ନବୀନଙ୍କ ପ୍ରଥମ ସୁରକ୍ଷା କବଚ କଂଗ୍ରେସ

ନବୀନଙ୍କ ପ୍ରଥମ ସୁରକ୍ଷା କବଚ କଂଗ୍ରେସ

Share :

ଦେବେନ୍ଦ୍ର ପୃଷ୍ଟି ସେତେବେଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥିଲେ। ଡକ୍ଟର ମନମୋହନ ସିଂହ ହିଁ ପ୍ରଧାନମନ୍ତ୍ରୀ ପଦରେ ଥିଲେ। କଂଗ୍ରେସ ନେତୃତ୍ବାଧୀନ ମିଳିତ ପ୍ରଗତିଶୀଳ ମେଣ୍ଟ ବା ଉପା ସରକାର। ଉପାର ଅଧ୍ୟକ୍ଷ ଥିଲେ ସୋନିଆ ଗାନ୍ଧୀ, ଏବେକାର କଂଗ୍ରେସ ସଭାପତି ରାହୁଳ ଗାନ୍ଧୀଙ୍କ ମା’। ସେତେବେଳେ ସୋନିଆ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ଥିଲେ। ହେଲେ ଡକ୍ଟର ମନମୋହନ ସିଂହଙ୍କ ଉପା ସରକାର ଏବଂ ସୋନିଆ ଗାନ୍ଧୀଙ୍କ କଂଗ୍ରେସ ଓଡ଼ିଶାର ନବୀନ ପଟ୍ଟନାୟକ ସରକାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ତିନି ତିନି ଥର ବର୍ତ୍ତିଗଲେ ନବୀନ ସରକାର। ପ୍ରଥମ ଥର ୨୦୦୮ ମସିହାରେ। ୨୦୦୮ ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଚକାପାଦ ଆଶ୍ରମର ପରିଚାଳକ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସହିତ ତାଙ୍କର ୪ ଜଣ ଅନୁଗତଙ୍କୁ ନୃଶଂସ ଭାବେ ହତ୍ୟା କରାଗଲା। ସେହି ଘଟଣା କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କଲା। ରାଜ୍ୟ ସରକାର ପରିସ୍ଥିତି ନିୟନ୍ତ୍ରଣ କରିବା ପରିବର୍ତ୍ତେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ମର ଶରୀର ଶୋଭାଯାତ୍ରା ପାଇଁ ଅନୁମତି ଦେଲେ। ଏହି ଶୋଭାଯାତ୍ରା କନ୍ଧମାଳର ଖୀରସ୍ତାନ ଅଧ୍ୟୁସିତ ଅଂଚଳ ଦେଇ ଗତିକଲା ଓ ସ୍ବାମୀଙ୍କୁ ଖୀରସ୍ତାନ ପାଦ୍ରୀମାନେ ସୁପାରି କିଲରଙ୍କ ଜରିଆରେ ହତ୍ୟା କରିଛନ୍ତି ବୋଲି ଦକ୍ଷିଣପନ୍ଥୀମାନେ ସନ୍ଦେହ କରୁଥିବାରୁ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହେଲା। ସରକାରଙ୍କ କୋହଳ ମନୋଭାବ ଯୋଗୁଁ ସେହି ଦଙ୍ଗାରେ ସମଗ୍ର ରାଜ୍ୟରେ ୬୦୦ ଗାଁରେ ହିଂସାକାଣ୍ଡ ବ୍ୟାପିଗଲା, ୫୬୦୦ ଘରୁ ସଂପତ୍ତି ଲୁଟ୍‌ କରିବା ପରେ ଜଳେଇ ଦିଆଗଲା, ୫୪ ହଜାର ଲୋକ ବେଘର ହେଲେ ଏବଂ ୩୯ ଜଣ ଲୋକଙ୍କୁ ନୃଶଂସ ଭାବେ ହତ୍ୟା କରାଗଲା। ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଏପି ଶାହାଙ୍କ ଅଧ୍ୟକ୍ଷତାରେ ଗଠିତ ଜନ ଆୟୋଗ ଏହି ରିପୋର୍ଟ ଦେଇଥିଲେ। କ୍ଷୟକ୍ଷତି ଏହାଠାରୁ ଯଥେଷ୍ଟ ଅଧିକ ଥିଲା। ଦଙ୍ଗାର ଭୟାବହତା ଏପରି ଥିଲା ଯେ ଉତ୍ତ୍ୟକ୍ତ ଲୋକମାନେ ସୁଦୂର ବରଗଡ଼ ଜିଲ୍ଲାରେ ଏକ ଅନାଥାଶ୍ରମ ଜଳେଇ ଦେଲେ ଓ ସେଠାରେ କାମ କରୁଥିବା ଜଣେ ହିନ୍ଦୁ ଝିଅ ମଧ୍ୟ ଜୀଅନ୍ତ ଜଳିଗଲା। ଏହି ସମୟରେ ରାଜ୍ୟରେ ଆଇନଶୃଙ୍ଖଳା ବୋଲି କିଛି ନଥିଲା। ଅରାଜକତା ଆବୋରି ବସିଥିଲା ସାରା ଓଡ଼ିଶାକୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗୃହମନ୍ତ୍ରୀ ଭାବେ ସଂପୂର୍ଣ୍ଣ ବିଫଳ ହୋଇଥିଲେ। ଆଇନର ଶାସନ ଉଜୁଡ଼ି ଯାଇଥିଲା। ସମ୍ବିଧାନ ଅକାମୀ ହୋଇଯାଇଥିଲା। ଠିକ ସେହି ସମୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ଜରୁରୀ ଥିଲା। ସଥିପାଇଁ ଯୁକ୍ତି ଥିଲା, ତଥ୍ୟ ଥିଲା, ପରିସ୍ଥିତି ବି ତାହା ଦାବି କରୁଥିଲା। କିନ୍ତୁ ସୋନିଆ ଗାନ୍ଧୀଙ୍କ କଂଗ୍ରେସ ନେତୃତ୍ବରେ ଚାଲିଥିବା ଉପା ସରକାର ତାହା କଲେ ନାହିଁ। ସୋନିଆ ନିଜେ ଖୀରସ୍ତାନ। କନ୍ଧମାଳ ଦଙ୍ଗାର ଶିକାର ହୋଇଥିଲେ ଅଧିକାଂଶ ଖୀରସ୍ତାନ। ତଥାପି ସେ ନିରବ ରହିଲେ। ଭାରତ ସରକାର ନିଷ୍କ୍ରିୟ ରହିଲେ। ଓଡ଼ିଶା ସରକାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ନବୀନ ସରକାର ବର୍ତ୍ତିଗଲେ। ବର୍ତ୍ତିଗଲେ ଏଇଥି ପାଇଁ ଯେ ପରବର୍ତ୍ତୀ ୨୦୦୯ ସାଧାରଣ ନିର୍ବାଚନରେ ଦ୍ବିତୀୟ ଉପା ସରକାର ପାଇଁ ଦରକାର ହେଲେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସମର୍ଥନ ଦେବ ବୋଲି ଆଶା କରାଯାଉଥିଲା ଏବଂ ତାହା ହିଁ ହେଲା। ଏବେ ଯେପରି ନବୀନଙ୍କ ବିଜେଡି କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ଏନଡିଏ ସରକାରଙ୍କୁ ବିଭିନ୍ନ ସମୟରେ ସମର୍ଥନ କରୁଛି ଠିକ ସେହିପରି ୨୦୦୯-୧୪ ମଧ୍ୟରେ ମନମୋହନ ସିଂହଙ୍କ ଉପା ସରକାରକୁ ମଧ୍ୟ ବିଜେଡିର ସମର୍ଥନ ଜାରି ରହିଥିଲା। ଦ୍ବିତୀୟ ଥର ମଧ୍ୟ ନବୀନଙ୍କ ଅପାରଗ ବିଜେଡି ସରକାରର ସୁରକ୍ଷା କବଚ ସାଜିଥିଲା କଂଗ୍ରେସ। ୨୦୦୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆସନ ଭାଗବଣ୍ଟାକୁ କେନ୍ଦ୍ର କରି ରାଜ୍ୟରେ ଚାଲିଥିବା ମେଣ୍ଟ ସରକାରକୁ ଓହରି ଯାଇଥିଲା ଭାରତୀୟ ଜନତା ପାର୍ଟି। ଏହା ଫଳରେ ରାଜ୍ୟ ବିଧାନସଭାରେ ନବୀନ ପଟ୍ଟନାୟକଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା। ସରକାର ଚଳେଇବା ପାଇଁ ଆବଶ୍ୟକ ଥିଲା ୭୪ ବିଧାୟକଙ୍କ ସମର୍ଥନ। ବିଜେଡିର ଥିଲେ ୬୧ ଜଣ, ସାଧାରଣ ସଂଖ୍ୟାଗରିଷ୍ଠତାରୁ ୧୩ ନିଅଣ୍ଟ। ସେତେବେଳେ ଯଦି ସୋନିଆ ଗାନ୍ଧୀଙ୍କ କଂଗ୍ରେସ ନବୀନ ପଟ୍ଟନାୟକ ସରକାରଙ୍କୁ କୌଶଳପୂର୍ଣ୍ଣ ସମର୍ଥନ କରି ନଥାନ୍ତା ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବାର ସମସ୍ତ ସମ୍ଭାବନା ଥିଲା। ଭାରତୀୟ ସମ୍ବିଧାନ ଅନୁସାରେ କେନ୍ଦ୍ରର ଉପା ସରକାର କାମ କରିଥିଲେ ରାଷ୍ଟ୍ରପତି ଶାସନ ଚାଲିଥିବାବେଳେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥାନ୍ତା। ଫଳରେ ଶାସନ କଳକୁ ନିଜ ଦଳ ସପକ୍ଷରେ ନେବାର ଅପୂର୍ବ ଅନୁଭୂତି ନବୀନ ପଟ୍ଟନାୟକଙ୍କର ହୋଇ ନଥାନ୍ତା କି ତାଙ୍କ ଦଳ ୨୦୦୯ ନିର୍ବାଚନରେ ୧୦୩ ଆସନ ପାଇ ନଥାନ୍ତା। ସେଥର କେବଳ କେନ୍ଦ୍ରର କଂଗ୍ରେସ ନେତୃତ୍ବାଧୀନ ଉପା ସରକାରଙ୍କ ସୁରକ୍ଷା ଯୋଗୁଁ ନବୀନ ସରକାର ବର୍ତ୍ତିଗଲେ। ଆଉ ଥରେ ମଧ୍ୟ ନବୀନ ଏବଂ ତାଙ୍କ ବିଜେଡି ପାଇଁ ସୁରକ୍ଷା କବଚ ସାଜିଥିଲେ ଉପା ସରକାର। ତାହା ଥିଲା ୨୦୧୩ ମସିହା ଜୁଲାଇ ମାସର କଥା। ସେହି ମାସରେ ଜଷ୍ଟିସ ଏମବି ଶାହା ଓଡ଼ିଶାର ଖଣି ଦୁର୍ନୀତି ନେଇ ତାଙ୍କର ପ୍ରଥମ ରିପୋର୍ଟ ଭାରତ ସରକାରଙ୍କୁ ପ୍ରଦାନ କରିଥିଲେ। ସେହି ରିପୋର୍ଟରେ ସେ ଓଡ଼ିଶାର ଖଣି କ୍ଷେତ୍ରରେ ବ୍ୟାପକ ବେଆଇନ କାର୍ଯ୍ୟ ହୋଇଥିବା ଉଲ୍ଲେଖ କରିଥିଲେ ଏବଂ ତାହାର ସିବିଆଇ ତଦନ୍ତ ପାଇଁ ମଧ୍ୟ ସୁପାରିଶ କରିଥିଲେ। ଏହି ରିପୋର୍ଟ ପାଇବା ପରେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଆହୁରି ପ୍ରାୟ ଏକ ବର୍ଷ କ୍ଷମତାରେ ଥିଲା। ନିର୍ବାଚନ ହେଲା ୨୦୧୪ ଏପ୍ରିଲ ମାସରେ। ତା’ପୂର୍ବରୁ ଯଥେଷ୍ଟ ସମୟ ମିଳିଥିଲେ ବି ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶିତ ଡକ୍ଟର ମନମୋହନ ସିଂହଙ୍କ ପରିଚାଳିତ ଉପା ସରକାର ଏମବି ଶାହ କମିଶନଙ୍କ ରିପୋର୍ଟକୁ ଗ୍ରହଣ କଲେ ନାହିଁ କି ଓଡ଼ିଶା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ନାହିଁ। ଯଦି ତାହା ହୋଇଥାନ୍ତା ତେବେ ନିର୍ବାଚନ ପୂର୍ବରୁ ଶାସକ ବିଜୁ ଜନତା ଦଳର ଅନେକ ବିଧାୟକ ଓ ନେତା ସିବିଆଇ ହାଜତରେ ଥାଆନ୍ତେ ଏବଂ ସଂପୃକ୍ତ ସରକାରୀ ପଦାଧିକାରୀମାନେ ଗିରଫ ହେବା ଆଶଙ୍କାରେ ନିର୍ବାଚନରେ ସରକାରୀ ଦଳକୁ ସହାୟତା କରିନଥାନ୍ତେ। ଦଳ ଓ ସରକାର ବଦନାମ ହୋଇଥାନ୍ତା। ଲୋକେ ନବୀନ ପଟ୍ଟନାୟକଙ୍କ ସରକାରର ଅସଲ ସ୍ବରୂପ ଜାଣିବାର ସୁଯୋଗ ପାଇଥାନ୍ତେ। ଏହି ତିନି ଥର କଂଗ୍ରେସ ଦଳ ନବୀନ ପଟ୍ଟନାୟକଙ୍କୁ ସୁରକ୍ଷା ବଳୟ ଯୋଗାଇଦେବା ପଛରେ ଥିଲେ କେନ୍ଦ୍ର ସରକାରଙ୍କୁ ସମର୍ଥନ। ଆଜି ଭଳି ସେତେବେଳେ ମଧ୍ୟ ବିଜେଡି ସାଂସଦମାନେ ଉପା ସରକାରକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଯୋଗାଇ ଦେଉଥିଲେ। ତା’ ବିନିମୟରେ ୨୦୦୪-୨୦୧୪ ମଧ୍ୟରେ କେନ୍ଦ୍ରରୁ ଯେତେ ମନ୍ତ୍ରୀ ଓଡ଼ିଶା ଆସିଥିଲେ ସମସ୍ତେ ନବୀନ ପଟ୍ଟନାୟକ ସରକାରର ପ୍ରଶଂସା କରିଥିଲେ। ଏବେ ସୋନିଆ ସନ୍ତାନ ରାହୁଳ ଗାନ୍ଧୀ ୨୦୧୯ ଜାନୁଆରୀ ୨୫ ତାରିଖରେ ଭୁବନେଶ୍ବର ଆସି ନବୀନ ପଟ୍ଟନାୟକଙ୍କୁ ଚୋର ବୋଲି କହିବାବେଳକୁ ସେ ତାଙ୍କ କୁର୍ତ୍ତା ପାଇଜାମାରୁ ସବୁଯାକ ଦାଗ ଲିଭେଇ ସାରିଲେଣି। ରାହୁଳ ଚିଟ ଫଣ୍ଡ ଓ ଖଣି ଦୁର୍ନୀତି କଥା ଉଠେଇଛନ୍ତି ସତ ହେଲେ ଏବେ ଆଉ ତାହାକୁ ନେଇ ନବୀନ ପଟ୍ଟନାୟକଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ। ଖଣି ଦୁର୍ନୀତିରେ ଯେପରି କଂଗ୍ରେସ ସରକାର ନବୀନ ପଟ୍ଟନାୟକଙ୍କୁ ସୁରକ୍ଷା ଦେଲେ ଠିକ ସେହିପରି ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ଯୋଗୁଁ ଚିଟ୍‌ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ମଧ୍ୟ ଠିକ ଭାବେ ହେଲା ନାହିଁ ଓ ବିଜେଡି ନେତା ଓ ନବୀନ ସରକାରର ଅମଲାମାନେ ଖସିଗଲେ।

Share :