‘କାଳିଆ’ କାହାକୁ ତାରିବନି!

‘କାଳିଆ’ କାହାକୁ ତାରିବନି!

ସରଳ କୁମାର ଦାସ ଓଡ଼ିଶା ସମେତ ସାରା ଭାରତରେ ଚାଷୀ ସଂଗଠନଗୁଡ଼ିକ ଚାଷ ଋଣ ଛାଡ଼ ପାଇଁ ଦାବି ଉଠାଇବା ଓ ବିଭିନ୍ନ ରାଜ୍ୟରେ ଋଣଛାଡ଼ ଘୋଷଣା ହେବା ପରେ ନିର୍ବାଚନ ପୂର୍ବରୁ ଚାଷୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଓଡ଼ିଶା ସରକାର ଚାଷଋଣ ଛାଡ଼ ଘୋଷଣା କରିବାକୁ ବାଧ୍ୟ ହେବେ ବୋଲି ଅନେକଙ୍କ ଧାରଣା ଥିଲା। ଠିକ ଏତିକି ବେଳେ ସରକାର ଚାଷଋଣ ଛାଡ଼ ନକରି ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର ଲାଇଭଲିହୁଡ ଆଣ୍ଡ ଇନକମ ଅଗମେଂଟେସନ) ଯୋଜନା ଘୋଷଣା କରିବା କେବଳ ଯେ ସମସ୍ତଙ୍କୁ ଚକିତ କଲା ତାହା ନୁହେଁ, ବରଂ କେହି କେହି ଏହା ନବୀନଙ୍କ ଆଉ ଏକ ଗୁଗଲି ବୋଲି କହିଲେ। ଋଣଛାଡ଼ ହେଲେ ରାଜ୍ୟର ମାତ୍ର ଆଠ ଲକ୍ଷ ଚାଷୀ ଉପକୃତ ହେଉଥିବାରୁ ସରକାର ସେଥିପ୍ରତି ଗୁରୁତ୍ୱ ଦେଲେ ନାହିଁ ବୋଲି ଯୁକ୍ତି ଉପସ୍ଥାପନ କରାଗଲା। ତେବେ ଅନ୍ୟ ରାଜ୍ୟମାନଙ୍କରେ ଋଣଛାଡ଼ ଯୁକ୍ତିସଙ୍ଗତ ହେଉଥିବା ବେଳେ ଓଡ଼ିଶାରେ ତାହା ଅଯୌକ୍ତିକ କିପରି? ସରକାରଙ୍କ ଯୁକ୍ତି ହେଉଛି, ଓଡ଼ିଶାରେ ଚାଷଋଣ ନେଇଥିବା ୨୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ନିୟମିତ ଭାବେ ଶତକଡ଼ା ୬୦ ଭାଗ ଚାଷୀ ଋଣ ପରିଶୋଧ କରିଥାନ୍ତି ଓ ଅବଶିଷ୍ଟ ୮ ଲକ୍ଷ ଚାଷୀ ଋଣ ଶୁଝି ନଥାନ୍ତି। ଏ ଯୁକ୍ତିଟି ଅର୍ଦ୍ଧସତ୍ୟ ଉପରେ ଆଧାରିତ। ତେଣୁ ସତ୍ୟର ନିକଟବର୍ତ୍ତୀ ହେବା ଲାଗି ୨୦୧୭-୧୮ ବର୍ଷର ଓଡ଼ିଶା ରାଜ୍ୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ତଥ୍ୟକୁ ତର୍ଜମା କରାଯାଇପାରେ। ଚାଷୀମାନଙ୍କୁ ସାଧାରଣତଃ ଦୁଇ ପ୍ରକାର କୃଷି ଋଣ ମିଳିଥାଏ, ସ୍ୱଳ୍ପ ମିଆଦି ଚାଷ ଋଣ ଓ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ପାଇଁ ମିଆଦି କୃଷି ଋଣ। ଚାଷ ଋଣଛାଡ଼ ପ୍ରସଙ୍ଗ ଉଠିଲେ ମୁଖ୍ୟତଃ ସ୍ୱଳ୍ପ ମିଆଦି ଚାଷ ଋଣଛାଡ଼ କଥା ହିଁ ଉଠିଥାଏ। ବର୍ଷକୁ ଦୁଇ ଥର, ଖରିଫ ଚାଷ ପାଇଁ ଅପ୍ରେଲ ପହିଲାରୁ ୩୦ ସେପ୍ଟେମ୍ୱର ମଧ୍ୟରେ ଓ ରବି ଚାଷ ପାଇଁ ଅକ୍ଟୋବର ପହିଲାରୁ ୩୧ ମାର୍ଚ୍ଚ ମଧ୍ୟରେ ଋଣ ମିଳିଥାଏ। ଖରିଫ ଋଣ ଆଦାୟର ଶେଷ ତାରିଖ ୩୧ ମାର୍ଚ୍ଚ ହୋଇଥିବା ବେଳେ ରବି ଋଣ ଆଦାୟ ପାଇଁ ୩୦ ଜୁନ। ଏହି ନିର୍ଦ୍ଧାରିତ ତାରିଖ ସୁଦ୍ଧା ଋଣ ପରିଶୋଧ କରି ପାରୁ ନଥିବା ଚାଷୀମାନେ ଖିଲାପି ହୋଇଥାନ୍ତି। ଓଡ଼ିଶାରେ ବ୍ୟାଙ୍କମାନେ ୨୦୧୭-୧୮ ବର୍ଷରେ ସମୁଦାୟ ୨୮.୬୦ ଲକ୍ଷ ଲୋକଙ୍କୁ ୧୬,୫୩୦ କୋଟି ଟଙ୍କାର ଚାଷ ଋଣ ଦେଇଥିଲେ। ତନ୍ମଧ୍ୟରୁ ବାଣିଜ୍ୟିକ ବ୍ୟାଙ୍କଗୁଡିକ (ସରକାରୀ ବ୍ୟାଙ୍କ, ବେସରକାରୀ ବ୍ୟାଙ୍କ ଓ ଗ୍ରାମ୍ୟ ବ୍ୟାଙ୍କ) ୭.୮୩ ଲକ୍ଷ ଲୋକଙ୍କୁ ୫,୫୨୪ କୋଟି ଟଙ୍କା ଚାଷ ଋଣ ଦେଇଥିବା ବେଳେ ସମବାୟ ବ୍ୟାଙ୍କ ୨୦.୭୭ ଲକ୍ଷ ଲୋକଙ୍କୁ ୧୧,୦୦୬ କୋଟି ଟଙ୍କା ଋଣ ଦେଇଥଲା। ସଂଖ୍ୟା ଦୃଷ୍ଟିରୁ ମାତ୍ର ୨୭ ପ୍ରତିଶତ ଲୋକ ବାଣିଜ୍ୟିକ ବ୍ୟାଙ୍କରୁ ଚାଷ ଋଣ ନେଇଥିବା ବେଳେ ୭୩ ପ୍ରତିଶତ ସମବାୟ ବ୍ୟାଙ୍କରୁ ନେଇଛନ୍ତି। ତଥ୍ୟ ଅନୁଯାୟୀ ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ୪୩.୫୪ ଲକ୍ଷ ଲୋକଙ୍କ ଖାତାରେ ୨୦,୪୧୪ କୋଟି ଟଙ୍କା ବାକି ରହିଥିଲା। ସେହି ସମୟ ଅବଧିରେ ୨୮.୬୦ ଲକ୍ଷ ଚାଷୀଙ୍କୁ ଋଣ ଦିଆ ଯାଇଥିବା ବେଳେ ଆହୁରି ଅଧିକ ପ୍ରାୟ ୧୫ ଲକ୍ଷ ଚାଷୀଙ୍କ ଉପରେ ଋଣ ବାକି ରହିବାର ଅର୍ଥ ଏମାନେ ହୁଏତ ପୂର୍ବ ବର୍ଷରେ ଋଣ ଫେରସ୍ତ ନ କରି ଖିଲାପି ହୋଇଛନ୍ତି। ତେଣୁ ପ୍ରକୃତ ଖିଲାପି ସଂଖ୍ୟା ସରକାର କହୁଥିବା ୮ ଲକ୍ଷର ପ୍ରାୟ ଦୁଇଗୁଣ ହୋଇପାରେ। ଏମାନଙ୍କ ମଧ୍ୟରୁ ୧୧ ଲକ୍ଷ ବାଣିଜ୍ୟିକ ବ୍ୟାଙ୍କରୁ ନେଇଥିବା ବେଳେ ପ୍ରାୟ ୪ ଲକ୍ଷ ସମବାୟ ବ୍ୟାଙ୍କରୁ ନେଇଥିଲେ। ସଂଖ୍ୟା ଦୃଷ୍ଟିରୁ ଶତକଡ଼ା ୭୩ ଭାଗ ଋଣ ଦେଉଥିବା ସମବାୟ ବ୍ୟାଙ୍କ ନିକଟରେ ଏତେ କମ ସଂଖ୍ୟାରେ ଖିଲାପି ରହିବା ବିଶ୍ୱାସଯୋଗ୍ୟ କି? କେବଳ ସେତିକି ନୁହେଁ, ବାଣିଜ୍ୟିକ ବ୍ୟାଙ୍କଗୁଡିକ ଗତ ବର୍ଷ ୫,୫୨୪ କୋଟି ଟଙ୍କା ଋଣ ଦେଇ ସେମାନଙ୍କ ବକେୟା ଋଣ ପରିମାଣ ୧୦,୫୬୯ କୋଟି ଟଙ୍କା, ଅର୍ଥାତ ପ୍ରାୟ ଦୁଇ ଗୁଣ ହୋଇଥିବା ବେଳେ ସମବାୟ ବ୍ୟାଙ୍କର ଚାଷ ଋଣ ପରିମାଣ ୧୧,୦୦୬ କୋଟି ହୋଇଥିଲେ ମଧ୍ୟ ବକେୟା ପରିମାଣ ମାତ୍ର ୯,୮୪୪ କୋଟି ଟଙ୍କା ଥିଲା। ଆପାତତଃ ସମବାୟ ବ୍ୟାଙ୍କ କ୍ଷେତ୍ରରେ ଋଣ ଆଦାୟ ଭଲ ହେଉଥିବା ପରି ଜଣା ପଡୁଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ। ଏହା ସର୍ବ ଜନ ବିଦିତ ଯେ ଅଧିକାଂଶ ସେବା ସମବାୟ ସମିତି କେବଳ ସୁଧ ଟଙ୍କା ଆଦାୟ କରି ଚାଷୀଙ୍କ ରବି ବା ଖରିଫ ଋଣର ନବୀକରଣ କରିଥାନ୍ତି ଓ ଚାଷୀ ହାତକୁ ଟଙ୍କା ଆସି ନଥାଏ। ଫଳରେ ସେମାନେ ଖାତାପତ୍ରରେ ନିୟମିତ ଭାବେ ଋଣ ପରିଶୋଧ କରୁଥାନ୍ତି ଓ ଖିଲାପି ହୋଇ ନଥାନ୍ତି। ଏ ପରିସ୍ଥିତିରେ ଓଡ଼ିଶା ସରକାର ଋଣଛାଡ଼ କଲେ ବାଣିଜ୍ୟିକ ବ୍ୟାଙ୍କର ଖିଲାପି ଚାଷୀମାନେ ଅଧିକ ଉପକୃତ ହେବେ ସିନା ହେଲେ ସମବାୟ ବ୍ୟାଙ୍କର ଅଧିକାଂଶ ଚାଷୀ ସେଥିରୁ ବଂଚିତ ହେବେ। ଅନ୍ୟ ପକ୍ଷରେ ରାଜ୍ୟରେ କଂଗ୍ରେସ ଦଳ ଋଣଛାଡ଼ କରିବା କଥା ଘୋଷଣା କରି ସାରିଥିବାରୁ ହୁଏତ କିଛି ଚାଷୀ ଋଣର ନବୀକରଣ ପାଇଁ ଆଗ୍ରହ ଦେଖାଇ ନପାରନ୍ତି। କାରଣ ତଦ୍ଦ୍ୱାରା ଖିଲାପି ଘୋଷିତ ହୋଇ ସେମାନେ ସମ୍ଭାବ୍ୟ ଋଣଛାଡ଼ ପାଇଁ ଯୋଗ୍ୟ ବିବେଚିତ ହେବେ। ଚାଷୀମାନେ ଋଣଛାଡ଼ ଆଶାରେ ଯଦି ବହୁଳ ଭାବେ ଋଣ ନବୀକରଣ ନ କରନ୍ତି ତେବେ ରାଜ୍ୟରେ ଖିଲାପି ଚାଷୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିବ। ଆଗାମୀ କିଛି ଦିନ ମଧ୍ୟରେ ଋଣ ଆଦାୟର ଧାରା ଓ ଚାଷୀଙ୍କ ଋଣ ପରିଶୋଧ ନେଇ ମନୋବୃତ୍ତିରୁ ନିର୍ଦ୍ଧାରିତ ହେବ ଖିଲାପିଙ୍କ ସଂଖ୍ୟା। ଏହା ବଢିଲେ ସମ୍ପୂର୍ଣ୍ଣ ଋଣ ଆଦାୟର ବାତାବରଣ କଳୁଷିତ ହୋଇ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପ୍ରତି ଚରମ ଆହ୍ୱାନ ସୃଷ୍ଟି କରିବ। ଫଳରେ ପରବର୍ତ୍ତୀ ସମୟରେ ଋଣଛାଡ଼ କରିବା ପାଇଁ ସରକାରଙ୍କ ଉପରେ ଅଧିକ ଚାପ ସୃଷ୍ଟି ହୋଇପାରେ। ରାଜ୍ୟର ରାଜକୋଷ ଓ ବ୍ୟାଙ୍କ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି କରୁଥିବାରୁ ଏହା ଏକ ସ୍ପୃହଣୀୟ ପଦକ୍ଷେପ ନହେଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଏହା ଏକ ‘ଆବଶ୍ୟକ ଅନିଷ୍ଟ’ (ନେସେସେରି ଏଭିଲ)ରେ ପରିଣତ ହୋଇଛି। ଓଡ଼ିଶାରେ ଭାଗଚାଷୀମାନେ ବ୍ୟାଙ୍କରୁ ଋଣ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସଂଯୁକ୍ତ ଦାୟ ଗୋଷ୍ଠୀ ବା ଜେଏଲଜି ମାଧ୍ୟମରେ ଭାଗଚାଷୀଙ୍କୁ ଚାଷ ଋଣ ମିଳିବାର ସୁବିଧା ଥିଲେ ମଧ୍ୟ ସେଥିରେ ବିଶେଷ ଅଗ୍ରଗତି ହେଉନାହିଁ, କାରଣ ଅଧିକାଂଶ କ୍ଷେତ୍ରରେ ଜମିକୁ ଦେଖାଇ ଜମି ମାଲିକ ଋଣ ହାସଲ କରୁଥିବାରୁ ସେହି ଏକା ଜମି ଉପରେ ଭାଗଚାଷୀଙ୍କୁ ଋଣ ମିଳି ନଥାଏ। ଫଳରେ କିଛି ସଂଖ୍ୟକ ଚାଷ କରୁ ନଥିବା ଚାଷୀ ଶତକଡ଼ା ୧ ହାର ସୁଧରେ ଚାଷ ଋଣ ହାସଲ କରିବାକୁ ସମର୍ଥ ହେଉଥିବା ବେଳେ, ଚାଷ କରୁଥିବା ପ୍ରକୃତ ଚାଷୀଟି ଚଢା ଦରରେ ପ୍ରାୟ ଶତକଡ଼ା ୨୪-୨୬ ହାର ସୁଧରେ ସ୍ୱୟଂ ସହାୟକ ଗୋଷ୍ଠୀ, ଏମଏଫଆଇ, ବେପାରୀ ଓ ମହାଜନଙ୍କ ନିକଟରୁ ଋଣ ନେବାକୁ ବାଧ୍ୟ ହୋଇଥାଏ। ଋଣ ଶୁଝି ନପାରି ଏହି ଧରଣର ଭାଗଚାଷୀମାନେ ଆତ୍ମହତ୍ୟା କରୁଥିବାର ଖବରମାନ ଶୁଣିବାକୁ ମିଳିଥାଏ। କିନ୍ତୁ ଏମାନେ ନେଇଥିବା ଋଣ ସମ୍ପର୍କରେ ତଥ୍ୟ ଉପଲବ୍ଧ ନଥିବାରୁ ଏମାନଙ୍କ ଋଣଛାଡ଼ କଥା କେହି ଉଠାଇ ନଥାନ୍ତି। ଏମାନଙ୍କୁ ଚିହ୍ନଟ କରି କିପରି ଋଣମୁକ୍ତ କରି ହେବ ସେ ନେଇ ଚିନ୍ତା କରିବାର ସମୟ ଆସିଛି। ରାଜ୍ୟ ସରକାରଙ୍କ ପାଂଚ ପ୍ରାବଧାନ ବିଶିଷ୍ଟ ‘କାଳିଆ’ ଯୋଜନାରେ ଆଗାମୀ ତିନି ବର୍ଷ ମଧ୍ୟରେ ୧୦,୧୮୦ କୋଟି ଟଙ୍କା ବ୍ୟୟ ହୋଇ ୫୭ ଲକ୍ଷ ଚାଷୀ ପରିବାର ଉପକୃତ ହେବେ ବୋଲି ଘୋଷିତ ହେଲା। ଏହାର ପ୍ରଥମ ପ୍ରାବଧାନ ଅନୁଯାୟୀ ୩୦ ଲକ୍ଷ ଚାଷୀଙ୍କୁ ଆଗାମୀ ୫ଟି ଚାଷ ଋତୁରେ ପ୍ରତି ଋତୁ ପାଇଁ ୫ ହଜାର ଲେଖାଏଁ, ଏହିପରି ୩ ବର୍ଷରେ ସର୍ବାଧିକ ୨୫ ହଜାର ଟଙ୍କା ମିଳିବ। ଏହି ସୁବିଧା ପାଇବା ପାଇଁ ସେମାନେ ଋଣର ବୋଝ ମୁଣ୍ଡାଇ ଆଗାମୀ ୫ଟି ଋତୁ ଯାଏଁ ଚାଷ ଜାରି ରଖିବାକୁ ସମର୍ଥ ହେବେ ତ? ଦ୍ୱିତୀୟ ପ୍ରାବଧାନ ଅନୁସାରେ ୧୦ ଲକ୍ଷ ଭୂମିହୀନଙ୍କୁ ୧୨,୫୦୦ ଟଙ୍କା ଲେଖାଏଁ ଏକ କାଳୀନ ଜୀବିକାର୍ଜନ ସହାୟତା ପ୍ରଦାନ କରାଯିବ। ଏମାନଙ୍କ ଚିହ୍ନଟରେ ସ୍ୱଚ୍ଛତା ଅବଲମ୍ୱନ ନେଇ ଆଶଙ୍କା ପ୍ରକାଶ ପାଇବା ସ୍ୱାଭାବିକ। ତୃତୀୟ ପ୍ରାବଧାନ ଅନୁସାରେ ବୃଦ୍ଧ, ଅକ୍ଷମ ଓ ଭିନ୍ନକ୍ଷମ ଚାଷୀଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ, ଅର୍ଥାତ ମାସିକ ହାରାହାରି ୮୦୦ ଟଙ୍କା ପେନସନ ଭଳି ସହାୟତା ଦିଆଯିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଚତୁର୍ଥ ପ୍ରାବଧାନ ଅନୁଯାୟୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଜୀବନ ବୀମା ଓ ଦୁର୍ଘଟଣା ଜନିତ ବୀମା ଅନ୍ତର୍ଭୁକ୍ତ କରାଯିବ, ଯେଉଁଥିରୁ ତାତ୍କାଳିକ ଲାଭ ମିଳୁ ନଥିବାରୁ ତାହା ସେମାନଙ୍କ ପାଇଁ ଆକର୍ଷକ ହୋଇ ନପାରେ। ପଂଚମ ପ୍ରାବଧାନରେ, ୫୦ ହଜାର ଟଙ୍କା ଯାଏଁ ଚାଷ ଋଣ ଉପରେ କୌଣସି ସୁଧ ଲାଗିବ ନାହିଁ, ଯାହା ଉପରେ ବର୍ତ୍ତମାନ ୧ ପ୍ରତିଶତ ସୁଧ ଲାଗୁଛି, ଅର୍ଥାତ୍ ଜଣେ ଚାଷୀ ବର୍ଷକୁ ସର୍ବାଧିକ ୫୦୦ ଟଙ୍କାର ଲାଭ ପାଇପାରେ। ୨୪ରୁ ୨୬ ପ୍ରତିଶତ ସୁଧ ଦେଉଥିବା ଭାଗଚାଷୀଟିଏ ପାଇଁ ଏହା ମୂଲ୍ୟହୀନ। ସାମଗ୍ରିକ ଭାବେ ଏହି ଯୋଜନାରେ ଚାଷୀମାନେ ତାତ୍କାଳିକ ଭାବେ ବିଶେଷ ଲାଭାନ୍ୱିତ ହେବାର ସମ୍ଭାବନା ନାହିଁ। ଏହି ଯୋଜନା ଦୀର୍ଘ ମିଆଦି ଓ ଏଥିରେ କେତେକ ସ୍ୱାଗତଯୋଗ୍ୟ ପଦକ୍ଷେପ ଥିଲେ ମଧ୍ୟ ଆଇସିୟୁରେ ଥାଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଚାଷୀଟିଏ ପାଇଁ ଏହା ହୋମିଓପାଥି ଚିକିତ୍ସା ସଦୃଶ। ଚାଷ ଋଣ ନେଇ ଚାଷ ନ କରି ତାକୁ ଭିନ୍ନ ଭାବେ ବିନିଯୋଗ କରୁଥିବା ଲୋକଟିକୁ ଚାଷୀ କହି ହେବ କି ଓ ସେ ଋଣ ଛାଡ଼ ପାଇବା କେତେ ଦୂର ସମୀଚୀନ? ଚାଷୀକୁ ଚିହ୍ନଟ କରିବା ପାଇଁ ଏନଏସଏସଓର ସଂଜ୍ଞାକୁ ରାଜ୍ୟ ସରକାର ଗ୍ରହଣ କରିବା ଉଚିତ, ଯଦନୁସାରେ ଗୋଟିଏ ପରିବାରର ଅନ୍ତତଃ ପକ୍ଷେ ଜଣେ ଚାଷକାର୍ଯ୍ୟରେ ନିୟୋଜିତ ହୋଇଥିବ ଓ ଚାଷ ଏବଂ ଆନୁସଙ୍ଗିକ କାର୍ଯ୍ୟରୁ ପରିବାରର ଆୟ ବର୍ଷକୁ ଅନ୍ତତଃ ତିନି ହଜାର ଟଙ୍କା ହେଉଥିବ। ତେଣୁ କାଳିଆ ଯୋଜନାର ଲାଭାର୍ଥୀ ଚୟନରେ ସ୍ୱଚ୍ଛତା ଅନୁସରଣ କରାଯିବା ଉଚିତ। ନହେଲେ ଅନ୍ୟାନ୍ୟ ଅନେକ ଯୋଜନାର ଲାଭାର୍ଥୀଙ୍କ ପରି ଯୋଗ୍ୟ ବ୍ୟକ୍ତି ସୁବିଧା ପାଇବାରୁ ବଂଚିତ ହେବା ସହ ତାହା ଦୁର୍ନୀତିକୁ ପ୍ରଶ୍ରୟ ଦେବ। ଏଥିରୁ ସ୍ପଷ୍ଟ ଯେ ଓଡ଼ିଶାରେ ଋଣଛାଡ଼ ଦାବି ସମ୍ପୂର୍ଣ୍ଣ ଅଯୌକ୍ତିକ ନୁହେଁ। ବିମୁଦ୍ରାକରଣ ଓ ଅନ୍ୟାନ୍ୟ କାରଣରୁ କୃଷି କ୍ଷେତ୍ରରେ ଦେଖା ଦେଇଥିବା ସଙ୍କଟ ଯୋଗୁ ପ୍ରକୃତ ବାଧିତ ଓ ପୀଡିତ ଚାଷୀଙ୍କୁ ଥରିକିଆ ଋଣଛାଡ଼ ଦେଇ ସେମାନଙ୍କୁ ଅଣ୍ଟା ସଳଖିବାର ସୁଯୋଗ ଦିଆଯାଇପାରେ। କୃଷି ସହ କାଳିଆଙ୍କ ଅପେକ୍ଷା ବଳିଆଙ୍କ ସମ୍ପର୍କ ଅଧିକ ହୋଇଥିବାରୁ ତାଙ୍କ ନାମରେ ଯୋଜନାଟି ହୋଇଥିଲେ ଭଲ ହୋଇଥାନ୍ତା। କୁହାଯାଏ, କାଳିଆ ତାରିଲେ ତାରିବ, ମାରିଲେ ମାରିବ। ତାରି ହେବାର ଲକ୍ଷ୍ୟରେ ପ୍ରସ୍ତୁତ ‘କାଳିଆ’ ଯୋଜନା କାର୍ଯ୍ୟକାରୀ ହେବାର ଅବ୍ୟବହିତ ପୂର୍ବରୁ ଏହା ଜରୁରୀ ପାଣ୍ଠିରୁ ୭୩୫ କୋଟି ଟଙ୍କା ଉଠାଣ ବିବାଦରେ ଛନ୍ଦି ହୋଇ ପଡ଼ିବା, ଶାସକ ଦଳକୁ ନିର୍ବାଚନୀ ବୈତରଣୀ ପାର ହେବାରେ ସାହାଯ୍ୟ କରିବ କି ବିପର୍ଯ୍ୟୟର କାରଣ ହେବ, ତାହା ସମୟ କହିବ। ଭୁବନେଶ୍ୱର, ମୋ: ୯୪୩୭୦୩୮୦୧୫

Share :