ପ୍ରଦୀପ ପ୍ରଧାନ ୨୦୧୭ ଜୁଲାଇ ୨ ତାରିଖରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଖବର କାଗଜରେ ‘ଦ୍ରୁତ ପ୍ରଗତି ପଥେ ଓଡ଼ିଶା’ ନାମରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିରେ ଦର୍ଶାଯାଇଥିଲା, ‘ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟରୁ ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ୟ ରାଜ୍ୟମାନଙ୍କୁ ଖାଦ୍ୟଶସ୍ୟ ଯୋଗାଉଥିବା ତୃତୀୟ ପ୍ରମୁଖ ରାଜ୍ୟ ଅଟେ।’ ଉକ୍ତ ବିଜ୍ଞାପନର ସତ୍ୟାସତ୍ୟ ଜାଣିବା ପାଇଁ ଲେଖକ ଗତ ଜୁଲାଇ, ୨୦୧୮ରେ ତିନୋଟି ପ୍ରମୁଖ ବିଭାଗ, କୃଷି ବିଭାଗ, ସମବାୟ ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ସୂଚନା ଅଧିକାର ଆଇନ୍ ବଳରେ କେତେଗୁଡ଼ିଏ ତଥ୍ୟ ମାଗିଥିଲେ। ଏଗୁଡ଼ିକ ହେଲା - ଉକ୍ତ ତଥ୍ୟ କେଉଁ ଆଧାରରେ ଦର୍ଶାଯାଇଛି ଏବଂ ରାଜ୍ୟ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ତାଙ୍କର ବଳକା ଖାଦ୍ୟଶସ୍ୟକୁ କେଉଁ କେଉଁ ରାଜ୍ୟକୁ କେତେ ପରିମାଣରେ ପଠାଇଛନ୍ତି, ଏହାର ତଥ୍ୟ ପ୍ରଦାନ କରନ୍ତୁ। ତିନୋଟିଯାକ ବିଭାଗର ଜନ ସୂଚନା ଅଧିକାରୀ କୌଣସି ତଥ୍ୟ ପ୍ରଦାନ କରିନଥିଲେ। ସମବାୟ ବିଭାଗ ଦରଖାସ୍ତଟିକୁ ସମବାୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ। ସମବାୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ଏପରି ତଥ୍ୟ ମଗାଯାଇ ପାରିବ ନାହିଁ ବୋଲି ଦର୍ଶାଇଥିଲେ। ସେହିପରି ଗତ ୨୦.୦୯.୨୦୧୮ରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ନବନିର୍ମିତ ‘କୃଷି ଭବନ’ ଲୋକାର୍ପଣ କରି ଅମଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଲେଖାକୁ ପଢ଼ି କହିଥିଲେ ଯେ, ‘ଓଡ଼ିଶା ଆଜି ସାରା ଦେଶକୁ ଖାଦ୍ୟ ଯୋଗାଉଛି।’ ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତ୍ତି ‘ସମାଜ’ ଖବରକାଗଜରେ ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତିର ସତ୍ୟାସତ୍ୟ ଜାଣିବା ପାଇଁ ଲେଖକ ଗତ ୨୨-୦୯-୨୦୧୮ରିଖରେ କୃଷି ବିଭାଗକୁ ‘ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା କେଉଁ କେଉଁ ରାଜ୍ୟକୁ କେଉଁ ପ୍ରକାରର ଖାଦ୍ୟଶସ୍ୟ କେତେ ପରିମାଣର ପଠାଇଛି?’ ବୋଲି ତଥ୍ୟ ମାଗିଥିଲେ। କୃଷି ବିଭାଗ ଉକ୍ତ ଦରଖାସ୍ତଟିକୁ ଖାଦ୍ୟ ଯୋଗାଣ ଓ ଖାଉଟି ବିଭାଗକୁ ତଥ୍ୟ ଦେବାପାଇଁ ପଠାଇଦେଲେ। ତା ୧୦-୧୦-୨୦୧୮ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜନସୂଚନା ଅଧିକାରୀ ଉକ୍ତ ତଥ୍ୟ ନାହିଁ ବୋଲି ଦର୍ଶାଇ ଦରଖାସ୍ତଟିକୁ ଖାରଜ କରିଦେଲେ। ଏକ ମାସ ବିତିଯାଇଥିଲେ ମଧ୍ୟ କୃଷି ବିଭାଗ ଅଦ୍ୟାବଧି କୌଣସି ତଥ୍ୟ ପ୍ରଦାନ କରିନାହିଁ। ବର୍ତ୍ତମାନ ପ୍ରଶ୍ନ ଉଠିଛି, ରାଜ୍ୟ ସରକାର ଖବରକାଗଜରେ ଏପରି ମିଥ୍ୟା ତଥ୍ୟ ପ୍ରକାଶ କରୁଛନ୍ତି କାହିଁକି? ବାସ୍ତବରେ ରାଜ୍ୟ ସରକାର ଯେଉଁ ଭଳି ଭାବେ ଓଡ଼ିଶା ପ୍ରଗତିର ଗୋଲାପୀ ଚିତ୍ର ପ୍ରକାଶ କରୁଛନ୍ତି, ତାହା ରାଜ୍ୟର ବାସ୍ତବ ସ୍ଥିତି ନୁହେଁ। ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ଅଭିବୃଦ୍ଧି କେବଳ କାଗଜ କଲମରେ। ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କଠାରୁ ଯେଉଁ ଧାନ କିଣାଯାଉଛି ବୋଲି ଦର୍ଶାଯାଇଛି, ତାହା ପ୍ରକୃତ ଧାନ ଉତ୍ପାଦନ ନୁହେଁ। ବିଭିନ୍ନ ବେନାମୀ ଚାଷୀଙ୍କ ନାମରେ ଏବଂ ଭୂମିହୀନଙ୍କ ନାମରେ ଏକର ଏକର ଜମି ଥିବା ଦର୍ଶାଇ ଶହ ଶହ କ୍ୱିଣ୍ଟାଲ ଧାନ କିଣାବିକାର ମିଥ୍ୟା ବିଲ୍ କରାଯାଇ କୋଟି କୋଟି ଟଙ୍କା ଲୁଟ୍ କରାଯାଉଛି। ରାଜ୍ୟର ପ୍ରାୟ ସମସ୍ତ ପ୍ରାଥମିକ ସମବାୟ ସମିତିରେ ଏହି ଅବସ୍ଥା। ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ବଲାଙ୍ଗୀର ଜିଲ୍ଲାରେ ସ୍କୁଟର ଏବଂ ମଟର ସାଇକେଲ୍ରେ ଶହ ଶହ କ୍ୱିଣ୍ଟାଲ୍ ଧାନ ବିକ୍ରି ହୋଇଛି। ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍ରେ ଭୂମିହୀନ ଲୋକମାନଙ୍କଠୁ ଶହ ଶହ କ୍ୱିଣ୍ଟାଲ୍ ଧାନ କିଣାଯାଇଛି। ଏହି ସବୁ ଧାନ କେବଳ କାଗଜକଲମରେ କିଣା ଯାଇ କୋଟି କୋଟି ଟଙ୍କା ଆତ୍ମସାତ୍ କରାଯାଉଛି। ଏହି ଦୁର୍ନୀତିରେ ଶାସକ ଦଳର ବିଧାୟକ, ସରକାରୀ ଅଫିସର୍, ମିଲ୍ ମାଲିକ, ସମବାୟ ସମିତିର କର୍ମଚାରୀମାନେ ସମ୍ପୃକ୍ତ ଅଛନ୍ତି। ରାଜ୍ୟରେ କୃତ୍ରିମ ଖାଦ୍ୟ ଶସ୍ୟ ଉପିାଦନ ବୃଦ୍ଧି କରାଯାଇ ଓଡ଼ିଶା ଖାଦ୍ୟ ଶସ୍ୟରେ ବଳକା ରାଜ୍ୟ ବୋଲି କୁହାଯାଉଛି। ପୁଣି ବିଜ୍ଞାପନରେ ଦର୍ଶାାଇଛି ଯେ ବିଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ଦାରିଦ୍ର୍ୟ ହାର ୨୫ ଭାଗ କମିଯାଇଛି। କିନ୍ତୁ, ରାଜ୍ୟରେ କେତେ ଲୋକ ଏଯାବତ୍ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି, ଏହାର କୌଣସି ତଥ୍ୟ ସରକାର ଦେଇପାରୁନାହାନ୍ତି। ଅପର ପକ୍ଷରେ ଦେଖାଯାଉଛି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ସେମାନଙ୍କର ଖାଦ୍ୟ ସୁରକ୍ଷା ବିପନ୍ନ ଥିବାରୁ ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ସେମାନଙ୍କୁ ରେସନ୍ କାର୍ଡ଼ ପ୍ରଦାନ କରିଛନ୍ତି। ଲୋକମାନଙ୍କର ଉତ୍କଟ ଖାଦ୍ୟ ସମସ୍ୟା ଯୋଗୁଁ କେନ୍ଦ୍ର ସରକାର ଏହି ହିତାଧିକାରୀମାନଙ୍କୁ ରିହାତି ଦରରେ ଅର୍ଥାତ୍ କେଜି ପ୍ରତି ୩ ଟଙ୍କାରେ ୫ କେଜି ଚାଉଳ ବା ୨ ଟଙ୍କାରେ ଗହମ ଦେଉଛନ୍ତି। ରାଜ୍ୟ ସରକାର ଆଉ କିଛି ରିହାତି ଦେଇ ୧ ଟଙ୍କାରେ ଚାଉଳ ଦେଉଛନ୍ତି। ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେଲାପରେ ଆହୁରି ଗରିବ ଲୋକ ଏହି ରିହାତି ଚାଉଳ ନ ପାଇବାରୁ ରାଜ୍ୟ ସରକାର ପୁଣି ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କରି ଆହୁରି ୩୪ ଲକ୍ଷ ଲୋକଙ୍କୁ ମାସକୁ ୫ କେ.ଜି. ଚାଉଳ ଆବଣ୍ଟନ ଆରମ୍ଭ କରିଛନ୍ତି। ପ୍ରଶ୍ନ ଉଠୁଛି ଯଦି ଦାରିଦ୍ର୍ୟର ହାର ୨୫ ଭାଗକୁ ଖସି ଆସିଛି, ତେବେ ଆହୁରି ୩ କୋଟି ୬୦ ଲକ୍ଷ ଲୋକଙ୍କ ଖାଦ୍ୟ ସୁରକ୍ଷା ବିପନ୍ନ ହେଲା କିପରି। ସେମାନଙ୍କର ଖାଦ୍ୟ ସୁରକ୍ଷା ସ୍ଥିତି ଏପରି ଗମ୍ଭୀର ତଥା ସେମାନେ ମାସକୁ ମାତ୍ର ୫ କେ.ଜି. ଚାଉଳ ପାଇଁ ଖଣ୍ଡେ ରେସନ୍ କାର୍ଡ ପାଇବା ପାଇଁ ଆବେଦନ କରିବାକୁ ବାଧ୍ୟ ହେଲେ। କିନ୍ତୁ ସରକାରୀ ଚାଉଳ ପାଉଥିବା ୩ କୋଟି ୬୦ ଲକ୍ଷ ଲୋକଙ୍କୁ ଗରିବ ଲୋକ ଭାବେ ଧରିବାକୁ ସରକାର ପ୍ରସ୍ତୁତ ନୁହଁନ୍ତି। ତେବେ ରାଜ୍ୟରେ କେଉଁମାନେ ଗରିବ ବା ଦାରିଦ୍ର୍ୟ ସୀମାରେଖା ତଳେ ରହୁଛନ୍ତି, କେଉଁ ଜିଲ୍ଲାରେ କେତେ ଗରିବୀ ଅଛନ୍ତି, ଏହାର ପରିସଂଖ୍ୟାନ ମଧ୍ୟ ରାଜ୍ୟ ସରକାର ସୂଚନା ଅଧିକାର ଆଇନ୍ ବଳରେ ଦେଇପାରୁନାହାନ୍ତି। ଏ ସମ୍ପର୍କରେ ଯୋଜନା ଏବଂ ସମନ୍ୱୟ ବିଭାଗ, ପଞ୍ଚାୟତରାଜ ବିଭାଗ, ଖାଦ୍ୟବଣ୍ଟନ ଏବଂ ଖାଉଟି କଲ୍ୟାଣ ବିଭାଗକୁ ତଥ୍ୟ ମଗାଯାଇଥିଲେ ମଧ୍ୟ, କୌଣସି ବିଭାଗ ଏହାର ଉତ୍ତର ଦେଇ ପାରିନଥିଲେ। ରାଜ୍ୟରେ ବୃଦ୍ଧି ପାଉଥିବା ଉତ୍କଟ ଦାରିଦ୍ର୍ୟ, କ୍ଷୁଧା, ଅନାହାରକୁ ଲୁଚାଇବାପାଇଁ ରାଜ୍ୟ ସରକାର ଖାଦ୍ୟ ଶସ୍ୟ ଉପିାଦନରେ ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ କମିଛି ବୋଲି ମିଛ ପ୍ରଚାର କରାଉଛନ୍ତି। ରାଜ୍ୟର ସୀମାହୀନ ଲୁଟ୍, ପ୍ରାକୃତିକ ସମ୍ପଦର ହରିଲୁଟ୍, ସରକାରୀ ଯୋଜନା କାର୍ଯ୍ୟାନ୍ୱୟନରେ ବ୍ୟାପକ ଦୁର୍ନୀତି, ପ୍ରତିଟି ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର, ଠକାମୀ ଏବଂ ଭ୍ରଷ୍ଟାଚାର ଆଗରୁ ସାଧାରଣ ଲୋକେ ସେମାନଙ୍କ ହକ୍ ଅଧିକାରରୁ ବଞ୍ଚିତ ହେଉଛନ୍ତି ଏବଂ ସେମାନେ କାମଧନ୍ଦା ପାଉନାହାନ୍ତି। କାମଧନନ୍ଦା ନ ମିଳିବା ଯୋଗୁଁ ସେମାନଙ୍କର କ୍ରୟ କ୍ଷମତା ହ୍ରାସ ପାଇବା ସହିତ ଖାଦ୍ୟ ସୁରକ୍ଷା ବିପନ୍ନ ହୋଇପଡ଼ୁଛି। ତେଣୁ ସେମାନେ ୧ ଟଙ୍କିଆ ଚାଉଳ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଏହି ବାସ୍ତବ ସତ୍ୟକୁ ଲୁଚାଇବା ପାଇଁ ଗଣମାଧ୍ୟମରେ ମିଛ ବିଜ୍ଞାପନ ଦିଆଯାଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରାଯାଉଛି। ଯେଉଁଥିପାଇଁ ବିଭିନ୍ନ ବିଭାଗ ଗୁଡ଼ିକ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଦେଇପାରୁନାହାନ୍ତି। ତେଣୁ ଖବରକାଗଜରେ ବିଜ୍ଞାପନ ମାଧ୍ୟମରେ ଯେଉଁ ତଥ୍ୟ ଦିଆଯାଉଛି, ଏହାକୁ ବିଶ୍ୱାସ କରିବା କଥା ନୁହେଁ। ଅନେକ ଯୋଜନା କରାଯାଉଛି, ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟ୍ ବ୍ୟବସ୍ଥା ହୋଇନାହିଁ। ସାମାନ୍ୟ କିଛି ଅର୍ଥ ବ୍ୟବସ୍ଥା କରି ବିଭିନ୍ନ ଯୋଜନାର ପ୍ରଚାର କରାଯାଉଛି। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏପରି ପ୍ରଚାର କରାଯାଉଛି। ତେଣୁ ଏହିସବୁ ପ୍ରାୟୋଜିତ ବିଜ୍ଞାପନ ଦ୍ୱାରା ପ୍ରଭାବିତ ନ ହେବା ଉଚିତ। ବରଂ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନର ସାହାଯ୍ୟ ନେବା ଉଚିତ। ଯାହା ଦ୍ୱାରା ସରକାରଙ୍କର ଅସଲ ଚରିତ୍ର ପଦାକୁ ଆସିବ, ଲୋକମାନେ ସଚେତନ ହୋଇପାରିବେ। ରାଜ୍ୟ ଆବାହକ, ରାଇଟ୍ ଟୁ ଫୁଡ୍ କ୍ୟାମ୍ପେନ୍, ଓଡ଼ିଶା ମୋବାଇଲ୍ : ୯୯୩୭୮୪୩୪୮୨