କାହା ସୁରକ୍ଷାରେ ଡଙ୍କାରୀ ଡକାୟତ?

କାହା ସୁରକ୍ଷାରେ ଡଙ୍କାରୀ ଡକାୟତ?

Share :

ସ୍ବତନ୍ତ୍ର ପ୍ରତିନିଧି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଡଙ୍କାରି ପାହାଡ଼ରୁ ଲୁଟ୍‌ ହୋଇଛି ୪୦୦୦ କୋଟି ଟଙ୍କାର ପଥର। ଏଥିରେ ଶାସକ ଦଳର ମୁଖିଆଙ୍କଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ନେତା ଓ ବିଧାୟକମାନେ ସଂପୃକ୍ତ ରହିଥିବା ଅନେକ ସମୟରେ ଅଭିଯୋଗ ହୋଇଆସିଛି। ସଂପୃକ୍ତ ନେତାମାନଙ୍କ ଚାପରେ ପ୍ରଶାସନ ବି ପାହାଡ଼ ଲୁଟ୍‌ ପ୍ରତି ଆଖିବୁଜି ଦେଇଥିଲା। ଏବେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ରାୟ ପରେ ଏହି ଦୁର୍ନୀତି ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଟ୍ରିବ୍ୟୁନାଲରେ ମାମଲା ଦାଏର କରିଥିଲେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେଉରା। ଶ୍ରୀ ବେଉରାଙ୍କ ଆବେଦନର ବିଚାର କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ୨୦୧୯ ଜାନୁଆରୀ ୪ ତାରିଖରେ ଏକ ରାୟ ପ୍ରକାଶ କରିଛନ୍ତି। ଏହି ରାୟରେ ଟ୍ରିବ୍ୟୁନାଲ ଡଙ୍କାରୀ ପାହାଡ଼ରେ କଳା ଗ୍ରାନାଇଟ୍‌ ପଥର ଖନନ ଅନୁମତି ଦେଇଥିବା ସରକାରୀ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବେଆଇନ ଭାବେ ଦିଆଯାଇଥିବା ଏହି ପାହାଡ଼ ଲିଜ୍‌ ଓ ତତପରେ ଚାଲିଥିବା ବେଆଇନ ପଥର ଖନନ ଯୋଗୁଁ ପରିବେଶର ହୋଇଥିବା କ୍ଷତିର ପୂରଣ କରିବା ସହିତ ବେଆଇନ ଭାବେ ଉଠା ଯାଇଥିବା ପଥରର ମୂଲ୍ୟ ଦାଖଲ କରିବାକୁ ମଧ୍ୟ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏହି ବେଆଇନ ପଥର ଖାଦାନ ଯୋଗୁଁ ନଷ୍ଟ ହୋଇଥିବା ପରିବେଶର ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଥର ଖନନ, ବିକ୍ରି ଓ ପରିବେଶ କ୍ଷତି ପାଇଁ ସଂପୃକ୍ତ ସରକାରୀ ପଦାଧିକାରୀମାନଙ୍କଠାରୁ ତତ୍ତୁଲ୍ୟ ଅର୍ଥ ଆଦାୟ କରିବାକୁ ମଧ୍ୟ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଡଙ୍କାରୀ ଲୁଟ୍‌ ଓ ପରିବେଶ ନଷ୍ଟ ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବା ଏନଜିଟି ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ସେଥିପାଇଁ ତୁରନ୍ତ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ନିକଟରେ ୨୫ କୋଟି ଟଙ୍କା ଦାଖଲ କରିବାକୁ ଏନଜିଟି ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟବର୍ତ୍ତୀକାଳୀନ ଜରିମାନା। ଏନଜିଟିର ଅନୁଧ୍ୟାନକାରୀ ଦଳ ଚୂଡ଼ାନ୍ତ ମୂଲ୍ୟାୟନ ରିପୋର୍ଟ ଦାଖଲ କରିବା ପରେ ରାଜ୍ୟ ସରକାରଙ୍କୁ ଅଧିକ ଆର୍ଥିକ ଦଣ୍ଡ ମିଳିବାର ସମ୍ଭାବନା ରହିଛି। ତେବେ ରାଜ୍ୟ ସରକାର ଯେଉଁ ଅର୍ଥ ଜମା କରିବେ ତାହାକୁ ବେଆଇନ ଖଣି ମାଲିକ, ଷ୍ଟୋନ କ୍ରସର, ସହଯୋଗୀ ସରକାରୀ ପଦାଧିକାରୀମାନଙ୍କଠାରୁ ଆଦାୟ କରିବାକୁ ଏନଜିଟି ଓଡ଼ିଶା ସରକାରଙ୍କୁ ସ୍ବାଧୀନତା ଦେଇଛନ୍ତି। ସରକାର ଯେଉଁ ଅର୍ଥ ଦାଲଖ କରିବେ ସେଥିରେ ଡଙ୍କାରୀ ପାହାଡ଼ ଖନନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ କ୍ଷତିପୂରଣ ଦିଆଯିବ। ଡଙ୍କାରୀରୁ କେତେ ପରିମାଣର ପଥର ଲୁଟ୍‌ ହୋଇଛି, ଏଥିଯୋଗୁଁ କେତେ ପରିମାଣର ପରିବେଶ ନଷ୍ଟ ହୋଇଛି ତାହାର ମୂଲ୍ୟାୟନ କରିବା ନିମନ୍ତେ ଏନଜିଟି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼, ଧାନବାଦ ସ୍ଥିତ ଇଣ୍ଡିଆନ ସ୍କୁଲ ଅଫ୍‌ ମାଇନ୍ସ ଏବଂ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯ ମେ ୬ ତାରିଖକୁ ସ୍ଥିର ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ ପୂର୍ବରୁ ଜଙ୍ଗଲ ଭିତରେ ଥିଲେ। ଏହା ଏକ ଜଙ୍ଗଲ ଜମି। ଏହା ଧର୍ମଶାଳା ତହସିଲ କାର୍ଯ୍ୟାଳୟଠାରୁ ମାତ୍ର ୧୫ କିଲୋମିଟର ଦୂର ମହିସରା ଗ୍ରାମ ପଂଚାୟତ ଅଧୀନରେ ଯାଏ। ଏହି ପାହାଡ଼ରୁ କଳା ପଥର ଖୋଳିବା ପାଇଁ ଶ୍ରୀବାସ ଜେନା ନାମକ ଜଣେ ବ୍ୟକ୍ତି ଆବେଦନ କରିବା ପରେ ଜିଲ୍ଲା ଓ ରାଜ୍ୟ ପ୍ରଶାସନ କୌଣସି ପ୍ରଶ୍ନ ଉଠାଇ ତାହା ମଂଜୁର କରିଥିଲେ। ଶ୍ରୀବାସ ଜେନା ହେଉଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ, ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ସ୍ବର୍ଗତ କଳ୍ପତରୁ ଦାସଙ୍କର ଅତ୍ୟନ୍ତ ଘନିଷ୍ଟ ବ୍ୟକ୍ତି। ସେ ଶାସକ ବିଜୁ ଜନତା ଦଳର ଜଣେ ସକ୍ରିୟ ନେତା। ବିଜୁ ଜନତା ଦଳ ତରଫରୁ ସେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। କଳ୍ପତରୁଙ୍କ ବିୟୋଗ ପରେ ତାଙ୍କ ପୁଅ ପ୍ରଣବ ବଳବନ୍ତରାୟଙ୍କର ରାଜନୀତିକ ସହଯୋଗୀ ତଥା ଅନୁଗାମୀ ଭାବେ ମଧ୍ୟ ଶ୍ରୀବାସ କାର୍ଯ୍ୟ କରୁଛନ୍ତି। ୨୦୦୨ ମସିହାରୁ ସେ ଡଙ୍କାରୀ ପାହାଡ଼ରୁ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରି କୋଟିକୋଟି ଟଙ୍କାର ପଥର ଲୁଟ୍‌ କରି ଚାଲିଛନ୍ତି। ଡଙ୍କାରୀ ପଥର ଖାଦାନ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଦୂଷଣ ପ୍ରଭାବରେ ଆଖପାଖର ଲୋକମାନଙ୍କ ମଧ୍ୟରେ ଯକ୍ଷ୍ମା ବା ଟିବି ସଂକ୍ରମଣ ହେଉଥିବା ଜଣାପଡ଼ିଥିଲା। କେତେକ ଲୋକଙ୍କର କିଡନି ସମସ୍ୟା ସୃଷ୍ଟି ହୋଇଥିଲା। ସେହିପରି ବେଆଇନ ପଥର ବ୍ଲାଷ୍ଟିଂ ଯୋଗୁଁ ସ୍ଥାନୀୟ ଗରୀବ ଲୋକମାନଙ୍କ ଘରର ଛାତ ଓ କାନ୍ଥ ଫାଟି ଯାଇଥିଲା। ଏସବୁ ନଜରକୁ ଆସିବା ପରେ ସର୍ବେଶ୍ବର ବେଉରା ନାମକ ଜଣେ ବ୍ୟକ୍ତି ୨୦୧୨ ମସିହାରୁ ତହସିଲଦାର, ଜିଲ୍ଲାପାଳ, ଖଣି ଉପନିର୍ଦ୍ଦେଶକ ପ୍ରମୁଖ କର୍ତ୍ତୃପକ୍ଷଙ୍କଠାରେ କେବେ ଓ କାହାକୁ ପାହାଡ଼ ଖାଦାନ ଲିଜ୍‌ ଦିଆଗଲା, ତାହାର ପରିବେଶ ମଂଜୁରି ଥିଲା କି ନାହିଁ, କେତେ ପଥର ଖୋଳିବାକୁ ଅନୁମତି ଦିଆଯାଇଥିଲା, କେତେ ପଥର ଖୋଳାଗଲା, ରାଜ୍ୟ ସରକାରଙ୍କୁ କେତେ ରାଜଭାଗ ମିଳିଲା ଆଦି ସଂପର୍କରେ ଅନେକ ତଥ୍ୟ ମାଗିଥିଲେ। ଏହିସବୁ ତଥ୍ୟ ମିଳିବା ପରେ ଜଣା ପଡ଼ିଲା ଯେ ଡଙ୍କାରୀ ପାହାଡ଼ରୁ ସଂପୂର୍ଣ୍ଣ ବେଆଇନ ଭାବେ ପଥର ଲୁଟ୍‌ ଚାଲିଛି। ପ୍ରକଳ୍ପର ବୈଧ ଲିଜ୍‌ କି ପରିବେଶ ମଂଜୁରୀ ନଥିଲା। ଏହା ଜଣା ପଡ଼ିବା ପରେ ସର୍ବେଶ୍ବର ଏହି ବେଆଇନ ପ୍ରକଳ୍ପ ଓ ଏହାର ଅଂଶୀଦାରମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ନିକଟରେ ଆବେଦନ କରିଥିଲେ। କିନ୍ତୁ ଜିଲ୍ଲା ଓ ରାଜ୍ୟ ପ୍ରଶାସନ ଲୁଟେରାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ କି ଏହି ବେଆଇନ ପାହାଡ଼ ଲୁଟ୍‌କୁ ବନ୍ଦ କଲେ ନାହିଁ। ଫଳରେ ଏହି ପ୍ରକଳ୍ପ ବନ୍ଦ କରିବାକୁ ସର୍ବେଶ୍ବର ଓଡ଼ିଶା ହାଇକୋର୍ଟରେ ୨୦୧୪ ମସିହାରେ ଏକ ଜନସ୍ବାର୍ଥ ମାମଲା ଦାଏର କଲେ। କିନ୍ତୁ ଓଡ଼ିଶା ହାଇକୋର୍ଟ ସେଭଳି ନିର୍ଦ୍ଦେଶ ଦେଲେ ନାହିଁ। ୨୦୧୫ ମସିହାରେ ଡଙ୍କାରୀ ପଥର ଖାଦାନର ପ୍ରଦୂଷଣ ପ୍ରଭାବରେ ସ୍ଥାନୀୟ ଅଂଚଳର ୩୦-୪୦ ଜଣ ଲୋକଙ୍କର କିଡନି ଓ ଲିଭର ନଷ୍ଟ ହେବା ଯୋଗୁଁ ମୃତ୍ୟୁ ହେଲା। ଏହି ପଥର ଖାଦାନ ଯୋଗୁଁ ସ୍ଥାନୀୟ ଅଂଚଳର ସମସ୍ତ ଜଳସୂତ୍ର ଓ ବାୟୁ ମଣ୍ଡଳ ପ୍ରଦୂଷିତ ହୋଇଥିବା ଯୋଗୁଁ ଅଧିକାଂଶ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା କଥା ପଦାକୁ ଆସିଲା। ଏହିସବୁ ତଥ୍ୟ ଭିତ୍ତିରେ ସର୍ବେଶ୍ବର ୨୦୧୫ ନଭେମ୍ବର ମାସରେ ଓଡ଼ିଶା ମାନବାଧିକାର ଆୟୋଗଙ୍କ ନିକଟରେ ପ୍ରାର୍ଥନା କଲେ। ମାନବାଧିକାର ଆୟୋଗ ଅଭିଯୋଗ ଉପରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତତ୍କାଳୀନ ଜିଲ୍ଲାପାଳ ସତ୍ୟ ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଲେ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପାଇବା ପରେ ଜିଲ୍ଲାପାଳ ସତ୍ୟ ମଲ୍ଲିକ ୨୦୧୫ ନଭେମ୍ବର ୨୭ ତାରିଖରେ ଡଙ୍କାରୀ ଖାଦାନ ବନ୍ଦ କରିବାକୁ ଚିଠି ଜାରିବା ସହିତ ଡିସେମ୍ବର ୧୩ ତାରିଖରେ ଖୋଳା ଯାଇଥିବା କଳା ପଥରର ମୂଲ୍ୟ ଆକଳନ କରିବାକୁ ଖଣି ଉପନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ। ଖଣି ଉପନିର୍ଦ୍ଦେଶକ ୨୦୧୬ ମାର୍ଚ୍ଚ ୧୮ ତାରିଖରେ ଜିଲ୍ଲାପାଳଙ୍କୁ ଦେଇଥିବା ରିପୋର୍ଟ ଅନୁସାରେ ଡଙ୍କାରୀ ପାହାଡ଼ରୁ ବେଆଇନ ଭାବେ ୭୩,୩୮,୦୧୨ କ୍ୟୁବିକ ମିଟର ପଥର ଖୋଳି ନିଆଯାଇଛି। ଏହି ରିପୋର୍ଟ ପାଇବା ପରେ ଜିଲ୍ଲାପାଳ ଏଭଳି ବେଆଇନ ପଥର ଖାଦାନ ଓ ଲୁଟ୍‌ ନେଇ ୨୦୧୬ ମେ ୧୦ ତାରିଖରେ ରାଜସ୍ବ ବିଭାଗ ସଚିବଙ୍କୁ ଅବଗତ କଲେ। ୨୦୧୬ ମେ ୧୮ ତାରିଖରେ ଜିଲ୍ଲାପାଳ ଧର୍ମଶାଳା ତହସିଲଦାରଙ୍କୁ ଏକ ଚିଠି ଲେଖି ଡଙ୍କାରୀ ପାହାଡ଼ରୁ କେତେ କଳା ଗ୍ରାନାଇଟ୍‌ ପଥର ଖୋଳି ନିଆଯାଉଛି ସେ ସଂପର୍କୀତ ଉପ ଖଣି ନିର୍ଦ୍ଦେଶକଙ୍କ ରିପୋର୍ଟ ସହିତ ସେ ବାବଦରେ କେତେ ରାଜସ୍ବ ମିଳିଛି ଏବଂ ତାହାକୁ ବାଦ ଦେଲେ ସରକାରଙ୍କର କେତେ ଟଙ୍କାର ରାଜସ୍ବ କ୍ଷତି ହୋଇଛି ବୋଲି ଜାଣିବାକୁ ଚାହିଁଲେ। ତହସିଲଦାର ହିସାବ କରି ଦେଖିଲେ ଶ୍ରୀବାସ ଜେନା ୧୪,୧୫,୫୯୬ କ୍ୟୁବିକ ମିଟର ପଥର ପାଇଁ ରାଜଭାଗ ଜମା କରିଛନ୍ତି। ତେଣୁ ବାକି ପଥର ବାବଦରେ ୫୮ କୋଟି ୬୨ ଲକ୍ଷ ୭୯ ହଜାର ୬୩୩ ଟଙ୍କାର ରାଜଭାଗ ଜିଲ୍ଲାପାଳ ଅଫିସରେ ଜମା କରିବାକୁ ତହସିଲାଦାର ଶ୍ରୀବାସ ଜେନାଙ୍କୁ ଚିଠି ଲେଖିଲେ। ୨୦୧୬ ଜୁନ ୮ ତାରିଖରେ ଶ୍ରୀବାସ ଜେନା ତହସିଲଦାରଙ୍କର ଏହି ଆଦେଶ ବିରୋଧରେ ହାଇକୋର୍ଟରେ ମାମଲା ଦାଏର କଲେ ସେଠାରୁ ଏକ ସ୍ଥଗିତାଦେଶ ପାଇଗଲେ। ତେବେ ହାଇକୋର୍ଟ ପଥର ଖାଦାନର ସାନି ତଦନ୍ତ ଓ ଆକଳନ ଏବଂ ଶ୍ରୀବାସଙ୍କ ପକ୍ଷ ଶୁଣିବାକୁ ନିର୍ଦ୍ଦେଶ ଦେଲେ। ୨୦୧୬ ଜୁନ ୨୧ ତାରିଖରେ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ଡଙ୍କାରୀ ପାହାଡ଼ ଲୁଟ୍‌ ଆକଳନ କରିବାକୁ ଖଣି, ରାଜସ୍ବ ଏବଂ ପୁଲିସ କର୍ମଚାରୀମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ କହିଲେ। ସେହି ବର୍ଷ ଜୁଲାଇ ୪ ତାରିଖରେ ରାଜସ୍ବ ବିଭାଗର ଯୁଗ୍ମ ସଚିବ ଅଭୟ ନାୟକ ଯାଜପୁର ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ଡଙ୍କାରୀ ରାଜସ୍ବ କ୍ଷତି ଆକଳନ କରିବା ସହିତ ତୁରନ୍ତ ତାହା ଆଦାୟ କରିବାକୁ ନିର୍ଦ୍ଦେଶ ଦେଲେ। ବେଆଇନ ଖଣି କାରବାର ପାଇଁ ଜରିମାନା ଧାର୍ଯ୍ୟ କରିବାକୁ ମଧ୍ୟ ସେଥିରେ ଉଲ୍ଲେଖ ଥିଲା। ତା’ଛଡ଼ା ଏହି ଲୁଟ୍‌ ବିରୋଧରେ ପୁଲିସରେ ଏତଲା ଦେବାକୁ ମଧ୍ୟ କୁହାଯାଇଥିଲା। ସଂପୃକ୍ତ ରାଜସ୍ବ ନିରୀକ୍ଷକ ଏବଂ ତହସିଲଦାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ରାଜସ୍ବ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ୨୦୧୬ ଅଗଷ୍ଟ ୬ ତାରିଖରେ ଧର୍ମଶାଳାର ୧୦ ଜଣ ତହସିଲଦାର, ଅଗଷ୍ଟ ୧୧ ତାରିଖରେ ଯାଜପୁରର ୬ ଜଣ ଉପଜିଲ୍ଲାପାଳ ଏବଂ ଅଗଷ୍ଟ ୧୩ ତାରିଖରେ ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ଆରଆଇ ସର୍କଲର ୧୦ ଜଣ ଆରଆଇଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ। ସେମାନେ ଚିଠି ପାଇବାର ୩୦ ଦିନ ଭିତରେ ବେଆଇନ ଖାଦାନ ଓ ରାଜସ୍ବ ହଡ଼ପ ନେଇ ଜବାବ ରଖିବାକୁ କୁହାଗଲା। କିନ୍ତୁ ଚିଠି ସିନା ଜାରି ହେଲା। କାହାରି ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ନବୀନ ସରକାରର ଚରିତ୍ର ଅନୁଯାୟୀ ସବୁ କାର୍ଯ୍ୟାନୁଷ୍ଠାନ ରାଜନୀତିକ ଚାପରେ ପ୍ରାଶାସନିକ ସ୍ତରରେ ଚପିଗଲା। ଏହି ଦୁର୍ନୀତି ଓ ଖଣି ଲୁଟ୍‌କୁ ସ୍ବୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଧର୍ମଶାଳା ବିଧାୟକ, ଯାଜପୁର ଜିଲ୍ଲାର ଶାସକ ଦଳର ନେତା ଏବଂ ଉଚ୍ଚ ସ୍ତରୀୟ ପଦାଧିକାରୀମାନେ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଉଥିଲେ। କାରଣ ସେଥିରୁ ବିଜୁ ଜନତା ଦଳର ନେତାମାନେ ପ୍ରଚୁର ପାଣ୍ଠି ସଂଗ୍ରହ କରୁଥିଲେ ଏବଂ ପଦାଧିକାରୀଙ୍କ ହାତ ମଧ୍ୟ ଚିକ୍କଣ ହେଉଥିଲା। ସବୁ ଆଡ଼ୁ ନିରାଶ ହେବା ପରେ ସର୍ବେଶ୍ବର ୨୦୧୮ ଜୁଲାଇ ମାସରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିଲେ। ଏହି ସମୟ ମଧ୍ୟରେ ଶାସକ ଦଳର ଗୁଣ୍ଡାମାନେ ସର୍ବେଶ୍ବରଙ୍କ ଉପରେ ଏକାଧିକ ଥର ମରଣାନ୍ତକ ଆକ୍ରମଣ କରିବା ସହିତ ହତ୍ୟା କରିବା ପାଇଁ ମଧ୍ୟ ଧମକ୍‌ ଦେଇଛନ୍ତି। ତାଙ୍କ ବିରୋଧରେ ଥାନାରେ ୫ଟି ମିଛ ଏତଲା ମଧ୍ୟ ଦାଏର ହୋଇଛି। ତାଙ୍କ ଘର ଭଙ୍ଗାଯିବା ସହିତ ପୋଡ଼ି ଦିଆଯାଇଛି। ଏହା ସତ୍ତ୍ବେ ସେ ନିଜ ଅଂଚଳର ଲୋକଙ୍କ ସ୍ବାସ୍ଥ୍ୟ ଓ ପରିବେଶ ସୁରକ୍ଷା ସହିତ ସରକାରୀ ରାଜସ୍ବ ସୁରକ୍ଷା ପାଇଁ ତାଙ୍କର ଅଭିଯାନ ଅବ୍ୟାହତ ରଖିଛନ୍ତି। ଆଉ ଶାସନ କଳ ଓ ଶାସକ ଦଳ ମଧ୍ୟ ଲୁଟେରାଙ୍କୁ ସୁରକ୍ଷା ଦେବାରୁ ନିବୃତ୍ତ ହୋଇ ନାହାନ୍ତି।

Share :