କାହିଁକି ବଢ଼ୁଛନ୍ତି କୁଆଁରୀ ମା’?

କାହିଁକି ବଢ଼ୁଛନ୍ତି କୁଆଁରୀ ମା’?

Share :

ପ୍ରକାଶ ରଥ ମହାଭାରତ କାବ୍ୟ ଅନୁଯାୟୀ ଦାନବୀର କର୍ଣ୍ଣଙ୍କର କୁଆଁରୀ ମା’ ଭାବେ ପରିଚିତ କୁନ୍ତୀ ସତୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସୂର୍ଯ୍ୟଦେବ ଓ କୁନ୍ତୀଙ୍କ ମିଳନରୁ କର୍ଣ୍ଣ ପ୍ରଥମେ ଜନ୍ମ ନେଇଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ବିବାହ କରି କୁନ୍ତୀ ପଞ୍ଚୁପାଣ୍ଡବଙ୍କ ମା’ ହୋଇଥିଲେ। ପୁରାଣରେ ଏସବୁ ଘଟଣା ପରେ ମଧ୍ୟ କୁନ୍ତୀଙ୍କୁ ସତୀ ଘୋଷଣା କରିବା ଓ କର୍ଣ୍ଣଙ୍କୁ ମହାବୀର ଦାନୀ ଭାବେ ଆଖ୍ୟା ଦିଆଯାଇଥିବା ବେଳେ ଆଜିକାଲି କୁଆଁରୀ ମା’ମାନଙ୍କୁ ସମାଜରେ ଅତ୍ୟନ୍ତ ହୀନଚକ୍ଷୁରେ ଦେଖାଯିବା ସହ ସେମାନଙ୍କୁ ବାରବନିତା ଭାବେ ଚିତ୍ରଣ କରାଯାଉଛି। କୁଆଁରୀ ମା’ଙ୍କ ଶିଶୁକୁ ଅବୈଧ କରିବା ସହ ସେମାନଙ୍କୁ ସାମାଜିକ ବାରଣ କରାଯାଉଛି। ଯଦିଓ ଆଧୁନିକ ସମାଜରେ କିଛିବର୍ଷ ପୂର୍ବରୁ ଏହି ଧାରା କିଛି ଧନୀକ ଶ୍ରେଣୀର ଓ ଅତ୍ୟନ୍ତ ଗରୀବ ଶ୍ରେଣୀର ପରିବାର ମଧ୍ୟରେ ଏହା ନଗଣ୍ୟ ଭାବେ ଦେଖଖାଯାଉଥିବା ବେଳେ ବିଗତ କେତେବର୍ଷ ମଧ୍ୟରେ ଏହି ଧାରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଖବର ଗଣମାଧ୍ୟମ ଗୁଡ଼ିକରେ ପ୍ରକାଶ ପାଇଲା ପରେ ଆମ ରାଜ୍ୟାର ଯାହାବି ଟିକେ ମାନମର୍ଯ୍ୟାଦା ଥିଲା, ତାହା ଭୁଲୁଣ୍ଠିତ ହୋଇସାରିଲାଣି। ପୀଡ଼ିତା ପରିବାରର ମୁଖିଆମାନେ ଆତଙ୍କିତ ହେବା ସହ ଏହି ଘଟଣାରେ ନିଜକୁ ଅସହାୟ ମନେ କରୁଛନ୍ତି। କେଉଁଠି ନାବାଳିକାଟିଏ ନିଜ ବାପାର କାମନାର ଶିକାର ହେଉଛି ତ କେଉଁଠି ସମ୍ପର୍କୀୟ ଭାଇ ବା ମାମୁଁ ଅଥବା ନିଜର ଗୁରୁମାନଙ୍କ ଦ୍ୱାରା ଧର୍ଷଣର ଶିକାର ହେଉଛି। ଏଭଳି ଘଟଣା ଆମ ଓଡ଼ିଆଙ୍କ ସମ୍ମାନକୁ ଭୁଲୁଣ୍ଠିତ କରିସାରିଲାଣି। ସହରମାନଙ୍କରେ ଏହି ଘଟଣା ଲୋକଲୋଚନକୁ ଆସିପାରୁ ନଥିବା ବେଳେ ଗ୍ରାମାଞ୍ଚଳରେ ବିଶେଷକରି ପଛୁଆ ତଥା ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଏହା ଅତ୍ୟନ୍ତ ଉଗ୍ରରୂପ ନେଇଛି। ସମାଜରେ ବେକାରୀ, ମୋବାଇଲ୍ର ବହୁଳ ବ୍ୟବହାର, ଯୌଥ ପରିବାରଗୁଡ଼ିକର ଅବସାନ, ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାର ଅବନତି ଓ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ କୋମଳମତି ଶିଶୁମାନଙ୍କୁ ଯୌନ ନିର୍ଯ୍ୟାତନା ସହ କୁଆାଁରୀ ମା’ମାନଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ସରକାରୀ ସ୍ତରରେ ପରିଚାଳିତ ସେବାଶ୍ରମ ଓ ସରକାରୀ ସ୍କୁଲ୍ରେ ଏହି ଘଟଣା ବ୍ୟାପକ ପ୍ରସାର ଲାଭ କରିଥିବା ବେଳେ ସହରାଞ୍ଚଳର ବେସରକାରୀ ଦାମିକିଆ ସ୍କୁଲ୍ଗୁଡ଼ିକରେ ଅତ୍ୟାଧୁନିକ ଉପାୟ ଆପଣାଇବାରୁ ଏହା ଚପି ଯାଉଛି। ଗ୍ରାମାଞ୍ଚଳ ଝିଅମାନେ ବିଶେଷକରି ଆଦିବାସୀ, ଅନୁନ୍ନତ ଓ ଅଶିକ୍ଷିତ ଗରିବ ଘରର ନାବାଳିକାମାନେ ଏହାର ଶିକାର ହେଉଛନ୍ତି। ଏହି ନାବାଳିକାମାନଙ୍କଠାରୁ ଅଧିକ ବୟସର ଯୁବକମାନେ ସେମାନଙ୍କୁ ଲୋଭ ଦେଖାଇ ନିଜ କାମନା ବାସନାର ଫାଇଦା ଉଠାଉ ଥିବାବେଳେ, ଯୌନଶିକ୍ଷାର ଅଭାବ, ଗରିବୀ, ମୁରବୀବିହୀନ ପରିବାରର ଅସହାୟତା, ପ୍ରସାଧାନ ସାମଗ୍ରୀ ତଥା ନୂଆ ପୋଷାକ ପିନ୍ଧିବା ଲୋଭର ବଶବର୍ତ୍ତୀ ହୋଇ ଏହି ନାବାଳିକାମାନେ କୁଆାଁରୀ ମା’ ପାଲଟୁଛନ୍ତି। ଅନ୍ୟ ପକ୍ଷରେ ସେବାଶ୍ରମ ସ୍କୁଲ୍ଗୁଡ଼ିକର ମଦୁଆ ରୋଷେୟା, ପିଅନ, ସହାୟକ ଓ ଲାଞ୍ଚ ଦେଇ ଶିକ୍ଷକ ପାଲଟିଥିବା ରାକ୍ଷସମାନେ ଏହି କୋମଳମତି ଅସହାୟା ନାବାଳିକାମାନଙ୍କୁ ନିଜ ଯୌନ ଲାଳସାର ଶିକାର ବନାଉଛନ୍ତି। ପଶୁମାନଙ୍କ କ୍ଷେତ୍ରରେ ଏଭଳି ଘଟଣା ବିରଳ ଥିବା ବେଳେ ଆମ ସମାଜରେ ପଶୁ ପ୍ରବୃତ୍ତି ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତାଜନକ। ଶିଶୁ ଯୌନ ନିର୍ଯ୍ୟାତନା ଘଟଣା ବା କୁଆଁରୀମାନେ ମା’ ହେବା ଘଟଣାର ତଦନ୍ତ ଓ ଆଇନ୍ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁ ନଥିବାରୁ ଅଭିଯୁକ୍ତମାନେ ବାରମ୍ୱାର ଏଭଳି ଘଟଣା ଘଟାଉଛନ୍ତି ଏବଂ ଏହାର ପ୍ରଭାବ ମଧ୍ୟ ସମାଜ ଉପରେ ପଡୁଛି। ଆମ ଗଣମାଧ୍ୟମ, ରାଜନେତା, ବୁଦ୍ଧିଜୀବୀ, ପ୍ରଶାସନିକ ଅଧିକାରୀ, ମହିଳା ନେତ୍ରୀ ଓ ଯୁବଗୋଷ୍ଠୀ ଏହାକୁ ଗୁରୁତର ସହିତ ନେଇ ଏହାକୁ ରୋକିବା ଜରୁରୀ ହୋଇପଡ଼ିଛି। ନଚେତ୍ ଅତ୍ୟାଧୁନିକତାର ଦ୍ୱାହି ଦେଉଥିବା ଆଜିକାଲିର ମାନବ ସମାଜ ପାଇଁ ଏହା ଏକ କର୍କଟ ରୋଗ ସଦୃଶ ବ୍ୟାପୀଯାଇ ସମାଜକୁ ଧ୍ୱଂସ କରିଦେଇପାରେ। ଅଧ୍ୟକ୍ଷ, ରାଜ୍ୟ ନାଗରିକ ସମାଜ ଫୋନ-୯୪୩୭୨୮୫୦୯୨

Share :