ଆମେ ଅସହିଷ୍ଣୁ?

ଆମେ ଅସହିଷ୍ଣୁ?

Share :

ଲିପ୍ସା ପଣ୍ଡା ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ଗାଁକୁ ଟ୍ରାଭେଲ ଏଜେଣ୍ଟ ଟିଏ ଆସିଲା। ଗାଁର କିଛି ଥିଲାବାଲାଙ୍କ ଘରକୁ ଯାଇ ଉତ୍ତର ଭାରତ ଭ୍ରମଣ ତଥା ତ୍ରିବେଣୀ ସଙ୍ଗମ ସ୍ଥଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ ସୁବିଧା ଥିବା ଏକ ମାସିକିଆ ଟ୍ରେନ ତୀର୍ଥଯାତ୍ରାର ପ୍ୟାକେଜ୍ ବିଷୟରେ ବୁଝେଇଲା। ଆଗରୁ ଗାଁରୁ ସେମିତିକା ପ୍ୟାକେଜ୍ ଟୁର୍‌ରେ କିଏ ଯାଇ ନଥିଲେ କି କଣ! ଖୁବ୍ ଚର୍ଚ୍ଚା ଚାଲିଲା ତା ଉପରେ। ତୀର୍ଥସ୍ଥାନମାନଙ୍କ ଭିତରେ ଥିଲା ଉତ୍ତର ଭାରତର ପ୍ରାୟ ସବୁ ପ୍ରସିଦ୍ଧ ମନ୍ଦିର। ଏଣୁ ଲୋକେ ଖୁବ୍ ଆଗ୍ରହୀ ଥିଲେ ସେ ଟୁର୍ ପାଇଁ। ଆମ ଘରକୁ ପ୍ରତି ସଂକ୍ରାନ୍ତିରେ ବ୍ରାହ୍ମଣ ଭୋଜନ ପାଇଁ ଆସନ୍ତି ଜଣେ ପୁରୋହିତ। ସେ ସଞ୍ଚା ନେଇ ସାରିବା ପରେ ବେଶ୍ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ବଦ୍ରୀନାଥ ଯାତ୍ରାର ଅନୁଭୂତି ବର୍ଣ୍ଣନା କରିଥିଲେ। ଗୁଡ଼ାଏ ବର୍ଷ ପୂର୍ବେ ବାଘ, ସାପ ପୂର୍ଣ୍ଣ ତଥା ସଂକୀର୍ଣ୍ଣ ଘାଟି ଯୁକ୍ତ ବିପଦସଙ୍କୁଳ ରାସ୍ତା ଦେଇ, ନିଜ ଜୀବନକୁ ପାଣି ଛଡ଼େଇ ସେ କିପରି ପ୍ରାୟତଃ ବରଫାବୃତ୍ତ ରହୁଥିବା ବଦ୍ରୀନାଥଙ୍କୁ ଦର୍ଶନ କରି ଫେରିଥିଲେ, ତା ଉପରେ ବିସ୍ତୃତ ବିବରଣୀ ଦେଇଥିଲେ। ଆଉ ଏବେର ଟ୍ରେନ ଯାତ୍ରାରେ ବରଫ ଧସିବା ଡରକୁ ଛାଡ଼ିଦେଲେ ସେମିତିକା ବିପଦ ସାମନା କରିବାର ଭୟ ପ୍ରାୟତଃ ନାହିଁ ବୋଲି ଆଶ୍ବାସନା ଦେଇ ଚାଲି ଯାଇଥିଲେ। ତେବେ ଭାଗ୍ୟରେ ଯାହା ଥିବ, ସେଇଆ ଘଟିବ, ଏ କଥା ମନରେ ପାଞ୍ଚି ଅଜା, ଆଈ ସଜ ହେଲେ ତୀର୍ଥ ଯାତ୍ରା ପାଇଁ। ଗଲାବେଳେ କାନ୍ଦ ବୋବାଳି। କିନ୍ତୁ ମାସାଧିକ ସମୟ ବିଭିନ୍ନ ସ୍ଥାନ ବୁଲାବୁଲି କରି ଫେରିଲେ ଖୁବ୍ ସାରା ନୂଆ ଜିନିଷ ଓ ନୂଆ ଅଭିଜ୍ଞତା ନେଇ। ଆଣିଥିବା ଦ୍ରବ୍ୟ ସବୁ ଭିତରେ ମୁଖ୍ୟ ଜିନିଷ ଥିଲା ପ୍ରମୁଖ ମନ୍ଦିରମାନଙ୍କ ବାହାରେ ମିଳୁଥିବା ସେ ମନ୍ଦିରର ତଥା ମନ୍ଦିରସ୍ଥ ଦେବାଦେବୀଙ୍କ ଫଟୋ। କ୍ୟାମେରା ତ ନଥିଲା। ଏଣୁ ସେଇ ଫଟୋ ସବୁ ଦେଖି ଆମେମାନେ ବି ସେଇ ସ୍ଥାନ ସବୁ ବୁଲି ଆସିଲା ଭଳି ଖୁସି ଅନୁଭବ କଲୁ। ଏ ବିବରଣୀ କହିବାର କାରଣ ଅଛି। ସେମାନେ ନେଇ ଆସିଥିବା ଫଟୋ ଭିତରେ ସବୁ ମନ୍ଦିରର ଫଟୋ ଥିଲା। ହେଲେ ନଥିଲା ଅଯୋଧ୍ୟାର ରାମ ମନ୍ଦିରର ଫଟୋ। ରାମାୟଣ, ମହାଭାରତ ବିଷୟରେ ଶୁଣି ଶୁଣି ଅଯୋଧ୍ୟା, ମଥୁରା, ବୃନ୍ଦାବନ, ଆଦି ଲାଗି ମନରେ ଥିଲା ଖୁବ୍ ଉତ୍କଣ୍ଠା। ଏଣୁ ମନ ଦୁଃଖ ହବା ଥିଲା ସ୍ବାଭାବିକ। ତେବେ କାହିଁକି ନାହିଁର ଉତ୍ତରରେ ଯାହା ଶୁଣିଲି ତାହା ଥିଲା ହୃଦୟ ବିଦାରକ। କଣ ନା ସେଠି କିଛି ମନ୍ଦିର ନାହିଁ। ଅଛି ଖାଲି ଖୋଲା ମେଲା ଜାଗା ଆଉ ପୁଲିସର ଛାଉଣୀ। ରାମଙ୍କ ଜନ୍ମସ୍ଥାନ କହି ଗୋଟେ ଜାଗାକୁ ଦେଖେଇଲେ, ସେ ବି ଖୁବ୍ ତରବରିଆ ଭାବେ। ଗୋଟେ ବାଟ ଦେଇ ପଶି ଅନ୍ୟ ବାଟ ଦେଇ ଯଥାଶୀଘ୍ର ବାହାରି ଆସିବାକୁ ନିର୍ଦ୍ଦେଶ ଦିଆଗଲା ତାଙ୍କୁ। ‘ଏମିତି କାହିଁକି’ର ଉତ୍ତର ନଥିଲା ବାହାର ଦୁନିଆଁ ସମ୍ପର୍କରେ ଅନଭିଜ୍ଞ ଗାଁ ଗହଳିର ସେ ସରଳ ଲୋକଙ୍କ ପାଖରେ। ତେବେ ବଡ଼ ହେଲାପରେ, ବାହାର ଦୁନିଆଁ ବିଷୟରେ ଅଳ୍ପ କିଛି ଜାଣିବା ପରେ ବୁଝିଲି ନିଜ ଜନ୍ମଭୂମିରେ ବି ପ୍ରଭୁ ଶ୍ରୀରାମ କାହିଁକି ବାସହରା। ଆଉ ଏଇଆ ବି ଜାଣିଲି ଯେ ରାମାୟଣ ଲେଖା ଯାଇଥିଲା ଖ୍ରୀଷ୍ଠପୂର୍ବ ପଂଚମ ଶତାବ୍ଦୀରେ। ତା ବହୁ ପୂର୍ବ ସମୟର ଘଟଣାବଳୀକୁ ନେଇ ନିଶ୍ଚୟ। ଆଉ ସେଇଥିରେ ହିଁ ଲେଖାଥିଲା ରାମ ଅଯୋଧ୍ୟାବାସୀ ବୋଲି। ଆଉ ସେ ସମୟରେ ପୃଥିବୀର ସର୍ବକନିଷ୍ଠ ଧର୍ମ କୁହାଯାଉଥିବା ଧର୍ମର ଅସ୍ତିତ୍ବ ସୁଦ୍ଧା ନଥିଲା। ତାହା ଜନ୍ମ ନେଲା ଯାଇ ସପ୍ତମ ଶତାବ୍ଦୀରେ। ଏଣୁ ସେ ଅଯୋଧ୍ୟାରେ ପ୍ରକୃତରେ ମନ୍ଦିର ଥିଲା ନା ଆଉ କିଛି, ସେ ସମ୍ବନ୍ଧରେ ଅନ୍ତତଃ କାହା ମନରେ ସନ୍ଦେହ ରହିବା କଥା ନୂହେଁ। ରାମାୟଣ କି ପ୍ରଭୁ ଶ୍ରୀରାମ ଆମ ପାଇଁ କେବଳ ମାତ୍ର ଏକ କାହାଣୀ ବା କାହାଣୀର ପାତ୍ର ନୁହଁନ୍ତି, ସେ ଆମ ଜୀବନ ଧାରା ସହ ଓତଃପ୍ରୋତ ଭାବେ ଜଡିତ। କଶ୍ମୀରଟି ଯେମିତି ଆମ ସ୍ବାଭିମାନ, ଠିକ୍ ସେମିତି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆମ ସ୍ବାଭିମାନର ପ୍ରଶ୍ନ। ଆଉ କାହା ଜିନିଷ ଆମେ ଛଡ଼େଇ ନେଉନୁ। ଆମଠୁ ଛଡ଼େଇ ନିଆ ଯାଇଥିବା ଆମ ଅଧିକାର ଫେରସ୍ତ ଚାହୁଁଛୁ ମାତ୍ର। ତେବେ ଏ ଦିଗରେ ଅନ୍ୟ ଧର୍ମାବଲମ୍ବୀ ଯେତିକି ବାଧା ସାଜୁ ନାହାଁନ୍ତି, ବାଧକ ସାଜୁଛନ୍ତି ଆମ ନିଜ ଧର୍ମର କିଛି ସ୍ବାର୍ଥାନ୍ବେଷୀ ବ୍ୟକ୍ତି। ନିଜକୁ ନିରପେକ୍ଷ ପ୍ରମାଣ କରିବାକୁ ଯାଇ ହିନ୍ଦୁ ଧର୍ମ ପ୍ରତି ହେଉଥିବା ଅନ୍ୟାୟକୁ ତ ଖୁବ୍ ସହଜରେ ଆଡ଼େଇ ଯାଉଛନ୍ତି। କିନ୍ତୁ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ ହେବା ଡରରେ (କିଛି ନ ହେଉଥିଲେ ମଧ୍ୟ) ପ୍ରାଣ କାନ୍ଦେ ତାଙ୍କର ଖୁବ୍‌। ମନ୍ଦିର ତୋଳେଇ ନାଁ କମେଇବା କଷ୍ଟ ବୋଲି ସେମାନେ ବୁଝନ୍ତି, ତେଣୁ ବାଟରେ ହଗି ରାତାରାତି ନାଁ କମେଇବା ଲକ୍ଷ୍ୟରେ କରନ୍ତି ଏସବୁ। ଆଉ ନିଜ ଟିଆର୍‌ପି ବଢେଇବା ଲକ୍ଷ୍ୟରେ ଆମ ମୁଖ୍ୟସ୍ରୋତ ଗଣମାଧ୍ୟମ ବା ମେନ୍‌ଷ୍ଟ୍ରିମ ମିଡିଆ ତାଙ୍କୁ ଏ ଦିଗରେ ସାହାଯ୍ୟ କରେ ଅନେକ। ଏଭଳି ଲୋକ କେତେ ନିମ୍ନ ସ୍ତରକୁ ଯାଇ ପାରନ୍ତି ଗୋଟେ ଉଦାହରଣ ଦେବି। ଆମ ଚିହ୍ନାଜଣାର ଜଣେ ବ୍ୟକ୍ତି ପ୍ରାୟ ଦୁଇ ବର୍ଷ ତଳେ ଅନ୍‌ସାଇଟ୍‌ ପାଇଁ ବିଦେଶ ଯାଇ ସେଇଠି ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି। ନିଜେ କେତେ ଧର୍ମ ନିରପେକ୍ଷ, ସେଇଟା ସେମାନଙ୍କୁ ଜଣେଇବା ପାଇଁ ଗୋମାଂସ ଖାଉଥିବା ବେଳର ଫଟୋସବୁ ଅପ୍‌ଲୋଡ଼୍‌ କରିଛନ୍ତି। ପ୍ରତି ପୋଷ୍ଟରେ ହିନ୍ଦୁ ଧର୍ମରେ କେତେ ସାରା ଭୁଲ୍ ଭଟକା ରହିଚି, ଆମ ପୁରାଣର ଚରିତ୍ର ସବୁ କେତେ ଅନ୍ୟାୟ କରିଛନ୍ତି, କେବଳ ସେଇ ବର୍ଣ୍ଣନା। ଭାରତର ବ୍ୟବସ୍ଥା ସବୁ କେତେ ଖରାପ, ତା ଉପରେ ଲମ୍ବା ଲମ୍ବା ପୋଷ୍ଟ। ପୁଅ ତେଣେ ଅନ୍ୟର ଶ୍ରଦ୍ଧାଭାଜନ ହେଇ, ସେଠି ନିଜ ସ୍ଥିତି ସୁଦୃଢ କରିବାକୁ, ନିଜ ମୁଣ୍ଡ ବିକି ଦେଇ ତାଙ୍କ ପାଦ ଚାଟିବାରେ ବ୍ୟସ୍ତ। ଜଗନ୍ନାଥ ଓଡ଼ିଶା ପାଇଁ ଏକ କଳା ଦାଗ କହିଲାଣି। ଆଉ ବୁଢ଼ା ବାପାମା’ ଏବେ ବି ସକାଳେ ସଞ୍ଜେ ଗାଁ ଜଗନ୍ନାଥ ମନ୍ଦିରକୁ ଯାଇ ପୁଅ ପାଇଁ ମୁଣ୍ଡ ବାଡ଼େଇବାରେ ବ୍ୟସ୍ତ। ଆମେ ଦେଖୁ ଏ ସବୁ। ଭାବୁ, ନିଜ ଜାତି, ଧର୍ମ ପାଇଁ ଏତେ ଘୃଣା ଯଦି, ଲୋକଟା ଧର୍ମ ପରିବର୍ତ୍ତନ କରି ନିଜ ପସନ୍ଦର ବା ୟା’ଠୁ ଭଲ ବୋଲି ଭାବୁଥିବା ଧର୍ମକୁ ଚାଲି ଯାଉନି କାହିଁକି? ହେଲେ ସେ ଯିବ କାହିଁକି? ଆମ ଧର୍ମର ଲୋକେ ସହି ଚାଲିଛନ୍ତି ଏ ବକବାସ୍ ନୀରବରେ (ଆମମାନଙ୍କ ଭଳି ସ୍ବଳ୍ପ କିଛିଙ୍କୁ ଛାଡ଼ିଦେଲେ ତା ପୋଷ୍ଟ ସବୁକୁ କିଏ ବିରୋଧ କରିବା ମୁଁ ଦେଖିନି)। ଅଲଗା ଧର୍ମକୁ ଚାଲିଗଲା ପରେ ଏ ବାକ୍ ସ୍ବାଧୀନତା ନଥିବ ନିଶ୍ଚୟ। ଅଲଗା ଧର୍ମର ହେଇ ହିନ୍ଦୁ ଧର୍ମକୁ ନିନ୍ଦା କରୁଛି ବୋଲି ଏବେ ଚୁପ୍ ଥିବା ଲୋକେ ବି ବିରୋଧ କରି ପାରନ୍ତି ବୋଲି ଡରୁଥିବ ନିଶ୍ଚୟ। ତେଣୁ ସବୁଠୁଁ ଭଲ କୁରାଢ଼ିର ବେଣ୍ଟ ହେଇ ନିଜ ବଂଶ ନାଶ କାରି ଚାଲ! ଆଉ ଏକ ବିଚିତ୍ର ପରିସ୍ଥିତି ଲକ୍ଷ୍ୟ କଲି ମୁଁ। ସାବରିମାଲାକୁ ସବୁ ବୟସର ମହିଳାଙ୍କ ପ୍ରବେଶ ଅଧିକାର ପାଇଁ ଦାବି କରୁଥିବା କିଛି ବ୍ୟକ୍ତି ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଛନ୍ତି। କଣ ନା ଦେଶର ଅନ୍ୟ ସ୍ଥାନରେ ବହୁତ ରାମ ମନ୍ଦିର ଅଛି। ତେବେ ସ୍ବାମୀ ଆୟାପ୍ପା କଣ ଖାଲି ସେଇ ଗୋଟିଏ ମନ୍ଦିରରେ ରହନ୍ତି? ଏ କୋଉ ପ୍ରକାର ଦୋ ମୁହାଁ କଥା? ଏବେ ଦେଶରେ ରହି, ବଢ଼ି, ନିଜ ପାଇଁ ମାନ, ସମ୍ମାନ, ଯଶ, କିର୍ତ୍ତୀ, ସର୍ବୋପରି ପୁଳାଏ ଟଙ୍କା କମେଇ ସାରିବା ପରେ, କିଛି ଲୋକଙ୍କୁ ଏଠି ଅସହିଷ୍ଣୁତା ଦେଖା ଯାଉଛି। ଡର ମାଡୁଚି ଖୁବ୍, ତଥାପି ଏ ଦେଶ ଛାଡ଼ି ଚାଲି ଯିବା ବଦଳରେ ଏଠି ଆସ୍ଥାନ ଜମେଇ ବସିଛନ୍ତି। ଆଉ ଆମ ଅସହିଷ୍ଣୁ, ଭୟଙ୍କର ଲୋକେ ସେମାନଙ୍କ ସିନେମାକୁ ସୁପର ଡୁପର ହିଟ୍ ବନେଇ ଚାଲିଛନ୍ତି। ଏଇ ତ ଆମ ସହିଷ୍ଣୁତାର, ଆମ ଉଦାରବାଦର ସବୁଠୁଁ ବଡ଼ ପ୍ରମାଣ। ନୂହେଁ? ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଯେଭଳି ଭାବରେ ତାରିଖ ପରେ ତାରିଖ ଗଡ଼େଇ ଆମ ଭାବାବେଗକୁ ପେଣ୍ଡୁ ଭଳି ଗୋଇଠା ମାରି ଚାଲିଛନ୍ତି, ଚିନ୍ତା କଲେ ଜଣା ପିବ ଆମ ଲୋକେ କେତେ ସହି ପାରନ୍ତି। ଅନ୍ୟ କାହା କଥା ହେଲେ କି ଯେ ଅବସ୍ଥା ହୁଅନ୍ତାଣି ଦେଶର, ତାହା ସମସ୍ତେ ଜାଣନ୍ତି। ଏତେ ପରେ ବି ଆମେ ଅସହିଷ୍ଣୁ! ଆଗରୁ ଧର୍ମଭୀରୁ ବୋଲି କହି ଥଟ୍ଟା କରୁଥିବା ଲୋକ ଗୁଡ଼ା ଏବେ ଯେତେବେଳେ ଦେଖୁଛନ୍ତି କିଛି ଲୋକ ନିଜ ହକ୍ ପାଇଁ ମୁହଁ ଖୋଲିବା ଆରମ୍ଭ କଲେଣି, ଆଉ ପୂର୍ବ ଭଳି ସବୁ ଦେଖି, ଶୁଣି, ଜାଣି ମୁକବତ୍ ନ ରହି ନିଜ ଅଧିକାର ପାଇଁ ଦାବି କରୁଛନ୍ତି, ସେମାନଙ୍କୁ ଡର ଲାଗିବା ସ୍ବାଭାବିକ। ନୂହେଁ??? (ଏହା ଲେଖିକାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ। ତାଙ୍କ ମତକୁ ସାମାନ୍ୟକଥନ.କମ୍‌ ସମ୍ମାନ ପ୍ରଦାନ କରିଛି।) ସ୍ମୃତିସିକ୍ତା, ହାଇଦ୍ରାବାଦ

Share :