ଲୋକେ ଓ ସରକାର ଉଭୟ ବେକାର !

ଲୋକେ ଓ ସରକାର ଉଭୟ ବେକାର !

Share :

  ଦେବେନ୍ଦ୍ର ପୃଷ୍ଟି   ଓଡ଼ିଶା ବିଧାନସଭାରେ ଓଡ଼ିଶାର ଲୋକପ୍ରିୟ ନବୀନ ପଟ୍ଟନାୟକ ସରକାର ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି ସେଥିରୁ ରାଜ୍ୟ ବେକାରୀର କିଛି ଉତ୍କଟ ଚିତ୍ର ପଦାକୁ ଆସିଛି | ଏହି ପରିସଂଖ୍ୟାନରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଓଡ଼ିଶାର ସାଧାରଣ ଓ ବୈଷୟିକ ଶିକ୍ଷା ସଂପନ୍ନ ତଥା ତାଲିମପ୍ରାପ୍ତ ଯୁବପିଢ଼ି କେବଳ ନିଯୁକ୍ତି ଦୃଷ୍ଟିକୋଣରୁ ବେକାର ନୁହନ୍ତି, ମାନସିକ ଓ ଶାରୀରିକ ଦୃଷ୍ଟିକୋଣରୁ ମଧ୍ୟ ବେକାର ହୋଇଯାଇଛନ୍ତି | ଯୁବପିଢ଼ି ମଧ୍ୟରୁ ଏହି ଆତ୍ମଘାତୀ ବେକାରୀ ମାନସିକତା ଦୂର କରିବା ପରିବର୍ତ୍ତେ ରାଜ୍ୟ ସରକାର ସେମାନଙ୍କୁ ସବୁଦିନିଆ ପଙ୍ଗୁ କରିବାର ଉଦ୍ଦେଶ୍ୟ ନେଇ ନୂତନ ଶିକ୍ଷା ଓ ନିଯୁକ୍ତି ନୀତି ପ୍ରଚଳନ କରିଛନ୍ତି | ରାଜ୍ୟ ସରକାରଙ୍କ ନିଯୁକ୍ତି ଓ ଶିକ୍ଷାନୀତି ଯଦି ବାସ୍ତବରେ ଓଡ଼ିଆ ଯୁବପିଢ଼ି ପାଇଁ ମଙ୍ଗଳଦାୟକ ହୋଇଥାନ୍ତା ତେବେ ରାଜ୍ୟର ଏତେ ଉଚ୍ଚଶିକ୍ଷିତ ଓ ବୈଷୟିକ ଶିକ୍ଷା ସଂପନ୍ନ ପ୍ରାର୍ଥମାନେ ବର୍ଷବର୍ଷ ଧରି ବେକାର ରହି ନଥାନ୍ତେ  ରାଜ୍ୟର ଦ୍ରୁତ ପ୍ରଗତି, ଆର୍ଥିକ ସମୃଦ୍ଧି ଓ ବିକାଶ ଜରିଆରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି ବୋଲି ଗଲା 15 ବର୍ଷ ଧରି ଦାବି କରାଯାଉଛି | ଶିକ୍ଷିତ ବେକାରଙ୍କ ନିଯୁକ୍ତି ପାଇଁ ହିଁ ଚାଲିଛି ଶିଳ୍ପାୟନ | ଏହି ସ୍ବପ୍ନରେ ସେମାନଙ୍କୁ ବିଭୋର କରାଯାଇଛି ଗଲା 15 ବର୍ଷ ହେଲା | ନିଯୁକ୍ତି ଆଶାରେ ସେମାନେ ଶିଳ୍ପାୟନକୁ ସମର୍ଥନ କରୁଛନ୍ତି, ପୁରୁଷ ପୁରୁଷର ଜମି ମାଲିକାନା ହରାଉଛନ୍ତି, ଈଶ୍ବର ଦତ୍ତ ପ୍ରାକୃତିକ ସଂପଦ ଦାନ କରିଦେଉଛନ୍ତି, ସୃଷ୍ଟି ଆରମ୍ଭରୁ ଶୁଦ୍ଧ ଓ ପବିତ୍ର ରହି ଆସିଥିବା ପରିବେଶକୁ ପ୍ରଦୂଷିତ କରିବାକୁ ଶିଳ୍ପପତି ଓ ସରକାରଙ୍କୁ ସ୍ବାଧୀନତା ଦେଉଛନ୍ତି, କିନ୍ତୁ ନିଯୁକ୍ତି ମିଳୁ ନାହିଁ | ଯେଉଁମାନଙ୍କୁ ମିଳୁଛି ସେମାନେ ସରକାରଙ୍କ ସହିତ ବିଭିନ୍ନ ବାଟରେ ସଂପୃକ୍ତ |  ଅର୍ଥାତ, କେବଳ ମନ୍ତ୍ରୀ, ଅଫିସର, ବିଧାୟକ, ସାମ୍ବାଦିକ ବା ଉଚ୍ଚ ବ୍ୟବସାୟୀ ବର୍ଗର ଲୋକମାନଙ୍କ ନିକଟ ସଂପର୍କୀୟମାନଙ୍କୁ ବଡ଼ବଡ଼ କଳ କାରଖାନାରେ ନିଯୁକ୍ତି ମିଳୁଛି | ବାକି ସମସ୍ତ ସାଧାରଣ ବର୍ଗର ପ୍ରାର୍ଥୀ ସହଜରେ ଏ ସୁଯୋଗ ପାଉ ନାହାନ୍ତି | ଯଦି ସାଧାରଣ ବର୍ଗର ଲୋକମାନେ ସରକାରଙ୍କ ଶିଳ୍ପାୟନ ଓ ସହରାୟନରୁ ଆବଶ୍ୟକ ନିଯୁକ୍ତି ସୁଯୋଗ ପାଉଥାନ୍ତେ ତେବେ ଓଡ଼ିଶା ସରକାରଙ୍କ ବେକାରୀ ଖାତାରେ ଲକ୍ଷାଧିକ ବୈଷୟିକ ଡିଗ୍ରୀଧାରୀଙ୍କ ସମେତ 10.86 ଲକ୍ଷ ପ୍ରାର୍ଥୀଙ୍କ ନାମ ନଥାନ୍ତା |  ବିଧାନସଭାରେ ଉପସ୍ଥାପିତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ଏବେ ବୈଷୟିକ ଶିକ୍ଷା ହାସଲ କରିଥିବା ରାଜ୍ୟର 1.03 ହଜାର ପ୍ରାର୍ଥୀ ବେକାର ଅଛନ୍ତି | ସେମାନଙ୍କ ମଧ୍ୟରେ ଏମ୍ଟେକ୍, ବିଟେକ୍, ଏମବିବିଏସ୍, ଆଇଟିଆଇ, ଡିପ୍ଲୋମା ଆଦି ସାଟିର୍ଫିକେଟଧାରୀ ରହିଛନ୍ତି | ଏମାନଙ୍କ ବ୍ୟତିତ ଏମଏ, ଏମଏସସି, କୃଷି ସ୍ନାତକ, ବିଏଡ଼୍, ଏମଏଡ଼୍, ଏଲଏଲଏମ, ଏଲଏଲବି, ବିଏ, ବିଏସସି ଆଦି ଡିଗ୍ରୀ ହାସଲ କରିଥିବା 9 ଲକ୍ଷ ଉପରେ ପ୍ରାର୍ଥୀ ମଧ୍ୟ ବେକାର ଅଛନ୍ତି | ବେକାରଙ୍କ ମଧ୍ୟରେ 7.72 ଲକ୍ଷ ହେଉଛନ୍ତି ପୁଅ ଓ 3.13 ଲକ୍ଷ ହେଉଛନ୍ତି ଝିଅ | ବର୍ଷକୁ ଲକ୍ଷଲକ୍ଷ ନିଯୁକ୍ତି ସୃଷ୍ଟି କରୁଥିବାର ଘୋଷଣା ଓ ପ୍ରତିଶ୍ରୁତି ଦେଉଥିବା ସରକାର ଏହି ବେକାରମାନଙ୍କୁ କାହିଁକି ନିଯୁକ୍ତି ସୁଯୋଗ ଦେଇପାରୁ ନାହାନ୍ତି ? ସେମାନେ ଅକର୍ମଣ୍ୟ ନା ଅଶିକ୍ଷିତ ? ସେମାନଙ୍କ ଶିକ୍ଷା ଓ ଡିଗ୍ରୀର କ’ଣ କିଛି ମୂଲ୍ୟ ନାହିଁ ? ଯଦି ନାହିଁ, କାହିଁକି ? ରାଜ୍ୟ ସରକାର ଏମିତି କେତେ ନିମ୍ନ ମାନର ଶିକ୍ଷା ବ୍ୟବସ୍ଥା କରିଛନ୍ତି କି ଓଡ଼ିଆ ପ୍ରାର୍ଥୀମାନେ ନିଯୁକ୍ତି ବଜାରରେ ନିଜ ଯୋଗ୍ୟତାର ପ୍ରମାଣ ଦେଇପାରୁ ନାହାନ୍ତି ? ରାଜ୍ୟ ସରକାର ରାଜ୍ୟରେ ସୃଷ୍ଟି କରୁଥିବା ନିଯୁକ୍ତି ସୁଯୋଗକୁ ଶିଳ୍ପପତି ଓ ବ୍ୟବସାୟୀଙ୍କ ସହଯୋଗରେ ରାଜ୍ୟ ବାହାରର ପ୍ରାର୍ଥୀମାନେ ହଡ଼ପ କରୁଛନ୍ତି କି ? ସେଥିରେ ରାଜ୍ୟର ଶାସନ ଓ ପ୍ରଶାସନ କଳର କିଛି ଭୂମିକା ରହିଛି କି ? ଓଡ଼ିଶାର ବେକାର ଯୁବକଯୁବତୀମାନେ ଏସବୁ ପ୍ରଶ୍ନ ଉପରେ ଗଭୀର ଭାବେ ଅନୁଶୀଳନ କରିବା ସହିତ ଭବିଷ୍ୟତରେ ସେହି ଅନୁସାରେ ନିଷ୍ପତ୍ତି ଗ୍ରହଣ କରିବା ଉଚିତ |

Share :