ଅଯୋଧ୍ୟାର କୂପମଣ୍ଡୁକ

ଅଯୋଧ୍ୟାର କୂପମଣ୍ଡୁକ

Share :

ସୂର୍ଯ୍ୟମଣି ମିଶ୍ର ଗୋଟିଏ ପକ୍ଷୀ ଉଡ଼ି ଉଡ଼ି ଅଯୋଧ୍ୟା ସହରରେ ପହଞ୍ଚିଲା ଏବଂ ସରଜୁ ନଦୀଠାରୁ କିଛି ମାଇଲ ଦୂରରେ ତିଆରି ହୋଇଥିବା ଗୋଟିଏ କୂଅର ବେଢ଼ା ଉପରେ ବସିପଡ଼ିଲା। ପକ୍ଷୀଟି ନିଜ ଚାରିପାଖ ସହ ଊର୍ଦ୍ଧ୍ୱ ଏବଂ ଅଧ ଆଡ଼କୁ ଆଖି ବୁଲାଇବାକୁ ଲାଗିଲା। ଏହି ସମୟରେ କୂଅ ଭିତରୁ କେହି ଜଣେ ପାଟିକରି କ’ଣ କହୁଥିବାର ଶୁଣିବାକୁ ପାଇଲା। ପକ୍ଷୀ ଦେଖିଲା କୂଅ ଭିତରୁ ବେଙ୍ଗଟିଏ ପଚାରୁଛି- କିଏ ତୁମେ? କେଉଁଠାରୁ ଆସିଛ? କ’ଣ କର? କେଉଁଠି ରୁହ? ପାଣି ବିନା କିପରି ବଞ୍ଚି ରହିଛ? ପକ୍ଷୀ କୂଅ ବେଙ୍ଗକୁ ଉତ୍ତର ଦେଲା - ଭାଇ! ମୁଁ ଉଡ଼ି ଜାଣିଛି ଏବଂ ଉଡ଼ି ଚାଲିଛି। ଯେଉଁ ସ୍ଥାନକୁ ମନକରେ ସେଠାକୁ ଯାଏ, ଯେଉଁ ଗଛର ଡାଳ ମତେ ଭଲ ଲାଗେ ସେଠାରେ ବସିପଡେ଼। ଯେଉଁ କଥା ମୋତେ ଭଲ ଲାଗେ, ମୋ ମନକୁ ଛୁଏଁ, ତାହାକୁ କାନଡେରି ଶୁଣେ ଏବଂ ସେଠାରେ କିଛିସମୟ ବିତାଏ। ସମଗ୍ର ପୃଥିବୀ ମୋର ଅତି ଆପଣାର। କୂଅର ବେଙ୍ଗ କହିଲା - ପକ୍ଷୀ ଭାଇ! ତୁମେ କ’ଣ କମ୍ୟୁନିଷ୍ଟ କି? ପକ୍ଷୀ କହିଲା- ନା-ତ। ବେଙ୍ଗ କହିଲା - କଂଗ୍ରେସ କି? ପକ୍ଷୀ କହିଲା - ନା - ତ। କୂଅର ବେଙ୍ଗ କହିଲା- ତାହେଲେ ତୁମେ ସୋସିଆଲିଷ୍ଟ୍ କି? ସେ କହିଲା- ନା ଭାଇ ନା। ବେଙ୍ଗ କହିଲା - ହେ ପ୍ରିୟ ଭାଇ! ଏବେ ଜାଣିପାରିଲି ତେବେ ତାହେଲେ ତୁମେ ଖାଣ୍ଟି ମାର୍କ୍ସସିଷ୍ଟ ଅଟ। ପକ୍ଷୀ କହିଲା- ନା ଭାଇ ନାରେ। ବିଚାରଧାରାରେ ଆଜି ଆଉ କ’ଣ ଯେ ଅଛି? କେବଳ ଦେବାନେବା। ଆପଣାର ଆକାଶ, ବିଲ-ବାଡ଼ି, ସବୁଜିମା, ପାହାଡ଼-ପର୍ବତ, ନଦୀ-ଝରଣା, ସମୁଦ୍ର ଏବଂ ସୋରିଷ ଫୁଲର ସୁନ୍ଦରତା ଓ ସୁଗନ୍ଧି, ଆହୁରି କେତେ ଯେ କେତେ ପ୍ରକାରର। କ’ଣ କ’ଣ କହିବି। ଅନେକ ଅନେକ ବିଶ୍ୱର ବିବିଧତା ମୋତେ ଖୁବ୍ ଭଲ ଲାଗେ। ମୋ ପ୍ରତି ତୁମର ମାର୍କ୍ସବାଦୀ ସମ୍ଭାବନାକୁ ଏଥିପାଇଁ ଅସ୍ୱୀକାର କରୁଛି, କାହିଁକି ନା- ଦାର୍ଶନିକ ମାର୍କ୍ସଙ୍କ ସିଦ୍ଧାନ୍ତ କୁହେଁ- ସାମଜିକ ବିକାଶରେ ହିଁ ସଂପର୍କ। ଉତ୍ପାଦକତା ଏବଂ ଆର୍ଥିକତାର ଶକ୍ତି ସ୍ଥିର ରହେ। ଏହି ସିଦ୍ଧାନ୍ତ ପ୍ରଚଳନ ହେଲା ଭାରି ଜୋର୍ରେ କିଛିଦିନ। କିନ୍ତୁ ମାର୍କ୍ସବାଦର ପ୍ରକୃତ କଥା ଏହି ଥିଓରିଠାରୁ ବହୁ ଦୂରକୁ ବାହାରିଯାଇଛି। ମୁଁ ତ ଦେଖିଆସିଛିଇ ଚୀନ୍ରେ ପୁଞ୍ଜିବାଦ ସହ ମାର୍କ୍ସବାଦ କିପରି ମିଶିଯାଇଛି। ବ୍ୟକ୍ତିଗତ ମାଲିକାନା ସହ ବ୍ୟକ୍ତି ପୁଞ୍ଜି କିପରି ବଢ଼ିଛି। ରୁଷ୍ ତ ଏହି ବିଚାରକୁ ଫିଙ୍ଗି ଦେଇଛି। ଏସବୁ ମୋର ଆଖିଦେଖା କଥା। ଉଡ଼ି ଉଡ଼ି ଏସବୁ ଦେଖିଆସିଛି। ମାର୍କ୍ସବାଦ ସହ ଆଜିର ମାର୍କ୍ସବାଦୀଙ୍କର ଉଚ୍ଚାରଣ ଏବଂ ଆଚରଣରେ କୌଣସି ସାମଞ୍ଜସ୍ୟ ନାହିଁ। ତେଣୁ ମୋତେ ଖାଣ୍ଟି ମାର୍କ୍ସବାଦୀ ବୋଲି କହିବା ତୁମର ଭୁଲ। କୂଅର ବେଙ୍ଗ ପୂର୍ବ ଜନ୍ମରେ ଗୋଟିଏ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ରହିଥିଲା। ତା’ର ମୁଣ୍ଡରେ ଏବେ ବି କିଛି ପୁରୁଣା ସ୍ମୃତିର ପଦକ୍ଷେପ, କାର୍ଯ୍ୟଧାରା ବିଦ୍ୟମାନ ରହିଛି। ଏହିହେତୁ ବେଙ୍ଗ ପକ୍ଷୀକୁ କହିଲା- ତା’ହେଲେ କ’ଣ ଭାଇ ତୁମେ ମାର୍କ୍ସବାଦୀ-ଲେନିନ୍ବାଦୀ? ପକ୍ଷୀ କହିଲା- ନା ରେ ନା। ଏହା ତ ବହୁତ ଅପ୍ରାସଙ୍ଗିକ ହୋଇଯାଇଛି। କେବଳ ପୋଥି ବିଦ୍ୟା ଭାବେ ପାଠାଗାରରେ ରହି ସୁନ୍ଦରିଆ ଦିଶୁଛି, ଗବେଷକ୍ ବେଶ୍ ଭଲ ପଢ଼ୁଛନ୍ତି। ଏହା ସତ ଯେ କେବେଠାରୁ ଏହି ବିଚାର ଧାରରା ରିଜେକ୍ଟ ହୋଇ ସାରିଛି। ବେଙ୍ଗ ପଚାରିଲା- କିପରି? ପକ୍ଷୀ କହିଲା- କାହିଁକିନା ଭାଇ, ମାର୍କ୍ସ କେବେ ବି ପାର୍ଟିର ଓକିଲାତି କରିନଥିଲେ। କିନ୍ତୁ ଯେବେ ଲେନିନ୍ ସୋଭିଏତ୍ ରୁଷରେ ନିଜ ବିଚାରକୁ ପ୍ରୟୋଗ କଲେ ଏବଂ ଜାର୍‌ ଶାସନକୁ ଉପାଡ଼ି ଫିଙ୍ଗିଦେଲେ ସେ ନିଜ ବିଚାରକୁ ଏପରି ନିର୍ମାଣ କଲେ ଯେ, ତାହା ବହୁତ ଅନୁଦାର ହେଲା। ଅର୍ଥାତ୍ ଉଦାର ନଥିଲା। ଲେନିନ୍ କହିଲେ - ଏବେ ସମଗ୍ର ବିଶ୍ୱକ୍ୁ ସୋସିଆଲିଷ୍ଟ ଷ୍ଟେଟ୍ କରିବେ। ସର୍ବହରା ସରକାର ଗଢ଼ିବେ। ସମଗ୍ର ବିଶ୍ୱର ଯେତେ ଦେଶ ଅଛି ସବୁ ହେବ ସମାଜବାଦୀ ଦେଶ। ସର୍ବହରାଙ୍କ ନିର୍ଦ୍ଦେଶରେ ଶାସନ ଚାଲିବ। ଗୋଟିଏ ଦଳ ରହିବ। ଦଳର ଚିହ୍ନ ରହିବ ଆମ ଲାଲଝଣ୍ଡା। କିନ୍ତୁ ଏହା ତ ଭୁଲ ବିଚାର ଧାରା। ଯାହାଦ୍ୱାରା ଏହି ବିଚାର ଅଲୋଡ଼ା ଏବଂ ଅପ୍ରାସଙ୍ଗିକ ହେଲା। ଗୋଟିଏ ପରେ ଗୋଟିଏ ଦେଶରୁ ଏହି ଲାଲଝଣ୍ଡା ସରକାରର ପତନ ଘଟିଲା। ସେ ମାର୍କ୍ସ ଏବଂ ଏଞ୍ଜେଲ୍ସଙ୍କ ଆକାଶଚୁମ୍ବୀ ବିଚାରଗତ ପ୍ରତିଷ୍ଠାକୁ ଧୂଳିଧୂସରିତ କରିଦେଲେ। ଠିକ୍ ଯେପରି ଆମ ଏଠି ରାଜନୈତିକ ସଂପ୍ରଦାୟର କିଛି ଅତି ଉଚ୍ଚଆକାଙ୍‌କ୍ଷୀ, ଉଚ୍ଚମନା ଲୋକ ଭାରତୀୟ ଯୋଗୀ, ଋଷି ଏବଂ ମୁନିଙ୍କ ଗାରିମାକୁ କଳଙ୍କିତ କଲେ। ଋଷି-ମୁନିଙ୍କ ନାମରେ ଚ୍ୟବନପ୍ରାସ୍ ଯାଏ ଠିକ୍ ଥିଲା। କିନ୍ତୁ ସାବୁନ୍, ପେଷ୍ଟ ଏବଂ ସାମ୍ପୁ ମଧ୍ୟ ବିକିବାକୁ ଲାଗିଲେ। ଧର୍ମର ବଜାର ଖୋଲିଲା। ଧର୍ମ ସହ ରାଜନୀତିକୁ ଯୋଡ଼ି ଦିଆଗଲା। ଫଳରେ ମୁନି-ଋଷିଙ୍କ ସେହି ବିଚାର ଆଜି ଧରାଶାୟୀ ସ୍ଥିତିରେ। ବେଙ୍ଗ ଏହା ଶୁଣି ଅତିମାତ୍ରାରେ ବିବ୍ରତ ହୋଇପଡ଼ିଲା। ପକ୍ଷୀ ଆଶ୍ୱାସନା ଦେଇ କହିଲା- ଭାଇ! ମୁଁ ତ ତୁମକୁ ନିଜେ ବୁଝିଥିବା କଥା କହୁଛି। ଏହା ଭୁଲ ହୋଇଥାଇ ପାରେ। ବେଙ୍ଗ କହିଲା- ତା’ହେଲେ ପକ୍ଷୀ ଭାଇ ତୁମେ ନିଶ୍ଚୟ ଜଣେ ମାଓବାଦୀ! ପକ୍ଷୀ କହିଲା- ନା ଭାଇ ନା! ନା ମୁଁ ମାଓବାଦୀ ନା ମୁଁ ତାଓବାଦୀ। ମାଓବାଦୀ ତ ମାନିଥାନ୍ତି କ୍ଷମତା ବନ୍ଧୁକ ନଳିରୁ ଆସିଥାଏ ଏବଂ ନିଜକୁ ଭାବିଥାନ୍ତି ପୂର୍ଣ୍ଣ ଶାନ୍ତିବାଦୀ, ପ୍ରକୃତିବାଦୀ, ନୈସର୍ଗିକତା ପ୍ରେମୀ ଏବଂ ପରମ ବିଚରଣବାଦୀ। ସାପକୁ ପ୍ରେମ, ବିଛାକୁ ପ୍ରେମ କରିବା କଥା ବଖାଣନ୍ତି। ନିଜକୁ କେବଳ ଗାଈ ଭଲ ଲାଗେ। କିନ୍ତୁ ମୋତେ ତ ଭାଇ ନେଉଳ, ବାଘ, ଛେଳି, ଘୋଡ଼ା, ଭାଲୁ, ସମସ୍ତେ ଭଲ ଲାଗନ୍ତି। ହଁ ତାଓଜିମ୍ ଆଧ୍ୟାତ୍ମିକ ବିକାଶର ରାସ୍ତା ସତ; କିନ୍ତୁ ଅନ୍ଧବିଶ୍ୱାସରୁ ମୁକ୍ତ ନୁହେଁ। ବେଙ୍ଗ କହିଲା- ତା’ହେଲେ କ’ଣ ସାପେକ୍ଷ ବାଦୀ? ପକ୍ଷୀ କହିଲା, ଭାଇ! ଟାଇମ୍, ସ୍ପେସ୍, ମୋସନ୍, ଥିଓରିର ତ ସମୟ ବର୍ତ୍ତମାନ ଚାଲିଯାଇଛି। କଥା ବହୁତ ଆଗକୁ ବଢ଼ିଛି; କିନ୍ତୁ ଜଣାପଡ଼ୁଛି ତୁମେ ଖାଣ୍ଟି କମ୍ୟୁନିଷ୍ଟ ଭାଇ! ଏହିସବୁ ବିଚାରଧାରା ବ୍ୟକ୍ତି ପ୍ରଭାବର ଶିକାର। ଏବେ ଏପରି ସମୟ ଆସିଛି- ଘୃଣା, ମୌଳବାଦ, ଅସହିଷ୍ଟୁତା, କଠୋରତା ବେଶି ଦେଖିବାକୁ ମିଳୁଛି। ମାର୍କ୍ସବାଦୀ-ଲେନିନ୍ବାଦୀ ଥିଓରି କହେ ଯେ- ପୁଞ୍ଜିବାଦର ପତନ ଅବଶ୍ୟାମ୍ଭାବୀ। କିନ୍ତୁ ଏହି ଥିଓରିର ହୋଇଯାଇଛି ପତନ। ବେଙ୍ଗ କହିଲା- ପକ୍ଷୀ ଭାଇ! ଏବେ ଜାଣିଲି, ତା’ହେଲେ ତୁମେ ଜଣେ ରୂପାନ୍ତରଣବାଦୀ, ନତୁବା ମାନବବାଦୀ। ପକ୍ଷୀ କହିଲା- ଭାଇ! ମୁଁ ଅନ୍ୟ କେଉଁ ବାଦୀ ନୁହେଁ, ମୁଁ ହେଉଛି ପକ୍ଷୀବାଦୀ। ମୁଁ ମାନବବାଦୀ ନୁହେଁ। ମଁୁ ମାନେନି ତର୍କବାଦ ବା ବିବେକବାଦ ସବୁକିଛି। ବିଶ୍ୱ ସମାଜର ବର୍ତ୍ତମାନ ସ୍ୱରୂପ ବହୁଧା ବିଭକ୍ତ। ଲେଫ୍ଟି କଥା କହୁଛ, କେଉଁ ଲେଫ୍ଟି? ପୋଷ୍ଟ ଲେଫ୍ଟିର ଫାର୍ ଲେଫ୍ଟି, ନିଉ ଲେଫ୍ଟିର ହାର୍ଡ ଲେଫ୍ଟି, ସେଣ୍ଟର ଲେଫ୍ଟି, ରାଡ଼ିକାଲ୍ର ସେଣ୍ଟର ରାଇଟ୍। ତେବେ କୁହତ ଏବେ କେଉଁ ଲେଫ୍ଟି କଥା କହୁଛ ବେଙ୍ଗଭାଇ! ବେଙ୍ଗ କହିଲା, ଏବେ ଜାଣିଲି ତା’ହେଲେ ତୁମେ ଦକ୍ଷିଣପନ୍ଥୀ। ପକ୍ଷୀ କହିଲା, ବେଙ୍ଗଭାଇ! ବାହାରକୁ ଆସ। ବିଶ୍ୱକୁ ଦେଖ, ନିଶ୍ଚୟ ଏକ୍ସ୍‌ଷ୍ଟ୍ରିମିଷ୍ଟ -ରାଡିକାଲ୍ ହୋଇଯିବ ଅବା ମର୍ଡରେଟ୍ ରିଫର୍ମମିଷ୍ଟ ସିଙ୍କେଟ୍ରିକ୍‌ ଅବା କନ୍୍ଜରଭେଟିଭ୍ ଫଣ୍ଡାମେଟାଲିଷ୍ଟ ଅବା ରିଆକ୍ସନାରୀ ହୋଇପାର। ବେଙ୍ଗ କହିଲା- ତା’ହେଲେ ତୁମେ ଫେମିନିଷ୍ଟ। ପକ୍ଷୀ କହିଲା- ମୋ ମାଆ ଫିମେଲ୍, ମୋ ବାପା ମେଲ୍, ଭଉଣୀ ଫିମେଲ୍, ମୁଁ ଯଦି ଫେମିନିଷ୍ଟ ହେବି, ତା’ହେଲେ ଆମର ଗୋଟିଏ ଅଙ୍ଗ ଆଣ୍ଟିଫେମିନିଷ୍ଟ ହୋଇଯିବ। ଲୋକାଲିଷ୍ଟ ବା ଇଣ୍ଡିଭିଜିୱାଲିଷ୍ଟି ଦ୍ୱାରା ମାତୃକୈନ୍ଦିକ ଭାବନା ଉଗ୍ର ରୂପ ନିଏ। ବ୍ୟବହାର ଶୈଳୀ କିଛି ଉତ୍ତମ ବିଚାର ଧାରାର ଉତ୍ତରଣ ହୋଇପାରେ ବ୍ୟକ୍ତି ପାଇଁ; କିନ୍ତୁ ସାମଗ୍ରିକ ଚେତନାର ବିକାଶ ଅସମ୍ଭବ। ଜାଣିଛ ବେଙ୍ଗଭାଇ! ଫ୍ୟୁଡାଲିଷ୍ଟ କ’ଣ? କୌଣସି ଜଣେ ବ୍ୟକ୍ତଙ୍କ ପ୍ରତି ଅବିବେକୀ ଭାବରେ ସବୁବେଳେ ନତମସ୍ତକ ରହିବା ଏବଂ ତାଙ୍କ ଅଧୀନତାରେ ନିଜେ ନିଜକୁ ସମର୍ପିତ କରିଦେବା, ଏହା ତ ପରତନ୍ତ୍ରତା। ଏହା ସମାଜବାଦୀ କି ଗଣତନ୍ତ୍ରବାଦୀ ବିଚାରର ବିରୋଧୀ। ସବୁବେଳେ ଏହାକୁ ମୁଁ ଅସ୍ୱୀକାର କରେ, ବିରୋଧ କରେ। କୌଣସି ବିକାଶ ପ୍ରକ୍ରିୟାକୁ ବିଚାରଧାରା ଭାବେ ଗ୍ରହଣ କରିବା ତ ବିକୃତି। ଏହା ନିଶ୍ଚୟ ସତ୍ୟ ଯେ ଆଜି ବି କିଛି ଲୋକ ସହଜତା ବାଦକୁ ଗ୍ରହଣ କରିଥାନ୍ତି। ବେଙ୍ଗଭାଇ! ଜାଣିରଖ, ସତ୍ୟ ଅଦ୍ଭୁତ ହେବା ପରେ ସ୍ୱପ୍ନ ଧ୍ୱଂସ ହୋଇଯିବ। ନାସ୍ତିକ-ଆସ୍ତିକ, ଆସକ୍ତିତା, ନିରପେକ୍ଷତାବାଦୀ, ସୁବିଧାବାଦୀ, ସିନ୍ଧାନ୍ତବାଦୀ, ପବିତ୍ରବାଦୀ, ଧାର୍ମିକ ମୌଳବାଦୀ, କମ୍ୟୁନିଷ୍ଟ ଆର୍ଥିକ ମୌଳବାଦୀ, ଆର୍ଯ୍ୟସମାଜୀ, ଦ୍ରାବିଡ଼ ସମାଜୀ ଭଳି କେତେ ବାଦର-ପନ୍ଥର ଲୋକ ଅଛନ୍ତି। ବାଦ-ପନ୍ଥ-ସଂପ୍ରଦାୟକୁ ନେଇ ସମାଜର ବିଭାଜନ। ଏହାସହ ଯୋଡ଼ି ହୋଇଯାଇଛି ଜାତିପ୍ରଥା। କିନ୍ତୁ ଏହାକୁ ମୁଁ ବିବିଧତାର ମିଳନ ବୋଲି ସହଜରେ ଗ୍ରହଣ କରିପାରେନାହିଁ। ହଁ, କହିରଖେ, ଆଜି କିଛି ଲୋକ କଂଗ୍ରେସ, ସମାଜବାଦୀ, ବସପା, ଅକାଳୀ, ବିଜେପି ଆଦି ସମସ୍ତେ ଆଧୁନିକ ସମକାଳୀନ ଆଦର୍ଶବାଦୀ। କିନ୍ତୁ କ’ଣ ଦେଶର-ସମାଜର ଭଲ ହୋଇଛି, କୁହତ? ବେଙ୍ଗ କହିଲା, ପକ୍ଷୀଭାଇ! ତେବେ ତୁମେ କେଉଁ ବାଦୀ? କେଉଁ ସଂପ୍ରଦାୟକର? କେଉଁ ଜାତିର? କେଉଁ ପନ୍ଥର? ପକ୍ଷୀ କହିଲା, ବେଙ୍ଗଭାଇ! ମୁଁ ପକ୍ଷୀ ଅଟେ। ପକ୍ଷୀର ଆଚରଣକୁ ନେଇ ଉଡ଼ୁଛି, ବାଟ ଚାଲୁଛି। ଏ ସମଗ୍ର ଧରିତ୍ରୀ ମୋର ଏବଂ ମାଟିରୁ ଆକାଶ ଯାଏ, ଯେ ଯାଏ ତାପମାତ୍ରା ରହିଛି। ବୈଜ୍ଞାନିକ ବାସ୍ତବତା କ’ଣ? ଜ୍ଞାନ କ’ଣ? ଅଜ୍ଞାନ କ’ଣ? ଏହାକୁ ବୁଝିବାକୁ ଅହରହ ଉଦ୍ୟମ କରୁଛି। ବେଙ୍ଗ କହିଲା, ପକ୍ଷୀ ଭାଇ! ତା’ହେଲେ ତୁମେ ରାଷ୍ଟ୍ରବାଦୀ ନୁହଁ। ପକ୍ଷୀ କହିଲା- ନା’ ଭାଇ ନା’। କିନ୍ତୁ ତୁମେ ମୋର ଏକ ପ୍ରଶ୍ନର ଉତ୍ତର ଦିଅ। ବେଙ୍ଗ କହିଲା- ପଚାର ଭାଇ! ପକ୍ଷୀ କହିଲା- ଜାଣ, ତୁମର ଏ ଦେଶ କେତେ ବଡ଼? ବେଙ୍ଗ କୂଅ ଭିତରେ ଚକ୍କର କାଟି କହିଲା- ଦେଖ! ଏହା ଏକ ବିରାଟ ଦେଶ। ଏହା ମହାନ୍ ଦେଶ। ଦୁଇଗୋଡ଼ ଟେକି କହିଲା, ଏତେ ବଡ଼! ପକ୍ଷୀ କହିଲା- ପ୍ରିୟ ବେଙ୍ଗଭାଇ! ବାହାରକୁ ଥରେ ଆସି ଦେଖ। ତୁମକୁ ଦେଶ ଏବଂ ବିଶ୍ୱ ଦେଖାଯିବ। ବେଙ୍ଗ କହିଲା - ଭାଇ ବିଶ୍ୱ? ଦେଶଠାରୁ କେତେବଡ଼? ପକ୍ଷୀ କହିଲା- ଗୋଟିଏ ମାସ ଉଡ଼ି ଉଡ଼ି ଥକିଯାଏ। ସାଇବେରିଆରୁ ୟୁରୋପରେ ପହଞ୍ଚିବାକୁ। ପୁଣି ଫେରିଆସିବାକୁ ମାସେ ସମୟ ଲାଗେ। ଏଇ ଆମ ଭାରତ, ଶ୍ରେଷ୍ଠ ଭାରତ। ସାରା ଦେଶ ବୁଲିବାକୁ କେତେଦିନ ସମୟ ଲାଗିବ, ଏବେ ଅନୁମାନ କର। ବେଙ୍ଗ କହିଲା- ଭାଇ! ଭାରତ କେତେ ବଡ଼?? ପକ୍ଷୀ କହିଲା- ବହୁତ ବିଶାଳକାୟ। ସୁସୁନ୍ଦର ଅନୁପମ, ଅଦ୍ଭୁତ, ଆଶ୍ଚର୍ଯ। ପ୍ରକୃତି ନିଜ ହାତରେ ନିଜର ସମସ୍ତ ବିବିଧ ବୈବଭବକୁ ସମର୍ପି ଦେଇଛି। ବେଙ୍ଗ ହାତଟେକି କହିଲା- ଏତେ ବଡ଼? ପକ୍ଷୀ କହିଲା ନା- ଆହୁରି ବଡ଼, ବିବିଧତାରେ, ନୈସର୍ଗିକତାରେ। ବେଙ୍ଗ କୂଅରୁ ଥାଇ କହିଲା, ଏତେ ବଡ଼? ପୁଣି ଏତେ ସୁନ୍ଦର? ହୋଇନପାରେ। ଏହାଶୁଣି ପକ୍ଷୀ ଆଖିରୁ ଲୁହ ବୋହିବାକୁ ଲାଗିଲା। କାନ୍ଦି କାନ୍ଦି କହିଲା- ଚାରିବେଦ, ଷଡ଼ଦର୍ଶନ, ୧୪ ଉପନିଷଦ, ରାମାନନ୍ଦ, ରାନାଡେ, ଗାନ୍ଧି, ଆମ୍ୱେଦକର, ସୁଭାଷ ବୋଷ, ଭଗତ ସିଂହ, ଲକ୍ଷ୍ମଣ ନାୟକ, କେତେ ଯେ କେତେ ମହାମନିଷୀ-ମନିଷୀ। ସରଜୁ ନଦୀ ତଟର କିଛି ଦୂରରେ ଅଯୋଧ୍ୟାନଗରୀର ଗୋଟିଏ କୂଅ ପାଖର ପକ୍ଷୀ-ବେଙ୍ଗର କାହାଣୀଟିକୁ ଫତେହ ସାଗରଙ୍କୁ ସ୍ୱାମୀ ନିତ୍ୟାନନ୍ଦ ସରସ୍ୱତୀ ଶୁଣାଇଥିଲେ। ଆଜି ଦିନରେ ଯେଭଳି ଭାବେ ଘୃଣା, ଅସହିଷ୍ଣୁତା, ସଂକୀର୍ଣ୍ଣତା, ମୌଳବାଦ ଏବଂ କଠୋରତା ଧାର୍ମିକ ସଂପ୍ରଦାୟରୁ ରାଜନୀତି ଯାଏ ଦେଖିବାକୁ ମିଳୁଛି। ଏହି ସମୟରେ ଏହି କାହାଣୀର ପ୍ରାସଙ୍ଗିକତା ଗୁରୁତ୍ୱ ବହନ କରିଛି। ସାମ୍ୱାଦିକ, ଭୁବନେଶ୍ୱର ଦୂରଭାଷ: ୯୪୩୮୦୦୬୨୧୫

Share :