ଚିଟ୍‌ ଫଣ୍ଡ ଠକ- ନୟାଗଡ଼ରୁ ନବୀନ ନିବାସ!

ଚିଟ୍‌ ଫଣ୍ଡ ଠକ- ନୟାଗଡ଼ରୁ ନବୀନ ନିବାସ!

Share :

ପ୍ରମୁଖ ପ୍ରତିନିଧି ୨୦୧୪ ନଭେମ୍ବରରେ ଚିଟ୍‌ ଫଣ୍ଡ ଠକେଇ ମାମଲାରେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ ସରୋଜ ସାହୁ। ସରୋଜ ସାହୁଙ୍କ ଘର ନୟାଗଡ଼। ପ୍ରଥମେ ଖବରକାଗଜ ବିତରକ ଓ ପରେ ବିଜୁ ଜନତା ଦଳ ଅଫିସରେ ଟାଇପିଷ୍ଟ ଭାବେ କ୍ୟାରିଅର ଆରମ୍ଭ। ମାତ୍ର କେଇ ବର୍ଷର ଟାଇପିଷ୍ଟ ଚାକିରି ପରେ ପଦୋନ୍ନତି ଏବଂ ବଦଳି- ବିଜୁ ଜନତା ଦଳ ଅଫିସରୁ ନବୀନ ନିବାସ। ସେଠାରେ ସେ ଏମିତି ସବୁ କାରବାର କଲେ ଯେ ସି ଶୋର ଚିଟ୍‌ ଫଣ୍ଡ ଠକେଇରେ ସିବିଆଇ ତାଙ୍କୁ ଜେରା କଲା। ଅବଶ୍ୟ ସେ ମାଲିକର ବିଶ୍ବସ୍ତ ଭୃତ୍ୟ ପରି ନବୀନ ପଟ୍ଟନାୟକ କିମ୍ବା ଅନ୍ୟ କୌଣସି ନେତା ଓ ଅଫିସରଙ୍କ ବିଷୟରେ କିଛି ତଥ୍ୟ ପ୍ରକାଶ କଲେ ନାହିଁ। ଅନ୍ୟ ଅନେକଙ୍କ କ୍ଷେତ୍ରରେ ନବୀନବାବୁ ଯାହା କରନ୍ତି ସରୋଜଙ୍କ କ୍ଷେତ୍ରରେ ମଧ୍ୟ ସେଇଆ କଲେ- ପ୍ରଥମେ କେଇ ଦିନ ତାଙ୍କ ପାଇଁ ନବୀନ ନିବାସ ଦୁଆର ବନ୍ଦ ରହିଲା, ପରେ ପୁଣି ଲୋଡ଼ା ପଡ଼ିଲେ ସରୋଜ। ନୟାଗଡ଼ ବିଧାୟକ ଅରୁଣ ସାହୁ। ଏକ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ଅରୁଣ ଛାତ୍ର ରାଜନୀତି କରୁକରୁ କେତେବେଳେ ବିଜୁ ଜନତା ଦଳର ଜଣେ ତୁଙ୍ଗ ନେତା ହୋଇଯାଇଛନ୍ତି ତାହା ହୁଏତ ତାଙ୍କୁ ମାଲୁମ ନାହିଁ। କେତେ ବିବାଦ ଓ ଦୁର୍ନୀତି ତାଙ୍କୁ ବିଜେଡିର ଆଗଧାଡ଼ିରେ ବସେଇଛି ତାହାର ହିସାବ ମଧ୍ୟ ସେ ରଖିନାହାନ୍ତି। ଏବେ ସିବିଆଇ ତାଙ୍କୁ ମଧ୍ୟ ନୋଟିସ କରିଛି, ସି ଶୋର ଚିଟ୍‌ ଫଣ୍ଡ ଠକେଇ ମାମଲାରେ। ତାଙ୍କ ସହିତ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଉପରେ ମଧ୍ୟ ସମନ ଜାରି ହୋଇଛି। ଓଡ଼ିଶା ଚିଟ୍‌ ଫଣ୍ଡ ଠକେଇରେ ଏ ଦି’ ଜଣ ଶେଷ ସନ୍ଦିଗ୍ଧ କି ଆହୁରି ଅଛନ୍ତି ତାହା କେହି କହିପାରିବେ ନାହିଁ। କାରଣ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି ଗଣଠକେଇ ଦୁର୍ନୀତିର ଉପଯୁକ୍ତ ତଦନ୍ତ କରିନାହିଁ। ତଦନ୍ତ ହେଉନି କିନ୍ତୁ ସମୟ ଗଡ଼ି ଚାଲିଛି। ଆଉ ବିତୁଥିବା ସମୟ ସହିତ ହଜି ଯାଉଛି ପ୍ରମାଣ। ସିବିଆଇର ଅପରାଗତା ହେଉ ବା ଦୁଇଟି ଦଳର ରାଜନୀତିକ ସନ୍ଧି- କୌଣସି ଏକ କାରଣରୁ ଓଡ଼ିଶାର ସମସ୍ତ ଚିଟ୍‌ ଫଣ୍ଡ ଠକ ଏଯାଏଁ ଗିରଫ ହୋଇ ନାହାନ୍ତି କି ଗିରଫ ହୋଇଥିବା କେହି ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ତେବେ ୪ ବର୍ଷରେ ତଦନ୍ତ ଯେତିକି ବାଟ ଆଗେଇଛି ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଓଡ଼ିଶା ସରକାର, ବିଶେଷକରି ଶାସକ ବିଜୁ ଜନତାର ବହୁ ନେତା ଏବଂ କତିପୟ ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କ ପ୍ରୋତ୍ସାହନରେ ହିଁ ଚାଲିଥିଲା ଚିଟ୍‌ ଫଣ୍ଡ ଠକେଇ ଯେଉଁଥିରେ ଠକି ଯାଇଛନ୍ତି ରାଜ୍ୟର ୨୦ ଲକ୍ଷ ଉପରେ ଲୋକ। ଦି’ ଜଣ ଯାକ ପୂର୍ବତନ ମନ୍ତ୍ରୀ। ଜଣେ ମହାକାଳପଡ଼ା ବିଧାୟକ। ଆର ଜଣକ ନୟାଗଡ଼ର। ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁ। ବିଜୁ ଜନତା ଦଳରେ ଏମାନଙ୍କର ଭାରି କାଟତି। ପ୍ୟାରୀ ମୋହନ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଦଳ ଓ ସରକାରର ମଙ୍ଗ ସମ୍ଭାଳୁଥିଲାବେଳେ ଏମାନେ ତାଙ୍କର ପ୍ରିୟ ଥିଲେ। ଆଉ ଏବେ ତୃତୀୟ ମହଲାର ଅଧିକାରୀମାନ ମଙ୍ଗୁଆଳ ସାଜିଥିବାବେଳେ ମଧ୍ୟ ଏମାନଙ୍କର ଭାଉ କିଛି କମ ନୁହେଁ। ତୃତୀୟ ମହଲା ଇଙ୍ଗିତରେ ଗତ କିଛି ବର୍ଷ ଧରି ଯେଉଁ ପାଞ୍ଚ ଜଣ ବିଜୁ ଜନତା ଦଳର ଗତି ଓ ପ୍ରକୃତି ନିୟନ୍ତ୍ରଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପରୋକ୍ଷ ଆଖି, କାନ ଓ ନାକ ହୋଇଯାଇଛନ୍ତି ସେମାନଙ୍କ ମଧ୍ୟରେ ଏମାନେ ହେଲ ଦୁଇ। ଆର ତିନି ଜଣ ମଧ୍ୟ ପୂର୍ବତନ ମନ୍ତ୍ରୀ। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି, ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ଏବଂ ପ୍ରଦୀପ ପାଣିଗ୍ରାହୀ। ସି ଶୋର ଚିଟ୍‌ ଫଣ୍ଡ ଠକେଇ ମାମଲାରେ ଅତନୁ ଓ ଅରୁଣ ସିବିଆଇ ନୋଟିସ ପାଇଲା ପରେ ୨୦୧୯ ଜାନୁଆରରୀ ୨୮ ଓ ୩୦ ତାରିଖରେ ହାଜର ହେବାର ଥିଲା। କିନ୍ତୁ ସେମାନେ ହାଜର ହୋଇନାହାନ୍ତି। ବରଂ ଏହି ସମୟରେ ଅରୁଣ ବାରିପଦାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭା ଆୟୋଜନ ଦାୟିତ୍ବ ବୁଝୁଥିଲେ ଏବଂ ଅତନୁ ମହାକାଳପଡ଼ାରେ ବ୍ୟସ୍ତ ଥିଲେ। ଏମାନେ ନିର୍ଦ୍ଧାରିତ ତାରିଖରେ ହାଜର ନହେବାରୁ ପୁଣି ଥରେ ସିବିଆଇ ସମନ କରିବ ବୋଲି ଜଣାପଡ଼ିଛି। ତେବେ, ଚିଟ୍‌ ଫଣ୍ଡ ଠକେଇରେ କେବଳ ଏଇ ଦୁଇ ଜଣ ନେତା ଯେ ସନ୍ଦେହ ଘେରକୁ ଆସିଛନ୍ତି ତାହା ନୁହେଁ। ଏମାନଙ୍କ ପୂର୍ବରୁ ଅନେକ ବିଜେଡି ନେତା ସିବିଆଇ ସନ୍ଦେହକୁ ଆସିଛନ୍ତି, କିଛି ନେତା ଜେରାର ସମ୍ମୁଖୀନ ହୋଇଛନ୍ତି ଓ ଆଉ କିଛି ଗିରଫ ହୋଇ ହାଜତ ମିଆଦି କାଟିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା, ବିଧାୟକ ପ୍ରଭାତ ତ୍ରିପାଠୀ, ସାଂସଦ ପ୍ୟାରୀ ମୋହନ ମହାପାତ୍ର, ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ପ୍ରଭାତ ବିଶ୍ବାଳ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ହିତେଶ ବଗର୍ତ୍ତି ଏବଂ ନବୀନ ନିବାସର ପ୍ରିୟ କର୍ମଚାରୀ ସରୋଜ ସାହୁ। ଏମାନଙ୍କ ବ୍ୟତିତ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଦେବାଶିଷ ସାମନ୍ତରାୟ, ତତ୍କାଳୀନ ମନ୍ତ୍ରୀ ତଥା ଏବେକାର ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖଙ୍କ ନାମ ମଧ୍ୟ ଚିଟ୍‌ ଫଣ୍ଡ ଠକେଇରେ ଚର୍ଚ୍ଚାକୁ ଆସିଛି। ବିଧାୟକ ଦେବାଶିଷ ସାମନ୍ତରାୟ ରୋଜ ଭ୍ୟାଲି ଓ ଆସ୍ଥା ଚିଟ୍‌ ଫଣ୍ଡ ସଂସ୍ଥା ସହିତ ଜଡ଼ିତ ଥିଲେ ବୋଲି ଅଭିଯୋଗ ରହିଛି। ଆସ୍ଥାର ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କର ଏକ ମର୍ସିଡିଜ ଗାଡ଼ିର ମାଲିକାନା ପରେ ଦେବାଶିଷ ସାମନ୍ତରାୟଙ୍କ ଡ୍ରାଇଭର ନାମରେ ବଦଳିବା ଏବଂ ରୋଜ ଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ପାଇଁ ହୋଟେଲ ବୁକ୍‌ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ସାକ୍ଷାତ ଉଦ୍ୟମ କରିବା ଆଦି କାରଣୁ ଦେବାଶିଷଙ୍କ ଚିଟ୍‌ ଫଣ୍ଡ ଲିଙ୍କ୍‌ ନେଇ ଚର୍ଚ୍ଚା ଓ ଅଭିଯୋଗ ରହିଛି। ସେହିପରି ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଭାଇ ସି ଶୋର ସଂସ୍ଥା ସହିତ କିଛି ବ୍ୟାବସାୟିକ ସଂପର୍କ ରଖିଥିବା ନେଇ ଚର୍ଚ୍ଚା ହୋଇଥିଲା। ସେ ମଧ୍ୟ ସିବିଆଇ ସନ୍ଦେହ ପରିସରଭୁକ୍ତ। ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ମଧ୍ୟ ଅର୍ଥତତ୍ତ୍ବ ଚିଟ୍‌ ଫଣ୍ଡ ସଂସ୍ଥାଠାରୁ ବିଭିନ୍ନ ଆର୍ଥକ ଫାଇଦା ସହିତ ଦାମୀ ପାଜେରୋ ଗାଡ଼ି ନେଇଥିଲେ ବୋଲି ଅଭିଯୋଗ ହୋଇଛି। ସିବିଆଇ ତାଙ୍କ ପାଜେରୋ ଖୋଜି ଖୋଜି ନୟାନ୍ତ। ତାହାକୁ ଝାଡ଼ଖଣ୍ଡରେ କେଉଁଠି ପୋଡ଼ି ଦିଆଯାଇଛି ବୋଲି ଗୁଜବ ଚାଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲାବେଳେ ପ୍ରସନ୍ନ ଆଚାର୍ଯ୍ୟ ସି ଶୋର୍‌ ଓ ଗ୍ରୀନ ରେ ଇଣ୍ଟର୍ନ୍ୟାସନାଲ ଚିଟ୍‌ ଫଣ୍ଡ ସଂସ୍ଥାର କେତେକ ପ୍ରକଳ୍ପ ଅନୁମୋଦନ କରିଥିଲେ। ସେଥିପାଇଁ ସେ ମଧ୍ୟ ସନ୍ଦେହଭୁକ୍ତ। ସେହିପରି କୃଷି, ସମବାୟ, ପର୍ଯ୍ୟଟନ ଆଦି ବିଭାଗର ତତ୍କାଳୀନ ମନ୍ତ୍ରୀମାନଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ବିଜେଡିରୁ ବହିଷ୍କୃତ ହେଲା ପରେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁସାରେ ଦଳର ପ୍ରାୟ ୪୭ ଜଣ ବିଧାୟକ ଚିଟ୍‌ ଫଣ୍ଟ ଟଙ୍କା ଖାଇଛନ୍ତି। ଅବଶ୍ୟ ସିବିଆଇ କେବେ ଏତେ ବିଧାୟକଙ୍କ ଉପରେ ସମନ ଜାରି କରିନାହିଁ। ଅର୍ଥତତ୍ତ୍ବ ମାଲିକ ପ୍ରଦୀପ ସେଠୀ ଓ ସି ଶୋର ମାଲିକ ପ୍ରଶାନ୍ତ ଦାଶଙ୍କ ବ୍ୟକ୍ତିଗତ ଡାଏରୀରେ ହୁଏତ କାହାର ନାଁ ଥାଇପାରେ। ଶାସକ ଦଳର ନେତା ଓ ସରକାରୀ ଅଧିକାରୀମାନଙ୍କ ସୁରକ୍ଷା ଓ ପ୍ରୋତ୍ସାହନ ପାଇ ଓଡ଼ିଶାର ୨୦ ଲକ୍ଷରୁ ଅଧିକ ଲୋଙ୍କଠାରୁ ସି ଶୋର, ଅର୍ଥତତ୍ତ୍ବ, ରୋଜ ଭ୍ୟାଲି, ଗ୍ରୀନ ରେ, ଆସ୍ଥା ପରି ଅନେକ ଚିଟ୍‌ ଫଣ୍ଡ ସଂସ୍ଥା ପ୍ରାୟ ୪୦ ହଜାର କୋଟି ଟଙ୍କା ଠକି ନେଇଛନ୍ତି। ଏ ଟଙ୍କାର କିଛି ଅଂଶ ବି ସରୋଜ ସାହୁଙ୍କ ପରି କର୍ମଚାରୀଙ୍କ ଜରିଆରେ ନବୀନ ନିବାସ ଯାଇଥିବ ଓ ନବୀନ ପଟ୍ଟନାୟକଙ୍କ କାମରେ ଲାଗିଥିବ।

Share :