ଚଷାପୁଅ ପାଇଁ ସରକାର ଖୋଲିଛନ୍ତି ଗପର ପେଡ଼ି!

ଚଷାପୁଅ ପାଇଁ ସରକାର ଖୋଲିଛନ୍ତି ଗପର ପେଡ଼ି!

ସରଳ କୁମାର ଦାସ କର୍ଣ୍ଣାଟକ ପରେ ଓଡିଶା ହେଉଛି ଦେଶର ଦ୍ୱିତୀୟ ରାଜ୍ୟ ଯେଉଁଠାରେ ୨୦୧୩-୧୪ରୁ ସାଧାରଣ ବଜେଟ ସହ ଏକ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହୋଇ ଆସୁଛି। ଗତ ଛଅ ବର୍ଷ ମଧ୍ୟରେ କୃଷି ବଜେଟର ଆକାର ୭,୧୬୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୮-୧୯ରେ ୧୬,୭୬୫ କୋଟି ଟଙ୍କାରେ ପହଂଚିଲାଣି। କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସାଧାରଣରେ ପ୍ରତ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରସ୍ତୁତ କୃଷି ବଜେଟରେ ପ୍ରତି ବର୍ଷ ନୂଆ ନୂଆ ଆକର୍ଷଣୀୟ ଯୋଜନା ଓ ମିଶନମାନ ଘୋଷଣା ହୋଇ ଆସୁଛି। କୃଷି ଓ କୃଷକ ସଶକ୍ତିକରଣ ପାଇଁ ଦାବି କରୁଥିବା ସରକାର ଏହି ମିଶନ ଓ ଯୋଜନାଗୁଡିକ ମାଧ୍ୟମରେ କୃଷକଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଆସୁଥିଲେ ମଧ୍ୟ ବାସ୍ତବ ପକ୍ଷେ ଏଗୁଡିକ ଚାଷୀଙ୍କ ସ୍ୱାର୍ଥ ହାସଲ ଦିଗରେ କେତେ ସହାୟକ ହୋଇଛି ତାହା ସମୀକ୍ଷାର ବିଷୟ। ଏକ ସଚିବସ୍ତରୀୟ ଟାସ୍କଫୋର୍ସ ଆଧାରରେ ୨୦୧୫-୧୬ରୁ ରାଜ୍ୟରେ ଆରମ୍ଭ ହୋଇଥିବା ଆଳୁ ମିଶନର ବିଫଳତା ବାସ୍ତବିକ ଚିନ୍ତାଜନକ। ତିନି ବର୍ଷ ମଧ୍ୟରେ ରାଜ୍ୟକୁ ଆଳୁ ଉପିାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏହି ମିଶନର ଲକ୍ଷ୍ୟ ଥିଲା। ତଦନୁସାରେ ଆଳୁ ଚାଷକୁ ୧୫ ହଜାର ହେକ୍ଟରରୁ ବଢାଇ ୬୦ ହଜାର ହେକ୍ଟର କରିବା ସହ ଉତ୍ପାଦନକୁ ଅଢେଇ ଲକ୍ଷ ଟନରୁ ବଢାଇ ୧୧ ଲକ୍ଷ ୨୫ ହଜାର ଟନରେ ପହଂଚାଇବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସମ୍ପ୍ରସାରଣ ଓ ଗବେଷଣା, ବିହନ ଉତ୍ପାଦନ, ଶୀତଳ ଭଣ୍ଡାର ପ୍ରତିଷ୍ଠା ଭଳି ସାତଟି ଭିନ୍ନଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯାଇ ୨୦୧୫-୧୬ ବଜେଟରେ ୫୦ କୋଟି ଟଙ୍କାର ଅର୍ଥ ବରାଦ ହୋଇଥିଲା ବେଳେ ଏଥିପାଇଁ ୨୦୧୬-୧୭ ଓ ୨୦୧୭-୧୮ରେ ଯଥାକ୍ରମେ ୬୦ କୋଟି ଓ ୨୦ କୋଟି ଟଙ୍କା ଆବଂଟିତ ହୋଇଥିଲା ଓ ୨୦୧୮-୧୯ ବଜେଟରେ ତାହା ମାତ୍ର ଦୁଇ କୋଟି ଟଙ୍କାରେ ସୀମିତ ରହିଲା। ଆଳୁ ଉତ୍ପାଦନ ହେଉ ବା ଶୀତଳ ଭଣ୍ଡାର ପ୍ରତିଷ୍ଠା, ଆଳୁ ମିଶନର କୌଣସି ଗୋଟିଏ ଲକ୍ଷ୍ୟ ପୂରଣ ହୋଇ ନଥିଲେ ମଧ୍ୟ ସରକାର ତାଙ୍କ ଆଳୁ ମିଶନ ଲକ୍ଷ୍ୟରୁ ଓହରି ଯାଇଥିବା ଭଳି ମନେ ହେଉଛି। ରାଜ୍ୟରେ ଅଭାବୀ ପରିସ୍ଥିତି ସମୟରେ ଦରରେ ସ୍ଥିରତା ରଖି ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ପାଇଁ ଚାରି ଲକ୍ଷ ଟନର ଏକ ଗଚ୍ଛିତ ଭଣ୍ଡାର (ବଫର ଷ୍ଟକ) ସୃଷ୍ଟି କରି ତାକୁ ପରିଚାଳନା କରିବା ଦାୟିତ୍ୱ ରାଜ୍ୟ ଯୋଗାଣ ବିଭାଗ ଉପରେ ନ୍ୟସ୍ତ ଥିଲା ଓ ଏଥିପାଇଁ ୨୦୧୫-୧୬ରେ ୫୦ କୋଟି ଟଙ୍କାର ଏକ ଘୂର୍ଣ୍ଣାୟମାନ ପାଣ୍ଠି ଗଠିତ ହୋଇଥିଲା। ଏହି ଯୋଜନା ଦୁଇ ବର୍ଷ କାର୍ଯ୍ୟ କଲା ପରେ ସରକାର ୨୦୧୭-୧୮ରୁ ନିଜ ବଫର ଷ୍ଟକ ପ୍ରତିବଦ୍ଧତାରୁ ଓହରିଗଲେ ଓ ଏଥିପାଇଁ ଆଉ କୌଣସି ଅର୍ଥ ବରାଦ ହେଲାନାହିଁ। ବିଭିନ୍ନ ସମୟରେ ଆଳୁ ଦର ହୁ ହୁ ହୋଇ ବଢିଲା ବେଳେ ରାଜ୍ୟରେ ଆଳୁର ଗଚ୍ଛିତ ଭଣ୍ଡାର ପାଇଁ ସରକାରୀ ପ୍ରଚେଷ୍ଟାର ଅଭାବ ଅନୁଭୂତ ହୋଇଥାଏ। ସରକାରଙ୍କ ନୀତି ଓ ନିଷ୍ପତିରେ ଧାରାବାହିକତାର ଅଭାବରୁ ଖାଉଟି ହନ୍ତସନ୍ତ ହୋଇଥାନ୍ତି। କୃଷି ଭିତ୍ତିକ ଷ୍ଟାର୍ଟ-ଅପ କମ୍ପାନୀଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ ୨୦୧୬-୧୭ ବଜେଟରେ ‘କୃଷିର ଉନ୍ନତି ପାଇଁ ତ୍ୱରିତ ପୁଂଜି ବ୍ୟବସ୍ଥା’ ନାମକ ଏକ ନୂଆ କାର୍ଯ୍ୟକ୍ରମ ଘୋଷଣା ହୋଇ ସେଥିପାଇଁ ୧୦ କୋଟି ଟଙ୍କାର ପୁଂଜି ବ୍ୟବସ୍ଥା ହୋଇଥିଲା। ପରବର୍ତ୍ତୀ ଦୁଇଟି ବଜେଟରେ ସେ ନେଇ କୌଣସି ଉଲ୍ଲେଖ ବା ଅର୍ଥ ବରାଦ ନ ହୋଇ କାର୍ଯ୍ୟକ୍ରମଟିକୁ ଆଉ ଆଗେଇବାକୁ ଦିଆଗଲା ନାହିଁ। ଫଳରେ ଏହି ଧରଣର ଷ୍ଟାର୍ଟ-ଅପ କମ୍ପାନୀ ବାବଦରେ ସରକାରୀ ଆଭିମୁଖ୍ୟର ସ୍ପଷ୍ଟତା ଅଭାବରେ ରାଜ୍ୟରେ କୃଷି ଭିତ୍ତିକ ଷ୍ଟାର୍ଟର୍-ଅପ ପ୍ରତିଷ୍ଠା ଗତିଶୀଳ ହୋଇପାରିନାହିଁ। ଠିକ ସେହିପରି ୨୦୧୬-୧୭ ବଜେଟରେ କୃଷକମାନଙ୍କୁ ବ୍ୟବସାୟ ପାଇଁ ସଂଗଠିତ କରିବା ପାଇଁ ‘କୃଷକ ଉତ୍ପାଦ ସଂଘକୁ ସହାୟତା’ ନାମକ ଅନ୍ୟ ଏକ କାର୍ଯ୍ୟକ୍ରମ ଘୋଷଣା ହୋଇ ୫ କୋଟି ଟଙ୍କା ଆବଂଟିତ ହୋଇଥିଲା। ଚାଷୀମାନଙ୍କୁ ଉତ୍ପାଦ ସଂଘ (ଫାର୍ମରସ ପ୍ରଡ୍ୟୁସର ଅରଗାନାଇଜେସନ) ଜରିଆରେ ସଂଗଠିତ କରି ବଜାର ସହ ସଂଯୋଗ କରାଇବା ଥିଲା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ତେବେ ୨୦୧୭-୧୮ ବଜେଟରେ ଏଥିପାଇଁ ଅର୍ଥ ବରାଦ ନ ହେବାରୁ ଏହି କାର୍ଯ୍ୟକ୍ରମ ପ୍ରତି ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଲୁଚକାଳି ଖେଳିଲା ପରି ୨୦୧୮-୧୯ ବଜେଟରେ ଏ ବାବଦରେ ପୁଣି ୫ କୋଟି ଟଙ୍କା ବରାଦ ହୋଇଛି। ରାଜ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଥିବା ଅସଂଗଠିତ ଚାଷୀଙ୍କୁ ତୁରନ୍ତ ଉତ୍ପାଦ ସଂଘ ଜରିଆରେ ସଂଗଠିତ କରି ସେମାନଙ୍କୁ ସେମାନଙ୍କ କୃଷି ଉତ୍ପାଦର ଉଚିତ ମୂଲ୍ୟ ପାଇବାରେ ସହାୟତା ପ୍ରଦାନ କରିବାର ଆବଶ୍ୟକତା ଥିବାରୁ ସରକାର ଏହି କାର୍ଯ୍ୟଟିକୁ ମିଶନ ଭିତ୍ତି(ମୋଡ୍)ରେ କରିବେ ବୋଲି ଆଶା କରା ଯାଉଥିଲା, ଯାହା ହୋଇନାହିଁ। ଫଳ ଓ ପନିପରିବା ବିପଣନ ପାଇଁ ଏକ କମ୍ପାନୀ ପ୍ରତିଷ୍ଠା ହେବା କଥା ୨୦୧୬-୧୭ ବଜେଟରେ ଘୋଷଣା ହୋଇ ସେଥିପାଇଁ ୫ କୋଟି ଟଙ୍କାର ଅର୍ଥ ବରାଦ ହୋଇଥିଲା। କମ୍ପାନୀ ପ୍ରତିଷ୍ଠାର ଅଗ୍ରଗତି ସମ୍ପର୍କରେ କୌଣସି ସୂଚନା ନାହିଁ କି ପରବର୍ତ୍ତୀ ଦୁଇଟି ବଜେଟରେ ସେ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ। ମଜାର କଥା ହେଉଛି, ଭୁବନେଶ୍ୱରଠାରେ ଏକ ଫୁଲ ବଜାର ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ୨୦୧୬-୧୭ ବଜେଟରେ ୫ କୋଟି ଟଙ୍କା ବରାଦ ହୋଇଥିଲା, ଯାହା ପର ବର୍ଷ ୧୦ କୋଟିକୁ ବଢାଇ ଦିଆଗଲା। ରାଜଧାନୀରେ ସରକାରଙ୍କ ଘୋଷିତ ଫୁଲ ବଜାରର ଦର୍ଶନ ନଥିଲେ ମଧ୍ୟ ୨୦୧୮-୧୯ ବଜେଟରେ ଏଥିପାଇଁ ମାତ୍ର ହଜାରେ ଟଙ୍କା ବରାଦ ହେବାର ଅର୍ଥ ସରକାର ତାଙ୍କ ଘୋଷିତ କାର୍ଯ୍ୟକ୍ରମରୁ ଓହରିବାକୁ କୁଣ୍ଠା ପ୍ରକାଶ କରିନାହାନ୍ତି। ଆଧୁନିକ କୃଷି ପଦ୍ଧତି ପ୍ରତି ଚାଷୀଙ୍କ ଆଗ୍ରହ ବଢାଇବା ପାଇଁ ଘରୋଇ ପୁଂଜି ଲଗାଣକୁ ବଢାଇବା ଉଦ୍ଦେଶ୍ୟରେ ୨୦୧୩-୧୪ରେ ଦୀର୍ଘ ମିଆଦି ବ୍ୟାଙ୍କ କୃଷି ଋଣ ଉପରେ ସରକାର ଶତକଡା ୫ ଭାଗ ପର୍ଯ୍ୟନ୍ତ ସୁଧ ରିହାତି କଥା ଘୋଷଣା କରି ଅର୍ଥ ବରାଦ କରିଥିଲେ ଓ ତାହା ୨୦୧୬-୧୭ ଯାଏଁ ଜାରିଥିଲା। ହେଲେ ପର ଦୁଇଟି ବଜେଟରେ ସେଥିପାଇଁ ଅର୍ଥ ବରାଦ ନ ହୋଇ କୃଷି କ୍ଷେତ୍ରରେ ଦୀର୍ଘ ମିଆଦି ଘରୋଇ ପୁଂଜି ଲଗାଣ ବାଧାପ୍ରାପ୍ତ ହୋଇଛି। ରାଜ୍ୟବାସୀଙ୍କୁ ଗପ ଶୁଣାଇବା ଭଳି ଶିଳ୍ପ ସଂସ୍ଥାମାନଙ୍କ ଆର୍ଥିକ ସହାୟତାରେ ଏକ ଜଳ ସଂରକ୍ଷଣ ପାଂଠି ଗଠିତ ହୋଇଛି ବୋଲି ୨୦୧୬-୧୭ ବଜେଟ ଅଭିଭାଷଣରେ ଘୋଷଣା ହୋଇଥିଲା, ଯେଉଁଥିରେ ଉପର ମୁଣ୍ଡରେ ବ୍ୟାରେଜ, ନଦୀବନ୍ଧ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସ୍ଥାପନ କରି ସ୍ୱଳ୍ପ ବୃଷ୍ଟି ସମୟରେ ଜଳ ଯୋଗାଇ ଦେବାର ପ୍ରତିଶ୍ରୁତି ଥିଲା। ଏହା ବଜେଟ ବହିର୍ଭୂତ ଅର୍ଥ ହୋଇଥିଲେ ମଧ୍ୟ ଏହାର ଆକାର ଓ ଉପଯୋଗ ସମ୍ପର୍କରେ କୌଣସି ଉଲ୍ଲେଖ ନଥିଲା। ପରବର୍ତ୍ତୀ ଦୁଇଟି ବଜେଟରେ ଏ ସମ୍ପର୍କରେ ଉଲ୍ଲେଖ ନ ରହିବା ଦ୍ୱାରା ସ୍ପଷ୍ଟ ହେଉଛି ହୁଏତ ସରକାରଙ୍କ ଘୋଷିତ ଏହି ପାଣ୍ଠିରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ କୌଣସି ଶିଳ୍ପ ସଂସ୍ଥା ଆଗଭର ହୋଇ ନାହାନ୍ତି ବା ପାଣ୍ଠି ସଂଗ୍ରହ ପାଇଁ ସରକାର ଆନ୍ତରିକ ଉଦ୍ୟମ କରିନାହାନ୍ତି। କୃଷି ପାଇଁ ଏକ ସ୍ୱତନ୍ତ୍ର ବିଦ୍ୟୁତ ଫିଡର ଲାଇନ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୧୩-୧୪ ବଜେଟରେ ‘ଓଡ଼ିଶା ଉତ୍ସର୍ଗୀକୃତ କୃଷି ଓ ମତ୍ସ୍ୟ ଫିଡର’ (ଓଡାଫପ) ନାମକ ଏକ ନୂତନ ଯୋଜନା ଘୋଷଣା କରାଯାଇ ସେଥିପାଇଁ ୧୫୦ କୋଟି ଟଙ୍କା ଶକ୍ତି ବିଭାଗକୁ ଆବଂଟିତ ହୋଇଥିଲା। ଉଠା ଜଳସେଚନ ପ୍ରକଳ୍ପ ଓ ମତ୍ସ୍ୟ କ୍ଷେତ୍ରରେ ଚାଷୀମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗଣ ସୁନିଶ୍ଚିତ କରିବା ଏହି ଯୋଜନାର ଲକ୍ଷ୍ୟ ଥିଲା। ଏଥିପାଇଁ ୨୦୧୪-୧୫ ବଜେଟରେ ମଧ୍ୟ ୧୦୦ କୋଟି ଟଙ୍କାର ବରାଦ ଥିଲା। ଉତ୍ସର୍ଗୀକୃତ କୃଷି ଫିଡର ପାଇଁ ୧୧୧ଟି ପୁଂଜ (କ୍ଲଷ୍ଟର) ଓ ଉତ୍ସର୍ଗୀକୃତ ମତ୍ସ୍ୟ ଫିଡର ପାଇଁ ୧୮ଟି ପୁଂଜ ଚିହ୍ନଟ ହୋଇଥିବାର ସୂଚନା ଦିଆଯାଇଥିଲା। ଅଜଣା କାରଣରୁ ଏହା ସରକାରଙ୍କ ପ୍ରାଥମିକତା ହରାଇଲା ଓ ୨୦୧୫-୧୬ରେ ଏଥିପାଇଁ ମାତ୍ର ଏକ ଲକ୍ଷ ଟଙ୍କାର ଟୋକନ ରାଶି ଆବଣ୍ଟିତ ହେବା ପରେ ପରବର୍ତ୍ତୀ ତିନିଟି ବଜେଟରୁ ସମ୍ପୂର୍ଣ୍ଣ ଉଭାନ ହୋଇଗଲା। କୌଣସି ମିଶନ ବା ନୂଆ ଯୋଜନା ଘୋଷଣା ହେବା ପରେ ତାହା ସରକାରଙ୍କ ପ୍ରାଥମିକତା ପାଲଟିବା ଆଶା କରାଯାଏ। ହେଲେ ବିଗତ ଛଅ ବର୍ଷର କୃଷି ବଜେଟରେ ଘୋଷିତ ଏହିପରି କେତେକ କାର୍ଯ୍ୟକ୍ରମ ଅଲୋଡ଼ା ହୋଇଯାଇଛି। ଦୀର୍ଘ କାଳୀନ କୃଷି ଯୋଜନାଗୁଡିକର କ୍ରିୟାନ୍ୱୟନରେ ସରକାରଙ୍କ ଟ୍ରାକ ରେକର୍ଡ ସେତେଟା ଉତ୍ସାହଜନକ ହୋଇନଥିବାରୁ ଭବିଷ୍ୟତରେ ‘କାଳିଆ’ ଯୋଜନାର କ୍ରିୟାନ୍ୱୟନରେ ଯେ ସେହି ଭଳି ଆନ୍ତରିକତାର ଅଭାବ ଦେଖା ନ ଦେବ, ତାହା କିଏ କହିବ? ରାଜକୋଷରୁ ପ୍ରଚୁର ଅର୍ଥ ବ୍ୟୟ ହେଉଥିବାରୁ କୌଣସି ଯୋଜନାର ବିଫଳତାରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରିତ ହୋଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ। ତରବରିଆ ଭାବେ ନୂଆ ଯୋଜନା ଘୋଷଣା ନ କରି ବିଶେଷଜ୍ଞଙ୍କ ସହାୟତାରେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଗଲେ ସଫଳତାର ସମ୍ଭାବନା ଅଧିକ ହୋଇଥାଏ। ଅନ୍ୟଥା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମିଶନ ବା ଅଭିଯାନରୁ ଆରମ୍ଭ ହେବ ସିନା ହେଲେ ଶେଷରେ ଛତ୍ରଭଙ୍ଗ ଆଡ଼କୁ ମୁହାଁଇବା କିଛି ବିଚିତ୍ର ନୁହେଁ। ଭୁବନେଶ୍ୱର, ମୋ: ୯୪୩୭୦୩୮୦୧୫

Share :