କିଏ କହେ ଗରିବ ମାଇପ ସମସ୍ତଙ୍କ ଟାପରା!

କିଏ କହେ ଗରିବ ମାଇପ ସମସ୍ତଙ୍କ ଟାପରା!

Share :

ଦେବେନ୍ଦ୍ର ପୃଷ୍ଟି (ପ୍ରକୃତ ଗରୀବ ଓ ସ୍ୱାଭିମାନୀ ଲୋକମାନଙ୍କୁ କ୍ଷମାପ୍ରାର୍ଥନାର ସହ । କାହାକୁ ଅପାମାନିତ କରିବା ଏ ଲେଖର ଆଦୌ ଉଦ୍ଦେଶ୍ୟ ନାହିଁ । କେବଳ ଆମେ କିପରି ସାମୂହିକ ଭାବେ ସରକାରଙ୍କ ଉପରେ ନିର୍ଭରଶୀଳ ହୋଇଯାଉଛୁ ଓ ସ୍ୱାଭିମାନ ହରାଉଛି ତାହା ହିଁ ଦର୍ଶାଇବା ଏ ଲେଖାର ଏକମାତ୍ର ଉଦ୍ଦେଶ୍ୟ ।) ଗରିବ ହେଲେ ଆପଣ ଜୀବନକାଳରେ ଗୋଟିଏ ଇନ୍ଦିରା ଆବାସ ବା ପ୍ରଧାମନ୍ତ୍ରୀ ଆବାସ ଘର ପାଇବେ । ପିସି ଓ ଲାଂଚ କଙ୍କିବା ପରେ ବି ଆପଣ ସେ ବାବଦରେ ପାଇବେ ଅନ୍ୟୁନ ଲକ୍ଷେ ଟଙ୍କା । ଆପଣ ଯଦି ଚାଲାକ୍ ଓ ଦୁର୍ନୀତିଖୋର ହୋଇଥିବେ ତେବେ ଏକାଧିକ ଘର ବି ପରିବାର ଲୋକଙ୍କ ନାଁରେ ନେଇ ପାରନ୍ତି । ଗରିବ ହେଲେ ଆପଣ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ ବା ଏମଜିଏନଆରଇଜିଏସ୍ ସ୍କିମରେ ସାମିଲ ହୋଇପାରିବେ । କର୍ମପତ୍ର ହାସଲ କରି ବର୍ଷକୁ ଅତିକମରେ ୧୦୦ ଦିନର ସରକାରୀ ମଜୁରୀ ପାଇପାରିବେ । ଲାଂଚ ଓ ପିସି କଟି ଆପଣଙ୍କୁ ୧୫ ହଜାର ଟଙ୍କାରୁ କମ୍ ମିଳିବ ନାହିଁ । ଆପଣଙ୍କ ଘରେ ଅନ୍ୟ ସାବାଳକ ଥିଲେ ବି ଆଉ ଗୋଟେ କର୍ମପତ୍ର ହାସଲ କରି ଅଧିକ ମଜୁରୀ ଉଠେଇ ପାରିବେ । ଗରିବ ହେଲେ ଆପଣ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀ ହୋଇପାରିବେ । ଏହା ରାଜ୍ୟ ସରକାରଙ୍କ ଜରିଆରେ ପରିଚାଳିତ ହେଉଚି । ଆପଣଙ୍କ ପରିବାର ସଦସ୍ୟ ସଂଖ୍ୟା ସର୍ବନିମ୍ନ ୫ ହୋଇଥିଲେ ଆପଣ ଏହି ସ୍କିମରେ ମାସିକ ୨୫ କିଲୋଗ୍ରାମ ଚାଉଳ ପାଇପାରିବେ । ଦେବେ ୨୫ ଟଙ୍କା, ପାଇବେ ୭୫୦ ଟଙ୍କାର ଚାଉଳ । ବର୍ଷକୁ ଲାଭ ୯ ହଜାର ଟଙ୍କା । ସ୍ଥଳ ବିଶେଷରେ ଆପଣଙ୍କ ନାମରେ ଅନ୍ତ୍ୟୋଦୟ କାର୍ଡ଼ ଓ ଆପଣଙ୍କ ପତ୍ନୀଙ୍କ ନାଁରେ ଖାଦ୍ୟ ସୁରକ୍ଷା କାଡ଼ା କିମ୍ବା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଜନା କାର୍ଡ଼ ବି ମିଳିପାରିବ । ଅନ୍ତ୍ୟୋଦୟ କାର୍ଡ଼ରେ ଆପଣ ମାସିକ ୩୫ କିଲୋଗ୍ରାମର ଚାଉଳ ଉଠେଇପାରିବେ । ଗରିବ ହେଲେ ଆପଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରିବ । ମାସିକ ୫୦୦ ଟଙ୍କା ହିସାବରେ ବର୍ଷକୁ ୬ ହଜାର ଟଙ୍କା ପାଇବେ । ଯଦି ଆପଣଙ୍କ ପତ୍ନୀଙ୍କ ବୟସ ହୋଇଯାଇଛି ତେବେ ସେ ବି ଏହି ସୁବିଧା ପାଇବେ । ଯଦି ଆପଣ ଶାସକ ଦଳର କର୍ମୀ ବା ଚିହ୍ନାପରିଚୟ ଅଛି ତେବେ ବୟସ ହୋଇ ନଥିଲେ ମଧ୍ୟ ଆପଣ ମାସିକ ଭତ୍ତା ସୁବିଧା ପାଇପାରିବେ । ଆପଣ ଯଦି କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥାନ୍ତି ତେବେ ସରକାରଙ୍କୁ ଆପଣଙ୍କୁ ୩ ବର୍ଷରେ ୫ଟି ଖରିଫ ଓ ରବି ଚାଷ ପାଇଁ ୨୫ ହଜାର ଟଙ୍କାର ଚାଷ ସହାୟତା ଦେଇପାରନ୍ତି । ଗରୀବ ଚାଷୀ ହୋଇଥିଲେ ଆପଣ ଚାଷ ପୋଖରୀ ପାଇଁ ଏକାଧିକ ଥର ହିତାଧିକାରୀ ହୋଇପାରିବେ । କେଇ ଏକର ଜମି ଏବଂ ପଂଚାୟତ ଓ ବ୍ଲକରେ ସଂପର୍କ ଥିଲେ କୃଷି ଯନ୍ତ୍ରପାତି ବାବଦରେ ଲକ୍ଷାଧିକ ଟଙ୍କାର କେନ୍ଦ୍ରୀୟ ରିହାତି ପାଇପାରିବେ । ପଡ଼ିଆ ଜମି ଥିଲେ ଉଦ୍ୟାନ କୃଷି ବାବଦରେ ସହସ୍ରାଧିକ ଟଙ୍କାର ସହାୟତା ପାଇପାରିବେ । ଏହା ବି କେନ୍ଦ୍ରରୁ ଆସେ ରାଜ୍ୟ ଭାୟାରେ । ଆପଣ ଯଦି ମହିଳା ଭାବେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥାନ୍ତି ତେବେ ସରକାର ଦେଉଥିବା ଟଙ୍କାରୁ ଆପଣଙ୍କ ଭାଗ ବାର୍ଷିକ ୫୦୦ ଟଙ୍କା ହୋଇପାରେ । ତା’ଛଡ଼ା ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଆପଣ ବହୁ ପୂର୍ବରୁ ବେଆଇନ ଘୋଷିତ ହୋଇଥିବା ମହାଜନୀ କାରବାର କରି ବାର୍ଷିକ ୬୦ ପ୍ରତିଶତ ଯାଏଁ ସୁଧ ଅର୍ଜନ କରିପାରିବେ । ବ୍ୟାଙ୍କ ଋଣର ସୁଧ ହାର ସର୍ବାଧିକ ୧୩ ପ୍ରତିଶତ । ଆପଣଙ୍କର ବିପିଏଲ କାର୍ଡ଼ ଥିଲେ ଶସ୍ତାରେ ବିଜୁଳି ସଂଯୋଗ ନେଇପାରିବେ । ତା’ପରେ ଘରେ ହିଟର ଜଲେଇ ରୋଷେଇ କଲେ ବି ଚଳିବ । ଚିହ୍ନା ପରିଚୟ ଥିଲେ ବା ମଝିରେ ମଝିରେ ସରକାରୀ ତଦାରଖକାରୀଙ୍କୁ କିଛି ପାଉଣା ଦେଉଥିଲେ ଧରା ପଡ଼ିବାର ଭୟ ନାହିଁ । ଆପଣ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାର ବି ହିତାଧିକାରୀ ହୋଇପାରନ୍ତି । ନଅଶ ଟଙ୍କାର ଗ୍ୟାସକୁ ପାଁ ଶ ଟଙ୍କାରେ ପାଇପାରିବେ । ଆପଣ ରୋଷେଇ କରିବାକୁ ନାପସନ୍ଦ କରୁଥିଲେ ନିକଟସ୍ଥ ସହରକୁ ଯାଇଁ ଦିନ ଓ ରାତିରେ ଆହାର ସଂଗ୍ରହ କରିପାରିବେ । ଦିନକୁ ଦୁଇଟି ମିଲ୍ ବାବଦକୁ ଅତି କମରେ ୪୦ ଟଙ୍କା ସଂଚୟ କରିପାରିବେ । ମାସକୁ ୧୨୦୦ ଓ ବର୍ଷକୁ ପ୍ରାୟ ୧୫ ହଜାର ଟଙ୍କାର ସିଧାସଳଖ ରିହାତି । ଆପଣଙ୍କ ପିଲାମାନେ ଦିନ ବେଳା ଘରେ ଖାଇବା ଦରକାର ନାହିଁ । ସେମାନେ ଅଙ୍ଗନବାଡ଼ି ନହେଲେ ସ୍ଥାନୀୟ ସ୍କୁଲରେ ନାଁ ଲେଖେଇ ସରକାରୀ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସେମାନଙ୍କ ପାଇଁ ମାଗଣା ବହିପତ୍ର ଓ ପୋଷାକ ସୁବିଧା ବି ଅଛି । ହାଇସ୍କୁଲରେ ପଢ଼ିଲେ ମାଗଣା ସାଇକେଲ ବି ପାଇପାରନ୍ତି । କଲେଜ ଗଲେ ଲ୍ୟାପ ଟପ୍ ମିଳିବାର ଯୋଜନା ବି ଅଛି । ମେଧାବୀ ହୋଇଥିଲେ ବୃତ୍ତି ବ୍ୟବସ୍ଥା ବି ଅଛି । ପିଲା ଜନ୍ମ କଲେ ମମତା ଯୋଜନାରେ ୫ ହଜାର ଟଙ୍କା ଯାଏଁ ଉଠେଇପାରିବେ । ସେଥିପାଇଁ ସ୍ଥଳବିଶେଷରେ ଅନେକ ମହିଳା ବର୍ଷକୁ ଦି’ଥର ବି ପିଲା ପ୍ରସବ କରିପାରନ୍ତି । ଓହଃ, କାଗଜପତ୍ରରେ କ’ଣ ଅସମ୍ଭବ ଯେ! ଏସବୁ ବାଦ ଆପଣ ନିରାମୟ ଯୋଜନାରେ ମାଗଣା ଔଷଧ ଆଦି ପାଇପାରିବେ । ବିଜୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ । ଯଦି ଆପଣ ଚାହିଁବେ ଯେ ବୁଢ଼ାବେଳେ ତୀର୍ଥ କରିବେ ତେବେ ବିଜୁ ତୀର୍ଥ ଯାତ୍ରା ସୁବିଧା ଅଛି । ବୟସ ନହେଲେ ବି ଆପଣ ଗାଁରେ ରହୁଥିଲେ ଓ ସରକାରୀ ଯୋଜନାରେ ଚଳୁଥିଲେ ଆପଣ ବୁଢ଼ା ପରି ଦେଖାଯିବାରେ ଅସୁବିଧା ନାହିଁ । ଏହା ପରେ ବି ଯଦି ଆପଣଙ୍କ ଆୟୁସ ସରିଯାଏ ତେବେ ମହାପ୍ରୟାଣ ଗାଡ଼ି ଓ ହରିଶ୍ଚନ୍ଦ୍ର ଯୋଜନା ଅଛି । ଶ୍ମଶାନ ଯିବାରେ କିଛି ଅସୁବିଧା ନାହିଁ । ଗରୀବ ହିତାଧିକାରୀ ହେଲେ ଆପଣଙ୍କ ସମ୍ମାନ ବଢ଼ିଯିବ । ଆପଣ ସବୁବେଳେ ଶାସକ ଦଳର କର୍ମୀ ନହେଲେ ଭୋଟର୍ ହୋଇରହିବେ । ପ୍ରଚୁର କ୍ଷମତା । ପ୍ରତି ମାସ ଶାସକ ଦଳର ସଭା ଶୋଭାଯାତ୍ରା ପାଇଁ ଗାଡ଼ିରେ ଯିବେ । ଖାଇବା ପିଇବା ମାହାଳିଆ । ଥରକେ ଦି’ ପାଁ ଶହ ଟଙ୍କା ବି ମିଳିବାର ସମ୍ଭାବନା ଅଛି । (ଆହୁରି ଅନେକ ଏପରି ଯୋଜନା ଥାଇପାରେ ଯାହା ଏ ଲେଖରର ଏବେ ମନେପଡ଼ୁନି!)

Share :