ମିଶନ ଶକ୍ତିର ମିଛ କଥା!

ମିଶନ ଶକ୍ତିର ମିଛ କଥା!

Share :

ସରଳ କୁମାର ଦାସ ଓଡିଶାରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ୭୦ ଲକ୍ଷ ମହିଳା ସଶକ୍ତ ହେବା ଏବଂ ସେମାନଙ୍କ ସ୍ୱପ୍ନ ସାକାର ହେବାର ପୃଷ୍ଠା ପୃଷ୍ଠା ବିଜ୍ଞାପନ ମାଧ୍ୟମରେ ଉଦଘୋଷଣା ପରେ ମନେ ହେଲା ଚନ୍ଦ୍ର ଅଭିଯାନର ସଫଳତା ପରେ ମିଳୁଥିବା ଆନନ୍ଦ ପରି ବୋଧହୁଏ ‘ମିଶନ ଶକ୍ତି’ ତା ଅଭିଯାନର ଶେଷ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇ ଆନନ୍ଦିତ। ତେବେ ଓଡିଶାରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକର କାର୍ଯ୍ୟଶୈଳୀର ଅନୁଶୀଳନ ହିଁ ସେମାନଙ୍କ ବାସ୍ତବ ସ୍ଥିତିକୁ ଉନ୍ମୋଚିତ କରିବାରେ ସହାୟକ ହେବ। ଅନେକଙ୍କର ଧାରଣା ଭାରତରେ ଚାଲିଥିବା ସ୍ୱୟଂ ସହାୟକ ଆନ୍ଦୋଳନର ଢାଂଚା ବଙ୍ଗଳାଦେଶରୁ ଆମଦାନୀ ହୋଇଛି ଓ ସେଠାକାର ଗ୍ରାମୀଣ ବ୍ୟାଙ୍କ ମଡେଲରେ ପ୍ରସ୍ତୁତ ହୋଇଛି, ଯାହା ସମ୍ପୂର୍ଣ୍ଣ ଭୁଲ। ବିଶ୍ୱର ବିଭିନ୍ନ ସ୍ଥାନରେ ମାଇକ୍ରୋଫାଇନାନ୍ସ କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ଢଙ୍ଗରେ ଚାଲିଛି। ଭାରତରେ ଚାଲିଥିବା ମାଇକ୍ରୋଫାଇନାନ୍ସ କାର୍ଯ୍ୟକ୍ରମ ମୁଖ୍ୟତଃ ନାବାର୍ଡ ଦ୍ୱାରା ପ୍ରସ୍ତୁତ ‘ଏସଏଚଜି-ବ୍ୟାଙ୍କ ସଂଯୋଗ କାର୍ଯ୍ୟକ୍ରମ’ ଉପରେ ଆଧାରିତ, ଯାହା ବଙ୍ଗଳାଦେଶ ଗ୍ରାମୀଣ ବ୍ୟାଙ୍କ ମଡେଲଠାରୁ ଭିନ୍ନ। ୧୯୯୨ ମସିହାରେ ଆରମ୍ଭ ହୋଇଥିବା ଏହି ଏସଏଚଜି-ବ୍ୟାଙ୍କ ସଂଯୋଗ କାର୍ଯ୍ୟକ୍ରମ ବର୍ତ୍ତମାନ ସାରା ବିଶ୍ୱରେ ସର୍ବବୃହତ ମାଇକ୍ରୋଫାଇନାନ୍ସ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଏସଏଚଜି ଆନ୍ଦୋଳନରେ ଆରମ୍ଭରୁ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ଓଡିଶାରେ ସରକାରୀ ପ୍ରଚେଷ୍ଟାରେ ୨୦୦୧ ମସିହାରେ ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ଏନଜିଓମାନଙ୍କ ସହାୟତାରେ ହଜାର ହଜାର ସଂଖ୍ୟାରେ ଏସଏଚଜି ତିଆରି ହୋଇ ସାରିଥିଲା। ମିଶନ ଶକ୍ତି କାର୍ଯ୍ୟ କରିବା ପରେ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନ ଗତିଶୀଳ ହୋଇଥିଲେ ମଧ୍ୟ ଏହିଠାରୁ ଗୋଷ୍ଠୀ ତିଆରି ପ୍ରକ୍ରିୟା ଆରମ୍ଭ ହୋଇଥିବା କହିବା ପ୍ରମାଦପୂର୍ଣ୍ଣ ହେବ। ବସ୍ତୁତଃ, ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ନାବାର୍ଡ ତରଫରୁ ଦେଶରେ ଯେଉଁ ଦୁଇଟି ପରୀକ୍ଷାମୂଳକ କାର୍ଯ୍ୟକ୍ରମ କରାଯାଇଥିଲା ତନ୍ମଧ୍ୟରୁ ଗୋଟିଏ ଥିଲା କର୍ଣ୍ଣାଟକରେ ‘ମାଇରାଡା’ ଦ୍ୱାରା ଓ ଅନ୍ୟଟି ୧୯୮୯ ମସିହାରେ କଳାହାଣ୍ଡିର ଥୂଆମୂଳ ରାମପୁରରେ ‘ଗ୍ରାମ ବିକାଶ ଡେଭଲପମେଂଟ ସୋସାଇଟି’ ଦ୍ୱାରା। ତେବେ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ତିଆରି ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ପରେ ଓଡିଶାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ତା ମାଧ୍ୟମରେ ମହିଳାମାନେ କେତେ ସଶକ୍ତ ହୋଇପାରିଛନ୍ତି ତାହା ତର୍ଜମା କରାଯାଇପାରେ। ୨୦୧୯ ଜାନୁଆରୀ ୫ ତାରିଖରେ ପୁରୀଠାରେ ଆୟୋଜିତ ମହିଳା ସମାବେଶରେ ଓଡିଶା ସରକାର ୧ ଅପ୍ରେଲ ୨୦୧୭ ପରେ ଗଠିତ ୩ ଲକ୍ଷ ଏସଏଚଜିଙ୍କ ପାଣ୍ଠି ବୃଦ୍ଧି ପାଇଁ ୧୫ ହଜାର ଟଙ୍କା ଲେଖାଏଁ ସିଡ ମନି ଦେବା କଥା ଘୋଷଣା କରିବା ପରେ ରାଜ୍ୟରେ ଥିବା ଏସଏଚଜିଙ୍କ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଦେଶର ପ୍ରତିଟି ରାଜ୍ୟର ଏସଏଚଜିଙ୍କ ସଂଚୟଠାରୁ ଆରମ୍ଭ କରି ବ୍ୟାଙ୍କ ଋଣର ଅଗ୍ରଗତି ସମ୍ପର୍କରେ ସୂଚନା ସ୍ଥାନିତ ହୋଇ ପ୍ରତି ବର୍ଷ ନାବାର୍ଡ ତରଫରୁ ‘ଷ୍ଟାଟସ ଅଫ ମାଇକ୍ରୋଫାଇନାନ୍ସ ଇନ ଇଣ୍ଡିଆ’ ନାମକ ଏକ ପୁସ୍ତିକା ପ୍ରକାଶ ପାଇଥାଏ। ଏହି ପୁସ୍ତିକା ଅନୁଯାୟୀ ୩୧ ମାର୍ଚ୍ଚ ୨୦୧୭ ସୁଦ୍ଧା ଓଡିଶାରେ ୪,୩୧,୪୮୭ଟି ଏସଏଚଜିଙ୍କର ବ୍ୟାଙ୍କରେ ସଂଚୟ ଖାତା ଥିଲା, ଯାହା ବର୍ଷକ ମଧ୍ୟରେ ପ୍ରାୟ ଏକ ଲକ୍ଷ ବଢି ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ୫,୩୦,୪୮୯ ହୋଇଛି। ତେଣୁ ୩୧ ଡିସେମ୍ୱର ୨୦୧୮ ସୁଦ୍ଧା ଗୋଷ୍ଠୀ ସଂଖ୍ୟା ହୁଏତ ଆଉ ୭୦,୦୦୦ ବଢି ସରକାର କହୁଥିବା ୬ ଲକ୍ଷରେ ପହଂଚି ଥାଇପାରେ। ଏହି ସମୟରେ ୩ ଲକ୍ଷ ନୂଆ ଏସଏଚଜି ଗଠନ ହୋଇଥିଲେ ଗୋଷ୍ଠୀ ସଂଖ୍ୟା ୭,୩୧,୪୮୭ରେ ହୋଇଥାନ୍ତା, ୬ ଲକ୍ଷ ନୁହେଁ। ଏହା ତଥାପି ସମ୍ଭବ ଯଦି ସିଡ ମନି ହାତେଇବା ପାଇଁ ବହୁଳ ସଂଖ୍ୟାରେ ପୁରୁଣା ଗୋଷ୍ଠୀ ଏସଏଚଜି ଭାଙ୍ଗି ବ୍ୟାଙ୍କରେ ଥିବା ସଂଚୟ ଖାତାକୁ ବନ୍ଦ କରି ତା ସ୍ଥାନରେ ନୂଆ ଗୋଷ୍ଠୀ ଗଠନ ସହ ପୁଣି ବ୍ୟାଙ୍କରେ ସଂଚୟ ଖାତା ଖୋଲିଥିବେ। ଆଶା କରାଯାଏ ସେପରି ହୋଇ ନଥିବ, ଆଉ ଯଦି ହୋଇଥାଏ ତେବେ ସୁପରିକଳ୍ପିତ ଷଡ଼ଯନ୍ତ୍ର ବିନା ଏ ଭଳି ବଡ଼ ଧରଣର ଦୁର୍ନୀତି ସମ୍ଭବ ନୁହେଁ। ତେଣୁ ଏହି ନୂଆ ଗୋଷ୍ଠୀଗୁଡିକୁ ଡିବିଟି ଯୋଗେ ୧୫ ହଜାର ଟଙ୍କା ଲେଖାଏଁ ପଠାଇବା ପୂର୍ବରୁ ସରକାର ଆଉ ଥରେ ତନଖି ନେବା ଉଚିତ, କାରଣ ଏଥି ସହ ଟିକସଦାତାଙ୍କ ୪୫୦ କୋଟି ଟଙ୍କା ସଦୁପଯୋଗର ପ୍ରଶ୍ନ ଜଡିତ। ତାଛଡ଼ା ଗୋଷ୍ଠୀର ପାଣ୍ଠି ବୃଦ୍ଧି କରି ବଡ଼ କିଛି କରିବା ପାଇଁ ଦିଆଯାଉଥିବା ସିଡ ମନିକୁ ସଦସ୍ୟମାନେ ୧୦୦୦ରୁ ୧୫୦୦ ଟଙ୍କା କରି ନିଜ ଭିତରେ ବାଂଟି ନେଇଥାନ୍ତି ଓ ତାହା ଗୋଷ୍ଠୀର ଉନ୍ନତିରେ ସହାୟକ ହୋଇ ନଥାଏ। ସାରା ଭାରତରେ ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ଏସଏଚଜିମାନଙ୍କର ବ୍ୟାଙ୍କ ଜମା ରାଶି ହାରାହାରି ୨୨,୫୦୦ ଟଙ୍କା ଥିଲା ବେଳେ ଓଡିଶାରେ ମାତ୍ର ୧୭,୫୦୦ ଟଙ୍କା, ଅର୍ଥାତ୍, ପ୍ରାୟ ୫ ହଜାର ଟଙ୍କା କମ। ଏହାର ଏକ ପ୍ରମୁଖ କାରଣ ହେଉଛି ଏଠାକାର ଅର୍ଦ୍ଧାଧିକ ଗୋଷ୍ଠୀ ନିଷ୍କ୍ରିୟ ହୋଇଥିବାରୁ ନା ସେମାନଙ୍କର ନିୟମିତ ବୈଠକ ହୁଏ ନା ସଂଚୟ ଆଦାୟ ହୁଏ। ତେଣୁ ବ୍ୟାଙ୍କ ଜମା କଥା ଉୁଠୁଛି କେଉଁଠୁ? ସ୍ଥଳ ବିଶେଷରେ ଦଳଗୁଡିକ ସକ୍ରିୟ ଥିଲେ ମଧ୍ୟ ବିଭିନ୍ନ କାରଣରୁ ସେମାନେ ବ୍ୟାଙ୍କ ସହ ସମ୍ପର୍କ ରଖୁ ନଥିବାରୁ ପରବର୍ତ୍ତୀ ସମୟରେ ଋଣ ପାଇ ପାରି ନଥାନ୍ତି। ଗତ ବର୍ଷ ଓଡିଶାରେ ବ୍ୟାଙ୍କ ଋଣ ପାଇଥିବା ଗୋଷ୍ଠୀଙ୍କ ସଂଖ୍ୟା ଥିଲା ୧,୧୧,୪୧୧, ଅର୍ଥାତ ସମୁଦାୟ ସଂଖ୍ୟାର ମାତ୍ର ୨୦ ପ୍ରତିଶତ। ଏମାନେ ପାଇଥିବା ହାରାହାରି ଋଣର ପରିମାଣ ଥିଲା ୧.୩୬ ଲକ୍ଷ ଟଙ୍କା, ଯାହା ସର୍ବ ଭାରତୀୟ ହାରାହାରି ଋଣ ରାଶି ୨.୦୯ ଲକ୍ଷ ଟଙ୍କା ଅପେକ୍ଷା ପ୍ରାୟ ୭୦ ହଜାର ଟଙ୍କା କମ। ଏହି ସମୟ ସୁଦ୍ଧା ଓଡିଶାର ୨,୩୨,୯୪୫ ଗୋଷ୍ଠୀଙ୍କ ଉପରେ ବ୍ୟାଙ୍କ ଋଣ ବାକିଥିଲା। ଅର୍ଥାତ ଏ ଯାଏଁ ଅର୍ଦ୍ଧାଧିକ ଗୋଷ୍ଠୀ ବ୍ୟାଙ୍କ ଋଣର ସୁବିଧା ପାଇ ନାହାନ୍ତି। ତେଣୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ହାର ଶୂନ ହେଲେ ତଦ୍ଦ୍ୱାରା ଅଳ୍ପ କିଛି ଗୋଷ୍ଠୀ ଲାଭାନ୍ୱିତ ହେବେ ସିନା, ରାଜ୍ୟର ୭୦ ଲକ୍ଷ ମହିଳା ହେବେନାହିଁ। ସବୁଠାରୁ ଉଦବେଗଜନକ ହେଉଛି ସର୍ବ ଭାରତୀୟ ସ୍ତରରେ ଗୋଷ୍ଠୀଗୁଡିକର ଅନାଦେୟ ଋଣ (ଏନପିଏ) ୬.୧୨ ପ୍ରତିଶତ ଥିବା ବେଳେ ଓଡିଶାରେ ତାହା ଦୁଇଗୁଣରୁ ଅଧିକ, ୧୪.୩୫ ପ୍ରତିଶତ ରହିଛି। ଉପରୋକ୍ତ ପ୍ରତିଟି ପରିମାପରେ ଓଡିଶାର ପ୍ରଦର୍ଶନ ସର୍ବ ଭାରତୀୟ ହାରାହାରି ଅପେକ୍ଷା ଯଥେଷ୍ଟ ତଳେ ରହିବା କ୍ଷୋଭର ବିଷୟ। ଗୋଷ୍ଠୀର ସଦସ୍ୟ ହୋଇଗଲେ ଯେ ଜଣେ ଆପଣା ଛାଏଁ ସଶକ୍ତ ହୋଇଯିବ, ତାହା ଭାବିବା ଭୁଲ। ମହିଳା ସଶକ୍ତିକରଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ମହିଳାଟିଏ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବା ଓ ସେଥିପାଇଁ ତା ସ୍ୱାଭିମାନକୁ ଅକ୍ଷୁଣ୍ଣ ରଖି ଅନ୍ୟ କାହା ଆଗରେ ହାତ ନ ପତାଇବା। ତାର ଋଣର ଆବଶ୍ୟକତା ଗୋଷ୍ଠୀ ମାଧ୍ୟମରେ ପୂରଣ ହେବ ଆଉ ଗୋଷ୍ଠୀ ସମର୍ଥ ନ ହେଲେ ବ୍ୟାଙ୍କ ଋଣ ସହାୟତା ଯୋଗାଇ ଦେବ। ସାଧାରଣତଃ ମହିଳାଙ୍କର ତିନି ପ୍ରକାର ଋଣ ଆବଶ୍ୟକତା ମଧ୍ୟରୁ ଜରୁରୀ ଆବଶ୍ୟକତା (ଉପଭୋଗ) ଋଣ ଓ ଛୋଟଛୋଟ ବ୍ୟବସାୟ, ଚାଷ ଆଦି ପାଇଁ ଆବଶ୍ୟକ ଋଣକୁ ଗୋଷ୍ଠୀ ନିଜ ପାଣ୍ଠିରୁ ବା ବ୍ୟାଙ୍କରୁ ଋଣ ନେଇ ମେଂଟାଇ ପାରିଥାଏ। ଗୋଷ୍ଠୀ ମାଧ୍ୟମରେ ବା ବ୍ୟକ୍ତିଗତ ଭାବେ ତୃତୀୟ ପ୍ରକାର ଋଣ ଅର୍ଥାତ ଉଦ୍ୟମୀ ଋଣ ପାଇବାରେ ହିଁ ମୁଖ୍ୟ ଅସୁବିଧା ଥାଏ। ଟଙ୍କାକୁ ଉଦ୍ୟୋଗ ପରିଚାଳନାରେ ଉଚିତ ଭାବେ ବିନିଯୋଗ କରିବା ନ ଶିଖିଲେ ସେମାନଙ୍କ ଆୟ ବଢି ନଥାଏ ଓ ସେମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇ ନଥାନ୍ତି। ତେଣୁ ଉଦ୍ୟୋଗ ପରିଚାଳନା କ୍ଷେତ୍ରରେ କୌଶଳ ଓ ଦକ୍ଷତାର ବିକାଶ ପାଇଁ ସେମାନଙ୍କର ତାଲିମ ସହ ସେମାନଙ୍କୁ ସବୁ ପ୍ରକାର ସହଯୋଗ ଦେଇ ବାଟ କଢ଼େଇ ନେବାକୁ ହୁଏ। ପରିତାପର ବିଷୟ, ତାହା ଆବଶ୍ୟକତାନୁସାରେ ହେଉ ନଥିବାରୁ ଓଡିଶାରେ ବଡ଼ି, ଆଚାର, ପାମ୍ପଡ଼, ଧୂପ. ଛତୁଆ ତିଆରି ଆଦି ଉଦ୍ୟୋଗର ଶଗଡ଼ଗୁଳା ଭିତରୁ ବାହାରି ନୂଆ କିଛି କରିବାର ସ୍ୱପ୍ନ ମହିଳାମାନେ ଦେଖିପାରୁ ନାହାନ୍ତି। ସେଥିପାଇଁ ‘ଟଙ୍କା ନେଇ କରିବୁ କ’ଣ ?’ର ଉତ୍ତର ପାଉ ନଥିବା ଗୋଷ୍ଠୀ ନିଜର ଯଥେଷ୍ଟ ସଂଚୟ ସତ୍ତ୍ବେ ବ୍ୟାଙ୍କ ଋଣ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି। ଆଉ କିଛି ଗୋଷ୍ଠୀ ସ୍ୱଳ୍ପ ସୁଧରେ ଋଣ ମିଳୁଥିବାରୁ ତାକୁ ନେଇ ଯାଆନ୍ତି, ହେଲେ କରିବାକୁ କିଛି ଯୋଜନା ଅଭାବରେ ସେହି ଟଙ୍କାକୁ ଭାଗଚାଷୀ ଓ ଅନ୍ୟମାନଙ୍କୁ ଚଢ଼ା ସୁଧରେ ଋଣ ଦେଇ ନୂଆ ମହାଜନ ପାଲଟିଯାଆନ୍ତି। ଏହି ଧରଣର ନବ୍ୟ ମହାଜନଙ୍କୁ ବିନା ସୁଧରେ ୩ ଲକ୍ଷ ଟଙ୍କା ଯାଏଁ ଋଣ ଦେବା ଅର୍ଥ ସେମାନଙ୍କ ଦ୍ୱାରା ଭାଗଚାଷୀଙ୍କ ଅଧିକ ଶୋଷଣର ବାଟ ପ୍ରଶସ୍ତ କରିବା। ଏଥିରୁ ସ୍ପଷ୍ଟ ଯେ ଏହି ବାଟ ଅବଲମ୍ୱନ କରି ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରି ହୋଇନାହିଁ କି ଭବିଷ୍ୟତରେ ମଧ୍ୟ କରି ହେବନାହିଁ। ଏହା ସ୍ୱୀକାର୍ଯ୍ୟ, ଓଡିଶାରେ ଏସଏଚଜି ଆନ୍ଦୋଳନର ଅନ୍ୟ ଦୁଇଟି ଉଦ୍ଦେଶ୍ୟ, ମହିଳାଙ୍କ ସାମାଜିକ ଓ ରାଜନୈତିକ ସଶକ୍ତିକରଣ, କିଛିଟା ପୂରଣ ହୋଇଛି। ତେବେ ଯେ ପର୍ଯ୍ୟନ୍ତ ସେମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇନାହାନ୍ତି, ସେମାନଙ୍କ ସଦ୍ୟ ଆହରିତ ସାମାଜିକ ଓ ରାଜନୈତିକ ଶକ୍ତି ଅପହୃତ ହୋଇଯିବାର ସମ୍ଭାବନା ରହିଛି। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନର ଉଦ୍ଦେଶ୍ୟ ଗୋଷ୍ଠୀ ବାହାରର ସହାୟତାକୁ ଅପେକ୍ଷା ନକରି ନିଜେ ନିଜକୁ ସାହାଯ୍ୟ କରିବା। କିନ୍ତୁ ଓଡିଶାରେ ଅଧିକାଂଶ ଗୋଷ୍ଠୀ ସରକାରୀ ସହାୟତାକୁ ଚାତକ ପରି ଚାହିଁ ରହୁଥିବାରୁ ନିଜ ଉପରୁ ବିଶ୍ୱାସ ହରାଇ ସରକାରୀ ସହାୟକ ଗୋଷ୍ଠୀ ପାଲଟି ଗଲେଣି। ଏହି ଦିଗହରା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସଶକ୍ତ ହେବାକୁ ହେଲେ ସେମାନଙ୍କୁ ପୁଣି ଥରେ ଗୋଷ୍ଠୀର ମୂଳପାଠକୁ ଫେରି ନୀତି ନିୟମକୁ ଅନୁସରଣ କରି ଉଦ୍ୟମୀ ହେବା ପ୍ରତି ଧ୍ୟାନ ଦେବାକୁ ହେବ ଓ ସେଥିପାଇଁ ନିଜକୁ ପ୍ରଥମେ ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ଏବଂ ନିର୍ଭରଶୀଳତାରୁ ମୁକ୍ତ କରିବାକୁ ହେବ। ଭୁବନେଶ୍ୱର, ମୋ.୯୪୩୭୦୩୮୦୧୫

Share :