ଆରମ୍ଭରୁ ଅବୈଧ ନବୀନ ନିବାସ!

ଆରମ୍ଭରୁ ଅବୈଧ ନବୀନ ନିବାସ!

Share :

ସ୍ବତନ୍ତ୍ର ପ୍ରତିନିଧ‍ କିଣା ବେଆଇନ। ଜବରଦଖଲ ବେଆଇନ। ଲିଜ୍‌ ବେଆଇନ। ପୁଣି ପାର୍କିଂ ସ୍ଥଳ ବେଆଇନ। ଏମିତି ଅନେକ ବେଆଇନ କାରବାର ଉପରେ ସୁଦୃଢ଼ ଠିଆ ହୋଇଛି ନବୀନ ନିବାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଘର। ଏଇ ଘରଟି ତିଆରି କରିଥିଲେ ତାଙ୍କ ବାପା ବିଜୁ ପଟ୍ଟନାୟକ। ମୃତ୍ୟୁ ପର୍ଯ୍ୟନ୍ତ ସେ ଏଇଠି ରହୁଥିଲେ। ଜମିଟିର ମାଲିକ କିନ୍ତୁ ଜ୍ଞାନ ପଟ୍ଟନାୟକ, ବିଜୁବାବୁଙ୍କ ପତ୍ନୀ ଓ ନବୀନବାବୁଙ୍କ ମା’। ୧୯୬୨ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଜୁ ପଟ୍ଟନାୟକ। ଏହା ପୂର୍ବରୁ ସେ ପ୍ରଦେଶ କଂଗ୍ରେସ ସଭାପତି ପଦ ଅଳଂକୃତ କରିଥିଲେ। ତାଙ୍କ ନେତୃତ୍ବରେ କଂଗ୍ରେସ ପ୍ରଥମ ଥର ପାଇଁ ଓଡ଼ିଶାରେ ସଂଖ୍ୟାଗରିଷ୍ଠ ଆସନ ହାସଲ କରିଥିଲା। ସେହି ବର୍ଷ ଭୁବନେଶ୍ବର ବିମାନ ବନ୍ଦର ନିକଟରେ ଭୀମପୁର ମୌଜାର ଖାତା ନମ୍ବର ୯୧୦ ପ୍ଲଟ ନମ୍ବର ୨୧୬/୧୭୦, ୧୭୧, ୧୭୨, ୧୭୪ରେ ମୋଟ ୪୦୦ ଡିସିମିଲ ଜମି କିଣିଥିଲେ ବିଜୁବାବୁଙ୍କ ଧର୍ମପତ୍ନୀ ଜ୍ଞାନ ପଟ୍ଟନାୟକ। ପରେ ଅଭିଯୋଗ ହେଲା ଯେ ଏ ଜମି ହେଉଛି ଦେବୋତ୍ତର ସଂପତ୍ତି। ଲିଙ୍ଗରାଜ ମହାପ୍ରଭୁଙ୍କ ଜମି। ତେଣୁ ଏହାର ବିକ୍ରିଖର୍ଦ୍ଦି ବେଆଇନ। ସେତେବେଳେ ଏ ଜମି ଉଷାପ୍ରିୟା ଦାଶଙ୍କ ଦଖଲରେ ଥିଲା। କିନ୍ତୁ ସେତେବେଳେ ଆଇନକାନୁନକୁ ଖାତିର ନକରି ଜ୍ଞାନ ପଟ୍ଟନାୟକ ଏ ଜମି କିଣିଥିଲେ। ତାଙ୍କ ନାମରେ ଜମି ପଟ୍ଟା ଫଇସଲ ହୋଇଥିଲା। ଏହା ବେଆଇନ। ଏହି ଜମିରେ ବିଜୁବାବୁ ନିର୍ମାଣ କରିଥିଲେ ନବୀନ ନିବାସ। ଏହାର ପ୍ରାୟ ୩୦ ବର୍ଷ ପରେ ୧୯୯୨ ମସିହାରେ ବିଜୁବାବୁ ଦ୍ବିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲାବେଳେ ପୁଣି ନବୀନ ନିବାସ ଜମି ପ୍ରସଙ୍ଗ ଉଠିଥିଲା। କଂଗ୍ରେସର ତତ୍କାଳୀନ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏ ବିଷୟ ଉଠେଇଥିଲେ। ସେତେବେଳେ ସେ କରିଥିବା ଅଭିଯୋଗ ଅନୁଯାୟୀ ନବୀନ ନିବାସ ପାଚେରୀ ଭିତରେ ଜବରଦଖଲ ହୋଇ ରହିଛି ଆଉ ପ୍ରାୟ ୧୦୦ ଡିସିମିଲ ଜମି। ଏ ଜବରଦଖଲ ବି ବେଆଇନ। ତେବେ ଏ ବିଷୟ ଲୋକଲୋଚନକୁ ଆସିବା ପରେ ଜ୍ଞାନ ପଟ୍ଟନାୟକ ସାଧାରଣ ପ୍ରଶାସନ ବିଭାଗକୁ ଏକ ଚିଠି ଲେଖି ଅନୁରୋଧ କଲେ ଯେ ଏହି ଜମି ୩୦ ବର୍ଷ ଧରି ଭୁଲବଶତଃ ତାଙ୍କ ଦଖଲରେ ଥିବାରୁ ତାଙ୍କୁ ଲିଜ୍‌ ଦିଆଯାଉ। ଏହି ଦରଖାସ୍ତରେ ସେ ନିଜକୁ କେବଳ ଜ୍ଞାନ ପଟ୍ଟନାୟକ ଭାବେ ପରିଚିତ କରାଇଥିଲେ। ସେଥିରେ ତାଙ୍କର ପିତା କିମ୍ବା ସ୍ବାମୀଙ୍କ ନାମୋଲ୍ଲେଖ ନଥିଲା। ନିୟମ ଦୃଷ୍ଟିରୁ ଜମି ଲିଜ୍‌ ଆବେଦନ କାଗଜପତ୍ରରେ ପିତା କିମ୍ବା ସ୍ବାମୀଙ୍କ ନାମ ରହିବା କଥା। ସେ ତାହା କରି ନଥିଲେ। କିନ୍ତୁ ଆରଆଇଙ୍କଠାରୁ ଆରମ୍ଭ କରି ସାଧାରଣ ପ୍ରଶାସନ ବିଭାଗର ସଚିବ ଯାଏଁ କେହି ଏ ବିଷୟ ଉଠେଇଲେ ନାହିଁ। ଫାଇଲ ଉପରକୁ ଉପରକୁ ଉଠିଲା। ଶେଷରେ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିକଟକୁ ମଂଂଜୁର ନିମନ୍ତେ ପଠାଗଲା। ବିଜୁବାବୁ ମୁଖ୍ୟମନ୍ତ୍ରୀ ଭାବେ ଲେଖିଲେ ‘ସେ ମହିଳା’ ଲିଜ୍‌ ପାଇବାକୁ ହକ୍‌ଦାର ନୁହନ୍ତି। ତେବେ ଲିଜ୍‌ ଦେବା ପୂର୍ବରୁ ଜମି ଦର ଦୁଇ ଗୁଣ ଧାର୍ଯ୍ୟ ହେଉ। ଜ୍ଞାନ ପଟ୍ଟନାୟକ ଦଖଲ ଜମିର ଦୁଇ ଗୁଣ ମୂଲ୍ୟ ଦାଖଲ କରି ବେଆଇନ ଜବରଦଖଲକୁ ଆଇନସିଦ୍ଧ କରିଦେଲେ। ଜମି ତାଙ୍କର ହୋଇଗଲା। ଅର୍ଥାତ ତାଙ୍କ ମାଲିକାନାରେ ରହିଲା ୫୦୦ ଡିସିମିଲ ବା ଅଧ ଏକର ଜମି। ଏବେ ଏହି ଜମି କଥା ପୁଣି ଥରେ ଉଠିଛି। ପୁଣି ଥରେ ନବୀନ ନିବାସ ପାଇଁ ବେଆଇନ କାମ କରିଛନ୍ତି ରାଜ୍ୟ ସରକାର। ଆଉ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି ନବୀନ ପଟ୍ଟନାୟକ, ଜ୍ଞାନ ଓ ବିଜୁ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର। ନବୀନ ନିବାସ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ସରକାରୀ ବାସ ଭବନ ନୁହେଁ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ଘର ନନେଇ ନିଜ ଘରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଦୃଷ୍ଟିରୁ ନବୀନ ନିବାସ ମୁଖ୍ୟମନ୍ତ୍ରୀଙ୍କ ଘରୋଇ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରୁଛି। ସେଠାରେ ତାଙ୍କ ନିଜର ଘରୋଇ କର୍ମଚାରୀଙ୍କ ସହିତ ସରକାରୀ ଅଧିକାରୀମାନେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ହୋଇଥିବାରୁ ଅନେକ ସମୟରେ ତାଙ୍କ ଘରକୁ ବହୁ ଆନ୍ଦୋଳନକାରୀ ଟାର୍ଗେଟ କରିଥାନ୍ତି। ବିରୋଧୀ ଦଳ, ଶ୍ରମିକ ସଂଗଠନ, ଛାତ୍ର ସଂଗଠନ, ମହିଳା ସଂଗଠନ, ଚାଷୀ ସଂଗଠନ ପରି ବହୁ ସଂଗଠନ ସଦସ୍ୟମାନେ ସବୁ ଆଡ଼ୁ ହତାଶ ହେଲା ପରେ ନବୀନ ନିବାସ ଆଗରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଥାନ୍ତି। ଯାହା ଆଦୌ ବେଆଇନ ନୁହେଁ। ମାତ୍ର, ଏହି ବିକ୍ଷୋଭକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାରି ଭୟ। ସେମାନେ କାଳେ ତାଙ୍କୁ ପିଟିବେ, ମାରିବେ, ଢେଲା ଫୋପାଡ଼ିବେ- ଏମିତି ଅନେକ ଭୟ ତାଙ୍କୁ ମନକୁ ଆକ୍ରାନ୍ତ କରିବା ପରେ ୨୦୧୩ ମସିହାରେ ସେ ନିଷ୍ପତ୍ତି ନେଲେ ଯେ ତାଙ୍କ ଘର ଆଗରେ ନିରାପତ୍ତା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ନବୀନ ନିବାସ ଓ ବିମାନ ବନ୍ଦର ମଝିରେ ଯେଉଁ ରାସ୍ତାଟି ଯାଇଛି ତାହା ପଳାସପଲ୍ଲୀ ଦେଇ ସେପଟେ ଭୀମଟାଙ୍ଗି ଓ ଲିଙ୍ଗରାଜ ବିହାର ଏବଂ ଏପଟେ ପୁରୁଣା ଭୁବନେଶ୍ବରକୁ ସଂଯୁକ୍ତ କରୁଛନ୍ତି। ତେଣୁ ସେହି ରାସ୍ତାରେ ସବୁବେଳେ ଲୋକମାନଙ୍କର ଗମନାଗମନ ଲାଗି ରହିଥାଏ। ମାତ୍ର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଲୋକଙ୍କଠାରୁ ବିପଦର ଆଶଙ୍କା କରିବା ପରେ ସେହି ରାସ୍ତାରେ ଘନଘନ ପୁଲିସ ଯାଞ୍ଚ ବ୍ୟବସ୍ଥା ଆରମ୍ଭ ହେଲା। ରାସ୍ତାରେ ଏକାଧିକ ଜାଗାରେ ରାସ୍ତା ଅବରୋଧ କରି ପୁଲିସ ଶିବିର ପଡ଼ିଲା। ଅଧା ବ୍ୟାରିକେଡ଼ ଲଗାଯାଇ ଗତି ନିୟନ୍ତ୍ରଣ କରାଗଲା। ରାତି ୧୦ଟା ପରେ ଅନେକ ସମୟରେ ଲୋକମାନଙ୍କୁ ରୀତିମତ ତନ୍ନତନ୍ନ ଯାଞ୍ଚ କରାଗଲା। ଏତିକିରେ ମନ ମାନିଲା ନାହିଁ। ୨୦୧୬ ଫେବୃଆରୀ ମାସରେ ଓଡ଼ିଶା ସରକାର ନବୀନ ନିବାସ ସମ୍ମୁଖ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ୧.୬୦୦ ଏକର ଜମି ମାଗିଲେ। କହିଲେ ବିମାନ ବନ୍ଦର ଛକରୁ ପଲାସପଲ୍ଲୀ ଯାଏଁ ରାସ୍ତା ସଂପ୍ରସାରଣ ପାଇଁ ଜମି ଆବଶ୍ୟକ। ବିମାନ ବନ୍ଦର କର୍ତ୍ତୃପକ୍ଷ ଏତକ ଜମି ଦେଲେ ରାଜ୍ୟ ସରକାର ସେହି ଭୀମପୁର ମୌଜାରେ ସମାନ ପରିମାଣର ଜମି ଯୋଗାଇଦେବେ। ଅର୍ଥାତ ରାଜ୍ୟ ସରକାର ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଜମି ଅଦଳବଦଳର ପ୍ରସ୍ତାବ ଦିଆଗଲା। କେନ୍ଦ୍ରର କ୍ୟାବିନେଟ ୨୦୧୬ ଅକ୍ଟୋବର ୨୭ ତାରିଖରେ ଓଡ଼ିଶା ସରକାରଙ୍କର ଏହି ପ୍ରସ୍ତାବକୁ ମଂଜୁର କଲେ। ଜମି ଅଦଳବଦଳ ପାଇଁ ୨୦୧୭ ଏପ୍ରିଲ ୧୦ ତାରିଖରେ ଭୁବନେଶ୍ବର ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହେଲା। ନିୟମ ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗର ଜମି ଅଦଳବଦଳ ପ୍ରକ୍ରିୟା ରାଜ୍ୟ କ୍ୟାବିନେଟର ପୂର୍ବରୁ ମଂଜୁରୀ ଲାଭ କରିବା କଥା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିଜ କଥା ହୋଇଥିବାରୁ ତାହାକୁ କ୍ୟାବିନେଟ ବୈଠକରେ ଉଠାଗଲା ନାହିଁ। କାଳ କିଏ ପ୍ରତିବାଦ କରିବ-ଏଇ ଭୟ ଥିଲା ବୋଧହୁଏ! ଶେଷରେ ରାଜ୍ୟ ସରକାର ଭୀମପୁର ମୌଜାର ୭୪୬ ନମ୍ବର ଖାତାରେ ଥିବା ୪୯୫/୧୬୬୪ ନମ୍ବର ପ୍ଲଟର ୦.୩୦୭ ଏକର ଏବଂ ୪୯୩ ନମ୍ବର ପ୍ଲଟର ୧.୨୯୩ ଏକର ଜମି ଦେଇ ବଦଳରେ ୭୪୬ ଖାତାର ୬୫୯ ନମ୍ବର ପ୍ଲଟର ୦.୦୮୦ ଏକର ଏବଂ ୧୦୩୫ ପ୍ଲଟର ୧.୫୨୦ ଏକର ଜମି ପାଇଲେ। ପୂର୍ବ ପ୍ରସ୍ତାବ ଅନୁଯାୟୀ ଏହି ଜମିରେ ବିମାନ ବନ୍ଦର ଛକରୁ ପଲାସପଲ୍ଳୀ ଯାଏଁ ପଡ଼ିଥିବା ରାସ୍ତାର ସଂପ୍ରସାରଣ କରାଯିବା କଥା। କିନ୍ତୁ ତାହା ହେଲା ନାହିଁ। ରାଜ୍ୟ ସରକାର କେବଳ ନବୀନ ନିବାସ ସାମ୍ନା ବିମାନ ବନ୍ଦର ପାଚେରୀ ଭାଙ୍ଗି ଦେଇ ଜମି ଦଖଲ କଲେ। ସେଠାରେ ପୁଲିସ ଶିବିର ପଡ଼ିଲା। ସେହି ଜମି ନବୀନ ନିବାସର ପାର୍କି ସ୍ଥଳ ଭାବେ ମଧ୍ୟ ବ୍ୟବହୃତ ହେଲା। ଏହା ବି ଏକ ବେଆଇନ କାମ। ନବୀନ ନିବାସର ଏହି ବେଆଇନ ଜମି କାରବାର ସଂପର୍କରେ ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି ବିଭିନ୍ନ ନେତା। ସେମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ନେତାମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ତତ୍କାଳୀନ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ, ପୂର୍ବତନ ଜଳସଂପଦ ମନ୍ତ୍ରୀ ତଥା ତତ୍କାଳୀନ ବିଜେପି ନେତା ବିଜୟ ମହାପାତ୍ର ଏବଂ ଏବେକାର କଂଗ୍ରେସ ମିଡିଆ ସେଲ୍‌ ମୁଖ୍ୟ ସତ୍ୟ ପ୍ରକାଶ ନାୟକ।

Share :