ଋଣଂ କୃତ୍ବା ମଦ୍ୟଂ ପିବେତ୍‌!

ଋଣଂ କୃତ୍ବା ମଦ୍ୟଂ ପିବେତ୍‌!

Share :

ଦେବେନ୍ଦ୍ର ପୃଷ୍ଟି କାହିଁ କେଉଁ ପ୍ରାଚୀନ କାଳରେ ଭାରତରେ ଜନ୍ମ ନେଇଥିଲା ବିଜ୍ଞାନସିଦ୍ଧ ବସ୍ତୁବାଦ ବା ସାଇଣ୍ଟିଫିକ୍‌ ମ୍ୟାଟେରିଆଲିଜ୍‌ମ। ଏହାର ପ୍ରବର୍ତ୍ତକ ଥିଲେ ମହର୍ଷି ଚାର୍ବାକ। ତାଙ୍କର ଗୋଟିଏ ପ୍ରସିଦ୍ଧ ଶ୍ଳୋକ ହେଲା- ଯାବତ୍‌ ଜୀବେତ ସୁଖଂ ଜୀବେତ, ଋଣଂ କୃତ୍ବା ଘୃତଂ ପିବେତ, ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନ କୁତଃ? ଚାର୍ବାକଙ୍କ ଅନୁସାରେ ଏ ପୃଥିବୀରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଜୀବନ ଯାକ ଅୟସ ଆରାମରେ କଟେଇବାକୁ ଭଲ ପଆନ୍ତି। ସେମାନେ ଋଣ କରି ଘିଅ ପିଇବାରେ ଦୋଷ ନାହିଁ। ଥରେ ଦେହ ପାଉଁଶରେ ପରିଣତ ହେଲା ପରେ ଆଉ କେହି ଫେରି ଆସି ଋଣ ପରିଶୋଧ କରିବ କି? ଏବେ ଓଡ଼ିଶା ସରକାର ରାଜ୍ୟବାସୀଙ୍କ ପାଇଁ ଏହିପରି ଅର୍ଥନୀତି ପ୍ରଚଳନ କରିଛନ୍ତି। ଅବଶ୍ୟ ଋଷି ଚାର୍ବାକ ଋଣ କରି ଘିଅ ପିଇବା କଥା କହୁଥିଲେ। ଏବେ ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ସରକାର ଋଣ କରି ମଦିରା ପାନ କଥା କହୁଛନ୍ତି। ସେଥିପାଇଁ ରାଜ୍ୟବାସୀଙ୍କ ଉପରେ ସରକାରୀ ଋଣବୋଝ ବଢ଼ି ଚାଲିଥିବାବେଳେ ସରକାରୀ ମଦ ଦୋକାନ ଓ ମଦ ଗରାଖଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ନବୀନବାବଙ୍କୁ ଦୁଇ ଦଶନ୍ଧିର ମୁଖ୍ୟମନ୍ତ୍ରିତ୍ବ ସମୟରେ ରାଜ୍ୟରେ ମଦ ବିକ୍ରି ପରିମାଣ ଢେର ଗୁଣ ବଢ଼ିଛି। ୨୦୧୬ ମସିହାରେ ତତ୍କାଳୀନ ଅବକାରୀ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୧୯୯୯-୨୦୦୦ ଆର୍ଥିକ ବର୍ଷରେ ରାଜ୍ୟରେ ବିକ୍ରି ପାଇଁ ୪୬.୨୦ ଲକ୍ଷ ଲିଟର ଭାରତ ତିଆରି ବିଦେଶୀ ମଦ ଉଠା ଯାଇଥିଲା। ୨୦୧୫-୧୬ ବର୍ଷ ବେଳକୁ ତାହାର ପରିମାଣ ୪୫୫.୭୦ ଲକ୍ଷ ଲିଟରକୁ ବୃଦ୍ଧି ପାଇଥିଲା। ସେହିପରି ୧୯୯୯-୨୦୦୦ ବର୍ଷରେ ୫୪.୪୩ ଲକ୍ଷ ଲିଟର ବିୟର ବିକ୍ରି ପାଇଁ ଉଠିଥିବାବେଳେ ୨୦୧୫-୧୬ ବର୍ଷକୁ ତାହାର ପରିମାଣ ୪୮୫.୪୩ ଲକ୍ଷ ଲିଟରକୁ ବୃଦ୍ଧି ପାଇଥିଲା। ଡାକ୍ତର ରାଉତଙ୍କ ତଥ୍ୟ ଅନୁସାରେ ୨୦୦୪-୦୫ ବର୍ଷରେ ୪୫.୮୮ ଲକ୍ଷ ଲିଟର ଦେଶୀ ମଦ ବିକ୍ରି ହୋଇଥିଲାବେଳେ ୨୦୧୫-୧୬ ବର୍ଷକୁ ଏହି ପରିମାଣ ୧୦୨.୬୨ ଲକ୍ଷ ଲିଟରକୁ ବୃଦ୍ଧି ପାଇଥିଲା। ୧୯୯୯-୨୦୦୦ ବର୍ଷରେ ଆଉଟ-ଷ୍ଟିଲ ବା ଓଏସ୍ ମଦ ବିକ୍ରି ପରିମାଣ ୭୧.୦୧ ଲକ୍ଷ ଲିଟର ଥିଲାବେଳେ ୨୦୧୫-୧୬ ବର୍ଷ ବେଳକୁ ତାହା ୬୦୨.୭୨ ଲକ୍ଷ ଲିଟରରେ ପହଂଚିଥିଲା। ଏହି ସମୟ ମଧ୍ୟରେ ମୋଟ ମଦ ବିକ୍ରି ପରିମାଣ ୯.୫୯ ପ୍ରତିଶତ ବୃଦ୍ଧି ପାଇଥିଲା। ୨୦୦୦ ମାର୍ଚ୍ଚ ୫ ତାରିଖରେ ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ। ତାଙୋକ ସରକାରଙ୍କ ମଦ ନୀତି ଯୋଗୁଁ ହିଁ ରାଜ୍ୟରେ ବୃଦ୍ଧି ପାଉଛି ମଦୁଆଙ୍କ ସଂଖ୍ୟା ଓ ମଦ୍ୟପାନର ପରିମାଣ। ନବୀନ ପଟ୍ଟନାୟକଙ୍କ ପ୍ରଥମ ୧୫ ବର୍ଷର ମୁଖ୍ୟମନ୍ତ୍ରିତ୍ୱ ସମୟରେ ରାଜ୍ୟରେ ମୁଣ୍ଡ ପିଛା ମଦ୍ୟପାନ ପରିମାଣ ୫୦୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୦୧-୦୨ ବର୍ଷରେ ରାଜ୍ୟରେ ମୁଣ୍ଡପିଛା ୭୦୦ ମିଲିଲିଟର ମଦ୍ୟପାନ ହେଉଥିଲା। ୨୦୧୫ ବେଳକୁ ଏହା ୫ ଲିଟରକୁ ବୃଦ୍ଧି ପାଇଛି। ଆଉ ଏହି ସମୟ ମଧ୍ୟରେ ବଢ଼ିଛି ରାଜ୍ୟର ଋଣଭାର। ନବୀନବାବୁ ମୁଖ୍ୟମନ୍ତ୍ରୀ ହେଲାବେଳକୁ ରାଜ୍ୟ ରାଜକୋଷ ଉପରେ ୧୮,୧୦୦ କୋଟି ଟଙ୍କାର ଋଣବୋଝ ଥିଲା। ଏ ଦୁଇ ଦଶନ୍ଧି ଭିତରେ ତାହା ୫ ଗୁଣ ବୃଦ୍ଧି ପାଇ ୧ ଲକ୍ଷ କୋଟି ଟଙ୍କାକୁ ଛୁଇଁଲାଣି। ୨୦୦୧ ମସିହାରେ ଓଡ଼ିଶାର ଜନସଂଖ୍ୟା ଥିଲା ୩ କୋଟି ୬୮ ଲକ୍ଷ। ସେତେବେଳେ ରାଜ୍ୟର ଋଣଭାର ଥିଲା ୧୮,୧୦୦ କୋଟି ଟଙ୍କା। ମୁଣ୍ଡ ପିଛା ଋଣ ପରିମାଣ ହେଲା ୪୯୧୮ ଟଙ୍କା ବା ୫ ହଜାର ଟଙ୍କା ଥିଲା। ଏବେ ଓଡ଼ିଶାର ଲୋକସଂଖ୍ୟା ୪ କୋଟି ୩୦ ଲକ୍ଷ ଛୁଇଁଛି। ୨୦୧୯ ଫେବୃଆରୀ ୭ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ରାଜ୍ୟ ବିଧାନସଭାରେ କାମଚଳା ବଜେଟ ଆଗତ କରିବା ପରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ଗଣମାଧ୍ୟମରେ ପ୍ରକାଶ କରିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣ ପରିମାଣ ୮୭,୬୫୦ କୋଟି ଟଙ୍କାରେ ପହଂଚିବ। ଅର୍ଥାତ ଏବେ ଓଡ଼ିଶାବାସୀଙ୍କ ମୁଣ୍ଡ ପିଛା ସରକାରୀ ଋଣଭାର ୨୨ ହଜାର ଟଙ୍କାକୁ ଟପି ଗଲାଣି। ୨୦୧୯-୨୦ ବର୍ଷରେ ସରକାର ଆଉ ୨୦,୮୦୦ କୋଟି ଟଙ୍କାର ଋଣ କରିବେ ବୋଲି ଅର୍ଥ ସଚିବ କହିଛନ୍ତି। ଏହା ହେଲେ ବର୍ଷ ଶେଷ ବେଳକୁ ରାଜ୍ୟର ଋଣଭାର ୧ ଲକ୍ଷ କୋଟି ଟଙ୍କାକୁ ଟପିଯିବ। ଏଇ ୧୯ ବର୍ଷ ଭିତରେ ନବୀନଙ୍କ ଅମଳରେ ରାଜ୍ୟର ଋଣବୋଝ ମୁଣ୍ଡ ପିଛା ୪ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଏ ଋଣ ଲୋକମାନଙ୍କର ମଦପିଆରେ ଖର୍ଚ୍ଚ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଋଣକୁ ନବୀନବାବୁ ବା ତାଙ୍କ ଦଳର ନେତା କିମ୍ବା ତାଙ୍କ ସମୟରେ ବିଭିନ୍ନ ବିଭାଗର ସଚିବ ଥିବା ବାବୁମାନେ ଜମିବାଡ଼ି ବିକି ଶୁଝିବେ ନାହିଁ। ଏହାକୁ ପରିଶୋଧ କରିବେ ଓଡ଼ିଶାର ଟଙ୍କିକିଆ ଚାଉଳ ଖାଇ ବଂଚିଥିବା ଜନ ସାଧାରଣ। ଯେଉଁମାନ ପଡ଼ି ଚାଉଳ ପାଇଁ ପ୍ରତିଯୋଗିତା କରୁଛନ୍ତି ମୁଖ୍ୟତଃ ସେଇ ଲୋକମାନଙ୍କଠାରୁ ହିଁ ପରୋକ୍ଷରେ ଆଦାୟ ହେବ ଟିକସ ଆକାରରେ ରାଜ୍ୟର ଆୟ। ଅଧିକ ଋଣ ମାନେ ଅଧିକ ଟିକସ। କାରଣ ଏ ଦୁଇ ଦଶନ୍ଧି ମଧ୍ୟରେ ଲୋକମାନଙ୍କର ଉତ୍ପାଦନ ଓ ରୋଜଗାର ବୃଦ୍ଧି ଦିଗରେ ସରକାର କିଛି କରି ନାହାନ୍ତି। ରାଜ୍ୟର ରୋଜଗାର ବୃଦ୍ଧି ପାଇଁ ମଧ୍ୟ ସେଭଳି କୌଣସି ସରକାରୀ କାରଖାନା କି ନିଗମ ପ୍ରତିଷ୍ଠା କରାଯାଇ ନାହିଁ। ତେଣୁ ରାଜ୍ୟର ନିଜସ୍ବ ଖର୍ଚ୍ଚ ତୁଳନାରେ ନିଜସ୍ବ ଆୟ ବୃଦ୍ଧି ପାଇନାହିଁ। ୨୦୧୯ ଫେବୃଆରୀ ୭ ତାରିଖରେ ଅର୍ଥ ମନ୍ତ୍ରୀ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରିଥିବା କାମଚଳା ବଜେଟରେ ହୋଇଥିବା ଆକଳନ ଅନୂଯାୟୀ ଏବ ରାଜ୍ୟ ସରକାରଙ୍କ ମୋଟ ଆୟର ୬୫୬ ପ୍ରତିଶତରୁ ଅଧିକ କେନ୍ଦ୍ର ଓ ଋଣ ସୂତ୍ରରୁ ଆସୁଛି। ରାଜ୍ୟ ସରକାର ଆଦାୟ କରୁଥିବା ୧ ଟଙ୍କାରେ କେନ୍ଦ୍ରୀୟ ଅନୁଦାନ ୧୯.୯୮ ପଇସା ହୋଇଥିବାବେଳେ କେନ୍ଦ୍ରୀୟ ଟିକସ ଅଂଶ ହେଉଛି ୨୯.୫୫ ପଇସା ଏବଂ ଋଣ ଅଂଶ ହେଉଛି ୧୫.୬୮ ପଇସା। ଅର୍ଥାତ ରାଜ୍ୟ ସରକାର ଟଙ୍କାଟିଏ ଆୟ କଲେ ତାହାର ୬୫.୬୮ ପଇସା ଏହି ସୂତ୍ରରୁ ଆସୁଛି। ରାଜ୍ୟ ସରକାରଙ୍କର ନିଜସ୍ବ ଟିକସ ଆୟ ୨୪.୮୮ ପଇସା ହୋଇଥିଲାବେଳେ ଅଣଟିକସ ରାଜସ୍ବ ପରିମାଣ ହେଉଛି ୯.୦୫ ପଇସା। ଏମିତି ମିଶି ୩୩.୯୩ ପଇସା। ଅର୍ଥାତ ଏବେ ରାଜ୍ୟରେ ୩୪ ପଇସା ଆୟ କରି ୧ ଟଙ୍କା ଖର୍ଚ୍ଚ କରିବା ଭଳି ଅର୍ଥନୀତି ଚାଲିଛି। ରାଜ୍ୟ ସରକାରଙ୍କ ବଜେଟ ବିବରଣୀ ଅନୁସାରେ ୨୦୧୯-୨୦ ବର୍ଷ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଆୟ ଆକଳନ କରାଯାଇଥିବାବେଳେ ୧.୦୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହା ମଧ୍ୟରେ କେବଳ ପ୍ରାଶାସନିକ ଖର୍ଚ୍ଚ ଅଟକଳ ହେଉଛି ୫୮,୧୭୦ କୋଟି ଟଙ୍କା। ବଜେଟ ତଥ୍ୟ ଅନୁସାରେ ରାଜ୍ୟ ସରକାରଙ୍କ ଦରମା ଖର୍ଚ୍ଚ ୨୫,୫୦୦ କୋଟି ଟଙ୍କା ଓ ପେନ୍‌ସନ୍‌ ଖର୍ଚ୍ଚ ୧୩,୩୦୦ କୋଟି ଟଙ୍କା। ସେହିପରି ସଂପତ୍ତି ପରିଚାଳନା ଖର୍ଚ୍ଚ ହେଉଛି ୪,୮୦୦ କୋଟି ଟଙ୍କା। ରାଜ୍ୟ ସରକାର କରିଥିବା ଋଣର ସୁଧ ଦେୟ ହେଉଛି ୬,୫୦୦ କୋଟି ଟଙ୍କା। ଏହି ଖର୍ଚ୍ଚ ବଜେଟରେ ଅଟକଳ ହୋଇଥିବା ମୋଟ ଆୟରୁ ଅଧାରୁ ଅଧିକ, ବ୍ୟୟାର ମଧ୍ୟ ଅଧାରୁ ଅଧିକ। ଅର୍ଥାତ ଏବେ ସରକାରଙ୍କ ମୋଟ ଆୟର ଅର୍ଦ୍ଧାଧିକ କେବଳ ସରକାରୀ କର୍ମଚାରୀଙ୍କ ବେତନ ଓ ଭତ୍ତା ବାବଦରେ ଖର୍ଚ୍ଚ ହେଉଛି। ବାକି ଅଧେ ଟଙ୍କାରୁ ପ୍ରାୟ ୪୦ ପ୍ରତିଶତ ପର୍ସେଣ୍ଟ ବା ପିସି ଏବଂ ପ୍ରଫିଟ ବା ଲାଭ ଆକାରରେ ଚାଲିଯାଉଛି। ବାକି ରହୁଥିବା ୧୦ ପ୍ରତିଶତରୁ କମ୍‌ ଅର୍ଥରେ ହିଁ କିଛି କିଛି ବିକାଶ କାମ ହେଉଛି। ମାନେ ୧୦୦ ଟଙ୍କାରୁ ୧୦ ଟଙ୍କା ଲୋକଙ୍କ କାମରେ ଲାଗୁଛି, ଆଉ ବାକି ୯୦ ଟଙ୍କା ନେତା, ବାବୁ ଓ ଟାଉଟରଙ୍କ ବିଳାସରେ।

Share :