୨୨ ଲକ୍ଷ ବେକାର, ୨୬ ହଜାର ନିଯୁକ୍ତି!

୨୨ ଲକ୍ଷ ବେକାର, ୨୬ ହଜାର ନିଯୁକ୍ତି!

ନବୀନ ପଟ୍ଟନାୟକଙ୍କ ଦୀର୍ଘ ୧୯ ବର୍ଷର ସରକାରରେ ରାଜ୍ୟର ଶିକ୍ଷିତ ବେକାର ଯୁବକଯୁବତୀଙ୍କ ପାଇଁ ଆବଶ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇନାହିଁ। ସରକାର ନିଯୁକ୍ତି ଓ ରୋଜଗାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ୨୦୦୩-୦୪ ବର୍ଷରୁ ଦ୍ରୁତ ଶିଳ୍ପାୟନ ଆରମ୍ଭ କରିଥିଲେ ବି ବିଗତ ୧୫ ବର୍ଷ ଭିତରେ ତାହା ସାକାର ହୋଇନାହିଁ। ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ରଖି ବିଧାନସଭାରେ ଖୋଦ ସରକାର ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି ତହିଁରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ ବେକାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ନବୀନ ସରକାରଙ୍କ ଶିଳ୍ପାୟନ ସଂପୂର୍ଣ୍ଣ ବିଫଳ ହୋଇଛି। ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଉଷା ପାଢ଼ୀ ୨୦୧୯ ଫେବୃଆରୀ ୬ ତାରିଖରେ ରାଜ୍ୟ ବିଧାନସଭାରେ କହିଛନ୍ତି ଯେ ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ। ଏହି ସମୟ ମଧ୍ୟରେ ନିଯୁକ୍ତି ପାଇଛନ୍ତି ମାତ୍ର ୨୬,୪୫୦ ଜଣ। ନିଯୁକ୍ତି ହାର ମାତ୍ର ୧%। ଏ ବିଷୟ ତଥ୍ୟ ଓଡିଶାବାସୀଙ୍କ ସାମନାକୁ ଆସିବା ପରେ ନିଜର ଅପାରଗତାକୁ ଢାଙ୍କିବା ପାଇଁ ବିଜୁ ଜନତା ଦଳର ବିଧାୟକମାନେ ଫେବୃଆରୀ ୮ ତାରିଖରେ ରାଜ୍ୟପାଳଙ୍କୁ ଭେଟି ୨୦୧୪ ନିର୍ବାଚନ ପୂର୍ବରୁ ନିଯୁକ୍ତି ନେଇ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତି ନେଇ ସ୍ମାରକପତ୍ର ଦେଇଛନ୍ତି। ୨୦୧୪ ନିର୍ବାଚନ ପ୍ରଚାର ସମୟରେ ବିଜେପି ନେତାମାନେ କହିଥିଲେ ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଦେଶରେ ବର୍ଷକୁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ବିଜେଡି ଅଭିଯୋଗ କରିଛି ଯେ ଏହି ପ୍ରତିଶ୍ରୁତି ପାଳନ କରିବାରେ ମୋଦୀ ସରକାର ବିଫଳ ହୋଇଛି। ବିଜେଡିର ଏହି ଚାଲ୍‌କୁ ସମାଲୋଚନା କରି ବିଜେପି ବିଧାୟକ ରବି ନାୟକ କହିଛନ୍ତି ଯେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମୋଦି ସରକାର ଆସିବା ପରେ କେତେ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି ତାହାର ତଥ୍ୟ ଦେଇଛନ୍ତି। କେବଳ ୨୦୧୮-୧୯ ବର୍ଷରେ ଦେଶରେ ୧ କୋଟି ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ସୃଷ୍ଟି ହୋଇଛି। ସେଥିରୁ ୪୫ ଲକ୍ଷ ହେଉଛି ସଂଗଠିତ କ୍ଷେତ୍ରରେ। ଏହାର ପୁରା ତଥ୍ୟଗତ ପ୍ରମାଣ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖରେ ରଖିଛନ୍ତି। ହେଲେ ଓଡିଶା ବିଧାନସଭାରେ ରାଜ୍ୟ ସରକାର ରାଜ୍ୟରେ ସମୁଦାୟ କେତେ ନିଯୁକ୍ତି ଓଡିଆ ପିଲାମାନଙ୍କୁ ଦେଇଛନ୍ତି ସେ ବିଷୟରେ କହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସତସାହସ ନାହିଁ। କାରଣ ରାଜ୍ୟ ସରକାର ରାଜ୍ୟର ଯୁବକମାନଙ୍କୁ କେବଳ ପ୍ରତାରଣା କରିଛନ୍ତି ବୋଲି ସେ କହିଛନ୍ତି। ଏଠାରେ ଉଲ୍ଲଖେଯୋଗ୍ୟ ଯେ ୨୦୦୯ରେ ଚୂଡ଼ାନ୍ତ ହୋଇଥିବା ରାଜ୍ୟ ଶିଳ୍ପ ନୀତି ଅନୁସାରେ ରାଜ୍ୟରେ ପ୍ରତିଷ୍ଠା କରାଯାଉଥିବା ଶିଳ୍ପରେ ଅଣକୁଶଳି ଓ ଅର୍ଦ୍ଧକୁଶଳି ଶ୍ରମିକମାନଙ୍କ କ୍ଷେତ୍ରରେ ୯୦% ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ। ସେହିପରି କୁଶଳି କ୍ଷେତ୍ରରେ ୬୦% ଓ ସୁପରଭାଇଜର କ୍ଷେତ୍ରରେ ୩୦% ସ୍ଥାନ ସ୍ଥାନୀୟ ଓଡିଆ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ। ହେଲେ ସରକାରୀ ଅବହେଳା, ଉଦାସୀନତା ଓ ଦୁର୍ନୀତି କାରଣରୁ ରାଜ୍ୟର ଅନେକ ଶିଳ୍ପ ଏହି ନିୟମ ଅନୁସାରେ ନିଯୁକ୍ତି ପ୍ରଦାନ କରୁନାହାନ୍ତି। ସରକାରୀ କଳ ସହିତ ଜଡ଼ିତ ନେତା ଓ ବାବୁମାନେ ଲାଞ୍ଚ ନେଇ ଆଖିବୁଜି ଦେଇଥିବାରୁ ସଂପୃକ୍ତ ଶିଳ୍ପ ସଂସ୍ଥାଗୁଡ଼ିକ ବାହାର ରାଜ୍ୟର ଲୋକମାନଙ୍କୁ ଆଣି ଓଡ଼ିଶା କାରଖାନାରେ ନିଯୁକ୍ତ କରୁଛନ୍ତି। ପାରାଦୀପ, କଳିଙ୍ଗନଗର, ଝାରସୁଗୁଡ଼ା, ରାଉରକେଲା, ସମ୍ବଲପୁର, ବାଲେଶ୍ବର ଓ ରାୟଗଡ଼ା ଆଦି ରାଜ୍ୟର ପ୍ରାୟ ସମସ୍ତ ଶିଳ୍ପାଂଚଳରେ ଏହି ପରିସ୍ଥିତି। କେବଳ ଜମିହରାମାନଙ୍କ ମଧ୍ୟରୁ କେତେ ଜଣଙ୍କୁ କେତେକ ଶିଳ୍ପାଞ୍ଚଳରେ ନିଯୁକ୍ତି ମିଳିଛି। ତାହା କ୍ଷତିପୂରଣ ବାବଦ ନିଯୁକ୍ତି ହୋଇଥିଲେ ହେଁ ସଂପୃକ୍ତ କମ୍ପାନୀଗୁଡ଼ିକ ତାହାକୁ ଶିଳ୍ପନୀତି ଅନୁସାରେ ସ୍ଥାନୀୟ ପ୍ରାର୍ଥୀଙ୍କ ନିଯୁକ୍ତି ତାଲିକାରେ ଦର୍ଶାଇଛନ୍ତି। ସରକାର ଏହାର ଯାଞ୍ଚ ଓ ତର୍ଜମା କରିନାହାନ୍ତି। ଏହି ପରିପ୍ରକ୍ଷୀରେ ବିଜେପି ବିଧାୟକ ରବି ନାୟକ ସରକାରଙ୍କଠାରୁ ଜାଣିବାକୁ ଚାହିଁଛନ୍ତି ଯେ ୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୭୩ ହଜାର କୋଟିର ପୁଂଜି ନିବେଶ ସହ ୩ ଲକ୍ଷ ଶିଳ୍ପ ଭିତ୍ତିକ ନିଯୁକ୍ତି ପ୍ରତିଶୃତି କେତେ ପୂରଣ ହୋଇଛି? ଡେରାଶରେ ସାମୁଦ୍ରିକ ଖାଦ୍ୟ ପାର୍କ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଜାଂମରେ ସମନ୍ୱିତ ବୟନ ଶିଳ୍ପ ପ୍ରକଳ୍ପ, ଭଦ୍ରକରେ ଫୁଡ ପାର୍କ, ରାୟଗଡା ଓ ଅନୁଗୁଳରେ ଆଲୁମିନିୟମ ପାର୍କର କାମର ସ୍ଥିତି ଏବେ କ’ଣ? ମେକ୍‌ ଇନ୍‌ ଓଡିଶା କନକ୍ଲେଭରେ କେତେ ଟଙ୍କାର ପୁଂଜି ନିବେଶ ହେଲାଣି ତାହାର ତଥ୍ୟ ସରକାର କାହିଁକି ଦେଉନାହାନ୍ତି ? ରାଜ୍ୟ ସରକାରରେ ଲକ୍ଷଲକ୍ଷ ପଦବୀ ଖାଲି ପଡ଼ିଥିଲେ ବି ତାହା ପୂରଣ କରାଯାଉ ନାହିଁ। ଫଳରେ ରାଜ୍ୟର ଶିକ୍ଷିତ ଯୁବକଯୁବତୀ ସରକାରରେ ନିଯୁକ୍ତ ଓ ଅଂଶୀଦାର ହୋଇପାରୁ ନାହାନ୍ତି। ବିଧାୟକ ରବି ନାୟକ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟର ୭୦ ଭାଗ ସରକାରୀ ପଦବୀ ଖାଲି। ରାଜ୍ୟରେ ଥିବା ସରକାରୀ କଲେଜ, ସ୍କୁଲ, ବିଭିନ୍ନ ସରାକରୀ ଦପ୍ତରରେ ୮୦ ହଜାରରୁ ଅଧିକ ପଦବୀ ଖାଲି ପଡିଛି। ସରକାର ସରକାରୀ ଶିକ୍ଷକ ପଦବିବି ସରକାର ପୂରଣ କରୁନାହାନ୍ତି। ଅନେକ ଉଚ୍ଚ ଡିଗ୍ରୀଧାରି ଯୁବକ ଯୁବତୀ ନିଯୁକ୍ତି ନପାଇ ବେକାର। ଅଥଚ ରାଜ୍ୟ ସରକାର ଅନେକ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେଇ ସନ୍ତୁଷ୍ଟ କରିଛନ୍ତି। କେତେକ ଉଚ୍ଚପଦସ୍ଥ ଅଧିକାରୀ ନବୀନ ସରକାରଙ୍କ ଦୁର୍ନୀତି ଓ ଅବୈଧ କାର୍ଯ୍ୟର ସହଭାଗୀ ହୋଇଥିବାରୁ ସରକାର ସେମାନଙ୍କୁ ଅବସର ପରେ ବିଭିନ୍ନ ପଦପଦବୀରେ ଥଇଥାନ କରିଛନ୍ତି। ସେହିପରି ସଚିବାଳୟରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ଅନେକ ସରକାରୀ ଦପ୍ତରରେ ଆବଶ୍ୟକ ପଡ଼ୁଥିବା କର୍ମଚାରୀ ନିୟୋଜନକୁ ସରକାରୀ ସଂସ୍ଥା ଜରିଆରେ ସରକାରୀ ପଦ୍ଧତିରେ ପୂରଣ କରାନଯାଇ ଆଉଟ୍‌ସୋର୍ସିଂ ଜରିଆରେ ଘରୋଇ ସଂସ୍ଥା ଦ୍ବାରା ପୂରଣ କରାଯାଉଛି। ତା’ଫଳରେ ଅନେକ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତିରୁ ବଂଚିତ ହେଉଛନ୍ତି। ଘରୋଇ ସଂସ୍ଥା ଦ୍ବାରା ନିଯୁକ୍ତିରେ ପ୍ରବଳ ପ୍ରିୟାପ୍ରୀତି ତୋଷଣ ଓ ଲାଞ୍ଚ କାରବାର ହେଉଛି।

Share :