ନବୀନଙ୍କ ଦକ୍ଷତାର ପ୍ରମାଣ ଧଳସାମନ୍ତ

ନବୀନଙ୍କ ଦକ୍ଷତାର ପ୍ରମାଣ ଧଳସାମନ୍ତ

Share :

ଜାନୁଆରୀ ୨୯ ତାରିଖ ସକାଳେ ଭୁବନେଶ୍ବର ପୋଖରୀପୁଟରୁ ଧଳସାମନ୍ତ ଭାଇ ନାମରେ ଖ୍ୟାତ ଦୁଇ ଜଣ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗିରଫ ହେବା ପରେ ନବୀନ ପଟ୍ଟନାୟକଙ୍କ ୧୬ ବର୍ଷର ସୁଶାସନ ଭିତରେ ଏପରି ଅପରାଧୀ କିପରି କାୟା ବିସ୍ତାର କରିପାରିଲେ ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ସ୍ବାଭାବିକ | ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ହେଉଛନ୍ତି ରାଜ୍ୟର ଗୃହମନ୍ତ୍ରୀ | ତାଙ୍କରି ହାତରେ ରହିଛି ପୁଲିସ ବିଭାଗ | ଅପରାଧୀଙ୍କୁ ଗିରଫ ଓ ଅପରାଧ ନିୟନ୍ତ୍ରଣ କରିବା ହେଉଛି ଗୃହ ବିଭାଗର ମୁଖ୍ୟ କାମ | କିନ୍ତୁ ଏହି ବିଭାଗ ଯେ ଏଥିରେ ସଂପୂର୍ଣ୍ଣ ବିଫଳ ହୋଇଛି ତାହା ଧଳସାମନ୍ତ ଭାଇଙ୍କ ଅପରାଧର ସାମ୍ରାଜ୍ୟ ବିସ୍ତାର ଘଟଣାରୁ ସ୍ପଷ୍ଟ ହୋଇଯାଇଛି | ସୁଶୀଲ ଓ ସୁଶନ୍ତ ଧଳସାମନ୍ତ ଦୁଇ ଭାଇଙ୍କୁ ଜାନୁଆରୀ ୨୯ ତାରିଖ ସକାଳେ ଭୁବନେଶ୍ବରର ପୋଖରୀପୁଟ ଅଂଚଳରୁ ଯେଉଁ ଘରୁ ଗିରଫ କରାଯାଇଛି ସେଠାରୁ କ୍ରାଇମ ବ୍ରାଞ୍ଚ ଡିଜି ବିଜୟ କୁମାର ଶର୍ମାଙ୍କ ଘର ବେଶି ଦୂର ନୁହେଁ | ଅବଶ୍ୟ ଶର୍ମା ତାଙ୍କ ଘରେ ରହନ୍ତିନି, ଭଡ଼ାରେ ଲଗାଇଛନ୍ତି | ଧଳସାମନ୍ତ ଭାଇ ରହୁଥିବା ଘର ଥିଲା ସେମାନଙ୍କର ଅସ୍ତ୍ରାଗାର | ସେଠାରୁ କାର୍ବାଇନ୍, ଡବଲ ବ୍ୟାରେଲ ଗନ, ମାଉଜର, ପିସ୍ତଲ ଆଦି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି | କଟକ ସିଡିଏରେ ସେମାନଙ୍କର ମୂଳ ଘର | ସେହି ଘର ଖାନତଲାଲ ହୋଇ ସେଠାରୁ ୨.୫ କୋଟି ନଗଦ ଟଙ୍କା ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଡାଏରୀ ଇତ୍ୟାଦି ଜବତ ହୋଇଛି | କଟକ ହେଉଛି ଓଡ଼ିଶାର ପୁରୁଣା ରାଜଧାନୀ, ଭୁବନେଶ୍ବର ହେଉଛି ନୂଆ ରାଜଧାନୀ | ଏ ଦୁଇ ସହର ପାଇଁ ସ୍ବତନ୍ତ୍ର ଭାବେ ଗଢ଼ା ଯାଇଛି କମିଶନରେଟ ପୁଲିସ | ଏହି ପୁଲିସର ମୁଖ୍ୟ ଦାୟିତ୍ବରେ ଥାନ୍ତି ରାଜ୍ୟର ସବୁଠୁ ଦକ୍ଷ ଅଫିସର | ଏ ଦୁଇ ସହରର ବିଭିନ୍ନ ଥାନାରେ ମଧ୍ୟ ଦକ୍ଷତା ଓ ସାଧୁତାର ସାର୍ଟିଫିକେଟ ବହନ କରୁଥିବା ପୁଲିସ ଅଧିକାରୀମାନ ମୁକରିର ହୋଇଥାନ୍ତି | ତଥାପି ଧଳସାମନ୍ତ ଭାଇଙ୍କ ଅପରାଧ ଗ୍ୟାଙ୍ଗ ବଢ଼ିଲା କେମିତି? ଏ ଦୁଇ ସହରରେ ଡିଜି, ଆଇଜି, ଡିଆଇଜିଙ୍କଠାରୁ ଆରମ୍ଭ କରି ରାଜ୍ୟର ପ୍ରାୟ ସମସ୍ତ ବଡ଼ବଡ଼ ପୁଲିସ ଅଫିସର, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ପ୍ରାଶାସନିକ ପଦାଧିକାରୀଙ୍କ ଅଫିସ ଓ ଘର ରହିଛି | ସେମାନେ କିଛି ଜାଣିପାରିଲେ ନାହିଁ? ଏବେ କୁହାଯାଉଛି ଧଳସାମନ୍ତ ଭାଇଙ୍କ ସହିତ ବିଜେପିର ଧର୍ମେନ୍ଦ୍ର ପ୍ରଧାନ, ସମୀର ଦେ, ବିଜେଡିର ଦେବାଶିଷ ସାମନ୍ତରାୟ, ରାଜଶ୍ରୀ ମଲ୍ଲିକ ଓ ନିଆଳୀର ପୂର୍ବତନ ବିଧାୟକ ଡାକ୍ତର ମଲ୍ଲିକ, କଂଗ୍ରେସର ଲୁଲୁ ମହାପାତ୍ର ଓ ସୁରେଶ ମହାପାତ୍ର ଆଦିଙ୍କ ସଂପର୍କ ରହିଛି | ଏନେଇ ଗଣମାଧ୍ୟମ ନିକଟରେ ଅନେକ ଫଟୋ ଓ ଭିଜୁଆଲ ରହିଛି | ରାଜ୍ୟରୁ ନକ୍ସଲମାନଙ୍କୁ ନିପାତ କରିବାର ଗର୍ବ କରୁଥିବା ଓଡ଼ିଶା ପୁଲିସ ଓ ସେମାନଙ୍କର ମୁଖିଆ ତାଙ୍କ ନିଶତଳେ ବଢ଼ିଥିବା ଧଳସାମନ୍ତଙ୍କ ଅପରାଧ ସାମ୍ରାଜ୍ୟ ବିଷୟରେ କେମିତି କିଛି ଜାଣିପାରିଲେ ନାହିଁ? ଧଳସାମନ୍ତ ଭାଇ ଟେଣ୍ଡର ଫିକ୍ସିଂ ଓ ପ୍ରପର୍ଟି ଡିଲ ଆଦି ସହିତ ବିଭିନ୍ନ ଠିକାଦାର ଓ ଖଣି ପଟ୍ଟାଦାରଙ୍କ ପାଇଁ କାମ କରିଥାନ୍ତି | ପୂର୍ବରୁ ସେମାନେ ନିଜର ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଜରିଆର ରାଜ୍ୟ ସରକାରଙ୍କ ଖଣି ବିଭାଗ ଅଧୀନରେ ଖଣିଜ ପରିବହନ କାର୍ଯ୍ୟରେ ମଧ୍ୟ ସଂପୃକ୍ତ ଥିଲେ | କେନ୍ଦୁଝରର ଏକାଧିକ ଖଣି ପଟ୍ଟାଦାରଙ୍କ ସହିତ ସେମାନଙ୍କର ସଂପର୍କ ରହିଛି | କଟକ ଓ ଭୁବନେଶ୍ବରର ଅନେକ କୋଟିପତି ବ୍ୟବସାୟୀ, ଶିଳ୍ପପତି, ଠିକାଦାର ଓ ବିଲ୍ଡରଙ୍କ ସହିତ ସେମାନଙ୍କର ନିଘନ ସଂପର୍କ | ଭୁବନେଶ୍ବର ମହାନଗର ନିଗମ ସହିତ ଜଡ଼ିତ କେତେକ ଅଣଓଡ଼ିଆ କମ୍ପାନୀଙ୍କୁ ମଧ୍ୟ ସେମାନେ ସୁରକ୍ଷା ଯୋଗାଉଛନ୍ତି | କଟକ ଓ ଭୁବନେଶ୍ବର ପରି ସହରରେ ଏଭଳି ଏକ ଅପରାଧ ଗ୍ୟାଙ୍ଗ ୧୯୯୩ ମସିହାରୁ ପକ୍ଷ ବିସ୍ତାର କରିଛି ବୋଲି ନିଜେ ପୁଲିସ ପ୍ରଶାସନ ସ୍ବୀକାର କରିଛି | ୧୯୯୩ ମସିହାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ | ୧୯୯୫-୨୦୦୦ ପାଂଚ ବର୍ଷ କଂଗ୍ରେସ କ୍ଷମତାରେ ଥିଲା | ୨୦୦୦ ମସିହାରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି | ଅର୍ଥାତ ୧୯୯୩-୨୦୧୬ ମଧ୍ୟରେ ଥିବା ୨୩ ବର୍ଷ ଭିତରୁ ନବୀନ ଓ ତାଙ୍କ ବାପା ୧୮ ବର୍ଷ କ୍ଷମତାରେ ଅଛନ୍ତି | ଧଳସାମନ୍ତ ଭାଇ ଯଦି ବି ୧୯୯୩ ରୁ ଅପରାଧ ଆରମ୍ଭ କରି କଂଗ୍ରେସର ୫ ବର୍ଷ ଭିତରେ ସାମ୍ରାଜ୍ୟ ବିସ୍ତାର କରିଥିବେ ବୋଲି ବିଶ୍ବାସ କରାଯାଏ ତେବେ ନବୀନ ପ୍ରଶାସନ ଗଲା ୧୬ ବର୍ଷ ଧରି କ’ଣ ପାଇଁ କିଛି କରୁ ନଥିଲେ? ଅଭିଯୋଗ ନଥିଲା ନା ପ୍ରମାଣ? ଏବେ ଏମିତି କ’ଣ ହେଲା କି ଧଳସାମନ୍ତ ଭାଇଙ୍କୁ ହଠାତ ଗିରଫ କରାଗଲା? ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଧଳସାମନ୍ତ ଭାଇ ବାସ୍ତବରେ ଏକାଧିକ ବିଜେଡି ନେତାଙ୍କ ସହିତ ସଂପୃକ୍ତ | ସେମାନଙ୍କ ପ୍ରୋତ୍ସାହନରେ ସେମାନେ ନାନା ପ୍ରକାର ଅପରାଧିକ କାର୍ଯ୍ୟରେ ସଂପୃକ୍ତ ରହି କୋଟିକୋଟି ଟଙ୍କାର ଚାନ୍ଦା, ବଟି ଓ ମାହାସୁଲ ଆଦି ଆଦାୟ କରିଛନ୍ତି | କଂଗ୍ରସ ଅମଳରେ ଏ ଦୁଇ ଭାଇ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଘନିଷ୍ଟ ହୋଇଥିଲେ | କିନ୍ତୁ ୨୦୦୦ ମସିହାରୁ ସୁରକ୍ଷା ଓ ଫାଇଦା ପାଇଁ ସେମାନେ ପୁଣି ଥରେ ବିଜେଡି ନେତାମାନଙ୍କ ସହିତ ଯୋଡ଼ି ହୋଇଥିଲେ | ଏ ସଂପର୍କ ଏବେ ବି ଅତୁଟ ରହିଛି | ତେବେ ୨୦୧୪ ମସିହାରେ କେନ୍ଦ୍ରରେ ବିଜେପିର ମୋଦି ସରକାର ପ୍ରତିଷ୍ଠିତ ହେବା ପରେ ଏମାନେ ଓଡ଼ିଶାର ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସଂପର୍କ ବଢ଼ାଇଥିଲେ | ପାରାଦୀପରେ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିବା କଂଗ୍ରେସ ନେତା ବାପି ସାର୍ଖେଲଙ୍କୁ ଟକ୍କର ଦେବାକୁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଧଳସାମନ୍ତ ଭାଇଙ୍କ ଆବଶ୍ୟକତା ଅନୁଭବ ହେଉଥିଲା | ତେଣୁ ଜଡ଼ାତେଲ ମେଣ୍ଢାବାଳ ଯୋଡ଼ି ହେଲେ | ଏବେ ଅନ୍ୟ ଏକ ପ୍ରଶ୍ନ | ଧଳସାମନ୍ତ ଭାଇଙ୍କ ଘରୁ ମିଳିଥିବା ବିପୁଳ ପରିମାଣର ଅର୍ଥର ସୂତ୍ର କ’ଣ ? ତାହା କିଏ ଦେଇଥିଲା? କୋଉଥିପାଇଁ ଦେଇଥିଲା? ଏ ବିଷୟରେ ଖୋଳତାଡ଼ ହେଲେ କେତେକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଅସଲ ମୁଖା ଖୋଲନ୍ତା | ସହିପରି ସେମାନଙ୍କ ଘରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର କୋଉଠୁ ଆସିଲା? କେମିତି ଆସିଲା? ସେ ବିଷୟରେ ମଧ୍ୟ ନିରପେକ୍ଷ ତଦନ୍ତ ହେଲେ ନବୀନ ପଟ୍ଟନାୟକଙ୍କ ଶାସନରେ ଚାଲିଥିବା ଅପରାଧିକ ସାମ୍ରାଜ୍ୟର ଆହୁରି ଅନେକ ଲୁକ୍କାୟିତ ତଥ୍ୟ ପଦାକୁ ଆସନ୍ତା |

Share :