ଚାଷୀମାନଙ୍କୁ ବାରମ୍ବାର ପ୍ରତାରିତ କରିବା ପରେ ଏବେ ପଞ୍ଚମ ପାଳି ଜିତିବା ଉଦ୍ଦେଶ୍ୟରେ କାଳିଆ ଭଳି କେତେକ ଯୋଜନା ଘୋଷଣା କରିଛନ୍ତି। କେବଳ ଧାନ ଅମଳ ପାଇଁ ଓଡ଼ିଶା ସରକାର କୃଷି କର୍ମଣ ପୁରସ୍କାର ପାଇଥିଲେ ତାହାକୁ ନବୀନ ସରକାରଙ୍କ କୃଷି ସଫଳତା ଭାବେ ପ୍ରଚାରିତ କରି ସେ କୃଷକମାନଙ୍କୁ ଭଣ୍ଡିଛନ୍ତି। ଦାବି ହାସଲ ପାଇଁ କୃଷକମାନେ ଭୁବନେଶ୍ବରରେ ସଭା କରିବାକୁ ଆସିଲାବେଳେ ଦୁଇ ଦୁଇ ଥର ସେମାନଙ୍କୁ ପୁଲିସ ଲଗେଇ ପିଟାଯାଇଛି। ଏଇ ନିକଟରେ ସୂଚନା ଅଧିକାର ଆଇନ ବଳରେ ଧରାପଡ଼ିଛି ନବୀନଙ୍କର ଆଉ ଗୋଟିଏ ମିଛ। ଧାନ ଅମଳ ପାଇଁ ଅନ୍ୟ କେତେକ ରାଜ୍ୟ ସହିତ ଏକାଠି କୃଷି କର୍ମଣ ପୁରସ୍କାର ପାଇ ତାହାକୁ ନିଜ ସରକାରର କୃଷି ସଫଳତା ଭାବେ ପ୍ରଚାର କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ସେପ୍ଟେମ୍ବର ୨୦ ତାରିଖରେ କୃଷି ଭବନ ଉଦଘାଟନ କରିବା ସମୟରେ କହିଥିଲେ ଯେ ଏହି ଭବନ ନିର୍ମାଣରେ କୃଷି କର୍ମଣ ପୁରସ୍କାର ବାବଦରେ ମିଳିଥିବା ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଭବନ କୃଷି ଓ କୃଷକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ। କୃଷି କର୍ମଣ ପୁରସ୍କାର ବାବଦରେ ଓଡ଼ିଶା ସରକାର କେନ୍ଦ୍ରଠାରୁ ୧୭ କୋଟି ଟଙ୍କା ପାଇଥିଲେ ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏକଥା ତତ୍‌ ପରଦିନ ସବୁ ଖବରକାଗଜରେ ପ୍ରକାଶ ପାଇଥିଲା। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ ପାଇଥିବା ସରକାରୀ ତଥ୍ୟ ଅନୁସାରେ କୃଷି ଭବନ ନିର୍ମାଣରେ କେବଳ କୃଷି କର୍ମଣ ପୁରସ୍କାର ଟଙ୍କା ଲାଗି ନାହିଁ। ଆଦିବାସୀଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ମଧ୍ୟ ରାଜ୍ୟ ସରକାର ଭିଡ଼ି ଆଣି କୃଷି ଭବନ ନିର୍ମାଣରେ ଲଗାଇଛନ୍ତି। ସେହିପରି ଅନ୍ୟ କାମ ପାଇଁ ଆସିଥିବା କେନ୍ଦ୍ର ସରକାରଙ୍କ ଅନୁଦାନରୁ ମଧ୍ୟ କିଛି ଟଙ୍କା ଏହି ଭବନ ନିର୍ମାଣରେ ଖର୍ଚ୍ଚ କରାଯାଇଛି। ଖୋର୍ଦ୍ଧା ଗ୍ରାମ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ପାଣ୍ଠି ମଧ୍ୟ ଏଥିରେ ଲାଗିଛି। ସଚିବାଳୟ ଭିତରେ କାର୍ଯ୍ୟ କରୁଥିବା କୃଷି ବିଭାଗକୁ ଏହି ସ୍ବତନ୍ତ୍ର ଭବନକୁ ଉଠାଇ ଆଣିବା ଦ୍ବାରା କୃଷି ଓ କୃଷକର କି ପ୍ରକାର ଉନ୍ନତି ହେଲା ତାହା କୃଷକମାନେ ବୁଝିଛନ୍ତି କି ନାହିଁ ଜଣାନାହିଁ ମାତ୍ର ଏହି ଭବନ ଯୋଗୁଁ ଯେ କେତେ ଜଣ ଯନ୍ତ୍ରୀ, ଠିକାଦାର ଓ ବାବୁଙ୍କର ହାତ ଚିକ୍କଣ ହୋଇଥିବ ତାହା ନିଃସନ୍ଦେହ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଏହି ସ୍ବତନ୍ତ୍ର କୃଷି ଭବନରେ ଖର୍ଚ୍ଚ ହୋଇଛି ପ୍ରାୟ ୫୦ କୋଟି ଟଙ୍କା। ଏଥି ମଧ୍ୟରେ ସ୍ବତନ୍ତ୍ର କେନ୍ଦ୍ରୀୟ ଯୋଜନାର ପାଣ୍ଠି ୬ କୋଟି, ଆଦିବାସୀ ଉପଯୋଜନାର ପାଣ୍ଠି ୯ କୋଟି ଏବଂ କୃଷି କର୍ମଣ ପୁରସ୍କାର ବାବଦ ୯.୩୧ କୋଟି ଟଙ୍କା ଅନ୍ତର୍ଭୁକ୍ତ। ଖୋର୍ଦ୍ଧା ଡିଆରଡିଏ ପାଣ୍ଠିରୁ ମଧ୍ୟ ୨୦ କୋଟି ଟଙ୍କା କୃଷି ଭବନ ନିର୍ମାଣ ପାଇଁ ଖର୍ଚ୍ଚ କରାଯାଇଛି। ଏହିପରି ବିଭିନ୍ନ ସୂତ୍ରରୁ ମୋଟ ୬୫ କୋଟି ଟଙ୍କା କୃଷି ଭବନ ପାଇଁ ଏକାଠି କରାଯାଇଛି ଓ ଏହାର ନିର୍ମାଣ ପାଇଁ ଇଡ଼କୋକୁ ୪୯.୫୫ କୋଟି ଟଙ୍କା ଦିଆଯାଇଛି। ଭୁବନେଶ୍ବର ସଚିବାଳୟ ନିକଟରେ ଆଉ ଗୋଟେ କୋଠା ତିଆରି ହେବା ଦ୍ବାରା ଧାନ ବିଲ ବା ଆଳୁ କିଆରିର କି ପ୍ରକାର ବିକାଶ ହେଲା ନବୀନବାବୁ କେବେ ହିସାବ ଦେବେ? ଗ୍ରାମ ଉନ୍ନୟନ ଟଙ୍କାରେ ଭୁବନେଶ୍ବରରେ କୋଠା ତିଆରି ହେଲେ ଗାଁର କି ବିକାଶ ହେଲା ତାହା କିଏ ବୁଝିବ ଓ କେମିତି?

Share :