ସଂଖ୍ୟା ଭୟରେ ବିଜେଡି!

ସଂଖ୍ୟା ଭୟରେ ବିଜେଡି!

Share :

ଶ୍ରୀବହ୍ନିମାନ ଏହା ମଧ୍ୟରେ ଟାଇମ୍ସ ନାଓ ଏକ ସର୍ଭେ କରି କହିଛି ଯେ ଆଜି ଯଦି ନିର୍ବାଚନ ହୁଏ, ତେବେ ଓଡ଼ିଶାରେ ବିଜେଡି ମାତ୍ର ୮ ଲୋକସଭା ଆସନରେ ବିଜୟୀ ହେବ। ଆଉ ବିଜେପି ୧୩ ଲୋକସଭା ଆସନରେ ବାଜିମାତ କରିବ। ଗୋଟିଏ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଅଧୀନ। ଏହି ସର୍ଭେ ସତ ହେଲେ ବିଜେଡି ଚିତ୍ପଟାଙ୍ଗ ହେବ। ବିଜେପି ବାଜିମାତ କରିବ। ବିଜେଡି ପ୍ରେମୀ ସର୍ଭେ ରିପୋର୍ଟକୁ କହୁଛନ୍ତି, ଏହା ପ୍ରାୟୋଜିତ। ବିଜେପି ଭକ୍ତମାନେ କହୁଛନ୍ତି, ସର୍ଭେ ସତ ହେବ। ସାଧାରଣ ଜନତା ନିରବ। କଂଗ୍ରେସ କହୁଛି, ସର୍ଭେ ରିପୋର୍ଟ ଡାହା ମିଛ। ସତକଥା ହେଲା - ବିଜେଡି ଶିବିରରେ ଭୟ ଦେଖାଦେଇଛି ସତ କିନ୍ତୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକପ୍ରିୟତା ହ୍ରାସ ପାଇନି। ଗୋଟିଏ ପରେ ଗୋଟିଏ ସର୍ଭେ ସଂସ୍ଥା ପକ୍ଷରୁ ନବୀନଙ୍କ ଲୋକପ୍ରିୟତା ସହ ବିଜେପି ଏବଂ କଂଗ୍ରେସ ଦଳର ନେତୃତ୍ୱଙ୍କ ଲୋକପ୍ରିୟତା ବହୁପଛରେ ବୋଲି କୁହାଯାଉଛି। କିନ୍ତୁ ବିଜେଡିର ଅଘୋଷିତ ଇଲେକ୍ସନ ମ୍ୟାନେଜ୍ମେଣ୍ଟ ଟିମ୍ ସର୍ଭେ କରି ଜାଣିପାରିଛି ଯେ ବର୍ତ୍ତମାନ ଦଳରେ ଥିବା ୧୧୮ ଦଳୀୟ ବିଧାୟକଙ୍କ ମଧ୍ୟରୁ ୬୦ରୁ ଅଧିକ ବିଧାୟକଙ୍କ ପ୍ରତି ଜନଅସନ୍ତୋଷ ଚରମ ସୀମାରେ। ଏହି ବିଧାୟକଙ୍କ ଲୋକପ୍ରିୟତା ହ୍ରାସ ସଂପର୍କରେ ଦଳ ପକ୍ଷରୁ କରାଯାଇଥିବା ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ହସ୍ତଗତ ହେବା ପରେ ଦଳର ସୁପ୍ରିମୋ ନବୀନଙ୍କ ଚିନ୍ତା ବଢ଼ିଛି। ଯଦିଓ ଏପରି ସର୍ଭେ ହୋଇନଥିବା, ଏହା କେବଳ ପ୍ରଚାର, କଳ୍ପନାଜଳ୍ପନା ବୋଲି ଦଳ ପକ୍ଷରୁ କୁହାଯାଉଛି ତଥାପି ୬୦ ବିଧାୟକଙ୍କୁ ନେଇ ସୁପ୍ରିମୋ ନବୀନଙ୍କ ଚିନ୍ତା ଘାରିଛି। ସହଜରେ ତ ବିଜେପି ପକ୍ଷରୁ ୧୨୦ ପ୍ଲସ୍ ମିଶନ ଘୋଷଣା ପରିପ୍ରେକ୍ଷୀରେ ଏହା ମଧ୍ୟ କୁହାଯାଇଛି ଯେ, ବିଜେଡି ହାତରୁ ୭୦ ଆସନ ଖସିଯିବ, କଂଗ୍ରେସ ୮୦ ଆସନରେ ବିଜୟୀ ହେବ ବୋଲି ଦଳର ନେତାମାନେ ଦାବି କରୁଛନ୍ତି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସି ନିଜ ନିଜ ଦଳର ବିଜୟକୁ ନେଇ ଆଶାବାଦୀ ଥିବା ସୂଚନା ଦେଇଛନ୍ତି। ବିଜେପି ପକ୍ଷରୁ ଯେପରି ପ୍ରଚାର ଅଭିଯାନ ଚଳାଯାଇଛି, ତାହା ସୂଚନା ଦେଉଛି ବିଜେଡି ବିରୋଧରେ ଶାସନ ବିରୋଧୀ ସ୍ୱର ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ରହିଛି। ବିଜେଡି ସମେତ ବିଜେପି, କଂଗ୍ରେସ ପକ୍ଷରୁ ଦଳୀୟ ଟିକେଟ ଦୌଡ଼ ଆରମ୍ଭ ହୋଇଯାଇଛି। ବିଜେଡି ଆସନ୍ତା ନିର୍ବାଚନ ପାଇଁ ଆଉ ବାୟୋଡାଟା ଫର୍ମୁଲାକୁ ଆପଣେଇବ ନାହିଁ ଇଲେକ୍ସନ ମ୍ୟାନେଜ୍ମେଣ୍ଟ ଟିମ୍ ତଥା ଦଳୀୟ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ସମୀକ୍ଷା କରି କେଉଁଠି କାହାକୁ ଦଳୀୟ ଟିକେଟ ଦିଆଯିବ ତାହା ସ୍ଥିର କରିବ। ଯେହେତୁ ୬୦ରୁ ଅଧିକ ବିଧାୟକଙ୍କ ପ୍ରତି ଭୋଟର ବିମୁଖ ଅଛନ୍ତି ସେଥିପାଇଁ କଂଗ୍ରେସ ଏବଂ ବିଜେପିରୁ ନେତା ଆମଦାନୀ କରାଯାଉଛି। ସେହିଭଳି ଲୋକସଭାରେ ମହିଳା ସଂରକ୍ଷଣ ପାଇଁ ବିଜେଡି ଦାବି କରିଛି। ଭୋଟର ବିମୁଖ ଥିବା ବିଧାୟକଙ୍କ ସ୍ଥାନରେ କଂଗ୍ରେସ ଏବଂ ବିଜେପିରୁ ଆସିଥିବା ନେତାଙ୍କୁ ଟିକେଟ ଦିଆଯିବ। କେତେକ ସ୍ଥାନରେ ମହିଳା ପ୍ରାର୍ଥୀ ଦେବା ନେଇ ବିଜେଡି ସୁପ୍ରିମୋ ନବୀନ ଏଭଳି ରାଜନୀତିକୁ ଆପଣେଇଛନ୍ତି। ଯଦିଓ ବିଜେଡି ସୁପ୍ରିମୋ ନବୀନଙ୍କ ରଣନୀତି ସଂପର୍କରେ କେହି କେବେ ଜାଣିପାରନ୍ତି ନାହିଁ। ସେହି ହେତୁ ଆସନ୍ତା ନିର୍ବାଚନରେ କିଏ କେଉଁଠୁ ହେବେ ତାହା ଜାଣିବା କଷ୍ଟକର ବୋଲି ଦଳର ଜଣେ ଆଗଧାଡ଼ିର ନେତା ଅନୌପଚାରିକ ଭାବେ ଏହି ଶ୍ରୀବହ୍ନିମାନଙ୍କୁ କହିଛନ୍ତି। ଟାଇମ୍ସ ନାଓ ସର୍ଭେ ରିପୋର୍ଟ ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ହେଉଛି ବିଜେଡି ପାଇଁ ଆଗାମୀ ନିର୍ବାଚନରେ ପୁଣି ୨୦୧୪ ଭଳି ବିପୁଳ ସଂଖ୍ୟାରେ ବିଜୟୀ ହୋଇ ପୁଣି କ୍ଷମତାକୁ ଆସିବା ଏତେ ସହଜ ନୁହେଁ। ଯଦିଓ କାଳିଆ ଯୋଜନା ସଫଳତା ଆଣିଦେଇପାରେ; କିନ୍ତୁ ୧୧୭ ନୁହେଁ ୭୭ରେ ଦଳ ସୀମିତ ରହିପାରେ। କାରଣ ସଂପର୍କରେ କୁହାଯାଇଛି ଦଳର ସୁପ୍ରିମୋ ନବୀନଙ୍କ ଜନପ୍ରିୟତାକୁ ସମ୍ୱଳ କରି ୨୦୦୯ରେ ସ୍ୱର୍ଗତଃ ପ୍ୟାରୀ ମୋହନ ମହାପାତ୍ର ଏପରି ଗୋଟି ଚାଳନା କରିଥିଲେ ଯେ, ଯାହାଫଳରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଧୂଳି ଚାଟିଥିଲା। ବିଜେପି ଧରାଶାୟୀ ହୋଇଥିଲା। ୨୦୧୪ରେ ପ୍ୟାରୀଙ୍କ ଫର୍ମୁଲାକୁ ନେଇ କଳ୍ପତରୁ ଦାସ ନିର୍ବାଚନ ପରିଚାଳନାର ଦାୟିତ୍ୱ ନେଇ ନବୀନଙ୍କ ଭାବମୂର୍ତ୍ତିକୁ ଆଗରେ ରଖି ପ୍ରାର୍ଥୀ ମନୋନୟନ ଠାରୁ ନିର୍ବାଚନ ପରିଚାଳନା ଏପରି କରିଥିଲେ ଯେ ବିରୋଧୀ ଦଳ ମାଟି କାମୁଡ଼ିଥିଲେ। ୨୦୧୯ ନିର୍ବାଚନ ସାମ୍ନାରେ। ନିର୍ବାଚନ ବିଗୁଲ୍ ବାଜିସାରିଛି। ନା ପ୍ୟାରୀମୋହନ ନା କଳ୍ପତରୁ ଦାସ ନା ଏହିଭଳି ନେତା ଅଛନ୍ତି! ଦଳରେ ଏଭଳି ନେତାଙ୍କ ଅଭାବକୁ ନେଇ ନବୀନ ଚିନ୍ତାରେ! କାହାଙ୍କୁ ଭରସା କରି ୨୦୧୯ ନିର୍ବାଚନରେ ୬୦ ଆସନରେ ଲୋକ ଯେଉଁଠି ବିଧାୟକଙ୍କ ପ୍ରତି ବିମୁଖ ତାହାକୁ କିପରି ପରିଚାଳନା କରିବେ, ଏନେଇ ଚିନ୍ତାରେ ପଡ଼ିଛନ୍ତି ଦଳର ସୁପ୍ରିମୋ ନବୀନ। ଯଦିଓ ପ୍ରଣବ ପ୍ରକାଶ ଦାସଙ୍କ ଭଳି ଜଣେ ଦୁଇଜଣ ଯୁବନେତା ଅଛନ୍ତି, ଯାହାଙ୍କୁ ଇଭେଣ୍ଟ ମ୍ୟାନେଜର କମ୍ କ୍ରାଇସିସ୍ ମ୍ୟାନେଜର ବୋଲି କୁହାଯାଉଛି। କିନ୍ତୁ ଏହି ନେତାଙ୍କୁ ଦଳର ବରିଷ୍ଠ ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି। ଯେଉଁଥିପାଇଁ ଡାକ୍ତର ଦାମୋଦର ରାଉତଙ୍କ ଠାରୁ ବୈଜୟନ୍ତ ପଣ୍ଡାଙ୍କ ପର୍ଯ୍ୟନ୍ତ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ପଞ୍ଚାନନ କାନୁନଗୋ ବିଜେଡିକୁ ନଫେରି କଂଗ୍ରେସରେ ଯୋଗ ଦେଇଛନ୍ତି। ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଦଳକୁ ଆସୁନାହାନ୍ତି। ପ୍ରଫୁଲ୍ଲ ଘଡେ଼ଇ, ସୁରେନ୍ଦ୍ର ନାୟକଙ୍କ ଭଳି ବରିଷ୍ଠ ନେତା ନିରବ। ଏହା ସତ ଯେ ବିଜେଡିରେ ଏବେ କଂଗ୍ରେସ ଓ ବିଜେପି ଛାଡ଼ି ଜଣେ ପରେ ଜଣେ ନେତା ଯୋଗ ଦେବା ପରେ ବିଜେଡିରେ ଏବେ ଆଶାୟୀ ପ୍ରାର୍ଥୀ ସଂଖ୍ୟା ବଳକା ହୋଇଛି। ଏହି ବଳକା ପ୍ରାର୍ଥୀମାନଙ୍କୁ ଲକ୍ଷ୍ୟ କଲେ ୬୦ ଦଳ ଅସନ୍ତୋଷର ଶିକାର ବିଧାୟକଙ୍କ ବୋଝ ଠାରୁ ଏହି ଆଶାୟୀ ପ୍ରାର୍ଥୀ ନିର୍ବାଚନ ବେଳକୁ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରନ୍ତି। ସହଜରେ ଦଳତ୍ୟାଗୀଙ୍କୁ ଭୋଟର ସହଜରେ ଗ୍ରହଣ କରିପାରନ୍ତି ନାହିଁ। ଅନ୍ୟ ପକ୍ଷରେ ଦଳୀୟ ଟିକେଟ ଆଶାରେ କଂଗ୍ରେସ-ବିଜେପି ଛାଡ଼ି ଆସିଥିବା ଦଳତ୍ୟାଗୀ ଯଦି ପ୍ରାର୍ଥୀ ନହେବେ ତେବେ ବିଦ୍ରୋହ କରିପାରନ୍ତି। ଏହାକୁ ନେଇ ବିଜେଡି ଶିବିରରେ ଅଜଣା ଭୟ ସୃଷ୍ଟି ହୋଇଥିବା ଶଙ୍ଖ ଅଳିନ୍ଦରୁ ଖବର ମିଳିଛି।

Share :