ବିଜେଡି ଭୁଲିଲା ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ?

ବିଜେଡି ଭୁଲିଲା ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ?

ସରଳ କୁମାର ଦାସ ଚାଷୀମାନଙ୍କ ନିକଟରେ କୃଷି ସ୍ନାତକଙ୍କ ଜରିଆରେ ବୈଷୟିକ ସୁବିଧା ଯୋଗାଇ ଦେବା ପାଇଁ କିଛି ବର୍ଷ ତଳେ ‘କୃଷି କ୍ଲିନିକ ଓ କୃଷି ବ୍ୟବସାୟ କେନ୍ଦ୍ର’ (ଆଗ୍ରି କ୍ଲିନିକ ଆଣ୍ଡ ଆଗ୍ରି ବିଜନେସ ସେଣ୍ଟର) ନାମକ ଏକ ଯୋଜନାର ଅୟମାରମ୍ଭ ହୋଇଥିଲା, ଯେଉଁଥିରେ କେନ୍ଦ୍ର ସରକାରଙ୍କ ସହାୟତା ସହ ବ୍ୟାଙ୍କ ଋଣ ଉପଲବ୍ଧ ଥିଲା। ହେଲେ ଆବଶ୍ୟକ ସଂଖ୍ୟକ ଆଗ୍ରହୀ କୃଷି ସ୍ନାତକଙ୍କ ଅଭାବରୁ ଯୋଜନାଟି ବିଶେଷ ଆଗେଇ ପାରିଲା ନାହିଁ। କୃଷିର ବିକାଶକୁ ଗୁରୁତ୍ବ ଦେବାକୁ ହେଲେ କୃଷି କ୍ଷେତ୍ରରେ ଥିବା ଆହ୍ବାନକୁ ମୁକାବିଲା କରିବା ଦିଗରେ ଚାଷୀଙ୍କୁ ଆବଶ୍ୟକ ପରମର୍ଶ ଦେବା ପାଇଁ ପ୍ରଶିକ୍ଷିତ ଓ ଦକ୍ଷ ମାନବ ସମ୍ବଳର ଯଥେଷ୍ଟ ଆବଶ୍ୟକତା ରହିଛି। କେରଳ ଭଳି ରାଜ୍ୟରେ ପ୍ରତି ୨-୩ଟି ଗାଁ ପାଇଁ ଜଣେ ଲେଖାଏଁ କୃଷି ସ୍ନାତକଙ୍କ ସେବା ଉପଲବ୍ଧ। ଯେଉଁ ସରକାର କୃଷି ଶିକ୍ଷା ଉପରେ ଯେତେ ଅଧିକ ଗୁରୁତ୍ବ ଦିଅନ୍ତି, ସେଠାରେ କୃଷିର ଉନ୍ନତି ହୋଇ ଲୋକଙ୍କର ତଥା ଗ୍ରାମାଞ୍ଚଳର ବିକାଶ ତ୍ବରାନ୍ବିତ ହୋଇଥାଏ। ଜଣେ ଡାକ୍ତରୀ ବା ଇଞ୍ଜିନିଅରିଂ ଛାତ୍ରର ପାଠ ପଢା ବାବଦରେ ରାଜକୋଷରୁ ଯେତିକି ଟଙ୍କା ଖର୍ଚ୍ଚ ହୋଇଥାଏ, ଜଣେ କୃଷି ସ୍ନାତକ ବା ସ୍ନାତକୋତ୍ତର ଛାତ୍ର ପଛରେ ତା’ଠାରୁ ଯଥେଷ୍ଟ କମ ଖର୍ଚ୍ଚ ହୋଇଥାଏ। ଏଥି ସହ ଡାକ୍ତର ଓ ଇଞ୍ଜିନିଅରଙ୍କ କ୍ଷେତ୍ରରେ ପ୍ରତିଭା ପଳାୟନ (ବ୍ରେନ ଡ୍ରେନ)ର ଭୟ ଥିଲେ ମଧ୍ୟ କୃଷି ସ୍ନାତକଙ୍କ କ୍ଷେତ୍ରରେ ତାହା ପ୍ରାୟ ଦେଖା ଯାଇ ନଥାଏ। ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ କୃଷି ଶିକ୍ଷାଦାନ ପ୍ରତି ବିଶେଷ ଆଗ୍ରହ ଦେଖାଉ ନଥିବାରୁ ଏହା ପ୍ରାୟତଃ ସରକାରୀ ପୃଷ୍ଠପୋଷକତା ଉପରେ ନିର୍ଭର କରିଥାଏ। ତେବେ ବିଗତ ଦିନମାନଙ୍କରେ ସରକାର ଏ ବାବଦରେ ଯେଉଁ ଅର୍ଥ ବ୍ୟୟ କରିଛନ୍ତି, ଦେଶରେ ସବୁଜ ବିପ୍ଳବ (କୃଷି), ଶ୍ବେତ କ୍ରାନ୍ତି (କ୍ଷୀର), ନୀଳ କ୍ରାନ୍ତି (ମତ୍ସ୍ୟ), ପୀତ କ୍ରାନ୍ତି (ତୈଳବୀଜ) ଆଦି ଜରିଆରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ଦ୍ବାରା ତା’ଠାରୁ ଯଥେଷ୍ଟ ଅଧିକ ସୁଫଳ ମିଳି ସାରିଛି। ତେଣୁ କୃଷି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ହେଉଥିବା ପୁଞ୍ଜି ବିନିଯୋଗ ନିଶ୍ଚିତ ଭାବେ ଏକ ଅଦରକାରୀ ବ୍ୟୟ ନୁହେଁ, ବରଂ ଏହା କୃଷି ଉତ୍ପାଦନ ଓ ଉତ୍ପାଦକତା ବଢାଇବା ସଙ୍ଗେସଙ୍ଗେ ସମୃଦ୍ଧିର ମାର୍ଗ ପ୍ରଶସ୍ତ କରିଥାଏ। ଦେଶରେ ପ୍ରଥମ କରି ୧୯୬୦ ମସିହାରେ କୃଷି ଶିକ୍ଷା ନୀତି ପ୍ରବର୍ତ୍ତନ ହେବା ପରେ ସେହି ବର୍ଷ ଉତ୍ତରାଖଣ୍ଡ ସ୍ଥିତ ପନ୍ତ ନଗରଠାରେ ଦେଶର ପ୍ରଥମ କୃଷି ବିଶ୍ବିଦ୍ୟାଳୟ ପ୍ରତିଷ୍ଠା ହେଲା। ଠିକ୍ ୨ ବର୍ଷ ପରେ ୧୯୬୨ରେ ଭୁବନେଶ୍ବରଠାରେ ଦେଶର ଦ୍ବିତୀୟ କୃଷି ବିଶ୍ବିଦ୍ୟାଳୟ ଭାବେ ଓଡିଶା କୃଷି ଓ ବୈଷୟିକ ବିଶ୍ବିଦ୍ୟାଳୟ (ଓୟୁଏଟି) ପ୍ରତିଷ୍ଠା ହେବା ବାସ୍ତବିକ ଆମ ପାଇଁ ଗର୍ବର ବିଷୟ। ସେତେବେଳେ ଓଡିଶାରେ ମାତ୍ର ଦୁଇଟି ଲେଖାଏଁ ଇଞ୍ଜିନିଅରିଂ କଲେଜ ଓ ମେଡିକାଲ କଲେଜ ଥିଲା। ଇତି ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଖ୍ୟାଧିକ ଇଞ୍ଜିନିଅରିଂ ଓ ମେଡିକାଲ କଲେଜ ସ୍ଥାପିତ ହୋଇ ସାରିଲାଣି। ସେହିପରି ବିଭିନ୍ନ ରାଜ୍ୟରେ ୬୭ଟି କୃଷି ବିଶ୍ବିଦ୍ୟାଳୟ, ୫ଟି ଡିମଡ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଲାଣି। ଚାରୋଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ କୃଷି ପାଠ୍ୟକ୍ରମ ଶିକ୍ଷାଦାନର ବ୍ୟବସ୍ଥା ହୋଇଛି। ଉତ୍ତର ପ୍ରଦେଶରେ ସର୍ବାଧିକ ୮ଟି ବିଶ୍ବବିଦ୍ୟାଳୟ ଥିବା ବେଳେ ମହାରାଷ୍ଟ୍ର ଓ ରାଜସ୍ଥାନରେ ୬ଟି ଲେଖାଏଁ, ଗୁଜରାଟ ଓ କର୍ଣ୍ଣାଟକରେ ୫ଟି ଲେଖାଏଁ ଓ ଆନ୍ଧ୍ର ପ୍ରଦେଶ, ହରିଆନା, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଭଳି ରାଜ୍ୟମାନଙ୍କରେ ୩ଟି ଲେଖାଏଁ କୃଷି ବିଶ୍ବିଦ୍ୟାଳୟ ପ୍ରତିଷ୍ଠା ହୋଇସାରିଲାଣି। ଏପରିକି ଛତିଶଗଡ, ଉତ୍ତରାଖଣ୍ଡ, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ବିହାର, ତେଲେଙ୍ଗାନା ଭଳି ରାଜ୍ୟଗୁଡିକରେ ମଧ୍ୟ ୨ଟି ଲେଖାଏଁ କୃଷି ବିଶ୍ବବିଦ୍ୟାଳୟ ରହିଛି। ହେଲେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଓଡ଼ିଶାରେ ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଆନ୍ତରିକତା ଦେଖାଇ ନାହାନ୍ତି। ଓୟୁଏଟିର ୧୦ଟି କଲେଜରେ ୫୩ଟି ବିଷୟରେ ପଢିବା ପାଇଁ ପ୍ରତିବର୍ଷ ପ୍ରାୟ ୧୯୦୦ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି। ତେବେ ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ସେମାନଙ୍କୁ ବୈଷୟିକ ସହାୟତା ପ୍ରଦାନ କରିବା ପାଇଁ ଅଧିକ ସଂଖ୍ୟକ ପ୍ରଶିକ୍ଷିତ କୃଷି ସ୍ନାତକଙ୍କର ଆବଶ୍ୟକତା ରହିଛି। ଅବିଭାଜିତ କୋରାପୁଟ ଜିଲ୍ଲା ଧାନର ଜନ୍ମ ସ୍ଥାନ ବୋଲି ଗ୍ରହଣ କରାଯାଉଥିବାରୁ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବିଦ୍ୟାଳୟରେ କୃଷି ପାଠ୍ୟକ୍ରମ ପ୍ରଚଳନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇପାରେ। ଏଥି ସହିତ କେବିକେ ଅଞ୍ଚଳରେ ଏକ କୃଷି ବିଶ୍ବିଦ୍ୟାଳୟ ପ୍ରତିଷ୍ଠା କରିବାର ଆବଶ୍ୟକତା ଅନୁଭୂତ ହେଉଛି। ଏଥିରେ ପଶୁ ଚିକିତ୍ସା ଓ ପଶୁ ବିଜ୍ଞାନ ମହାବିଦ୍ୟଳୟକୁ ମଧ୍ୟ ସମ୍ମିଳିତ କରାଯାଇପାରେ ବା ଅନ୍ୟ ଏକ ସ୍ବତନ୍ତ୍ର ପଶୁ ତିକିତ୍ସା ଓ ପଶୁ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇପାରେ। ଉଚ୍ଚତର ଶିକ୍ଷା କ୍ଷେତ୍ରରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପରି ଦେଶରେ କୃଷି ଶିକ୍ଷାର ମାନକୁ ବଜାୟ ରଖିବାର ଦାୟିତ୍ବ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଉପରେ ନ୍ୟସ୍ତ। କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସର୍ବନିମ୍ନ ଆବଶ୍ୟକତା ତଥା କେତେ ପରିମାଣର ଜମି ଦରକାର ତାହା ଆସିଏଆର ଦ୍ବାରା ନିର୍ଦ୍ଧାରିତ ହୋଇଛି। ତଦନୁସାରେ କୃଷି, କୃଷି ଇଞ୍ଜିନିଅରିଂ, ବାୟୋଟେକ୍ନୋଲୋଜି, ହୋମ ସାଇନ୍ସ, ଉଦ୍ୟାନ ବିଜ୍ଞାନ, ଡେରି ଟେକ୍ନୋଲୋଜି, ଫୁଡ ଟୋକ୍ନୋଲୋଜି, ମତ୍ସ୍ୟ ପାଳନ, ବନ ବିଜ୍ଞାନ ଓ ସେରିକଲଚର ଭଳି ବିଭାଗର ମହାବିଦ୍ୟାଳୟଗୁଡିକ ପାଇଁ ୧୦ ଏକରରୁ ୧୨୫ ଏକର ମଧ୍ୟରେ ଜମି ଆବଶ୍ୟକ। ବର୍ତ୍ତମାନ ଭବାନୀପାଟଣାଠାରେ ଏକ କୃଷି ମହାବିଦ୍ୟାଳୟ ଥିଲା ବେଳେ, ଚିପିଲିମାଠାରେ ଗୋଟିଏ କୃଷି ଓ ଗୋଟିଏ ଉଦ୍ୟାନ ବିଭାଗର ମହାବିଦ୍ୟାଳୟ ରହିଛି। ଏହି ମହାବିଦ୍ୟାଳୟଗୁଡିକୁ ନୂତନ ବିଶ୍ବବିଦ୍ୟାଳୟ ଅଧୀନକୁ ନେଇ ହେବ। ଛତିଶଗଡ଼ରେ ଯେପରି ବିଭିନ୍ନ ଜିଲ୍ଲାରେ ମହାବିଦ୍ୟାଳୟ ରହିଛି ସେହିପରି ଏଠାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ଆଉ ଚାରି ପାଞ୍ଚଟି ମହାବିଦ୍ୟାଳୟ ପ୍ରତିଷ୍ଠା କରିବା କଥା ଚିନ୍ତା କରାଯାଇପାରେ। ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ପରିମାଣର ଅବ୍ୟବହୃତ ଜମି ମିଳିବାରେ ହୁଏତ ଅସୁବିଧା ହୋଇ ନପାରେ। କେବଳ ଯାହା ପ୍ରଶାସନିକ କାର୍ଯ୍ୟାଳୟ ପାଇଁ କୋଠା, ପରୀକ୍ଷାଗାର, ଯନ୍ତ୍ରପାତି, ଶ୍ରେଣୀଗୃହ, ଛାତ୍ରାବାସ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତା ପାଇଁ ହୁଏତ ଏକକାଳୀନ ୪୦୦ରୁ ୫୦୦ କୋଟି ଟଙ୍କାର ପୁଞ୍ଜି ଦରକାର ହୋଇପାରେ, ଯାହା ବର୍ଷକୁ ପ୍ରାୟ ୧୭ ହଜାର କୋଟି ଟଙ୍କାର କୃଷି ବଜେଟ ପ୍ରସ୍ତୁତ କରୁଥିବା ଏକ ରାଜ୍ୟ ପକ୍ଷରେ ବହନ କରିବା ଏକ ବଡ଼ କଥା ନୁହେଁ। ଇତିମଧ୍ୟରେ ଓୟୁଏଟିରୁ ହଜାର ହଜାର ଯୋଗ୍ୟ ଛାତ୍ର ସୃଷ୍ଟି ହୋଇଥିବାରୁ ପ୍ରସ୍ତାବିତ ବିଶ୍ବବିଦ୍ୟାଳୟରେ ଶିକ୍ଷକତା କରିବାକୁ ଶିକ୍ଷକ ମିଳିବାରେ ଅସୁବିଧା ହେବନାହିଁ। ଗତ ଦୁଇ ବର୍ଷ ଧରି ରାଜ୍ୟ ସରକାର ଓୟୁଏଟିର ରାଜସ୍ବ ବ୍ୟୟ (ରେଭିନ୍ୟୁ ଏକ୍ସପେଣ୍ଡିଚର) ବାବଦରେ ପ୍ରତି ବର୍ଷ ହାରାହାରି ୧୫୦ କୋଟି ଟଙ୍କାର ବଜେଟୀୟ ଆବଣ୍ଟନ କରୁଛନ୍ତି, ଯାହା ତା ପୂର୍ବରୁ ୧୦୦ କୋଟି ଟଙ୍କା ମଧ୍ୟରେ ସୀମିତ ଥିଲା। ତେବେ କେବିକେ ଅଞ୍ଚଳରେ ନୂଆ ବିଶ୍ବବିଦ୍ୟାଳୟଟିଏ ହେଲେ ଏବେ ଓୟୁଏଟି ଅଧୀନରେ ଥିବା ୩୧ଟି କୃଷି ବିଜ୍ଞାନ କେନ୍ଦ୍ର ଓ ବିଭିନ୍ନ ଗବେଷଣା କେନ୍ଦ୍ରଗୁଡିକୁ ସନ୍ନିକଟତା ଆଧାରରେ ଉଭୟ ବିଶ୍ବବିଦ୍ୟାଳୟ ମଧ୍ୟରେ ବାଣ୍ଟି ଦେଇ ହେବ। ଫଳରେ ପ୍ରଶାସନିକ ସୁବିଧା ସହ ସେ ବାବଦରେ ହେଉଥିବା ଖର୍ଚ୍ଚ ସ୍ଥିର ରହିବ। ଅର୍ଥାତ୍, ରାଜସ୍ବ ବ୍ୟୟ ପାଇଁ ବର୍ଷକୁ ହୁଏତ ଆଉ ଅଧିକ ୧୦୦ କୋଟି ଟଙ୍କାର ଆବଶ୍ୟକତା ପଡ଼ିପାରେ। କେବିକେ ଓ ପଶ୍ଚିମ ଓଡିଶାର ଅଧିକାଂଶ ଅଞ୍ଚଳ ବୃଷ୍ଟି ଆଧାରିତ କୃଷି ଉପରେ ନିର୍ଭର କରୁଥିବାରୁ ନୂଆ ବିଶ୍ବବିଦ୍ୟାଳୟ ଗବେଷଣା ଓ ପାଠ୍ୟକ୍ରମରେ ତା ଉପରେ ଗୁରୁତ୍ବ ଦେବା ସହ ଅନ୍ୟ ଆଞ୍ଚଳିକ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦେବ ବୋଲି ଆଶା କରିହେବ। ଓଡ଼ିଶାର ଶାସକ ବିଜୁ ଜନତା ଦଳର ୨୦୧୪ ମସିହା ନିର୍ବାଚନୀ ଘୋଷଣା ପତ୍ରରେ କେବିକେ ଅଞ୍ଚଳରେ ଓଡ଼ିଶାର ଦ୍ବିତୀୟ କୃଷି ବିଶ୍ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦିଆ ଯାଇଥିଲା। ସରକାରଙ୍କ କାର୍ଯ୍ୟକାଳ ପୂରିବାକୁ ଯାଉଥିଲେ ମଧ୍ୟ ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କଥା ତ ଦୂରେ ଥାଉ, ତାହା ଆଲୋଚନା ପରିସରକୁ ମଧ୍ୟ ନ ଆସିବାରୁ ଉଭୟ କୃଷି ଓ କେବିକେ ଅଞ୍ଚଳର ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। ଅତୀତରେ କୃଷି ମନ୍ତ୍ରୀ ରାଜ୍ୟରେ ଏକ ପଶୁ ଚିକିତ୍ସା ଓ ପଶୁ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଗୋପାଳନ ବିଜ୍ଞାନ ମହାବିଦ୍ୟାଳୟ ହେବାର ଘୋଷଣା ହୋଇଥିଲା। ମଜ୍ଜାର କଥା, ପଶୁ ଚିକିତ୍ସା ଓ ପଶୁ ବିଜ୍ଞାନ ବିଶ୍ବବିଦ୍ୟାଳୟ ଓ ପଶୁ ଚିକିତ୍ସା ଓ ପଶୁ ବିଜ୍ଞାନ ମହାବିଦ୍ୟାଳୟ ବାବଦରେ ଗତ ପାଞ୍ଚ ବର୍ଷ ଧରି ନାମକୁ ମାତ୍ର ହଜାରେ ଟଙ୍କା ଲେଖାଏଁ ବଜେଟ ଆବଣ୍ଟନ ହୋଇ ଆସୁଛି ଓ ଗତ ଦୁଇ ବର୍ଷ ହେଲା ସେହି କ୍ରମରେ ଗୋପାଳନ ବିଜ୍ଞାନ ମହାବିଦ୍ୟାଳୟର ନାମ ଯୋଡା ହୋଇ ବଜେଟରେ ହଜାରେ ଟଙ୍କା ଲେଖାଏଁ ଆବଣ୍ଟିତ ହୋଇଛି। ଅର୍ଥାତ୍, ଏଗୁଡିକ ପ୍ରତିଷ୍ଠା ହେବା ସରକାରଙ୍କ ଅଗ୍ରାଧିକାରରେ ଆଦୌ ନାହିଁ। ଉଲ୍ଲେଖଯୋଗ୍ୟ, କେବିକେ ଅଞ୍ଚଳରେ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଲେ ଏହାର ପରିଚାଳନା ପାଇଁ ଅର୍ଥର ଅଭାବ ଉପୁଜି ନପାରେ। କାରଣ ଏଥିପାଇଁ ଆଇସିଏଆର ଜରିଆରେ କେନ୍ଦ୍ର ସରକାରଙ୍କଠାରୁ ପାଣ୍ଠି ଉପଲବ୍ଧ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର କାଳ ବିଳମ୍ବ ନ କରି ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ନିଜ ପ୍ରତିଶ୍ରୁତି ପାଳନ କରିବା ସହ ସର୍ବସାଧାରଣଙ୍କ ଦୀର୍ଘଘ ଦିନର ପ୍ରତୀକ୍ଷାର ଅବସାନ ଘଟାଇବେ ବୋଲି ଆଶା କରାଯାଏ। ୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ ଭୁବନେଶ୍ବର - ୭୫୧୦୧୨ ମୋ- ୯୪୩୭୦୩୮୦୧୫

Share :