ଅନ୍ଧାର ଟିକେ ପାଇଁ

ଅନ୍ଧାର ଟିକେ ପାଇଁ

Share :

ଡ. ମୌସୁମୀ ପରିଡ଼ା ଜହ୍ନକୁ ପଣତରେ ଗଣ୍ଠି ପକାଇଥିଲି ଅମାବାସ୍ୟାଟେ ପାଇଁ। ଅଗଣା ସାରା ଅନ୍ଧାରର ମୁରୁଜ ବୁଣି ପାଲଟିଥିଲି ପାହୁନଥିବା ରାତି। ପ୍ରଶ୍ୱାସରେ ଚୋରେଇ ନେଇଥିଲି ପବନ ବଂଶୀ ପରି ବାଜିବାକୁ ସେ ଓଠରେ! ପାଣିରେ ଫେଣ୍ଟି ଦେଇଥିଲି ଜ୍ୟୋସ୍ନା, କବରୀକୁ ଫୁଲରେ ସଜାଇବାକୁ ତାରାମାନଙ୍କୁ ଗୁନ୍ଥି ଦେଇଥିଲି ବିଶ୍ୱାସର ରଙ୍ଗୀନ ଡୋରରେ। ସୂର୍ଯ୍ୟଙ୍କୁ ହଜାଇ ଆସିଲି କଳା ବଉଦଙ୍କ ଭେଳାରେ ସେବେଠୁ ଆଉ ସକାଳ ହୋଇନି କି ବାଦଲ ହଟିନି! ଅନ୍ଧାରରେ ଜୀଉଁଛି ସଜଳ ଜୀବନ! ଦେଖିପାରୁଛ ତୁମ ରଙ୍ଗ କିପରି ମୋ ଦେହରୁ ନିଗିଡି ପାଲଟିଯାଇଛି ତୁମ ଛାୟା..! ଏଠି ଆଲୋକର କି ଆବଶ୍ୟକତା! ସ୍ପନ୍ଦିତ ହୃଦୟ କାତର ପ୍ରାଣ ଖୋଜୁଛି ତୁମ ପଦଶବ୍ଦ.. କେତେବେଳେ ଆସି ତୋଳିନେବ ମୋତେ ତୁମେ ନବଜାଇଲେ ବି ବଂଶୀ ପରି ବାଜି ଉଠିବି ମୁଁ! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର। କ୍ୱା.ନଂ- ୩ ଆର / ୪। ଜଗତସିଂହପୁର

Share :