ରାଜନୀତିର ଗୋତ୍ର କ’ଣ?

ରାଜନୀତିର ଗୋତ୍ର କ’ଣ?

ସୂର୍ଯ୍ୟମଣି ମିଶ୍ର ସଂପ୍ରତି ରାଜନୀତିର ଗୋତ୍ରର ମହତ୍ତ୍ୱ-ଗୁରୁତ୍ୱ ବଢ଼ି ଯାଇଛି। କାହିଁକି ନା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପିତା ପାର୍ସି ଏବଂ ମାତା ଖ୍ରୀଷ୍ଟିଆନ୍ଙ୍କ ଠାରୁ ଜନ୍ମହୋଇ ମଧ୍ୟ ମନ୍ଦିର ଯାଇ ସେଠାରେ ସେ ନିଜକୁ ବ୍ରାହ୍ମଣ ଏବଂ ନିଜ ଗୋତ୍ରର ନାମ ଦତ୍ତାତ୍ରେୟ ବୋଲି କହିବା ଦ୍ୱାରା ଆରମ୍ଭ ହୋଇଯାଇଛି ପ୍ରଶ୍ନ ଏବଂ ଉତ୍ତର। ରାହୁଲଙ୍କ ଜାତି-ଗୋତ୍ର-ଧର୍ମ ନେଇ ସଦ୍ୟ ସମାପ୍ତ ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା। ଗୋତ୍ରର ଜଡ଼ ବା ମୂଳ କ’ଣ? ମନୁଷ୍ୟଙ୍କ ମଧ୍ୟରୁ ଏକ ବଡ଼ ଗୋଷ୍ଠୀ ସର୍ବପୁରାତନ ଗ୍ରନ୍ଥ ବେଦକୁ ମାନିଥାନ୍ତି। ବେଦ ଅନୁଯାୟୀ ଯୁବା ମହିଳା ଗୋଷ୍ଠୀକୁ ଜାନୀ ଏବଂ ପୁରୁଷ ଗୋଷ୍ଠୀକୁ ଜନ କୁହାଯାଏ। ଏହି ଜାନୀ-ଜନ (ଦୁହିଁ)ଙ୍କ ମିଳନରୁ ସୃଷ୍ଟି ଜୀବ ହେଉଛନ୍ତି ଜାତୟାନୀ ବା ତାଜଯାନୀ। ଆଜି ଦିନରେ ଜାତିର ସିଧା ଅର୍ଥ ଜାନୀ ସହ ଯୋଡ଼ି ଦିଆଯାଇଛି। ସଂସ୍କୃତ ଧର୍ମ ଗ୍ରନ୍ଥର ଗୋତ୍ର ଶବ୍ଦକୁ ଗ୍ରହଣ କରିବା ଏବଂ ପରିବର୍ତ୍ତନ କରିବାର ପ୍ରମାଣ ମିଳିଥାଏ। ଋଷି ପତଞ୍ଜଳିଙ୍କ ଅନୁସାରେ ମୂଳଗୋତ୍ର କେବଳ ଆଠ ଏବଂ ଏହା ୭ ଜଣ ଋଷି (ସପ୍ତର୍ଷି)ଙ୍କ ନାମ ଅନୁସାରେ ନାମିତ। ପରେ ଏଥି ସହ ମୁନି ଅଗସ୍ତ୍ୟଙ୍କ ନାମକୁ ଯୋଡ଼ି ଦିଆଗଲା। ଏହି ଋଷିମାନେ ହେଲେ ବିଶ୍ୱାମିତ୍ର, ଭରଦ୍ୱାଜ, ଗୌତମ, ଅତ୍ରୀ, ବଶିଷ୍ଠ, କଶ୍ୟପ ଏବଂ ଅଗସ୍ତ୍ୟ ପ୍ରମୁଖ। ମୂଳ ଗୋତ୍ରର ନାମ ଏହିଠାରୁ ସୃଷ୍ଟି ହୋଇଛି। କାଳାନ୍ତରରେ ଜନସଂଖ୍ୟା ବୃଦ୍ଧି ସହ ଜାତି-ଉପଜାତି ତିଆରି ହେଲା। ନୂଆ ନୂଆ ଗୋତ୍ର ବି ସୃଷ୍ଟି କରାଗଲା। ବ୍ୟାକରଣାଚାର୍ଯ୍ୟ ପାଣିନୀ କହିଛନ୍ତି ତାଙ୍କ ସମୟ ଖ୍ରୀଷ୍ଟ ପୂର୍ବ ୫ମ ଶତାବ୍ଦୀ ବେଳକୁ ଗୋତ୍ର ସଂଖ୍ୟା ହାରାହାରି ୩ କୋଟି ଥିଲା। ହରିବଂଶ ଏବଂ ମହାଭାରତ ଏହି ଦୁଇ ପୁରାଣ ବା ଧର୍ମଗ୍ରନ୍ଥ ଦ୍ୱୟରେ ମାତୃ ନାମ ହିଁ ଶିଶୁର ପରିଚୟ ଥିବା ଉଲ୍ଲେଖ ଅଛି। ପ୍ରଜାପତି ସନ୍ତାନଙ୍କର ଯେତେ ନାମ ସମସ୍ତ ନିଜ ମାତାଙ୍କ ନାମରେ ପରିଚିତ। ଏହି ଭାବରେ ଦୈତ୍ୟଗଣ ନିଜ ମାଆ ଦିତୀଙ୍କ ନାମରେ, ମରୁତଙ୍କ ନାମ ମରୁତ୍ମତୀଙ୍କ ନାମରେ। ଏହି କ୍ରମରେ ମାରୁତି ନନ୍ଦନ ହନୁମାନଙ୍କ ଗୋତ୍ର ଅପ୍ରାସଙ୍ଗିକ। ଗୋତ୍ର ଆଜି ଦିନରେ ପିତୃସତ୍ତାତ୍ମକ। କିନ୍ତୁ ପୁରାଣ ଯୁଗରେ ଗୋତ୍ର ମାଆଙ୍କ ନାମରେ ପ୍ରଚଳିତ ଥିଲା। ଝିଅ ବିବାହ ପରେ ତାଙ୍କ ମୂଳ ଗୋତ୍ର ସ୍ୱାମୀଙ୍କ ଗୋତ୍ର ଅନୁସାରେ ପରିବର୍ତ୍ତିତ ହେଉଛି। ପୂର୍ବରୁ ଏହିପରି ନଥିଲା। କାହିଁକି ନା ମୂଳ ଆଠ ଋଷିଙ୍କ ନାମ ଅନୁଯାୟୀ ଆଠ ଗୋତ୍ରରେ ଚାଲୁଥିଲା। ଏହା ଉଲ୍ଲେଖ ଯେ ଏହି ଆଠ ଋଷିଙ୍କ ପିତା ଅଜ୍ଞାତ ଥିଲେ। ନିଜ ପିତାଙ୍କ ନାମରେ ନୁହେଁ, ମାଆଙ୍କ ନାମରେ ପରିଚିତ ଥିଲେ। ଯେପରି ଗୌତମୀଙ୍କ ପୁତ୍ର ଗୌତମ, କଶ୍ୟପୀଙ୍କ ପୁତ୍ର କଶ୍ୟପ ଆଦି। ଶ୍ରୀମଦ୍ ଭଗବତ୍ ଗୀତାରେ ଶ୍ରୀକୃଷ୍ଣ ଅଜୁର୍ନଙ୍କୁ ପାଣ୍ଡବ ନୁହେଁ, କୌନ୍ତେୟ ଅର୍ଥାତ୍ କୁନ୍ତୀପୁତ୍ର କହୁଥିଲେ। ସର୍ବପୁରାତନ ବେଦ - ଋଗ୍ବେଦ (୧୫୦୦-୧୦୦୦) ଖ୍ରୀଷ୍ଟପୂର୍ବରୁ ଆସିଛି। ଏହି ଗ୍ରନ୍ଥର କୌଣସିଠାରେ ଏବେକାର ଗୋତ୍ରାର୍ଥ ଉଲ୍ଲିଖିତ ନାହିଁ। ଗୋତ୍ର ଅର୍ଥାତ ଗୋ ସୁରକ୍ଷା ବା ତ୍ରାଣ ବୋଲି କେହି କହି କହିଥାନ୍ତି। ଏହା ଏକ ବାଡ଼ ବା ପାଚେରୀ ଅର୍ଥରେ ବର୍ଣ୍ଣିତ ବ୍ରାହ୍ମଣ ଗ୍ରନ୍ଥ ଯାହା ବେଦ ପରେ ଖ୍ରୀଷ୍ଟପୂର୍ବ (୮୦୦-୫୦୦) ବୋଲି ଗ୍ରହଣ କରାଯାଏ। ଏହି ସମୟଯାଏ ପରିବାର ସମୂହ ଗୋଟିଏ ଗାଁରେ ରହୁଥିଲେ। ଏହାପରେ ନଗରରେ ରହିଲେ। ନିଜ ଗାଁରୁ ଗାଈ ଚୋରୀରୁ ରକ୍ଷା ପାଇଁ ଗୋଶାଳା ତିଆରି ହେଲା। ଏହାପରେ ଆସିଲା ଉପନିଷଦ କାଳ। ଯାହାକୁ ଖ୍ରୀଷ୍ଟପୂର୍ବ ୬୬୦ରୁ ୨୦୦ ଭାବେ ଗ୍ରହଣ କରାଯାଏ। ସେଯାଏ କୌଣସି ମହତ୍ତ୍ୱାକାଂକ୍ଷୀ ବଡ଼ ରାଜ୍ୟ ନିଜର ସାମ୍ରାଜ୍ୟ ନିର୍ମାଣ କରୁନଥିଲେ। ଏବଂ ନିଜ ସମୃଦ୍ଧି ବଳରେ ଜାତି ବିଶେଷରେ ପରିଚୟ ତିଆରି କରୁନଥିଲେ। ଏହାପରେ ଶକ୍ତିଶାଳୀ ରାଜା, ବ୍ୟବସାୟୀ ଏବଂ ଜମି ମାଲିକ ଜାତି-ଗୋତ୍ରକୁ ଆଗକୁ ବଢ଼ାଇଲେ। କ୍ଷତ୍ରୀୟତ୍ୱ ପାଇଥିବା ରାଜା ନିଜର ବଡ଼ ବିଜୟ ପରେ ରାଜସ୍ୱୟ ଯଜ୍ଞ କଲେ। ଯାହାକୁ ବ୍ରାହ୍ମଣ ନିୟମ ଅନୁଯାୟୀ ପରିଚାଳନା କରୁଥିଲେ। ଯଜ୍ଞରେ ପଢ଼ାଲେଖା ଜାଣିଥିବା ବ୍ରାହ୍ମଣ ତାଙ୍କ ଗୋତ୍ର ପଢ଼ି ବା ଉଚ୍ଚାରଣ କରିବା ସହ ଏକ ନୂଆ ଶାଖା ତିଆରି କରିବାକୁ ଲାଗିଲେ। ତୈତ୍ତେରୀୟ ସଂହିତା ଅନୁଯାୟୀ କ୍ଷତ୍ରୀୟ ରାଜା ବ୍ରାହ୍ମଣ ଶ୍ୱେତକେତୁ ଏବଂ ଉଦ୍ଦାଳକଙ୍କୁ ଶିକ୍ଷା ଦେଇଥିଲେ। ଜାତି ପରଂପରା କମ ଥିଲା। ଧାର୍ମିକ ପରିବାରର କାମ ପାଇଁ ନୂଆ ନୂଆ ବିଧି ବା ନିୟମ ତିଆରି ହେଉଥିଲା। ଆସ୍ପାଳାୟନ ଗୃହାସୂତ୍ର ଗ୍ରନ୍ଥରେ ଉଲ୍ଲେଖ ରହିଛି ଯେ କିପରି ଭାବେ କୌଣସି ବ୍ରାହ୍ମଣ ଗୋତ୍ର ଆଦି ଅଧିକ ଗୁରୁତ୍ୱ ଦେଉଥିଲେ। ଅଧିକ ବା ସମସ୍ତ ବ୍ରାହ୍ମଣ ନିଜଗୋତ୍ରକୁ ପରିବର୍ତ୍ତନ କରି ବଡ଼ ଗୋତ୍ରରେ ନିଜ ଗୋତ୍ରର ବିଲୟ କରୁଥିଲେ। ନିଜ ପାଇଁ ବିପଦ ଆସିଲେ ନିଜ ଗୋତ୍ରକୁ ବଦଳାଇ ଦେଉଥିଲେ ବା ନିଜ ଗୋତ୍ରର ଭୁଲ ନାମକରଣ କରୁଥିଲେ। ଯେପରି ମହାଭାରତରେ ବ୍ରାହ୍ମଣ ବେଶଧାରୀ ଧର୍ମରାଜ ଯୁଧିଷ୍ଠିର ରାଜା ବିରାଟଙ୍କ ଦ୍ୱାରା ଗୋତ୍ର ପଚାରିବାରେ ସେ ନିଜକୁ ବ୍ରାହ୍ମଣ ବୈୟାଗ୍ର ପଦ ଗୋତ୍ରର ବୋଲି ପରିଚୟ ଦେଇଥିଲେ। ଐତ୍ତରେୟ ବ୍ରାହ୍ମଣ ଗ୍ରନ୍ଥରୁ ଲେଖିପଢ଼ି ଜାଣିଥିବା ବ୍ରାହ୍ମଣ ଗୋତ୍ରକୁ ରାଜକୀୟ କ୍ଷମତା ସହ ଯୋଡ଼ିଥିବାର ସୂଚନା ମିଳେ। କୌଣସି ଶକ୍ତିଶାଳୀ କ୍ଷତ୍ରୀୟ ଏବଂ ଅଧିକ ଧନ-ସଂପତ୍ତି ଅର୍ଜନ କରିଥିବା ବୈଶ୍ୟ ମଧ୍ୟ ନିଜର ଗୋତ୍ର ପରଂପରାକୁ ଏହା ଅଥବା ତାହାଙ୍କ ଗୋାତ୍ର ସହ ଯୋଡ଼ିବା ପାଇଁ ଚିନ୍ତା କରୁଥବଲେ। ଏହି କ୍ରମରେ ଶକ୍ତିଶାଳୀ ଯଜମାନ ଗ୍ରାହକଙ୍କୁ କୌଣସି ଯୁଗରେ ମନା କରିବା ମନା କରିବା ବ୍ରାହ୍ମଣଙ୍କ ପାଇଁ ବିପଦ ଥିଲା। ସହଜରେ ବ୍ରାହ୍ମଣମାନେ ଜାତି-ଗୋତ୍ରକୁ ଧରିରଖିଥିଲେ-ପ୍ରଚାର-ପ୍ରସାର କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଜାତିଗୋତ୍ରର ବିଲୋକରେ ଧର୍ମ ନାମ ଏବଂ ଈଶ୍ୱର ବିରୋଧୀ ବୋଲି ଧାରଣା ସୃଷ୍ଟି କରାଯାଇଥିଲା। ଏପରି ଧାରା ଶାସକ-ବ୍ୟବସାୟୀଙ୍କ ପୃଷ୍ଠପୋଷକତା, ସୁରକ୍ଷା ତଥା ସମୃଦ୍ଧି ପାଇଁ ବ୍ୟବହାର କରାଯାଉଥିଲା ଏବଂ ସେମାନଙ୍କ ପାଇଁ ଫଳପ୍ରଦ ଥିବା ମନେହୁଏ। କୁଶଳୀ ପଣ୍ଡିତ ରାଜା-ଶକ୍ତିଶାଳୀ ବ୍ୟକ୍ତି ଏବଂ ଧନୀ ବ୍ୟବସାୟୀଙ୍କ ଆର୍ଥିକ, ସାମାଜିକ ଏବଂ କ୍ଷମତାର ସୁଖ ପାଇଁ ବିପଦ ନଆସିବା ନାମରେ ନୂଆ ନୂଆ ନିୟମ ଗୋତ୍ର ନାମରେ ତିଆରି କରୁଥିଲେ। ଯେଉଁମାନେ ଅଧିକ ଦିନ ବାହାରେ ଭ୍ରମଣ କରୁଥିଲେ ସେମାନଙ୍କର ଗୋତ୍ର ମନେ ରହୁନଥିଲା। ତେଣୁ ସେମାନଙ୍କ ପାଇଁ ଧାର୍ମିକ କାମ କରିବାକୁ ହେଲେ ଏପରି ନୂଆ ନିୟମକୁ ପ୍ରୟୋଗ କରୁଥିଲେ। ଯଜମାନ ରାଜା ହୁଅନ୍ତୁ କି ବ୍ୟବସାୟୀ ତାଙ୍କ ଗୋତ୍ର ଯଜ୍ଞ ସ୍ଥଳରେ ନିର୍ଣ୍ଣିତ ହୋଇଯାଏ। ଏପରି ସ୍ଥଳରେ ପୂଜକଙ୍କ ମତକୁ ମାନିନେବାକୁ ପଡେ଼। ସଂସ୍କାର ପ୍ରକାଶ ଗ୍ରନ୍ଥ ପୃଷ୍ଠା ୫୫୦ରେ ଏହା ମଧ୍ୟ କୁହାଯାଇଛିଯେ ଯାହାଙ୍କର ଗୋତ୍ର ନାମ ମନରେ ନାହିଁ ସେ ସ୍ଥଳେ ପୂଜକ ବା ପୁରୋହିତ ମହୋଦୟ କଶ୍ୟପ ଗୋତ୍ର କହି ଧର୍ମକର୍ମ ଚଳାଇନିଅନ୍ତି। ଏପରି ଧାର୍ମିକ ପରିଚାଳନା ଧର୍ମ ବିରୋଧୀ ନୁହଁ। ୧୪ଶ ଶତାବ୍ଦୀ ତୈମୁରଲଂଗ ପଶ୍ଚିମ ଭାରତ ଆକ୍ରମଣ କରିବା ସମୟରେ ୮୪ ଗାଁର ଲୋକ ଏକାଠି ହୋଇ ସମସ୍ତେ ସଗୋତ୍ରୀ ବୋଲି ପରିଚୟ ଦେଇ ଆକ୍ରମଣର ପ୍ରତିରୋଧ କରିଥିଲେ। ଓଡ଼ିଶାରେ ଦଳିତ ସଂପ୍ରଦାୟଙ୍କ ଗୋତ୍ର ପ୍ରାୟ ସମସ୍ତଙ୍କର ନାଗସ୍ୟ ବୋଲି କୁହାଯାଇଥାଏ। ଜାତି-ଗୋତ୍ରର ପରିଚୟ ପଛରେ ଗୋଷ୍ଠୀ ଏକତାର ଲକ୍ଷ୍ୟ ବୋଲି ଗ୍ରହଣ କରାଯାଏ। ଆଜି ଦିନରେ କୃତ୍ରିମ ବୁଦ୍ଧି ଏବଂ ଜେନେଟିକ୍ ଇଞ୍ଜିନିୟରିଙ୍ଗ୍ ସହଯୋଗରେ ମନ ଏବଂ ଭୃଣର ଆନୁଷଙ୍ଗିକ ଗୁଣସୂତ୍ର ଯାଏ ବୈଜ୍ଞାନିକଙ୍କ ଇଚ୍ଛାରେ-ଢଙ୍ଗରେ ପରିବର୍ତ୍ତନ ହେଉଛି ପ୍ରଯୁକ୍ତି ବିଦ୍ୟାଦ୍ୱାରା। ଏହି ସମୟରେ ରାଜନୈତିକ କ୍ଷମତା ପ୍ରାପ୍ତି ପାଇଁ ଜାତି-ଗୋତ୍ର-ଧର୍ମକୁ ପ୍ରୟୋଗ କରିବା ପଛରେ ଯେଉଁ ଲକ୍ଷ୍ୟ ରହିଛି ତାହା ସାମାଜିକ ବିଭାଜନ ପାଇଁ ନା ସାମାଜିକ ଏକତା ଏବଂ ସମୃଦ୍ଧି ପାଇଁ ଏହାକୁ ବୁଝିବାକୁ ହେବ। ବୈଜ୍ଞାନିକ ଚିନ୍ତା-ଚେତନା-ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପରିବର୍ତ୍ତନ କରି ରାଜନୈତିକ କ୍ଷମତା ହାସଲ ପାଇଁ ଧର୍ମ-ଜାତି-ଗୋତ୍ରର ପରିଚୟ ଦେଉଥିବା-ସତ୍ୟପାଠ ଦାଖଲ କରୁଥିବା, ସେ ଏହି ଧର୍ମ-ଜାତି-ଗୋତ୍ରର ନୁହଁନ୍ତି ବୋଲି କହି ବିରୋଧ କରୁଥିବା ବ୍ୟକ୍ତିଙ୍କ ଲକ୍ଷ୍ୟ-ଉଦ୍ଦେଶ୍ୟକୁ ବୁଝିବାର ସମୟ ଆସିଛି। କ୍ଷମତା ଦଖଲ ବା ହାସଲ ପାଇଁ ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଧର୍ମ-ଜାତି-ଗୋତ୍ରର ପ୍ରୟୋଗ ନିଶ୍ଚୟ ସମାଜ ସଂସ୍କାରର ଧାରା ନୁହେଁ, ସମାଜକୁ ହଜାର ବର୍ଷ ପଛକୁ ନେଇଯିବାର ପ୍ରୟାସ। ସେ ରାହୁଲ ଗାନ୍ଧି ହୁଅନ୍ତୁ କି ସେ ଅମିତ୍ ଶାହ ଅବା ଓଡ଼ିଶାର ଜାତିବାଦୀ ଶ୍ରୀକାନ୍ତ ଜେନା, ଉତ୍ତର ପ୍ରଦେଶର ମାୟାବତୀ, ମୁଲାୟମ, ଜିଗ୍ନେଶ ମେବାନୀ, ବିହାର ଲାଲୁ ପରିବାର ଧର୍ମ-ଜାତି-ଗୋତ୍ର ନାମରେ କ୍ଷମତା ପ୍ରାପ୍ତିର ଲକ୍ଷ୍ୟ ଦେଶର ସମୃଦ୍ଧି ପାଇଁ ଅନୁକୂଳ ନୁହେଁ। ବିଶ୍ୱ ମଙ୍ଗଳ ଗ୍ରହରେ ପାଦଦେଲାଣି। ଅଥଚ ମଣିଷ ନିଜକୁ ଧର୍ମ-ଜାତି-ଗୋତ୍ରର ପରିଚୟ ଦେଉଛି। କ’ଣ ପ୍ରଗତି ପାଇଁ ଶେଷରେ ଗୋତ୍ର କ’ଣ? ଏହାର ବ୍ୟବହାର, ଏହାକୁ ନେଇ ଚର୍ଚ୍ଚା-ବ୍ୟାଖ୍ୟାନ କାହିଁକି? ମୋ- ୯୪୩୮୦୦୬୨୧୫

Share :