୪୧ ହଜାର କୋଟି ଚାଷ ଟଙ୍କା ଲୁଟିଲା କିଏ?

୪୧ ହଜାର କୋଟି ଚାଷ ଟଙ୍କା ଲୁଟିଲା କିଏ?

Share :

ସ୍ବତନ୍ତ୍ର ପ୍ରତିନିଧ‍ ରାଜ୍ୟର ଚିର ଦୁର୍ଦ୍ଦଶାଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବା ପାଇଁ ଯେଉଁ ଋଣ ମଂଜୁର ହେଉଛି ତାହାକୁ ସମବାୟ ବ୍ୟାଙ୍କ ଜରିଆରେ ହଡ଼ପ କରୁଛନ୍ତି ସରକାରୀ ବାବୁ ଓ ନେତାମାନେ। ଅଧିକାଂଶ ପ୍ରାଥମିକ କୃଷି ସମବାୟ ସମିତି ଶାସକ ଦଳର ନେତା ଓ କର୍ମୀଙ୍କ କବ୍ଜାରେ ଥିବାରୁ ଏହି ଦଳ ହିଁ ଓଡ଼ିଶା ଚାଷୀଙ୍କ ହଡ଼ପ କରିଛି ବୋଲି ଅନେକ ସମୟରେ ବିରୋଧୀ ଦଳଗୁଡ଼ିକୁ ଅଭିଯୋଗ କରିଥାନ୍ତି। ଏବେ ଚାଷୀଙ୍କ ପାଇଁ କାଳିଆ ଯୋଜନା ହୋଇଥିବାରୁ ସମବାୟ କୃଷି ଋଣ ହଡ଼ପ ଘଟଣା ପୁଣି ଥରେ ପଦାକୁ ଆସିଛି। ଯଦି ସମବାୟ କୃଷି ଋଣ ଚାଷ କାମରେ ସହାୟକ ହୋଇଥାନ୍ତା ତେବେ କାଳିଆ ଯୋଜନାର ଆବଶ୍ୟକତା ପଡ଼ିଲା କାହିଁକି ବୋଲି ପ୍ରଶ୍ନ ଉଠୁଛି। ସୂଚନା ଅଧିକାର ଆଇନ ବଳରେ ଖୋଦ ସରକାର ଯୋଗାଇଥିବା ତଥ୍ୟ ଅନୁସାରେ ୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ପଡ଼ିଥିବା ମୋଟ ୫ ବର୍ଷରେ ସମବାୟ ବିଭାଗ ଜରିଆରେ ପ୍ରାୟ ୧.୯ କୋଟି ଚାଷୀଙ୍କୁ ୪୧ ହଜାର କୋଟି ଟଙ୍କାର କୃଷି ଋଣ ଯୋଗାଇ ଦିଆଯାଇଛି। ସରକାରୀ ତଥ୍ୟ ଅନୁସାରେ ୨୦୧୩-୧୪ ବର୍ଷ ଖରିଫ ଋତୁରେ ୧୫.୨୫ ଲକ୍ଷ ଚାଷୀଙ୍କୁ ୩୬୨୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବାବେଳେ ସେହି ବର୍ଷ ରବି ଋତୁ ପାଇଁ ୧୩.୫୧ ଲକ୍ଷ ଚାଷୀଙ୍କୁ ୩୪୭୨ କୋଟି ଟଙ୍କାର ଋଣ ଆବଣ୍ଟିତ ହୋଇଥିଲା। ଏହିପରି ଭାବେ ୨୦୧୪-୧୫ ବର୍ଷର ଖରିଫ ଓ ରବି ଚାଷ ପାଇଁ ୩୦ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୩୮୧ କୋଟି ଟଙ୍କା, ୨୦୧୫-୧୬ ବର୍ଷରେ ୩୨ ଲକ୍ଷ ଚାଷୀଙ୍କୁ ୯୫୬୯ କୋଟି ଟଙ୍କା ଏବଂ ୨୦୧୬-୧୭ ବର୍ଷରେ ୩୨ ଲକ୍ଷ ଉପରେ ଚାଷୀଙ୍କୁ ୧୦,୨୦୧ କୋଟି ଟଙ୍କା ଏବଂ ୨୦୧୭-୧୮ ବର୍ଷରେ (୨୩.୧୧.୧୭ ସୁଦ୍ଧା) ୧୬ ଲକ୍ଷ ଚାଷୀଙ୍କୁ ୫୮୧୮ କୋଟି ଟଙ୍କାର ଋଣ ସହାୟତା ଦିଆଯାଇଛି। ପ୍ରତି ବର୍ଷ ସରକାରୀ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ଏହିପରି ଭାବେ ହାରାହାରି ୮ ହଜାର କୋଟି ଟଙ୍କାର ଋଣ ଦିଆଯାଉଥିବାବେଳେ ତାହା ପ୍ରକୃତ ଚାଷୀମାନେ ପାଉଛନ୍ତି ନା ନେତା ଓ ବାବୁମାନେ ମିଶି ହଡ଼ପ କରୁଛନ୍ତି ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଚାଷୀଙ୍କୁ ଚାଷକାର୍ଯ୍ୟରେ ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ଘୋଷଣା କରିବା ପରେ ପୂର୍ବ ଋଣ ସବୁ କ’ଣ ହେଲା ବୋଲି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପ୍ରଶ୍ନ କରିଛନ୍ତି। ୨୦୧୮-୧୯ ବର୍ଷର ରବି ଋତୁରୁ କାଳିଆ ସହାୟତା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏଥର ରବି ଋଣ ମିଳିଲା କି ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିପାରେ। ଚାଷୀମାନେ ଉଭୟ ରବି ଋଣ ଓ କାଳିଆ ସହାୟତା ନେଇ ଚାଷ କରିବେ ନା ବାହାଘର ଭୋଜିରେ ଉଡ଼େଇ ଦେବେ ତାହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ। ଏଭଳି ପ୍ରଶ୍ନ ଓ ସନ୍ଦେହର ଭିତ୍ତି ହେଉଛି ଖୋଦ ସରକାରଙ୍କ ସ୍ବୀକାରୋକ୍ତି। ସମବାୟ କୃଷି ଋଣରେ ଜାଲିଆତି ଓଡ଼ିଶାରେ ଏକ ଦୀର୍ଘସ୍ଥାୟୀ ପରମ୍ପରାରେ ପରିଣତ ହୋଇଛି। ୨୦୧୭ ମସିହାରେ ଏହିପରି ଗୋଟିଏ ଋଣ ଜାଲିଆତି ମାମଲାରେ ଆର୍ଥିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁ ପୁଲିସ ତିନି ଜଣଙ୍କୁ ଗିରଫ କରିଥିଲେ। କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନରେ ସେହିବର୍ଷ ୮୫୯ଟି ଋଣ ଜାଲିଆତି ଧରା ପଡ଼ିଥିଲା। ବ୍ୟାଙ୍କର କାର୍ଯ୍ୟକର୍ତ୍ତାମାନେ ଜାଲ ଲୋକଙ୍କ ନାମରେ ଋଣ ଉଠାଇ ନେଇଥିବା ଅଡିଟ ଓ ତଦନ୍ତରୁ ଜଣାପଡ଼ିଥିଲା। କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର କାର୍ଯ୍ୟ ପରିସର ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଚାରିଟି ଜିଲ୍ଲାରେ ଏଭଳି ଜାଲିଆତି ହୋଇଥିବା ପୁଲିସ ବିଭାଗର ଆର୍ଥିକ ଅପରାଧ ଶାଖା ତଦନ୍ତରୁ ଜଣାପଡ଼ିଥିଲା। ସେହିପରି ରାଜ୍ୟର ପୂର୍ବତନ ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମନ୍ତ୍ରୀ ଦାୟିତ୍ବରେ ଥିଲାବେଳେ ସମବାୟ ଋଣ ଜାଲିଆତି ଅଭିଯୋଗକୁ ସ୍ବୀକାର କରିଥିଲେ। ସେତେବେଳେ ସେ କହିଥିଲେ ଯେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଋଣକୁ ଅଣଚାଷୀମାନେ ଉଠାଇ ନେଇଛନ୍ତି। ଏଥିରେ ସେମାନଙ୍କୁ ସହଯୋଗ କରିଛନ୍ତି ସମବାୟ ବିଭାଗର କର୍ମଚାରୀ। ପରେ ୨୦୧୮ ମସିହାରେ ବର୍ତ୍ତମାନର ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ବିଧାନସଭାରେ ସମବାୟ ଋଣ ଜାଲିଆତି ଅଭିଯୋଗକୁ ସ୍ବୀକାର କରିଥିଲେ। ବିଧାୟକ ଦିଲ୍ଲୀପ ରାୟଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଋଣ ଜାଲିଆତି ନେଇ ୨୦ ହଜାର ଉପରେ ଅଭିଯୋଗ ଦାଏର ହୋଇଛି। ସେଥିମଧ୍ୟରୁ ୧୫ ହଜାର ଉପରେ ଅଭିଯୋଗ ଫଇସଲ ହୋଇଛି। ସେ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ରାଜ୍ୟରେ ୭୦୩୭ଟି ସମବାୟ ସଂସ୍ଥା କାର୍ଯ୍ୟ କରୁଛି। ଏହା ମଧ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ୧୬ଟି ସହରାଂଚଳ ସମବାୟ ବ୍ୟାଙ୍କ ଅନ୍ତର୍ଭୁକ୍ତ। ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ଖୋର୍ଦ୍ଧା, ବାଙ୍କି, ଆସ୍କା, ନୟାଗଡ଼, ମୟୂରଭଞ୍ଜ, ବରଗଡ଼, ସୁନ୍ଦରଗଡ଼ ଆଦି ଅଞ୍ଚଳର ସମବାୟ ବ୍ୟାଙ୍କଗୁଡ଼ିକରେ ସର୍ବାଧିକ ଋଣ ଦୁର୍ନୀତି ହୋଇଥିବାବେଳେ ଅନ୍ୟ ଅଂଚଳରେ ମଧ୍ୟ ଏଭଳି ଜାଲିଆତି ହୋଇଛି। ଏଥିରୁ ସ୍ପଷ୍ଟ ହୁଏ ଯେ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକ ଜରିଆରେ ଚାଷୀଙ୍କ ସହାୟତା ପାଇଁ ଦିଆଯାଉଥିବା ଋଣ ବାସ୍ତବରେ ଚାଷୀଙ୍କ ପାଖରେ ପହଞ୍ଚୁ ନାହିଁ କି ଚାଷ କାର୍ଯ୍ୟରେ ଲାଗୁ ନାହିଁ। ତାହାକୁ ଚାଷ କରୁ ନଥିବା ଜମି ମାଲିକ ଓ ଅନ୍ୟମାନେ ହଡ଼ପ କରି ନେଉଛନ୍ତି। ରାଜ୍ୟର ପ୍ରାୟ ସମସ୍ତ ସମବାୟ ସଂସ୍ଥା ଶାସକ ଦଳର ନେତା ଓ ସରକାରୀ କର୍ମଚାରୀଙ୍କ ନିୟନ୍ତ୍ରଣରେ ରହିଛି। ତେଣୁ ଗତ ୫ ବର୍ଷରେ ଦିଆଯାଇଥିବା ୪୧ ହଜାର କୋଟି ଟଙ୍କାର ସମବାୟ ଋଣକୁ ଏହି ଲୋକମାନଙ୍କ ସଂପୃକ୍ତିରେ ହଡ଼ପ କରାଯାଇଥିବା ଚାଷୀମାନେ ହୃଦବୋଧ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ବିରୋଧରେ ଜମାଟ ବାନ୍ଧିଥିବା ସେମାନଙ୍କ ଅସନ୍ତୋଷର ଅନ୍ୟ ଏକ କାରଣ। ଭୋଟବେଳେ ଚାଷୀମାନଙ୍କର ଏହି ଅସନ୍ତୋଷ ବିଜେଡି ବିରୋଧରେ ଯିବାର ଆଶଙ୍କା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ଘୋଷଣା କରିଛନ୍ତି ତା’ ଜରିଆରେ ତିନି ବର୍ଷରେ ଚାଷୀମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦେବାର ପ୍ରତିଶ୍ରୁତି ଦେଇ ସନ୍ତୁଷ୍ଟ କରିବାକୁ ଚାଲ୍‌ ଚଳେଇଛନ୍ତି ବୋଲି ଅଭିଯୋଗ ହେଉଛି।

Share :