ସ୍ବ ଅଧ୍ୟାୟାନ ମା ପ୍ରମଦଃ

ସ୍ବ ଅଧ୍ୟାୟାନ ମା ପ୍ରମଦଃ

Share :

ପି. କେ. ମିଶ୍ର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତିରିକ୍ତ ସଚିବ (୨୦୧୯ ଜାନୁଆରୀ ୫ ତାରିଖରେ ଅନୁଷ୍ଠିତ ଗଙ୍ଗାଧର ମେହେର କଲେଜର ପ୍ରଥମ ସମାବର୍ତ୍ତନ ଉତ୍ସବରେ ପ୍ରଦତ୍ତ ଅଭିଭାଷଣର ସଂପାଦିତ ଅଂଶ।) କୁଳପତି ପ୍ରଫେସର ଏକେ ପତି, ସିନେଟ, ସିଣ୍ଡିକେଟ ଏବଂ ଏକାଡେମିକ କାଉନସିଲର ସଦସ୍ୟଗଣ, ଅଧ୍ୟାପକ ଏବଂ କର୍ମଚାରୀ ଗଣ, ସମ୍ମାନନୀୟ ଅତିଥିଗଣ, ଅଭିଭାବକ ଏବଂ ମୋର ପ୍ରିୟ ଛାତ୍ରଛାତ୍ରୀମାନେ! ଆପଣମାନଙ୍କ ଗହଣରେ ଆଜି ମୁଁ ଏଠାକୁ ଆସି ବେଶ ଆନନ୍ଦ ଅନୁଭବ କରୁଛି। ମୁଁ ପ୍ରଫେସର ପତି ଏବଂ ତାଙ୍କ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଉଛି, ମୋତେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବକୁ ଆମନ୍ତ୍ରଣ କରିଥିବାରୁ, ଯାହା ଆମ ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। ଆହୁରି, ୭୫ ବର୍ଷ ତଳେ ନିଜର ଯାତ୍ରା ଆରମ୍ଭ କରିଥିବା ଏହି ଶିକ୍ଷାନୁଷ୍ଠାନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ। ୧୯୪୪ରେ ଏହା ସମ୍ୱଲପୁର କଲେଜ ଭାବେ ଆତ୍ମପ୍ରକାଶ କରିଥିଲା ଏବଂ ୧୯୪୯ରେ ଗଙ୍ଗାଧର ମେହେର କଲେଜ ଭାବେ ପୁନଃନାମିତ ହୋଇଥିଲା, ୧୯୯୧ରେ ସ୍ୱୟଂଶାସିତ ମାନ୍ୟତା ଏବଂ ୨୦୧୫ରେ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲା। ଆମ ସମସ୍ତଙ୍କ ପାଇଁ ଏହା ଏକ ଭାବପ୍ରବଣ ଏବଂ ଉତ୍ସାହପୂର୍ଣ୍ଣ ମୁହୂର୍ତ୍ତ ଯେ ବର୍ଷବ୍ୟାପୀ ପ୍ଲାଟିନମ ଜୟନ୍ତୀ ପାଳନ ଅବସରରେ ଏହି ଶିକ୍ଷାନୁଷ୍ଠାନର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେଉଛି। ନୂଆ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ତଥା ତତ୍କାଳୀନ ଗଙ୍ଗାଧର ମେହେର କଲେଜ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ନାମରେ ନାମିତ ହୋଇଛି ତଥା ଏହା ଏପରି ଏକ ସ୍ଥାନରେ ରହିଛି ଯାହା ଆମର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟକୁ ପ୍ରତିଫଳିତ କରୁଛି। ଏହା ବୀର ସୁରେନ୍ଦ୍ର ସାଏଙ୍କ ମାଟି, ଯିଏ ୧୮୫୭-୫୮ର ପ୍ରଥମ ସ୍ୱାଧୀନତା ସଂଗ୍ରାମର ୩୦ ବର୍ଷ ପୂର୍ବରୁ ଉପନିବେଶ ଶାସନ ବିରୋଧରେ ଯୁଦ୍ଧ କରିଥିଲେ। ଏଠାରେ ବିଭିନ୍ନ ଐତିହାସିକ ସ୍ମାରକୀ ରହିଛି। ହୀରାକୁଦ ନଦୀବନ୍ଧ ସ୍ୱାଧୀନ ଭାରତର ବିକାଶ ପ୍ରୟାସର ପ୍ରାରମ୍ଭିକ ସ୍ୱର୍ଣ୍ଣିମ ପ୍ରତୀକ। ନିଜର ଅଭିନବ ନମୁନା, ଶୈଳୀ ଏବଂ ସ୍ୱରୂପ ପାଇଁ ସ୍ଥାନୀୟ ହସ୍ତତନ୍ତ ବସ୍ତ୍ର ଅନ୍ତର୍ଜାତୀୟ ମାନ୍ୟତା ଲାଭ କରିଛି। ଏହି ଅଂଚଳରେ ସମୃଦ୍ଧ ଜନଜାତୀୟ ଐତିହ୍ୟ ଏବଂ ଚମତ୍କାର ଜଙ୍ଗଲ କ୍ଷେତ୍ର ରହିଛି। ମୋର ବିଶ୍ୱାସ, ଏହି ପୃଷ୍ଠଭୂମି ସହିତ ନୂତନ ବିଶ୍ୱବିଦ୍ୟାଳୟ ଶିକ୍ଷା, ଅଧ୍ୟୟନ ଏବଂ ଗବେଷଣାର ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ନିଜର ଭବିଷ୍ୟତ ଯାତ୍ରା ଜାରି ରଖିବ। କେବଳ ଏହି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ମୋ ପାଇଁ ଗୌରବ ଏବଂ ସୌଭାଗ୍ୟର ମୁହୂର୍ତ୍ତ ନୁହେଁ, ବରଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଗଙ୍ଗାଧର ମେହେର କଲେଜରୁ ମୁଁ ୧୯୭୦ ମସିହାରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲି। ତେଣୁ ସେହି ପୂର୍ବ ଦିନଗୁଡ଼ିକର ଅନେକ ଅଭୁଲା ସ୍ମୃତି ଆଜି ମୋ ମନରେ ଉଙ୍କି ମାରୁଛି। ପଛକୁ ଚାହିଁଲେ, ଆଜି ମୁଁ ଏହା ବିଶ୍ୱାସ କରିପାରୁନାହିଁ ଯେ ସେବେଠାରୁ ପାଖାପାଖି ଅର୍ଦ୍ଧଶତାବ୍ଦୀ ବିତିସାରିଲାଣି। ମୁଁ ଏପରି ଏକ ଦିନର କେବେ ପରିକଳ୍ପନା କରିନଥିଲି ଯେ ଦିନେ ଏହା ଏକ ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଏବଂ ମୁଁ ଏହାର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବି। ଆଜି ସ୍ନାତକ, ସ୍ନାତୋକୋତ୍ତର ଏବଂ ଡକ୍ଟରେଟ ଡିଗ୍ରୀ, ସମ୍ମାନ ଏବଂ ପଦକ ଗ୍ରହଣ କରିବାକୁ ଯାଉଥିବା ସବୁ ଛାତ୍ରଛାତ୍ରୀଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି। ମୋର ବିଶ୍ୱାସ ଯେ ଏହି ମାଇଲଖୁଂଟ ଆଗାମୀ ଦିନରେ ଅନେକଙ୍କ ପାଇଁ ମୂଳଦୁଆ ହେବ। ପ୍ରିୟ ଛାତ୍ରଛାତ୍ରୀଗଣ, ଆଜି ଆପଣମାନେ ନିଜ ସହିତ କେବଳ ନିଜର ମାର୍କ କିମ୍ୱା ଡିଗ୍ରୀ ନେଇକି ଯିବେ ନାହିଁ, ବରଂ ଏହାଠାରୁ ଆହୁରି ଅଧିକ କିଛି ନେଇ କରି ଯିବେ। ଏଠାରେ ଆପଣମାନେ ଅର୍ଜନ କରିଥିବା ଅଭିଜ୍ଞତା-ଆପଣମାନେ ଏଠାରେ ପ୍ରତିଷ୍ଠା କରିଥିବା ସମ୍ପର୍କ ଏବଂ ସବୁଠାରୁ ଅଧିକ ଏଠାରୁ ଗ୍ରହଣ କରିଥିବା ଶିକ୍ଷା ଆପଣଙ୍କ ସହିତ ରହିଥିବ। ମୁଁ ନିଶ୍ଚିତ ଯେ ଶ୍ରେଣୀ ଭିତରେ ଆପଣମାନେ ଯେତିକି ଶିଖିଥିବେ ଶ୍ରେଣୀଗୃହ ବାହାରେ ମଧ୍ୟ ସେତିକି ଶିକ୍ଷା ଲାଭ କରିଥିବେ। ଏସବୁ ବାର୍ତ୍ତାଳାପ ଏବଂ ବନ୍ଧୁତାକୁ ଉପଭୋଗ କର। ମନେ ରଖ, ଆଜି ଆପଣମାନେ ସ୍ନାତକୋତ୍ତୀର୍ଣ୍ଣ ହେଉଛନ୍ତି, ଏହା କେବଳ ଆପଣଙ୍କର ଉପଲବ୍ଧି ନୁହେଁ। ପିଲାଦିନୁ ଆଜି ପର୍ଯ୍ୟନ୍ତ ଆପଣମାନେ ଆପଣମାନଙ୍କ ଅଭିଭାବକ, ଆପଣମାନଙ୍କ ଶିକ୍ଷକମାନଙ୍କ ମିଳିତ ପ୍ରୟାସର ଅନ୍ତିମ ଉପାଦାନ। ଆପଣମାନଙ୍କ ଏହି ଉପଲବ୍ଧିରେ ଅଣଶିକ୍ଷକ ପ୍ରଶାସନିକ କର୍ମଚାରୀ ଏବଂ ପାଠାଗାରର କର୍ମଚାରୀ, ଛାତ୍ରାବାସର ରୋଷେୟା ଏବଂ ପରିବେଷଣକାରୀ ଏବଂ ସଫେଇ କର୍ମଚାରୀ ଏବଂ ବଗିଚା ମାଳିର ମଧ୍ୟ ଭୂମିକା ରହିଛି। ଆପଣଙ୍କ ସଫଳତାରେ ପ୍ରତ୍ୟେକ ନିଜ ନିଜ ଭୂମିକା ନିର୍ବାହ କରିଛନ୍ତି। ଆପଣମାନେ ନିଶ୍ଚିତ ଭାବେ ସେମାନଙ୍କ ସହଯୋଗକୁ ସ୍ୱୀକାର କରିବା ଉଚିତ ଏବଂ ସବୁବେଳେ ମନେ ରଖିବା ଉଚିତ ଯେ କେହି ବ୍ୟକ୍ତି ଏକାକୀ ନିଜେ ସଫଳ ହୋଇପାରିନାହିଁ। ସ୍ନାତକୋତ୍ତୀର୍ଣ୍ଣ ହେବା କେବଳ ଆପଣମାନଙ୍କ ଶିକ୍ଷାର ଶେଷ ନୁହେଁ, ବରଂ ଏହା ଶ୍ରେଣୀଗୃହ ବାହାରେ ‘ବିଶ୍ୱ’ ନାମକ ଏକ ଶିକ୍ଷା କାର୍ଯ୍ୟକ୍ରମରେ ପ୍ରବେଶ କରିବା ଏବଂ ସାରା ଜୀବନ ଶିକ୍ଷାଲାଭ କରିବାର ଏକ ଆରମ୍ଭ ମାତ୍ର। ଋକ୍ ବେଦରେ କୁହାଯାଇଛି ‘ଆ ନୋ ଭଦ୍ରା କ୍ରତବୋ ୟନ୍ତୁଃ ବିଶ୍ୱତଃ’, ‘ସବୁ ଦିଗରୁ ଆମ ନିକଟକୁ ସକାରାତ୍ମକ ବିଚାରର ଆଗମନ ହେଉ।’ ‘ସମାବର୍ତ୍ତନ’ର ଏହି ବିଚାର ଆମର ପ୍ରାଚୀନ ବୈଦିକ ଗୁରୁକୁଳ ବ୍ୟବସ୍ଥାରେ ରହିଥିଲା। ତୈତ୍ତେରିୟ ଉପନିଷଦରେ ସ୍ନାତକୋତ୍ତୀର୍ଣ୍ଣ ଛାତ୍ରକୁ ଗୁରୁ ଦେଉଥିବା ଉପଦେଶ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି। ଶିକ୍ଷାବଳୀ ତାଲିକାର ୧୧ଶ ଅନୁବାକରେ ନୈତିକ ଜୀବନ ଯାପନ ପାଇଁ ସ୍ୱର୍ଣ୍ଣିମ ନିୟମାବଳୀର ଏକ ଶୃଙ୍ଖଳା ଦିଆଯାଇଛି। ସତ୍ୟଂ ବଦ। ଧର୍ମଂ ଚର। (ସତ କୁହ, ଧର୍ମ ଆଚରଣ କର।) ସ୍ୱ ଅଧ୍ୟାୟାନ ମା ପ୍ରମଦଃ। (ଶିକ୍ଷା ଗ୍ରହଣରେ କେବେ ଆଳସ୍ୟ ହୁଅ ନାହିଁ।) ଯାନି ଅନବଦ୍ୟାନି କର୍ମାଣି ତାନି ସେବିତବ୍ୟାନି। (ଯେଉଁ କର୍ମଗୁଡ଼ିକ ନିନ୍ଦନୀୟ ନୁହେଁ, ତାହା କରିବା ଉଚିତ।) ଯାନି ଅସ୍ମାକଂ ସୁଚରିତାନି। ତାନି ତ୍ୱୟା ଉପାସ୍ୟାନି। (ଆମ ଭିତରେ ଯେଉଁ ଉତ୍ତମ ଅଭ୍ୟାସ ରହିଛି; ତାହା ତୁମେ ଗ୍ରହଣ କର।) ଏଷ ଆଦେଶଃ। ଏଷ ଉପଦେଶଃ। ଏଷା ବେଦୋପନିଷତ। ଏତତ୍ ଅନୁଶାସନମ। (ଏହା ହିଁ ଆଦେଶ, ଏହା ହିଁ ଉପଦେଶ, ଏହା ହିଁ ବେଦର ସାର, ଏହା ହିଁ ଅନୁଶାସନ।) ମାନବୀୟ ପ୍ରଗତି ଏବଂ କଲ୍ୟାଣକୁ ତ୍ୱରାନ୍ୱିତ କରିବା ଲାଗି ଶିକ୍ଷା ହେଉଛି ସର୍ବୋପରି ତଥା ଏହା ଅନ୍ତିମ ଲକ୍ଷ୍ୟରେ ପହଁଚାଇବାର ମାଧ୍ୟମ। ଏହି ଲକ୍ଷ୍ୟକୁ ହାସଲ କରିବା କେଉଁ ସ୍ୱରୂପରେ ଆପଣମାନେ ପ୍ରୟାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ- ଆପଣ ଜଣେ ଇଞ୍ଜିନିୟର, ଶିକ୍ଷକ, ଉଦ୍ୟୋଗୀ, ପ୍ରଯୁକ୍ତିବିତ କିମ୍ୱା ସରକାରୀ କର୍ମଚାରୀ ହୋଇପାରନ୍ତି। ଯେତେବେଳେ ଅନ୍ୟମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଆପଣ ନିଜ ଶିକ୍ଷାର ଉପଯୋଗ କରିବେ ସେତେବେଳେ ଭଲ ଭାବେ ଆପଣ ଆପଣଙ୍କ ଶିକ୍ଷାର ଉପଲବ୍ଧି ପାଇପାରିବେ। ଜୀବନର ଏହି ଉତ୍ସାହପ୍ରଦ ଯାତ୍ରା ଆରମ୍ଭ କରିଥିବାରୁ, ଆପଣମାନେ ନିଜକୁ ଦ୍ରୁତ ପ୍ରଗତି ପଥରେ ରଖନ୍ତୁ- କାର୍ଯ୍ୟ ଜାରି ରଖନ୍ତୁ, ଶିକ୍ଷା ଲାଭ କରନ୍ତୁ ଏବଂ ସ୍ୱପ୍ନ ଦେଖି ଚାଲନ୍ତୁ। ଆପଣମାନେ ଇତିହାସର ଏକ ଅପାର ସମ୍ଭାବନାମୟ ସମୟରେ ସ୍ନାତକୋତ୍ତୀର୍ଣ୍ଣ ହେଉଛନ୍ତି। ଆଜି, ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି, ଯାହା କିଛି ବର୍ଷ ହେବ ନିରନ୍ତର ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିଛି। ଆଗକୁ ମଧ୍ୟ ଏହି ଅଭିବୃଦ୍ଧି ହାର ବଜାୟ ରହିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଆକଳନ କରିଛନ୍ତି। ଦୃଢ଼ ଆର୍ଥିକ ମୂଳଦୁଆ, ମିଶ୍ରିତ ଅର୍ଥନୈତିକ ସ୍ଥିରତା, ଏକ ଦୃଢ଼ ସେବା କ୍ଷେତ୍ର ଏବଂ ଅର୍ଥବ୍ୟବସ୍ଥାରେ ବର୍ତ୍ତମାନର ଉଚ୍ଚସ୍ତରୀୟ ଘରୋଇ ଏବଂ ବୈଦେଶିକ ନିବେଶ ଅର୍ଥବ୍ୟବସ୍ଥାକୁ ଉଚ୍ଚ ଅଭିବୃଦ୍ଧି ପଥରେ ରଖିଛି। ଏହି ସମ୍ଭାବନାଗୁଡ଼ିକ ଅପାର। ପାଂଚଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାରତର ସକାରାତ୍ମକ ପ୍ରଗତିକୁ ଆଗେଇ ନେଉଛି : ଭିତ୍ତିଭୂମି ଏବଂ ଯୋଗାଯୋଗ, ଢାଂଚାଗତ ସଂସ୍କାର, ସାମାଜିକ କ୍ଷେତ୍ର ପ୍ରତି ଗୁରୁତ୍ୱ, ନାଗରିକଙ୍କ ସହଜ ଜୀବନଧାରଣ ଏବଂ କୃଷି। ୨୦୧୪ ପରଠାରୁ ଆମେ ଏହି ୫ଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛୁ। ହାସଲ କରାଯାଉଥିବା ଉପଲବ୍ଧୀ କେତେକ ଉଦାହରଣ ଏଠାରେ ମୁଁ ଆପଣମାନଙ୍କୁ ଦେଉଛି। ୧. ପରିବହନ, ଶକ୍ତି, ଡିଜିଟାଲ ଯୋଗାଯୋଗ, ଆବାସ ଏବଂ ସହରାଂଚଳ ଭିତିଭୂମି ସମେତ ଭିତ୍ତିଭୂମି କ୍ଷେତ୍ରରେ ଆମେ ନିବେଶକୁ ବ୍ୟାପକ ଭାବେ ବୃଦ୍ଧି କରିଛୁ। ଉଦାହରଣ ସ୍ୱରୂପ, ୨୦୧୩-୧୪ରେ ୪,୨୬୦ କିମି ଜାତୀୟ ରାଜପଥ ନିର୍ମାଣ କରାଯାଇଥିବା ବେଳେ ୨୦୧୭-୧୮ରେ ଏହାର ଦୁଇଗୁଣା ଅର୍ଥାତ ୯,୨୬୦ କିମି ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ଉଭୟ ଯାତ୍ରୀ ପରିବହନ ଏବଂ ମାଲ ପରିବହନ ଦୃଷ୍ଟିରୁ ପରିବହନ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ପ୍ରଗତି ହୋଇଛି। ୨. ଶେଷ ସୀମାରେ ଥିବା ଗ୍ରାମ ଏବଂ ଗ୍ରାମାଂଚଳ ପରିବାରକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବା ଲାଗି ଦୃଢ଼ ବିଦ୍ୟୁତିକରଣର ପଦକ୍ଷେପ ନିଆଯାଇଛି। ଅକ୍ଷୟ ଶକ୍ତି କ୍ଷେତ୍ରରେ ସୁଦୂରପ୍ରସାରୀ ବିକାଶ ହେଉଛି। ଭାରତନେଟ ଜରିଆରେ ଡିଜିଟାଲ ଯୋଗାଯୋଗକୁ ସମ୍ପ୍ରସାରଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି-୧.୨୨ ଲକ୍ଷ ଗ୍ରାମ ପଂଚାୟତକୁ ଅପ୍ଟିକାଲ ଫାଇବର ମାଧ୍ୟମରେ ଇଂଟରନେଟ ସେବା ଦିଆଯାଇଛି। ୩. ଗ୍ରାମୀଣ ଆବାସ କ୍ଷେତ୍ରରେ, ୧ କୋଟି ଆବାସ ନିର୍ମାଣ ଲକ୍ଷ୍ୟ ମଧ୍ୟରୁ ୬୩ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ କରାଯାଇଛି। ୪. ଢାଂଚାଗତ ସଂସ୍କାର କ୍ଷେତ୍ରରେ ବସ୍ତୁ ଏବଂ ସେବା କର (ଜିଏସଟି) ୨୦୧୭ରେ ଲାଗୁ କରାଯିବା ଭଳି ଐତିହାସିକ ଟିକସ ସଂସ୍କାର ପଦକ୍ଷେପ ନିଆଯାଇଛି, ଯାହା ଦେଶକୁ ଏକକ ଏବଂ ଏକୀକୃତ ଟିକସ ବ୍ୟବସ୍ଥା ମଧ୍ୟକୁ ଆଣିବା ସହିତ ବାଣିଜ୍ୟରେ ଥିବା ବାଧା ଦୂର କରିଛି। ଦେବାଳିଆ ଏବଂ ଦେବାଳିଆପଣ ସଂହିତା (ଆଇବିସି)ର କାର୍ଯ୍ୟାନ୍ୱୟନ ଦ୍ୱାରା ଋଣଦାତା ଏବଂ ଗ୍ରହିତାଙ୍କ ସମ୍ପର୍କ ପରିବର୍ତ୍ତନ ହୋଇଛି, ଯାହା ଅର୍ଥବ୍ୟବସ୍ଥାରେ ଅଧିକ ନିବେଶ ପାଇଁ ବାଟ ଖୋଲିଛି। ଏସବୁ ବ୍ୟତୀତ, ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ, ଡିଜିଟାଲ ଟିକସ ପଇଠ ବ୍ୟବସ୍ଥା ଏବଂ ବ୍ୟବସାୟ ପଞ୍ଜିକରଣ ପ୍ରକ୍ରିୟାକୁ ସହଜ କରିବା ଭଳି ପଦକ୍ଷେପ ନିଆଯାଇଛି। ୫. ଅର୍ଥନୈତିକକ ଅଭିବୃଦ୍ଧି ଏବଂ ଜନକଲ୍ୟାଣରେ ସାମାଜିକ କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରାଯାଇ ଗରିବ ପରିବାରଗୁଡ଼ିକୁ ଚିକିତ୍ସାଜନିତ ଖର୍ଚ୍ଚରୁ ସୁରକ୍ଷା ଦେବା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଉନ୍ନତି ଅଣାଯିବା ସୁନିଶ୍ଚିତ କରାଯାଇପାରିଛି। ଦେଶର ୧୧ କୋଟି ଗରିବ ଏବଂ ବଂଚିତ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା ଏବଂ ବିସ୍ତୃତ ସ୍ୱାସ୍ଥ୍ୟସେବା ଲାଗି ୧.୫ ଲକ୍ଷ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଜାଣନ୍ତି ଯେ ବର୍ତ୍ତମାନ ଜାରି ରହିଥିବା ସ୍ୱଚ୍ଛ ଭାରତ ଅଭିଯାନ, ମିଶନ ଇନ୍ଦ୍ରଧନୁଷ (ଶିଶୁ ଏବଂ ମହିଳାଙ୍କ ଟିକାକରଣ), ଉଜ୍ଜ୍ୱଳା (ଗରିବ ପରିବାର ମହିଳାମାନଙ୍କୁ ମାଗଣା ଏଲପିଜି ଗ୍ୟାସ ସଂଯୋଗ ଦେବା) ଏବଂ ଅନ୍ୟାନ୍ୟ ପଦକ୍ଷେପ ଗ୍ରାମୀଣ ଏବଂ ସହରାଂଚଳରେ ସୁସ୍ଥ ଜୀବନଯାପନର ମୂଳଦୁଆ ପକାଇସାରିଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇ ଉନ୍ନତ ମାନ, କ୍ଷମତା ନିର୍ମାଣ ଏବଂ ଉନ୍ନତମାନର ଶିକ୍ଷା ଫଳାଫଳ ଆଣିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ୬. ଜନ ଧନ-ଆଧାର-ମୋବାଇଲ କାରଣରୁ ପୂର୍ବାପେକ୍ଷା ଉଚ୍ଚ ଆର୍ଥିକ ସେବା ପାଇଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ବିଶ୍ୱର ସର୍ବବୃହତ ବାୟୋମେଟ୍ରିକ ବ୍ୟବସ୍ଥା ଆଧାର ଅଧୀନରେ ଭାରତର ୯୯ ପ୍ରତିଶତ ଜନସଂଖ୍ୟା ସାମିଲ ହୋଇପାରିଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ୩୩ କୋଟି ହିତାଧିକାରୀ ଏକ ରେକର୍ଡ ସମୟରେ ବ୍ୟାଙ୍କ ଏକାଉଂଟ ଖୋଲିପାରିଛନ୍ତି। ଡିଜିଟାଲ ପେମେଂଟ ନାଗରିକମାନଙ୍କ କାରବାର ବ୍ୟୟକୁ ହ୍ରାସ କରିଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)ର ଶୁଭାରମ୍ଭ କରାଯାଇ ୪୩୩ଟି ସରକାରୀ ଯୋଜନାରେ ସିଧାସଳଖ ବ୍ୟାଙ୍କ ଏକାଉଂଟକୁ ଲାଭ ହସ୍ତାନ୍ତର କରାଯାଇଛି ଯାହା ଦଲାଲି ଉଚ୍ଛେଦ କରିବା ସହିତ ବାଟମାରଣା ବନ୍ଦ କରିଛି ଏବଂ ପାରଦର୍ଶିତା ବୃଦ୍ଧି କରିଛି। ୭. ବିଶ୍ୱବ୍ୟାଙ୍କ ବ୍ୟବସାୟିକ ସୁଗମତା ମାନ୍ୟତାରେ ୨୦୧୪ ପରଠାରୁ ଭାରତ ୬୫ଟି ସ୍ଥାନ ଉପରକୁ ଉଠିଛି, ଯଦ୍ଦ୍ୱାରା ବୈଦେଶିକ ନିବେଶ ଲାଗି ଏହା ଅଧିକ ଆକର୍ଷଣୀୟ ସ୍ଥାନ ହୋଇପାରିଛି। ଏମସଏମଇ (ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) ପାଇଁ ନିକଟରେ ନିଆଯାଇଥିବା ପଦକ୍ଷେପ ଘରୋଇ ନିବେଶ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ। ମୁଁ ଏହା ଉଲ୍ଲେଖ କରି ଆନନ୍ଦିତ ଯେ ବିଶ୍ୱବିଦ୍ୟାଳୟ ୫ଟି ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଛି। କୃଷି କ୍ଷେତ୍ର ଏବଂ ଗ୍ରାମୀଣ ଅର୍ଥନୀତି ପ୍ରସଙ୍ଗର ତର୍ଜମା କରିବା ଛାତ୍ରଛାତ୍ରୀ ଏବଂ ଗବେଷକଙ୍କ ପାଇଁ ସାର୍ଥକ ହେବ। ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି)ରେ କୃଷି କ୍ଷେତ୍ରର ଅଂଶୀଦାରିତା, ସ୍ୱାଧୀନତା ପରବର୍ତ୍ତୀ ପ୍ରାରମ୍ଭିକ ଦଶନ୍ଧିରେ ୫୨ ପ୍ରତିଶତ ଥିବା ବେଳେ ଏବେ ଏହା ହ୍ରାସ ପାଇ ୧୮ ପ୍ରତିଶତରେ ପହଁଚିଛି। ତେବେ, ୨୦୧୧ ଜନଗଣନା ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଦେଶର ପାଖାପାଖି ଅଧା ଶ୍ରମ ଶକ୍ତି (୪୮ ପ୍ରତିଶତ) କୃଷି କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି ଏବଂ ଗ୍ରାମାଂଚଳ ଜନସଂଖ୍ୟାର ୬୧.୫ ପ୍ରତିଶତ ସେମାନଙ୍କ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ଓଡ଼ିଶା ଭଳି ରାଜ୍ୟରେ କୃଷି ଉପରେ ନିର୍ଭରଶୀଳତା ଆହୁରି ଅଧିକ। ଫସଲ ଉତ୍ପାଦନରେ ବିବିଧତା ଆଣିବା, ନୂତନ ପ୍ରଯୁକ୍ତି ବିକାଶ, କୃଷକମାନଙ୍କୁ ସଚେତନ କରିବା ଏବଂ କୃଷି ଏବଂ ବିପଣନ ଭିତିଭୂମିରେ ଉନ୍ନତି ଆଣିବା ଲାଗି ଦଶନ୍ଧୀ ପରେ ଦଶନ୍ଧି ଧରି ପ୍ରୟାସ କରାଯାଇଆସିଛି। ତଥାପି, ଅନେକ ପ୍ରସଙ୍ଗ ଏବଂ ଆହ୍ୱାନ ରହିଛି। ପ୍ରଥମ ଥର ଲାଗି ଭାରତ ସରକାର କୃଷି ରଣନୀତିରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ଉତ୍ପାଦନ ବୃଦ୍ଧିଠାରୁ କୃଷିଙ୍କ ଆୟ ବୃଦ୍ଧି ଲାଗି ପ୍ରୟାସ କରିଛନ୍ତି। ୨୦୨୨ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ତାଙ୍କର ଲକ୍ଷ୍ୟ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ୨୦୧୬ରେ ଘୋଷଣା କରିଥିଲେ। ଏହା ଆମ ଆଭିମୁଖ୍ୟରେ ଏକ ବୃହତ ପରିବର୍ତ୍ତନ, ଯେଉଁଥିରେ କେବଳ ଉତ୍ପାଦନ ଏବଂ ଉତ୍ପାଦକତା ପରିବର୍ତ୍ତେ କୃଷି ଏବଂ କୃଷକଙ୍କ କଲ୍ୟାଣ ଉପରେ ସ୍ପଷ୍ଟ ଗୁରୁତ୍ୱ ଦିଆଯାଇଛି। କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ସାମଗ୍ରିକ ଲକ୍ଷ୍ୟ ସହିତ ବିଭିନ୍ନ ସଂସ୍କାର ଏବଂ କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଛି ଏକ ସମନ୍ୱିତ ଆଭିମୁଖ୍ୟ ନେଇ ଏହି ପ୍ରୟାସ ଜାରି ରଖାଯାଇଛି। ଏହି ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ବଜାର ସଂସ୍କାର ଜରିଆରେ କୃଷକ ଉତ୍ପାଦଗୁଡ଼ିକୁ ବଜାର ଉପଲବ୍ଧତା ପ୍ରଦାନ କରିବା, ଫସଲ ଅମଳ ପରବର୍ତ୍ତୀ ଭିତ୍ତିଭୂମି ଏବଂ ମୂଲ୍ୟ ସମ୍ୱର୍ଦ୍ଧନ ସୁବିଧା ସୃଷ୍ଟି। ଫସଲ ଅମଳ ଏବଂ ଆର୍ଥିକ ବିପତ୍ତି କାରଣରୁ ହେଉଥିବା କ୍ଷତିରୁ ଚାଷୀକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ବିପତ୍ତି ମୁକାବିଲା ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା ଏହାର ଆଉ ଏକ ଦିଗ। ଏପ୍ରିଲ ୨୦୧୬ରେ ଭାରତ ସରକାର ଜାତୀୟ କୃଷି ବଜାର ଯୋଜନା (ଇ-ନାମ) ସୃଷ୍ଟି ସମ୍ପର୍କରେ ଘୋଷଣା କରିଥିଲେ। ଉନ୍ନତ ମୂଲ୍ୟ ନିର୍ଦ୍ଧାରଣ କରିବା, ନିଜ ଉତ୍ପାଦର ଉଚ୍ଚ ମୂଲ୍ୟ ପାଇବା ଲାଗି କୃଷକମାନଙ୍କୁ ପ୍ରତିଦ୍ୱନ୍ଦ୍ବୀ କରିବା ସହିତ ପାରଦର୍ଶିତା ଆଣିବାକୁ ଦୃଷ୍ଟିରେ ରଖି କୃଷି ବଜାରରେ ସଂସ୍କାର ଆଣିବା ପାଇଁ ଏହା ଏକ ଅଭିନବ ବଜାର ଭିତ୍ତିଭୂମି ଭାବେ ଉଭା ହୋଇଛି। ଏହା କୃଷକମାନଙ୍କ ପାଇଁ ଏକ ଅନଲାଇନ ବାଣିଜ୍ୟ ପ୍ଲାଟଫର୍ମ ଦେଇଛି। ବର୍ତ୍ତମାନସୁଦ୍ଧା ୫୮୫ଟି ମଣ୍ଡି ଇ-ନାମ ସହିତ ଯୋଡ଼ି ହୋଇଛି ଏବଂ ମାର୍ଚ୍ଚ ୨୦୨୦ ସୁଦ୍ଧା ଆହୁରି ୪୧୫ଟି ମଣ୍ଡି ଏହା ସହିତ ଯୋଡ଼ି ହେବ। ୨୨,୦୦୦ ଗ୍ରାମାଂଚଳ ହାଟକୁ ଏକତ୍ରୀକରଣ ଏବଂ କୃଷି ଉତ୍ପାଦଗୁଡ଼ିକର ପ୍ରତ୍ୟକ୍ଷ ବିକ୍ରି ଏବଂ କ୍ରୟ କେନ୍ଦ୍ର ଭାବେ ବିକଶିତ କରାଯିବା ଲାଗି ୨୦୧୮ ବଜେଟରେ ଘୋଷଣା କରାଯାଇଥିଲା। ଉପାନ୍ତ ଗ୍ରାମାଂଚଳରେ କୃଷକମାନଙ୍କୁ ବଜାର ସୁବିଧା ପ୍ରଦାନ କରିବା କ୍ଷେତ୍ରରେ ଏହା ସୁଦୂରପ୍ରସାରୀ ହୋଇପାରିବ। ୨୦୧୬ ଖରିଫ ଋତୁଠାରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏକ ଐତିହାସିକ ପଦକ୍ଷେପ ଥିଲା। ୨୦୧୯-୨୦ ସୁଦ୍ଧା ଭାରତ ଭଳି ଏକ ବିଶାଳ ଦେଶରେ ୫୦ ପ୍ରତିଶତ କୃଷକମାନଙ୍କୁ ସୁଲଭ ପ୍ରିମିୟମ ମୂଲ୍ୟ ସହିତ ଏହି ଯୋଜନାରେ ସାମିଲ କରାଯିବା ଲାଗି ମହତ୍ବାକାଂକ୍ଷୀ ଲକ୍ଷ୍ୟ ରଖାଯାଇଥିଲା। ମୁଁ ଖୁସିର ସହ ଏହା କହିବାକୁ ଚାହେଁ ଯେ ଏହି ଲକ୍ଷ୍ୟ ହାସଲ କରାଯାଇସାରିଲାଣି। ଏହି ଯୋଜନାର ସବୁଠୁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଭୁଲ ପ୍ରତିନିଧିତ୍ୱ, ନୈତିକ ବିପତ୍ତି ଏବଂ ପ୍ରତିକୂଳ ଚୟନ ଆଦିର ମୁକାବିଲା ଲାଗି ବିଭିନ୍ନ ସ୍ତରର କାର୍ଯ୍ୟକାରୀତାରେ ପ୍ରଯୁକ୍ତିର ଉପଯୋଗ। ଭାରତ ସରକାରଙ୍କ ଦ୍ୱାରା ଖୁବ୍ ନିକଟରେ ନିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ସାମାନ୍ୟ ବିବରଣୀ ସହିତ ମୁଁ ଉପସ୍ଥାପନ କଲି। ଏହା ପଛରେ ୨ଟି ଉଦ୍ଦେଶ୍ୟ ରହିଛି। ପ୍ରଥମ, ମୁଁ ଆପଣମାନଙ୍କୁ ଏହା ଜଣାଇ ଦେବାକୁ ଚାହୁଁଛି ଯେ ଆପଣମାନେ ଏପରି ଏକ ସମୟରେ ସ୍ନାତକୋତ୍ତୀର୍ଣ୍ଣ ହେଉଛନ୍ତି ଯେତେବେଳେ ଦେଶରେ ଯୁଗାନ୍ତକାରୀ ଘଟଣାଗୁଡ଼ିକ ଘଟୁଛି ଏବଂ ଏଠାରେ ଆପଣମାନଙ୍କ ପାଇଁ ଅପାର ସମ୍ଭାବନା ରହିଛି। ଦ୍ୱିତୀୟରେ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗବେଷକମାନେ ପୋଷ୍ୟ ଗ୍ରାମ ଏବଂ ଅନ୍ୟ କାର୍ଯ୍ୟ ପାଇଁ ଚୟନ ହୋଇଥିବା ଗ୍ରାମକୁ ଗସ୍ତ କରି ଏହି ଯୋଜନାଗୁଡ଼ିକ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବେ, ସେମାନଙ୍କ ପରିସୀମା ଏବଂ ଅଭାବକୁ ବୁଝିବେ ଏବଂ ଏଥିରେ ଉନ୍ନତି ପାଇଁ ପରାମର୍ଶ ଦେବେ। ବିଶ୍ୱର ମହାନ ଶିକ୍ଷାନୁଷ୍ଠାନ- ହାର୍ଭାର୍ଡସ ଠାରୁ ଆରମ୍ଭ କରି ଏମଆଇଟି ପର୍ଯ୍ୟନ୍ତ ଆଇଆଇଏମ ଠାରୁ ଆରମ୍ଭ କରି ଆଇଆଇଟି ପର୍ଯ୍ୟନ୍ତ ବ୍ୟାପକ ଭାବେ ସେମାନଙ୍କ ପୂର୍ବତନ ଛାତ୍ର ସହ ନିରନ୍ତର ସମ୍ପର୍କ ଏବଂ ଉଦାରତା ଦ୍ୱାରା ଉପକୃତ ହୋଇଛନ୍ତି। ତେଣୁ, ଏହି ଅନୁଷ୍ଠାନ ଆପଣଙ୍କୁ ଦେଇଥିବା ସବୁକିଛିର ପ୍ରତିବଦଳରେ, ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ କେବେହେଲେ ନିଜ ଶିକ୍ଷାନୁଷ୍ଠାନକୁ ଭୁଲନ୍ତୁ ନାହିଁ- ଏହା ସହ ସମ୍ପର୍କ କରନ୍ତୁ ଏବଂ ଏହାର ସମୃଦ୍ଧି ଲାଗି ଯାହା ଆପଣ କରିପାରିବେ ସେତିକି ଯୋଗଦାନ କରନ୍ତୁ। ମୋର ବିଶ୍ୱାସ ଯେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜର କାର୍ଯ୍ୟକ୍ରମ ଏବଂ ଭବିଷ୍ୟତର ପ୍ରଗତିରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ତଥା ସୁବିଧା ପ୍ରଦାନ କରିବା ଲାଗି ଏକ ବ୍ୟବସ୍ଥା ବିକଶିତ କରିବେ। ମଂଚରେ ଉପସ୍ଥିତ ମୋର ବନ୍ଧୁମାନେ ଏଥିପ୍ରତି ସହମତ ହେବେ ଯେ ଆଜି ଯେଉଁ ବିଶ୍ୱରେ ଆମେ ରହୁଛୁ ସେ ବିଷୟରେ ଛାତ୍ରାବସ୍ଥାରେ ଆମେ କେବେ ବି କଳ୍ପନା କରିପାରିନଥିଲୁ। ଏପରି ଏକ ପ୍ରଯୁକ୍ତି ଆଧାରିତ ପରିବେଶ ସ୍ୱତଃ ସୃଷ୍ଟି ହୋଇଛି। ଯେଉଁ ମାର୍ଗରେ ଆଜି ଜଣେ ଉପାୟରେ ଜଣେ କାର ଭଡ଼ା କରିପାରୁଛି ଏବଂ ଟ୍ରେନ ଟିକେଟ ବୁକ କରିପାରୁଛି, ସଉଦା ଅର୍ଡର କରିପାରୁଛି, ପିଲାମାନେ ଯେପରି ଭାବେ ଶିକ୍ଷା ଲାଭ କରନ୍ତୁ କିମ୍ୱା ଯେଉଁ ମାର୍ଗରେ ଆପଣମାନେ ସାମାଜିକ ସମ୍ପର୍କ ପ୍ରତିଷ୍ଠା କରୁଛନ୍ତି; ବାସ୍ତବରେ ଏହା ଏକ ସମ୍ପୂର୍ଣ୍ଣ ନୂଆ ବିଶ୍ୱ। ଆମାଜନ, ଫ୍ଲିପକାର୍ଡ, ଫେସବୁକ, ହ୍ବାଟ୍ସଆପ, ଆଇଆରସିଟିସି, ଉବର ଏବଂ ଓଲା ଭଳି ନାମ ଆଜି ଘରେ ଘରେ ପରିଚିତ ହୋଇପାରିଛି। ଏହା ଏକ ଦ୍ରୁତ ସହିତ କଠୋର ପରିବର୍ତ୍ତନ। ଗୋଟିଏ ବର୍ଷ ପୂର୍ବରୁ ୧୯୯୮ରେ ପ୍ରକାଶିତ ମିଶିଓ କାକୁଙ୍କ ପୁସ୍ତକ ‘ଭିଜନ୍ସ : ହାଓ ସାଇନ୍ସ ୱିଲ ରିଭୋଲ୍ୟୁସନାଇଜ ଦି ଟ୍ୱେଂଟିଫାଷ୍ଟ ସେଂଚୁରୀ’ ପଢ଼ିବାର ସୁଯୋଗ ମୁଁ ପାଇଲି। ଲେଖକ ଜଣେ ସିଦ୍ଧାନ୍ତିକ ଭୌତିକ ବିଜ୍ଞାନୀ ଯିଏ ବିଂଶ ଶତାବ୍ଦୀରେ ରୂପ ନେଇଥିବା କେତେକ ମହାନ ବୈଜ୍ଞାନିକ ବିପ୍ଳବର ପ୍ରକୃତିକୁ ତର୍ଜମା କରିଥିଲେ। ଏକବିଂଶ ଶତାବ୍ଦୀରେ କ୍ୱାଂଟମ ମେକାନିକ୍ସ, ବାୟୋଜେନେଟିକ୍ସ ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଆମ ଜୀବନ ଶୈଳୀରେ କିଭଳି ପରିବର୍ତ୍ତନ ଆଣିବ ତାହା ସେ ଆକଳନ କରିଥିଲେ। ଲେଖକ କହିଥିଲେ ଯେ ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ମାନବ ଇତିହାସର ସର୍ବାଧିକ ବୈଜ୍ଞାନିକ ଜ୍ଞାନ ସୃଷ୍ଟି ହୋଇଥିଲା। ସେ ଉଲ୍ଲେଖ କରିଥିଲେ, ‘କମ୍ପ୍ୟୁଟର ଜ୍ଞାନ ପ୍ରତି ୧୮ ମାସରେ ଦ୍ୱିଗୁଣିତ ହେଉଛି। ଆମେ ତର୍ଜମା କରିପାରିବା ଭଳି ଡିଏନଏ ଅନୁକ୍ରମଗୁଡ଼ିକର ସଂଖ୍ୟା ପ୍ରତ୍ୟେକ ଦୁଇ ବର୍ଷରେ ଦ୍ୱିଗୁଣିତ ହେଉଛି’। ୨୦୨୦, ୨୦୫୦ ଏବଂ ଏହା ପରେ ବୈଜ୍ଞାନିକ ସଫଳତା ଏବଂ ପ୍ରଯୁକ୍ତି ବିକାଶ ସମ୍ପର୍କରେ ସେ ଆକଳନ କରିଥିଲେ। ଉତ୍ସାହଜନକ କଥା ହେଉଛି ୧୯୯୮ରେ କରାଯାଇଥିବା ଆକଳନ ବାସ୍ତବ ହୋଇଛି କିମ୍ୱା ବର୍ତ୍ତମାନ ବାସ୍ତବ ରୂପ ନେଉଛି। ବିଘଟନ, ବିବର୍ତ୍ତନ ଏବଂ ପରିବର୍ତ୍ତନର ଏକ ଶକ୍ତିଶାଳୀ ତରଙ୍ଗ ଯାହା ସାରା ବିଶ୍ୱକୁ ପ୍ରଭାବିତ କରୁଛି। ପ୍ରଯୁକ୍ତି ଦ୍ରୁତ ଗତିରେ ସବୁକିଛିକୁ ପରିବର୍ତ୍ତତ କରିଦେଉଛି ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଏପରିକି ଗୋଟିଏ କିମ୍ୱା ଦୁଇ ଦଶନ୍ଧି ପୂର୍ବରୁ ଯାହା ଶୁଣିବାକୁ ମିଳିନଥିଲା, ଯଥା ସ୍ମାର୍ଟ ଫୋନ ବିପ୍ଳବ, ଇଂଟରନେଟ ଅର୍ଥବ୍ୟବସ୍ଥା, ବିଗ୍‌ ଡାଟା ଏନାଲିଟିକ୍ସ, କୃତ୍ରିମ ଧୀଶକ୍ତି, ଅଗମେଂଟେଡ ରିଅଲିଟି, ଥ୍ରୀଡି ପ୍ରିଂଟିଂ, ରୋବୋଟିକ୍ସ, ବ୍ଲକଚେନ ଟେକ୍ନୋଲେଜି ଏବଂ ସ୍ୱୟଂଚାଳିତ କାର ସମ୍ପୂର୍ଣ୍ଣ ଭାବେ ଆମ ବିଶ୍ୱ ଏବଂ ଏଥିରେ ଆମର ସମ୍ପୃକ୍ତିର ମାର୍ଗକୁ ବଦଳାଇ ଦେଇଛି। ଉତ୍ସାହଜନକ ଭାବେ ଏକ ସଂଯୁକ୍ତ, ସହଭାଗୀ ଅର୍ଥବ୍ୟବସ୍ଥାର ଯୁଗ ମୌଳିକ ଭାବେ ଆଜିର ବ୍ୟବସାୟକୁ ବଦଳାଇ ଦେଇଛି। ବିଶ୍ୱର ସର୍ବବୃହତ ଟେକ୍ସି ସେବା ପ୍ରଦାନକାରୀ, ଉବର, ନିକଟରେ ଗୋଟିଏ ହେଲେ ବାହନର ମାଲିକାନା ନାହିଁ। ବିଶ୍ୱର ସବୁଠୁ ବଡ଼ ମୂଲ୍ୟବାନ ଖୁଚୁରା ବ୍ୟବସାୟିକ ସଂସ୍ଥା, ଆଲିବାବାର କୌଣସି ନିଜସ୍ୱ ଉତ୍ପାଦନ କେନ୍ଦ୍ର ନାହିଁ। ଫେସବୁକ, ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ ଭଳି ବିଶ୍ୱର ସବୁଠୁ ଲୋକପ୍ରିୟ ଗଣମାଧ୍ୟମ କମ୍ପାନୀ ସେମାନଙ୍କ ବିଷୟବସ୍ତୁ ନିଜେ ତିଆରି କରନ୍ତି ନାହିଁ। ବିଶ୍ୱର ସର୍ବବୃହତ ବାସସ୍ଥାନ ପ୍ରଦାନକାରୀ, ଏୟାରବିଏନବିର କୌଣସି ରିଅଲ ଇଷ୍ଟେଟ ନାହିଁ। ଉଲ୍ଲେଖ କରିବାର କଥା ହେଉଛି ଏ ସମସ୍ତ କମ୍ପାନୀ ଯେଉଁଗୁଡ଼ିକ ଆଜି ଆମକୁ ସର୍ବବ୍ୟାପୀ ମନେ ହେଉଛନ୍ତି, ଏଗୁଡ଼ିକ ମଧ୍ୟରୁ କୌଣସି ଗୋଟି ହେଲେ ୨୦ ବର୍ଷ ପୂର୍ବରୁ ନଥିଲେ। ସରକାରଙ୍କ ପାଇଁ, ନାଗରିକମାନେ ବର୍ତ୍ତମାନ ସୂଚନାର ସିଧାସଳଖ ପହଁଚ ପାଇପାରୁଛନ୍ତି। ତେଣୁ ନୀତି ଏବଂ ଏହାର କାର୍ଯ୍ୟକାରୀତାରେ ରହିଥିବା ଭୁଲ ଏବଂ ଠିକ ସମ୍ପର୍କରେ ସ୍ଥିର ଏବଂ ନିରନ୍ତର ମତାମତ ପାଇବା ଏବଂ ଲୋଡ଼ିବା ରାଜନୈତିକ ନେତୃତ୍ୱ ପାଇଁ ଏବେ ଅନିର୍ବାର୍ଯ୍ୟ ହୋଇପଡ଼ିଛି। ବ୍ୟବସାୟ ପାଇଁ, ସମାନ ଭାବେ ମଇଦାନରେ ଅନେକ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ବ୍ୟବସାୟର ପରିଦୃଶ୍ୟ ଏବେ ବଦଳୁଛି। ଏକ ଉଦ୍ୟୋଗ ପ୍ରତିଷ୍ଠା କରିବା ଦ୍ୱାରା ଆପଣଙ୍କୁ ନିଜ ସୃଜନଶୀଳତା ପରିପ୍ରକାଶ କରିବା, ନିଜ ଢଙ୍ଗରେ କିଛି କରିବା, ଅନ୍ୟମାନଙ୍କୁ ନିଯୁକ୍ତି ଦେବା ଏବଂ ସର୍ବୋପରି ଦୈନନ୍ଦିନ ସମସ୍ୟାର ସମାଧାନ ଖୋଜିବାର ସ୍ୱାଧୀନତା ମିଳିଥାଏ। ଆପଣ ନିଜ ଇଚ୍ଛାମୁତାବକ କ୍ଷେତ୍ରରେ ଇତିହାସ ସୃଷ୍ଟି କରିପାରିବେ। ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କାଲାମ କହିଥିଲେ, ‘ଛାତ୍ରଗୋଷ୍ଠୀଙ୍କୁ ମୋର ବାର୍ତ୍ତା ହେଉଛି ସେମାନେ ଭିନ୍ନ ଭାବେ ଚିନ୍ତା କରିବାର ସାହସ ରଖନ୍ତୁ, ନବସୃଜନ ଏବଂ ପୁନଃଉଦ୍ଭାବନର ସାହସ, ଅନାବିଷ୍କୃତ ମାର୍ଗରେ ଯାତ୍ରାର ସାହସ, ଅସମ୍ଭବକୁ ଆବିଷ୍କାର କରିବା ଏବଂ ବିଫଳତାକୁ ପରାଜିତ କରି ସଫଳ ହେବାର ସାହସ ରଖନ୍ତୁ’। ପ୍ରିୟ ଛାତ୍ରଛାତ୍ରୀଗଣ, ଆପଣମାନେ ଏପରି ଏକ ସମୟରେ ଏହି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଛନ୍ତି ଯେତେବେଳେ ଦେଶ ନିଜର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛି, ଯେଉଁଠି ଆପଣମାନଙ୍କ ପାଇଁ ଅପାର ସମ୍ଭାବନା ଏବଂ ସୁଯୋଗ ରହିଛି। ଆପଣମାନେ ଏ ଦେଶର ଯୁବପିଢ଼ିକୁ ପ୍ରତିନିଧିତ୍ୱ କରୁଛନ୍ତି; ଅନେକ ସୁଯୋଗ ଆପଣମାନଙ୍କୁ ଅପେକ୍ଷା କରି ରହିଛି। ଆପଣମାନେ ନିଜ ଜୀବନରେ ସଫଳତାସ ହାସଲ କରିପାରିବେ ଏବଂ ସମାନ୍ତରାଳ ଭାବେ ଦେଶର ବିକାଶରେ ସାମଗ୍ରୀକ ଯୋଗଦାନ ଦେଇପାରିବେ, ବିଶେଷ କରି ସମାଜର ନିଷ୍ପେସିତ, ବଂଚିତ ଏବଂ ଅବହେଳିତ ବର୍ଗର ସେବା କରିପାରିବେ। ମୁଁ ପୁଣିଥରେ ଡିଗ୍ରୀ ଏବଂ ଉପାଧି ହାସଲ କରିଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଏବଂ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭକାମନା କରୁଛି, ଏବଂ ସମସ୍ତୁ ଏକ ସୁଖଦ ଏବଂ ସମୃଦ୍ଧ ନୂଆବର୍ଷର ଶୁଭେଚ୍ଛା ଦେଉଛି।

Share :