ଶ୍ରମିକ ପାଇବେ ୩୦୦୦ ଟଙ୍କାର ଭତ୍ତା

ଶ୍ରମିକ ପାଇବେ ୩୦୦୦ ଟଙ୍କାର ଭତ୍ତା

ପ୍ରେସ ଇନଫର୍ମେସନ ବ୍ୟୁରୋ ୨୦୧୯ ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷପାଇଁ ଏକ ମଧ୍ୟବର୍ତ୍ତକାଳୀନ ବଜେଟ୍ ଆଗତ କରିଛନ୍ତି। ବଜେଟ୍ରେ ମୋଟ ବ୍ୟୟ ପରିମାଣ ୨୭, ୮୪, ୨୦୦ କୋଟି ଟଙ୍କା ରଖାଯାଇଛି, ଯାହାକି ଚଳିତ ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୧୩.୩ ପ୍ରତିଶତ ଅଧିକ। ଏଥିରେ ମୂଳଧନୀ ବ୍ୟୟ ପରିମାଣ ୩,୩୬,୨୯୨ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି। ଆଗାମୀ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ନିମନ୍ତେ ମୋଟ ବ୍ୟୟ ଅଟକଳ ୩,୨୭,୬୭୯ କୋଟି ଟଙ୍କା ସ୍ଥିର ହୋଇଛି। ରାଜକୋଷୀୟ ନିଅଂଟ ୨୦୨୦-୨୧ ଆର୍ଥିକ ବର୍ଷସୁଦ୍ଧା ୩ ପ୍ରତିଶତରେ ସ୍ଥିର ରଖିିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଂଟ ମୋଟ ଜିଡିପିର ୩.୪ ପ୍ରତିଶତ ରଖାଯିବାକୁ ବଜେଟ୍ରେ ସଂକଳ୍ପ ଘୋଷଣା କରାଯାଇଛି। ଚଳିତ ୨୦୧୮-୧୯ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ଅଟକଳ ଅନୁସାରେ ବିତ୍ତୀୟ ନିଅଂଟକୁ କେନ୍ଦ୍ର ସରକାର ୩.୪ ପ୍ରତିଶତକୁ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି। ଏହା ୭ ବର୍ଷ ତଳେ ୬ ପ୍ରତିଶତରେ ପହଂଚିଥିଲା। ଗତ ୫ ବର୍ଷ ମଧ୍ୟରେ ଦେଶରେ ୨୩୯ ବିଲିୟନ ଡଲାର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ବିନିଯୋଗ ହୋଇଛି। ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ତାଙ୍କ ବଜେଟ୍ ଅଭିଭାଷଣ ପ୍ରଦାନ ବେଳେ ମଧ୍ୟବିତ୍ତ ବର୍ଗ ଓ ଚାଷୀକୂଳ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ମଧ୍ୟବର୍ତ୍ତିକାଳୀନ ବଜେଟ୍ ହୋଇଥିଲେ ମଧ୍ୟ ଚାଷୀ ଓ ମଧ୍ୟବିତ୍ତ ବର୍ଗ ପୂର୍ଣ୍ଣାଙ୍ଗ ବଜେଟ୍କୁ ଅପେକ୍ଷା କରିପାରିବେ ନାହିଁ। ତେଣୁ ସେମାନଙ୍କ ପାଇଁ ଯୁଗାନ୍ତକାରୀ କଲ୍ୟାଣମୂଳକ ପଦକ୍ଷେପ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଚାଷୀମାନଙ୍କୁ ସର୍ବନିମ୍ନ ଆୟ ପ୍ରଦାନ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଯୋଗାଇ ଦିଆଯିବ। ଏହାକୁ ୨ ହଜାର ଟଙ୍କା କରି ତିନୋଟି କିସ୍ତିରେ ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରେରଣ କରାଯିବ। ଏହି କାର୍ଯ୍ୟକ୍ରମ ଲାଗି ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ୨୦୧୯-୨୦ ଆର୍ଥିକ ବର୍ଷଲାଗି ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସେ କହିଛନ୍ତି ଯେ ଏହି ଐତିହାସିକ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ୨୦୧୮ ଡିସେମ୍ୱର ପହିଲାରୁ ପିଛିଲା ଭାବେ ଲାଗୁ ହେବ ଏବଂ ଏଥିଲାଗି ୨୦୧୮-୧୯ ଆର୍ଥିକ ବର୍ଷଲାଗି ଅତିରିକ୍ତ ୨୦ ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ୧୨ କୋଟି ଛୋଟ ଚାଷୀଙ୍କୁ ସିଧାସଳଖ ଲାଭ ମିଳିବ। ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ଆଉ କେତେକ ବାସ୍ତବବାଦୀ ପଦକ୍ଷେପ ମଧ୍ୟ ଘୋଷଣା କରିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଯେ ଚାଷୀମାନଙ୍କ ପାଇଁ ରିହାତି ହସ୍ତକ୍ଷେପ ଯୋଜନା ଅଧୀନରେ ସୁଧ ରିହାତି ୨ ଗୁଣ କରାଯିବ। ବିପର୍ଯ୍ୟୟ ପ୍ରଭାବିତ ଅଂଚଳର ଚାଷୀମାନଙ୍କୁ ବଡ଼ ଧରଣର ସୁଧ ରିହାତି ମିଳିବ। ସୁଧ ହସ୍ତକ୍ଷେପ ଯୋଜନାରେ ଦୁଇ ପ୍ରତିଶତ ଏବଂ ଠିକ୍ ସମୟରେ ଋଣ ପରିଶୋଧ କରିଥିବା ଚାଷୀଙ୍କୁ ଆଉ ତିନି ପ୍ରତିଶତ ଏହିପରି ମୋଟ ୫ ପ୍ରତିଶତ ସୁଧ ରିହାତି ମିଳିବ। ଇତିମଧ୍ୟରେ କେନ୍ଦ୍ର ସରକାର ୨୨ଟି ପ୍ରମୁଖ ଫସଲ ଉପରେ ଉତ୍ପାଦନ ଖର୍ଚ୍ଚକୁ ସମର୍ଥନ ଯୋଗାଇ ଦେଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ କୃଷିଋଣ ପରିମାଣ ଧାର୍ଯ୍ୟ ଲକ୍ଷ୍ୟଠାରୁ ବୃଦ୍ଧି ପାଇ ୧୧.୬୮ ଲକ୍ଷ କୋଟି ଟଙ୍କାରେ ପହଂଚିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଉପାୟ ସ୍ୱରୂପ ଚଳିତ ବଜେଟ୍ରେ ମତ୍ସ୍ୟ ଓ ପଶୁପାଳନ ଉଦ୍ୟୋଗକୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି। ଦେଶରେ ପ୍ରଥମ ଥରପାଇଁ ମତ୍ସ୍ୟଚାଷ ବିଭାଗ ଗଠନ ସକାଶେ ଅର୍ଥମନ୍ତ୍ରୀ ଏକ ପ୍ରସ୍ତାବ ଘୋଷଣା କରିଛନ୍ତି। ମତ୍ସ୍ୟ ଓ ପଶୁପାଳନ ଲାଗି ଚାଷୀଙ୍କୁ ୨ ପ୍ରତିଶତ ସୁଧ ରିହାତି ଦେବାକୁ ଘୋଷଣା କରାଯାଇଛି। ରାଷ୍ଟ୍ରୀୟ ଗୋକୁଳ ମିଶନ ଲାଗି ୨୦୧୯-୨୦ ଆର୍ଥିକ ବର୍ଷ ସକାଶେ ୭୫୦ କୋଟି ଟଙ୍କାର ବଜେଟ୍ ଘୋଷଣା କରାଯାଇଥିବା ବେଳେ ଦେଶୀୟ ପ୍ରଜାତିର ଗାଈ ସଂରକ୍ଷଣ ଲାଗି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନର ପ୍ରସ୍ତାବ ରଖାଯାଇଛି। ମଧ୍ୟବିତ୍ତ ବର୍ଗକୁ ଏକ ବଡ଼ ଉପହାର ସ୍ୱରୂପ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଆୟକର ଛାଡ଼ ସୀମା ବାର୍ଷିକ ଅଢେଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଷ୍ଟାଣ୍ଡାର୍ଡ ଡିଡକ୍ସନ ପରିମାଣ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ବ୍ୟାଙ୍କ ଓ ପୋଷ୍ଟ ଅଫିସ ସଂଚୟ ଜମା ରାଶିରେ ମିଳୁଥିିବା ସୁଧ ଉପରେ ଟିଡିଏସ୍ ରିହାତି ପରିମାଣ ୧୦ ହଜାରରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଘର ଭଡ଼ା ଉପରେ ଟିଡିଏସ୍ ପରିମାଣ ୧ ଲକ୍ଷ ୮୦ ହଜାରରୁ ୨ ଲକ୍ଷ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଅଧିକନ୍ତୁ, ନିଜ ଅଧୀନରେ ଥିବା ଦ୍ୱିତୀୟ ଘରର ନୋସନାଲ୍ ରେଂଟ୍ ଉପରୁ ଟିକସ ଛାଡ଼ କରାଯିବା ବିଷୟ ଘୋଷଣା ହୋଇଛି। ସେହିପରି ଅବସର ନେଉଥିବା କର୍ମଚାରୀମାନଙ୍କ ସକାଶେ ଗ୍ରାଚ୍ୟୁଇଟି ଉପରେ ଆୟକର ସୀମା ୧୦ ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏହି ନିଷ୍ପତି ଦ୍ୱାରା ପ୍ରାୟ ୩ କୋଟି ମଧ୍ୟବିତ୍ତ କରଦାତା ଲାଭ ପାଇବେ ଏବଂ ଏଥିଲାଗି କେନ୍ଦ୍ର ସରକାରଙ୍କ ଉପରେ ୨୩ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ନୂତନ ବଜେଟ୍ରେ ରେଳବାଇ ପାଇଁ ମୋଟ ବ୍ୟୟ ପରିମାଣ ୧ ଲକ୍ଷ ୫୮ ହଜାର କୋଟି ଟଙ୍କା ସ୍ଥିର କରାଯାଇଛି। ସେଥିମଧ୍ୟରୁ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷପାଇଁ ୬୪ ହଜାର ୫୮୭ କୋଟି ଟଙ୍କାର ବଜେଟ୍ ସହାୟତା ଦେବେ। ଦିଲ୍ଲୀରୁ ବାରଣାସୀ ମଧ୍ୟରେ ଦେଶର ଅତ୍ୟାଧୁନିକ ଦ୍ରୁତଗାମୀ ଟ୍ରେନ୍ -୧୮ ଚଳାଚଳ କରିବ। ଏହି ଟ୍ରେନ୍ର ନାମ ରଖାଯାଇଛି ‘ବନ୍ଦେ ଭାରତ ଏକ୍ସପ୍ରେସ୍।’ ପ୍ରତିରକ୍ଷା ଲାଗି ୨୦୧୯-୨୦ ଆର୍ଥିକ ବର୍ଷରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ କରାଯାଇଛି। ମନରେଗା ପାଇଁ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବ ରହିଛି। ରାଷ୍ଟ୍ରୀୟ ଶିକ୍ଷା ମିଶନ ଅଧୀନରେ ୨୦୧୯-୨୦ ବର୍ଷ ଲାଗି ୩୮, ୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ଚଳିତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ। ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ବ୍ୟୟବରାଦ ଚଳିତବର୍ଷ ତୁଳନାରେ ୧୮ ପ୍ରତିଶତ ବୃଦ୍ଧି ପାଇ ୨୭, ୫୮୪ କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି। ତଫସିଲଭୁକ୍ତ ଜାତି ଉପଜାତିର କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ବଜେଟ୍ରେ ମଧ୍ୟ ବଡ଼ଧରଣର ବୃଦ୍ଧି ଘଟିଛି। ତଫସିଲଭୁକ୍ତ ଜାତିଙ୍କ କଲ୍ୟାଣ ସକାଶେ ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ବ୍ୟୟ ଅଟକଳ ୭୬,୮୦୧ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଯାହାକି, ଚଳିତ ଆର୍ଥିକ ବର୍ଷଠାରୁ ୩୫.୬ ପ୍ରତିଶତ ଅଧିକ। ସେହିପରି ତଫସିଲଭୁକ୍ତ ଉପଜାତି ବର୍ଗର କଲ୍ୟାଣ ଲାଗି ବଜେଟ୍ ପରିମାଣ ୫୦,୦୮୬ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ଯାହାକି ଚଳିତ ୨୦୧୮-୧୯ ବର୍ଷର ବଜେଟ୍ଠାରୁ ୨୮ ପ୍ରତିଶତ ଅଧିକ। ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୮୦ ହଜାର କୋଟି ଟଙ୍କା ଆୟ କରିବେ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି। ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଯେ ବ୍ୟବସ୍ଥା ଓ ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ପଳାତକ ଆର୍ଥିକ ଅପରାଧୀ ବିଲ୍, ଦେବାଳିଆ ଓ ଦେବାଳିଆପଣ ସଂହିତା ଏବଂ ଜିଏସ୍ଟି ଭଳି ଐତିହାସିକ ଟିକସ ସଂସ୍କାରମାନ ଆଣିଛନ୍ତି। ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏବେ ବିଶ୍ୱର ସର୍ବବୃହତ୍ ବ୍ୟବହାର ସଂସ୍କାର କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଦେଶର ଗ୍ରାମାଂଚଳରେ ୯୮ ପ୍ରତିଶତ ଏରିଆରେ ପରିମଳ ବ୍ୟବସ୍ଥା ପହଂଚିଛି। ୫.୪୫ ଲକ୍ଷ ଗ୍ରାମକୁ ଖୋଲା ଶୌଚମୁକ୍ତ ଅଂଚଳ ଘୋଷଣା କରାଯାଇଛି। ମୋଟ ୧୭ ଲକ୍ଷ ଜନବସତି ମଧ୍ୟରୁ ୧୫ ଲକ୍ଷ ବସତିକୁ ପକÑା ରାସ୍ତା ନିର୍ମାଣ ହୋଇଛି। ଗରିବର ଗ୍ରାମକୁ ଏବେ ବସ୍ ଯାତାୟତ କରିପାରୁଛି। ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା କାର୍ଯ୍ୟ ମଧ୍ୟ ବେଶ୍ ଅଗ୍ରଗତି କରିଛି। ଏଥିଲାଗି ୨୦୧୯-୨୦ ଆର୍ଥିକ ବର୍ଷ ସକାଶେ ୧୯ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଦେଶରେ ଦୈନିକ ୨୭ କିଲୋମିଟର ସଡ଼କ ନିର୍ମାଣ କରାଯାଉଛି। ଗତ ୫ ବର୍ଷ ମଧ୍ୟରେ ୧.୫୩ କୋଟି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରାଯାଇଛି, ଯାହାକି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ୫ ଗୁଣ ଅଧିକ। ଗତ ସାଢେ ୪ ବର୍ଷରୁ ଅଧିକ ସମୟ ମଧ୍ୟରେ ଦେଶରେ ୧୪୩ କୋଟି ଏଲ୍ଇଡି ବଲ୍ବ ବିତରଣ କରାଯାଇଛି। ଏହାଦ୍ୱାରା ୫୦ ହଜାର କୋଟି ଟଙ୍କା ବିଦ୍ୟୁତ ବିଲ୍ ବାବଦରେ ଲୋକମାନେ ସଂଚୟ କରିପାରିଛନ୍ତି। ଆସନ୍ତା ମାର୍ଚ୍ଚ ୨୦୧୯ ସୁଦ୍ଧା ସବୁ ଆଗ୍ରହୀ ଘରକୁ ବିଜୁଳି ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତ ଏବେ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥବ୍ୟବସ୍ଥା ହୋଇଥିବା ବେଳେ ଦେଶର ୫୦ କୋଟି ଲୋକଙ୍କ ପାଇଁ ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ଆୟୁଷ୍ମାନ ଭାରତ ଅଧୀନରେ ଏପର୍ଯ୍ୟନ୍ତ ୧୦ଲକ୍ଷ ଲୋକ ଆଧୁନିକ ଚିକିତ୍ସା ସୁବିଧା ପାଇଛନ୍ତି, ଯାହାଦ୍ୱାରା ସେମାନଙ୍କର ୩ ହଜାର କୋଟି ଟଙ୍କା ସଂଚୟ ହୋଇଛି। ବ୍ୟାଙ୍କଗୁଡ଼ିକର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରିବା ଲାଗି କେନ୍ଦ୍ର ସରକାର ଗତ ୫ ବର୍ଷ ମଧ୍ୟରେ ୨.୬ ଲକ୍ଷ କୋଟି ଟଙ୍କାର ପୁନଃ ପୁଞ୍ଜିକରଣ ବ୍ୟବସ୍ଥା ଲାଗୁ କରିଛନ୍ତି। ନୂତନ ପେନ୍ସନ୍ ସ୍କିମ୍ ବା ଏନ୍ପିଏସ୍ ଅଧୀନରେ ଆସୁଥିବା କର୍ମଚାରୀମାନଙ୍କ ଦେୟ ଉପରେ କେନ୍ଦ୍ର ସରକାର ତାଙ୍କ ଅବଦାନକୁ ୧୦ରୁ ୧୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଇପିଏଫ୍ଓ ପକ୍ଷରୁ କ୍ଷତିପୂରଣ ରାଶି ଶ୍ରମିକମାନଙ୍କ ସକାଶେ ଅଢେଇ ଲକ୍ଷରର ୬ ଲକ୍ଷକୁ ବୃଦ୍ଧି କରାଯାଇଛି। ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ପାରିଶ୍ରମିକ ୫୦ ପ୍ରତିଶତ ବୃଦ୍ଧି କରିବା ଲାଗି ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି। ଶ୍ରମିକମାନଙ୍କ ସକାଶେ ବିଶ୍ୱର ସର୍ବବୃହତ୍ ପେନ୍ସନ୍ ଯୋଜନା ଆରମ୍ଭ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନାର ନାମ ରଖାଯାଇଛି - ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନ୍ଧନ୍ ଯୋଜନା। ପ୍ରସ୍ତାବିତ ଯୋଜନା ଅଧୀନରେ ଜଣେ ଶ୍ରମିକ ମାସକୁ ୧୦୦ ଟଙ୍କାର ଜମା ଦେବେ ଏବଂ ୬୦ ବର୍ଷ ପରେ ତାଙ୍କୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ପେନ୍ସନ୍ ମିଳିବ। ଏହି ଯୋଜନା ଚଳିତ ୨୦୧୮-୧୯ ଆର୍ଥିକ ବର୍ଷରୁ ପାଇଲଟ୍ ଭିତ୍ତିରେ ଲାଗୁ କରାଯିବ। ବଜେଟ୍ରେ ଏଥିପାଇଁ ୫୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଉଜ୍ୱଳା ଯୋଜନା ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ଆସନ୍ତା ବର୍ଷସୁଦ୍ଧା ଦେଶରେ ୮ କୋଟି ଗରିବ ମହିଳାଙ୍କୁ ଏଲ୍ପିଜି ସଂଯୋଗ ଯୋଗାଇ ଦିଆଯିବ। ପ୍ରତି ଗରିବ ଘରକୁ ସ୍ୱଚ୍ଛ ଇନ୍ଧନ ଯୋଗାଇବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଦ୍ୱାରା ବର୍ତମାନ ସୁଦ୍ଧା ୬ କୋଟି ବିପିଏଲ୍ ମହିଳାଙ୍କୁ ଏଲ୍ପିଜି ସଂଯୋଗ ପ୍ରଦାନ କରାଯାଇଛି। ମୁଦ୍ରା ଯୋଜନା ଅଧୀନରେ ୧୫.୫୬ କୋଟି ୟୁନିଟ୍ କ୍ଷୁଦ୍ର ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ୭୦ ପ୍ରତିଶତ ମହିଳା ଉଦ୍ୟୋଗୀ ରହିଛନ୍ତି। କେନ୍ଦ୍ର ସରକାର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ଦ୍ୱାରା ଉପିାଦିତ ସାମଗ୍ରୀର ୨୫ ପ୍ରତିଶତ କ୍ରୟ ନିମନ୍ତେ ପ୍ରସ୍ତାବ ରଖିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୧୦୦ରୁ ଅଧିକ ଛୋଟ ଓ ମଧ୍ୟମ ବିମାନବନ୍ଦର ଉଡ଼ାଣ ଯୋଜନାରେ ପ୍ରତିଷ୍ଠା କରାଯାଇଛି। ଫଳରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରମାନେ ମଧ୍ୟ ଟ୍ରେନ୍ ପରିବର୍ତ୍ତେ ଶସ୍ତାରେ ବିମାନ ଯାତ୍ରା କରିପାରୁଛନ୍ତି। ସେହିପରି ଆଭ୍ୟନ୍ତରୀଣ ଜଳପଥରେ ଉତ୍ସର୍ଗୀକୃତ ମାଲ୍ ପରିବହନ ସେବା ଆରମ୍ଭ କରାଯିବାର ପଦକ୍ଷେପ ନିଆଯାଉଛି। ଏହାଦ୍ୱାରା ସାମଗ୍ରୀର ପରିବହନ ଖର୍ଚ୍ଚ ଅନେକାଂଶରେ କମିବ ଏବଂ ସର୍ବସାଧାରଣ ଏହାର ଫାଇଦା ପାଇବେ। ଦେଶରେ ସୌରଶକ୍ତି ଉତ୍ପାଦନ ୧୦ ଗୁଣ ବୃଦ୍ଧି ପାଇଛି ବୋଲି ସୂଚନା ଦେଇ ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ଶକ୍ତିର ସହଜ ଉପଲବ୍ଧି ଦ୍ୱାରା ଡିଜିଟାଲ ଇଣ୍ଡିଆକୁ ବଳ ମିଳିବ। ଗତ ସାଢେ ଚାରିବର୍ଷ ମଧ୍ୟରେ ମୋବାଇଲ ନିର୍ମାତାଙ୍କ ସଂଖ୍ୟା ୨ରୁ ୨୬୮କୁ ବୃଦ୍ଧି ପାଇଛି। ଏବେ କେନ୍ଦ୍ର ସରକାର ୧ଲକ୍ଷ ଡିଜିଟାଲ ଗ୍ରାମ ନିର୍ମାଣର ପ୍ରସ୍ତାବ ରଖିଛନ୍ତି। କୃତ୍ରିମ ବୌଦ୍ଧିକତା କ୍ଷେତ୍ରର ବିକାଶ ଲାଗି ୯ଟି ପ୍ରମୁଖ କ୍ଷେତ୍ର ବଛାଯାଇଛି ଏବଂ ଏଥିଲାଗି ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଦେଶର ୧ କୋଟି ଯୁବକଙ୍କୁ କୌଶଳ ବିକାଶ କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସେମାନେ ଆତ୍ମନିଯୁକ୍ତିର ସୁବିଧା ପାଇବେ ଏବଂ ଅନ୍ୟ ଲାଗି ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି କରିପାରିବେ। ଐତିହାସିକ ଟିକସ ସଂସ୍କାର ଜିଏସ୍ଟି ସଂପର୍କରେ ଆକଳନ ରଖି ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଯେ ଜିଏସ୍ଟି ଏବଂ ବିମୁଦ୍ରୀକରଣ ପରେ ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ୩.୭୯ କୋଟିରୁ ୬.୮୫ କୋଟିକୁ ବୃଦ୍ଧି ପାଇଛି। ଟିକସ ପରିସର ୮୦ ପ୍ରତିଶତ ବୃଦ୍ଧି ଘଟିଛି। କମ୍ପୋଜିଟ୍ ସ୍କିମ୍ ଅଧୀନରେ ବ୍ୟବସାୟ ୟୁନିଟ୍ଗୁଡ଼ିକୁ ୧୮ ପ୍ରତିଶତ ବଦଳରେ ୬ ପ୍ରତିଶତ ଜିଏସ୍ଟି ବସାଯିବାକୁ ସ୍ଥିର କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ମାସିକ ହାରାହାରି ୯୭, ୧୦୦ କୋଟି ଟଙ୍କାର ଟିକସ ରାଜସ୍ୱ ମିଳୁଛି। କିନ୍ତୁ ବର୍ତ୍ତମାନର ଟିକସ ଆଦାୟର ଧାରାକୁ ନଜର ରଖିଲେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଏହି ହାର ମାସିକ ୧ ଲକ୍ଷ କୋଟି ଟଙ୍କାରୁ ବଳିଯିବ। ଏଣୁ ଆଗାମୀ ଆର୍ଥିକ ବର୍ଷରେ ଜିଏସ୍ଟି ଆଦାୟ ହାର ଆହୁରି ବଢିବ ବୋଲି ଅର୍ଥମନ୍ତ୍ରୀ ଏକ ଉଜ୍ୱଳ ଭବିଷ୍ୟତ ଆଶା କରୁଛନ୍ତି। ସେ କହିଛନ୍ତି ଯେ ଏବେ ଜିଏସ୍ଟି ରିଟର୍ଣ୍ଣ ଦାଖଲକୁ ସଂପୂର୍ଣ୍ଣରୂପେ ଅନ୍ଲାଇନ୍ କରାଯାଇଛି। ଆୟକର ରିଟର୍ଣ୍ଣ ଦାଖଲ ପରେ ରିଫଣ୍ଡ୍ ଲାଗି ୨୪ ଘଂଟା ମଧ୍ୟରେ ଫେରସ୍ତ ପାଇବାର ବ୍ୟବସ୍ଥା କରାଯାଉଛି। କେନ୍ଦ୍ର ସରକାର ମଧ୍ୟବିତ୍ତ ପରିବାରମାନଙ୍କ ଗୃହ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଏସ୍ଟି ପରିଷଦକୁ ଟିକସ ହାର କମ୍ ରଖିବା ସକାଶେ ପ୍ରସ୍ତାବ ଦେଇଛନ୍ତି। ଏକ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ଏହି ପ୍ରସ୍ତାବ ଉପରେ ତର୍ଜମା ଓ ବିଚାରବିମର୍ଶ ଚଳାଇଛନ୍ତି। ଖୁବ୍ଶୀଘ୍ର ଏହାର ରିପୋର୍ଟ ମିଳିବ ଏବଂ ତା ଉପରେ ଜିଏସ୍ଟି ପରିଷଦ ସବୁ ରାଜ୍ୟର ପରାମର୍ଶକୁ ଭିତିକରି ଚୂଡ଼ାନ୍ତ ନିଷ୍ପତି ନେବେ। ବିମୁଦ୍ରୀକରଣ ପରେ ଦେଶରେ ୩.୩୮ ଲକ୍ଷ ଜାଲ୍ ଓ ନକଲି କମ୍ପାନୀର ପଞ୍ଜିକରଣ ରଦ୍ଦ କରାଯାଇଛି। ୧.୩ କୋଟି ଲୋକ ଆୟକର ନେଟ୍ୱାର୍କ ମଧ୍ୟକୁ ଆସିଛନ୍ତି। ବିଭିନ୍ନ ଉପାୟରେ ୫୦ ହଜାର କୋଟି ଟଙ୍କାର କଳାଧନ ଜବତ ଅଥବା ବାଜ୍ୟାପ୍ତି କରାଯାଇଛି। ଭାରତ ଏବେ ୫ ଲକ୍ଷ କୋଟି ଡଲାର ଅର୍ଥ ବ୍ୟବସ୍ଥ୍ା ଆଡକୁ ଅଗ୍ରସର ହେଉଛି। ଅପରପକ୍ଷରେ ୩୬ଟି ମହତ୍ତ୍ବପୂର୍ଣ୍ଣ ସାମଗ୍ରୀ ଉପରୁ ସୀମାଶୁଳ୍କ ସଂପୂର୍ଣ୍ଣରୂପେ ପ୍ରତ୍ୟାହାର କରାଯାଇଛି। ଏହା ଅର୍ଥ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ। ଆଗାମୀ ୮ବର୍ଷ ମଧ୍ୟରେ ଆମ ଦେଶ ୧୦ ଲକ୍ଷ କୋଟି ଡଲାରର ଅର୍ଥ ବ୍ୟବସ୍ଥା ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଦେଶକୁ ଏକ ନୂତନ ଶୀଖରରେ ପହଂଚାଇବା ପାଇଁ ଏବଂ ନ୍ୟୁ ଇଣ୍ଡିଆ ନିର୍ମାଣ ଲକ୍ଷ୍ୟ ହାସଲ ପାଇଁ ୨୦୧୯-୨୦ ବଜେଟ୍ରେ ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ଏକ ଦଶସୂତ୍ରୀ ଆଭିମୁଖ୍ୟ ଘୋଷଣା କରିଛନ୍ତି। ଏଗୁଡ଼ିକ ହେଲା-(୧) ଭୌତିକ ଓ ସାମାଜିକ ଭିତ୍ତିଭୂମି ନିର୍ମାଣ, (୨) ଡିଜିଟାଲ ଭାରତ ଓ ଅର୍ଥ ବ୍ୟବସ୍ଥାର ଭିତ୍ତିଭୂମିର ସୁଦୃଢ଼ୀକରଣ, (୩) ଏକ ପ୍ରଦୂଷଣ ମୁକ୍ତ ରାଷ୍ଟ୍ର ଗଠନ, (୪) ଗ୍ରାମୀଣ ଉଦ୍ୟୋଗୀର ସଂପ୍ରସାରଣ, (୫) ସ୍ୱଚ୍ଛ ନଦୀ ଓ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, (୬) ବେଳାଭୂମି ଓ ସମୁଦ୍ର ଜଳରୁ ଶକ୍ତିର ବିକାଶ, (୭) ୨୦୨୨ ସୁଦ୍ଧା ମହାକାଶରେ ଭାରତୀୟଙ୍କ ପଦାର୍ପଣ, (୮) ଖାଦ୍ୟ ଉତ୍ପାଦନରେ ଭାରତର ସ୍ୱାବଲମ୍ୱନ, (୯) ସ୍ୱାସ୍ଥ୍ୟପ୍ରଦ ଭାରତ ଏବଂ (୧୦) କ୍ଷୁଦ୍ରତମ ଶାସନ, ସର୍ବୋତ୍ତମ ପ୍ରଶାସନ।

Share :