ଦେବେନ୍ଦ୍ର ପୃଷ୍ଟି ଅଧୁରା ରହିଛି ସ୍ୱପ୍ନ। ଅଧୁରା ରହିଛି ପ୍ରତିଶ୍ରୁତି। ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଜନତାଙ୍କ ଦ୍ୱାରା ପରିଚାଳିତ ହେଉଛି ଅପରିପକ୍ୱ ଗଣତନ୍ତ୍ର। ଏହା ହିଁ ସ୍ୱାଧୀନ ଭାରତର ଇତିହାସ। ଷୋଡ଼ଶ ଲୋକସଭାର ସମୟ ପ୍ରାୟ ଅତିକ୍ରାନ୍ତ। ୨୦୧୯ ପ୍ରଥମ ଭାଗରେ ନିର୍ବାଚିତ ହେବେ ସପ୍ତଦଶ ଲୋକସଭାର ସଦସ୍ୟ ସମୂହ। ସେମାନେ ଯେ ନିଜର ପୂର୍ବସୂରୀଙ୍କଠାରୁ ସ୍ୱତନ୍ତ୍ର ହେବେ, ନିଜର ଓ ନିଜ ଦଳ କଥା ଛାଡ଼ି ଦେଶ ଓ ଦେଶବାସୀଙ୍କ କଥା ଭାବିବେ ତାହା ଆଶା କରିବା ଅତିଶୟ ହେବ। ପ୍ରତି ନିର୍ବାଚନରେ ଦିଆଯାଉଛି ପ୍ରତିଶ୍ରୁତି। କିଛି ପୂରଣ ହେଉଛି। ଅଧିକ ବାକି ରହୁଛି। କୌଣସି ଦଳ ଓ କୌଣସି ପ୍ରତିନିଧି ନିଜର ସବୁ ପ୍ରତିଶ୍ରୁତି ପୂରଣ କରନ୍ତି ନାହିଁ। ଭୋଟ ନେବାକୁ ଯେଉଁ ପ୍ରତିଶ୍ରୁତି ଦିଆଯାଏ ଭୋଟ୍ ସରିଲା ପରେ ଆଉ ମନେପଡେ଼ ନାହିଁ। ବାସ୍ତବତା ବି ସମସ୍ୟା ସୃଷ୍ଟି କରେ। କାରଣ ଅନେକ ପ୍ରତିଶ୍ରୁତି ପରସ୍ପର ବିରୋଧୀ। ଗୋଟିଏ ଜାଗାରେ ମୁସଲମାନଙ୍କୁ ମସଜିଦ ଓ ହିନ୍ଦୁଙ୍କୁ ମନ୍ଦିର ତୋଳିବାର ପ୍ରତିଶ୍ରୁତି ଦେଲେ କ’ଣ ହେବ? ଏହିପରି ଅନ୍ୟ ବହୁ ପ୍ରତିଶ୍ରୁତି। ଲୋକେ ସରଳ ମନରେ ବିଶ୍ୱାସ କରନ୍ତି। ତା’ପରେ ସବୁ ଭୁଲିଯାଆନ୍ତି। ନେତା ଓ ଦଳଙ୍କ ପ୍ରତିଶ୍ରୁତି କଥା ଛାଡ଼ନ୍ତୁ, ଏ ଦେଶର ସରକାର ଏ ଦେଶର ସମ୍ୱିଧାନ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ବି ପୂରଣ କରିନାହାନ୍ତି। ବିତି ଗଲାଣି ୭୧ ବର୍ଷ। ସମ୍ୱିଧାନର ମୁଖବନ୍ଧରେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ଭାବେ ଗଙ୍ଘ଼ିତୋଳିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ପରେ ଏଥିରେ ଯୋଡ଼ାଗଲା ସମାଜବାଦୀ ଧର୍ମନିରପେକ୍ଷ। କିନ୍ତୁ ଭାରତର ଗଣତନ୍ତ୍ର କେତେ ସୁଦୃଢ଼? ଗଣତନ୍ତ୍ରରେ ସଂଖ୍ୟାଧିକ ମତକୁ ଗୁରୁତ୍ୱ ଦିଆଯାଏ। ମାତ୍ର ଭାରତୀୟ ଗଣତନ୍ତ୍ରରେ ଅନେକ ଦଳ ୧୧-୩୩ ପ୍ରତିଶତ ଭୋଟ ପାଇ ବି ସରକାର ଗଠନ କରିପାରନ୍ତି। ଭାରତରେ ମୋଟ ଭୋଟରଙ୍କ କଥା ଛାଡ଼ନ୍ତୁ, ଦିଆଯାଇଥିବା ଭୋଟ୍ର ୫୧ ପ୍ରତିଶତ ବି ବହୁତ କମ୍ ବିଜୟୀ ପାଇଥାନ୍ତି। ତଥାପି ସେମାନେ ସମୁଦାୟ ବା ୧୦୦ ପ୍ରତିଶତଙ୍କ ପ୍ରତିନିଧିତ୍ୱ କରନ୍ତି, ତାଙ୍କ ବିରୋଧରେ ସଂଖ୍ୟାଧିକ ଜନମତ ରହିଥିବା ସତ୍ୱେ। ଭାରତୀୟ ସାଧାରଣତନ୍ତ୍ରର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି। ମାତ୍ର ସେ ସାଧାରଣ ଜନତାଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହୋଇନଥାନ୍ତି। ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଦଳୀୟ ବିଚାରରେ ତାଙ୍କୁ ନିର୍ବାଚିତ କରିଥାନ୍ତି। ତାଙ୍କୁ ପୁଣି ବାଛିଥାନ୍ତି ଦଳୀୟ ନେତା। ଅର୍ଥାତ ଜଣେ ବା ଅଳ୍ପ କେଇଜଣଙ୍କ ଦ୍ୱାରା ମନୋନୀତ ଓ ପ୍ରାୟ ୫ ହଜାର ଜନ ପ୍ରତିନିଧିଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି ଏ ଦେଶର ରାଷ୍ଟ୍ରପତି। ଏବେ ଭାରତର ଲୋକସଂଖ୍ୟା ୧୨୦ କୋଟି ଉପରେ। ସେହିପରି ସମାଜବାଦ ଏଠି କାହିଁ? କେଉଁଠି ସମାଧି ନେଇଛି? ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଜଣେ ଫେବିଆନ୍ ସୋସିଆଲିଷ୍ଟ ଥିଲେ। ସେଥିପାଇଁ ସେ ଦେଶରେ ପୁଞ୍ଜିବାଦ ଓ ସମାଜବାଦକୁ ମିଶାଇ ଏକ ମିଶ୍ର ଅର୍ଥନୀତି ପ୍ରଚଳନ କରିଥିଲେ। ସେହି ଅର୍ଥନୀତିରେ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗକୁ ସମାନ ଗୁରୁତ୍ୱ ଦିଆଯାଉଥିଲା। କିନ୍ତୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀ କ୍ଷମତାସୀନ ହେବା ପରେ ଭାରତରେ ପ୍ରକୃତ ସମାଜବାଦୀ ଅର୍ଥନୀତି ଆରମ୍ଭ ହୋଇଥିଲା। ବ୍ୟାଙ୍କ ଜାତୀୟକରଣ ଥିଲା ତାହାର ପ୍ରଥମ ପ୍ରମୁଖ ପଦକ୍ଷେପ। ତାଙ୍କରି ଅମଳରେ ବି ସମ୍ୱିଧାନର ମୁଖବନ୍ଧରେ ଯୋଡ଼ାଯାଇଥିଲା ସମାଜବାଦୀ ଶବ୍ଦ। କିନ୍ତୁ ଏବେ ଭାରତରେ ଚାଲିଛି ବିଶୁଦ୍ଧ ପୁଞ୍ଜିବାଦ। ୧୯୯୧ ମସିହା ପରଠାରୁ ଭାରତରେ ପୁଞ୍ଜିବାଦ କ୍ରମେ ଦୃଢ଼ରୁ ଦୃଢ଼ତର ହୋଇଚାଲିଛି। ଗାନ୍ଧୀବାଦୀ ସମାଜବାଦକୁ ନିଜ ସମ୍ୱିଧାନରେ ଆଦର୍ଶ ମାନିଥିିବା ଭାରତୀୟ ଜନତା ପାର୍ଟି, ମାହାତ୍ମା ଗାନ୍ଧୀଙ୍କୁ ନିଜର ଆଦର୍ଶ ବୋଲି ପ୍ରଚାର କରୁଥିବା କଂଗ୍ରେସ ଆଦି ଦୁଇଟି ଯାକ ଜାତୀୟ ଦଳ କେହି ସମାଜବାଦୀ ଅର୍ଥନୀତି ପ୍ରଚଳନ କରିନାହାନ୍ତି। ବରଂ ପୁଞ୍ଜିପତିଙ୍କ ସହଯୋଗ ଓ ସାହଚର୍ଯ୍ୟରେ ସେମାନେ ଭାରତକୁ ପୁଞ୍ଜିବାଦୀଙ୍କ ନିୟନ୍ତ୍ରଣରେ ଛାଡ଼ି ସାରିଲେଣି। ଧର୍ମନିରପେକ୍ଷ ଭାରତ ବି ଏବେ ଦୁଃସ୍ୱପ୍ନ। ହିନ୍ଦୁତ୍ୱକୁ ନେଇ ରାଜନୀତି କରୁଥିବା ଦଳ ଏବେ କ୍ଷମତାରେ। ଭାରତୀୟ ଜନତା ପାର୍ଟି ଉଗ୍ର ହିନ୍ଦୁତ୍ୱର ପ୍ରବକ୍ତା ହୋଇଥିଲାବେଳେ କଂଗ୍ରେସ ନରମ ହିନ୍ଦୁତ୍ୱର ଅନୁଚର। ଉଭୟ ଦଳର ରାଜନୀତି ବିଭାଜନକାରୀ। ଉଭୟ ଦଳ ଜାତି, ଧର୍ମ, ବର୍ଣ୍ଣ ଓ ବର୍ଗ ଭିତିରେ ଭୋଟ ହାତେଇବାର କୌଶଳ ଆପଣାର କରିଛନ୍ତି। ସେଥିପାଇଁ ହେଲା ଭାରତର ବିଭାଜନ। ସେଥିପାଇଁ ସ୍ୱାଧୀନତା ପରେ ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଏବେ ବି ଏ ଦେଶରୁ ସାଂପ୍ରଦାୟିକ ଦଙ୍ଗାର ଭୟ ଦୂର ହୋଇନାହିଁ। ନିରତ ଭୟ ଭିତରେ ରହୁଛନ୍ତି ସଂଖ୍ୟାଲଘୁ। ହିନ୍ଦୁ ସମାଜରୁ ମଧ୍ୟ ସବର୍ଣ୍ଣ ଓ ଅସବର୍ଣ୍ଣର ବିଭେଦ ଦୂର ହୋଇନାହିଁ। ଦୂର ହୋଇନାହିଁ ଅସ୍ପୃଶ୍ୟତା। ଗାନ୍ଧୀ ପରିକଳ୍ପିତ ରାମରାଜ୍ୟ ଆଜି ବି ଅପହଂଚ। ସ୍ୱଦେଶୀ ଅର୍ଥନୀତି, ଗ୍ରାମ ସ୍ୱରାଜ, ନିର୍ଭୟ ନାରୀ, ଶାନ୍ତି ଓ ଅହିଂସା ଆଦି ସ୍ୱପ୍ନ ଓ ଆଦର୍ଶ ଆଜି ବି ଭାରତୀୟ ସମାଜ ଓ ରାଜନୀତିଠାରୁ ବହୁ ଦୂରରେ। ନିଶା ନିବାରଣ, ଗୋହତ୍ୟା ନିଷେଧ, ନ୍ୟାୟ ପଂଚାୟତ, ସାମ୍ୱିଧାନିକ ପଂଚାୟତିରାଜ ଆଦି ଲକ୍ଷ୍ୟ ମଧ୍ୟ ଭ୍ରଷ୍ଟ। ସ୍ୱାଧୀନତାର ସାତ ଦଶନ୍ଧି ପରେ ସରକାର ହୋଇଯାଇଛନ୍ତି ବଳବାନ, ଲୋକେ ହୋଇଛନ୍ତି ଦୁର୍ବଳ। ଗଣତନ୍ତ୍ରରେ ଲୋକେ ମାଲିକ ଓ ସରକାର ସେବକ ହେବା କଥା। ଭାରତରେ କିନ୍ତୁ ମାଲିକ ହୋଇଯାଇଛନ୍ତି ସେବକ, ଆଉ ସେବକ ହୋଇଯାଇଛନ୍ତି ମାଲିକ। ଏଠି ଜଣେ ସାଧାରଣ ଲୋକ ଅପେକ୍ଷା ଜଣେ ସରକାରୀ ଅର୍ଦ୍ଦଳିର କ୍ଷମତା ଅଧିକ। ବାବୁ ଓ ନେତାଙ୍କ କ୍ଷମତାର ଛନ୍ଦ ଭିତରେ ବନ୍ଦୀ ହୋଇଯାଇଛି ଜନତାଙ୍କ ସ୍ୱାଧୀନତା, ସ୍ୱତନ୍ତ୍ରତା ଓ ଅଧିକାର। ଏଭଳି ଏକ ସମୟରେ ପୁଣି ଏକ ସ୍ୱାଧୀନତା ସଂଗ୍ରାମର ଆବଶ୍ୟକତା ଅନୁଭବ କରୁଛନ୍ତି ସମସ୍ତେ। ସମସ୍ତଙ୍କ ମନରେ ଉଦବେଳନ ଓ ସବୁ ରାଜପଥରେ ଆନ୍ଦୋଳନ। କିନ୍ତୁ, ଏବେ ବି ମିଳିନି ସମାଧାନ। ଭାରତର ଗତି କେଉଁ ଆଡେ଼? କେଉଁ ଆଡେ଼ ଉଇଁବ ଶାନ୍ତି, ଅହିଂସା, ମୈତ୍ରୀ ଓ ସମତାର ସୂର୍ଯ୍ୟ?