ସୂର୍ଯ୍ୟଙ୍କ ଗଡ଼ରେ ଅସନ୍ତୋଷ

ସୂର୍ଯ୍ୟଙ୍କ ଗଡ଼ରେ ଅସନ୍ତୋଷ

Share :

ହେମାଙ୍ଗ ପ୍ରସାଦ ରାଉଳ ଗଂଜାମ ରାଜନୈତିକ ଚିତ୍ରପଟରେ ବିଜୁ ପଟ୍ଟନାୟକଙ୍କ ଶାସନ ଅମଳରୁ ସବୁଠାରୁ ବହୁ ସମୟ ଧରି ଅଟଳ ଚିତ୍ତରେ ରାଜନୈତିକ ଗୋଟିଚାଳନାରେ ସଫଳ ସାରଥୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କାହାଣୀ ବେଶ୍ ରୋଚକ। ୧୯୮୮ରେ ଜନତା ଦଳରୁ ଟିକେଟ୍ ପାଇ ସାଂସଦ ପାଇଁ ବ୍ରହ୍ମପୁରରୁ ହାରିଯିବା ପରେ ଯୁବସୁଲଭ ଚେହେରାରୁ ରାଜ୍ୟ ରାଜନୀତିରେ ପାଦ ଦେଇ ୩ ଦଶନ୍ଧି ଧରି ରାଜ୍ୟ ରାଜନୀତିରେ ତାଙ୍କର ବ୍ୟକ୍ତିତ୍ୱ ସର୍ବଜନପ୍ରିୟତାର ଶୀର୍ଷରେ ବୋଲି ଧରିନେବାକୁ ହେବ। ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳରେ ଅନେକ ବିଭାଗରେ ରହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ ପୂର୍ବରୁ ସେ ଜଣେ ଧୂରୀଣ ବିଚକ୍ଷଣ ରାଜନେତାର ମାନ୍ୟତା ପାଇଛନ୍ତି। ମତ୍ସ୍ୟ ପଶୁସଂପଦ ରାଷ୍ଟ୍ରମନ୍ତ୍ରୀରୁ କ୍ୟାରିୟର ଆରମ୍ଭ କରି ଅଧୁନା ରାଜସ୍ୱ ବିଭାଗ ପର୍ଯ୍ୟନ୍ତ ପ୍ରତି ବିଭାଗକୁ ସେ ଚତୁରାତାର ସହ ଚଳାଇ ନାହାନ୍ତି ବରଂ ବହୁ ଗୁରୁତ୍ୱପୂର୍ଣ୍ଣ କାମରେ ସେ ସ୍ୱାକ୍ଷର ଦେଇଛନ୍ତି। ତାଙ୍କ ଭଳି ଜଣେ ନେତାର ବିଚାର, କାର୍ଯ୍ୟଦକ୍ଷତା, କର୍ମତପିରତା, ଅନୁଭବୀକୁ କ’ଣ କିଏ କେବେ ହାତଛଡ଼ା କରିପାରେ ନିଜ ନିର୍ବାଚନ ମଣ୍ଡଳୀରେ? ମୋହନା, ଦିଗପହଣ୍ଡିରେ ବିଧାୟକ ଭାବରେ ସେ କାମ କରିଛନ୍ତି। ତାଙ୍କର ସହକର୍ମୀମାନେ ବେଶ୍ ଉତ୍ସାହିତ ରହିଛନ୍ତି ମଧ୍ୟ। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁକୁଡ଼ାଖଣ୍ଡି ବ୍ଲକରେ ତାଙ୍କୁ ନେଇ ଅସନ୍ତୋଷ ଦେଖାଦେଇଛି ବୋଲି ବିଭିନ୍ନ ମହଲରୁ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ପ୍ରକୃତ ତଥ୍ୟ ହେଲା କିଛି ସ୍ୱାର୍ଥବାଦୀ କର୍ମୀ ନିଜର ସ୍ୱାର୍ଥକୁ ଆଖି ଆଗରେ ରଖି ସୂର୍ଯ୍ୟ ପାତ୍ରଙ୍କ ନା’ କହି ନିଜର ସ୍ୱାର୍ଥ ହାସଲ କରିବାରେ ଲାଗିଥିଲେ। ଯାହାକି ଲୋକଲୋଚନକୁ ଆସିଯାଇଥିଲା। ତଳେ ଦିନେ ଏକ ଭତ୍ତା ବଣ୍ଟନକୁ ନେଇ ଗୁଜବ ଉଠିଥିଲା। ଏହି ପରିପ୍ରେକ୍ଷୀରେ କୁକୁଡ଼ାଖଣ୍ଡି ବିଡ଼ିଓ, ବ୍ଳକ୍ ଚେୟାରମ୍ୟାନ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଘଟଣାଟିର ତଦନ୍ତ କରିଥିଲେ। ସେଠାରୁ ସ୍ପଷ୍ଟ ବାରିହେଲା ଯେ, ନିଜର ସ୍ୱାର୍ଥ ପାଇଁ ନିଜ ଦଳକୁ ମଧ୍ୟ ବଦନାମ କରିବାକୁ କିଛି ସ୍ୱାର୍ଥବାଦୀ କର୍ମୀ ପଛାନ୍ତି ନାହିଁ। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ସୂର୍ଯ୍ୟପାତ୍ର ତଥା ବିଜେଡ଼ିକୁ ସାମନା କରିବାକୁ କୌଣସି ଦଳ ସକ୍ଷମ ନାହାନ୍ତି କହିଲେ କିଛି ଭୁଲ୍ ହେବ ନାହିଁ। ଦଳୀୟ କର୍ମୀ ଅଭିଯୋଗ କଲେ ମଧ୍ୟ ସୂର୍ଯ୍ୟ ପାତ୍ର ସବୁକ୍ଷେତ୍ରରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି। ଯାହାକି ଶେଷରେ ଦଳର ଭିତିରି କଥା ପଦାକୁ ଆସିଯାଇଥାଏ। ବେଳେବେଳେ ଏହି ଅଭିଯୋଗ ଏକପ୍ରକାର ଫିକ୍ସିଂ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିର୍ବାଚନ ମଣ୍ଡଳୀର ସାଧାରଣ ଜନତାଠିକ୍ ଭାବରେ ମାପକାଠିରେ ମାପିବାର ସକ୍ଷମ ଅଛନ୍ତି। ବିଜୁ ଜନତା ଦଳର କିଛି କର୍ମୀ ତାଙ୍କୁ ବିରୋଧ କରିବା ନେଇ ଜନୈକ ତୁଙ୍ଗନେତା କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପାତ୍ର ସ୍ୱୀକାର ମଧ୍ୟ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କିଛି ସ୍ୱାର୍ଥବାଦୀ କର୍ମୀଙ୍କ ଚାଲ୍ ପଦାରେ ପଡ଼ିଥିଲା। ଗୋଟିଏ ପଟରେ ଶାସନର ଅନୁଭବ, ଅନ୍ୟପଟରେ କର୍ମୀଙ୍କ ବିରୋଧ ଭିତରେ ତାଙ୍କର ରାଜନୈତିକ ଭବିଷ୍ୟତ ଅସ୍ଥିରତା ଭିତରକୁ ଚାଲିଯିବ ବୋଲି ଯେଉଁ ସମୀକ୍ଷା ଚାଲିଥିଲା ଏହା ଭୁଲ୍ ବୋଲି ପ୍ରମାଣିତ ହୋଇସାରିଛି। ସୂର୍ଯ୍ୟନାରାୟଣ ପାତ୍ର ନବୀନ ବାବୁଙ୍କ ମନ୍ତ୍ରିମଣ୍ଡଳରେ ରହି ବହୁ ଚର୍ଚ୍ଚିତ ବିବୃତ୍ତି ମଧ୍ୟ ଦେଇଛନ୍ତି। ଏପରି ନବୀନଙ୍କ ଚାକର ହୋଇ ଆମେ କର୍ମୀ ପରି କାମ କରୁଛୁ ଓ କରିବୁ। ଏଇ ଉକ୍ତି ଯଦିଚ ବିବାଦୀୟ ଥିଲା ତଥାପି ତାଙ୍କୁ ଭଲ ମାଇଲେଜ୍ ମଧ୍ୟ ଦେଇଥିଲା। କୁକୁଡ଼ାଖଣ୍ଡି ବ୍ଲକ୍ରେ ସୂର୍ଯ୍ୟପାତ୍ରଙ୍କ ଟାଣଦୁର୍ଗକୁ କଳୁଷିତ କରିବା ପାଇଁ ଯେଉଁ ସଦ୍ୟତମ ଉଦ୍ୟମ ହୋଇଥିଲା ତାହା ବହୁ ଚର୍ଚ୍ଚିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବହୁ ଯୋଜନାରେ ସଫଳତାର ସ୍ପର୍ଶ ଦେଇ ଆସୁଥିବା ସୂର୍ଯ୍ୟ ପାତ୍ରଙ୍କୁ ଚ୍ୟଲେଞ୍ଜ ଦେବା ତାହା ଖଦ୍ୟୋତିକା ସହ ସମାନ ବୋଲି ବ୍ଲକ୍ ଚେୟାରମ୍ୟାନ କାମାକ୍ଷା ପାତ୍ର କହିଛନ୍ତି।

Share :