ଗାନ୍ଧୀ ମହାତ୍ମାଙ୍କ ମନ୍ତ୍ରଗୁରୁ

ଗାନ୍ଧୀ ମହାତ୍ମାଙ୍କ ମନ୍ତ୍ରଗୁରୁ

ମାୟାଧର ନାୟକ ଏ ଦୁନିଆରେ ପ୍ରତ୍ୟେକ ମଣିଷଙ୍କର କେହି ନା କେହି ଗୁରୁ ଥାଆନ୍ତି - ପ୍ରତ୍ୟକ୍ଷଗୁରୁ ନହେଲେ ପରୋକ୍ଷ ଗୁରୁ; ମାତ୍ର ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଗୁରୁ କିଏ? ପୁରୁଣା ପିଢିଠୁ ନୂତନ ପିଢିର ଅଧିକାଂଶ, ଏପରିକି କୋଟିକୋଟି ସଂଖ୍ୟାର ମଣିଷ ଗାନ୍ଧିଜୀଙ୍କ ଗୁରୁ କିଏ କହିପାରିବେ କି ନାହିଁ ସନ୍ଦେହ। ବାପାମାଙ୍କୁ ପ୍ରଥମ ଗୁରୁ କୁହାଗଲେ ବି ସେମାନେ ତ ଜନ୍ମଦାତା-ଜନ୍ମଦାତ୍ରୀ - ଅତଏବ ଏସବୁ କଥାରେ କଥା। ପାଠାଳୟରେ ଆମେ ଗୁରୁଦିବସ ପାଳନ କରୁଛେ। ସର୍ବପଲ୍ଲୀ ରାଧାକୃଷ୍ଣନ୍ଙ୍କ ଜନ୍ମଦିନ ଆମ ଦେଶର ଚାଟମାନଙ୍କ ପକ୍ଷରେ ‘ଗୁରୁଦିବସ’ ଭାବେ ଖ୍ୟାତ। ମାତ୍ର ଜୀବନର ଚଲାପଥର ଗୁରୁ ହିଁ ହେଉଛନ୍ତି ଅସଲ ଗୁରୁ। ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀ ଯାହାଙ୍କୁ ଗୁରୁ ବୋଲି ମାନୁଥିଲେ, ତାଙ୍କୁ କେବେ ସଶରୀରେ ଦେଖିନାହାନ୍ତି। ତାଙ୍କ ବହି ‘ଦ ରିସରେକସନ’, ‘ଦ କିଙ୍ଗଡମ୍ ଅଫ ଗଡ ଇଜ ଉଇଦିନ୍ ୟୁ’ ପଢି ଗଭୀର ଭାବେ ଅନ୍ତରାତ୍ମାରେ ପ୍ରଣୋଦିତ ହୋଇଥିଲେ ସେ। ସେହି ପୁସ୍ତକର ସ୍ରଷ୍ଟା ଥିଲେ - ଲିଓ ଟଲଷ୍ଟୟ। ବିଶ୍ୱର କୋଣେ ଅନୁକୋଣେ ଟଲଷ୍ଟୟଙ୍କ ନାମ କିଏ ନ ଜାଣେ? ସାହିତ୍ୟ, କଳା, ସଂସ୍କୃତି ଜଗତର ଯଶସ୍ୱୀ ତପସ୍ୱୀ ସେ - ମହାପ୍ରତିଭାଧର ମନସ୍ୱୀ ମନୀଷୀ। କହିବାକୁ ଗଲେ ସେ ହେଉଛନ୍ତି ବିଶ୍ୱର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଔପନ୍ୟାସିକ। ଟଲଷ୍ଟୟଙ୍କ ଜନ୍ମ ୧୮୨୮ ସେପ୍ଟେମ୍ୱର ୯ ତାରିଖ ଓ ମୃତ୍ୟୁ ୧୯୧୦ ନଭେମ୍ୱର ୨୦ ତାରିଖ। ଗାନ୍ଧିଜୀ ବଂଚିଥିଲେ ୭୯ ବର୍ଷ ଏବଂ ଟଲଷ୍ଟୟଙ୍କ ଜୀବନକାଳ ଥିଲା ୮୨ ବର୍ଷ। ମହାତ୍ମା ଗାନ୍ଧୀଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ ତାରିଖ ଏବଂ ମୃତ୍ୟୁ ୧୯୪୮ ଜାନୁୟାରୀ ୩୦ ତାରିଖ। ଟଲଷ୍ଟୟଙ୍କଠାରୁ ଗାନ୍ଧିଜୀ ୪୧ ବର୍ଷ ସାନ ଥିଲେ। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସେଠାରେ ଥରେ ଜୋହନସ୍ବର୍ଗରୁ ଦୂରବନକୁ ଟ୍ରେନରେ ୧୯୦୪ ଅକ୍ଟୋବର ପହିଲାରେ ଯାତ୍ରା କରୁଥିବାବେଳେ ଟଲଷ୍ଟୟଙ୍କ ପୁସ୍ତକ ପଢି ଏକାନ୍ତଭାବରେ ଆଲୋଡ଼ିତ ହୋଇଥିଲେ। ଜୀବନର ଲକ୍ଷ୍ୟପଥ ବଦଳିଗଲା। ଗାନ୍ଧିଜୀ ଅହିଂସା ଆନ୍ଦୋଳନ ଆରମ୍ଭ କରି ଶେଷକୁ ସତ୍ୟାଗ୍ରହ ଆନ୍ଦୋଳନର ଜନକ ହୋଇଗଲେ। ରାଜନୀତି କ୍ଷେତ୍ରରେ ଏହି ସତ୍ୟବଦ୍ଧ ଅଙ୍ଗୀକାର ତାଙ୍କୁ ସମଗ୍ରବିଶ୍ୱରେ ଅନନ୍ୟ ଭାବମୂର୍ତ୍ତିରେ ଅଙ୍କିତ କଲା। ଭାରତ ଫେରିଆସି ଗାନ୍ଧିଜୀ ସାମ୍ରାଜ୍ୟବାଦୀ ବ୍ରିଟିଶ୍ ବିରୋଧରେ ସ୍ୱାଧୀନତା ଆନ୍ଦୋଳନକୁ ଅହିଂସା, ସତ୍ୟାଗ୍ରହ ମାର୍ଗରେ ପରିଚାଳନା କଲେ। ସମଗ୍ର ଭାରତବାସୀ ଗାନ୍ଧିଜୀଙ୍କ ନେତୃତ୍ୱକୁ ମାନିନେଲେ। ଦେଶବାସୀଙ୍କ ନିକଟରେ ସେ ଜାତିର ପିତା ସମ୍ମାନ ପାଇଲେ। ସେହି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶେଷରେ ହତ୍ୟା କରାଯାଇଥିଲା। ଗାନ୍ଧିଜୀଙ୍କ ଆଧ୍ୟାତ୍ମିକଗୁରୁ ଟଲଷ୍ଟୟ ମଧ୍ୟ ଶେଷ ଜୀବନରେ ଅବହେଳାର ଶିକାର ହୋଇ ଭଂଗାମନରେ ଏକ ରେଳଷ୍ଟେସନ ବେଞ୍ଚରେ ପଡ଼ିରହି ମୃତ୍ୟୁବରଣ କରିଥିଲେ। ଗାନ୍ଧିଜୀ ଟଲଷ୍ଟୟଙ୍କ ‘ଦି ରିସରେକ୍ସନ’ (ଯାହାକୁ ଆମ ଓଡ଼ିଶାର ମହାନ ଶିକ୍ଷାବିତ୍ ଧନେଶ୍ୱର ମହାପାତ୍ର ଅନୁବାଦ କରିଥିଲେ - ‘ପୁନର୍ଜୀବନ’) ପୁସ୍ତକ ପାଠକଲା ପରେ ନିଜ ଜୀବନକ୍ଷେତ୍ରରେ ସତ୍ୟର ପ୍ରୟୋଗ ଆରମ୍ଭ କଲେ। ଏଇ ଲେଖକ ଛାତ୍ରଜୀବନରେ ‘ପୁନର୍ଜୀବନ’ ଉପନ୍ୟାସ ପଢି ସେହିଦିନଠାରୁ ଟଲଷ୍ଟୟଭକ୍ତ ପାଲଟିଯାଇଛି। ଟଲଷ୍ଟୟଙ୍କ ବିଶ୍ୱପ୍ରସିଦ୍ଧ ପୁସ୍ତକ ୱାର ଆଣ୍ଡ ପିସ, ଦ କିଙ୍ଗଡମ୍ ଅଫ ଗଡ଼ ଇଜ ଉଇଦିନ୍ ୟୁ, ଦ ରିସରେକସନ, ଆନା କାରେନିନା, ଦ ଡେଥ୍ ଅଫ ଇଭାନ ଆଲିଚ ଇତ୍ୟାଦିକୁ ବହୁ ମହାମନୀଷୀ, ବିଶ୍ୱର ବହୁ ପାଠକ ପାଠିକା ଅଧ୍ୟୟନ କରି ଆପଣାର ଜୀବନର ଗତିପଥ ଆଲୋକିତ ଆଭାରେ ସଂଗତିସଂପନ୍ନ କରିଛନ୍ତି। ସେହି ଦାର୍ଶନିକ, ସର୍ବକାଳୀନ ଶ୍ରେଷ୍ଠ ଲେଖକ ଟଲଷ୍ଟୟଙ୍କ ଦ୍ୱାରା ଅନୁସ୍ପଂଦିତ ହୋଇ ଗାନ୍ଧିଜୀ ଚିଠିର ଆଦାନପ୍ରଦାନ କରିଥିଲେ। ଗାନ୍ଧିଜୀଙ୍କ ଆତ୍ମଚରିତରେ ଏ ସଂପର୍କରେ ସେ ନିଷ୍କପଟ ହୃଦୟରେ ସ୍ୱୀକାର କରିଯାଇଛନ୍ତି। ଗାନ୍ଧିଜୀ ତାଙ୍କ ଆତ୍ମଜୀବନୀରେ ଲେଖିଯାଇଛନ୍ତି - ଟଲଷ୍ଟୟ ପୁସ୍ତକ ପଢି ଜୀବନର ଗତିପଥ ବଦଳିଗଲା। ସେ ଏଭଳି ଭାବେ ପ୍ରଭାବିତ ହେଲେ - ୧୯୦୯ ଅକ୍ଟୋବର ପହିଲାରେ ଟଲଷ୍ଟୟଙ୍କ ପାଖକୁ ଚିଠିପତ୍ର ମାଧ୍ୟମରେ ଭାବବିନିମୟ ଚାଲିଲା। ଗାନ୍ଧୀ ଟଲଷ୍ଟୟ ଚିଠି ଆଦାନପ୍ରଦାନ ଫଳରେ ଭାରତ ରୁଷ ମଧ୍ୟରେ ଏକ ସାଂସ୍କୃତିକ ସ୍ୱର୍ଣ୍ଣଯୁଗର ସୂତ୍ରପାତ ହେଲା। ଜବାହରଲାଲ ନେହେରୁ ମଧ୍ୟ ଟଲଷ୍ଟୟଙ୍କ ପୁସ୍ତକ ପଢି ପ୍ରଭାବିତ ହୋଇଥିଲେ। ୧୯୩୦ ମସିହାରେ ନେହେରୁ ଜେଲ ଭିତରୁ ଏକ ସ୍ମରଣୀୟ ଚିଠି କନ୍ୟା ଇନ୍ଦିରାଙ୍କ ପାଖକୁ ଲେଖିଥିଲେ - ଲିଓ ଟଲଷ୍ଟୟ କେବଳ ପ୍ରଖ୍ୟାତ ଔପନ୍ୟାସିକ ନୁହଁନ୍ତି, ସେ ମଧ୍ୟ ଜଣେ ଆଧ୍ୟାତ୍ମିକ ଧାର୍ମିକ ନେତା, ଯାହାଙ୍କ ପ୍ରଭାବ ବିଶ୍ୱବିଦିତ। ଗାନ୍ଧିଜୀଙ୍କ ମହାଗୁରୁ ଟଲଷ୍ଟୟ ଥିଲେ ବି ଭାରତରେ ରାଜଗୋପାଳଚାରୀଙ୍କୁ ମଧ୍ୟ ସେ ଅନେକସ୍ଥଳରେ ନିଜର ମାର୍ଗଦର୍ଶକ ମଣୁଥିଲେ। ଗାନ୍ଧିଜୀଙ୍କ ଜୀବନ ଏକ ପାରାବାର। ସେ ପାରାବାରର ଗୋଟିଏ ଊର୍ମିର ଆହ୍ୱାନ ଯାହାଙ୍କଠି ବାଜିଛି - ସେମାନେ ଧନ୍ୟ ହୋଇଛନ୍ତି। ଆଜିର ପିଢି ଗାନ୍ଧୀଦର୍ଶନ - ଗାନ୍ଧୀବିଚାର ଆଡେ଼ କେତେଦୂର ନଜର ରଖିଛନ୍ତି - ତାହା ମୁଁ ଜାଣେନା। ୨୦୧୮ ଅକ୍ଟୋବର ୨ ତାରିଖଠାରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ସରକାରୀ ବେସରକାରୀ ସ୍ତରରେ ବର୍ଷ ବ୍ୟାପୀ ପାଳନ କରାଯାଉଛି। ସମସ୍ତଙ୍କୁ ମୋର ଅନୁରୋଧ - ଟଲଷ୍ଟୟ ପୁସ୍ତକ, ଗାନ୍ଧୀ ଦର୍ଶନ ପୁସ୍ତକ ଅଧ୍ୟୟନ କରି କିଛି ଶିକ୍ଷାପାଇ ଜୀବନର ଗତିପଥ ବଦଳାଇଲେ ଗାନ୍ଧି ଏବଂ ତାଙ୍କ ଗୁରୁଙ୍କ ପ୍ରତି ତାହା ହିଁ ଶ୍ରେଷ୍ଠ ସମ୍ମାନ ବୋଲି ବିଚାରିବାକୁ ହେବ। ଦେଶମାଟିର ତିଳକଙ୍କଠାରୁ ବିଦେଶବାସୀ ଟଲଷ୍ଟୟଙ୍କ ପର୍ଯ୍ୟନ୍ତ ଗୁରୁ-ଗଣନାର ଅବବୋଧ ଗାନ୍ଧିଙ୍କ ପାଇଁ ଅବାରିତ। କାରଣ ସେ ଥିଲେ ଯଥାର୍ଥରେ ଅଧିଚେତନାର ଅବିସଂବାଦିତ ଅବଧୂତ ଆମ ଯୁଗର। ମୁଠାଏ ଲୁଣରୁ ସେ ଉଠାଇଥିଲେ ମୁକ୍ତିସଂଗ୍ରାମର ଉତ୍ତାଳ ମନ୍ତ୍ରଧ୍ୱନି। ଋଣଭାରରେ ବକ୍ର ଭାରତୀୟର ମେରୁଦଣ୍ଡରେ ସେ ଜାଗ୍ରତ କରାଇଥିଲେ ଅଭୂତପୂର୍ବ କ୍ରାନ୍ତିର କୁଣ୍ଡଳିନୀ ଶକ୍ତି, ଆନ୍ଦୋଳନକାରୀ ଅଭିଯାତ୍ରିମାନଙ୍କ ବଦ୍ଧମୁଷ୍ଟିରେ ଧରାଇଦେଇଥିଲେ ଅପୂର୍ବ ଅହିଂସାର ଅପରାଜେୟ ସୁଦର୍ଶନଚକ୍ର। ସେ ଚକ୍ରର ଘୂର୍ଣନରେ ଅତୀତ ଚକିତ ହୋଇଛି, ବର୍ତ୍ତମାନ ହେବାକୁ ଚାହିଛି ବିବର୍ତ୍ତନକାମୀ ଏବଂ ଭବିଷ୍ୟତ୍ ଚିରନ୍ତନୀ ଚରୈବେତିର ଚେତନାରେ ପଲ୍ଲୀପ୍ରାନ୍ତରୁ ଦୂରପୁରବ୍ୟାପୀ ଏକ ଅକ୍ଳାନ୍ତ ପଟୁଆରରେ ପ୍ରଖର ପୁରୋଗାମୀ! ଗାନ୍ଧୀ ସ୍ୱୟଂ ଥିଲେ ଏ ଭାରତୀୟ ମହାଜାତିର ମନ୍ତ୍ରଗୁରୁ। ତାଙ୍କ ସଂପର୍କରେ କିଏ କେତେ କଥା କହିବେ, ସଂଖ୍ୟାଧିକ ଖବରକାଗଜ ନିବନ୍ଧରେ ଉଦ୍ଭାସିତ ହେବ କିଛି ଉଲ୍ଲେଖନୀୟ ଉକ୍ତି ତାଙ୍କ ବହିରୁ। କିନ୍ତୁ ସେଇ ରାଜନୀତିକ ଭାରତର ସର୍ବଶ୍ରେଷ୍ଠ ସନ୍ଥପୁରୁଷଙ୍କ ପ୍ରତି ଆମମାନଙ୍କ ଆମିାରୁ କେତେ ଅନୁଚ୍ଚାରିତ ଅନୁଚ୍ଛେଦ ଆତ୍ମପ୍ରକାଶ ପାଇଁ ଉନ୍ମୁଖ ଉନ୍ମତ୍ତ ହୋଇଉଠିବ - ତାହା କହିହେବନି। ଯାଜପୁରରୋଡ, ଯାଜପୁର ମୋ - ୯୮୬୧୦୩୪୧୬୩

Share :