ହେମାଙ୍ଗ ପ୍ରସାଦ ରାଉଳ ଭୋଜିଭାତ ଋତୁରେ ବ୍ରହ୍ମପୁର ମହାନଗରରେ କଲ୍ୟାଣ ମଣ୍ଡପଗୁଡ଼ିକର ବ୍ୟବସାୟିକ ଋତୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ସହରର ପ୍ରତି ଗଳିକନ୍ଦିରେ ଛତୁ ଫୁଟିଲା ପରି ଖୋଲା ହୋଇଛି ବିବାହ ମଣ୍ଡପ କଲ୍ୟାଣ ମଣ୍ଡପ। ମାତ୍ରାଧିକ କଲ୍ୟାଣ ମଣ୍ଡପର ସାଜସଜ୍ଜା ଅତି ଚମତ୍କାର ଓ ଲକ୍ଷଲକ୍ଷ ଟଙ୍କାର ବ୍ୟବସା ନେଇ ବେପାରୀମାନେ ଖୁସି। କିନ୍ତୁ ଏଇ ଅନୁଷ୍ଠାନଗୁଡ଼ିକ ଅନୁଶାସନ ସହ କେତେଦୂର ନିଜକୁ ଯୋଡ଼ିଛନ୍ତି ଏହା ପ୍ରଶ୍ନ ବଳରେ ଠିଆ ହୋଇଛି ଏବଂ ସରକାରୀ ବ୍ୟବସ୍ଥାକୁ ପାଳନ କରିବା ନେଇ କୌଣସି ସ୍ପଷ୍ଟ ସୂଚନା ଫଳକ କେଉଁଠି ଝୁଲିବାର ଦୃଷ୍ଟାନ୍ତ ନାହିଁ। ସହରର ମାଳମାଳ କଲ୍ୟାଣ ମଣ୍ଡପର ପରିବେଶକୁ ନେଇ ବିଡ଼ିଏର ତନଖି କରିବାର ଦୃଷ୍ଟାନ୍ତ ନାହିଁ। ବିଭିନ୍ନ ଦିଗରୁ ବିଚାର କରିଲେ କଲ୍ୟାଣ ମଣ୍ଡପଗୁଡ଼ିକର ସମସ୍ତ ବ୍ୟବସାୟକୁ ଜଳାଞ୍ଜଳି ଦେଇ ବାର୍ଷିକ ଲକ୍ଷଲକ୍ଷ ଟଙ୍କାର ବେପାର କରନ୍ତି। ଅଥଚ ବିଡ଼ିଏ ଆଖି ବୁଜି ଦେଇ ଜନତାଙ୍କୁ ଲୁଟିବାର ବାଟ ଦେଖାଇଚାଲିଛି। ମାଲାମାଲ ହେଉଥିବା କଲ୍ୟାଣ ମଣ୍ଡପଗୁଡ଼ିକ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ସାମାଜିକ ଗଣମାଧ୍ୟମରେ ଅନୁଗାମୀ ତଥା ଜନତା ଜନାର୍ଦ୍ଦନ ଆଜି ଏସବୁ ପ୍ରଶ୍ନ ଉଠାଇବା ମଧ୍ୟ ସ୍ୱାଭାବିକ। ପ୍ରଥମତଃ ପରିବେଶ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ସହ କଲ୍ୟାଣ ମଣ୍ଡପ ନିଜର ଆଧିପତ୍ୟ ବିସ୍ତାର କରିଦିଅନ୍ତି। ସାହି ମଝିରେ କଲ୍ୟାଣ ମଣ୍ଡପର ଭବ୍ୟ ଆୟୋଜନରେ ଆଲୋକ ଓ ଡ଼ିଜେ ଶବ୍ଦକୁ ନେଇ ସହରବାସୀ ଅତିଷ୍ଠ। ସବୁବେଳେ ସନ୍ଧ୍ୟାରୁ ସକାଳ ଓ ସକାଳରୁ ରାତି ଯାଏଁ ଚଳଚଞ୍ଚଳ ଥିବା କଲ୍ୟାଣ ମଣ୍ଡପର ପାରିପାର୍ଶ୍ବିକ ଦିଗରେ ଶବ୍ଦ ପ୍ରଦୂଷଣର କଥା, ବ୍ୟଥା ହୋଇ ଫାଟି ପଡ଼ୁଛି କାନ ଅଥଚ ନୀରବ ରହୁଛି ବିଡ଼ିଏ ପ୍ରଶାସନ। ଦ୍ୱିତୀୟତଃ ମଇଳା ଆବର୍ଜନାଗୁଡ଼ିକ କଲ୍ୟାଣ ମଣ୍ଡପରୁ କିପରି ବାହାରିଥାଏ ଏବଂ କେଉଁଠି ପକାଇ ଦିଆଯାଏ ତା’ର ଠିକଣା କାହା ପାଖରେ ନାହିଁ। ମାଛମାଂସର ଗନ୍ଧ ସହ ଭୋଜି ସରିଲା ପରେ ପନିପରିବା ସାଙ୍ଗକୁ ଖାଦ୍ୟ ପଚିସଢ଼ି ଗଲେ ସେଇ ସ୍ଥାନରେ ରଖି ଦେଇ କିମ୍ୱା କୌଣସି ନାଳ ନର୍ଦ୍ଦମାରେ ପକାଇ ଦେଇ କଲ୍ୟାଣ ମଣ୍ଡପର କରିତ୍କର୍ମାମାନେ ନୀରବ ଅଥଚ ଦଶା ଭୋଗନ୍ତି ଜନସାଧାରଣ। ବର୍ତ୍ତମାନ ବିବାହ ବ୍ରତ ଋତୁ ସାଙ୍ଗକୁ ପିଲାମାନଙ୍କ ପରୀକ୍ଷା ସମୟ ଆସନ୍ନ। ବିବାହ ବରଯାତ୍ରୀ ମାନେ ନାଚଗୀତରେ ବର ସହ ଗଲାବେଳେ ଶବ୍ଦ ପ୍ରଦୂଷଣ କରି କଲ୍ୟାଣ ମଣ୍ଡପକୁ ଗଲାବେଳେ ଡ଼ିଜେର ବହୁଳ ବ୍ୟବହାର ସାମାଜିକ ଶୃଙ୍ଖଳିତ ପରିବେଶକୁ ବିପନ୍ନ କରିଦିଏ ଅଥଚ ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା। ପ୍ରଶ୍ନ ଉଠୁଛି ସହରରେ ମଲ୍ ହୋଟେଲ୍ର ପ୍ରଦୂଷଣ ମାତ୍ରା ଓ ପରିବେଶକୁ ନେଇ ଚିନ୍ତିତ ଥିବା ବିଡ଼ିଏ ପ୍ରଶାସନ ଓ ମହାନଗର ଚଢ଼ାଉ କରିବାର ଅନେକ ଦୃଷ୍ଟାନ୍ତ ଅଛି। କଲ୍ୟାଣ ମଣ୍ଡପକୁ କାହିଁକି ଏଥିରୁ ବାଦ ଦିଆଯାଉଛି ତାହା ବୁଝାପଡ଼ୁନି? ବିଡ଼ିଏ ସଚିବଙ୍କ ଦ୍ୱାରା କଲ୍ୟାଣ ମଣ୍ଡପର ଯାଞ୍ଚ ପ୍ରକ୍ରିୟା କେବେ ନହେବା ସଂଦେହ ସୃଷ୍ଟି କରୁଛି ଯେ କଲ୍ୟାଣ ମଣ୍ଡପ ଓ ବାବୁମାନଙ୍କ ମଧୁଚନ୍ଦ୍ରିକାରେ ଏପରି ଅବ୍ୟବସ୍ଥାକୁ ହଜମ କରିନେବା ପାଇଁ ସହରବାସୀଙ୍କୁ ବାଧ୍ୟ କରାଯାଉନି ତ? ବ୍ରହ୍ମପୁର ମହାନଗର ନିଗମରେ ରିପୋର୍ଟ ଅନୁଯାୟୀ ୪୦ଟି ୱାର୍ଡ଼ ମଧ୍ୟରୁ ୨୭ଟି ୱାର୍ଡ଼ରେ ୯୫ଟି କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି। କିନ୍ତୁ ପରିତାପର ବିଷୟ ଏହିକି ଯେ ଏହି କଲ୍ୟାଣ ମଣ୍ଡପକୁ ଆବଶ୍ୟକୀୟ ସରକାରୀ ନିୟମ ଭିତ୍ତିରେ କରାଯାଇନାହିଁ। ସୂଚନାଥାଉକି ବିଡ଼ିଏ କେଉଁ ପରିପ୍ରେକ୍ଷୀରେ ଏହି କଲ୍ୟାଣ ମଣ୍ଡପଗୁଡ଼ିକୁ ମଂଜୁର କରିଛି ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଏହାକୁ ଗମ୍ଭୀରତାର ସହ ନନେଇ ସରକାରୀ ନିୟମକୁ ଖୁଲମ୍ଖୁଲା ଉଲ୍ଲଂଘନ କରିବାକୁ କଲ୍ୟାଣ ମଣ୍ଡପ ମାଲିକମାନଙ୍କୁ ପ୍ରୋତ୍ସାହ ଦେଉଛନ୍ତି। ବ୍ରହ୍ମପୁର ବିଡ଼ିଏ କର୍ତ୍ତୃପକ୍ଷ କଲ୍ୟାଣ ମଣ୍ଡପ ବିଷୟରେ ତଥ୍ୟ ମାଗିଲେ କୌଣସି ସନ୍ତୋଷ୍ଟଜନକ ଉତ୍ତର ଦେଉନାହାନ୍ତି। ବିନା ପାର୍କିଂ ବ୍ୟବସ୍ଥାରେ କିଭଳି ଭାବରେ କଲ୍ୟାଣ ମଣ୍ଡପ ପାଇଁ ସ୍ୱୀକୃତି ଦିଆଗଲା ଯାହାକି ବିଡ଼ିଏ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଳି ନିକ୍ଷେପ କରୁଛି। ବିଡ଼ିଏ ସଂପାଦକ ତଳ ଦିନେ ପାର୍କିଂ ବ୍ୟବସ୍ଥାକୁ ନେଇ ବିଭିନ୍ନ ମଲ୍ ଉପରେ ଚଢ଼ାଉ କରିଥିଲେ ଏବଂ କିଛି ମଲ୍ ବନ୍ଦ ହୋଇ ବି ପଡ଼ିଛି। କିନ୍ତୁ କଲ୍ୟାଣ ମଣ୍ଡପ ପ୍ରତି ଏତେ ଅନୁକମ୍ପା କାହିଁକି ତାହା ସହଜରେ ହଜମ ହେଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। କଲ୍ୟାଣ ମଣ୍ଡପର ଅବ୍ୟବସ୍ଥାକୁ କିଏ, କେମିତି, କାହା ପ୍ରରୋଚନାରେ ଉତ୍ସାହିତ କରୁଛି ନିହାତି ଅନୁଶୀଳନୀୟ।