ନାରୀ- ନୂଆ ସମାଜର ତରବାରୀ

ନାରୀ- ନୂଆ ସମାଜର ତରବାରୀ

ମାୟାଧର ନାୟକ ବାସ୍ତବରେ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ଅଧିକ ବୁଦ୍ଧିମତୀ, ସାହସୀ, ସଚ୍ଚୋଟ, ଧୈର୍ଯ୍ୟଶୀଳା, ଶକ୍ତିଶାଳିନୀ, ସୁକୁଶଳା ଏବଂ ସ୍ୱାଭିମାନିନୀ। ବରଂ ନାରୀକୁଳକୁ ଦୁର୍ବଳ କରି ରଖିବାଦ୍ୱାରା ଭାରତବର୍ଷର ପୁରୁଷ ଆଜି ଖୋଦ୍ ଶକ୍ତିହରା। ନାରୀଜୀବନ ଏବେ ମଧ୍ୟ ପୁରୁଷର ପଣ୍ୟଶାଳାରେ ପଣବନ୍ଦିନୀ। ନାରୀଜାଗୃତିର ଦିନ ଏବେ ମଧ୍ୟ ଅପହଞ୍ଚ। ବହୁକାଳରୁ ଆଜି ପର୍ଯ୍ୟନ୍ତ ନାରୀଜାତିକୁ ପୁରୁଷପ୍ରଧାନ ସମାଜ ପଦଦଳିତ କରିରଖିଛନ୍ତି। ଆଦିମ କାଳରେ ନାରୀପ୍ରଧାନ ସମାଜ ଥିଲା। ସମୟକ୍ରମେ ସବୁ ବଦଳିଗଲା। ସୈନ୍ୟବାହିନୀରେ ନାରୀମାନେ ଯୋଗଦେଇ ବିଦେଶୀ ଶତ୍ରୁ ବିରୋଧରେ ଲଢିବା ପ୍ରସ୍ତାବ ଏଇ ଗୋଟିଏ ଯୋଡ଼ିଏ ବର୍ଷ ତଳେ ବେଶ୍ ଚର୍ଚ୍ଚାର ଖୋରାକ ଯୋଗାଇଥିଲା! ବିଦେଶୀ ଶତ୍ରୁଙ୍କୁ ଆମେ ଚିହ୍ନିପାରିବା - ଦେଖିପାରିବା। କିନ୍ତୁ ଦେଶୀ ଶତ୍ରୁ ଅଦେଖା - ପଣପଣ। ତାଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ଯୁଦ୍ଧ ଘୋଷଣା ହେଉନି। ଯେତେଦିନ ପର୍ଯ୍ୟନ୍ତ ଦେଶୀ ଶତ୍ରୁମାନେ ଗାଁ ଗଣ୍ଡା, ସହର ବଜାର, ଖଣିଖାଦାନ, ପାହାଡ଼, ଜଂଗଲ ରାଜଧାନୀରେ ଖୁଲମ୍ଖୁଲା ବୁଲୁଥିବେ - ସେ ପର୍ଯ୍ୟନ୍ତ ଦେଶ ଅସୁରକ୍ଷିତ। ମୋର ଏଠାରେ କହିରଖିବା ଦରକାର ଯେ ଏ କ୍ଷେତ୍ରରେ ଦେଶର ନାରୀ ହିଁ ଏହି ଦେଶୀ ଶତ୍ରୁମାନଙ୍କ ମୁଖା ଖସାଇଦେବାରେ ସବୁଠୁ ବଡ଼ ପଦକ୍ଷେପ ନେଇପାରିବେ। କିପରି? ହଁ, ଗୃହିଣୀମାନେ ଯଦି ସ୍ୱାମୀ ଦୁର୍ନୀତିଗ୍ରସ୍ତ ବୋଲି ଜାଣିପାରନ୍ତି, ତା’ହେଲେ ତାଙ୍କ ପାପଧନରେ ନିଜକୁ ରାଣୀ ରୂପରେ ସଜାଇବାର ସୌଖୀନ୍ ମୋହ ଛାଡ଼ି, ସେମାନଙ୍କୁ ଗୃହର ତ୍ରିସୀମା ବାହାରେ ତର୍ଜନୀ ସଂକେତ ଦ୍ୱାରା ରାସ୍ତା ଦେଖାଇଦିଅନ୍ତୁ। ଭଉଣୀମାନେ ଅସଦାଚାରୀ ଭାଇମାନଙ୍କୁ ମାମୁଘରକୁ ପଠାଇବାର ମିଳିତ ବନ୍ଦୋବସ୍ତ କରନ୍ତୁ। ଝିଅମାନେ ଉପୁରି ପଇସାରେ ଜୋଇଁପୁଅ କିଣିବାକୁ ଯୋଜନା କରୁଥିବା ବାପାମାନଙ୍କୁ ବେଦୀସଜା ପାଇଁ ବାରଣ କରନ୍ତୁ। ମାଆମାନେ କୁଳାଙ୍ଗାର ପୁଅମାନଙ୍କୁ ମୁହଁ ନଦେଖାଇବାର ନିର୍ଦ୍ଦେଶ ଦିଅନ୍ତୁ। ଦେଖିବା କେମିତି ନବମାନବସମାଜର ନିଅଁଖୋଳା ନହେବ? ଟିକେ ଚିନ୍ତା କରନ୍ତୁ - ଏ ଦେଶ କାହାର? ଯେଉଁମାନେ ସରକାର ଚଳାଉଛନ୍ତି - କେବଳ ତାଙ୍କର ନା ୧୩୦ କୋଟି ଲୋକଙ୍କର? ସମୁଦାୟ ଦେଶର ୯୦ ଭାଗ ଲୋକ ଯେତେବେଳେ ଅସୁରକ୍ଷିତ - ତାହେଲେ ୧୦ ଭାଗ ଲୋକଙ୍କ ସଂପତି କ୍ଷମତାକୁ ଜଗିବାପାଇଁ ଆମ ମିଲିଟାରୀ ଆଉ ପୁଲିସବାହିନୀ ନିଯୁକ୍ତ ହେଉଛନ୍ତି। ରାଜକୋଷରୁ ଲୋକଙ୍କ ଟିକସରୁ ସିଂହଭାଗ ଖର୍ଚ୍ଚ କରୁଥିବେ ଶାସନକ୍ଷେତ୍ରର ଆସନଗ୍ରହଣକାରୀ ବର୍ଗ। ସମାଜରେ ନାରୀମାନଙ୍କୁ ଯେଭଳି ସମ୍ମାନ ଦେବା କଥା - ତାହା ଦିଆଯାଉନି। ବରଂ ନାରୀମାନଙ୍କ ସୌନ୍ଦର୍ଯ୍ୟକୁ ନେଇ ବେପାର କରାଯାଉଛି। ଯୌବନକୁ ନେଇ ଖେଳ ଖେଳାଯାଉଛି। ଶିଶୁକନ୍ୟାଠାରୁ ଆରମ୍ଭ କରି ବର୍ଷୀୟସୀ ନାରୀ, ଏପରିକି ବୃଦ୍ଧା ପର୍ଯ୍ୟନ୍ତ ପାଶବିକ ଅତ୍ୟାଚାରର ଜଘନ୍ୟ ଶିକାର ହୋଇଥିବାର ଖବର ପ୍ରକାଶ ପାଉଛି ଗଣମାଧ୍ୟମରେ। ଘୃଣ୍ୟବିକୃତି ପାଇଛି ପୂର୍ଣ୍ଣସ୍ୱୀକୃତି। ନାରୀ ପ୍ରତି ଅଶାଳୀନତା, ଅବିବେକିତା, ଅସହିଷ୍ଣୁତାର ସ୍ତୂପୀକୃତ ଔଦ୍ଧତ୍ୟ ବର୍ତ୍ତମାନ ହିମାଳୟ ପର୍ବତଶୃଙ୍ଗ ଏଭରେଷ୍ଟ ଉଚ୍ଚତାକୁ ସୁଦ୍ଧା ଟପିସାରିଲାଣି। ସ୍କୁଲକଲେଜ, ସହରବଜାର, ଅଫିସଦପ୍ତର ସବୁଠି ନାରୀମାନଙ୍କ ପ୍ରତି ଅବମାନନା, ଅସଦାଚାର ସୀମାଲଂଘନ କରିବାରେ ଲାଗିଛି। କିଛି କ୍ଷେତ୍ରରେ ଅବଶ୍ୟ ନାରୀସମାଜ ମୁକାବିଲା କରୁଛି - ମାତ୍ର ଗୌଣ। ଗଣଦୁଷ୍କର୍ମ ଦିନକୁଦିନ ବଢିଚାଲିଛି। ଦିନେକାଳେ ଦେଖା ଦେଇନଥିବା ଆମର ନେତାମାନେ, ଦଳମାନେ, ସଂଗଠନମାନେ, ବଡ଼ପଣ୍ଡାମାନେ ନାରୀଙ୍କ ପ୍ରତି କେଉଁଠି କ’ଣ ଅଘଟଣ ଘଟିଗଲେ - ରାସ୍ତାଜାମ୍ କରିଦିଅନ୍ତି। ଟି.ଭି, ଖବରକାଗଜରେ ଆପଣାର ବଚନ ବଖାଣି ବଦନ ଦେଖାନ୍ତି। କିନ୍ତୁ ନାରୀମୁକ୍ତିର ଅସଲ ଆନ୍ଦୋଳନ ଲୁଚିଯାଇଛି। ସବୁନାରୀ ମୁକ୍ତ ବୋଲି ଯେଉଁଦିନ ଜାଣିପାରିବେ, ସେଦିନ ନାରୀଶକ୍ତି ହିଁ ସାରା ପୃଥିବୀରେ ରାଜୁତି କରିବ। ଯୁଗଯୁଗ ଧରି ନାରୀ ଆପଣାକୁ ‘ବନ୍ଦିନୀ’ ଭାବେ ସବୁବେଳେ ଜୀବନ ବିତାଇ ଚାଲିଥିବାରୁ ସେମାନଙ୍କୁ ପୁରୁଷଜାତି ଦୁର୍ବଳ ବୋଲି ଧରିନେଇ ଅଧିକାର ଜାହିର୍ କରିଚାଲିଛି। ମନ୍ଦିରରେ ଦେବଦାସୀ ଆଉ ଗୃହାଙ୍ଗନରେ ସେବାଦାସୀ ହେବାଟା କଣ ଭାରତୀୟ ନାରୀର ଧର୍ମାନୁମୋଦିତ ମୁକ୍ତିମାର୍ଗ? ନାରୀ ମୁକ୍ତ ହେଉ। ପୁରୁଷମାନଙ୍କ ସହ ସମାନ ଅଧିକାର କେବଳ କଥାରେ ନୁହେଁ - କାମରେ, ଅଭ୍ୟାସରେ, ଚିନ୍ତାରେ ପ୍ରକଟିତ ହେଉ। ପ୍ରେମସ୍ନିଗ୍ଧ ନାରୀତ୍ୱର ହୃଦୟଭରା ଭାଷା କେବେହେଲେ ଅରଣ୍ୟରୋଦନ ନହେଉ କାମବିକୃତ ପୁରୁଷଶାସିତ ସମାଜବ୍ୟବସ୍ଥାର ଚକ୍ରବ୍ୟୂହରେ। ଉଠ ନିଦ୍ରିତା, ଜାଗ ଜଡ଼ପାଷାଣୀ! ଅସ୍ତଚନ୍ଦ୍ରର ଅନ୍ଧକାରରେ ଅନ୍ୱେଷଣ କର ନିଜ ଅନବଦ୍ୟ ଭୋରର ଭାରତବର୍ଷ... ଆଖି ଖୋଲ ଅହଲ୍ୟା, ତୁମ ଶିଳାଶରୀରରେ ଏବେ ସଞ୍ଚରିତ ହେବାକୁ ଯାଉଛି ଆଲୋକକାମୀ ଆମିାର ସ୍ପନ୍ଦନମୟ ସ୍ପର୍ଶ। ରକ୍ଷା କର ମା’ ଭଉଣୀମାନେ, ଏ ଦେଶକୁ! ନାରୀ! ଆଜି ବି ପୁରୁଷର ପ୍ରଶାସନିକ ପ୍ରହେଳିକାରେ ସେ ପ୍ରବାସିନୀ। ରୂପ-ତୃ।-ବେଦନାର ମୂର୍ତ୍ତମତୀ ପ୍ରକୃତି ସେ - ଦ୍ୱିତୀୟ ପ୍ରକୃତି - ନିରୁଦ୍ଧ ନାରୀତ୍ୱର ଐକାନ୍ତିକୀ ଆକୃତିରେ। କାଳ ପରେ କାଳ, ଯୁଗ ପରେ ଯୁଗ, ସଭ୍ୟତା ପରେ ସଭ୍ୟତାର ଶୋଭାଯାତ୍ରା ଅପସରିଯାଇଛି ବହୁବିଧ ଘଟଣାର ଘୂର୍ଣ୍ଣିବଳୟରେ। ମାତ୍ର ଅକୁହା ରହିଯାଇଛି ଅନେକ କଥା .... ନିଭୃତ ନାରୀତ୍ୱର ଅଜସ୍ର ବ୍ୟଥା! ପଶୁପୁରୁଷର ପଦାନତା, ନିଗୃହୀତା ନାରୀ ନିଜ ନିର୍ଯାତନାର କରୁଣ କାହାଣୀ ବୟାନ କରିପାରିବ କାହା ସାମ୍ନାରେ? ଯେଉଁ ସମାଜ ସାମ୍ନାରେ ନାରୀକୁ ନିଜ ସତ୍ୟପାଠ କରିବାକୁ ପଡ଼ିବ, ସେ ସମାଜର ଅଧିକର୍ତ୍ତା ତ ପୁରୁଷ! ପୁରୁଷର ସମାଜରେ ସେ କେବଳ ଦାସୀ, କେତେବେଳେ କ୍ରୀତଦାସୀ ତ କେତେବେଳେ ବିତ୍ତଦାସୀ.... ଘରକୁ ମନ୍ଦିର କଲାବେଳକୁ ଶେଷରେ ଜାଣେ ଯେ ସେ ମନ୍ଦିର ହେଉଛି ଗୁଡ଼ାଏ ନିର୍ଜୀବ ପଥରର ନିର୍ଘାତ ନିଶାଣ ... ସଂସାରକୁ ସାର ମଣିଲାବେଳକୁ ଠିକ୍ ଏରୁଣ୍ଡିବନ୍ଧ ଟପିସାରି ଅନୁଭବ କରିନିଏ ଯେ ସେ ସଂସାର ହେଉଛି ମେଞ୍ଚାଏ ମିଛମାୟାର ମାମୁଲି ମିଶାଣ! ସାଂପ୍ରତିକ ପୂତିଗନ୍ଧମୟ ଶୋଷଣମୂଳକ ପୁଞ୍ଜିବାଦୀ ସମାଜବ୍ୟବସ୍ଥାର ନିର୍ଦ୍ଦେଶରେ ନାରୀମାନେ ଯେଉଁ ଜୀବନଶୈଳୀକୁ ଆପଣାଇ ନେଇଛନ୍ତି, ସେ ଜୀବନଶୈଳୀ କ’ଣ ପ୍ରକୃତରେ ସେମାନଙ୍କ ପକ୍ଷରେ ଆତ୍ମତୃପ୍ତିକର ମର୍ଯ୍ୟାଦାଜନକ ଆଭିମୁଖ୍ୟର ପରିଚାୟକ ହୋଇପାରେ କେବେ? ପୁରୁଷପ୍ରଧାନ ସମାଜବ୍ୟବସ୍ଥା ଏକ ବିଜ୍ଞାପନଧର୍ମୀ ପୋଷାକୀ ପୁଂଜିବାଦର ପଣ୍ୟଶାଳା। ଏ ପଣ୍ୟଶାଳା ଏଯାବତ ନାରୀକୁ ନଗ୍ନ ଓ ନଗଣ୍ୟ କରି ବିସ୍ତାର କରିଆସିଛି ନିଜ ବିଷାକ୍ତ ବିପଣିର ବୀଭତ୍ସ ବଜାର। ଏ ପୋଷାକୀ ପୁଂଜିବାଦର ବିଭିନ୍ନ ବିକୃତି ପ୍ରକାଶ ପାଉଛି ସମକାଳୀନ ଧର୍ମଧର୍ମାନ୍ତରରେ, ରାଜନୀତିକ ରୂପାନ୍ତରରେ - ସମାଜ-ସଂସ୍କୃତି-କଳା-ସାହିତ୍ୟ-ସାମ୍ୱାଦିକତାର ଶ୍ରୀହୀନ କ୍ଷେତ୍ରରେ - ଏପରିକି ଆଜିକାର ପାରିବାରିକ ପରଦା ଅନ୍ତରାଳରେ ବି। ପୁଂଜିବାଦ ଦ୍ୱାରା ନିୟନ୍ତ୍ରିତ ବିତୀୟ ବଜାରୀକରଣ ବର୍ତମାନର ବସ୍ତୁବାଦୀ ସମାଜବ୍ୟବସ୍ଥାକୁ ଯେଉଁ ଅମାନୁଷିକ ଅର୍ଥନୀତିର ସୂତ୍ରରେ ପ୍ରସ୍ତୁତ କରିବାରେ ସକ୍ରିୟ, ଅଦୂର ଭବିଷ୍ୟତରେ ତାହାର ଦୁଷ୍ପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ - କି ନାରୀ କି ପୁରୁଷ। ଏଇଭଳି ଯେତେବେଳେ ପରିସ୍ଥିତି, ସେତେବେଳେ ଆଧୁନିକ ଜୀବନ ଏକ ବଜାରସର୍ବସ୍ୱ ବିଜ୍ଞାପନ ଛଡ଼ା ଆଉ କ’ଣ ହୋଇପାରେ? ଜୀବନ ତେଣୁ ଜୀବିକାର ଜତୁଗୃହରେ ଜର୍ଜରିତ - ଜ୍ୱଳନ ଓ ଡ୍ଡଳନ ମଧ୍ୟରେ ନିଃଶେଷପ୍ରାୟ। ଏଇ ପରିପ୍ରେକ୍ଷୀରେ ନାରୀ ଆଜି ନିଜ ଅଜ୍ଞାତସାରରେ ଏ ପୁରୁଷଶାସିତ ବ୍ୟବସ୍ଥାରେ ସାମଗ୍ରୀ ପାଲଟିସାରିଛି କାହିଁ କେଉଁଦିନୁ। ତାର ନିୟତି ନିୟନ୍ତ୍ରିତ, ନିର୍ବାଣ ନଷ୍ଟ। ମନେରଖିବାକୁ ପଡ଼ିବ ଯେ ନାରୀ ହିଁ ହେଉଛି ନବମାନବସମାଜର ଶାଣିତ ତରବାରୀ। ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩

Share :