ଶିଶୁଙ୍କ ପ୍ରତି କେତେ ଯତ୍ନବାନ ଓଡ଼ିଶା ସରକାର?

ଶିଶୁଙ୍କ ପ୍ରତି କେତେ ଯତ୍ନବାନ ଓଡ଼ିଶା ସରକାର?

Share :

ରାଜ୍ୟ ପ୍ରତିନିଧି ଓଡ଼ିଶା ଶିଶୁଙ୍କ ପ୍ରତି ଓଡ଼ିଶା ସରକାର କେତେ ଉଦାସୀନ ଓ ନିଷ୍ଣୁର ତାହା ଜାତୀୟ ଶିଶୁ ଅଧିକାର ସୁରକ୍ଷା ପରିଷଦର ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି। ରାଜ୍ୟର ୫୦ଟି ଶିଶୁ ଆଶ୍ରୟ ଗୃହରେ ସରଜମିନ ତଦନ୍ତ କରିବା ପରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ପରିଷଦ ତରଫରୁ ଏହି ରିପୋର୍ଟକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରେ ଦାଖଲ କରାଯାଇଛି। ଢେଙ୍କାନାଳ ଗୁଡ଼୍‌ ନ୍ୟୁଜ ଆଶ୍ରୟ ଗୃହରେ ଯୌନ ଶୋଷଣ ଓ ଧର୍ମାନ୍ତରଣ ଆଦି ବିଷୟ ଲୋକଲୋଚନକୁ ଆସିବା ପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ଗଭୀର ଉଦବେଗ ପ୍ରକାଶ କରିଥିଲେ। ରାଜ୍ୟରେ ଖୋଲିଥିବା ଶିଶୁ ଆଶ୍ରୟ ଗଅହଗୁଡ଼ିକର ଅବ୍ୟବସ୍ଥା ନେଇ ସେ ୨୦୧୯ ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ସେହିପରି ତାଙ୍କ ନିର୍ଦ୍ଦେଶରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ପରିଷଦର ଏକ ପ୍ରତିନିଧି ଦଳ ଡିସେମ୍ବର ୧୨ ତାରିଖରୁ ୧୮ ତାରିଖ ମଧ୍ୟରେ ଓଡ଼ିଶାର ୧୯ଟି ଜିଲ୍ଲାରେ ଥିବା ୫୦ଟି ଆଶ୍ରୟ ଗୃହ ବୁଲି ସରଜମିନ ତଦନ୍ତ କରିଥିଲେ। ଏହାର ମୁଖ୍ୟ ଥିଲେ ପ୍ରିୟଙ୍କା କାନୁନୁଗୋ। ରାଜ୍ୟରେ ଏହାଠାରୁ ଆହୁରି ଅଧିକ ଆଶ୍ରୟ ଗୃହ ଅଛି। ଏନସିପିସିଆର ବା ଜାତୀୟ ଶିଶୁ ଅଧିକାର ସୁରକ୍ଷା ପରିଷଦ ପରିଦର୍ଶନ କରିଥିବା ୫୦ ଆଶ୍ରୟ ଗୃହ ସଂପର୍କରେ ଯେଉଁ ରିପୋର୍ଟ ପ୍ରଦାନ କରିଛି ତାହା ଅନ୍ୟ ଶିଶୁ ଆଶ୍ରୟ ଗୃହ ପ୍ରତି ମଧ୍ୟ ପ୍ରଯୁଜ୍ୟ। ରାଜ୍ୟରେ ଥିବା ଶିଶୁ ଆଶ୍ରୟ ଗୃହ ବା ସେଲ୍ଟର ହୋମଗୁଡ଼ିକର ପରିଚାଳନା ପ୍ରତି ରାଜ୍ୟ ସରକାର କିଭଳି ଆଖି ବୁଜି ଦେଇଛନ୍ତି ତାହା ଏନସିପିସିଆରଙ୍କ ଏହି ରିପୋର୍ଟରୁ ସାବିତ ହୋଇଯାଇଛି। ଯାଞ୍ଚ ହୋଇଥିବା ୧୯ ଜିଲ୍ଲାର ୫୦ ଆଶ୍ରୟ ଗୃହ ମଧ୍ୟରୁ ୫ଟି ବିଲକୁଲ ପଂଜୀକୃତ ନହୋଇ ଚାଲିଛି। ଓଡ଼ିଶା ସରକାର କିପରି ଏହା ଜାଣି ପାରିଲେ ନାହିଁ ତାହା ସମସ୍ତଙ୍କୁ ବିସ୍ମିତ କରିଛି। ବିନା ପଂଜୀକରଣରେ ଆଶ୍ରୟ ଗୃହ ଚାଲିବାର ଅର୍ଥ ସେଠାରେ ଅସାଧୁ କାରବାର ଚାଲିଛି ଓ ଓଡ଼ିଶା ସରକାରଙ୍କ ପଦାଧିକାରୀମାନେ ସେଥି ପ୍ରତି ଆଖିବୁଜି ଦେଇଛନ୍ତି କିମ୍ବା ଲାଞ୍ଚ ନେଇ ନିଷ୍କ୍ରିୟ ରହିଛନ୍ତି। ଏହ ୫ଟି ଆଶ୍ରୟ ଗୃହରେ ତାଲିକାଠାରୁ ଅଧିକ ଶିଶୁ ରହିଛନ୍ତି। ସେଠାରେ ଝିଅପିଲା ଥିଲେ ମଧ୍ୟ ମହିଳା କର୍ମଚାରୀ ନାହାନ୍ତି। ସେହିପରି ୧୪ଟି ଆଶ୍ରୟ ଗୃହରେ କାମ କରୁଥିବା କର୍ମଚାରୀଙ୍କର ନିୟମ ଅନୁଯାୟୀ ପୁଲିସ ଯାଞ୍ଚ ହୋଇନାହିଁ। ଏହା ପୁଲିସ ବିଭାଗର ଅବହେଳା। ଏହି ବିଭାଗର ମନ୍ତ୍ରୀ ହେଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ୫୦ରୁ ୨୭ଟି ଆଶ୍ରୟ ଗୃହରେ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ମନସ୍ତତ୍ତ୍ବ ଡାକ୍ତର ନାହାନ୍ତି। ଶିଶୁ ନ୍ୟାୟ ଆଇନ ବା ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁସାରେ ପ୍ରତି ଆଶ୍ରୟ ଗୃହରେ ବିଭିନ୍ନ ପ୍ରତିଭାର ଶିଶୁଙ୍କୁ ନେଇ ଭିନ୍ନ ଭିନ୍ନ ଗୋଷ୍ଠୀ ଗଠନ କରାଯିବା କଥା। ଯାଞ୍ଚ ହୋଇଥିବା ୫୦ରୁ ୧୦ ଆଶ୍ରୟ ଗୃହରେ ସେପରି ଗୋଷ୍ଠୀ ଗଠିତ ହୋଇନାହିଁ। ପରିଦର୍ଶନ ସମୟରେ ଏନସିପିସିଆର ଦଳ ଜାଣିବାକୁ ପାଇଛନ୍ତି ଯେ ୧୧ଟି ଆଶ୍ରୟ ଗୃହ ବିନା ପରିଚାଳନା କମିଟିରେ ଚାଲିଛି। ଅର୍ଥାତ ଏଗୁଡ଼ିକୁ ପରିଚାଳନା କରିବା ପାଇଁ ନିୟମ ଅନୁଯାୟୀ କୌଣସି କମିଟି ଗଠିତ ହୋଇନାହିଁ। ବ୍ୟକ୍ତିବିଶେଷ ଏହାକୁ ଚଳେଇ ବିଭିନ୍ନ କର୍ତ୍ତୃପକ୍ଷରୁ କୋଟିକୋଟି ଟଙ୍କାର ଅନୁଦାନ ହଡ଼ପ କରୁଛନ୍ତି। ନିୟମ ଅନୁସାରେ ପ୍ରତି ଆଶ୍ରୟ ଗୃହର ଅନ୍ତେବାସୀ ଶିଶୁମାନଙ୍କୁ ଜିଲ୍ଲା ଶିଶୁ କଲ୍ୟାଣ କମିଟି ଆଗରେ ନିୟମିତ ହାଜର କରାଯିବା କଥା। କିନ୍ତୁ ଏହି ୧୯ ଜିଲ୍ଲାର ୪ ଆଶ୍ରୟ ଗୃହର କୌଣସି ଶିଶୁଙ୍କୁ କେବେ ବି ଜିଲ୍ଲା ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରାଯାଇ ନାହିଁ। ଏନସିପିସିଆର ଦଳ ପରିଦର୍ଶନ କରିଥିବା ୫୦ ଆଶ୍ରୟ ଗୃହରୁ ୧୨ଟିରେ ଝିଅ ଓ ପୁଅଙ୍କ ପାଇଁ ନିୟମ ଅନୁଯାୟୀ ଅଲଗା ଅଲଗା ହଷ୍ଟେଲ ନାହିଁ। ଗୋଟିଏ ଗୋଟିଏ ହଷ୍ଟେଲରେ ଉଭୟ ପୁଅ ଓ ଝିଅ ମିଶି ରହୁଛନ୍ତି। ସେହିପରି ୧୧ଟି ଆଶ୍ରୟ ଗୃହରେ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା କିଛି ନାହିଁ। ବିଜୁଳି କଟିଗଲେ ପିଲାମାନେ ଅନ୍ଧାରରେ ରହୁଛନ୍ତି। ଏହି ୫୦ ଶିଶୁ ଆଶ୍ରୟ ଗୃହରୁ ୨୦ଟିରେ ଚିକିତ୍ସା ସୁବିଧା କିଛି ନାହିଁ, ୧୭ଟି ଗୃହରେ ଏପିଜି ଷ୍ଟୋଭ ନାହିଁ, ୧୦ଟିରେ ଖେଳ ପଡ଼ିଆ ନାହିଁ, ୩୨ଟିରେ ଗରମ ଦିନ ପାଇଁ କୁଲର ବ୍ୟବସ୍ଥା ନାହିଁ, ୨୦ଟିରେ ନିଖୋଜ ଶିଶୁ ଅନ୍ତେବାସୀଙ୍କ ସଂପର୍କରେ ସୂଚନା ନାହିଁ। ଏନସିପିସିଆର ଦଳ ଆହୁରି ମଧ୍ୟ ଉପଲବ୍ଧି କରିଛନ୍ତି ଯେ ୨୮ଟି ଶିଶୁ ଆଶ୍ରୟ ଗୃହରେ ସର୍ବନିମ୍ନ ସୁବିଧା ଗାଧୁଆ ଘର, ପାଇଖାନା ଓ ଗ୍ୟାସ ଷ୍ଟୋଭ ଭଳି ସୁବିଧା ନାହିଁ। ଯାଞ୍ଚ ହୋଇଥିବା ୫୦ ଆଶ୍ରୟ ଗୃହରୁ ୨୧ଟିରେ ଉପଯୁକ୍ତ ନିରାପତ୍ତା ବ୍ୟବସ୍ଥା ନାହିଁ। ଏଭଳି ଅନେକ ନାହିଁ ନାହିଁରେ ଚାଲିଛି ଓଡ଼ିଶାର ଅଧିକାଂଶ ଶିଶୁ ଆଶ୍ରୟ ଗୃହ। ଏସବୁ ଗୃହ ପରିଚାଳନା ପାଇଁ ସରକାରୀ ଓ ବେସରକାରୀ ସୂତ୍ରରୁ କୋଟିକୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଛି। ତାହାକୁ ଶିଶୁଙ୍କ ସୁରକ୍ଷା ଓ ବିକାଶରେ ଖର୍ଚ୍ଚ କରାଯିବା ପରିବର୍ତ୍ତେ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିମାନେ ଆପଣାର ଅୟସଆରାମ ବାବଦରେ ବ୍ୟୟ କରୁଛନ୍ତି। ରାଜ୍ୟ ସରକାରଙ୍କର ପଦାଧିକାରୀ ଓ ଶାସକ ଦଳର ପ୍ରତିନିଧିମାନଙ୍କୁ ବିଭିନ୍ନ ଉପାୟରେ ସନ୍ତୁଷ୍ଟ କରାଯାଉଥିବାରୁ ଏସବୁ ବେଆଇନ ଓ ଅବ୍ୟବସ୍ଥିତ ଆଶ୍ରୟ ଗୃହ ବିରୋଧରେ ସରକାର କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସରକାରଙ୍କର ଏହି ଉଦାସୀନତା ଯୋଗୁଁ ଢେଙ୍କାନାଳ ଜିଲ୍ଳା ଗୁଡ଼୍‌ ନ୍ୟୁଜ ହୋମ ଭଳି ଆଶ୍ରୟ ଗୃହ ଘଟଣା ଘଟିଲା। ସେଠାରେ ନାବାଳିକାମାନଙ୍କୁ ଯୌନ ଶୋଷଣ କରାଯାଉଥିବାର ଅଭିଯୋଗ ଆସିବା ପରେ ଧର୍ମାନ୍ତରଣ କଥା ମଧ୍ୟ ଜଣାପଡ଼ିଥିଲା। ସେହି ଆଶ୍ରୟ ଗୃହର ତଦନ୍ତ କରୁକରୁ ଜଣାପଡ଼ିଥିଲା ଯେ ରାଜ୍ୟ ସରକାର ଏହିପରି ଭାବେ ଅନେକ ବେଆଇନ ଆଶ୍ରୟ ଗୃହ ଗଢ଼ି ଉଠିଛି। ସବୁଗୁଡ଼ିକ ସରକାରଙ୍କ ଆଖି ଆଗରେ ଚାଲୁଛି କିନ୍ତୁ ଶିଶୁ ନିର୍ଯାତନା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏବେ ଏନସିପିସିଆର ଦଳ ଯେଉଁ ଯାଞ୍ଚ ରିପୋର୍ଟ ଦାଖଲ କରିଛନ୍ତି ସେଥିରେ ଏହିଭଳି ୫ଟି ଆଶ୍ରୟ ଗୃହକୁ ବନ୍ଦ କରିବା ଓ ୧୩ଟି ବିରୋଧରେ ଥାନାରେ ଏତଲା ଦେବାକୁ ସୁପାରିଶ କରାଯାଇଛି। ରାଜ୍ୟର ନିରୀହ ଶିଶୁଙ୍କ ପ୍ରତି ରାଜ୍ୟ ସରକାର ଯଦି ସମ୍ବେଦନ ହୋଇଥିବେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ନହେଲ ନାହିଁ। କେବଳ ଶିଶୁ ଆଶ୍ରୟ ଗୃହ ନୁହେଁ, ରାଜ୍ୟରେ ଥିବା ସମସ୍ତ ଅଙ୍ଗନବାଡ଼ି ଓ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଶିଶୁମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଛି। ସେମାନଙ୍କୁ ମଧ୍ୟାହ୍ନ ଭୋଜନରେ ଯେଉଁ ଖାଦ୍ୟ ପରଷା ଯାଉଛି ତାହା ଅତ୍ୟନ୍ତ ନିମ୍ନ ମାନର। ଏହିପରି ଖାଦ୍ୟ ଜରିଆରେ ଶିଶୁମାନଙ୍କର ପୁଷ୍ଟିସାଧନ ହେବା ପରିବର୍ତ୍ତେ ସେମାନେ ରୁଗ୍ଣ ହେଉଛନ୍ତି, ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି। ଆବାସିକ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏଇ ଅବସ୍ଥା। ସେଠାରେ ରହୁଥିବା ନାବାଳିକାମାନେ ଶିକ୍ଷକ ଓ ଅଧିକାରୀମାନଙ୍କ ଯୌନ ଶୋଷଣର ଶିକାର ହେଉଛନ୍ତି। ସେଥିପାଇଁ ଏବେ ରାଜ୍ୟର ବିଭିନ୍ନ ଅଂଚଳର ଆଶ୍ରମ ସ୍କୁଲରୁ ନାବାଳିକା ଗର୍ଭବତୀ ହେବା ଘଟଣା ପଦାକୁ ଆସିଛି।

Share :