ପାଟରା ଜାତିର ପ୍ରଗତି ପାଇଁ ନୂଆ ସଂଗଠନ

ପାଟରା ଜାତିର ପ୍ରଗତି ପାଇଁ ନୂଆ ସଂଗଠନ

Share :

ପାଟରା ଜାତିର ସାଂସ୍କୃତିକ, ସାମାଜିକ, ଶୈକ୍ଷିକ, ଆର୍ଥନୀତିକ ଓ ରାଜନୈତିକ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ଓଡ଼ିଶା ପାଟରା ଯୁବ ସମ୍ମିଳନୀ ନାମରେ ଏକ ନୂତନ ମଞ୍ଚ ଗଠିତ ହୋଇଛି। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ରେଡ଼୍‌କ୍ରସ ଭବନରେ ଅନୁଷ୍ଠିତ ଏକ ସମାବେଶରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଏ ବିଷୟରେ ଆଲୋଚନା କରିବା ପରେ ଏହ ସଂଗଠନ ଆତ୍ମ ପ୍ରକାଶ କରିଛି। ଜାତିକୁଳ ପ୍ରଥା ଓ ପରମ୍ପରା ବଜାୟ ରଖି ଜାତିର ସାମୂହିକ ସଶକ୍ତିକରଣ, ବିକାଶ ଓ ସମୃଦ୍ଧି ଦିଗରେ ଏହି ସଂଗଠନ କାର୍ଯ୍ୟ କରିବ ବୋଲି ମତ ପ୍ରକାଶ ପାଇଛି। ପାଟରା ଏଣ୍ଟର୍ଟେନମେଣ୍ଟ ଗ୍ରୁପ ତରଫରୁ ଆୟୋଜିତ ତଥା ସମାଜସେବୀ ଆଶିଷ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ସଚ୍ଚିଦାନନ୍ଦ ଦଲାଲ, ଜାତିର ବରିଷ୍ଠ ସଂଗଠକ ଦୁର୍ଯ୍ୟୋଧନ ସାହୁ, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ସାହୁ, ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ କେନ୍ଦ୍ରର ପ୍ରଫେସର ତଥା ରାଡିଏସନ ଅଙ୍କୋଲୋଜିର ବିଭାଗୀୟ ମୁଖ୍ୟ ଡାକ୍ତର ସୁରେନ୍ଦ୍ର ନାଥ ସେନାପତି, ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ସୁରେନ୍ଦ୍ର ମହାନ୍ତି, କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ବ୍ୟାଙ୍କର ମୁଖ୍ୟ ତଥା ବିଜୁ ଜନତା ଦଳର ସଂପାଦକ ପ୍ରମୋଦ ସାହୁ, ଡକ୍ଟର ସଂଜୟ ପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୀପ ସାହୁ, ମହେଶ୍ବର ସାହୁ, ଦେବେନ୍ଦ୍ର ପୃଷ୍ଟି, ଯୁବ ସମାଜସେବୀ ଶିବ ପ୍ରସାଦ ମହାନ୍ତି, ବିଶ୍ବରଂଜନ ପାତ୍ର, କେଦାରସନ ସାହୁ, ହିମାଂଶୁ ସାହୁ ପ୍ରମୁଖ ଜାତିର ବିକାଶ ଓ ସମୃଦ୍ଧି ସଂପର୍କରେ ନିଜନିଜ ମତ ଉପସ୍ଥାପନ କରିଥିଲେ। ଜାତିର ସାମୂହିକ ସଶକ୍ତିକରଣ ନିମନ୍ତେ ସଭାରେ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଜାତିର ଗରୀବ ଉଦ୍ୟୋଗୀମାନଙ୍କୁ ବିନା ସୁଧରେ ବ୍ୟାବସାୟିକ ପୁଞ୍ଜି ସହାୟତା ପ୍ରଦାନ କରିବାକୁ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଯେଉଁ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ଆର୍ଥିକ ଅନଟନ ଯୋଗୁଁ ବାଧାପ୍ରାପ୍ତ ହେଉଛି ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରଯାଇଛି। ସେହିପରି ଜାତିର ଯେଉଁ ସଦସ୍ୟମାନେ ଦୁରାରୋଗ୍ୟ ବ୍ୟାଧି ପୀଡ଼ିତ ହୋଇ ଅର୍ଥାଭାବରୁ ଉଯଯୁକ୍ତ ଚିକିତ୍ସା ସହାୟତାରୁ ବଂଚିତ ରହୁଛନ୍ତି ସେମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଜାତିର ଦାୟାଦମାନଙ୍କ ମଧ୍ୟରେ ଭାବବିନିମୟ ତଥା ଜାତିର ଉତ୍ପତ୍ତି ଏବଂ ଅଭ୍ୟୁଦୟ ଆଦି ସଂପର୍କରେ ତଥ୍ୟ ପ୍ରସାରଣ କରିବା ନିମନ୍ତେ ଏକ ୱେବସାଇଟ୍‌ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହି ୱେବସାଇଟ୍‌ରେ ପାଟରା ଜାତିର ବୈବାହିକ ଯୋଗସୂତ୍ର ସ୍ଥାପନର ସୁବିଧା ରଖିବାକୁ ନିଷ୍ପତ୍ତି ହୋଇଛି। ଜାତିର ବାର୍ତ୍ତା ପ୍ରସାରଣ ନିମନ୍ତେ ଗଣମାଧ୍ୟମ ସଂସ୍ଥା ସହିତ ସଂପର୍କ ଓ ସହଯୋଗ ରଖିବାକୁ ନିଷ୍ପତ୍ତି ହୋଇଛି। ଏସବୁ କାର୍ଯ୍ୟ ନିମନ୍ତେ ଏକ କର୍ପସ ପାଣ୍ଠି ଗଠନ କରାଯିବ। ଏହି ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନେକ ବରେଣ୍ୟ ବ୍ୟକ୍ତି ଅଙ୍ଗୀକାର ପ୍ରଦାନ କରିଛନ୍ତି। ପାଟରା ଜାତିର ରାଜନୀତିକ ସଶକ୍ତିକରଣ ନିମନ୍ତେ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶୈକ୍ଷିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ରହିଥିବା ଏହି ଜାତି କିପରି ରାଜ୍ୟ ରାଜନୀତି, ଅର୍ଥନୀତି ଓ ପ୍ରଶାସନ କ୍ଷେତ୍ରରେ ଅଧିକ ସକ୍ରିୟ ହେବ ସେ ଦିଗରେ କାର୍ଯ୍ୟ କରିବାକୁ ମଧ୍ୟ ଏହି ସଭାରେ ମତ ପ୍ରକାଶ ପାଇଛି। ଓଡ଼ିଶା ପାଟରା ଯୁବ ସମ୍ମିଳନୀର ସାଂଗଠନିକ କାର୍ଯ୍ୟ ପରିଚାଳନା ନିମନ୍ତେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀପ ସାହୁ, ଶିବ ପ୍ରସାଦ ମହାନ୍ତି, ବିଶ୍ବରଂଜନ ପାତ୍ର, କେଦାରସନ ପାତ୍ର ଓ ହିମାଂଶୁ ସାହୁ ପ୍ରମୁଖଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି ଅବସରରେ ବରିଷ୍ଠ ସଂଗଠକ ଦୁର୍ଯ୍ୟୋଧନ ସାହୁ, ସମାଜସେବୀ ଆଶିଷ ସାହୁ, ସାମ୍ବାଦିକ ପ୍ରଦୀପ ସାହୁ, ମହେଶ୍ବର ସାହୁ ଏବଂ ଦେବେନ୍ଦ୍ର ପୃଷ୍ଟିଙ୍କ ସମେତ ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦୁରାରୋଗ୍ୟ ବ୍ୟାଧି ପୀଡ଼ିତ ଯାଜପୁର ଜିଲ୍ଲା ଓଳାସ ଚକଲା ଅଡ଼ଙ୍ଗ ପୁରୁଷୋତ୍ତମପୁରର ଦିଲ୍ଲୀପ ବୈଶାଖଙ୍କୁ ସମ୍ମିଳନୀ ତରଫରୁ ୨୩ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।

Share :