ମୁକୁଟଠୁ ମୁଣ୍ଡ ମୂଲ୍ୟବାନ

ମୁକୁଟଠୁ ମୁଣ୍ଡ ମୂଲ୍ୟବାନ

ମାୟାଧର ନାୟକ ଏହି ଭାରତର ସନ୍ଥସଂସ୍କୃତି ଏକ ସମୁନ୍ନତ ନିର୍ଭୀକ ମାନବସମାଜର ନବଜାଗରଣ ପାଇଁ ମନ୍ତ୍ରପାଠ କରିଆସିଛି କାଳେକାଳେ। ଗୁରୁ ଗୋବିନ୍ଦ ସିଂ ଆହ୍ୱାନ ଦେଇଥିଲେ, ‘ଯୁବକମାନେ ଦେଶ ପାଇଁ, ଜାତି ପାଇଁ ମରିବାକୁ ପ୍ରସ୍ତୁତ ହୁଅ।’ ଏହି ନିର୍ଭୀକ ଗୁରୁଙ୍କ ନେତୃତ୍ୱରେ ଶାନ୍ତସହିଷ୍ଣୁ ଶିଖ୍ଜାତି ନିଜ ସାମାଜିକ ଇଜ୍ଜତ ରକ୍ଷା କରିବାର ଶପଥ ନେଇ ଅସ୍ତ୍ରଧାରଣ ପୂର୍ବକ ଏକ ସାହସିକ ସାମରିକ ଜାତିରେ ପରିଣତ ହୋଇପାରିଥିଲା। ଆପଣମାନଙ୍କର ମନେ ରଖିବା ଦରକାର ‘କୋଟିଏ ମୁକୁଟ ଠୁଁ କାହିଁ କେତେଗୁଣରେ ମୂଲ୍ୟବାନ ଗୋଟିଏ ମୁଣ୍ଡ ... ସେ ମୁଣ୍ଡ ମଣିଷର ମୁଣ୍ଡ’.., ସେ ମୁଣ୍ଡଥିବା ମଣିଷମାନେ ପୁଣି ହେବା ଦରକାର ଚିରଉନ୍ନତ ଶିର। ସମଗ୍ର ବିଶ୍ୱରେ ଦେଶେଦେଶେ ବହୁ ମହାମନୀଷୀ ନିଜନିଜ ସମୟର ତଳିତଳାନ୍ତ ମାନବସମାଜ ପାଇଁ କାର୍ଯ୍ୟ କରିଯାଇଛନ୍ତି। ବିବ୍ରତ ନହୋଇ ସେ ପ୍ରତ୍ୟେକ ହୋଇଉଠିଛନ୍ତି ଏକ ମହାନ୍ ଜୀବନର ଜାଗରଣ ଉଦ୍ଦେଶ୍ୟରେ ଜଣେ ଜଣେ ଯଥାର୍ଥ ବ୍ରତମନସ୍କ ପଥଚାରୀ। କେହି ଜୀବନକୁ ବାଜି ଲଗାଇଦେଇ ମରଣ ସହିତ ମୁକାବିଲା କରିଛନ୍ତି, କେହି ହସିହସି ବିଷର ପିଆଲା ତୋଳିନେଇଛନ୍ତି ମୁହଁ ପାଖକୁ ଏବଂ ଆଉ କେହିକେହି ଫାଶୀଦଉଡ଼ିରେ ଗଳାଇଦେଇଛନ୍ତି ବେକ। ଶୂଳୀରୁ ଆରମ୍ଭକରି ଗୁଳି - ବନ୍ଧୁକରୁ ଆରମ୍ଭ କରି ବୋମା - କେବେହେଲେ କାହାର ଧମକଚମକ ଧରାଶାୟୀ କରିପାରିନି ସେମାନଙ୍କ ମହାନ୍ ଲକ୍ଷ୍ୟ ଓ ଉତୁଙ୍ଗ ଆଦର୍ଶବାଦକୁ। ସେ ସମସ୍ତଙ୍କର ମହାର୍ଘ ମନ୍ତ୍ର-ଉଚ୍ଚାରଣ ହେଉଛି ସାରା ମଣିଷଜାତିର ଦୁନିଆରୁ ଦୁଃଖ ଦୂରୀକରଣ। ମାତ୍ର ସେ ଦୁଃଖ କ’ଣ ଏଯାଏଁ ସରିଛି? ଏବେ ବି ମଣିଷ ମନରେ ଦୁଃଖ ଭରି ରହିଛି। ଆନନ୍ଦକୁ ଖୋଜି ଖୋଜି ମରୀଚିକା ପଛେପଛେ ଗୋଡେଇଗୋଡେଇ ମରଣଭୟର ମରୁବାଲିରେ, ହତାଶାପଙ୍କରେ ଘାଂଟି ହେଉଛୁ ଆମେ ସମସ୍ତେ। ଅର୍ଥାଭାବରୁ ଯେତିକି ଦୁଃଖଦୁର୍ଦ୍ଦଶାର ଘଟଣା ଘଟେ, ତା’ଠାରୁ ଅଧିକ ଘଟେ ଭଲ ପାଇବା ଅଭାବରୁ। ବ୍ୟକ୍ତିଗତ ଓ ସାମାଜିକ ସଂପର୍କ ମଣିଷ ନିକଟରେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ - ତା’ର ବ୍ୟାଙ୍କ୍ରେ କେତେ ଅର୍ଥ ଅଛି - ସେଟା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି କିମିଆ କରି କେହି ସଂଗେସଂଗେ ବିଶ୍ୱର ଦାରଦ୍ର୍ୟ କମେଇଦିଏ, ତା’ହେଲେ ମଣିଷର ଦୁଃଖ ମାତ୍ର ଶତକଡ଼ା ୫ ଭାଗ କମିବ ଏବଂ ଆଉ ଯଦି କେହି ବିଷାଦ, ଉଦ୍ବେଗରୁ ମଣିଷକୁ ବିଚ୍ଛିନ୍ନ କରିଦିଏ, ତା’ହେଲେ ଦୁଃଖ କମିବ ମାତ୍ର ଶତକଡ଼ା ୨୦ ଭାଗ। ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସର ଏକ ସମୀକ୍ଷାରୁ ଜଣାପଡ଼ିଛି - ମଣିଷର ଆଶାଆକାଂକ୍ଷା ତାଲିକାରେ ଅଗ୍ରାଧିକାର କ’ଣ କ’ଣ ପାଇବ। ସେଇ ଅନ୍ଦାଜ ଆମ ଅଧିକାଂଶଙ୍କର ଭୁଲ ଏବଂ ସରକାରଙ୍କର କାର୍ଯ୍ୟସୂଚୀରେ ଦାରିଦ୍ର୍ୟ ଦୂରୀକରଣ, କର୍ମସଂସ୍ଥାନ, ଶିକ୍ଷାପ୍ରସାର ଓ ସ୍ୱାସ୍ଥ୍ୟପ୍ରସାର ଆଭିମୁଖ୍ୟ ଯେଉଁ ପରିମାଣରେ ଗୁରୁତ୍ୱ ପାଉଛି, ତା’ଠାରୁ ଅଧିକ ଗୁରୁତ୍ୱ ପାଇବା ଉଚିତ୍ - ସହ୍ୟ ଶକ୍ତି, ଗୃହନିଗ୍ରହ, ଯୁବସମାଜ ମଧ୍ୟରେ ବିଚ୍ଛିନ୍ନତା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପରୀକ୍ଷା ଭୟ। କାରଣ ଏ ସବୁର ପ୍ରଭାବରେ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ କ୍ଷେତ୍ରରେ ଦୁଶ୍ଚିନ୍ତା ଏତେ ବୃଦ୍ଧି ପାଉଛି ଯେ ମାନସିକ ସ୍ଥିତି ତଳକୁ ତଳକୁ ଯାଉଛି। ମଣିଷ ଅସୁଖୀ ହୋଇପଡ଼ୁଛି, ଯଦି ପରିବାର ମଧ୍ୟରେ ସ୍ନେହ, ପ୍ରୀତି ପାରସ୍ପରିକ ଶ୍ରଦ୍ଧା ଥାଏ, ସମାଜ ଜୀବନରେ ଥାନ୍ତି, ସମଝ୍ଦାର ବନ୍ଧୁ ଓ ଶୁଭେଚ୍ଛାସଂପନ୍ନ ଆତ୍ମୀୟବର୍ଗ - ତା’ହେଲେ ଦାରିଦ୍ର୍ୟଗ୍ରସ୍ତ ମଣିଷ ମଧ୍ୟ ମହାସୁଖରେ ଖୁସିମନରେ ନିଦରେ ଶୋଇପାରେ, ତାହାର ସଂପଦ ହେବ ତାହାର ଅନୁଦବିଗ୍ନ ହୃଦୟ। ଏ କଥାଟି ନୂଆ ନୁହେଁ। ବହୁ ମହାପୁରୁଷ ବାରମ୍ୱାର କହିଛନ୍ତି। ଅର୍ଥ ଅପେକ୍ଷା ପରମାର୍ଥ ବହୁଗୁଣରେ ମୂଲ୍ୟବାନ। ମଣିଷ ତାହା ଶୁଣିଛନ୍ତି ଏବଂ ଭକ୍ତି ସହକାରେ ପ୍ରଣାମି ଦେଇଛନ୍ତି। ଯେଉଁ ମଣିଷଟି ପ୍ରେମ ନ ପାଇ ଜୀବନ ହରାଇ ଦିଏ କିମ୍ୱା ପ୍ରେମ ପାଇବା ପାଇଁ ସଂପତ୍ତି ହରାଉଛି, ତାକୁ ଦେଖି ଲୋକେ ଭାବନ୍ତି - ଆବେଗର ଆତିଶଯ୍ୟ ଏହାର କ୍ଷତି କଲା ବା ଟଙ୍କାର ଅଭାବରେ କ୍ଷୁଧାର ଜ୍ୱାଳାରେ ମୃତ ମଣିଷର ଦୁଃଖଠାରୁ ଏହି ପ୍ରେମଦଗ୍ଧ ମଣିଷର ଦୁଃଖ ଅଜସ୍ରଗୁଣ ତୀବ୍ରତର ହୋଇସାରିଛି। ସମୀକ୍ଷା କିନ୍ତୁ କହୁଛି - ବାସ୍ତବରେ ସଂପର୍କ ସ୍ପୃହାହିଁ ଅଧିକ ଜୀବନ ନିୟନ୍ତ୍ରକ। ସମୀକ୍ଷା ଏହା ମଧ୍ୟ ଜଣାଇଛି ଯେ ଶିକ୍ଷା ଆୟତ୍ତ କରିବା ଅପେକ୍ଷା ଚମତ୍କାର ଜୀବନସଂଗୀ ସନ୍ଧାନରେ ମଣିଷର ନିକଟତର ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ବର୍ତ୍ତମାନ ଯୁବଛାତ୍ରସମାଜ ମଧ୍ୟରେ ଦ୍ରୁତଗତିରେ ଅପସଂସ୍କୃତି ପ୍ରବେଶ କରି ଭବିଷ୍ୟତ ଜୀବନକୁ ଅନ୍ଧକାରର ଏକ ଅନ୍ଧକୂପ ଆଡେ଼ ଆଗେଇ ନେଉଛି। ବହୁସଂଖ୍ୟାରେ ଦେଖିବାକୁ ମିଳୁଛି ଏପରି ଉଚ୍ଛୁଙ୍ଖଳ ଯୁବକଯୁବତୀମାନଙ୍କୁ ଯେଉଁମାନେ ପରବର୍ତ୍ତୀ କାଳରେ ଅନୁତାପ କରନ୍ତି ନାହିଁ ଯେ ସେତେବେଳେ ମନଦେଇ ପଢ଼ିଥିଲେ ଆଜି ସଂପନ୍ନ ଗୃହସ୍ଥ ହୋଇଥାନ୍ତୁ - ଶୀଘ୍ର ଶୀଘ୍ର ବାହାହୋଇ ସଂସାର କରି ଏଭଳି ଅନଟନରେ ପଡ଼ିନଥାନ୍ତୁ। ଆଜିର ଯୁବଛାତ୍ରସମାଜ ମଧ୍ୟରେ ନୈତିକତା, ଆଦର୍ଶ, ସତ୍ୟତାର ଚିହ୍ନବର୍ଣ୍ଣ ଦୁର୍ଲଭ। ୟାଙ୍କି ସଂସ୍କୃତି, ଅପସଂସ୍କୃତିରେ କଣ୍ଠାଗ୍ରତ, ଏବକାର ଅଧିକାଂଶ ଯୁବଛାତ୍ରସମାଜ ଟିଭି ସିନେମା ଦେଖି ହିରୋ-ହିରୋଇନ୍-ଭିଲାନମାନଙ୍କୁ ଅନୁକରଣ କରି ସେଇଭଳି ଅର୍ଦ୍ଧନଗ୍ନ ପୋଷାକ, ଚୁଟିକଟାକୁ ଅନୁକରଣ କରୁଛନ୍ତି। ବିଦେଶୀ ଖାଦ୍ୟ, ଜଙ୍କ ଫୁଡ଼କୁ ପ୍ରସାଦ ମନେ କରି ପାଣିଭଳି ପିଇଯାଉଛନ୍ତି। ପିଲାଠାରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ଟିଭିରେ ସିନେମା, ସିରିଅଲ୍ ଉପରୁ ଆଖିପତା ଫେରଉ ନାହାନ୍ତି। ମୋବାଇଲ୍ ତ ସବୁବେଳେ କାନରେ; ଆଙ୍ଗୁଠିଯାଇ ସ୍କ୍ରିନ୍ ଟଚ୍ରେ। ଏହା ଫଳରେ ଏକେତ ଅଖାଦ୍ୟ ଖାଇ ରୋଗରେ ପଡ଼ୁଛନ୍ତି ଏଣେ ଆଖି ଖରାପ ହେଉଛି - ତେଣେ ପକେଟ୍କୁ କଣା କରି ଟଙ୍କା ପଇସା ପବନରେ ଉଡ଼ିଯାଉଛି - ପୁଣି ରୋଜଗାର ନ ଥିବାରୁ ବାପମା’ଙ୍କୁ ଧମକେଇ ଚମକେଇ ଅର୍ଥ ନେଇଯାଉଛନ୍ତି। ଆଉ କେତେକେ ନିଜନିଜର ପ୍ରେମିକ-ପ୍ରେମିକାଙ୍କ ପର୍ସ ଖାଲିକରି ଦେଉଛନ୍ତି। ଏସବୁ ଧନଲୋଭୀ ଶିଳ୍ପପତି, କ୍ଷମତାଲୋଭୀ ଶାସକ-ପ୍ରଶାସକଙ୍କ କାରସାଦି। ଯୁବ-ଛାତ୍ରସମାଜ ମୁଣ୍ଡକୁ ଖରାପ ନ କଲେ ତାଙ୍କ ଶାସନ ଚାଲିପାରିବ ନାହିଁ। ସଂପତ୍ତି ସୁରକ୍ଷିତ ରହିବ ନାହିଁ। ଯେଉଁ ଦେଶରେ ଯୁବଛାତ୍ର ସମାଜ ଅନ୍ୟାୟ ଅତ୍ୟାଚାର, ଶୋଷଣ, କଷଣ, ହତ୍ୟା, ରାହାଜାନି, ଅପସଂସ୍କୃତି ବିରୋଧରେ ଖଡ଼୍ଗହସ୍ତ ହୁଏନା, ସେ ଦେଶର ଅଦୃଷ୍ଟରେ ଦୁର୍ଭାଗ୍ୟ ହିଁ ପ୍ରଥମ ଓ ଶେଷ ଲେଖା। ସେ ଦେଶ ଅଭାଗା। ଆମର ସବୁ ଥାଇ ଆମେ ହାହୁତାଶରେ ପ୍ରତିଦିନ ବଂଚି ବି ମରୁଛେ। ଯିଏ ଯେତେବଡ଼ ଧନୀ ହୁଅନ୍ତୁ ପଛେ ମନରେ ସରସ ଭାବ ନାହିଁ। କୋଉ କୋଣରେ ନା କୋଉ କୋଣରେ ଦୁଃଖ, ହତାଶା, ଭୟ ମାଡ଼ି ବସୁଛି। ମଣିଷ-ମଣିଷର ସଂପର୍କ ଆର୍ଥିକ ସାମର୍ଥ୍ୟ ପାଇଁ ନିର୍ଦ୍ଧାରିତ ହୁଏ କି? ଗୋଟିଏ ଅତି ଆନନ୍ଦମୟ ଦାମ୍ପତ୍ୟ ସଂପର୍କ ଅର୍ଥାଭାବରୁ ଦୂଷିତ ହୋଇଯାଏନା? ସନ୍ତାନମାନେ କ’ଣ ପିତାମାତାଙ୍କ ଦରିଦ୍ରତା ପାଇଁ ଶତ୍ରୁ ମନୋଭାବାପନ୍ନ ହୋଇ ପଡ଼ନ୍ତି କି? ଗୋଟିଏ ସଂପର୍କର ପ୍ରକୃତ ଶ୍ରଦ୍ଧା ପ୍ରୀତି ପାଇଁ ଯେଉଁ ପରିମଣ୍ଡଳ ପ୍ରୟୋଜନ - ଅର୍ଥାଭାବରୁ ତାହା ନଷ୍ଟ ହୋଇ ଯାଉଛି କି? ଏବେ ବିଭିନ୍ନ ଖବରରୁ ଜଣାପଡ଼ିଛି ପ୍ରେମ ପାଉ ନାହିଁ ବୋଲି ପ୍ରାଚୁର୍ଯ୍ୟ ଶିଖରରେ ପହଂଚି ମଧ୍ୟ ମଣିଷ ଆତ୍ମହତ୍ୟା କରୁଛି। ଧନୀଲୋକମାନେ ବରାବର ସଂପତିର ପାହାଡ଼ ଉପରେ ବସି ପୁଣି ଧନ ପାଇଁ ବିକଳ ହୁଅନ୍ତି - ନାନା ଉପାୟ, କଳକୌଶଳ, ଷଡ଼ଯନ୍ତ୍ର, ଅନ୍ୟାୟ ଅତ୍ୟାଚାର, କଷଣ ଶୋଷଣ କରି ତାଙ୍କ ଧନସଂପତ୍ତିର ପାହାଡ଼କୁ ସ୍ୱର୍ଗ ପର୍ଯ୍ୟନ୍ତ ଲମ୍ୱାଇ ଦେବାକୁ ଇଚ୍ଛା କରି ଶେଷରେ ରୋଗ, ନିରାଶା, ହତାଶାର ହାହୁତାଶନରେ ସ୍ୱର୍ଗଧାମକୁ ଯାତ୍ରା କରନ୍ତି। ସେହି ସଂପତି ତାଙ୍କ ବଂଶ ପରିଜନମାନଙ୍କୁ ଖାଇ ଗୋଡ଼ାଏ। ସଂପର୍କ ଭାଙ୍ଗି ଛିନ୍ନଛତ୍ର ହୋଇଯାଏ। ଧନଲୋଭ ମଣିଷକୁ ରସାତଳକୁ ଟାଣିନିଏ। ଟଲଷ୍ଟୟଙ୍କ ସେଇ ସ୍ମରଣୀୟ ଗଳ୍ପ ‘ମଣିଷ ପାଇଁ କେତେ ଜମି ଲୋଡ଼ା’କୁ ଟିକେ ହେଜନ୍ତୁ। ତେଣୁ ସଂପର୍କ ହିଁ ଏକମାତ୍ର ଅସଲ ସଂପତ୍ତି। ସଂପର୍କର ସଂକଳ୍ପଟିଏ ଆଜିର ମଣିଷ ପାଇଁ ବିଶ୍ୱଶାନ୍ତିର ବିକଳ୍ପ। ବୃତ୍ତିର ଦାୟ, କୃଷିଭିତ୍ତିକ ସଂସ୍କୃତିର କ୍ରମବିଦାୟ, ଶିଳ୍ପକୈନ୍ଦ୍ରିକ ସଭ୍ୟତାର ଦ୍ରୁତସଂଚାର କେବଳ ଏକାନ୍ନବର୍ତ୍ତୀ ପରିବାରର ପରମ୍ପରାକୁ ମୂଳପୋଛ କରିନାହିଁ, ମଣିଷକୁ ତା’ ନିଜଠାରୁ ମଧ୍ୟ ଦୂରେଇ ଆଣିଛି ପୂରାପୂରି। ଆମେ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତି ଦେଖୁଛୁ, ନାଗରିକ ସମାଜ ସହିତ ରାସ୍ତାର ବାଁ ପଟେ ପ୍ରାତଃଭ୍ରମଣ ଓ ସାନ୍ଧ୍ୟଭ୍ରମଣ କରୁଛୁ - ମାତ୍ର ଭଦ୍ରବ୍ୟକ୍ତିମାନଙ୍କ ମଧ୍ୟରେ ମଣିଷଟିଏ ଭେଟିପାରୁନୁ, ଯେମିତି ଭଦ୍ରମହଳାମାନଙ୍କ ଭିତରେ ଅସଲ ନାରୀର ବ୍ୟକ୍ତିତ୍ୱ। ରାଜପଥରେ ପେଟ ପାଇଁ ପଟୁଆର। ଜନପଥରେ ଜନସମୁଦ୍ରର ଜୁଆର। ମାତ୍ର ଜୀବନପଥ ନିର୍ଜନ। ମଣିଷ ସହିତ ମଣିଷ ସଂପର୍କଶୂନ୍ୟ। ନିଜ ପାଇଁ ଭଲ ଚାହିବାଟା ଯେତେ ବଡ଼ୁଛି, ଅନ୍ୟ ଅନେକଙ୍କୁ ଭଲପାଇବାଟି ସେତେ ଛିଡ଼ୁଛି। ଆମେ ଅର୍ଥରେ ସମର୍ଥ, ମାତ୍ର ଅନୁରାଗରେ ଅନନ୍ୟୋପାୟ ଅସହାୟ। ଧନକୁବେରମାନଙ୍କ ଅର୍ଥନୀତିରେ ମନର ମଙ୍ଗଳ ନାହିଁ। ମନ ଯାଇ ବନବାସ କରୁଛି ଅଗମ୍ୟ ଅଂଚଳରେ, ହୃଦୟ ଅଛି ଅଜ୍ଞାତବାସରେ। ଖୋଜିଲା ମନ ପାଇଁ ଧ୍ୟାନ ଦିଆଯାଉ, ହଜିଲା ହୃଦୟ ପାଇଁ ହୁଲିଆ ଜାରି ହେଉ - ଏହା ହିଁ ଆଜିର ମଣିଷ ପ୍ରତି ସଂପର୍କର ଆହ୍ୱାନ। ସଂପର୍କର ସଂସାର ହିଁ ସାର - ମନଲାଖି ମଣିଷ ସମାଜ ପାଇଁ ଶୁଖିଲା ସଭ୍ୟତାକୁ ଲୁହଭିଜା ସଂସ୍କୃତିର ଏଇ ପ୍ରକୃତରେ ଶୁଭସମାଚାର। ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩

Share :