ପ୍ରଦୀପ ଜେନାଙ୍କ ନାମରେ ଗିରଫ ପରାୱାନା!

ପ୍ରଦୀପ ଜେନାଙ୍କ ନାମରେ ଗିରଫ ପରାୱାନା!

Share :

ରାଜ୍ୟ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଓ କ୍ଷୁଦ୍ର ଜଳ ସେଚନ ମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ପଟ୍ଟନାୟକଙ୍କୁ ଆସନ୍ତା ୭ ତାରିଖ ଦିନ ସ୍ୟାଟରେ ହାଜର କରେଇବା ପାଇଁ ସ୍ୟାଟ୍ ଡିଭିଜନ୍ ବେଞ୍ଚ୍ କମିସନରେଟ୍ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ତତ୍ ସଙ୍ଗେ ସଙ୍ଗେ ଯେହେତୁ ସେମାନେ ଜାଣି ଶୁଣି ସ୍ଯାଟ୍ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ସେହେତୁ ଉଭୟଙ୍କ ନାଁରେ ପାଞ୍ଚ ହଜାର ଟଙ୍କାର ବେଲ୍ ବଣ୍ଡ୍ ବିନିମୟରେ ଜାମିନ ଯୋଗ୍ୟ ଗିରଫ ପରୱାନା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଯେହେତୁ ସ୍ୟାଟର ଆଦେଶକୁ ଅବମାନନା କରି ସରୋଜ କୁମାର ପଟ୍ଟନାୟକଙ୍କୁ କ୍ଷୁଦ୍ର ଜଳ ସେଚନ ମୁଖ୍ୟ ଯନ୍ତ୍ରୀ ପଦବୀରେ ଅବସ୍ଥାପିତ କରାଯାଇଛି ତେଣୁ ସ୍ୟାଟର ଚେୟାରମ୍ୟାନ୍ ଏମ୍. ଏମ୍. ପ୍ରହରାଜ ଓ ଜୁଡିସିଆଲ୍ ମେମ୍ବର୍ ଜି.ଆର୍. ପୁରୋହିତ ଶ୍ରୀ ପଟ୍ଟନାୟକଙ୍କ ଦରମା ଜାନୁୟାରୀ ମାସଠାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉ କି, କ୍ଷୁଦ୍ର ଜଳ ସେଚନ ବିଭାଗର ଯନ୍ତ୍ରୀ ଭାବେ କାର୍ଯ୍ୟରତ ଯାମିନୀକାନ୍ତ ଦାସ କ୍ଷୁଦ୍ର ଜଳ ସେଚନ କ୍ୟାଡରରେ ସବୁଠାରୁ ବରିଷ୍ଠ ଥିଲେ ସୁଦ୍ଧା ଶ୍ରୀ ଦାସ ଓ କ୍ଷୁଦ୍ର ଜଳ ସେଚନ ବିଭାଗର ଅନ୍ୟ ଯୋଗ୍ୟ ଯନ୍ତ୍ରୀମାନଙ୍କୁ ଉପେକ୍ଷା କରି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପଦବୀରେ ବୃହତ୍ ଓ ମଧ୍ୟମ ଜଳସେଚନ କ୍ୟାଡରର ଯନ୍ତ୍ରୀମାନଙ୍କୁ ଅବସ୍ଥାପିତ କରାଯାଇଛି। ମାନ୍ୟବର ସ୍ୟାଟ୍ ଏହି ମାମଲାର ବିଚାର କରି ମାଇନର୍ ଇରିଗେସନ୍ କ୍ୟାଡର୍ ପାଇଁ ଉଦ୍ଦିଷ୍ଟ ପଦବୀରେ ଅନ୍ୟ କ୍ୟାଡରର ଯନ୍ତ୍ରୀମାନଙ୍କ ନିଯୁକ୍ତିକୁ ରଦ୍ଦ କରି ବର୍ତ୍ତମାନ କାର୍ଯ୍ୟରତ ଶ୍ରୀ ଦାସ ଓ ଅନ୍ୟ ଯୋଗ୍ୟ ଯନ୍ତ୍ରୀମାନଙ୍କୁ ଯୋଗ୍ୟତା ଆଧାରରେ ପଦୋନ୍ନତି ଦେବା ସଙ୍ଗେ ସଙ୍ଗେ ବର୍ତ୍ତମାନ ଅବସ୍ଥାପିତ ଅନ୍ୟ କ୍ୟାଡର୍ ଭୁକ୍ତ ଯନ୍ତ୍ରୀମାନଙ୍କୁ ସେମାନଙ୍କୁ ନିଜ କ୍ୟାଡରକୁ ଫେରାଇ ନେବା ପାଇଁ ୧୦/୩/୨୦୧୮ରେ ଆଦେଶ ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ବିତି ଯାଇଥିବା ସତ୍ତ୍ବେ ଉକ୍ତ ଆଦେଶ କାର୍ଯ୍ୟକାରୀ ନ ହେବାରୁ ଶ୍ରୀ ଦାସ ଅଦାଲତ ଅବମାନନା କେଶ ରୁଜୁ କରିଥିଲେ। ଅଦାଲତ ଏହି ମାମଲାର ଶୁଣାଣି କରି ଗତ ତା. ୦୯/୦୧/୨୦୧୯ରିଖରେ ଅଦାଲତରେ ବ୍ୟକ୍ତିଗତ ଭାବେ ଉପରୋକ୍ତ ଦୁଇ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବାକୁ ଆଦେଶ ଦେଇଥିଲେ। କିନ୍ତୁ ଉକ୍ତ ଦିନ ପ୍ରମୁଖ ସଚିବ ଶ୍ରୀ ଜେନା ଓ ମୁଖ୍ୟଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁପସ୍ଥିତ ରହିବାରୁ ମାନ୍ୟବର ଡିଭିଜନ୍ ବେଞ୍ଚ୍ ଗତ ତା. ୨୪/୦୧/୨୦୧୯ରିଖ ଉପରୋକ୍ତ ସମନ ଜାରି କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ଯ ଯେ ଜଳସମ୍ପଦ ବିଭାଗରେ ଚାରିଗୋଟି ପୃଥକ୍ ପୃଥକ୍ କ୍ୟାଡର୍ ଯଥା :- ବୃହତ୍ ଓ ମଧ୍ୟମ ଜଳସେଚନ, କ୍ଷୁଦ୍ର ଜଳ ସେଚନ, ମେକାନିକାଲ୍ ଓ ଭୂତଳ ଜଳ ଅନୁସନ୍ଧାନ କ୍ୟାଡର୍ ଭୁକ୍ତ ଯନ୍ତ୍ରୀମାନେ କାର୍ଯ୍ୟ କରନ୍ତି ଏବଂ ସେମାନେ ସେମାନଙ୍କ କ୍ୟାଡରରେ ଥିବା ପଦବୀରେ ହିଁ ପଦୋନ୍ନତି ପାଇଥାନ୍ତି। କିନ୍ତୁ ଅଭିଯୋଗ ଯେ, କିଛି ଯନ୍ତ୍ରୀ ଓ ଅଫିସର୍ ସଲାସୁତୁରା କରି କ୍ଷୁଦ୍ର ଜଳ ସେଚନ କ୍ୟାଡର୍ ଅନ୍ତର୍ଭୁକ୍ତ ଉଚ୍ଚ ପଦବୀ ଯଥା:- ଅଧୀକ୍ଷଣ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ପଦବୀରେ ବୃହତ୍ ଓ ମଧ୍ୟମ ଜଳସେଚନ କ୍ୟାଡରର ଯନ୍ତ୍ରୀମାନଙ୍କୁ ଡେପୁଟେସନରେ ନିଯୁକ୍ତି ଦିଆଯାଇଛି। ଫଳରେ କ୍ଷୁଦ୍ର ଜଳ ସେଚନର କିଛି ଯୋଗ୍ୟ ଯନ୍ତ୍ରୀ ମଧ୍ୟ ଇତି ମଧ୍ୟରେ ଅବସର ଗ୍ରହଣ କଲେ। ତେଣୁ କ୍ଷୁଦ୍ର ଜଳ ସେଚନ ଯନ୍ତ୍ରୀମାନେ ବାଧ୍ୟ ହୋଇ ସ୍ୟାଟର ଦ୍ବାରସ୍ଥ ହୋଇଥିଲେ। ସ୍ୟାଟ୍ ତା. ୨୬/୦୨/୨୦୧୮ରିଖରେ କ୍ଷୁଦ୍ର ଜଳ ସେଚନ କ୍ୟାଡର୍ ଏକ ସ୍ବତନ୍ତ୍ର କ୍ୟାଡର୍ ଓ ଏହି କ୍ୟାଡର୍ ଯନ୍ତ୍ରୀମାନଙ୍କୁ ସେମାନଙ୍କ କ୍ୟାଡର୍ ପଦବୀରେ ପଦୋନ୍ନତି ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ଅନ୍ୟ ଏକ ମକଦ୍ଦମା (ଓ.ଏ.୬୫୭/୨୦୧୬)ର ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ଶାସନ ସଚିବ ତାଙ୍କ ଚିଠି ନଂ ୧୧୮୨, ତା. ୨୦/୦୫/୨୦୧୬ରିଖରେ ସ୍ପଷ୍ଟ କରିଥିଲେ ଯେ କ୍ଷୁଦ୍ର ଜଳ ସେଚନ କ୍ୟାଡର୍ ଅନ୍ତର୍ଭୁକ୍ତ ପଦବୀରେ ପଦୋନ୍ନତି ଦିଆଯାଇ ପାରିବ ନାହିଁ। କିନ୍ତୁ ଜଳ ସମ୍ପଦ ବିଭାଗ, ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଓ ସ୍ୟାଟଙ୍କ ନିର୍ଦ୍ଦେଶକୁ ବେଖାତିର କରି କ୍ଷୁଦ୍ର ଜଳ ସେଚନ କ୍ୟାଡରର ଯନ୍ତ୍ରୀମାନଙ୍କୁ ପଦୋନ୍ନତି ଦେଇ ନ ଥିଲେ। କୌତୁହଳର ବିଷୟ ଯେ, ସ୍ୟାଟଙ୍କ ଆଦେଶ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ନେଇ ଆଇନ ବିଭାଗର ପରାମର୍ଶ ଲୋଡ଼ା ଯାଇଥିଲା। ଆଇନ ବିଭାଗ ସ୍ୟାଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଜଳ ସମ୍ପଦ ବିଭାଗରେ ଅବସ୍ଥାପିତ ଜଣେ ଅବସରପ୍ରାପ୍ତ ଓଏଏସ ଅଧିକାରୀଙ୍କ ପରାମର୍ଶ ପାଇଁ ଫାଇଲ୍ ପ୍ରେରଣ କରାଯାଇଥିଲା ଏବଂ ସେହି ପରାମର୍ଶଦାତା ଆଇନ ବିଭାଗର ପରାମର୍ଶକୁ ନାକଚ କରି ସ୍ୟାଟଙ୍କ ଆଦେଶକୁ ଉଚ୍ଚ ନ୍ୟାୟାଳୟରେ ରଦ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଏକ ଲିଟିଗେସନ୍ ପଲିସି ଅଛି ଯେଉଁଥିରେ ଅଯଥା ମାଲି ମକଦ୍ଦମା ନ କରିବା ପାଇଁ ନିର୍ଦ୍ଦେଶ ଅଛି। ତଥାପି ଜଣେ ଅବସରପ୍ରାପ୍ତ ପୁନଃନିଯୁକ୍ତ ଅଧିକାରୀ କେମିତି ଆଇନ ବିଭାଗର ପରାମର୍ଶକୁ ନାକଚ କରିପାରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ସରକାରଙ୍କ ସ୍ୟାଟ୍ ବିରୁଦ୍ଧରେ ଅପିଲକୁ ଖାରଜ କରି ଦେଇଛନ୍ତି।

Share :