କାଳିଆ ଭିତରେ ଅଳିଆ!

କାଳିଆ ଭିତରେ ଅଳିଆ!

Share :

ସ୍ବତନ୍ତ୍ର ପ୍ରତିନିଧି କୃଷକ ଆସିଷ୍ଟାନ୍ସ ଫର୍‌ ଲିଭିଲହୁଡ଼ ଆଣ୍ଡ ଇନକମ ଅଗମେଣ୍ଟେସନ ସଂକ୍ଷେପରେ କାଳିଆ। ଓଡ଼ିଆରେ କହିଲେ କୃଷକଙ୍କ ଜୀବିକା ଓ ଆୟ ବର୍ଦ୍ଧନ ନିମନ୍ତେ ସହାୟତା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଛନ୍ତି। ଏହାକୁ କୃଷକଙ୍କ ପାଇଁ ଦେଶର ଏକ ଶ୍ରେଷ୍ଠ ଯୋଜନା ଭାବେ ପ୍ରଚାରିତ କରାଯାଉଛି। କୃଷିଋଣ ଛାଡ଼ ଅପେକ୍ଷା କାଳିଆ ଯୋଜନା ସବୁଠୁଁ ଭଲ ବୋଲି କୁହାଯାଉଛି। କିନ୍ତୁ ଏହି ଯୋଜନା ଯେ ଏକ ଦୁର୍ନୀତିମୂଳକ ଚାଷୀ ଓ ଚାଷ ବିରୋଧୀ ଯୋଜନା ତାହା ଆରମ୍ଭରୁ ଜଣାପଡ଼ିଲାଣି। ଏହି ଯୋଜନା ବଳରେ ନବୀନବାବୁ ଓ ତାଙ୍କ ସରକାର ଚାଷୀ ଓ ଚାଷ ନାମରେ ୫୦-୬୦ ଲକ୍ଷ ଭୋଟରଙ୍କୁ ସନ୍ତୁଷ୍ଟ କରିପାରନ୍ତି। ମାତ୍ର, ଏହା ଜରିଆରେ ଚାଷ ଓ ଚାଷୀର କୌଣସି ପ୍ରକାର ଉନ୍ନତି ହେବ ବୋଲି ଦୃଢ଼ ଭାବେ କହିହେବ ନାହିଁ। ଆରମ୍ଭରୁ ଏହି ଯୋଜନାକୁ ନେଇ ଯେତେ ବିବାଦ ସୃଷ୍ଟି ହେଲାଣି ସେଥିରୁ ଏହାର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ୧. ୨୦୧୮ ଡିସେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ କାଳିଆ ଯୋଜନା। ଏହା ପୂର୍ବରୁ ଏହି ଯୋଜନା ପାଇଁ କ୍ୟାବିନେଟ ମଂଜୁରି ନଥିଲା। ବଜେଟରେ ମଧ୍ୟ ଏନେଇ କୌଣସି ପୂର୍ବ ସଂକେତ ନଥିଲା। ମୁଖ୍ୟମନ୍ତ୍ରୀ କହିଲେ ରାଜ୍ୟର ସବୁ ଚାଷୀଙ୍କୁ ଖରିଫ ଓ ରବି ଚାଷ ପାଇଁ ପାଞ୍ଚ ପାଞ୍ଚ ହଜାର କରି ୧୦ ହଜାର ଟଙ୍କାର ସହାୟତା ଦିଆଯିବ। ଏହା ପରେ କୁହାଗଲା ଯେ କେବଳକ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି ସହାୟତା ପାଇବେ। ଶେଷରେ ଜଣାପଡ଼ିଲା ଯେ ସବୁଚାଷୀ ଏହି ଯୋଜନାର ହିତାଧିକାରୀ ହୋଇଛନ୍ତି। ଏବେ କୁହାଯାଉଛି ଯେ ଧନୀ ଓ ପ୍ରଭାବଶାଳୀଙ୍କୁ ବାଦ ଦିଆଯିବ। କାଳିଆ ହିତାଧିକାରୀ ତାଲିକାରେ ମନ୍ତ୍ରୀ ନିରଂଜନ ପୂଜାରୀ, ବିକ୍ରମ ଆରୁଖ ଓ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପରିବାର ଲୋକଙ୍କ ନାମ ଥିବା ପଦାକୁ ଆସିବା ପରେ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ଯେ ସମବାୟ ବିଭାଗ ତାଲିକା ପ୍ରସ୍ତୁତ କରିଥିଲା। ଯେଉଁ ଚାଷୀମାନେ ଧାନ ବିକନ୍ତି ସେମାନଙ୍କ ନାଁ ହିତାଧିକାରୀ ତାଲିକାରେ ଚଢ଼ିଥିଲା। ପ୍ରଥମେ ୨୨ ଲକ୍ଷ ଚାଷୀଙ୍କ ନାମର ତାଲିକା ହୋଇଥିଲା। ପରେ ଏଥିରୁ ୭.୫୫ ଲକ୍ଷଙ୍କୁ ବାଦ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୨.୪୫ ଲକ୍ଷ ଚାଷୀଙ୍କ ପାଖକୁ କେବଳ ରବି ସହାୟତା ବାବଦକୁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଯଦି କୌଣସି ଧନୀ ଓ ପ୍ରଭାବଶାଳୀ ଟଙ୍କା ପାଇଥିବେ ତେବେ ତାହା ଫେରେଇ ଅଣାଯିବ। ୨. କାଳିଆ ଯୋଜନର ପ୍ରଥମ ତ୍ରୁଟି ହେଉଛି ଏହାର ହିତାଧିକାରୀ କିଏ ହେବେ ତାହା ସରକାର ନିର୍ଦ୍ଧାରଣ କରିନାହାନ୍ତି। ସବୁ ଚାଷୀ ଯଦି ସହାୟତା ପାଇବେ ତେବେ ୫ ଗୁଣ୍ଠର ଚାଷୀ ୫ଟି ଚାଷ ଋତୁ ପାଇ ୨୫ ହଜାର ଟଙ୍କା ପାଇବ, ୨୫ ଏକରିଆ ଚାଷୀ ବି ସେଇ ୨୫ ହଜାର ଟଙ୍କା ପାଇବ। ଧନୀ ଚାଷୀ ଓ ଗରୀବ ଚାଷୀ ବି ସମାନ ପାଇବେ। ସବୁ ଚାଷୀ ପାଇବେ ମାନେ ମନ୍ତ୍ରୀ ଓ ବିଧାୟକମାନେ ବି ପାଇବେ। କାରଣ ପ୍ରାୟ ସବୁ ବିଧାୟକ କୃଷକ ବୋଲି ଦାବି କରନ୍ତି। ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ତ ଚାଷୀପୁଅ ବୋଲି ସବୁବେଳେ କହନ୍ତି। ୩. କୃଷି ସଚିବ ଯାହା କହିଛନ୍ତି ଅଯୋଗ୍ୟ ହିତାଧିକାରୀ ଯଦି ଟଙ୍କା ପାଇଥିବେ ତାହାକୁ ଫେରାଇ ଅଣାଯିବ? କିନ୍ତୁ କିପରି? ଓ କେବେ? ଆଗରୁ ଯେମିତି ଭୋଟ ଲୋଭରେ ଓଡ଼ିଶା ସରକାର ଅନେକ ଅଯୋଗ୍ୟ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ପଡ଼ି କାର୍ଡ଼ ଦେଇଥିଲେ ଓ ବିଜେଡି କର୍ପୋରେଟର ଓ ଅଧ୍ୟକ୍ଷମାନଙ୍କ ନାମ ତାଲିକାରେ ବାହାରିବାରୁ ସରକାର ଗୋଡ଼େଇ ଗୋଡ଼େଇ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କାଟିଲେ, କେତେକଙ୍କଠାରୁ ଜରିମାନା ଆଦାୟ କରାଗଲା ଓ କେତେକଙ୍କୁ ଗିରଫ ବି କରାଗଲା, ଏବେ କାଳିଆ ସହାୟତା ଟଙ୍କା ପାଇଥିବା ଚାଷୀମାନେ ସେହିପରି ଦଶା ଭୋଗିବେ କି? ୪. କାଳିଆ ୱେବସାଇଟ୍‌ କାଳିଆ.କୋ.ଇନ୍‌ରେ ଉଲ୍ଲେଖ ରହିଛି ଯେ କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ୫ଟି ଚାଷ ଋତୁ ପାଇଁ ୨୫ ହଜାର ଟଙ୍କାର ସହାୟତା ପାଇବେ। ଯଦି ଏହି ଅନୁସାରେ ହିତାଧିକାରୀ ତାଲିକା ଚୂଡ଼ାନ୍ତ ହେବ ତେବେ ୫ ଏକରରୁ ଅଧିକ ଜମିର ମାଲିକ ଏ ସହାୟତା ପାଇବେ ନାହିଁ। ଓଡ଼ିଶାର ମୋଟ ଚାଷୀଙ୍କର ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ତେଣୁ ବାକି ୨୦ ପ୍ରତିଶତ ଚାଷୀ ଏ ଯୋଜନାର ହିତାଧିକାରୀ ହୋଇପାରିବେ ନାହିଁ। କାଳିଆ ଯୋଜନାର ହିତାଧିକାରୀ ହେବା ପାଇଁ ୬୦ ଲକ୍ଷରୁ ଅଧିକ ଚାଷୀ ଆବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କେହି ଜଣେ ବି ଚାଷୀ ଯୋଜନାରୁ ବାଦ ପଡ଼ିବେ ନାହିଁ। ତେବେ ବାସ୍ତବରେ କେତେ ଚାଷୀ କାଳିଆ ଟଙ୍କା ପାଇବେ? ସବୁ ଆବେଦନକାରୀ ନା ସବୁ ଚାଷୀ ନା କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀ? ୫. ତେଲେଙ୍ଗାନା ସରକାର ତାଙ୍କର ରୟତ ବନ୍ଧୁ ଯୋଜନାରେ ଏକର ପିଛା ୪ ହଜାର ଟଙ୍କାର ସହାୟତା ଦେଉଛନ୍ତି। ଫଳରେ ସବୁ ଚାଷୀ ଉପକୃତ ହେଉଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ଯୋଜନାରେ ସବୁ ଚାଷୀ ଉପକୃତ ହେବ ନାହିଁ କି ଜମି ଅନୁସାରେ ସହାୟତା ପାଇବେ ନାହିଁ। ୬. କାଳିଆ ସହାୟତା ବ୍ୟାଙ୍କ ଜରିଆରେ ପଠାଯାଉଛି। କିନ୍ତୁ କେତେକ ବ୍ୟାଙ୍କ ଏହି ସହାୟତା ଟଙ୍କାକୁ ବକେୟା ରହିଥିବା ପୂର୍ବ କୃଷିଋଣର ସୁଧ ବାବଦ ହିସାବରେ ପକେଇ ଦେଉଛନ୍ତି। ଅର୍ଥାତ ସେ କ୍ଷେତ୍ରରେ ଚାଷୀ ଟଙ୍କା ନପାଇ ବ୍ୟାଙ୍କ ପାଉଛି। କୃଷି ସଚିବ ସୌରଭ ଗର୍ଗ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏହା ଋଣ ଟଙ୍କା ନୁହେଁ। କିନ୍ତୁ ବ୍ୟାଙ୍କଗୁଡ଼ିକୁ ଏ ସଂପର୍କୀତ ନିର୍ଦ୍ଦେଶ ଏଯାଏଁ ଦିଆଯାଇ ନାହିଁ। ୭. ଓଡ଼ିଶା ସରକାର ଗତ ୫ ବର୍ଷ ଭିତରେ ରାଜ୍ୟ ସରକାର ପ୍ରାୟ ୨ କୋଟି ଚାଷୀଙ୍କୁ ୪୧ ହଜାର କୋଟି ଟଙ୍କାର ଚାଷ ଋଣ ଦେଇଛନ୍ତି ବୋଲି ତଥ୍ୟ ପ୍ରକାଶ କରିଛନ୍ତି। ସରକାର ଜାରି କରିଥିବା ସୂଚନା ଅନୁସାରେ ୨୦୧୨-୧୪ ବର୍ଷରୁ ୨୦୧୭-୧୮ ବର୍ଷ ମଧ୍ୟରେ ପ୍ରତି ଖରିଫ ଋତୁରେ ହାରାହାରି ୧୫ ଲକ୍ଷ ଓ ପ୍ରତି ରବି ଋତୁରେ ହାରାହାରି ୧୩ ଲକ୍ଷ ଚାଷୀଙ୍କୁ କୃଷି ଋଣ ଦିଆଯାଇଛି। ସରକାର ଏ ଋଣଟଙ୍କା କିପରି ଓ କେବେ ଆଦାୟ କରିବେ ସେ ବିଷୟ ସ୍ପଷ୍ଟ କରିନାହାନ୍ତି। ଏ ଋଣ ଛାଡ଼ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କୃଷି ଋଣଛାଡ଼ଠାରୁ କାଳିଆ ଯୋଜନା ବହୁତ ଭଲ ବୋଲି ସେ ନିଜେ ପ୍ରଚାର କରୁଛନ୍ତି। ତେବେ ଏ ଋଣ କେମିତି ଆଦାୟ ହେବ? ବ୍ୟାଙ୍କ ଯଦି କଳିଆ ଟଙ୍କାକୁ ଋଣ ବାବଦରେ କାଟିନେବ ତେବେ କିଏ ଦାୟୀ ହେବ? ୮. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଅନୁସାରେ କେବଳ ୫ଟି ଚାଷ ଋତୁ ପାଇଁ ସରକାର କାଳିଆ ସହାୟତା ଦେବେ। ଏହା ୩ ବର୍ଷ ପାଇଁ କାର୍ଯ୍ୟ କରିବ। ଅର୍ଥାତ କାଳିଆ ଯୋଜନାର କାର୍ଯ୍ୟକାଳ ହେଉଛି ୨୦୧୮, ୨୦୧୯ ଓ ୨୦୨୦। ଏହା ପରେ କାଳିଆ ଯୋଜନା ବନ୍ଦ ହୋଇଯିବ। ସେତେବେଳେ ଚାଷ ସହାୟତା କେଉଁଠୁ ମିଳିବ? ସେବେ ସୁଦ୍ଧା ରାଜ୍ୟ ସରକାର ସବୁ ଚାଷଜମିକୁ ସବୁଦିନିଆ ଜଳସେଚନ ସୁବିଧା କରିସାରିଥିବେ? ଏହି ତିନି ବର୍ଷ ଭିତରେ ରାଜ୍ୟ ସରକାର କୃଷକମାନଙ୍କର ଋଣବୋଝ ଉତାରି ସାରିଥିବେ? ସେମାନଙ୍କ ଆୟ ଦୁଇଗୁଣ ହୋଇସାରିଥିବ? ଯଦି ନୁହେଁ, ତେବେ କାଳିଆ ସହାୟତା ଟଙ୍କାଟା ଭୋଟ ପୂର୍ବରୁ ଲାଞ୍ଚ ନା ନୁହେଁ? ୯. କାଳିଆ ୱେବସାଇଟ କହୁଛି ଚାଷୀମାନଙ୍କୁ ବାର୍ଷିକ ୧୨ ଟଙ୍କା ପ୍ରିମିୟମ ଦେଇ ଦୁର୍ଘଟଣା ବୀମା କରାଯିବ। ଓଡ଼ିଶାର ଚାଷୀମାନେ କ’ଣ ନିଜ ପାଇଁ ବର୍ଷକୁ ୧୨ ଟଙ୍କା ମାତ୍ର ଦେଇ ଏଭଳି ବୀମା କରାଇପାରିବେ ନାହିଁ? ବର୍ଷକୁ ୩୩୦ ଟଙ୍କା ପ୍ରିମିୟମ ଦେଇ ଚାଷୀମାନେ କ’ଣ ଜୀବନ ବୀମା କରାଇ ପାରିବେ ନାହିଁ ଯେ ସରକାର ସେହି ସହାୟତା କଥା ଘୋଷଣା କରିଛନ୍ତି? ଯାହାର ସଂଚୟ ଖାତା ରହିଛି ସେ ଏହି ସୁବିଧା ପାଇବେ। ଓଡ଼ିଶା ସରକାର ଓଡ଼ିଆ ଚାଷୀଙ୍କ ଭୋଟର (ଜୀବନର?) ମୁଲ୍ୟ କ’ଣ ଏତିକି ବୋଲି ଭାବି ନେଇଛନ୍ତି? ୧୦. କାଳିଆ ଯୋଜନା ଗାଁର ଚାଷଙ୍କ ପାଇଁ ଉଦ୍ଦିଷ୍ଟ। ମାତ୍ର, ରାଜଧାନୀ ଭୁବନେଶ୍ବରର ଯେଉଁ ଛକ ଓ ବଜାର ଦେଖିବେ ସେଠାରେ କାଳିଆ ଯୋଜନାର ବଡ଼ ବଡ଼ ହୋର୍ଡ଼ିଂ ଲଗାଇଯାଇଛି। ସବୁ ହୋର୍ଡ଼ିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ଼ ବଡ଼ ଫଟୋ। ରାଜଧାନୀରେ କାଳିଆ ଓ ପିଠା ଯୋଜନାର ପ୍ରଚାର କ’ଣ ଗାଁର ଚାଷୀଙ୍କ ହିତ ପାଇଁ ଉଦ୍ଦିଷ୍ଟ?

Share :