୫୦ ହଜାର ଝୋଟଚାଷୀଙ୍କ ଜୀବିକା ବିପନ୍ନ

୫୦ ହଜାର ଝୋଟଚାଷୀଙ୍କ ଜୀବିକା ବିପନ୍ନ

Share :

  ଏକଦା ଦେଶର ପ୍ରମୁଖ ଝୋଟ ଉତ୍ପାଦନକାରୀ ରାଜ୍ୟ ଭାବେ ପରିଗଣିତ ଓଡ଼ିଶାରେ ଝୋଟଚାଷ ଏବେ ବୁଡି଼ବାକୁ ବସିଲାଣି|  ଆବଶ୍ୟକ ପ୍ରୋତ୍ସାହନ ସାଙ୍ଗକୁ ବଜାରର ଅଭାବ ଯୋଗୁ ନଳିତା ଚାଷ ପାଇଁ ଚାଷୀମାନେ ଆଉ ଆଗ୍ରହ ପ୍ରକାଶ କରୁନାହାଁନ୍ତି| ଫଳରେ ଏହି ଚାଷ ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି | ଏବେ କାଁଭାଁ କେଉଁଠି ସ୍ବଳ୍ପ ପରିମାଣର ନଳିତା ଚାଷ କରାଯାଉଛି| ଷାଠିଏ ଓ ସତୁରୀ ଦଶକରେ ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ପ୍ରଚୁର ନଳିତା ଚାଷ ହେଉଥିଲା | ନଳିତାରୁ ଝୋଟ ବାହାର କରାଯାଇ ଏହାକୁ ବଜାରରେ ବିକ୍ରି କରାଯିବା ସହ କିଛି ପରିମାଣର ଝୋଟକୁ ଚାଷୀମାନେ ନିଜର ବାଷିର୍କ ବ୍ୟବହାର ପାଇଁ ଗଚ୍ଛିତ ରଖୁଥିଲେ | କିନ୍ତୁ କ୍ରମଶଃ ବଜାରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାଗର ପ୍ରଚଳନ ଯୋଗୁ ଝୋଟ ଶିଳ୍ପ ଉପରେ ଏହାର ପ୍ରତିକୂଳ ପ୍ରଭାବ ଦେଖାଦେଇଛି| ଏହା ପରଠାରୁ ରାଜ୍ଯରେ ଝୋଟଚାଷ ଅ*ଳ କ୍ରମଶଃ ହ୍ରାସ ପାଇବାରେ ଲାଗିଛି| ଉପକୂଳ ଓଡ଼ିଶାରେ ଏକଦା କୃଷିଭିତ୍ତିକ ପରିବାର ସଂଖ୍ୟା ଥିଲା ଅଧିକ | ଜନସାଧାରଣ ଚାଷକାର୍ଯ୍ୟ ଉପରେ ନିର୍ଭର କରି ନିଜର ପରିବାର ଭରଣପୋଷଣ କରୁଥିଲେ | କିନ୍ତୁ ଶିଳ୍ପାୟନ ସହ ଗ୍ରାମାଂଚଳଳର କୃଷିଭିତ୍ତିକ ପରିବାରରେ ଅନକ ପରିବର୍ତ୍ତନ ଆସିଲା| କିଛି କିଛି ଲୋକ ଚାକିରୀ କରିବା ପାଇଁ ସହରକୁ ପଳାଇ ଆସିଲେ|  ଏହି ଧାରା ଅବ୍ୟାହତ ରହିବାରୁ ଗ୍ରାମରେ ବହୁ ବ୍ୟକ୍ତି ଚାଷ କାର୍ଯ୍ୟ ବନ୍ଦ କରିଦେଲେ | ଝୋଟ ଚାଷ ପାଇଁ ଉପକୂଳ ଓଡ଼ିଶାର ମୃତ୍ତିକା ଉପଯୁକ୍ତ ହୋଇଥିବାରୁ ଉତ୍ପାଦନ ଭଲ ଭଲ ହାଇଥାଏ| ଅବିଭକ୍ତ କଟକ ଜିଲ୍ଲାରେ ସର୍ବାଧିକ ଝୋଟଚାଷ ହଉଥିବାରୁ ଯାଜପୁର ଜିଲ୍ଲାର ଧାନମଣ୍ଡଳଠାରେ ଏକ ଝୋଟକଳ ପ୍ରତିଷ୍ଠା ହୋଇଥିଲା| ଏହି କାରଖାନା ପାଇଁ କିଛି ଚାଷୀ ବ୍ୟାବସାୟିକ ଭିତ୍ତିରେ ନଳିତା ଚାଷ କରି ଝୋଟ ଉତ୍ପାଦନ କଲେ | ଏଥିରୁ ସେମାନେ ବେଶ କିଛି ଲାଭ ଅର୍ଜନ କଲେ| ଏହି ସମୟରେ ପଶ୍ଚିମ ବଙ୍ଗରେ ମଧ୍ୟ ବହୁସଂଖ୍ୟକ ଝୋଟ କଳ ଥିବାରୁ ଏଠାରୁ ଝୋଟ ରପ୍ତାନୀ କରାଯାଉଥିଲା | ଝୋଟରେ ବିଭିନ୍ନ ଆକୃତିର ଅଖା ପ୍ରସ୍ତୁତ କରାଯାଇ ଶିଳ୍ପାନୁଷ୍ଠାନକୁ ବିକ୍ରି କରାଯାଉଥିଲା | କିନ୍ତୁ ସମୟକ୍ରମେ ବିଭିନ୍ନ କଳକାରଖାନାରେ ପ୍ୟାକିଂ ପାଇଁ ଅଖା ବଦଳରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟାଗ ବ୍ୟବହାର ହେବାରୁ ଝୋଟ ପ୍ରସ୍ତୁତ ଅଖାର ଚାହିଦା ହ୍ରାସ ପାଇଲା | ଫଳରେ ଅଖା ବିକ୍ରି ନହେବାରୁ ପଶ୍ଚିମବଙ୍ଗରେ ଅଧିକାଂଶ ଝୋଟକଳ ବନ୍ଦ ହୋଇଗଲା| ଏହି ସମୟରେ ଧାନମଣ୍ଡଳ ସ୍ଥିତ ଝୋଟକଳକୁ କେନ୍ଦ୍ର କରି ଚାଷୀମାନେ ନଳିତା ଚାଷ ଜାରି ରଖିଥିଲେ| କିନ୍ତୁ ପ୍ଲାଷ୍ଟିକ ଆଗରେ ଧାନମଣ୍ଡଳ ଝୋଟକଳ ମଧ୍ୟ ତିଷ୍ଠି ରହିପାରିଲା ନାହିଁ | ଏହା ବନ୍ଦ ହୋଇଗଲା | ଫଳରେ ଏହାର ପ୍ରତିକୂଳ ପ୍ରଭାବ ନଳିତା ଚାଷ ଉପରେ ପଡ଼ିଲା | ଚାଷୀମାନେ ଆଉ ଝୋଟ ବିକ୍ରି କରିପାରିଲେ ନାହିଁ | ଏକଦା ଅର୍ଥକାରୀ ଫସଲ ଭାବେ ପରିଗଣିତ ହେଉଥିବା ନଳିତା ଚାଷ ପ୍ରତି ଚାଷୀମାନେ ଦୂରେଇଯିବାକୁ ବାଧ୍ୟ ହେଲେ | 1960/70 ମସିହା ବେଳକୁ ଉପକୂଳ ଜିଲ୍ଲାଗୁଡ଼ିକର ଅନ୍ୟୁନ 62,000 ହଜାର ଚାଷୀ ଝୋଟ ଚାଷ ଉପରେ ନିର୍ଭର କରୁଥିଲେ| ନଳିତା ଚାଷ ଅଂଚଳ ଥିଲା ପ୍ରାୟ 70 ହଜାର ହେକ୍ଟର | ହେକ୍ଟର ପିଛା ଅନ୍ୟୁନ 125 କିଲୋଗ୍ରାମ ଝୋଟ ଉତ୍ପାଦିତ ହେଉଥିଲା | ଏବେ କିନ୍ତୁ ଚାଷ ଅଂଚଳ ପରିମାଣ ଖସିଆସିଛି 5000 ହେକ୍ଟରକୁ | ମୁଖ୍ୟତଃ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କଟକ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର ଖୁବ ଅଳ୍ପ ଚାଷୀଙ୍କ ମଧ୍ୟରେ ଏହି ଚାଷ ସୀମିତ ରହିଛି | କୃଷି ବିଭାଗ ଗଣନା ଅନୁଯାୟୀ ପାଖାପାଖି 14,000ରୁ 15,000 ଚାଷୀ ନଳିତା ଚାଷରେ ନିୟୋଜିତ ଅଛନ୍ତି| ଉତ୍ପାଦିତ ଝୋଟ ବାହାରକୁ ପ୍ରାୟତଃ ଯାଉନାହିଁ | ଏହା ସ୍ଥାନୀୟ ବଜାରରେ ବିକ୍ରି ହେଉଛି | ଚାଷ ଉପକରଣ ପ୍ରସ୍ତୁତି ପାଇଁ ଏହାର କ୍ରୟ ବିକ୍ରୟ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ହେଉଛି | ତେବେ ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏହାର ବଜାର ବ୍ୟବସ୍ଥା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଏହି ଚାଷର ପୁନରୁଦ୍ଧାର ହୋଇପାରିବ ବୋଲି ଚାଷୀମାନେ ମତବ୍ୟକ୍ତ କରୁଛନ୍ତି| ବିଭିନ୍ନ ଗୃହୋପକରଣ ଓ ସୌଖିନ ସାମଗ୍ରୀର ଚାହିଦା ରାଜ୍ୟ ବାହାରେ ଥିବାରୁ ଝୋଟରୁ ଏ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରାଯାଇ ବିକ୍ରୟ କରାଯାଇପାରିଲେ ଝୋଟ ଚାହିଦା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି |

Share :