ନେତାଙ୍କ ଇଜ୍ଜତ ଲୁଟ୍!

ନେତାଙ୍କ ଇଜ୍ଜତ ଲୁଟ୍!

Share :

ଦେବେନ୍ଦ୍ର ପୃଷ୍ଟି ଅଳ୍ପ ଦି ତଳର କଥା । ଶାସକ ଦଳର ଜଣେ ସାଂସଦ ଫୋନ୍ କରି ପଚାରିଲେ, ଆଉ ସବୁ ଖବର କ’ଣ? ତମ ରିପୋର୍ଟରମାନେ କ’ଣ କହୁଛନ୍ତି? ମୁଁ କହିଲି, ତଳ ସ୍ତରର ରିପୋର୍ଟ ଅନୁସାରେ ଆପଣଙ୍କ ଦଳ ପୁଣି ଜିତିବ । ସିଟ୍ କିଛି କମିଯାଇ ପାରେ । ସେ କହିଲେ, ତମେ କ’ଣ ଅନ୍ୟ କେଇ ଜଣ ସାମ୍ବାଦିକଙ୍କ ପରି ବିଜେଡିରେ ମିଶିଗଲଣି କି? ମୁଁ ମନାକଲି । ସେ କହିଲେ, ତେବେ ଆମ ଦଳ ଜିତିବ ବୋଲି କେମିତି ସିଧାସଳଖ କହୁଛ? ମୁଁ କହିଲି, ନବୀନବାବୁଙ୍କ ଲୋକପ୍ରିୟତା କମି ନାହିଁ । ସେ ତ’ ଆପଣଙ୍କ ଦଳର ଏକମାତ୍ର ପୁଞ୍ଜି! ସେ ପଚାରିଲେ, ଆଉ ଦଳ? ଦଳର ମନ୍ତ୍ରୀ ଓ ବିଧାୟକମାନେ? ସେମାନେ କ’ଣ ଲୋକପ୍ରିୟ? ମୁଁ କହିଲି, କେତେକ ମନ୍ତ୍ରୀ ଓ ବିଧାୟକ ଅବଶ୍ୟ ବଦନାମ ହୋଇଛନ୍ତି । ସେ କହିଲେ, ଆଉ ଆମ ସରକାର? ଏହା କ’ଣ ଦୁର୍ନୀତିମୁକ୍ତ? ପିସି ସରକାର କଥାଟା କ’ଣ ସୁଦୁ ମିଛ? ମୁଁ କହିଲି, ନା । ସରକାର ବିରୋଧରେ ତ ଶହଶହ ଦୁର୍ନୀତିର ଅଭିଯୋଗ । କିନ୍ତୁ କିଛି ପ୍ରମାଣିତ ହେଇନି । ହାଇକୋର୍ଟ ଖଣି ଦୁର୍ନୀତି ମାମଲାର ରାୟ ଦେଲେନି । ସୁପ୍ରିମ କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେନି । ଶାହା କମିଶନଙ୍କ ସୁପାରିଶ ସତ୍ତେ୍ୱ କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଲେନି । ଚିଟ୍ ଫଣ୍ଡ ତଦନ୍ତ ବାଟବଣା ହୋଇଗଲା । ଜମି, ଜଳ, ଜଙ୍ଗଲ, ଡାଲି, ବିହନ, ଆଦି ଅନେକ ଦୁର୍ନୀତି ହୋଇଛି । କିନ୍ତୁ ଲୋକେ ସେ ହିସାବ କଷୁ ନାହାନ୍ତି । ସେ କହିଲେ, ଯଦି ଦୁର୍ନୀତି ହୋଇଛି ତେବେ ହେଲା କେମିତି? ନବୀନବାବୁ ମୁଖ୍ୟମନ୍ତ୍ରୀ ଥାଉଥାଉ ଦୁର୍ନୀତି କେମିତି ହେଲା? କେନ୍ଦ୍ରରେ ଯେମିତି ଚୌକିଦାର ଚୋର୍ ହେ ସ୍ଲୋଗାନ ଦିଆଯାଉଛି ଏଠି ସେମିତି କେହି କହିବେନି! ଚୌକିଦାର ଯଦି ଠିକ୍ ନିଘା ରଖିବ ଚୋର କେମିତି ଘରେ କଳାକନା ବୁଲେଇବ? ମୁଁ କହିଲି, ସତ କଥା ଯେ! ହେଲେ ନବୀନବାବୁଙ୍କ ଉପରେ ଲୋକଙ୍କର ଢେର ଆସ୍ଥା । ସେ କହିଲେ, ହଁ ତାଙ୍କ ଉପରେ ଆସ୍ଥା, କିନ୍ତୁ ଆମ ଉପରେ ଅନାସ୍ଥା । ମୁଁ ପଚାରିଲି, ମାନେ? ସେ କହିଲେ, ଆମର ଆଉ ଇଜ୍ଜତ ମହତ ନାହିଁରେ, ସବୁ ସରିଗଲାଣି! ଲୋକେ ଜାଣିଗଲେଣି ବିଜେଡି ନେତାମାନଙ୍କ ଅପେକ୍ଷା ବିଜେଡି ବାବୁମାନଙ୍କର ତାକତ୍ ଜୋର୍ । ମନ୍ତ୍ରୀ, ବିଧାୟକଙ୍କୁ କହିଲେ ଯେଉଁ କାମ ହେଉନି, ଅଫିସରଙ୍କୁ ଲାଂଚଘୁଷ୍ ଦେଇ ସେ କାମ କରେଇ ହେଉଛି । ତେଣୁ ଲୋକେ କହିଲେଣି, ତୁମକୁ କାହିଁକି ଭୋଟ୍ ଦେବୁ? ତୁମକୁ ଯଦି ଭୋଟ୍ ଦବୁ, ଅଫିସରଙ୍କୁ କାହିଁକି ତେଲ ମାରିବୁ? ଏଇଟା ଗଣତନ୍ତ୍ର ନା ଅମଲାତନ୍ତ୍ର? ଆମ ଔକାତ ଦି’ଗଣ୍ଡା ଦି’କଡ଼ା ହୋଇଗଲାଣି । ମୁଁ କହିଲି, ଓହଃ, ସେଇଥିପାଇଁ ତେବେ ବିଜେଡିରେ ବାବୁମାନଙ୍କ ଭିଡ଼ ବଢ଼ୁଛି । ଅନନ୍ତ ଦାସ, ପ୍ରଭାସ ସିଂହ, ବଳଭଦ୍ର ମାଝୀ, ରବି ମହାପାତ୍ର, ଅମର ପଟ୍ଟନାୟକ, ଅନୁପ ପଟ୍ଟନାୟକ, ଗିରିଧର ମହାନ୍ତି ଏମିତି କେତେ ପୂର୍ବତନ ବାବୁ ଏବେ ବିଜେଡି ନେତା । ଆଗକୁ ପୁଣି ନଳିନୀ ପ୍ରଧାନ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଛି । ଆଉ କେଉଁ ବାବୁ ବି ଗୋପରେ ବଢ଼ୁଥିବେ । ସେ କହିଲେ, ଏଇଥିରୁ ବୁଝ ପରିସ୍ଥିତି କ’ଣ? କୁମ୍ଭୀର ନେଇ ମଝି ନଈରେ କଲାଣି, ଆମ ଦଳର ନେତାମାନେ ମଟର ଚୋବଉଛନ୍ତି । ଯେତେବେଳେ ଟିକଟ କଟିବ ସେତେବେଳେ କେହି ପିଠିରେ ପଡ଼ିବେନି । ମୁଁ କହିଲି, ସେଠୁ କ’ଣ ହେବ? ନବୀନବାବୁ ତ’ ଜିତିବେ । ଆପଣଙ୍କ ଦଳ ଜିତିବ । ସରକାର ହେବ । ସେ କହିଲେ, ସବୁ ନେତା ଚୁପ୍ ବସିବେ ନାହିଁ । ଇଜ୍ଜତ ମହତ ପାଣିରେ ପକେଇବାକୁ କେହି ରାଜନୀତି କରେ ନାହିଁ । ଆମେ ମାନସମ୍ମାନ ପାଇଁ ରାଜନୀତିକୁ ଆସିଛୁ । ଟିକେଟ ଓ ଗୁରୁତ୍ୱ ପାଉ ନଥିବା ନେତାମାନେ ଭିତରେ ଭିତରେ ଚେର କାଟିବେ ନାହିଁ? ମୁଁ କହିଲି, କେତେ ଚେର କାଟିବେ? କୋଡ଼ିଏ ବର୍ଷର ଗଛ । ଚେର ଢେର ଗହୀରକୁ ଗଲାଣି । ବର ଓହଳ ପରି ଅନେକ ଚେର ମାଡ଼ି ଗଲାଣି । ସେ କହିଲେ, ତଥାପି ମତେ କାହିଁକି କିଛି ଭଲ ଦେଖାଯାଉ ନାହିଁ । ଲୋକେ ମାତିଲେ ଗୋଟେ ଦିନରେ ଗଛ କାଟି ପଦା କରିଦେବେ । ଚେରମୂଳ ଓପାଡ଼ି ନିଆଁ ପୋଇଁବେ । ଗୋଟିଏ ଦିନରେ ସରକାର ହାରିଯିବ । ନେତା ବଦଳିଲେ ନୀତି ବଦଳିଯିବ । ବାବୁମାନେ ନୂଆ ନେତାଙ୍କ ଆଡ଼କୁ ଆଉଜି ପଡ଼ିବେ । ସେତେବେଳେ ନବୀନବାବୁ ଭୁବନେଶ୍ୱରରେ ଥିବେ କି ଦିଲ୍ଲୀରେ, ମୁଁ କହିପାରିବି ନାହିଁ । ମୁଁ କଥାଟି ଟିକେ ଟିକେ ବୁଝିଲି ଯେ ହେଲେ ଏତେ ଗହନ ଚାଷ କରିବାକୁ ମୋ ଲଙ୍ଗଳମୁନ ଲମ୍ବା ନୁହେଁ ।

Share :