ଭାରତବର୍ଷ

ଭାରତବର୍ଷ

ଦେବେନ୍ଦ୍ର ପୃଷ୍ଟି ଏ ଆମ ଭାରତବର୍ଷ ଯେଉଁଠି ଶ୍ମଶାନ ଦଖଲ କରେ ଜୀଅନ୍ତା ମଣିଷ ଆଉ ଭୋଟ ଦିଏ ପ୍ରେତାତ୍ମାର ଦେହ। ପରସ୍ପର ନିନ୍ଦାଗାନେ ଏକାଠି ବସନ୍ତି ନେତା ଭିନ୍ନେ ହୋନ୍ତି ଗୋଟେ ଘର ଲୋକ। ମାଲିକ ଶାସନ ଡୋରି ସେବକ କବ୍ଜାରେ ଥାଏ ପବନରେ ଉଡ଼ୁଥାଏ ଜନମତ ଦିଗ। ଜନତନ୍ତ୍ର, ଧନତନ୍ତ୍ର, ବୈଧ ଓ ଅବୈଧ, ପାପ, ପୂଣ୍ୟ, ନୀତି ଓ ଦୁର୍ନୀତି- ସବୁ ଲାଗେ ଏକାପରି। ଅତୀତକୁ ଦୋଷ ଦେଇ ବର୍ତ୍ତମାନ ହୁଅଇ ବାହକ ଆଉ ଲୋକମାନେ ଚଢ଼ିଥାନ୍ତି ଭବିଷ୍ୟତ ଭୂତର ସବାରି। ଏ ଆମ ଭାରତବର୍ଷ - ଭିଡ଼ ଲାଗେ ଦାରିଦ୍ର୍ୟର ଦୌଡ଼, ଅର୍ଦ୍ଧେକ ଭାରତ ଖାଇ ୯ ଜଣ କୁବେର- ହୁକୁମ ମାନନ୍ତି ଯା’ଙ୍କ ସଂସଦ ଓ ସରକାର- ପାଇ ବି ପାରନ୍ତି ଦାନବୀର ହରିଶ୍ଚନ୍ଦ୍ର ପୁରସ୍କାର। ଗୋଟେ ପଟେ ତୁଙ୍ଗ ହିମାଳୟ, ଅନ୍ୟ ପଟେ ବ୍ୟାପକ ସାଗର- ମଝିରେ ପାହାଡ଼ କେତେ ନଦନଦୀ, ଢାଲୁ, ସମତଳ- ଅସମାନ ଭୂଇଁ ପରେ କେତେ ଯେ ପତାକା- ନାନା ରଙ୍ଗ ବେରଙ୍ଗର- ଫର୍‌ ଫର୍‌ ଉଡ଼ାଇ ବାରତା- ସମତାର, ସମାନତା, ନ୍ୟାୟ, ଭ୍ରାତୃତ୍ବର। ପତାକା ମଳିନ ପଡ଼େ, ଚିରିଫାଟି ପଲଟି ବି ଯାଏ, ପଲଟେନି କିନ୍ତୁ କେବେ ଜନତନ୍ତ୍ରେ ଜନତାଙ୍କ ଭାଗ୍ୟ- ବଢ଼ୁଥାଏ ବୈଷମ୍ୟ ଓ ବିଭେଦର ଧନାର୍ଢ଼୍ୟ ପ୍ରାଚୀର। ରାଜନୀତି ରୋଜଗାର ଫନ୍ଦା ଏଠି, ଧନ୍ଦା ଏଠି ଠକିବା ଲୁଟିବା। ନ କାନ୍ଦିବା ଯାଏଁ ଛୁଆ ମା’ ବି ଭୁଲନ୍ତି ଏଠି ପିଲାର ବି ପେଟ ଅଛି- ଖାଇବାକୁ ଦେବା। ଭିକାରୀଙ୍କ ଦାତା ଏଠି ଶ୍ରେଷ୍ଠ ଓ ସମ୍ରାଟ- ମୂର୍ଖଙ୍କ ମହାମହିମ, କେତେ ଥାଟପାଟ। ଅଜ୍ଞ କି ବୁଝନ୍ତି କେବେ କାହା ପୁର, ପ୍ରାସାଦରେ କିଏ ରହେ, ପଡ଼େ କା’ର ଜୟଗାନ କାହାର ମୁହଁରେ? କାହା ଶ୍ରମ ସାଧନରେ ଗଢ଼ା ଯାଏ କୋଣାର୍କ ଓ ନାଁ କିଏ ନିଏ? ଏ ଆମ ଭାରତବର୍ଷ- ପଥରର ମୂର୍ତ୍ତିମାନେ ମନ୍ଦିରରେ ପୂଜାପାନ୍ତି, ଜୀବନ ଯାକର କଷ୍ଟ ସହିସହି ପଥର ପାଲଟିଯାନ୍ତି ରକ୍ତମାଂସ ଦେହଧାରୀ ଅନେକ ମଣିଷ। ଖେଳରେ ଲାଗଇ ବାଜି ଦ୍ରୌପଦୀ, ହସ୍ତିନାପୁର- ବେଟିଂ ଓ ଫିକ୍ସିଂର କ୍ରିକେଟ ଚାଲେ ଶାସନତନ୍ତ୍ରର। ନାରଦଙ୍କ ବାର୍ତ୍ତା ଖାଲି ନାରାୟଣ ନାରାୟଣ, ଅପଢ଼ା ଅବୁଝା ଅଳନ୍ଧୁ ବ୍ୟାସଙ୍କର ଗୀତା। ବେଦ, ବାଇବେଲ, କୁରାନ ଯୁଦ୍ଧରେ ରକ୍ତ ପରି ବହିଯାଏ ଶାନ୍ତି ଓ ଅହିଂସା। ଏ ଆମ ଭାରତବର୍ଷ ଗାନ୍ଧୀ ଓ ଗଡସେଙ୍କ, ନେତାଜୀଙ୍କ ବଳିଦାନ, ନେହରୁଙ୍କ ବଂଶର ଫସଲ- ସାମ୍ୟବାଦ, ସମାଜବାଦ, ପୁଂଜିବାଦ, ଫାସିବାଦ, ଧର୍ମ, ଜାତି, ବର୍ଣ୍ଣ, ସଂପ୍ରଦାୟ- ସବୁକିଛି ଫେଣ୍ଟାଫେଣ୍ଟି କକ୍‌ଟେଲ୍‌। ଭାରତର ବଜାରରେ ଭୋଟରଙ୍କ ଚାଲିଛି ରିଟେଲ୍‌ ସେଲ୍‌। ସଂପାଦକ, ସାମାନ୍ୟକଥନ.କମ ମୋ-୯୪୩୭୦୩୬୨୭୬

Share :